ମର୍ଦ୍ଦପଣିଆ
ମର୍ଦ୍ଦପଣିଆ


ସେଦିନ email box ଚେକ କରୁ କରୁ ହଠାତ ଆଖି ପଡିଲା ଗୋଟେ ଚିଠି ଉପରେ । ବୈଭବର ବ୍ୟାଙ୍କକୁ ଜଣେ probesnary Officerର ବଦଳି ହୋଇଛି। ସେ ଅନୁଗୁଳରୁ ରାଉରକେଲାକୁ ଆସୁଛି, କାଲି ଜଏନ କରିବ । ନାଆଁଟା ଦେଖି ଚମକି ପଡିଲା, ଶ୍ୟାମଳୀ ବେହେରା (P.O) । ବୈଭବର ମନଟା ସେଦିନ ଗୋଳେଇ ଘାଣ୍ଟି ହେଲା । ଏ ଶ୍ୟାମଳୀ ବେହେରା କିଏ ? ତା ଅତୀତର କଣ ସମ୍ପର୍କ ଅଛି କି...! ୟା ସହିତ ? ଇଏ ତାଙ୍କ ଗାଆଁ ଶ୍ୟାମଳୀ ନୁହେଁ ତ ! ଏମିତି ଅନେକ କିଛି... ରାତି ସାରା ସବୁ ଅତୀତର କଥାମାନ ଗୋଟି ଗୋଟି କରି ମନେ ପଡିଗଲା ।
ମର୍ଦ୍ଦ /ପୁରୁଷ ହେବା ଖୁବ ସହଜ । କିନ୍ତୁ ସ୍ଵାମୀ...କିମ୍ବା ବାପା ହେବା, ଭାଇ ହେଉ କି ପୁଅ ହେବା... କେତେ ଯେ କାଠିକର ପାଠ ତାହା ବୁଝିବା... ସେ ସମ୍ପର୍କମାନଙ୍କୁ ତୁଲାଇବା ଆହୁରି ମୁସ୍କିଲ । ଆଜି ପର୍ଯ୍ୟନ୍ତ ଗୋଟିଏ ବି କର୍ତ୍ତବ୍ୟ କରି ପାରିନି ସେ । ଆଗକୁ କଣ କରିବ ଜଣା ନାହିଁ।
ସେ ଦିନ ବରଯାତ୍ରୀ ନେଇ ବୈଭବ ଆଖିରେ ଆଖିଏ ସ୍ଵପ୍ନ ଭରି, ଛାତିରେ ଛାତିଏ ପ୍ରେମ ସାଉଁଟି ଆସିଥିଲା ଶ୍ୟାମଳୀକୁ ବାହା ହେବା ପାଇଁ । ତା ସହିତ ସାତଜ ନ୍ମ ପାଇଁ ସମ୍ପର୍କ ବାନ୍ଧିଥାନ୍ତା, ବେଦୀରେ ସାତ ଫେରା ମାରି ସାତଟି ବଚନ ଦେଇଥାନ୍ତା ଶ୍ୟାମଳୀକୁ, ଆଉ ତା ଠାରୁ ୭ଟି ବଚନ ନେଇଥାନ୍ତା ତା ଜୀବନକୁ ସରସ ସୁନ୍ଦର କରିବା ପାଇଁ । ତା ପ୍ରେମରେ ଶିକ୍ତ କରିବା ପାଇଁ ସମସ୍ତ ତନୁ ମନକୁ ।
ଗାଆଁ ମୁଣ୍ଡରୁ ବରଯାତ୍ରୀ ପ୍ରୋଶେସନ ଆରମ୍ଭ ହେଲା । ଗୋଟା ଗାଆଁଟା ସାରା ଲୋକ ସେ D.J. ବାଜାରେ ବର ଦେଖିବା ପାଇଁ ଘରୁ ବାହାରି ପଡିଥାନ୍ତି । ହାପ.. ହାପ ବିଅର ଆଉ... ବ୍ରାଣ୍ଡି ମଦ ପିଇ ଝିମ ଝିମ ନିଶାରେ ତା ସାଙ୍ଗମାନେ ନାଚି ନାଚି ଗାଆଁଟାକୁ ପୁରା ବୋବାଲ କରି ଦେଉଥାନ୍ତି। ବେଳେ ବେଳେ ବରଯାତ୍ରୀ ଗାଡିରୁ ମଧ୍ୟ ବୈଭବ ଉତୁରି ସାଙ୍ଗମାନଙ୍କ ସହିତ ନାଗିନ ଡାନ୍ସ କରି ପକଉ ଥାଏ ଡ୍ରାଇଭର ତାକୁ ଟାଣି ନେଇ ଗାଡିରେ ନ ପୂରେଇବା ଯାଏ ।
ଯୋଉ ଦିନଠୁ ବାହାଘର ପାଇଁ ଶ୍ୟାମଳୀ ତୁଣ୍ଡରୁ ‘ହଁ’ ଶବ୍ଦଟା ଶୁଣିଥିଲା ସେଇ ଦିନଠୁ ତା ଆଖିରେ ଅନେକ ରଙ୍ଗ ବେରଙ୍ଗର ସ୍ଵପ୍ନ ଖେଳୁଥିଲା । ରାତିର ନିଦ ହଜି ଯାଇଥିଲା ରୋମାଣ୍ଟିକ ଗଳ୍ପ ପଢି ପଢି । ବହି ଖାତା ଧରିଲେ ଅଜାଣତରେ ଶ୍ୟାମଳୀର ନାଆଁଟା ପ୍ରତ୍ୟେକ ବହିରେ ଲେଖି ପକଉ ଥିଲା । ଖବର କାଗଜ ପଢିଲା ବେଳେ ସେଇଠି ମଧ୍ୟ ଶ୍ୟାମଳୀ....ଶ୍ୟାମଳୀ ଆଉ ଶ୍ୟାମଳୀ ହିଁ ଲେଖା ହେଉଥିଲା ।ଶ୍ୟାମଳୀ ଆସିଲେ ଏଇଆ କରିବି, ସେଇଆ କରିବି, ନିଦରେ ମଧ୍ୟ ବିଳବିଳଉ ଥିଲା ଦିନେ ଦିନେ ।
ଛୁଟିରେ ଗାଆଁକୁ ଆସିଲେ କେତେ ଥର ଶ୍ୟାମଳୀର କଲେଜ ଛୁଟି ବେଳରେ ଗୋଟେ ପାନ ଦୋକାନରେ ଛକି ବସିଛି ତାର ଗୋଟେ ଝଲକ ପାଇବା ପାଇଁ। ଶ୍ୟାମଳୀ ତା ସାଙ୍ଗମାନଙ୍କ ସହିତ ଗଲାବେଳେ ତାକୁ ସାମ୍ନାରେ ଦେଖି ଅଣଦେଖା କରି ଚାଲିଯାଏ । ପୁଣି କିଛି ବାଟ ଯାଇ ବାହାନା କରି କେତେବେଳେ ପାଉଁଜି ସଜେଇ... ତ କେତେବେଳେ ଓଢଣି ସଜେଇ... ପଛକୁ ଟିକେ କଣେଇଁ ନ ଚାହିଁବା ଯାଏ ବୈଭବ ଏକ ଲୟରେ ଦେଖି ରହିଥାଏ ତାର ଯିବା ବାଟକୁ ଆଉ ଗୁଣ ଗୁଣ କରି film styleରେ ପଲଟ... ପଲଟ...ପଲଟ... କହୁଥାଏ ।
କିନ୍ତୁ ଏ କି ପ୍ରକାରର ଘଟଣା ଘଟିଲା ବୋପାଲୋ... ବରଯାତ୍ରୀ ଘର ବାଟ ମୁହଁରେ, ବର ବରୁଣୀ ହେଉଥାଏ । ହଠାତ ତା ବାପା ପାଟି କରି ଉଠିଲେ...! ଏଇ କି କଥା କରୁଛ ସମୁଦି... “ଏଇଆ କଣ ବର ବରୁଣୀ” ? ଆମରମାନ ସମ୍ନାନ ସବୁ ତଳେ ପକେଇ ଦେଲ ! ବରକୁ ୫ ଭରିର ସୁନା ଚେନ, ୪ଟା