STORYMIRROR

Anjana Naik

Tragedy

4.5  

Anjana Naik

Tragedy

ଆଈ ଝୁଲାମୁଣିର ଖୁଚୁରା ପଇସା

ଆଈ ଝୁଲାମୁଣିର ଖୁଚୁରା ପଇସା

10 mins
503


ଆଜି କେମିତି କେଜାଣି ଦି ପ୍ରହର ଖାଇ ସାରିଲା ପରେ ଛୁଆମାନଙ୍କର ମନ ହେଲା ତାଙ୍କର ଛୁଆ ବେଳର ଫଟୋ ଆଲବମ ଦେଖିବା ପାଇଁ। ସେମାନେ ଫଟୋ ଦେଖୁ ଥାନ୍ତି ମୁଁ ପାଖରେ ଗଡି ତାଙ୍କର ଖୁସିକୁ ଉପଭୋଗ କରୁଥାଏ । ହଠାତ ଗଡ଼ରେଜଟା ଖୋଲି ମୋ ସାନ ଝିଅ ଲକର ଭିତରୁ ଦୁଇଟା ଡବା ବୋହି ଆଣିଲା । ଯୋଉଠିକି ମୋର ଅତୀତର ସାଇତା କିଛି ପୁରୁଣା ପୁରୁଣା ଟଙ୍କା ଆଉ ଖୁଚୁରା ପଇସା ଗୁଡାକ ଥିଲା । ସେମାନଙ୍କୁ କହିଲି ଆଣ ମୋ ପାଖକୁ ମୁଁ ଚିହ୍ନେଇ ଦେବି କୋଉ ପଇସାର କଣ ଷ୍ଟୋରି । କୋଉ ପଇସା ମାଆ ଠାରୁ ପାଇଥିଲି, କୋଉଟା ବାପାଙ୍କ ପକେଟରୁ । କୋଉ ପଇସାଟା ନାନୀ କମ୍ପାସ ବକ୍ସରୁ ଚୋରେଇ ମାଡ଼ ଖାଇଥିଲି । କୋଉ ପଇସା ଅଜା ଦେଇଥିଲା କୋଉ ଗୁଡାକ ଆଈ ଝୁଲାମୁଣିର ଖୁଚୁରା ପଇସା । ଏମିତି ସବୁ ପଇସା ପାଇବାର ଷ୍ଟୋରି ଶୁଣଉ ଶୁଣଉ ମୁଁ ଇମୋସନାଲ ହୋଇଗଲି । 

ମୋର ଠିକ ମନେଅଛି ଷଷ୍ଠ ଶ୍ରେଣୀ ପରୀକ୍ଷା ସରିଗଲା ପରେ ଖରା ଛୁଟିରେ ମୁଁ ବହୁତ ବଦମାସି କଲି ବୋଲି ବାପା ପାଲଲହଡାରୁ ମାଆଙ୍କ ସାଥିରେ ମାତେ ଗାଆଁରେ ଛାଡି ଦେଇ ଗଲେ । ମାଆ ଙ୍କ କଥା କଥାରେ ଆକଟ, ଇଆଡ଼େ ଯିବୁନି -ସିଆଡ଼େ ଯିବୁନି ହେଲେ ମୋ ଗୋଡ଼ ଦୁଇଟା ଠିକ ଜାଗାରେ ଥୟ ଧରି ରହିଲେ ତ । କେତେ ବେଳେ ଅଜା ପଛରେ ଦୋକାନ ସଉଦା ଆଣି, ପୁଣି ଆଇ ପଛରେ ସାଇ ଆଡ଼େ ଟିକେ ବୁଲି ଆସେ ତ କେତେବେଳେ ମାଆ ପଛରେ ପଛରେ କୂଅକୁ ପାଣି ଆଣି । ମୋ ଆଈ ଆମ ଘର ପଛରେ ଗୋଟେ ବଗିଚା କରିଥାଏ । ସେ ବଗିଚାକୁ ମୋତେ ଯିବା ପାଇଁ ପୁରା ମନା କରିଥାଏ, କାଳେ ମୁଁ ତାର ବଗିଚା ନଷ୍ଟ କରିଦେବି । ମୋ ମନରେ କିନ୍ତୁ କୌତୁହଳ ଥାଏ ବଗିଚାରେ ଗଛ କେମିତି ଲଗାଯାଏ ଶିଖିବା ପାଇଁ । 

