Anjana Naik,Deogarh

Children Stories Inspirational

4  

Anjana Naik,Deogarh

Children Stories Inspirational

ଅମାବାସ୍ୟାର ତାରା

ଅମାବାସ୍ୟାର ତାରା

9 mins
398



  ସେଦିନ ପ୍ରାୟ ୭ଟା ମୁଁ ଅଫିସରୁ ଘରକୁ ଆସୁଥାଏ ,ବାଟରେ ମୋର ସ୍କୁଟି ପମ୍ପଚର ହେଲା ଭଳି ଲାଗିଲା । ଓହ୍ଲେଇ କି ଚକ ଦୁଇଟାକୁ ଦେଖୁଥାଏ, ଚିହ୍ନା ପିଲାଟେ ଭେଟିଗଲା । ମୁଁ ତାକୁ ଚଟକିନା କହିଲି ଦେଖିଲୁ ମୋର ଗାଡ଼ିର କଣ ହେଇଛି । ସେଦେଖି କହିଲା ପଛ ଚକଟା ପମ୍ପଚର ହେଇଛି । ତା ତରଫରୁ ସେ ପ୍ରସ୍ତାବ ଦେଲା -ନାନୀ ତମେ ଚାଲିଚାଲି ଘରକୁ ପଲାଅ ମୁଁ ଗାଡିଟା ପମ୍ପଚର ବନେଇକି ନେଇଦେବି । ମୁଁ ହଁ ଭରି ତା ହାତକୁ ଚାବିଟା ବଢେଇଦେଲି । ସେ ଯେ କୌଣସି ପ୍ରକାରରେ ସ୍କୁଟିକୁ ନେଇ ଗଲା । 

    ଅଫିସରୁ ଘରଟା ପ୍ରାୟ ୧ କିଲୋମିଟର ।ତେଣୁ ମୋତେ ଚାଲି ଚାଲି ଯିବାରେ ଅସୁବିଧା ହେବନି । ଚାଲି ନପାରିଲେ ବାଟରେ କାହାକୁ କହିଲେ ବି ନେଇଦେବେ ଘରକୁ । ତଥାପି ମୁଁ ଚାଲିଚାଲି ଯିବାକୁ ଭାବିଲି । କିଛି ଦୂର ଗଲାପରେ ଓମଫେଡ ୨ଟା କିଣିଲି । ଟିକେ ଅନ୍ଧାର ହୋଇଯାଇଥିଲା ତେଣୁ ତରତର ହୋଇ ଘରକୁ ଯିବାକୁ ବାହାରିଲି । ଯାଉଯାଉ ବାଟରେ ଦେଖିଲି ଗୋଟେ ପିଲା ଠିଆ ହୋଇଛି,ମୁଁ ଦୂରରୁ ତାକୁ ଦେଖି ଭାବୁଥିଲି କାହାକୁ ସେ ଅପେକ୍ଷା କରିଛି । କିନ୍ତୁ ତା ପାଖାପାଖି ହେବା ପରେ ସେ ଚାଲବା ଆରମ୍ଭ କଲା । ମୋତେ ବାରମ୍ବାର ପଛକୁ ମୋଡି ଦେଖୁଥାଏ । ମୁଁ ତା ସହିତ କଥା ନ ହୋଇ କିଛି ସମୟ ଚାଲିଲି ତାକୁ ଦେଖିଦେଖି । ସେ ପ୍ରାୟ ୫ମିନିଟରେ ମୋ ଆଡକୁ ଥରେ ଦେଖୁଥାଏ । ମୋ ପାଖାପାଖି ଲାଗିଲାଗି ରହି ଚାଲିବା ପାଇଁ ତାହାର ଚେଷ୍ଠା ଥାଏ । 


    ବୟସ ତାର ୧୦ ରୁ ୧୨ ବର୍ଷ ହେବ । କଳା କିଚି ମିଚି ଦେହ ,ବିନା ବୋତାମ ବାଲା ହାପ ସାର୍ଟ ଖଣ୍ଡେ ଦେହରେ । ବୋଧ ହୁଏ ହଳଦିଆ ରଙ୍ଗର ଥିଲା , କେତେ ଦିନରୁ ସଫା କରା ଯାଇନି,ବର୍ତ୍ତମାନ ତାର ରଙ୍ଗ ଖଇରିଆ , କଳା, ମାଟିଆ,ଦିଶିଲାଣି । ଖଣ୍ଡେ ଖଣ୍ଡେ ଯାଗାରେ ହାଲ୍କା ମଇଳା ଥିବାରୁ , ଆକାଶରେ ମେଘ ଯେମିତି କେବେ କଳା ବଉଦ ତ କେବେ ଧଳା ବଉଦ ଖେଳାଏ ଢେଉଭଳିଆ ସେମିତି ତାର ସାର୍ଟର ରଙ୍ଗ ଦିଶୁଥାଏ । ତାର ଲୁଚା କୁଚା ସାର୍ଟ ଖଣ୍ଡିକରେ ,କୋଉଠି ଗୋଟେ ଗୋଟେ କଣା ମଧ୍ୟ ଦିସୁଛି । ସାର୍ଟ ଟାକୁ ସେ କୋର୍ଟ ଟାଇପ ର ଧରିଛି ତାର ଦୁଇ ହାତରେ, କାଳେ ଟିକେ ହାଲ୍କା ପବନ ବହିଲେ ତାହା ଠିଆ ମେଲା /ଦୁଇ ଫାଳ ହୋଇ ଯିବ । 