ସୁନା ମୁଦି,ସୁନା ପାଣି ଚଢାର ଚେନ ଘଣ୍ଟା ଆଉ Hero Honda ଦେଇ ବରୁଣୀ କରିବ ବୋଲି ମୁଁ ପରା ସେଦିନ ଫୋନ କରି କହିଥିଲି.. ତମେ ଭୁଲି ଗଲ କି ? ମୋ ପୁଅର ଇଜ୍ଜତ ନାହିଁ ନା ଆମର ଓଜନ ନାହିଁ ହୋ, ଏଇ ପତଳା ଚେନ ଦେଇ ବରୁଣୀ କରି ଅପମାନ କରୁଛ ।
ପଛରୁ ମାମୁଁ କହି ଚାଲିଲା, ରଖ ହୋ ଏମିତି ଘରେ ବନ୍ଧୁ ବାନ୍ଧିବାର ନାହିଁ... ବାହାଘର ତ ଦୂରର କଥା । ଏମିତି ଅନେକ ବାର୍ଗେନିଙ୍ଗ ଚାଲିଥାଏ । ବୈଭବ ତାର ବାପା,କକା, ମାମୁଁ ସମସ୍ତଙ୍କୁ ବୁଝଉ ଥାଏ । କେହି ବୁଝିବା ସପକ୍ଷରେ ନଥାନ୍ତି । ଅଧାଘଣ୍ଟା ଚାଲିଲା ବାକଯୁଦ୍ଧ । ଶେଷରେ ତାର ବାପା ନିଷ୍ପତ୍ତି ନେଲେ ଆଉ କହିଲେ “ମର୍ଦ୍ଦ ପୁଅର ସମ୍ମାନ ତମେ କଣ ଜାଣିବ ହୋ..., ଝିଅ ଜନ୍ମ କରିଛ ତାକୁ ବିଦା କରିବାକୁ ତ ଓଜନ ଦରକାର ନା..!” ମୋ ପୁଅର ପାଠ ପଢା ଖର୍ଚ୍ଚ, ପୁଣି ଚାକେରି କରୁଛି । “ତାର ଓଜନ ତ ଦେଖିବାକୁ ପଡିବ”... ତେଣୁ ଆମର demand fulfill ନକରିଲେ ବାହାଘର ହେବନାହିଁ । ବିନା ପାଉଣାରେ ଗୋଟେ ଝିଅକୁ ନେଇ ସାରା ଜୀବନ କିଏ ପୋଷିବ । ସେ କଥାଟା ବିଚାରକୁ ନେବା କଥା ନା...ରଖ ହୋ ତମ ଝିଅ...!! ଚାଲରେ ଫେରି ଚାଲ... ।ବାସ !...ସବୁ ସରି ଗଲା... ।
ଏଇ କଥା ଶୁଣି ଗୋଟା ବରଯାତ୍ରୀ ଲୋକ ଚାଲିଗଲେ । ବୈଭବ କିଂକର୍ତ୍ତବ୍ୟବିମୂଢ ହୋଇ ଛିଡା ହୋଇଛି, କେବେ ତା ବାପାଙ୍କ ସମ୍ନାରେ ମୁହଁ ଟେକି କିଛି କହି ପାରି ନି...ଆଜି କଣ କହିବ... । ଯେତେବେଳେ ତା ମାମୁଁ ଟାଣି ନେଇ ଗାଡିରେ ବସେଇ ଦେଉଥିଲେ, ବୈଭବର ନଜର ଛାତ ଉପରେ ଦୁଇ ଜଣ ସାଙ୍ଗ ସାଥିରେ ଶ୍ୟାମଳୀ ଠିଆ ହୋଇ ଥିବାର ଶେଷ ଥର ପାଇଁ ଦେଖି ଥିଲା ।