  ଦିନେ ମୋର ଗୋଟେ ସାଙ୍ଗ ମୋତେ ବତେଇଲା ସେ ଗଛ ଲଗେଇବା ଶିଖି ଗଲାଣି, ମୋତେ ବହୁତ ଈର୍ଷା ହେଲା ମୁଁ କେମିତି ଗଛ ଲଗେଇବି ମନଟା ଡହଳ ବିକଳ ହେଉଥାଏ । ଆଉ ଗୋଟେ ସାଙ୍ଗକୁ କହିଲି, ସେ ହସିକି କହିଲା ଏଇ କଥା, ଆଜି ଦିପହର ବେଳେ ସମସ୍ତେ ଶୋଇଥିଲା ବେଳେ ମୁଁ ଆସିବି ତୋତେ ତୁମ ବାଡିରେ ଗଛ ଲଗେଇବା ଶିଖେଇ ଦେବି । ମୁଁ ଖୁସିରେ ଫାଟି ପଡୁଥାଏ, ମାଆ ସାଙ୍ଗରେ ମିଛରେ ଶୋଇବାର ବାହାନା କରୁଥାଏ । ବାହାରେ ଟିଣ କବାଟଟା ଲାଗିଥାଏ ତ... ମୋ ସାଙ୍ଗ ଠଣ ଠଣ ଯେତେବେଳେ କରିଦେଲା, ମୁଁ ଚୁପ କିନା ଉଠି କବାଟ ଆଉଜେଇ ବାହାରିଗଲି। ବଗିଚାକୁ ଦୁଇ ଜଣ ଗଲୁ, ଦେଖିଲୁ ବଗିଚାଟା ପୁରା ହରା ଭରା, ଭେଣ୍ଡି, ବିନସ, ଲଙ୍କା, ବାଇଗଣ, ଟମାଟୋ ଶାଗରେ ପୁରା ଭର୍ତ୍ତି । କୋଣକୁ ଅଳ୍ପ ଜାଗାରେ କିଛି ଗଛ ନଥିଲା କିନ୍ତୁ ଓଦା ଓଦା ଦିଶୁଥୁଲା ଆମେ ଜାଣିନଥିଲୁ ସେଇଠି ଧଣିଆ ମଞ୍ଜି ପକା ଯାଇଥିଲା ବୋଲି, ଗୋଟେ କୋଦାଳରେ ସେଇ ଜାଗାଟାକୁ ତନ୍ନ ତନ୍ନ କରି ହାଣି ପକେଇଲୁ ହାତରେ ମାଟିକୁ ରାମ୍ପୁଡି ପକେଇଲା ମୋ ସାଙ୍ଗ ସବୁ ଆଡ଼େ ମାଟି ସମାନ ହୋଇଗଲା । ଚିନ୍ତା ପଡିଲାକି କି ଗଛ ଲଗେଇବୁ ? ବହୁତ ଚିନ୍ତା କଲାପରେ ଉପାୟ ମିଳିଲା ଆମର ଏଇ ଜାଗାରେ ସବୁ ପରିବା ମିଶେଇକି ଲଗେଇବୁ । 

  ଆରମ୍ଭ ହେଲା କାମ, ଆଈ ଲଗେଇ ଥିବା ସବୁ ପ୍ରକାର ପରିବା ଗଛରୁ ଚାରି ପାଞ୍ଚଟା ଲେଖାଏଁ ଗଛ ଉପାଡି ଆଣି ସେଇଠି ଲଗେଇଦେଲୁ । ଗଛ ଯାହା ଉପାଡିଲୁ ତ ଉପାଡିଲୁ ଅଧିକ ଗଛ ଅଜାଣତରେ ମାଡିକି ନଷ୍ଟ କରିଦେଲୁ, ସେଥି ପ୍ରତି ଆମର ନିଘା ନାଇଁ । ଦେଖି ଦେଲୁ ଆମେ ଲଗେଇଥିବା ଜାଗାରେ ସବୁ ପ୍ରକାରର ଗଛ ମିଶିକି ଅଛି ବହୁତ ସୁନ୍ଦର ଦିଶୁଥାଏ । ଢାଳରେ ମାଠିଆରୁ ପାଣି ଆଣି ଆଣି ସବୁ ଗଛରେ ଦେଲୁ, ବାକି ଲାଷ୍ଟ ଦୁଇଟା ଗଛରେ ପାଣି ପାଇଲାନି, ଦେଖିଲୁ ମାଠିଆରେ ଅଳ୍ପ ପାଣି ଅଛି, ମୁଁ ମାଠିଆଟା ଟେକି ନେଲି ଗଛରେ ସବୁତକ ପାଣି ଢାଳିଦେଲି । ଖୁସି ହେଇଗଲିକି ମୁଁ ଗଛ ଲଗେଇବା ଶିଖି ଗଲି । ସେଇ ଖୁସିରେ ଟିକେ ଡାନ୍ସ ବି କରିଦେଲୁ ଦୁଇ ଜଣ ମିଶିକି । ସେଇ ଡାନ୍ସ କରୁ କରୁ ମାଠିଆଟା ଗୋଡ଼ ବାଜିକି ଭାଙ୍ଗି ଗଲା । ଆମର ଡାନ୍ସ ବନ୍ଦ, ମୁହଁ ଚେମେଣା ହୋଇଗଲା ଆମର। ବେଲୁନ ଫୁଙ୍କିଲା ବେଳର ଖୁସି ଆଉ ଶେଷରେ ଢୋ କଲା ବେଳର ସେଡ଼ ସିନ ପରି ଆମର ସବୁ ଖୁସିର ଢୋ ହୋଇଗଲା । ସବୁ ଖୁସିରେ ପାଣି ପଡିଗଲା । ସେତେବେଳେ ମାଠିଆ ଭଙ୍ଗା କାମଟା ବହୁତ ବଡ ଭୁଲ ଥିଲା, ମାଠିଆ ତ ଭାଙ୍ଗିଦେଲୁ କରିବୁ କଣ । ଡର ମାଡିଲା ବଗିଚାରୁ ବାହାରି ପଳେଇଲୁ “ହାରିଯାଇଥିବା ବିଲେଇ ଭଳିଆ ।“ ମନରେ ଭୟ, ମୁଣ୍ଡରେ ଚିନ୍ତା କାହାରିକୁ କିଛି କହିଲୁନି। ସାଙ୍ଗ ତାର ଘରକୁ ପଳେଇଲା ମୁଁ ଆଉ ସେ ଦିନ ଆଈର ପାଖ ମାଡୁ ନଥାଏ । ରାତିରେ ମୁଁ ଅଜା ସାଙ୍ଗରେ ଶୋଇବା ପାଇଁ ଅଜାକୁ ପଟେଇ ଥାଏ। ରାତି ଖାଇସାରିଲୁ ଅଜା ମାଆକୁ କହିଦେଲା, ସାନ ଝିଅ ଆଜି ଗପ ଶୁଣିବାକୁ ମୋ ସାଙ୍ଗରେ ଶୋଇବ । ଅଜାକୁ ରାତିରେ କଥାର ଛଳରେ କହିଦେଲି ମୁଁ ବଗିଚାରେ ଗଛ ଲଗେଇଚି ବୋଲି । ସିଏ ପଚାରି ନେଇଗଲା କେମିତି ଲଗେଇଲୁ କାହା ସାଥିରେ ଲଗେଇଲୁ, କୋଉଠୁ ଗଛ ଆଣି କୋଉଠି ଲଗେଇଛୁ ମତେ ସକାଳେ ଦେଖେଇବୁ ତ । କଥା ହେଉ ହେଉ ଶୋଇ ପଡିଲି ବାସ ସେତିକିରେ କାହାଣୀ ସରିନି !