     ଅଣ୍ଟାରେ ହାପ ପ୍ଯାଣ୍ଟ ତାହା କଳା ରଙ୍ଗର ଥିଲା ବୋଧ ହୁଏ କିଣିଲାବେଳେ । ଆଜି ଧୂସର ଦିସୁଛି ଦୁଇ ଜାଗାରେ ଦୁଇଟା ସେଫଟିପୀନ ମଧ୍ୟ ମରା ହୋଇଛି । ପୁଣି ପିନଟା ଉପରକୁ ପୁରା ଝଟକି ଦିଶୁଛି । ଆଜିର ନୂଆ ଶାଢୀ ପିନ୍ଧା ବାହୁଟିଏ ଯେମିତି ତାର ଶାଢୀର କୁଞ୍ଚରେ ତ କେବେ କାନ୍ଧରେ ପିନ ମାରି ଶାଢୀରେ ସୌନ୍ଦର୍ଯ୍ଯ ବୃଦ୍ଧିକରେ । ଠିକ ସେଇଭଳିଆ ତାର ପ୍ଯାଣ୍ଟରେ ପିନକଣ୍ଟା ମଧ୍ୟ ଚକ୍ ଚକ୍ କିନା ଦିଶି ତାର ଲାଜ ଲୁଚଉଛି । 


    ଯାହାବି ହେଉ ତାକୁ ଯିଏ ବି ଦେଖିବ ତାର ନଜର ନିଶ୍ଚୟ ସେଇ ପିନ କଣ୍ଟା ମରା ପ୍ଯାଣ୍ଟ ଆଉ ତାର ବିନା ବଟମବାଲା ସାର୍ଟ ରେ ହିଁ ପଡିବ । ମଝିରେ ମଝିରେ ପକେଟରେ ହାତ ପୁରାଇ ଖସିଯାଉଥିବା ପ୍ଯାଣ୍ଟକୁ ଟେକୁଥାଏ ବାରମ୍ବାର ମୁଁ ଏହାକୁ ଦେଖିବାକୁ ପାଇଲି। 


     ପାଟି ଚାକୁଳେଇଲା ପରି ଢଙ୍ଗରେ ତାକୁ ପଚାରିଲି କିରେ ପିଲା କୁଆଡ଼େ ଯାଇଥିଲୁ ? ତୋ ନାଆଁ କଣ ? ସେ ସମୟ ନଷ୍ଟ ନକରି କହିଲା ,ଆଉ ଯିବି କୁଆଡ଼େ -ସାହାସ ପାଇ ଉତ୍କଣ୍ଠାର ସହ ଗଳା ସଫାକରି କହିଲା ;ବାପା ପଠେଇଥିଲା ଦୋକାନକୁ, ସେଇଠୁ ଫେରୁଛି । ଆଉ ମୁଁ ନରୁ । ଏଇ ଆଗ ଗଳିରେ ମୋ ଘର । 

ମୁଁ କହିଲି, ତୁ ଦୋକାନକୁ ଯାଉଥିଲୁ ପରା ? କାହିଁ ତୋ ହାତରେ ତ କିଛି ଜିନିଷ ନ।ହିଁ । ସେ କହିଲା ଦୋକାନି ଉଧାରୀ ଦେବାକୁ ମନାକଲା । 

କାହିଁକି ? ମୁଁ କହିଲି । ନରୁ ମୋ ମୁହଁକୁ ବୁଲି ଚାହିଁଲା ଓ କହିଲା । ଗଲା ମାସରେ ଯାହା ସଉଦା ନେଇଥିଲି ସେ ପଇସା ମୋ ବାପା ଦେଇନି । ତେଣୁ ସେ ଜିନିଷ ଦେଲାନି । 


     ମୁଁ କହିଲି ତୁ ଦିନବେଳେ ଆସିଲୁନି । ରାତିରେ କାହିଁକି ଆସିଲୁ ?ମୋର ନାନୀ ପତ୍ର ତୋଳିଥିଲା ,ତାକୁ ମୁଁ ବିକିବାକୁ ଯାଇଥିଲି ସିଆଡୁ ଫେରି ଦୋକାନକୁ ଆସିଥିଲି ।