ଘରକୁ ଫେରି ଗଲାବେଳେ ବୈଭବର ମୁହଁରୁ ପଦେ କଥା କେହି ଶୁନିନାହାନ୍ତି । ସେ କେବଳ ମନେ ମନେ ଭାବୁଥାଏ “ ମୁଁ ତ ମୋ ମାଆ ବାପାଙ୍କର ପୁଅ ଥିଲି, ଭଉଣୀର ଭାଇ ଥିଲି ଆଉ ଶ୍ୟାମଳୀର ପ୍ରେମିକ ଥିଲି, ଏଇ ବାହାଘର ବେଳେ ମୁଁ କେମିତି ମର୍ଦ୍ଦ ହେଇଗଲି “ “ସବୁ ସମ୍ପର୍କ କାଟି କେବଳ ମର୍ଦ୍ଦ “ ପୁଣି ଓଜନ ଦାର...! କଣ ସେ ଏକା ପାଠ ପଢିଛି... ଶ୍ୟାମଳୀ ବି ତ ପାଠ ପଢିଛି । ଚାକିରି କରି ମୁଁ କେବଳ କଡା ଦରମା ପାଉନି, ଶ୍ୟାମଳୀ ମଧ୍ୟ ପରେ ମୋ ଠାରୁ ବଡ ଚାକେରି କରିବ...ଅଧିକ ଦରମା ପାଇବ । “ଦୁହେଁ ତ ସମାନ, ପୁଣି ବାହା ଘର ବେଳେ ମର୍ଦ୍ଦ ପୁଅର ଓଜନ କେମିତି ବଢି ଯାଉଛି, ଝିଅ ଜୋରିମାନା ଦେଉଛି “ କାହିଁକି...? ଏମିତି ଭାବନା ବାରମ୍ବାର ତାର ମନରେ ଆସୁ ଥାଏ ।
ଘରେ ପହଞ୍ଚି କିଛି ଦିନ ତା ରୁମରୁ ବାହାରିନି । ହଠାତ ଦିନେ ତା ହାତ ବ୍ୟାଗ ସଜାଡି ରୋଷେଇ ଘରକୁ ଯାଇ ମାଆ... ମୁଁ ଚାକିରିକୁ ଯାଉଛି କହି ବାହାରି ପଡିଲା । ବାରଣ୍ଡାରେ ତା ବାପା ସାଙ୍ଗମାନଙ୍କ ସହିତ ଚା ଖଟିରେ ବ୍ୟସ୍ତ ଥାଇ ପଚାରିଲେ କୁଆଡେ ଯାଉଛୁ କିରେ... । ବୈଭବ କିଛି ଉତ୍ତର ନ ଦେଇ କେବଳ ପାଦଛୁଇଁ ଡଗ ଡଗ ହୋଇ ଚାଲିଗଲା । ୫ ବର୍ଷ ହୋଇଗଲା ତାର ଫେରିବାର ଗାଆଁ ଲୋକ ଆଉ ଦେଖି ନାହାନ୍ତି ।
ତା ମାଆ ମଝିରେ ମଝିରେ ଫୋନ କରି ଦେହ ପା କଥା ବୁଝେ । ସାହସ କରି ବାହାଘର କଥା କେବେ ଉଠେଇନି ଏଇ ୫ ବର୍ଷ ଭିତରେ । ତା ବାପାଙ୍କ ଫୋନର ଉତ୍ତର କେବେ ଦେଇନି, କି ବାପା କେମିତି ଅଛନ୍ତି ବୁଝିନି । ଆଉ ଶ୍ୟାମଳୀର ଖବର କେବେ ନେବା ଉଚିତ ମନେ କରିନି । କେବଳ ସାଙ୍ଗମାନଙ୍କ ସହିତ ଫୋନ ମାଧ୍ୟମରେ ହିଁ ସମ୍ପର୍କ ଅଛି।
ତା ପର ଦିନ ୧୦ଟା ପୂର୍ବରୁ ବୈଭବ ବ୍ୟାଙ୍କକୁ ପହଞ୍ଚି ଯାଇଥାଏ । ଏମିତି ସବୁଦିନେ ହିଁ ସେ ଆଗେ ପହଞ୍ଚେ । କାରଣ ସେ ବ୍ୟାଙ୍କର ମ୍ୟାନେଜର ନା । କିଛି ସମୟ ପରେ ପିଅନ ଗୋଟେ ପେପର ଆଣି ଦେଲା, 
