Anjana Naik,Deogarh

Tragedy

4.0  

Anjana Naik,Deogarh

Tragedy

ନୂଆଁ ବୋହୂ

ନୂଆଁ ବୋହୂ

5 mins
278



  ନୂଆଁ ବୋହୂ ନୁହେଁ କେବଳ ନୂଆଁଉ ଡାକଟା ହିଁ ରହି ଯାଇଛି । ସବୁ ଚୁଟି ପାଚି ଧୋବ ଫର ଫର ଦିଶୁଛି । ନୁଖୁରା ଅଲରା ବାଳରେ କେତେ ଦିନରୁ ତେଲ ଟୋପେ ଲାଗିନି । ତେଲ ଲଗେଇବା ପାଇଁ ସମୟ ବି ମିଳୁନି । ହାଲ୍କା ପବନ ଟିକେ ହେଲେ ପତ୍ର ଝଡ଼ା ଋତୁରେ ଯେମିତି ଗଛରୁ ଶୁଖିଲା ପତ୍ର ଝଡ଼େ, ସେମିତି ପାଚିଲା ଚୁଟି ଗୁଡାକ, କେତେ ବେଳେ ଝଡି ଯିବ, ସେମିତି ଜଣା ପଡେ । ବେଳେ ବେଳେ ଉଡ଼ି ଆସି ମୁହଁ ସାରା ଘୋଡ଼େଇ ହେଇ ଯାଉଛି । ଆଜି କାଲି ଭଲ ଭାବରେ ଆଖିରେ ବି ଦିଶୁନି । ତଥାପି ତା ଘରର ସବୁ କାମ ପଇଟି ନିଜେ କରୁଛି । ହରିଆଟା ଦିନେ ଦିନେ ଜବରଦସ୍ତ ରୋଷେଇ କରିଦିଏ । କେତେବେଳେ କେମିତି ପଡିଶା /ସମ୍ପର୍କୀୟ ବୋହୂ ଗୁଡାକ କୂଅରୁ ପାଣି ଟାଣି ଦିଅନ୍ତି, ଘର କାମରେ ଟିକେ ଟିକେ ହାତ ଲଗେଇ ଦିଅନ୍ତି । ଉପର ଠାଉରିଆ କହି ଦିଅନ୍ତି, ନୂଆଁଉ ଆମକୁ କହିଥିଲେ ଏଇୟା କରି ଦେଇ ଥାନ୍ତୁ,ସେଇୟା କରି ଦେଇଥାନ୍ତୁ ଡାକିଲନି ? ତାହା ପୁଣି କେତେବେଳେ ଲୋକ ଦେଖାଣିଆଁ ହିଁ ।


   ପାକୁଆ ପାଟିରେ ଶୁଖିଲା ଓଠରେ ଖଣ୍ଡି ହସ ଚେନାଏ ଖେଳିଯାଏ । କହେ, ହଁ ଲୋ ଠିକ୍ କହିଲ ବୋହୂମାନେ। ଯୋଉ ଦିନ ମୋର ଦରକାର ପଡିବ ମୁଁ ନିଶ୍ଚୟ ଡାକିବି । ଗୋଡ଼ ହାତ ଚାରିଟା ତ ଚାଲୁଛି, ତୁମକୁ କାହିଁକି ହଇରାଣ ହରକତ କରିବି କହିଲ । ଯୋଉ ଦିନ ମୁଁ ପଡ଼ି ରହିବି ଖଟରେ ସେଦିନ ମୋ ବାସି କାମ କରି ଦେବା ଲୋ । ମୋ ପାଟିରେ ମୁନ୍ଦାଏ ପେଜ, ମୁଠେ ପଖାଳ ଦେବ । 