      ଏଇ କଥା ଚାଲୁ ଚାଲୁ ହଠାତ ଲାଇଟ କଟିଗଲା । ସବୁ ଷ୍ଟ୍ରିଟ ଲାଇଟ ବନ୍ଦ । ରାସ୍ତାଟା ଜହ୍ନ ଆଲୁଅରେ ଟିକେ ଟିକେ ଦିଶୁଥାଏ । ଆଗକୁ ଅଛି ଦୁଇଟା ଆମ୍ବ ଗଛର ଛାଇ, ପୁରା କଳା କିଟିମିଟି ଅନ୍ଧାର ଦିଶୁଥ।ଏ ଗଛ ମୂଳଟା । ସେଇ ରାସ୍ତା ଅତିକ୍ରମକରି ଆମକୁ ଯିବାକୁ ହେବ । 

    ମୁଁ ସମୟ ଦେଖିବା ପାଇଁ ଟିକେ ଅଟକି ଗଲି ।ସେ ହଠାତ କହିଲା, ତମେ କଣ ଏଇଠି ରହିବ କି ? ଭାରି ବ୍ୟସ୍ତ ଲାଗୁଥାଏ ତାର ମନର ଭାବ ଆଉ ତୁଣ୍ଡର ସ୍ଵର । କହିଲି କ'ଣ ଡର ଲାଗୁଛି ?


    ଅନ୍ଧାର ଭିତରେ ଏଇ ଡର କଥା ଶୁଣି ସେ ଚମକି ପଡିଲା ପରି ହୋଇ ମୋ ପାଖକୁ ଘୁଞ୍ଚି ଆସିଲା ହଁ , ଟିକେ ଡର ଲାଗୁଛି ..... କହିଲା । ସେଇ କଜ୍ବଳ ଭଳିଆ ଶରୀରରେ ମୁକ୍ତା ସଦୃଶ ଦିଶୁଥିବା ତାର ଧଳା ଆଖି ଡୋଳା ଦୁଇଟି ମୋତେ ସ୍ଫଷ୍ଟ ଦିଶୁଥାଏ । ତାହାର ଛୋଟିଆ ଛୋଟିଆ ଆଖି ଦୁଇଟି ଡରରେ ସତେ ନରମି ଯାଇଥାଏ । 


       ତାକୁ ସାହସ ଦେବା ପାଇଁ ତା ମୁଣ୍ଡର କହରା ବାଳ ଆଉଁସି ଦେଇ କହିଲି ! ଆମେ ପରା ଦୁଇଜଣ ଅଛେ ,ଡରୁଛୁ  କାହିଁକି - ଚାଲ ଯିବା । 


    ଭୀତତ୍ରସ୍ତ ଗଳାରେ କହିଲା, ଆଜ୍ଞା ତୁମେ ଜାଣ ନାହିଁ । "ଏଇ ଯେଉଁ ଦୁଇଟା ଆମ୍ବ ଗଛ ଦିଶୁଛି ସେଇଠି ଗୋଟେ ପିଶାଚୁଣୀ ରହେ "। ରାତିରେ ଯିଏ ଯିବା ଆସିବା କରେ ସେମାନଙ୍କୁ ସେ ବାଲି ଝିଣ୍ଟେ ତ କେତେବେଳେ ଗଛରୁ ପତ୍ର ପକାଏ ।ଆଉ ମଣିଷ ଦେହରେ ଲାଗିଯାଏ। ଦେଖିବ ଆଜିବି ସେମିତି ହେବ । 


     ଚାଲିବା ପୁଣି ଆରମ୍ଭ କଲୁ। ସେ ଗଛ ପାଖକୁ ଆମେ ଯେମିତି ପହଞ୍ଚିଲୁ ,ହାଲକା ପବନ ଟିକେ ବହିଗଲା। ଆଉ ସେ ପବନରେ ଗଛରେ ଥିବା କିଛି ଶୁଖିଲା ପତ୍ର ଆମଦେହରେ ଝିଣ୍ଟିହୋଇ ପଡିଲା । ପିଲାଟା ଡରୁଥିବ ଭାବି,ମୁଁ ତାକୁ ଚାହିଁଲି । ଦେଖିଲା ବେଳକୁ ସେ ଚଟକିନା ମୋ ହାତଟି ଧରି ପକେଇଲା ଆଉ ତା ମୁହଁଟା ମୋର ଉଡୁଥିବା କନୀରେ ଢାଙ୍କିନେଲା ଡର ରୁ ନିଜକୁ ରକ୍ଷା କଲା ,ତାପରେ ପୁଣି ଚାଲିବାକୁ ଆରମ୍ଭ କଲା । ଯେମିତିକି ମୁଁ ତାର ମାଆ। ସବୁ ବିପଦ ଆପଦରେ ତା ପାଖରେ ଠିଆ ହେବି । ତାକୁ ଡର ଲାଗିଲେ ତା ମୁହଁକୁ ପଣତ କନୀରେ ଘୋଡେଇ ଦେବି ।ବ୍ୟସ୍ତ ହେଲେ ମୁଣ୍ଡ ବାଳ ଆଉଁସି ଦମ୍ଭ ଦେବି । ସତରେ ଠୁକୁ ଠୁକୁ ଚାଲୁଥିବା ପିଲାକୁ ତାର ମାଆ ଯେମିତି ହାତଧରି ଚାଲିବା ଶିଖେଇଥାଏ । ଯେତେବେଳେ ପିଲାଟି ଝୁଣ୍ଟି ପଡେ ମା ତାକୁ କୋଳେଇ ନେଇ ତା ଦେହ ଧୁଳି ଝାଡ଼ିଦିଏ । ଭୁଲେଇ କହେ ବାୟା ପକେଇ ଦେଲା ମୋ ଧାନକୁ । କାନ୍ଦିବାକୁ ଉଦ୍ୟତ ହେଉଥିବା ପିଲାକୁ ହସେଇବା ପାଇଁ ମାଟିକୁ ଗୋଇଠା ମାରେ । ଆଉ ପିଲାଟି ମା ଛାତିରେ ଆଉଜି ନିର୍ବିଘ୍ନରେ ଶୋଇପଡେ । 