;ସେଇଟା ତ ଶ୍ୟାମଳିର joining letter ଥିଲା । ତାଙ୍କୁ ଭିତରକୁ ଡାକ କହିଲା ।
Door knock ହେଲା, ଆଉ push କରି ଶ୍ୟାମଳୀ Managerର roomକୁ ପଶି ଆସିଲା । ବୈଭବ ତାକୁ ଦେଖି ଟିକେ ଇତସ୍ତତଃ ହୋଇ ବସିବାକୁ ହାତ ଠାରିଲା। ଶ୍ୟାମଳୀ thanks କହି ବସିଲା । କିଛି କ୍ଷଣ ଦୁହେଁ ନୀରବ ହିଁ ରହିଲେ, କେବଳ ଜଣେ ଅନ୍ୟ ଜଣକୁ ଚାହିଁ ରହିଥାନ୍ତି । ବୈଭବ ତ ନିଜକୁ ଦୋଷୀ ମନେକରି ତା ଜୀବନକୁ ଜାଳିପୋଡ଼ି ଦେଇଛି । ଅଳ୍ପଭାଷୀ, ଆଉ strict officerରେ ଗଣାହେଲାଣି । ଆଖିରେ ଚଷମା ଜାକି ବୟସକୁ ବଢେଇ ଦେଇଛି, ଦୁଇ ଚାରି କେରା ବାଳ ବି ପାଚି ଯାଇଛି । କିନ୍ତୁ ଶ୍ୟାମଳୀ ୫ ବର୍ଷ ପୂର୍ବେ ଯେମିତି ଥିଲା ତାଠାରୁ ଅଧିକ ସୁନ୍ଦର ଦିଶୁଛି । ଲମ୍ବା ବେଣୀ, ଓଠରେ ସେଇ pink colour lipstick ହିଁ ଅଛି । ମୁହଁରେ ବୟସର ଦାଗ ଜମା ଦିଶୁନି କେବଳ ଗମ୍ଭୀରତାଟି ଆଖିର ଚଞ୍ଚଳତାକୁ ଲୁଚେଇ/ଜାକି ରଖିଛି। ସେ ସମୟ ସହିତ ବୋଧହୁଏ ସାଲିସ କରି ନେଇଛି।
ନୀରବତାକୁ ଭାଙ୍ଗି ବୈଭବ ଆରମ୍ଭ କଲା... । କେବେଠୁ service କଲଣି । ଏଇ ୨ ବର୍ଷ ହେବ କହି ଉଠିବାକୁ ଉଦ୍ୟତ ହେଲା ବେଳେ... ଚାଲ staffଙ୍କ ସହିତ introduce କରେଇ ଦେବି କହି ବୈଭବ ଆଗରେ ଚାଲିଲା । ଜେନରାଲ ହଲରେ ସମସ୍ତଙ୍କ ସହିତ ମିଶେଇ ତାର ବସିବା ସିଟ ଦେଖେଇ ଦେଇ ଫେରି ଆସିଲା ।ମନଟା ଗୋଳେଇ ଘାଣ୍ଟି ହେଉଥାଏ । ଏମିତି ୪/୫ ଦିନ ବିତିଗଲା, କେତେ ବେଳେ ୫/୧୦ ମିନିଟ ପାଇଁ ମିଳାମିଶା ପୁଣି staffଙ୍କ ଗହଳି ଭିତରେ ।