   ବୁଢୀ କଥା ଶୁଣି ଜଣେ ହସି ହସି କହି ପକେଇଲା । ନୂଆଁଉ ତୁ ବୁଢୀ ହେଲୁଣି ଏତେ କାମ କରୁଛୁ । ଆଉ ତୋର ଯୁଆନ ବୟସରେ କେତେ କାମ କରୁ ନଥିବୁ କହିଲୁ ? ଏବେ ତ ଦେହରେ ଧୁଳି ମଳି ଟିକିଏ ଲଗେଇ ଦେଉନୁ, ଟୋକୀ ଥିଲା ବେଳେ କଣ ଦିଶୁ ନ ଥିବୁ ଲୋ   !!!!! ଅନ୍ଧାର ରାତିରେ ତ ଲାଇଟ ଜଳି ଯାଉ ଥିବ । ସେ ରୂପ ଦେଖି ବଡବାପା ତୋ ପଛରେ ଗୋଡେଇ ନେଇ ଆସିଥିବେ ନା କଣ     ? 


   ବୁଢୀ ପିଣ୍ଡାରେ ଆଉଜି ତା ବଙ୍କା ଅଣ୍ଟାକୁ ସଳଖେଇ ବସିଲା । ଯେମିତି ତା ମନରେ ପୁଣି ଯୌବନ ଆସି ଯାଇଛି । ସେମିତି କ୍ଷଣିକ ପାଇଁ ଲାଜେଇ ଯାଇ,ଘରର ଚାଳ ଖପର ଆଡ଼େ ନିରେଖି ଦେଖି କହିବା ଆରମ୍ଭ କଲା       


  ହରିପୁର ଗାଆଁ ଜମିଦାର ଙ୍କ ଚାରି ପୁଅ ପରେ ଗୋଟେ ସୁନା ନାକି ଗୋରା ତକତକ ଝିଅ ଟେ ଜନ୍ମହେଲା । ଚାରି ଭାଇ ସେ ଝିଅର ନାମ ଦେଲେ ରାଣୀ ଏତେ ଗେଲ ବସରରେ ତାକୁ ବଢେଇଲେ ଯେ କେତେବେଳେ ତା ଦେହରେ ଯୌବନ ଲାଗିଗଲା କେହି ଜାଣି ପାରିଲେନି ।ଚୈତାଳୀ ପବନ ବହୁ ବହୁ ପନ୍ଦରଟି ଫଗୁଣ ତା ଦେହରେ ନେସି ହୋଇ ଅନ୍ୟ ବସନ୍ତର ମାଦକତା ତା ଦେହରେ ପାଦ ଦେଲାଣି କାହାରି ନିଘା ନାଇଁ ।ତା ମନ ଶରୀର ସାମାନ୍ୟ କୀଟରୁ ପ୍ରଜାପତି ହୋଇଗଲାଣି,ଛୋଟ ଛୋଟ ଡେଣାରେ ତାର ପର କଅଁଳିଲାଣି ଖଣ୍ଡି ଉଡ଼ିବା ଶିଖିଲାଣି ।  


  ସେ ଦିନ ନବମ ଶ୍ରେଣୀର ପରୀକ୍ଷା ଶେଷ ହୋଇଥାଏ । ରାଣୀ ବହୁତ ଖୁସି ଥାଏ, ତାର ପରୀକ୍ଷାରେ ଭଲ ହୋଇ ଥାଏ ବୋଲି । ସବୁଦିନ ଭଳିଆ ସ୍କୁଲରୁ ଫେରିବା ବାଟରେ ତା କକା ମାନଙ୍କ ଘରେ ପଶି, ଆଚାର, କମଳା, ପିଜୁଳି ଖାଇ ଆସୁଥାଏ । ସେ ଘରର ରାଣୀ ନୁହେଁ ପୁରା ଗାଆଁଟା ସାରାର ରାଣୀ ଥିଲା । ଟିକେ ଡେଇଁ ଡେଇଁ ଚାଲେ ବୋଲି ସାଙ୍ଗ ମାନେ ତାକୁ ବେଙ୍ଗୁଲୀ ନାଆଁରେ ଡାକନ୍ତି । ରାସ୍ତାର ମଝି ବାଟରେ ହିଁ ଚାଲିବା ତାର ଗୋଟେ ପ୍ରକାରର ଅଭ୍ୟାସ/ସଉକ । ସେ ଭାବେ ତାର ଏହା ହକ । ସେ ରାସ୍ତାର ମଧ୍ୟ ରାଣୀ । 


