ମୃତ୍ୟୁରୁ ଉର୍ଦ୍ଧରେ
ମୃତ୍ୟୁରୁ ଉର୍ଦ୍ଧରେ


ସେଦିନ ଦେଖା ହୋଇଥିଲା ଧନ୍ଵନ୍ତରୀ ସହିତ, ସ୍ବର୍ଣ୍ଣିମ କ୍ଷେତରେ, ପ୍ରଭାତ ପ୍ରହରରେ, ବିନା କୌଣସି ଆପୋଇଁଟମେଣ୍ଟରେ । ତାଙ୍କର ହାତ ଖାଲି ଥିଲା । ସେହି କ୍ଷଣରେ ତାଙ୍କର ଅମୃତ କଳସଟି ସମାପ୍ତ ହୋଇ ସାରିଥିଲା । ମୋତେ ଦେଖିକି ହସିଲେ ଓ କହିଲେ, " ତୁମେ ସେହି ଲାଇନରେ ବସି ନଥିଲ ଅମୃତ ବଣ୍ଟନ ହେବା ସମୟରେ, ତେଣୁ ତୁମକୁ ମର ହେବାର ସୁଯୋଗ ମିଳିବନି । "
"ମୁଁ ଜାଣେ ଏହି କଥା, ସମଗ୍ର ମାନବ ଜାତି ତ ଏହି ଅମରତ୍ୱରୁ ବଞ୍ଚିତ ହୋଇଛି, ମୁଁ କେମିତି ବାଦ ଯାଇଥାଆନ୍ତି ? କିନ୍ତୁ ଏହାର ବିକଳ୍ପ କଣ?" ମୁଁ ପଚାରିଲି ।
"ବହୁତ ଲୋକ ବହୁତ କିଛି କରନ୍ତି ବଞ୍ଚିବା ପାଇଁ ସବୁ ଦିନ ଲାଗି, କିଏ ଧନ ବ୍ୟୟ କରି ନୂତନ ଅଙ୍ଗ ପ୍ରତ୍ୟେଙ୍ଗ ଲଗାଯାଏ, କିଏ ଅନ୍ୟ ପ୍ରାଣୀ ଓ ଉଦ୍ଭିଦ କୁ ନଷ୍ଟ କରେ । କେହି କେହି ପୁଣି ନିଜର ନାମରେ ନିର୍ମାଣ କରି ଦିଅନ୍ତି ବିଭିନ୍ନ ପ୍ରକାରର ମୁର୍ର୍ତ୍ତି ଓ ଶିଳ୍ପ," ଧନ୍ଵନ୍ତରୀ କହିଲେ ।
"ହଁ, କିନ୍ତୁ ସେ ଗୁଡାକ ତ କାଳ କ୍ରମେ ନଷ୍ଟ ହୋଇଯାଏ, ଯେତେ ହଜାର ବର୍ଷ ଲାଗୁ," ମୁଁ କହିଲି," ଅନ୍ୟ ପନ୍ଥା କିଛି ଅଛି କି?"
"ହଁ ଏହାର ଏକ ଭିନ୍ନ ଉତ୍ତର ଅଛି, ବଞ୍ଚିବାକୁ ଚାହୁଁଛ କେଉଁଠି ?" ଧନ୍ଵନ୍ତରୀ କହିଲେ ।
"ସ୍ୱର୍ଗ ନର୍କରେ ମୋର ବିଶ୍ଵାସ ନାହିଁ," ମୁଁ କହିଲି, " ଏବଂ ମୁଁ ଜାଣେ ଧରାରେ ମୋର ଚିରଦିନ ଲାଗି ରହିବା ସମ୍ଭବ ନୁହେଁ ।"
"ଅନ୍ୟ ଏକ ଦୃଷ୍ଟିକୋଣ ଅଛି," କହିଲେ ଧନ୍ଵନ୍ତରୀ ।
"ସେଇଟା କଣ?" ମୁଁ ପଚାରିଲି, " ମୁଁ ମୃତ୍ୟୁକୁ ଭୟ କରେ ନାହିଁ, କି ତାକୁ ଏଡେ଼ଇବାକୁ ଚାହୁଁନି, ତଥାପି ବଂଚିବାକୁ ଚାହୁଁଛି । "
"ଗୋଟିଏ ସମ୍ଭାବନା ଅଛି, ତୁମେ କାହାର ହୃଦୟରେ ବାସ କରି ପାରିବ, ନର ମାନଙ୍କୁ ଏହି ସୁବିଧା ମିଳିଛି, ମୃତ୍ୟୁ ପରେ ସେମାନେ ଅନ୍ୟମାନଙ୍କର ମାନସରେ ଜୀବିତ ରହି ପାରିବେ। ଅନେକ ମହାପୁରୁଷଙ୍କୁ ଏହି ପୁରସ୍କାର ଟି ମଧ୍ୟ ପ୍ରାପ୍ତ ହୋଇଛି," ଧନ୍ଵନ୍ତରୀ କହିଲେ ।
"ମୋର ଏତେ ଆକାଂକ୍ଷା ନାହିଁ, କେବଳ ମୋ ସଖାର ମନରେ ରହିଲେ ମୋ ପାଇଁ ଯଥେଷ୍ଠ," ମୁଁ ଉତ୍ତର ଦେଲି ।
ହସିଲେ ଧନ୍ଵନ୍ତରୀ । ମୋ ଆଖିରେ ଲେସି ହେଇଗଲା ପ୍ରଶ୍ନ ଟିଏ ତାଙ୍କର ହସ କୁ ନେଇ ।
"ସେଇଠାରେ ହିଁ ତ ବଞ୍ଚିଛ ତୁମେ, ତୁମର ମୃତ୍ୟୁ ତ କେତେବେଳେ ଠାରୁ ହୋଇ ସାରିଲାଣି ଧରା ପୃଷ୍ଠରୁ , ତଳକୁ ଚାହିଁ ଦେଖ ," ଧନ୍ଵନ୍ତରୀ କହିକି ଚାଲି ଗଲେ ତାଙ୍କ ପଥରେ ।
ତଳକୁ ଚାହିଁ ଦେଖିଲି, ହୁତୁ ହୁତୁ ଜଳୁଥିବା ଯୁଇଟିଏ, ଆଉ ଦୁଇଟି ଆଖିରେ ଦୁଇ ଟୋପା ଲୁହ ଯେଉଁଥିରେ ମୋର ପ୍ରତିବିମ୍ବ । ଚିହ୍ନା ଚେହେରାଟିଏ, ମୋ ସଖାର, ମୋର ବନ୍ଧୁର । ଯିଏ ପ୍ରେମ ପାଏ ତାକୁ କୁଆଡେ ମୃତ୍ୟୁ ଛୁଇଁ ପାରେ ନାହିଁ !