Anjana Naik

Tragedy

3  

Anjana Naik

Tragedy

ଦାସୀର ମାଲିକ

ଦାସୀର ମାଲିକ

6 mins
376


    ମୁଁ ସନ୍ଧ୍ୟା ସମୟରେ ଘରୁ ବାହାରି ଦେଖିଲି ୩/୪ ଜଣ ଫୁସୁର ଫାସୁର ହେଉଛନ୍ତି, ତାଙ୍କୁ ପଚାରିଲି କଣ ହେଲା କି ଲୋ ? ଜଣେ କହିଲା ଜାଣିଛ ନାନୀ ସାବି ବୋହୁ ଏଇ ଟିକେ ଆଗରୁ ଚାଲିଗଲା (ଭାଉଜ-ବୋହୁ) । ଲୋକମାନେ କହୁଛନ୍ତି ତାକୁ କୋରୋନା ହେଇଥିଲା । ମୁଁ ତ ତାକୁ ଏଇ ୭ /୮ ଦିନ ଆଗରୁ ଦେଖିଥିଲି ଭଲ ତ ଥିଲା, ତା ବରର ସେବା କରୁଥିଲା । ପୁଣି ଏମିତି କେମିତି ହେଲା । 


    ଜାଣିବାକୁ ପାଇଲି, ଏଇ କୋରୋନା ଯୋଗୁଁ ସେ ମରି ନାଇଁ, ସେ ମାଧବ..ମାନେ ସାବିର ପତି ପରମେଶ୍ବର କରୋନାର ଭୟାବହ ପରିସ୍ଥିତିରେ ମଧ୍ୟ ମଦ ପିଇବା ଛାଡିଲା ନାହିଁ ଏ ସାହି ସେ ସାହି ବୁଲି ସବୁ ବେଳେ ମଦ ପିଇଲା, ସାବି ମନା କରିଲେ ଯୋରରେ ପିଟିଲା । ତାର ଅତ୍ୟାଚାର ବିରୋଧରେ ତ ସ୍ୱର ଉତ୍ତୋଳନ କରିବା ଶକ୍ତି ନଥିଲା, ତେଣୁ ଚାଲିଯିବା ଶ୍ରେୟସ୍କର ମନେ କଲା ।


    ଯେମିତି ସେମିତି ସଂସାର ଚାଲିଥିଲା କିଛି ଦିନ ଆଗରୁ ମାଧବକୁ ଜର ହୋଇଥିଲା, ୫/୬ ଦିନ ଜର ରହିଲା, ସାବି ଡାକ୍ତର ପାଖକୁ ଯାଇ ଦେଖେଇ ଔଷଧ ଖାଇବା ପାଇଁ କହିଲା, ସେ କିଛି ଶୁଣିଲା ନାଇଁ । ବେଶି ଜର ହେବାରୁ, ଅଟୋ ଡାକି ଡାକ୍ତରଖାନା ନେଲା, ସେଇଠି ଟେଷ୍ଟ କରିଲା ପରେ ଜଣାଗଲା ତାକୁ କୋରୋନା ହୋଇଛି । ଡାକ୍ତର ସାବିକୁ ବୁଝେଇ କହିଲେ, କୋରୋନା ରୋଗୀକୁ ଅଲଗା ଘରେ ରଖି ତାର ଦେଖ-ରେଖ କରିବା ପାଇଁ । ହଁ ଭରି ତାକୁ ଘରକୁ ଆଣିଲା । 


   ବାରଣ୍ଡା ଖଟରେ ମାଧବ ଶୋଇ ରହିଲା, ପିଲାମାନେ ତା ପାଖରେ ଖେଳି ବୁଲିଲେ ।ସାଇ ପଡିଶା ଲୋକେ ସାବିକୁ କହିଲେ, ମାଧବ ପାଖକୁ ପିଲାମାନଙ୍କୁ ନ ଯିବାପାଇଁ କିଛି ଗୋଟେ ଉପାୟ କର । ଆଉ କିଛି ଲୋକ କହିଲେ ବାଡି ପଟେ ଯୋଉ ବଖରାଟା ଅଛି ତାକୁ ଭଲ ହେବା ପର୍ଯ୍ୟନ୍ତ ସେଇଠି ରଖ ।