ଆଜି bankର ଗୋଟେ staffର ବାହାଘର ସମସ୍ତେ ନିମନ୍ତ୍ରିତ ନିଶ୍ଚୟ ଶ୍ୟାମଳୀ ଆସିବ । ତା ସହିତ ଏକାନ୍ତରେ କିଛି କଥା ହେବା ପାଇଁ ବୈଭବର ମନଟା ବିକଳ ହେଉଥାଏ । ହେଇ ଶ୍ୟାମଳୀ ତ ଆସିଗଲା... କିଛି ସମୟ ପରେ ଦୁହେଁ ମୁହାଁମୁହିଁ ହେଲେ । ବୈଭବ, ଶ୍ୟାମଳୀକୁ ସାମନା କେମିତି କରିବ, ମନେ ମନେ ଲଜ୍ଜିତ ବୋଧ କରୁ ଥାଏ । ଶ୍ୟାମଳୀ ନିଶ୍ଚିନ୍ତ ଦିଶୁଥାଏ, ଯେମିତି କିଛି ଘଟିନି। ତାହା ଉପର ଠାଉରିଆ ଭାବ ଦେଖଉଛି ବୋଧେ ।କିନ୍ତୁ ମନରେ ବୈଭବ ସହିତ କିଛି ସମୟ ଏକାନ୍ତରେ ବିତେଇବାପାଇଁ ହିଁ ଚାହୁଁଥାଏ । ବସିବାକୁ ବୈଭବ କହିଲା ।
ଗୋଟେ କଡରେ ଦୁହେଁ ବସିଲେ । ହଠାତ ବୈଭବ କହିବା ଆରମ୍ଭ କଲା... ଶ୍ୟାମଳୀ sorry... I am very very sorry……, ମୁଁ ତୁମର ଦୋଷୀ, ଯାହା ଦଣ୍ଡ ଦେବ ବୋଧହୁଏ ମୋ ପାଇଁ କମ୍ ହେବ । ଶ୍ୟାମଳୀ କିଛି କହିବା ପାଇଁ ଉଦ୍ୟତ ହେଉଥିଲା । ବୈଭବ ହାତ ଠାରି ମନା କଲା । କୋହ ମିଶା, ବାଷ୍ପ ରୁଦ୍ଧ ଗଳାରେ କହିଲା । କିଛି ବି କୁହନି... କେବଳ ମୋ କଥା ଶୁଣ ଶ୍ୟାମଳୀ। !!!... ତାପରେ ବାହାଘର ଦିନର ସମସ୍ତ ବୃତ୍ତାନ୍ତ କହିଗଲା ଅନର୍ଗଳ...xxxxx...।
ଶ୍ୟାମଳୀ ଦେଖି ରହିଥାଏ ତାର ମୁହଁକୁ । ନିର୍ବିକାର ହୋଇ ଶୁଣିଲା । ଏତିକି ନା ଆଉ କିଛି ଅଛି କହିବାକୁ କହି ଅଭିମାନ ଭରା ଚାହିଣିରେ କହିଲା ମୁଁ... ମୁଁ... ଆସୁଛି ତାହେଲେ.., ବହୁତ ଲେଟ ହୋଇ ଗଲାଣି । ଘରେ ବ୍ୟସ୍ତ ହେଉ ଥିବେ । ବୈଭବ ପଚାରିଲା ଘରେ କିଏ କିଏ ଅଛନ୍ତି । କାଳ ବିଳମ୍ବ ନ କରି କହିଲା, ମୋ ଶାଶୁ-ଶଶୁର ବ୍ୟସ୍ତ ହେଉଥିବେ। ମୁଁ ଖାଇବା ବାଢି ନଦେଲେ ଖାଇବେନି, ତାଙ୍କର ଗୋଟେ bad habit ଅଛି । ଏତିକି କହି ଯିବା ପାଇଁ ବାହାରିଲା ।