  ଠିକ ସେତିକି ବେଳେ ଗୋଟେ Motor cycle ସେଇ ବାଟ ଦେଇ ଆସିଲା ।ସାଙ୍ଗମାନେ କହିଲେ ବାଟ ଛାଡଲୋ ବେଙ୍ଗୁଲୀ । କଣ କହିଲ ମୁଁ ଏଇ motor cycle ବାଲାକୁ ବାଟ ଛାଡ଼ିବି । ସେ ବାଟ କଡେଇ ଯାଉ ମୋ ବାଟରେ ମୁଁ ନିଶ୍ଚୟ ଯିବି । ଦୂରରୁ motor cycleର speed ଦେଖି ସାଙ୍ଗମାନେ ରାସ୍ତା କଡକୁ ଆଉଜି ହେଲେ । କିନ୍ତୁ ରାଣୀ ଠିକ ଠିକ ମଝି ବାଟରେ ଚାଲୁ ଥାଏ ବେପରୁଆ ହୋଇ । ସେଇ motor cycle ଚଳଉ ଥିଲା ପାଖ ଗାଆଁ ଗୋରେଖ ମାଷ୍ଟରଙ୍କର ପୁଅ, College ପଢୁଆ ଯୁବକ, ତାର ନାଁ ବିଶ୍ୱବିଜୟ । motor cycle ପାଖରେ ଦେଖି ରାଣୀ ଟିକେ ଇତସ୍ତତ ହୋଇଗଲା, ବାମକୁ ଯିବ ନା ଡାହାଣକୁ ଏମିତି ଭାବୁ ଭାବୁ ଦି ଜଣ ମୁହାଁ ମୁହିଁ ହୋଇଗଲେ । ରାଣୀକୁ ଦେଖି ତାର ଯୌବନର ଦୀପ୍ତିରେ ବିଶ୍ୱବିଜୟର ଆଖି ଫୁଟି ଗଲା । କଡ଼ରେ ଥିବା କିଆରୀରେ ଦୁଲଦାଲ ହୋଇ ପଡିଲା । 


  ମଝି ବାଟରେ ଚାଲୁ ଚାଲୁ ସେଦିନ ରାଣୀର ମନ ବାଟ ଭୁଲି ଯାଇଥିଲା, ସେଇ motor cycle ବାଲାର ଆଖିରେ ପଶି ତା ଛାତିରେ ହଜି ଯାଇଥିଲା । ତା ପର ଦିନଠୁ ରାଣୀର ଚାଲି ଚଳଣିରେ ପୁରା ବ୍ୟତିକ୍ରମ ଘଟିଲା । ସାଙ୍ଗ ମାନେ ଯେତେ ପଚାରିଲେ ସେମାନଙ୍କୁ ତା ମନର ଭାଷା ପରିପ୍ରକାଶ କରି ପାରିଲା ନାହିଁ । ସେ motor cycle ବାଲା ସ୍କୁଲ ଯିବା ଆସିବା ବେଳରେ ବାଟ କାଟି ଯିବା ଆସିବା କରିବା ଆରମ୍ଭ କରି ଦେଇଥାଏ ରୀତିମତ । ତାକୁ ଦେଖି ରାଣୀର ବ୍ୟବହାରରେ ପରିବର୍ତ୍ତନ ମଧ୍ୟ ଘଟୁଥାଏ ଦିନକୁ ଦିନ । ଏକଥା ସାଙ୍ଗ ମାନେ ଠଉରେଇ ନେଲେ ରଣୀର ମାଆ କାନରେ କଥା ଫୁଙ୍କିଦେଲେ ।କଥା ସରିଗଲା        ରାଣୀର ପାଠ ପଢା ସେଇ ଦିନରୁ ଠପ । ବାପାଙ୍କୁ ଶୁଣେଇ ଦେଲେ ରୋକ ଠୋକ ଝିଅ ପାଇଁ ବର ଦେଖିବ ନା ଘରେ ବୁଢୀ କରି ରଖିବ ମ?  


