ମଉଳା ଗୋଲାପ
ମଉଳା ଗୋଲାପ
"କେମିତିକା ଦିନ ଆଜି! ଗୋଟେ ହେଲେ ବି ବିକ୍ରି ହେଲାନି।" ପଲ୍ଲବୀ ପାଖରେ ଥିବା ମଉଳା ରକ୍ତ ରଙ୍ଗର ଲାଲ ଗୋଲାପ ଗୁଡିକୁ ଦେଖି ଦୁଃଖରେ ଚିନ୍ତା କରୁଥିଲା.... କିପରି କଟିବ ଆଜି ଦିନଟି? କଣ ଖାଇବେ ସେମାନେ?
ପଲ୍ଲବୀ ତେର ଚଉଦ ବର୍ଷର ଝିଅଟିଏ। ପାଖ ବସ୍ତିରେ ରୁହେ। ସଂସାର କହିଲେ ବାପା ମା ଆଉ ଖଣ୍ଡେ ଭଙ୍ଗା ଚାଳ ଛପର ଘର। ବାପ ତାର କାମଧନ୍ଦା କରେ ନାହିଁ। ମଦ ଗଞ୍ଜେଇ ଖାଏ। ବାପଟି ଯେତେବେଳେ ନିଜ କର୍ତ୍ତବ୍ୟ ଭୁଲିଯାଏ, ତା ପିଲାମାନଙ୍କ ଅବସ୍ଥା ଆଉ କଣ ହେବ? ପଲ୍ଲବୀ ଦୁନିଆର ବଗିଚାରେ ଆଜି ଗୋଟେ ମଉଳା ଗୋଲାପ। ସେ ସହରର ଜନ ଗହଳି ଜାଗା ମାନଙ୍କରେ ବେଲୁନ ବିକେ, ବେଳେବେଳେ କଣ୍ଢେଇ ବିକେ। ଜାନୁଆରୀ ଛବିଶ ଏବଂ ଅଗଷ୍ଟ ପନ୍ଦରରେ ଜାତୀୟ ପତାକା ବିକେ। ହେଲେ ଆଜି ପରା ରୋଜ ଡେ। ତେଣୁ ସେ ଆଣିଥିଲା ଝୁଡ଼ିରେ ଝୁଡ଼ିଏ ପ୍ରେମର ପ୍ରତୀକ ରକ୍ତ ଗୋଲାପ।
ସେ ରହୁଥିବା ଅନତି ଦୂରରେ ଥିଲା ସୁନ୍ଦର ପାର୍କଟିଏ। ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନେକ ଲୋକ ଅନେକ ଅଭିପ୍ରାୟ ନେଇ ଆସନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ ଥାନ୍ତି ଅନେକ ପ୍ରେମୀ ଯୁଗଳ। ଯେତେବେଳେ ସେମାନେ ନିଜ ନିଜ ଜାଗା ମାନଙ୍କରେ ଅନ୍ତରଙ୍ଗ ଆଳାପରେ ନିମଗ୍ନ ଥାଆନ୍ତି, ପଲ୍ଲବୀ ସେ ସମୟରେ ବେଲୁନ ହେଉ କିମ୍ବା ପପକର୍ଣ୍ଣ ପ୍ୟାକେଟ ଗୁଡିକ ଧରି ଗୋଟିଏ ଜାଗାରେ ଛିଡା ହୋଇଥାଏ। ଆଉ ତାର କିଶୋରୀ ମନରେ ଭାବୁଥାଏ, ଠାକୁରେ ମୋ ବାପା ବୋଉଙ୍କୁ ଏମିତି ଭଲରେ ରଖନ୍ତେନି। ବାପା ସନ୍ଧ୍ୟାରେ ନିଶା ଖାଇ ଗାଳି ଗୁଳଜ ବଦଳରେ ଏମିତି ଭଲରେ କଥା ହୁଅନ୍ତେ ନି ଆମ ସହ? ମାଡ଼ ବଦଳରେ ଅସୁମାରୀ ଭଲ ପାଇବା ଦିଅନ୍ତେନି? କିନ୍ତୁ ମଣିଷର ସବୁ ଇଚ୍ଛା କଣ ପୁରଣ ହୁଏ? ଯଦି ହେଉଥାନ୍ତା ସ୍ଵର୍ଗର ପରିକଳ୍ପନା କାହିଁକି ବା କିଏ କରନ୍ତା।