  ମାଡ଼କୁ ତ ମହାଦେବ ମଧ୍ୟ ଡରନ୍ତି, ଆଉ ଏଇ ସାବି ତ ମାଧବର ନାଲି ଆଖିକୁ ଦେଖିଲେ ପାଣି ପିଇ ପକଉଛି । କଥା କଥାରେ କୋଉ ଦିନ ଗାଳି କି ମାଡ଼ ନ ଖାଇଛି, ସେମିତି ସେ ଦିନଟି ତାର ମନେ ହିଁ ନାହିଁ । ପୁଣି ଏତେ ବଡ କଥାଟା ତାକୁ କେମିତି କହିବ । ପିଲାମାନଙ୍କ ମୁହଁ ତାର ଆଖିରେ ଦାଉ ଦାଉ ନାଚି ଉଠୁଛି । କଣ କରିବ ଯାହା ବି ହେଉ ସେ ନିଶ୍ଚୟ କହିବ, ଏଇ କଥା ମନକୁ ଟାଣ କରି ଆଉ ସମସ୍ତଙ୍କ କଥା ମାନି ଖାଇ ସାରିଲା ପରେ ସାହସ ଯୋଗାଡ଼ କରି ଡରି ମରି କହିଲା, “ଶୁଣୁଛ ସବୁ ଲୋକ କହୁଛନ୍ତି କିଛିଦିନ ପାଇଁ... ମାନେ ତମ ଦେହ ଭଲ ହେବା ଯାକେ ତମେ ବାଡି ପଟ ବଖରାରେ ରହିଲେ ଭଲ ହୁଅନ୍ତାନି ? ”। 


,  ରୋଗିଣା ଦେହରେ ହଠାତ ଇଲେକ୍ଟ୍ରି ଝଟକା ମାରିଲା ପରି ଖଟରୁ ଝଟ୍ କିନା ଉଠି ପଡ଼ି କଣ କହିଲୁ ଲୋ ... ଆଉ ଥରେ କହିଲୁ ... କହି ଗରଜି ଉଠିଲା ମାଧବ “ ମୋ ଘରୁ ମୋତେ ଖେଦୁଛୁ, ତୋର ଏଡେ଼ ସାହସ... ମୁଁ ଏ ଘର ର...ତୋର ମାଲିକ ବୋଲି ତୁ ଜାଣିନୁ, ମୋତେ ତୁ ବାଡି ଘରେ ରଖିବୁ, ତୋର ଏତେ ସାହସ କେବେଠୁଁ ହେଲାଣି ... . ବୈଯାତ ମାଇକିନା ” କହି ଏପଟ ସେପଟ ହେଉ ଥାଏ ।  


  “ହେ ଭଗବାନ ସତେ ଯେମିତି ସେ ଗୋଟେ ବଡ଼ ପାପ କଥା କହି ଦେଲା କି ? ଭାବି ଅଗି ଜିଭ କାମୁଡ଼ି ହେଲା ” । କଥାକୁ ବଦଳେଇବା ପାଇଁ ଥତ ମତ ହେଇ କହିଲା, ମୁଁ କହୁନି ମ... ଏଇ ସାଇର ଲୋକମାନେ କହୁଥିଲେ । ପାଟିରୁ କଥା ସରିନି, ପାଖରେ ଥିବା, କାଠ ଫାଳିଆ ଆଣି ଦି, ଚାରି ପାହାର, ସାବିକୁ ନାଦି ପକେଇଲା । ସାବି ମାଆଲୋ... ବୋପାଲୋ ଯେମିତି କୁହାଟ ପକେଇ ଛି, ପାଖ ପଡୋଶୀ ବାହାରି ଆସିଲେ । ସମସ୍ତଙ୍କ ପାଟି ଶୁଣି ମାଧବ ସେ କାଠ ଫାଳିଆ ଫିଙ୍ଗି ଦେଲା । 


   ସମସ୍ତେ ବୁଝେଇବା ପରେ ମଧ୍ୟ ସେ ବୁଝିଲା ନାହିଁ । ସେଇ ଘରେ ହିଁ ରହିଲା । ଯେତେବେଳେ ଗୋଡ ବଥା ହେଲା ତାର ମର୍ଦ ପଣିଆ ଦେଖେଇ, ମୁଁ ତୋର ସ୍ଵାମୀ, ମୋର ସେବା କରିବା ତୋର ପରମ ଧର୍ମ କହି ସାବିକୁ ବାଧ୍ୟ କଲା ଗୋଡ ଘଷିବାକୁ, ଚାଲି ନ ପାରିବାର ବାହାନା କରି ତାର ସବୁ କାମ ସାବି ଦ୍ୱାରା କରେଇଲା । ଇତି ମଧ୍ୟରେ ସାବି ଛୁଆମାନଙ୍କୁ ପଡ଼ିଶୀମାନଙ୍କ ସହଯୋଗରେ ତାର ଭାଇ ପାଖକୁ ପଠେଇ ଦେଇ ଥାଏ ।