ଏଇ କଥା ଶୁଣି ବୈଭବର ଗୋଡ଼ ତଳୁ ମାଟି ଧସି ଗଲା ପାତାଳକୁ । ଚାରି ଦିଗ ଅନ୍ଧକାର ଦିଶିଗଲା । ପଚାରିଲା ତାହେଲେ life settle ହୋଇ ଯାଇଛି । ହୁଁ...ମାରି ଡ୍ରାଇଭରକୁ ଡାକିଲା । ଡ୍ରାଇଭର ଆସି କହିଲା, madam ଗାଡି start ହେଉନି ବହୁତ ଚେଷ୍ଟା କଲିଣି । ଘରକୁ କେମିତି ଯିବା । ଫଟ କିନା ବୈଭବ କହିଲା, ମୁଁ drop କରି ଦେବି କି.... OK କହି ବୈଭବର ଗାଡିରେ ଯାଇ ବସିଲା । ଗାଡିରେ କିଛି ବି କଥା ହେଇ ପରିଲେନି, ଶ୍ୟାମଳୀ left… Right… ବତେଇ ବତେଇ ଘରେ ଯାଇ ପହଞ୍ଚି ଗଲା ।
ଗାଡିରୁ ଉତୁରି thanks… କହି ଘର ଅଭିମୁଖେ ଗଲା । ଅଧା ବାଟରୁ ଫେରି ଆସି... ଘରକୁ ଆସନ୍ତୁ, ମୋ ଶାଶୁ ଶଶୁରଙ୍କୁ ଭେଟି ଯିବେ କହିଲା । door knock କଲା ଜଣେ ବୁଢୀଲୋକ କବାଟ ଖୋଲିଲା । କହିଲା ଆସିଗଲୁ ଏତେ ଶୀଘ୍ର...ଆ...ଆ...ଆ... ଆମକୁ ଜଲଦି ଖାଇବାକୁ ଦେଲୁ, ତୋ ବାପାଙ୍କୁ ଭୋକ ହେଲାଣି ।
ଆରେ ଏଇ ଆୱାଜ ତ..ଜଣା ଶୁଣା ଲାଗୁଛି । ପାଖକୁ ଯାଇ ଯାହା ଦେଖିଲା ଆଖିକୁ ବିଶ୍ୱାସ କରି ପାରିଲାନି । ତା ମାଆ... ପୁଣି ଶ୍ୟାମଳୀ ଘରେ, କେମିତି... କାହିଁକି । ବୈଭବର ଅକଲ ଗୁଡୁମ । ଏ ଆଖି କଣ ନ ଦେଖିଲା !!!... । ଘର ଭିତରକୁ ଗଲା,....ଘର ଭିତରେ ତା ବାପା.... । ଇଏ କେମିତି ସମ୍ଭବ ହେଲା। ଆଶ୍ଚର୍ଯ୍ୟ ହୋଇ ପଚାରିବାରୁ ତା ବାପା ଲୁହ ଭରା ଆଖିରେ... ଶ୍ୟାମଳୀର ବାପା –ମାଆର ଦେହାନ୍ତ କଥା କହିଲେ । ସେ ତାଙ୍କର କରିଥିବା କୃତକର୍ମରେ ଅନୁତପ୍ତ ହୋଇ, ତାଙ୍କର ଭୁଲ ସୁଧାରିବା ପାଇଁ ଶ୍ୟାମଳୀକୁ ପାଠ ପଢେଇ ଚାକିରି କରିବା ପାଇଁ ପ୍ରବର୍ତ୍ତେଇ ଆଜି ଏଇ ପର୍ଯ୍ୟନ୍ତ ପହଞ୍ଚେଇ ଥିବାର ସମସ୍ତ ଘଟଣା କହିଲେ ।
“ସେ ନିରେଖି ଦେଖିଲା ତା ବାପାଙ୍କର ସେ ମର୍ଦ୍ଦ ପଣିଆ ସ୍ଵଭାବ ଉଭେଇ ଯାଇଛି, କେବଳ ଗୋଟିଏ ବାପାର ପ୍ରତିଛବି ହିଁ ଦିଶୁଛି “। ତା ଜୀବନରେ ଏମିତି ସମୟ ଆସିବ ବୋଲି କେବେ ଭାବି ନ ଥିଲା ।