    ଠିକ ସେଇପରି ସେ ପିଲାଟି , “ନରୁ” ମୋ ହାତକୁ ଧରି ଚାଲୁଥାଏ । ବେଳେବେଳେ ମୋ ମୁହଁକୁ ଦେଖୁଥାଏ କାଳେ ମୁଁ ତା ହାତକୁ ଧିକ୍କାର କରିବି । ସେ ଧରିଥିବା ହାତ ଟାକୁ ଛଡେଇ ଆଣିବି ।ତାର ଜୁଳୁଜୁଳିଆ ମୁହଁଟାକୁ ଦେଖି ମୋର ସାହାସା ଦ୍ଵିଗୁଣିତ ହୋଇଗଲା। ମୁଁ ଯଦି ଡରିବି ତାକୁ କିଏ ସମ୍ଭାଳିବ । ଏଇ କଥା ଭାବି ମୁଁ ମଧ୍ୟ ତାର କଅଁଳିଆ ହାତ ଟିକୁ ଟିକେ ଟାଣ କରି ଚାପି ଧରିଲି , ସେ ଡରରୁ ନିଜକୁ ରକ୍ଷା କରିବା ସକାଶେ ମୋ ହାତଟି ଧରି ନିଡ଼ର ମନରେ ଚାଲୁଥାଏ –ତାଥାପି ଶଙ୍କି ଶଙ୍କି ହେଉଥାଏ । ଦମ୍ଭ ଦେବା ପାଇଁ କହିଲି, ତୋର ଘର ପରା ଏଇ ସାହିରେ, ସେ ମୁଣ୍ଡ ଟୁଙ୍ଗାରି ହଁ ଭରିଲା। ତେବେ ବି ତୋର ଏତେ ଡର !


   ସେ କହିବା ଆରମ୍ଭ କଲା ଦେଖିଲ ତ କେମିତି ଆମ୍ବ ଗଛରୁ ପତ୍ର ପକେଇଲା ? ମୁଁ କେବେ.... ଏକୁଟିଆ ଏ ରାସ୍ତାରେ ଆସେନି । କିଏ ଆସୁଥିଲେ ତାଙ୍କ ସାଙ୍ଗରେ ହିଁ ଆସେ, ଆଉ ଏ ଗଛ ଦି ଟାକୁ ଟପିଗଲେ ଦୌଡିକି ଘରେ ପହଞ୍ଚିଯାଏ । 


    ଦେଖିଲି ତା ମନରୁ ଡରକୁ ଜମା ବାହାର କରି ହେବ ନହିଁ । କୁସଂସ୍କାର ଲୋକର ରକ୍ତ ସାଙ୍ଗରେ ମିଶି ରହିଲା ପରି ଡର ତାହାରି ମନକୁ ଆସ୍ଥାନ ଜମେଇ ରହିଗଲାଣି । ତାକୁ ପଚାରିଲି ଡର ଛାଡିଲା, ମୁଣ୍ଡକୁ ଟୁଙ୍ଗାରି ସେ ହଁ ମାରିଲା । 