   ସାବିର ସେବା ପାଇ ସେ ୬/୭ ଦିନରେ ଭଲ ହେଇଗଲା । ତାପରେ ସାଇରେ ବାହାସ୍ପୋଟ ମାରିଲା ଦେଖ ମୁଁ ଭଲ ହେଇଗଲି । କାମ ନାଇଁ ତ ପଇସା କୋଉଠୁ ଆସିବ, ତାର ମଦ ପିଇବା ୪/୫ ଦିନ ବନ୍ଦ ହେଇଗଲା । ମନଟା ଖାଲି ଛଟପଟ ହେଉଥାଏ । 


  ତା ସଂସ୍ପର୍ଶରେ ଆସି ସାବିର ଦେହରେ ବହୁତ ତାତି ଥାଏ, କଷ୍ଟେ ମଷ୍ଟେ ଘରର କାମ ସାରିଲା, ତା ପାଖରେ ଥିବା ୧୦୦ ଟଙ୍କା ନେଇ ଡାକ୍ତର ପାଖକୁ ଗଲା, ଚେକ କରିବାରୁ ଜଣା ଗଲା ତାକୁ ବି କୋରୋନା ଭାଇରସ୍ କବଳିତ କରିଛି। ସେ ଘରକୁ ଆସି କହିଲା ମାଧବକୁ, ମୋତେ କୋରୋନା ହେଇଛି, ମୁଁ ବାଡ଼ିର ଘରେ ରହୁଛି, ତମେ ରନ୍ଧା ବଢ଼ା କରିନେବ ମୁଁ ପାରୁନି। 

  

  କିଲୋ... କଣ କହିଲୁ, କାମ ନ କରିବାର ତୋତେ ବାହାନା ମିଳିଗଲା ନା କଣ ? ତୁ ବାବୁଆଣି ହେଇ ବସିକି ଖାଇବୁ ଆଉ ମୁଁ ତୋର ସେବା କରିବି, ତୋତେ ରାନ୍ଧି ଖୁଏଇବି, ତୋର ଲୁଗା କାଚିବି...କି ଯୁଗ ଆସିଲା ହୋ, ମର୍ଦ ପିଲା ରୋଷେଇ କରି ମାଇକିନାକୁ ଦେବ...। ମୁଁ ତୋତେ ମୋ ଘର କଥା ବୁଝିବୁ ବୋଲି ବାହା ହୋଇ ଆଣିଥିଲି ନା, ତୋ କାମ କରିବି ବୋଲି ଆଣିଥିଲି କହି ଦି ଚାପୁଡ଼ା ଲଗେଇଲା । ତାର ମାଲିକ ପଣ ସାବ୍ୟସ୍ତ କଲା । ପ୍ରକୃତରେ ଚମତ୍କାର ଏଇ ବୈବାହିକ ଜୀବନ, ବୁଝିଲେ ସୁନା ସଂସାର, ନ ବୁଝିଲେ ସବୁ ଝାରଖାର ।


   ସାବି ସକ-ସକ ହେଇ କାନ୍ଦୁଥାଏ । କାହା ଆଗରେ ତା ଦୁଃଖ ଯନ୍ତ୍ରଣା ଗୁହାରି କରିବ । କେବଳ ଶୂନ୍ୟକୁ ଚାହିଁ ମନେମନେ କହୁଥାଏ, ହେ ଭଗବାନ ତମ ଉନ୍ମୁକ୍ତ ଚରଣରେ ଧୂଳିକଣା ଟିକେ ମୋତେ କର, ଏଇ ଜଞ୍ଜାଳମୟ ଘନଘୋର ତମିସ୍ରା ଜୀବନ ମୋର ଦରକାର ନାଇଁ । ମୋତେ ଅତି ଶୀଘ୍ର ଉଠେଇ ନିଅ । 