  ତା ପରଦିନ ବଡି ସକାଳୁ ଆଈ ଗଛରେ ପାଣି ଦେବାକୁ ଯାଇ ଦେଖିଦେଲା ତାର ବଗିଚାର ଦୃଶ୍ୟ ସବୁ ତାକୁ ନୂଆଁ ନୂଆଁ ଦିଶିଲା । ପାଣି କଣ ଦେବ, ମାଆ ଗୋ - ବାଆ ଗୋ ମୋ ବଗିଚା କିଏ ଧ୍ଵଂସ କରିଦେଲା ଏମିତି ବୋବାଳି ପକେଇବା ଆରମ୍ଭ କରିଦେଇ ଥାଏ ।ମୋତେ ଅଜା ହଲେଇ ଉଠେଇଦେଲା ଏୟ ସାନ ଝିଅ ଉଠ ଉଠ ଜଲଦି, ବଗିଚାରେ କଣ କରିଛୁ ତୋର ଆଈ ପାଟି କଲାଣି ଚାଲଦେଖିବା । ମୋ ନିଦ ଭାଙ୍ଗି ଗଲା ଧଡ କିନା, “ଅଜାକୁ ଭିଡ଼ିଧରି କହିପକେଇଲି ମୁଁ ମାଠିଆଟା ଜାଣି ଜାଣି ଭାଙ୍ଗିନି “ । ଅଜା ଲଥ କିନା ଖଟରେ ବସି ପଡି କହିଲା, ମାଠିଆଟା ବି ଭାଙ୍ଗି ଦେଇଚୁ ! ଆଉ କଣ କଣ କରିଚୁ କହ ? ମୁଁ କହିଲି.... ଖାଲି ଗଛ ଲଗେଇଚି ଆଉ କିଛି କରିନି । ଠିକ ଅଛି ତୁ ଶୋଇଥା କୁଆଡ଼େ ଯିବୁନି, ମୁଁ ଦେଖି ଆସେ, କହି ସେ ଗଲା ବଗିଚାକୁ । 