   ଏହା ଶୁଣି ରଣୀର ବାପା ତତ୍ପର ହୋଇ ଉଠିଲେ । ଲୋକ ପଠେଇ ଏ ଗାଆଁ ସେ ଗାଆଁ ବନ୍ଧୁ ବାନ୍ଧବରେ କଥା ପକେଇଲେ । ବାହାଘର କଥା ଶୁଣି ରାଣୀ ଲୁଚି ଲୁଚି ବହୁତ କାନ୍ଦିଲା ସାଙ୍ଗ ମାନଙ୍କୁ କିମ୍ବା ଘରର କାହାରୀକୁ ମନକଥା ଖୋଲି କହି ପାରିଲାନି । ତା ରୁମ ଝରକା ପାଖରେ ସବୁବେଳେ ବସି ଖୋଲା ଆକାଶ ର ତାରା ମାନଙ୍କୁ ଚାହିଁ ଚାହିଁ ସେଇ motor cycle ବାଲାର ମୁହଁଟାକୁ ଖୋଜୁ ଥାଏ । ଦିନେ ରାତିରେ ସେଇ ଝରକା ପାଖରେ କୀର୍ତ୍ତନ ମଣ୍ଡଳୀ ଗାଇ ଗାଇ ଯାଉଥାନ୍ତି ।       


ସଖୀ ବାତାୟନ ପାଖେ ପକ୍ଷୀଟିଏ ଆସି 

କାନେ କାନେ କହି ଗଲା     

ଶ୍ୟାମ ବନ୍ଧୁ ତୋର ନିଶ୍ଚୟ ଆସିବେ  

ମନ ଉଣା କର ନାହିଁ ।  

ସଖୀ ସିଏ ନ ଆସିଲେ ଦିନ ବଢି ଯାଏ 

ରାତି ଯାଏ ଦେଖ ପାହି    

ତାଙ୍କ ପଥ ଚାହିଁ ତାଙ୍କୁ ତ ଆନାଇଁ 

କିଛି ଆଉ ରୁଚୁ ନାହିଁ 

ଇତ୍ୟାଦି ଇତ୍ୟାଦି  


   ଏ ଗୀତ ଶୁଣି ଭୋ ପାରି କାନ୍ଦି ପକେଇଲା, ସେଇ ବାଟ ଦେଇ ତାର ସାନ ଭାଇ ଯାଉଥିଲା । ସେ ରାଣୀର ହାବ ଭାବ ଦେଖି,ତାର ସାଙ୍ଗମାନଙ୍କଠୁ ସବୁ କଥା ପଚାରି ଜାଣିଗଲା । ଲୋକ ଲଗେଇ କିଛି ଦିନ ପରେ ସେଇ ପାଖ ଗାଆଁର ବିଶ୍ୱବିଜୟ ସହିତ ତାର ବାହାଘର ପ୍ରସ୍ତାବ ପକେଇଲା । ରାଣୀର ଖୁସି ଦିଗୁଣ ବିଲେଇ କପାଳକୁ ଶିକା ଛିଣ୍ଡିଗଲା ପରି । 