ଆଜି ଅନେକ ସମୟ ଅପେକ୍ଷା ପରେ ବି ଗୋଟିଏ ହେଲେ ଗୋଲାପ କେହିବି ନେଲେନି। ସତରେ କଣ ସଂସାରରୁ ପ୍ରେମର ବିଲୟ ଘଟିଲାଣି? ପ୍ରେମତ ଶାଶ୍ୱତ, ଚିରନ୍ତନ, ଅଜର ଅମର। କାଳଜୟୀ ସମୟ ବି ତା ପାଖରେ ନତ ମସ୍ତକ ହୁଏ। ପ୍ରେମ ତ ସତ୍ୟ ଶିବ ସୁନ୍ଦର। ବୋଧେ ପ୍ରେମ ପରିପ୍ରକାଶର ଭାଷା ଏବେ ବଦଳି ଯାଇଛି, ଗୋଲାପର ଜାଗା ନେଇଯାଇଛି ଟେକ୍ନୋଲୋଜି। କିନ୍ତୁ ବଦଳିନି ଗରିବଙ୍କ ସ୍ଥିତି। ଦାରିଦ୍ର୍ୟ ହଟିନି ଦରିଦ୍ର ହଟୁଛି। ଅନେକ କିଛି ବଦଳୁଛି କିନ୍ତୁ ଦୁନିଆରେ ପଲ୍ଲବୀ ମାନଙ୍କର ଭାଗ୍ୟ ବଦଳୁନି। ବର୍ଷା ହେଉ କି ବସନ୍ତ ଏ ପଲ୍ଲବୀମାନେ ସବୁବେଳେ ଏମିତି ଶୁଷ୍କ ଆଉ ରଙ୍ଗହୀନ। ଆଜି ପଲ୍ଲବୀ ଭୋକ ଆଉ ଶୋଷରେ ଘରକୁ ଫେରୁଥିଲା ଝୁଡ଼ିଏ ମଉଳା ଗୋଲାପ ଧରି।
ଆଖିରେ ଆଖିଏ ଲୁହ ଆଉ ମନରେ ଅନେକ ଦୁଃଚିନ୍ତା ନେଇ ମଉଳା ଗୋଲାପ ଗୁଡିକୁ ଅଳିଆ ଗଦା ଉପରେ ଫିଙ୍ଗିବା ସମୟରେ କାହା ଡାକରେ ସେ ଚମକି ପଡି ପଛକୁ ଚାହିଁଲା। ପଛରେ ଛିଡ଼ା ହୋଇଥିଲେ ପ୍ରଣବ ଭାଇ।
ପ୍ରଣବ ଭାଇ, ପଲ୍ଲବୀ ଠୁଁ ଦୁଇ ତିନି ବର୍ଷ ବଡ଼। ଏଇ ବସ୍ତିରେ ରୁହେ, ବାପା ବୋଉଙ୍କ ସାଥିରେ। ପ୍ରଣବର ବାପା ଠେଲା ଗାଡ଼ିରେ ବୁଲି ବୁଲି ପରିବା ବିକନ୍ତି। ଅତି ସୁନ୍ଦର ସ୍ୱଭାବର ମଣିଷ। ପ୍ରଣବ ବି ପାଠ ପଢିବା ସହିତ ଅନେକ ସମୟରେ ଯାଏ ବୁଲି ବୁଲି ପରିବା ବିକିବାକୁ। ବସ୍ତିରେ ସମସ୍ତଙ୍କ ବୋଲ ହାକ କରେ। ସମସ୍ତଙ୍କ ସୁବିଧା ଅସୁବିଧାରେ ପ୍ରଣବ କୁ ଖୋଜା ପଡେ। ବେଳେବେଳେ ବିକ୍ରି ନ
ହୋଇ ରହିଯିବା ବଳକା ପରିବା ପ୍ରଣବ ବସ୍ତିର ଲୋକମାନଙ୍କୁ ନ ହେଲେ ପଲ୍ଲବୀର ମା'ଙ୍କୁ ଦେଇଯାଏ। କହେ ନଷ୍ଟ ହେବା ଅପେକ୍ଷା କେହି ଜଣେ ଖାଇଲେ କ୍ଷତି କଣ??