    ନରୁ କହିଲା ମୋ ବାପା ରଙ୍ଗ ମିସ୍ତ୍ରୀ ସେ ନୂଆଁ ନୂଆଁ ଘର ମାନଙ୍କରେ ରଙ୍ଗ ମାରେ । ତୁମେ ଜାଣିଥିବ ତା ନାଆ “ପବନା “ । ମୁଁ ପଚାରିଲି ତୋ ବାପା ଦିନକୁ କେତେ ମଜୁରୀ ପାଏ । ୨୫୦ ଟଙ୍କା ପାଇଲେ କଣ ହେବ, ସେ ତ ଅଧା ମଦ ପିଇ ଦିଏ । ସେଥିରେ କଷ୍ଟେମଷ୍ଟେ ଘର ଚଳୁଛି । ଏମିତି ଅନେକ କଥା ହୋଇ ହୋଇ ଚାଲୁଚାଲୁ ଆମ୍ବ ଗଛର ଅନ୍ଧାର ରାସ୍ତା ପାରି ହୋଇଗଲୁ । ଲାଇଟ ଆସିଲା । ସେ ପଟକିନା ଉତ୍କଣ୍ଠାର ସହିତ କହିଲା ଦେଖ ଲାଇଟ ଆସିଗଲା, ମୁଁ ଆଉ ଡରିବିନି କହି ମୋ ହତାରୁ ତାର ହାତଟି ଛଡେଇ ନେଲା ।


    ସେ ମୋର ଯେଉଁ ହାତଟି ଧରିଥିଲା ତା ହାତ ଆଉ ମୋ ହାତର ସ୍ପର୍ଶରେ ଏକ ପ୍ରକାର ସ୍ନେହର ଉଷ୍ମତା ସୃଷ୍ଟି ହୋଇଥିଲା । ଏଇ ହାତ ମାଧ୍ୟମରେ ହିଁ ଗୋଟିଏ ଆତ୍ମା ଅନ୍ୟ ଆତ୍ମା ସହିତ ସମ୍ପର୍କ ସ୍ଥାପନ କରି ସାରିଥିଲା । ବାଟ ଚାଲିବାର ଆଶାବାଡ଼ି ଟିଏ ମୋତେ ମିଳିଗଲା ପରି ମୁଁ ଅନୁଭବ କରୁଥିଲି । ଯେମିତି ତା ସହିତ ମୋର ଅନେକ ଦିନର ସମ୍ପର୍କ। ଅତି ଆପଣାର ଲାଗିଲା ଏଇ କିଛି ମୂହୁର୍ତ୍ତ । ତାର ଟିକିଟିକି ଆଙ୍ଗୁଳି ଗୁଡ଼ିକ ମୋ ହାତରେ ଛନ୍ଦି ହୋଇ ଯେଉଁ ୧୦/୧୫ ମିନିଟ ରହିଲା, ସତେକି ମାଆ କୋଳରେ ଛୋଟ ପିଲାଟି ଆଉଜି ରହିଛି । କଙ୍ଗାରୁର ଥଳିରେ ତାର ଶାବକଟି ଯେମିତି ନିଜକୁ ସୁରକ୍ଷିତ ଅନୁଭବ କରେ ସେ ମଧ୍ୟ ମୋ ହାତରେ ତା ହାତଟି ଛନ୍ଦି ଦେଇ ବିନା ଦ୍ଵିଧାରେ-ନିଡର ହୋଇ ସେଇ ପିଶାଚୁଣୀ ଥିବା ଗଛର ଛାଇକୁ ଅତିକ୍ରମ କରିଦେଲା । 


     ପଚାରିଲି ଆଜି କେତେବେଳେ କ'ଣ ଖାଇଥିଲୁ। କହିଲା ବେଳାରେ ପଖାଳ ଖାଇଥିଲି। ଆଉ କିଛି ଖାଇନାହିଁ । ପରେ କହିଲା- ଘରେ ଗଲେ ଆଜି କିଛି ଥିବକି...... ନାହିଁ ଜଣାନାହିଁ ?


     ଦିନକୁ ଓଳିଏ ଖାଇଛି ବଢିବା ବୟସରେ , ପୁଣି ରାତିରେ ଖାଇବା ମିଳିବକି ନାହିଁ ସେଥିରେ ସନ୍ଦେହ ଅଛି । ତଥାପି ତାହାର ମନ ଅଚଞ୍ଚଳ । ମୋ ଠାରୁ ହାତେ ଛୋଟ ହେବ । ବିନା ବୋତାମର ସାର୍ଟଟାକୁ ଦୁଇ ହାତରେ ଧରି ଚାଲିଛି ବିନ୍ଦାସ । ତାହାରି ପାଖରେ ମୁଁ ପାଟଶାଢୀ ପିନ୍ଧି ପୁରା ପେଟରେ, ନିଶ୍ଚିତ ମନରେ ଯେତେବେଳେ ଚାଲୁଥିଲି ମନ ଭିତରେ ମତେ କିଏ ବାରମ୍ବାର ଧିକ୍କାର କରୁଥିଲା । ତାକୁ ଆଉ ମୋତେ ନିକିତିର ଦୁଇ ପାର୍ଶ୍ଵରେ ରଖି ତଉଲୁଥିଲା । 