ମୋ ଆଈ “ମାଈ ବାଘୁଣୀ ଭଳିଆ ରାଗିକି ଫୁଲି ଯାଇଥାଏ “, ଆମେ ଯୋଉ ଗଛ ଗୁଡାକ ମାଡି ଦେଇଥିଲୁ ସେ ଗଛଗୁଡାକୁ ମାଟି ଜାକି ଜାକି ଠିଆ କରୁ ଥାଏ । କହୁ ଥାଏ ସବୁ ସେଇ ସାନ ଅଣ୍ଡିରାଚଣ୍ଡୀର କରାମତି ହେଇଥିବ, ଆଜି ଉଠୁ, ତାର ଦିନେକୁ ମୋର ଦିନେ । ସବୁ ମୋତେ ଶୁଭୁଥାଏ । ଚାଦର ଘୋଡ଼େଇ ହେଇ ମୁଁ କାଠ ଭଳିଆ ଖଟରେ ପଡ଼ିଥାଏ । ଅଜା ବଗିଚାର ସିନ ସବୁ ଦେଖି ସ୍ତବ୍ଧ ! ! ତଥାପି ଆଈକୁ ବିଭିନ୍ନ ଆଳରେ ବୁଝଉଥାଏ । ଆଈ ବୁଝୁ ନଥାଏ । କଷ୍ଟେ ମଷ୍ଟେ ଆଈ ଆଉ ଅଜା ମିଶିକି ଯୋଉ ସବୁ ଗଛ ଗୁଡାକ ବଞ୍ଚି ଥିଲେ ସେ ସବୁକୁ ସଜାଡିଲେ । ପାଣି ଦେଇସାରି ଆଈ ଘରକୁ ଆସି ମୋତେ ଡାକି ଚାଲିଲା, ଲୋ ଚଣ୍ଡୀ ଉଠ ଉଠ ବୋଲି । ମୁଁ ଅଜାକୁ ଅପେକ୍ଷା କରି ଥାଏ, ଆଈ କବଳରୁ ବଞ୍ଚେଇବା ପାଇଁ । ଇମିତି ଡାକ ପକଉଥାଏ ୫/୧୦ ମିନିଟ ତାର ଗାଈ ବଳଦମାନଙ୍କର କାମ କରୁ କରୁ । 

  ଅଜା ଆସି ଉଠେଇବାରୁ ମୁଁ ଉଠିଲି । ବିଲେଇ ଭୟରେ ମୂଷା ଯେମିତି ତା ଗାତରୁ, ମୁଣ୍ଡ ଉଣ୍ଡିମାରି ଦେଖେ, ମୁଁ ସେଇ ଭଳିଆ ଅଜାକୁ ପଛରୁ ଭିଡ଼ି ଧରି ଟିକେ ଆଈକୁ ମୋ ମୁହଁଟା ଦେଖେଇଦେଲି। ହେ ଭଗବାନ, କି ଟ୍ରାଜେଡି ଘଟିଲା ମୋ ସାଙ୍ଗରେ, କୁକୁଡା ଚିଆଁକୁ କାଉ ଝାମ୍ପିଲା ଭଳିଆ ଆଈ ମୋତେ ଅଜା ପଛରୁ ଟାଣି ନେଇଗଲା ପୁରା ବଗିଚା ଯାଏଁ । ଏ ଗୁଡାକ କଣ କରିଚୁ ଲୋ ଚଣ୍ଡୀ, ତୋର ହାତ ଗୋଡ଼ କୁଣ୍ଡେଇ ହେଉଥିଲା ଯଦି ଚୂଲିରେ ଭରି ଦେଲୁନି ଖାର/ପାଉଁଶ ଲଗେଇ ହେଲୁନି କହି ମୋତେ ଛିଞ୍ଚାଡି ଦେଲା । ମୋ ବଗିଚା କାହିଁକି ମାରିଦେଲୁ ଲୋ କହ ମୁଁ କୋଉ ଜନ୍ମରେ ତୋ ଠାରୁ ଧାର ନେଇ ଥିଲି ନା କଣ ସେଇ ପାଇଁ ଆଜି ରାଗ ସୁଝେଇଛୁ । ଏମିତି ଅନରଗଳ ବକି ଚାଲି ଥାଏ । ମୁଁ ବିଚିତ୍ର ଜୀବ ଦେଖିଲା ଭଳିଆ ତାକୁ ଦେଖୁ ଥାଏ । ଏଇଠି ମୁଁ ଧନିଆ ମଞ୍ଜି ପକେଇ ଥିଲି ସେଇଠି ପୁଣି ଭଲ ଭଲ ଗଛ ଗୁଡାକ ଉପାଡି ଆଣି ପୋତି ଦେଇଚୁ । କଣ ପାଇଲୁ ଏ ସବୁ କରି । ଏମିତି ବହୁତ ଗାଳିଦେଲା । ଛୁଆଟା ଜାଣି ଜାଣି କିଛି କାରିନି, ଛାଡ ତାକୁ ଯା ଯା ଘର କାମ କରିବୁ କହି ଆଈକୁ ଘରକୁ ପଠେଇ ଦେଲା ଅଜା । ଆଈ ରାଗ ତମ ତମ ହେଇ ଚାଲି ଗଲା ଘରକୁ । ହେଲେ ତାର ପାଟିରୁ ଗାଳି ବାହାରିବା ବନ୍ଦ ହେଉ ନଥାଏ।  