ପ୍ରଣବ ପଲ୍ଲବୀକୁ ଦେଖିଲେ କାହିଁକି କେଜାଣି ହସିଦେଇ ଚାଲିଯାଏ। ଆଉ ପଲ୍ଲବୀ ଇଚ୍ଛା ଥାଇ ବି ଚାହିଁ ପାରେନି ପ୍ରଣବକୁ। କେବେ କେମିତି ଘରର କବାଟ ଫାଙ୍କରୁ କିମ୍ବା ଗଛର ଆଢୁଆଳରୁ ସେ ଲୁଚି ଲୁଚି ଦେଖେ ପ୍ରଣବକୁ, ଆଉ ମନେ ମନେ ହସିଦେଇ ଚାଲିଯାଏ ଘର ଭିତରକୁ। ହଜାରେ ଲୋକଙ୍କ ଆଗରେ ବୁଲି ବୁଲି ବେଲୁନ ବିକୁଥିବା ଝିଅଟି କାହିଁକି କେଜାଣି ପ୍ରଣବକୁ ଲାଜ କରେ, ସେ ନିଜେ ବି ଜାଣେନା। କିନ୍ତୁ ସେ ଭଲ ପାଏ ପ୍ରଣବ କଥା ଶୁଣିବାକୁ, ପ୍ରଣବ କଥା କହିବାକୁ ଆଉ ପ୍ରଣବ କଥା ଭାବିବାକୁ। ଯେଉଁ ଦିନ ପ୍ରଣବ କଥା ଘରେ ଆଲୋଚନା ହୁଏ ଖୁସିରେ ଫାଟି ପଡେ ତା ମନ ଆଉ ପ୍ରାଣ। ପ୍ରଣବ ଅନେକ ଥର ବୁଝାଇଛି ପଲ୍ଲବୀକୁ ପଢ଼ାଇବା ପାଇଁ। କିନ୍ତୁ ଗରିବ ମା'ର ଇଚ୍ଛା ବୋଲି କଣ ଥାଏ?? ଇଚ୍ଛା ଥିଲେବି କଣ ହେବ ଯେ।
ପ୍ରଣବ ଆଗରେ ନିରବ ନିଶ୍ଚଳ ହୋଇ ଛିଡା ହୋଇଥାଏ ପଲ୍ଲବୀ। ପଲ୍ଲବୀକୁ ପ୍ରଣବ ପଚାରିଲା....
--ଆଜିର ଦିନରେ ଏ ଗୋଲାପ ଗୁଡିକୁ ଏମିତି ଅଳିଆ ଗଦାରେ ଫିଙ୍ଗିଦେଲେ, ତାର ବହୁତ ଅପମାନ ହେବ ପଲ୍ଲବୀ।
ପଲ୍ଲବୀ....ଏ ମଉଳା ଗୋଲାପ ଆଉ କଣ କରିବି?(ଏତକି କହୁ କହୁ ଦୁଇ ଧାର ଲୁହ ବହିଗଲା ପଲ୍ଲବୀର ଆଖିରୁ)
ପ୍ରଣବ--ପଲ୍ଲବୀ, ଏ ଫୁଲ ଗୁଡିକ ନଷ୍ଟ ହେବା ଅପେକ୍ଷା କାହା କାମରେ ଲାଗିଲେ କ୍ଷତି କଣ? ଦେ ସବୁତକ ମତେ ଦେ।
ପଲ୍ଲବୀ--ହେଲେ, ତମେ ଏ ସବୁ କଣ କରିବ?