    ଏଇ ଆମ ମନର ଆଶା ଆକାଂକ୍ଷା ଏତେ ବଡ଼ ହୋଇ ଯାଇଛି ଯେ ଦୁନିଆଁ ତ ଛୋଟ ଦିଶୁଚି । ତଥାପି ଜୀବନରେ କାହାରି ଶାନ୍ତି ନାହିଁ । ତାହାର ମନ ପାଖରେ ଏଇ ଆମର ଚାକିରିଆ,ସମ୍ପତିଶାଳୀ ଜୀବନ କେତେ ଛୋଟ-କେତେ ହୀନ । 


       ମୋ ଭେନିଟି ବ୍ୟାଗରେ ହାତ ମାରିଲି। ୫୦/ ପଚାଶ ଟଙ୍କା ଆଣି ତାକୁ ଦେଲି କହିଲି ନେଇଯା- କୁରକୁରେ ଖାଇବୁ। ଆଉ ଗୋଟେ ଓମଫେଡ଼ ଦେଲି। ଏଇଟା ନେ ଗରମ କରି ପିଇ ଶୋଇପଡ଼ିବୁ। ସେ ସନ୍ଦେହ ମିଶା ଆଖିରେ ଚାହିଁ ନେଲା। ହାତରେ ଓମଫେଡ଼ ଟାକୁ ଏପଟ ସେପଟ କରି କହିଲା, ମୋ ମାଆ ଯେତେବେଳେ ଡାକ୍ତର ଖାନାରେ ଥିଲା । ସେଇଠି ସବୁଦିନେ ଓମଫେଡ଼ ଦେଉଥିଲେ। ମୁଁ ସେତେବେଳେ ପିଇଥିଲି । ମୁଁ କହିଲି ତାହେଲେ ତୁ ଏଇଟା ବି ପିଇଦେବୁ ନା କଣ ?


    ସେ ଚଟାପଟ ଓମଫେଡ଼ର ଗୋଟେ କୋଣ କୁ ତାର ଟିକିଟିକି ଧାରୁଆ ଦାନ୍ତରେ ମୂଷା କୁତୁରିଲା ଢଙ୍ଗରେ ଛିଣ୍ଡେଇ ପକେଇଲା , ଆଉ ପିଇବା ଆରମ୍ଭ କଲା । ତାର ମନ କଥା ମୁଁ ବୁଝିପାରିଲି କାଳେ ଘରକୁ ନେଲେ ତାର ନାନୀ ଅଧା ମାଗିବ। ଛୋଟ ଛୁଆ ବୋତଲ ପିଇଲା ଭଳିଆ ଖୁସିରେ ଚୁଚୁମି ପିଉପିଉ ସବୁ ଚୋଷି  ଖୋଳପା ଟାକୁ ଫୋପାଡିଦେଲା । 


   ମୁଁ ତାର ତୃଷା ମେଣ୍ଟିଥିବା ମୁହଁଟାକୁ ଦେଖିଲି, ଭୋକିଲା ଶିଶୁଟି ମା ଠାରୁ କ୍ଷୀର ପିଇବା ସମୟରେ ଯେମିତି ଢକଢକ ପିଇ ଆତ୍ମତୃପ୍ତି ପାଏ । ସେହିପରି ପିଲାଟି ଓମଫେଡ଼ ପିଇ ତା ମାଆ କଥା ମନେପକେଇଲା, କହିଲା ଆଜି ରାତି କିଛି ନ ଖାଇଲେ ବି ଚାଳିଯିବ । 


    ତାର ଏଇ ପଦକ କଥା ଶୁଣି ମୁଁ ଅନୁଭବ କଲି କି ମୋର ଆଖିରେ ଅଜାଣତରେ ଲୁହ ଜକେଇ ଆସିଲାଣି । ମନର କୋହ, ଆଖିର ଆସନ୍ନ ପ୍ରସବା ଲୁହକୁ ଲୁଚେଇବା ପାଇଁ କହିଲି- ଚାଲ ଆମ ଘର ଦେଖିକି ଯିବୁ । ଯୋଉଦିନ ତୋର ମନହେବ, ମୋ ସାଙ୍ଗରେ ଆସି ଦିପଦ କଥା ହେବୁ। ମୋ ପିଲା ମାନଙ୍କ ସାଙ୍ଗରେ ଟିକେ ଖେଳିନେବୁ। 


    ସେ ତୁରନ୍ତ କହିଲା ହାତ ହଲେଇ ନାଇଁ ନାଇଁ, ମୋ ନାନୀ କୁହେ ବଡଘର ଧନୀ ଲୋକ ମାନେ ଭାରି ଖରାପ, ସେମାନେ ଗରିବ ଲୋକଙ୍କୁ ଗାଳି କରନ୍ତି। ତାଙ୍କ ସହିତ ଭଲଭାବରେ କଥା ହୁଅନ୍ତିନି । ତାଙ୍କ ଘରକୁ ଆସିବାକୁ ଦିଅନ୍ତିନି । “ହେଲେ ଆଜ୍ଞା ତୁମେ ଧନୀ ଲୋକ ନା ଆମ ଭଳିଆ ଗରିବ ଲୋକ କୁହ ତ” ?