  ବାହାଘର ସରିଗଲା, ଘରର ବଡବୋହୂ   । ଘରର କାମ ତାକୁ କିଛି ଜଣା ନାହିଁ କଣ କରିବ । ତା ଶାଶୁ ତାର ସବୁ କଥା ଜାଣିଥାଏ, ତେଣୁ ନିଜ ଝିଅ ପରି ଘର କାମ ସବୁ ଗୋଟି ଗୋଟି କରି ଶିଖେଇଲା । ୮/୧୦ ଜଣିଆଁ ପରିବାରରେ କାମ ଶିଖେଇ ଶିଖେଇ କିଛି ଦିନ ଭିତରେ ପକ୍କା ଘରଣୀ ବନେଇ ଦେଇ ସେ ଆର ପାରିକୁ ଚାଲିଗଲା । ୟା ଭିତରେ ରାଣୀ ୩ ଟା ପିଲାର ମାଆ ବି ହୋଇ ସାରିଥାଏ । ସମସ୍ତେ ତାକୁ ଶ୍ରଦ୍ଧାରେ ନୂଆଁଉ ମାନେ ନୂଆବୋହୂ ବୋଲି ଡାକନ୍ତି । ଏଇ ଡାକ ଦିନ ପରେ ଦିନ ଚାଲିଲା । ଛୁଆରୁ ବୟସ୍କ ସମସ୍ତେ ସେଇ ନୂଆବୋଉ ହିଁ ଡାକିଲେ ।  


  ଦିଅରମାନେ ଚାକିରି କରି ଚାଲିଗଲେ ସହରକୁ,ସେଇଠି ରହିଗଲେ । ଗୋଟେ ବୋଲି ନଣନ୍ଦ ସେ ବି ଶାଶୁଘର ଗଲା । ସମସ୍ତଙ୍କ ସଂସାର ଜଞ୍ଜାଳ ବଢି ଚାଲିଲା । କେତେ ବେଳେ କେମିତି ପୁନିଅଁ ପରବରେ ଗୋଟା ପରିବାର ଏକାଠି ହୁଅନ୍ତି । ବାକି ରହିଗଲା ରାଣୀ, ତାର ଛୁଆ ମାନେ ମଧ୍ୟ ଉଚ୍ଚ ଶିକ୍ଷିତ ହୋଇ ସହରରେ ବଡ ଚାକିରି କରି ସେଇଠି ଘର କିଣି ରହିଲେଣି । ଗାଁରେ କେବଳ ରହିଗଲେ motor cycle ବାଲା ବିଶ୍ବବିଜୟ ସହିତ ରାଣୀ । ଜମି ବାଡି ବଗିଚା ପୋଖରୀ ଦେଖ ରେଖ କରି କରି ଦିନେ ବିଶ୍ୱବିଜୟ ବି ଛାଡି ଚାଲି ଗଲା ଆର ପାରିକୁ ରାଣୀ କୁ ଏକଲା କରି । 

  


  ବଡ଼ ପୁଅ କେତେଥର କହିଲାଣି ଆମ ସାଙ୍ଗରେ ଆସି ରୁହ, ହେଲେ ରାଣୀର ମନ ତ ସେଇ ଗାଆଁର ଲୋକ ବାକ, ନଇ,ପୋଖରୀ, ଜମି, ବାଡ଼ିରେ ରହି ଯାଇଛି,କେମିତି ଯିବ ସେ ସହରକୁ । ସେଠାରେ ସେ ଚଳି ପାରିବ କି ନାହିଁ,ପିଲା ମାନେ ଅପଦସ୍ତ ହେବେ ଇତ୍ୟାଦି ଭାବି ସହର ଯାଉନି । 

   ଘରେ ଏକଲା ବସି ବସି ଅତୀତର ସ୍ମୃତିକୁ ରୋମନ୍ଥନ କରି କରି ହାତରେ ତାର ରେଖା ଗୁଡ଼ିକ କେବଳ ହିଁ ଦିସନ୍ତି । ସବୁ ସମ୍ପର୍କକୁ ମନର ନିକିତିରେ ସାଉଁଟିଆଣି ତଉଲେ ତା ପଟରେ ଥିବା ପଲାଟି ହାଲହା ଲାଗେ ସବୁବେଳେ ।ଜୀବନାଟା ଗୋଟେ ଛଳନା ପରି ଲାଗୁଚି । କେବେ କେମିତି ପିଲା ଛୁଆଙ୍କ ମେଳରେ ଘର ପୁରିଯାଉଛି ତ କେବେ ପୁରା ଶୂନ୍ୟ ।



Rate this content
Log in

Similar oriya story from Tragedy