ପ୍ରଣବ--ହଉ, ଆସ ମୋ ସାଥିରେ। ଦେଖିବ ମୁଁ କଣ କରିବି।
ସମସ୍ତ ଫୁଲକୁ ପ୍ରଣବ ପୁରା ବସ୍ତିରେ ବାଣ୍ଟିଲା, ଆଉ ସମସ୍ତଙ୍କୁ ଗୋଲାପ ଦିବସର ଅଭିନନ୍ଦନ ବି ଜଣାଇଲା। ବସ୍ତିର ଅନେକ ଲୋକ ଗୋଲାପ ଦିବସଟିଏ ଅଛି ବୋଲି ପ୍ରଥମ ଥର ଜାଣି ଖୁସି ହେଲେ। ସନ୍ଧ୍ୟା ଆଗତ, ଶେଷରେ ପ୍ରଣବ ପଲ୍ଲବୀ ହାତରେ ଗୋଲ ହୋଇ ଗୁଡ଼ିଆ ହୋଇଥିବା କାଗଜ ଖଣ୍ଡେ ଦେଲା, ଆଉ କହିଲା.."ଏ ତମ ପାଇଁ"। ଆଉ ଚାଲିଗଲା।
ପଲ୍ଲବୀ ସେଇ ତୋଫା ଜହ୍ନ ଆଲୁଅରେ ସେ କାଗଜକୁ ଖୋଲି ଦେଖିଲା, ସେ କାଗଜ ଭିତରେ ଗୋଟେ ମଉଳା ଗୋଲାପ ଆଉ କିଛି ଟଙ୍କା। ଆଉ ସେ କାଗଜରେ ଲେଖା ଥିଲା....
"ଏହା ହେଉଛି ତୁମ ଫୁଲର ମୂଲ। ଏହାକୁ ମୁଁ କେଉଁଠୁ ଠକି କିମ୍ବା ଚୋରି କରି ଆଣିନି। ମୋ ଶ୍ରମ ଅର୍ଜିତ ଅନେକ ଦିନର ସଞ୍ଚୟ। ଭଗବାନ ଏତିକି ଶକ୍ତି ଦିଅନ୍ତୁ ତୁମ ପ୍ରତି ଅସୁବିଧାରେ ମୁଁ ଛିଡା ହୋଇ ପାରେ। ହାପି ରୋଜ ଡେ। 🌹
ପଲ୍ଲବୀ ଚିଠିଟିକୁ ପଢି ଆନନ୍ଦରେ ଛାତିରେ ଚାପି ଧରିଲା, ତା ପରେ ମୁଣ୍ଡ ଟେକି ଚାହିଁଲା ଦୂର ଦିଗବଳୟର ସେହି ତୋଫା ଜହ୍ନଟା ଆଡକୁ। ସତରେ ଜହ୍ନ ଟା କେତେ ସୁନ୍ଦର? ଆଜି ତାକୁ ଲାଗୁଥିଲା, ଗୋଲାପ କଣ ମଉଳେ?
ଟିକେ ଡେରି ହେଉ ପଛେ ସାରା ବସ୍ତିର ଲୋକେ, ପ୍ରଣବ ଆଉ ପଲ୍ଲବୀଙ୍କ ମନରେ ସେଇ ମଉଳା ଗୋଲାପ, ଆନନ୍ଦର ଲହରୀ ଖେଳାଇ ଦେଇଥିଲା।