ଅଜା ମୁଁ ଲଗେଇଥିବା ଗଛରେ ଆଉ ଟିକେ ପାଣି ଦେଇ ଦେଲା ଆଉ କହିଲା ଗଛ ଲଗେଇବାର ଥିଲା ତ ମୋତେ କହିଲୁନି ମୁଁ ଶିଖେଇ ଦେଇଥାନ୍ତି । କାହିଁକି ଆଈର ଗଛ ଉପାଡି ଦେଲୁ । ଆଉ ଏମିତି କରିବୁନି କହି ମୋତେ ବୁଝେଇଲା । ଆଈକୁ ମୁଁ ଭୁଲ ମାଗିଲି ଆ

ଉ ଏମତି କେବେ କରିବିନି ବୋଲି କହିଲି କାନ ଧରି ବସ ଉଠ ଦଶ ଥର ହେଲି । ଆଈ ଆଡ଼କରି ହାଲ୍କା ଚାପୁଡା ଗୋଟେ ପିଠିରେ ମାରିଲା, ତୁ ହେବୁନି ଲୋ ଚଣ୍ଡୀ, ତୋ ଅଜାର ଗେହ୍ଲି ନାତୁଣୀ ବୋଲି ଏଇ ସବୁ ବୁଦ୍ଧି ତୋତେ ମିଳିଛି କହି ଗୋଟେ ଗାଲରେ ଟିକେ ହସିଦେଲା ମୁଁ ଅନୁମାନ କରିଲି । ଗୋଟେ ଦିନ ପରେ ଆଈର ବାକି ବଞ୍ଚି ଥିବା ସବୁ ପରିବା ଗଛ ଠିକ ଠାକ ହୋଇ ଗଲେ । ସେଇଆ ଦେଖି ଆଉ ଆଈ ମୋତେ ଗାଳି ଦେଲାନି । ପୁଣି ରୀତି ମତ ଚାଲିଲା ଖରା ଛୁଟି । 

ସେଇ ଖରା ଛୁଟି ଭିତରେ ଅଜା ମୁଁ ଲଗେଇଥିବା ଗଛରେ ଖତ ସାର ଦେଇ ସଜେଇ ଦେଇଥାଏ । ଯେତେବେଳେ ମୋ ଗଛରେ ଫୁଲ ଧରି ଫଳ ହେଲା ମୋତେ ଡାକି ନେଇ ଆଈକୁ ସାମ୍ନାରେ ଦେଖେଇ ଦେଲା, ଦେଖ ସାନ ଝିଅ ଲଗେଇ ଥିବା ଗଛରେ କେମିତି ଫୁଲ ଫଳ ଧରିଲାଣି । ଆଈ ଫିକ କିନା ହସିଦେଇ କହିଲା ତାହେଲେ ଚଣ୍ଡୀ ବଗିଚା କାମ ଶିଖିଗଲା । ମୋର ଆଉ କଣ ଦରକାର ତୁମେ ଦୁଇ ଅଜା ନାତୁଣୀ ମିଶି ଏଥର ବଗିଚା କରିବ, ନା କଣ ଲୋ - କହି ମୋ ଗାଲ ଟିକେ ଚିପୁଡି ଦେଲା । ଆଉ ମୋତେ କୋଳେଇ ନେଲା । ଏତେ ସ୍ନେହ ଯଦି କରେ ତେବେ ସେ ବାଘୁଣୀ ରୂପ ଦିନେ ଦିନେ କାହିଁକି ମୋତେ ଦେଖାଏ ବୋଲି ଯେବେ ଅଜାକୁ ପଚାରିଲି । ସେ କହିଲା ତୋ ଆଈ ବାଘ ନୁହେଁ ସିଏ ଫାଗ ଟେ । ବିନା ବର୍ଷାବାଲା ଗରଜିଲା ମେଘଟେ । ତାର କଥା ଆଉ ଗାଳିକୁ ଧରିବୁନିକି ଡରିବୁନି। 

  କିଛି ଦିନ ପରେ ବଗିଚାରେ ପରିବା ବହୁତ ହେଇଗଲା ବୋଲି ଆଈ କିଛି ପରିବା ଆମ ମୂଲିଆକୁ ପଠେଇ ହାଟରେ ବିକ୍ରି କରିଦେଲା । କିଛି ଟଙ୍କା ପଇସା ପାଇଗଲା । ତାର ଝୁଲା ମୁଣିରେ ପଇସା ଭରିଲା ବେଳେ ମୁଁ ଦେଖି ଦେଲି । ମୁଣିଟା ପଇସାରେ ଫୁଲି ଯାଇଥାଏ । ପାଖକୁ ଡାକି ମୋତେ ଦୁଇଟା ଆଠଣି/ପଚାଶ ପଇଶି, ଦଶ ପଇଶି ତିନିଟା ଆଉ କୋଡିଏ ପଇଶି ଗୋଟେ ଧରେଇ ଦେଲା କହିଲା ତୁ ଲଗେଇଥିବା ଗଛର କିଛି ପରିବା ବିକ୍ରି ହୋଇଥିଲା ନେ ଇଏ ସେଇ ପଇସା ।