  ମାଧବର ପାଟି ଶୁଣି, ଚମକି ପଡ଼ିଲା... ମୁଁ ଆହାର କେନ୍ଦ୍ର ଯାଇ ଖାଇନେବି ଦି ଓଳି, ତୋ କଥା ତୁ ବୁଝିବୁ... କହି ପାଖକୁ ଯାଇ କହିଲା, କୋରୋନା ଔଷଧ ତ ମାଗଣା ମିଳିଲା, କେତେ ପଇସା ଫେରେଇଚୁ ଦେଲୁ ୫୦ ଟଙ୍କା, କଣ ଟିକେ କିଣି ଆଣିବି । ସାବି ପାଖରେ ଥିବା ୧୦୦ ଟଙ୍କିଆ ନୋଟଟା ଦେଇଦେଇ ୫୦ ଟଙ୍କା ଫେରେଇ ଆଣିବାକୁ କହିଲା। 


 ଖୁସିରେ ଯାଇ ପେଟେ ମଦ ପିଇ ରାତି ଅଧରେ ଫେରିଲା ।କୋଷେ ଦୂରରୁ ପାଟି କରିକରି ଆସି ଘରେ ନ ପଶୁଣୁ ଆରମ୍ଭ, ମୁଁ ଖାଇ ଆସିଚି, ମୋ କଥା ତୁ ଚିନ୍ତା କରନି, ତୋ କଥା ତୁ ବୁଝ୍ ଇତ୍ୟାଦି... ସେଇ ବାରଣ୍ଡାରେ ଶୋଇପଡ଼ିଲା । ବାଡ଼ି ପଟ ବଖରାରେ ଥାଇ ସାବି ସବୁ ଶୁଣୁଥାଏ । ଉଠି ରୋଷେଇ କରିବା ପାଇଁ ସାବି ଦେହରେ ଟିକେ ବି ବଳ ନାହିଁ । ପାଖରେ ଥିବା ପଲିଥିନରେ କିଛି ଚୁଡ଼ା ପାଇଲା, ତାକୁ ବତୁରେଇ ଖାଇନେଲା ଆଉ ଔଷଧ ଖାଇ ସେ ମଧ୍ୟ ଶୋଇ ପଡ଼ିଲା । 


    ତା ପରଦିନ ସକାଳେ ଟିକେ ଡେରି ମାନେ, ମାଧବ ଉଠିବା ପରେ ସାବି ଉଠିଲା... ମାଧବକୁ ଡାକି କହିଲା, ଟିଣରେ ଚାଉଳ ଅଛି ମୁଠାଏ ରାନ୍ଧି ଦିଅ । ଆଉ କ'ଣ... ସବୁ ସରିଗଲା... ମୋତେ ତୋ ବାପ ଚାକର ରଖିଚି କି ଲୋ... ତୋ ପାଇଁ, ତୁ ଯଦି ରାନ୍ଧି ଖାଇ ପାରୁନୁ ତୋ ବାପକୁ କହ ଚାକର ଗୋଟେ ଖଞ୍ଜି ଦେବ ନହେଲେ ତୋ ବାପ ଘରକୁ ପଳା... ଇତ୍ୟାଦି... ଇତ୍ୟାଦି ...ଚଉଦ ପୁରୁଷ ବଖାଣି ନେଲା ।


   ସାବି ସେଇଠୁ ଔଷଧ କଣ ଖାଇବ... ଅନ୍ନଗଣ୍ଡେ ନପାଇ ସେଇ ବାଡ଼ି ପଟ ଘରେ ହିଁ ପଡ଼ି ରହିଲା । ତାର ଭଲମନ୍ଦ ତାର ତଥାକଥିତ ମାଲିକ... ପତି ଦେବ ତ ବୁଝିଲାନି, ସାଇ ପଡ଼ିଶା ଲୋକମାନେ କଣ ନିଘା କରିବେ । ସେ ମାଧବ ରୀତିମତ ଘରେଥିବା ଚାଉଳ ବିକ୍ରୀ କରି କରି ମଦ ପିଇ ଗଡ଼ିଲା । ସାବି ବଞ୍ଚିଛି କି ନାହିଁ କ୍ଷଣିକ ପାଇଁ ଦୂରରୁ ଥାଇ ଡାକ ପକାଏ ପ୍ରତ୍ୟେକ ଦିନ । ଏମିତି ୩/୪ ଦିନ ଚାଲିଲା ।


  ସେଦିନ କେତେ ବେଳୁ ସାବି ଜୀବନ ଯୁଧ୍ୟରେ ହାରି ଯାଇଛି, ତାର ଜୀବନ ଦୀପଟି ଅବେଳରେ, ଅଦିନରେ ଚାଲିଯାଇଛି କେହି ଜାଣି ନାହାନ୍ତି ।ଅଙ୍ଗନ ବାଡ଼ି ଦିଦି ଆଉ କିଛି ଔଷଧ ଦେବାପାଇଁ ଆସି ଡାକ ପକେଇବାରୁ ମାଧବ ପାଟି କଲା, ସାବି...ଲୋ ସାବି... ଆସି କି ଔଷଧ ନେଇ ଯା ଲୋ ବୋଲି...। 