ଏହା ଶୁଣି ବୈଭବର ଆଖିରେ ଖୁସିର ଲୁହ ଛଳଛଳ, ମନରେ କୋହ... ତା ଆଖି ଖୋଜୁଥିଲା ଶ୍ୟାମଳୀକୁ ତା ମାଆ ଆଙ୍ଗୁଳି ଲମ୍ବେଇ ଶ୍ୟାମଳୀର ରୁମ୍ ବତେଇ ଦେଲା । ଅବିଳମ୍ବେ... ବୈଭବ ଶ୍ୟାମଳୀର ରୁମରେ ପଶିଗଲା । ଶ୍ୟାମଳୀ ଶାଢୀ change କରିବା ଆରମ୍ଭ କରିଥିଲା, ହଠାତ ତାକୁ ଦେଖି ଇତସ୍ତତଃ ହୋଇ ଶାଢୀଟାକୁ ତା ଛାତିରେ ଘୋଡେଇ ହେଇ ବୁଲି ପଡିଲା ।
ଥତମତ ହୋଇ କହିଲା... ତମେ ଏମିତି... ବୈଭବ ମୁହଁରୁ sorry...sorry....sorry । କେବଳ ଗୋଟିଏ word ହିଁ କହି ପାରିଲା । ତାର ଓଠ ପ୍ରକମ୍ପିତ ହେଉଥିଲା, ଛାତି ଭିତରଟା କୋହରେ ଫୁଲି ଯାଇଥିଲା, ସତେ କି ଫାଟି ପଡିବ ତା ଆଖି ଆଉ ବହି ଯିବ ଲୁହ ଝର ଝର ହୋଇ । ଆଉ ସେଇ ଲୁହର ନଦୀରେ ଭାସି ଯିବେ କି ଦୁଇଟି ଅସହାୟ ପ୍ରାଣୀ । କଣ କରିବ କିଛି ଭାବି ପାରୁନଥାଏ ।
ଶ୍ୟାମଳୀ ବୈଭବକୁ ଏତେ ପାଖରେ ଦେଖି ନିଜକୁ ସମ୍ଭାଳି ପାରୁ ନଥାଏ । ସେ ଆଖିର ଲୁହକୁ, ବୁକୁରେ ଫୁଲି ଯାଉଥିବା କୋହକୁ, ଥରୁଥିବା ଓଠର ବକ୍ତ୍ୟବ୍ଯକୁ, ମନର କ୍ରନ୍ଦନକୁ, ହୃଦୟର ସ୍ଫନ୍ଦନକୁ, ଦେହର ଶିହରଣକୁ ଛାତି ଭିତରର କୁହରଣକୁ କେମିତି ତା ପାଖରୁ ଲୁଚେଇବ ଶତ ଚେଷ୍ଟା କରୁଥାଏ । ତା ଠାରୁ ଏତେ ଦିନ ଦୂରରେ ରହି କେମିତି ଦିନ କଟିଛି, ଗୋଟି ଗୋଟି କରି ସବୁ କହିବା ପାଇଁ ଚାହୁଁଥାଏ । ତାର ମୁହଁକୁ ଚାହିଁ ରହି ଥାଏ କିଛି ପାଇବାର ଆଶାରେ, କିଛି ହରେଇବାର ଇଚ୍ଛାରେ । ବୈଭବ କିଛି ବି ନକହି କେବଳ ଦୁଇ ବହୁ ପସାରି ଇଶାରା କଲା ତାକୁ ସାହାରା ଦେବା ପାଇଁ... ନିମିଷକେ ଶ୍ୟାମଳୀ ଆବୋରି ନେଲା ବୈଭବର ଉନ୍ମୁକ୍ତ ବୁକୁକୁ । ହଜେଇ ଦେଲା ସବୁ ଅହଂକାର...ରାଗରୁଷା...ମାନ ଅଭିମାନ...ତାର ସମସ୍ତ ଅତୀତକୁ । ପାଇଲା କେବଳ ଗୋଟିଏ...ସେଇ ବୈଭବକୁ... ।