  ପଇସା ଧରି ଦୌଡିଲି ମୋର ସାଙ୍ଗ ଘରକୁ ତାକୁ ଖବର ଦେଇଦେଲି ଆମର ଗଛର ପରିବା ବିକ୍ରି ହୋଇଚି ଦେଖ ମୁଁ ପଇସା ପାଇଚି । ତାକୁ ଦଶ ପଇଶି ଗୋଟେ ଆଉ କୋଡିଏ ପଇଶିଟେ ଦେଇଦେଲି ନେ ତୁ ମିକ୍ସଚର ଖାଇବୁ କହି । ଘରକୁ ଆସି ଅଜାକୁ କହିଲି ଏଇ ପଇସା ମୁଁ କଣ କରିବି, ସେ ଗୋଟେ ମାଟିର କୁପି ଆଣି ମୋତେ ଦେଖେଇ ଦେଲା ଏଇଠି ଭରିବୁ । ବେଶୀ ପଇସା ହେଲେ ଯାତ୍ରା ଦେଖି ଯିବା ଖେଳଣା କିଣିବୁ । ସେଇ ପଇସାରେ ଅଜା କୁଙ୍କୁମ ରଙ୍ଗ ଲଗେଇ ଦେଲା ଆଉ କହିଲା ଭରିଦେ, ଏଇ ରଙ୍ଗ ଦିଆ ପଇସାଗୁଡାକୁ କେବେ ସାରିବୁନି ଏଗୁଡାକ ତୋର ଫାଷ୍ଟ ରୋଜଗାର । ତୋର ଛୁଆ ପିଲାମାନଙ୍କୁ ଦେଖେଇବୁ ହେଲା । ମୁଁ ତୋତେ ମଝିରେ ମଝିରେ ପଇସା ଦେବି ତୁ କୁପିରେ ଭରିବୁ କହି ମୋର ଉତ୍ସାହ ବଢେଇଥିଲା । 

  ସେଇ ଦିନର କଥା ମୋର ଆଜି ପର୍ଯ୍ୟନ୍ତ ମନେ ଅଛି, ଆଇ ଦେଇଥିବା ପଇସା ପାଇ ମୁଁ ସେଦିନ ଯେତିକି ଖୁସିଥିଲି ବେଶୀ ଆତୁର ଥିଲି ଆଈର ସେଇ ଝୁଲା ମୁଣିରେ କେତେ ପଇସା ଅଛି ଦେଖିବା ପାଇଁ । ବହୁତ ଚେଷ୍ଟା କରିଛି ହେଲେ କେବେ ଦେଖି ପାରିନଥିଲି । ଆଈର ଝୁଲା ମୁଣି ଦେଖିବାକୁ ମୋର ଆଗ୍ରହ ଅଜାକୁ କହିଲି। ଅଜା ସାଙ୍ଗରେ ଆଈକୁ ଆମେ ବହୁତ ଫଲୋ କରିଚୁ କେତେବେଳେ ତାର ମୁଣି କୋଉଠି ରଖିବ ଆଉ ଆମେ ଆଣି ତାର ପଇସା ଗଣିବୁ, ସବୁ ଚେଷ୍ଟା ଆମର ଫେଲ ମରିଚି । ସେ ସବୁବେଳେ, ଦିନବେଳା ତ ଦୂରର କଥା ରାତିରେ ବି ତାର ଅଣ୍ଟାରେ ଖୋସି କରି ରଖିଥାଏ ସେ ମୁଣିକୁ । ଶେଷରେ ମନରେ ଭାବନା କରିଥାଏ ଦିନେ ନା ଦିନେ ଆଈ ଶୋଇଥିଲା ବେଳେ ନିଶ୍ଚୟ ଚୋରେଇ ଆଣି ସବୁ ପଇସା ଗଣିବି ବୋଲି ଅଜାକୁ କହିଲି ଆଉ ଜିଦରେ ଅଟଳ ରହିଲି । ମାରି ଦେବଲୋ ସେ ବୁଢୀ ! ଏମିତି କେବେ କାରିବୁନି ବୋଲି ଅଜା ମୋତେ ବହୁତ ବୁଝେଇଚି । କାଳେ ବୁଢୀର ମୁଣି ଚୋରେଇ ନେବ, ସେଇଥିପାଇଁ ମୁଁ ଯେବେ ବି ଗାଆଁକୁ ଆସିଚି ଅଜା ମୋତେ ମେଞ୍ଚେ ମେଞ୍ଚେ ଖୁଚୁରା ପଇସା ଦିଏ । ମୋ ମନରେ ଚୋରି କରିବାର ଭାବନା ବହୁତ ଦିନ ପର୍ଯ୍ୟନ୍ତ ରହିଲା ତା ପରେ ମୁଁ ବଡ ହେବା ସଙ୍ଗେ ସଙ୍ଗେ ମନ ବଦଳି ଗଲା । ସେ ଲୋଭ ଛାଡି ଦେଲି । ବାପା ମାଆଙ୍କ ଠାରୁ ଯାହା ପଇସା ପାଏ କିଛି ଖର୍ଚ୍ଚ କରି କିଛି କୁପିରେ ଭରେ ।  