  ସବୁ ନିଃଶବ୍ଦ...,ଉତ୍ତର କିଛି ନପାଇ ରାଗ ତମତମ ହେଇ ଯାଇ ପାଖରେ ଦେଖିଲା, ଜଡ଼ ଶରୀରଟି ଡାଙ୍ଗଣା ହୋଇ ଏକା ପଡ଼ିଛି। ସାବି ମାଲିକର ଚୁକ୍ତି ବନ୍ଧନରୁ ସବୁ ଦିନ ପାଇଁ ମୁକ୍ତ ହୋଇଯାଇଛି ।ତା ଡାକ ଶୁଣି ସାଇ ଲୋକମାନେ ପାଖକୁ ଯାଇ ଦେଖିଲେ ସାବି ଆଉ ନାହିଁ । ତାକୁ ଛୁଇଁବାକୁ କେହି ଆଗ୍ରହ ପ୍ରକାଶ କରିଲେନି । ବହୁତ ବୁଝାସୁଝା ପରେ ଯାଇ ସେ ଶବ ସତ୍କାର ହେଇ ପାରିଲା । 


  ଏଇ କୋରୋନା ଶାରୀରିକ କଷ୍ଟ ଯେତିକି ଦେଉନି, ଆମକୁ ମାନସିକ ସ୍ତରରେ ବହୁତ୍ ଆଘାତ ଦେଉଛି, ସମାଜରୁ ବାସନ୍ଦ, ପରିବାର ଠାରୁ ବିଚ୍ଛିନ୍ନ କରିଦେଉଛି । ଅସ୍ପୃଶ୍ୟ କରି ବଞ୍ଚିବାର ମୋହ ଛଡ଼େଇ ନେଉଛି । ଏଠି କୋରୋନା କଣ ଜୀବନ ନେବ ଏଠି ତ ପାରିବାରିକ ଦୁର୍ଘଟଣା ଗ୍ରସ୍ତ ହୋଇ ଅନେକ ଜୀବନ ଅକାଳରେ ଚାଲି ଯାଉଛି ।ଏଇ ସମାଜର କିଛି କୁସ୍ଛିତ ମଣିଷମାନଙ୍କ ପାଇଁ । 


  ତଥାପି ତାର ନିଶା ଛାଡ଼ି ନଥିଲା । ଲୋକଙ୍କ କଟୁଭରା ମନ୍ତବ୍ୟକୁ ତାର ନିଘା ନାଇଁ । ଲୋକଙ୍କ ମୁହଁକୁ ସେଇ ବିନା ଦାସୀର ମାଲିକଟି... କେବଳ ଭକ୍ ଭକ୍ କରି ଚାହିଁ ରହିଥିଲା । ମୋର ଅନୁମାନ ସେ ଚିନ୍ତା କରୁଥିଲା ନିଶ୍ଚୟ... ମୋ ଘର କାମ କରିବ କିଏ ? ପର ଘରେ ବାସି କାମ କରି ପାଉଣା ଆଣି ମଦ ପିଇବା ପାଇଁ ଦେବ କିଏ ? ଶେଷରେ... ଭାବୁଥିଲା ବୋଧହୁଏ ତାର ମାଲିକ ପଣ ଆଉ କାହା ଉପରେ ଜାହିର କରିବ ଇତ୍ୟାଦି...ନା ଆଉ ଗୋଟିଏ ଦାସୀର ସନ୍ଧାନ କରୁଥିଲା !!! !!!!!! ।


  

  ଶେଷରେ ଅଙ୍ଗନ ବାଡ଼ି ଦିଦି ସାବିର ନାଆଁଟା ଯୋଡ଼ିଦେଲେ କୋରୋନା ମୃତକଙ୍କ ଲିଷ୍ଟରେ...।


  ଥରେ ଭାବନ୍ତୁ ତ ପ୍ରକୃତରେ କ'ଣ କୋରୋନା... ସାବିର ଜୀବନ ନେଲା ????


(କିଛି ସତ୍ୟ କିଛି କଳ୍ପନା) 



Rate this content
Log in

Similar oriya story from Tragedy