   ତାର ଏଇ ପ୍ରଶ୍ନ ମୋର ସମସ୍ତ ଗର୍ବ,ଦମ୍ଭ, ଈର୍ଷାପରାୟଣତା, ରହୁଥିବା ଦୁଇମହଲା କୋଠାଘର, ଚଳଉ ଥିବା ସ୍କୁଟି,ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଗହଣା,ଗଚ୍ଛିତ ରଖିଥିବା ବ୍ଯାଙ୍କ ବ୍ଯାଲାନ୍ସ, ଅଭିଜାତ୍ୟ ଜୀବନକୁ ଛୋଟ କରିଦେଇଥିଲା। ମୋର ସମସ୍ତ ସ୍ଵପ୍ନ ତା ଆଗରେ ଲୀନ-ଧୂଳିସାତ ହୋଇଯାଇଥିଲା ସେଇ ମୂହୁର୍ତ୍ତରେ । ଏକ ପ୍ରକାର କିଂକର୍ତ୍ତବ୍ୟମୂଢ ପାଲଟି ଯାଇଥିଲି । ମୋ ଗଳା କୋହ ରେ ଭରି ଯାଇଥିବାରୁ ମୁଁ ଖାସିବାର ଅଭିନୟ କରିଥିଲି। ଆଖିରେ ଧୂଳିପଡିବାର ବାହାନା କରି ଲୁହ ପୋଛିଥିଲି । 


     ମୋ ଶାଢୀର କାନିକୁ ହଲେଇ ପୁଣି ପଚାରିଲା, ମୁଁ ତୁମକୁ ପଚାରୁଛି ପରା.......ତମେ ଧନୀ ନା ଗରୀବ ମତେ କହିଲନି ଯେ ?


   ତା ପ୍ରଶ୍ନ ଆଗରେ ମୋର ଧନିପଣ ଉଭେଇ ଗଲା –ତୁଚ୍ଛ ଲାଗିଲା। ମୁଁ ତାକୁ ନିରେଖି ଦେଖିଲି। ତା ମୁହାଁଟି ପ୍ରଶ୍ନରେ ଦପ ଦପ ଦିଶୁଥିଲା ମେଘୁଆ ଆକାଶରେ ତାରାଟେ ପରି,ଆଉ ମୋ ମୁହଁ ତା ପ୍ରଶ୍ନ ବାଣରେ ଶରାହତ ହୋଇ ଝାଉଂଳିଗଲା(ମରୁଡ଼ି ବେଳର କୁକୁଡ଼ା ଭଳି) । ମୋ ହୃଦୟ ଟିକ୍ ଟିକ୍ ହୋଇଗଲା, ଯୁଆଡେ ଦେଖିଲି ତା ପ୍ରଶ୍ନ ଭରା ମୁହଁଟା ଦିଶିଲା । ମଉଳା ମୋ ମୁହଁ ଆମବାସ୍ୟାର ରାତି ପରି କଳା ପଡିଯାଇଥିଲା। 


    ତାର ଘରପାଖ ଗଳି ପହଞ୍ଚିବାରୁ ମୋ ହାତ ଟାକୁ ହଲେଇ କହିଲା । ମୋ ବାପାକୁ ଯଦି କେବେ ଭେଟିବ କଣ ମତେ ଦେଇଥିବା ପଚାଶ ଟଙ୍କା କଥା କହିଦେବ ? ମୁଁ ମୁଣ୍ଡ ହଲେଇ ନାହିଁ ବୋଲି ଜଣେଇଲି । ତାର ନୁଖୁରା ଗାଲକୁ ଆଉଁସି କରି କହିଲି କେବେ ନୁହେଁ । ଜାଣିଲି ଖୁସିରେ ତାର ଗାଲ ପ୍ରକମ୍ପିତ ହେଉଥିଲା । ସେ ଯେମିତି ବହୁତ ଦିନରୁ କାହାରି ସ୍ନେହଭରା ସ୍ପର୍ଶ ପାଇନଥିଲା । ତାର ଆଖି ଦୁଇଟା ଆଶ୍ବସ୍ତିର ଚିହ୍ନ ପରି ଲାଗିଲା । 