ବହୁତ ପଇସା କୁପିରେ ଭରିଛି ପୁଣି ଭାଙ୍ଗି ଖେଳଣା, ମିଠା ଖାଦ୍ୟ ଖାଇଛି କିନ୍ତୁ ସେଇ ଫାଷ୍ଟ ରୋଜଗାରର ପଇସା ମୁଁ ଆଜି ପର୍ଯ୍ୟନ୍ତ ରଖିଛି । ତା ସହିତ ଯେତେ ବଡ ହେଲି ବିଭିନ୍ନ ମୁଣ୍ଡ ଥିବା ବିଭିନ୍ନ ପଇସା ସଂଗ୍ରହ କରିବା ଗୋଟେ ସଉକରେ ପରିଣତ ହେଇଗଲା । ବିଭିନ୍ନ ଦେଶର ପଇସା ମଧ୍ୟ ମୋ ପାଖରେ କିଛି ଅଛି । ବହୁତ ପଇସା ଆଉ ଚଳୁନି ତଥାପି ମୁଁ ସେଗୁଡାକୁ ସାଇତି ରଖିଚି । 

ମୋର ମନେ ପଡ଼େ ଅଜା ଯେତେ ବେଳେ ବେଡରେ ପଡିଲା ଆମେ ପଲଲହଡାରେ ଥିଲୁ ଶେଷ ବେଳକୁ ସେ ଆଈକୁ ଡବେ ପଇସା ଦେଇ କହିଥିଲା ଏଇସବୁ ସାନ ଝିଅକୁ ଦେଇଦେବୁ । ଆଉ ଆମେ ଆସିଲା ବେଳକୁ ଅଜା ମଶାଣିରେ ଜଳି ସାରିଥିଲା । କିଛି ଦିନ ଗାଆଁରେ ରହି ପରେ ଯେତେବେଳେ ପୁଣି ବାହାରିଲୁ ଆଈ ମୋ ହାତରେ ସେଇ ଡବାଟା ଦେଇ କହିଲା, ନେଲୋ ଚଣ୍ଡୀ ତୋ ଅଜା ତାର ସମ୍ପତ୍ତି ତୋତେ ଦେଇଛି ନେ । ମୁଁ ସେଇ ପଇସା ଡାକୁ ଦେଖି ଦେଖି ବହୁତ କାନ୍ଦିଚି । 

 କିଛି ଦିନ ପରେ ବାପାଙ୍କର ବଦଳି ବାରିପଦାକୁ ହୋଇଗଲା, ଆମେ ଆଈକୁ ବି ବାରିପଦା ନେଇଥିଲୁ ୨/୩ ବର୍ଷ ପାଇଁ। ମୋର ମନେ ହେଉଛି ମୁଁ ଦଶମ ପରୀକ୍ଷା ଦେଇ ସାରିଲା ପରେ ଆମେ ଗାଆଁକୁ ଆସି ଥାଉ ଆଈର ଦେହ ଶ୍ଵାସ ପାଇଁ ବହୁତ ଖରାପ ହୋଇଥାଏ, ଆମ ବଂଶ ସାରା ଲୋକ ଆମ ଘରେ ଦରି ବିଛେଇ ଏକାଠି ସୋଉ ଥିଲୁ କେତେ ବେଳେ ରାତିରେ ଆଈର ଜୀବନ ଚାଲିଯିବ ଭାବି । 

ସେ ବୋଧହୁଏ ଜାଣି ପାରିଲା ତାର ଶେଷ ସମୟ ଆସିଗଲା ବୋଲି । ବହୁତ ଲୋକ ଥାନ୍ତି ସେଦିନ ସାନ ଝିଅ କାହିଁ ବୋଲି ଖୋଜିଲା, ମୋତେ ଲୋକମାନେ ସଙ୍ଗେ ସଙ୍ଗେ ଟାଣି ନେଇଗଲେ ତାର ପାଖକୁ, ତାର ପାଟି ଖନି ମାରି ହେଉଥିଲେ ବି କହିଲା, ( ଛିଣ୍ଡା କପଡାରେ ତିଆରି ତକିଆକୁ ଆମ ଗାଆଁରେ ମାଣ୍ଡି ବୋଲି କହନ୍ତି ) ମାଣ୍ଡିଟା ସାନ ଝିଅକୁ ଦେଇ ଦେବ । କିଛି ସମୟ ପରେ ଆଉ କଥା କହି ପାରିଲାନି ତାର ଶ୍ଵାସ ବଢି ଗଲା, ସେମିତି ମିଟ ମିଟ ଚାହୁଁଥାଏ ସେଁ ସେଁ ହେଉଥାଏ । ସମସ୍ତେ ତାର ମାଣ୍ଡିକୁ ଖୋଜିଲେ, ଫିଟେଇ ଦେଖିଲେ କିଛି ଚିରା କପଡା ଅଛି ଆଉ ତା ଭିତରେ ଗୋଟେ ଗାଞ୍ଜିଆ/ଝୁଲା ମୁଣି ଠାବ କଲେ । ସେଥିରେ କିଛି ଖୁଚୁରା ପଇସା ଆଉ ଟଙ୍କାକିଆ, ଦୁଇ ଟଙ୍କିଆ ନୋଟ ତିନି ଚାରିଟା ପାଇଲେ । ତା ଭିତରେ ସବୁ ଟଙ୍କା ପଇସା ଭର୍ତ୍ତି କରି ବଡବାପା ମୋ ବାପାଙ୍କ ହାତକୁ ବଢେଇ ଦେଲେ ଆଉ ବାପା ମୋତେ ଦେଇଦେଲେ । ଏହା ଦେଖି ଉପସ୍ଥିତ ଥିବା ସବୁ ଲୋକ ମୋତେ ଉପଦେଶ ଦେଲେ ଏଇ ପଇସାଗୁଡାକ ତୁ ରଖିଥିବୁ ଏହା ତୋର ଆଈର ଶେଷ ଚିହ୍ନ ସ୍ୱରୂପ । 