     କହିଲା ଆମଗଳି ଆସିଗଲା। ମୁଁ ଏବେ ଏଇଠୁ ଏକୁଟିଆ ଯାଇପାରିବି । କହି,ଦୌଡି ପଳେଇଲା ଏକ ନିଶ୍ଵାସରେ । ମୋ ଆଖି ଆଗରୁ ଅଦୃଶ୍ୟ ହୋଇଗଲା ନିମିଷକେ । ସତେ ଆକାଶ ବକ୍ଷରୁ ଉଲକା ଖସିଲା ପରି । ସେଇପରି କିଛି କ୍ଷଣ ଆଗରୁ ଯିଏ ପିଶାଚୁଣୀକୁ ଡରି ମୋ ହାତ ଧରି ଚାଲୁଥିଲା । ତା ଗଳି ପହଞ୍ଚିବାରୁ ମୋ ପାଖରୁ ହାତ ଛେଡେଇ ଦୌଡି ପଳେଇଲା । ମୁଁ ବିନା ତାରାର ଖୋଲା ଆକଶଟେ ପରି ଦିଶୁଥାଏ । ସଙ୍ଗହୀନ ପଥିକ ପରି ଲାଗୁଥାଏ ମତେ । ତା ସ୍ପର୍ଶକୁ ଅନୁଭବ କରିଥିବା ମୁହୁର୍ତ୍ତ୍କୁ, ତା ନିରୀହ ମୁହଁ କୁ ମନେ ପକେଇ ପକେଇ ମୁଁ ଚାଲିଲି ଏକା ଏକା । ପିଶାଚୁଣୀ  କୁ ମୁଁ ଡରିଲିନି ବୋଲି ମୋତେ ଲାଗିଲାନି , କିନ୍ତୁ ସେ ନରୁ ସହିତ ବିତେଇଥିବା ସ୍ନେହଭରା କିଛି ମୂହୁର୍ତ୍ତ ର ଭୁତ ମୋ ମନରେ ହୃଦୟରେ ଆଜି ପର୍ଯ୍ୟନ୍ତ ଲାଗି ରହିଛି । 


    ସତେ ଏଇ ଛୋଟ ପିଲାଟି ତାର ଜୀବନ ତ ଜିଇଁବ ,କିନ୍ତୁ ଏଇ ଆନ୍ଧାର ମୁଲକରେ ଡରି ଡରି । ଯେଉଁଠି ଖାଇବା ପାଇଁ ଦୁଇ ଓଳି କୁ ଦୁଇ ମୁଠା ଭଲରେ ମିଳୁନି । ଭବିଷ୍ୟତ ପାଇଁ କଣ ସଞ୍ଚୟ କରିବ । ଆମେ ସର୍ବଦା ଭବିଷ୍ୟତ କେମିତି ନିରାପଦ ଆଲୋକିତ ହେବ ସେଇ ଆଶାରେ ବଞ୍ଚିଅଛୁ । କିନ୍ତୁ ଏଇ ଛୋଟ ତାରାଟି କ,ଣ ଆମବାସ୍ୟାର କଳା କିଟିମିଟି ରାତିରେ ମିଳେଇ ଜୀବ ସବୁଦିନ ପାଇଁ ? ଆଲୋକ/ ପୁର୍ଣିମାର ରାତି ତା ପାଇଁ କ,ଣ ହୋଇଯିବ ସ୍ଵପ୍ନ । 


    ଯେମିତି ଆମାବାସ୍ୟା ରାତିର ଆନ୍ଧାର ସମସ୍ତ ତାରା ଜହ୍ନକୁ ତାଙ୍କ ଆଲୋକକୁ ତା ବହଳିଆ କାନିରେ ଘୋଡେଇ ସମସ୍ତ ସଂସାରକୁ କିଛି କ୍ଷଣ ପାଇଁ ଆନ୍ଧାର କରିଦିଏ । ସେମିତି କଣ ୟାର ଭବିଷ୍ୟତ ଏଇ ଅନ୍ଧାରରେ ହଜିଯିବ । ଛୋଟ ପିଲାଟି ଏତେ ଅଭାବ ଅସୁବିଧା,ବାଧା ବିଘ୍ନ,ଦରିଦ୍ରତା ଭିତରେ ବଞ୍ଚିବା ପାଇଁ କେତେ ଚେଷ୍ଟା ଚଳେଇଛି । ସକଳ ଦୁଃଖ ଦୁର୍ଦଶା ଭିତରେ ନିଜକୁ ବଞ୍ଚାଇ ରଖିବାକୁ ଗୋଟେ ସଂଗ୍ରାମ କରୁଛି । ତାର ଚେଷ୍ଟା ଦିନେ ନିଶ୍ଚୟ ସଫଳ ହେବ । ତାର ଜୀବନ ସଂଗ୍ରାମ,ଆତ୍ମବଳ ତାକୁ ଟଳି ପଡ଼ିବାକୁ ଦେବନାହିଁ । ସେ ଅନ୍ୟ ମାନଙ୍କ ପରି ବଞ୍ଚିବ । ଅମାବାସ୍ୟା ପରେ ଆସିବ ଯେବେ ପୁର୍ଣିମା ର ଆଲୋକ ,ଆନ୍ଧାରରେ ମଉଳି ଯାଇଥିବା ଏଇ ତାରାଟି ଜହ୍ନର ସ୍ପର୍ଶ ପାଇ ପୁଣି ପୁର୍ଣିମା ରାତିରେ ଆକାଶରେ ନିଶ୍ଚିତ ଝଲସି ଉଠିବ । 

  



Rate this content
Log in