  ମୁଁ କାବା /ଆବାକ ହୋଇ ଠିଆ ହୋଇ ଥାଏ ମୁଣିଟା ଧରି । ମନ ଭିତରୁ କିଏ ଜଣେ ମତେ କହୁଥାଏ ଏଇତ ସେଇ ଝୁଲା ମୁଣି ଯୋଉଟା ତୁ ଚୋରେଇବୁ ବୋଲି ବହୁତ ପ୍ଳାନ କରିଥିଲୁ, ସ୍ଵପ୍ନ ଦେଖି ଥିଲୁ ଏତେ ସହଜରେ ତୋତେ ମିଳିଗଲା ନେ ଖୁସି ହୋଇଯା ଟିକେ ଡାନ୍ସ କରିପକା । ନା ସେମିତି କିଛି ହେଇନି । ମୁଁ ସେଇ ମୁଣିଟା ଧରି ଆଈ ପାଖରୁ ଆସି ବରଣ୍ଡା ତଳେ ବସି ଗଣିବାକୁ ଯେମିତି ଉଦ୍ୟତ ହୋଇଛି କାନ୍ଦ ବୋବାଳି ପଡିଗଲା । ମୁଁ କିଛି ବୁଝି ପାରିଲିନି ଚଟ କିନା ସେଇ ପଇସା ଗୁଡାକ ମୁଣିରେ ଭର୍ତ୍ତି କରି ଆଈ ପାଖକୁ ଦୌଡିଗଲି । ଆଈର ଆଖି ଯୋଡ଼ିକ ମୋ ମାଆ ମୁଜେଇ ଦେଉ ଥିବାର ଦେଖିଲି । ବାସ ସେତିକି ସେ ମୋତେ ତାର ସାଇତା ସମ୍ପତି ସେଇ ମୁଣିଟା ଦେଇ ଚାଲିଗଲା । ଯେତେ ବେଳେ ତାର ଲାସ କୋକେଇରେ ବୋହି ନେଲେ ଖଇରେ ଖୁଚୁରା ପଇସା ମିଶେଇ ଝିଣ୍ଟିବା ପାଇଁ ଖୋଜା ପଡିଲା । ମୁଁ ସେଇ ମୁଣିର ପଇସା ଗୁଡାକ ଯାଚିଲି କେହି ନେଲେନି। ସେ ଗୁଡାକ ତୋ ଆଈ ତୋତେ ଗିଫ୍ଟ ଦେଇଚି ତୁ ରଖିଥା କହି ବାରଣ କରି ଦେଲେ । ମୁଁ ପଛରେ ପଛରେ ଗୋଡେଇଲି ସେତେବେଳେ ମୋର ସମ୍ପର୍କୀୟ ନନା ଜଣେ ମୋତେ କହିଲା ତୁ ଘରେ ରହ ତୋର ଆଈକୁ ତାର ବୁଢା ପାଖକୁ ଆମେ ନେଇ ଦେଉଚୁ । ମୁଁ ସେଇଠି ଛିଡା ହୋଇ ରହିଲି ସକସକ କାନ୍ଦି କାନ୍ଦି କହୁଥାଏ ଆଈ ତୋର ଝୁଲା ମୁଣି ମୋର ଦରକାର ନାହିଁ, ତୁ ଫେରିଆ । 

ଆଉ ସେଇ ପଇସାଗୁଡାକ ମୁଁ ରଖିଚି, ତା ସହିତ କିଛି ମୁଣ୍ଡ ପଇସା ମଧ୍ୟ ରଖିବା ଅଭ୍ୟାସ କରି ଦେଇଚି । ମଝିରେ ମଝିରେ ଦେଖୁଚି ସେଇ ପଇସାମାନଙ୍କରେ ଥିବା ମୁଣ୍ଡମାନଙ୍କ ଭିତରେ ମୋ ଅଜା -ଆଈଙ୍କର ମୁହଁ । 



Rate this content
Log in

Similar oriya story from Tragedy