ବିଦ୍ୟାଳୟ ପରେ
ବିଦ୍ୟାଳୟ ପରେ


ସେପ୍ଟେମ୍ବର ୧୯. ୨୦୧୮ ମସିହା , ମନଟା ଭାରି ଭାରି ଲାଗୁଥାଏ । ଗୋଟେ ନୂଆଁ ଅଫିସ କୁ ମୋର ବଦଳି ହୋଇଥାଏ , ସେଠାରେ ନୂଆଁ କାମ ଧରିବାରେ-ବୁଝିବାରେ ମୋତେ ଟିକେ ସମୟ ଲାଗୁଥାଏ । ତେଣୁ ମୁଁ ଚିନ୍ତା ସହିତ ବ୍ୟସ୍ତତରେ ଥାଏ । ସେଠାକାର କର୍ମଚାରୀଙ୍କ ସହିତ ମୋର ପ୍ରଥମ ଦିନରୁ ହିଁ ମିଳାମିଶା ଠିକ ଠାକ ହୋଇ ଯାଇଥାଏ । ବାକି ଥାଏ ଅଫିସରଙ୍କ ସହିତ ମୋତେ କଥା ହେବାରେ ସହଜ ଲାଗୁନଥାଏ। ସେ କେମିତି ଅଡୁଆ ଲୋକଟେ ପରି ମୋତେ ଲାଗୁଥାଏ । ଯେତେବେଳେ-ସେତେବେଳେ ସେ ଲୋକଟା ଅଫିସ ବାହାରକୁ ଯାଇ ପଛପଟେ ଭକ-ଭକ ସିଗାରେଟ ଟାଣିକି ଧୂଆଁ ଛାଡୁଥାଏ । ଯାହାକି ମୋତେ ଜମା ଭଲ ଲଗେନି ।ସେଇଟା ତାଙ୍କର ନିଜସ୍ଵ ଜୀବନର ଅଭ୍ୟାସ ସେଥିରେ ମୋର ଯାଏ ଆସେ ନାହିଁ, ତଥାପି ଗୋଟେ ଛାତତଳେ ,ଏକା ଅଫିସରେ କାମକରିବା ପାଇଁ ସମସ୍ତଙ୍କର ସାହାର୍ଯ୍ୟ ସହଯୋଗ ତ ନିହାତି ଦରକାର ।
ଏତେ ବ୍ୟସ୍ତତା ଭିତରେ ସେଦିନ କାହିଁ କେଜାଣି ସ୍କୁଲ ସାଙ୍ଗ ମାନଙ୍କ କଥା ବହୁତ ମନେ ପଡୁଥାଏ। fecebook ରେ ହାତଟା ବୁଲଉ ବୁଲଉ କେମିତି ଗୋଟେ ସାଙ୍ଗର ମୁହଁଟା ଦିଶିଗଲା । ମୁଁ ଚମକି ପଡିଲି, ଜନ୍ଦା କି ପିମ୍ପୁଡି କାମୁଡିଲେ ଯେମିତି ହାତ ଟା ମନକୁ ମନ ସେଇ କ୍ଷତ ଜାଗାକୁ ଯାଇ ସାଉଁଳେଇ ଦିଏ , ସେଇପରି ମୋ ହାତଟା ତାର facebook page ଟା ଶାଉଁଳେଇ ଖୋଲି ପକେଇଲା । ଆରେ ଏଇତ ମୋର ହାଇସ୍କୁଲ ବେଳର ସାଙ୍ଗ । ତା ସହିତ ଗୋଟେ ବିଭାଗ ରେ ୩ ବର୍ଷ କଟିଛି । ତା ସହିତ କଥା ହେବା ପାଇଁ ନମ୍ବର ନ ପାଇ ମେସେଞ୍ଜର ବକ୍ସରେ ଗୋଟେ ୱେଭ ମେସେଜରେ ହ୍ଯାଲୋ ପଠେଇଲି । କିଛି ଉତ୍ତର ପାଇଲିନି , ତାରସାଙ୍ଗ ମାନଙ୍କ ଗୃପକୁ ଚେକ କଲି- ବାରମ୍ବାର । ମୋର ମନରେ ଉତ୍କଣ୍ଠା ବଢିଗଲା ନିଶ୍ଚୟ ତା ସହିତ ଅନ୍ୟ ସାଙ୍ଗ ମାନଙ୍କ ଯୋଗାଯାଗ ଥିବ । ମୁଁ କୁକୁଡା ମାଟିରୁ ଖାଦ୍ଯ ଯେମିତି ରାମ୍ପୁଡିକରି ଖୋଜେ ମୁଁ ସେଇ ଭଳିଆ ମୋର ମୋବାଇଲର ସ୍କ୍ରିନ ଟା ବାରମ୍ବାର ରାମ୍ପୁଡି ଚାଲିଲି ଅବିରତ ।
ସତରେ ସ୍କୁଲ ବେଳର ସାଙ୍ଗ ମାନଙ୍କୁ ଦେଖିବା ପାଇଁ ମୁଁ ଦିନେ ଏମିତି ବ୍ୟସ୍ତ ହେବି ଜାଣି ନଥିଲି । ନନ୍ଦନ କାନନର ପଶୁ ପକ୍ଷୀ ଦେଖିଲା ଭଳିଆ ତାର ସବୁ ସାଙ୍ଗମାନଙ୍କୁ ଦେଖି ଚାଲିଲି । ୧୯୯୧ ମସିହା ମାଟ୍ରିକ ପାସ କଲାପରେ କିଏ କଳା ବିଭାଗ ,କିଏ ବିଜ୍ଞାନ ବିଭାଗ ତ କିଏ କିଏ ଅନ୍ୟ କଲେଜରେ ପଢିଲୁ। ଆଉ କାହାକୁ ଅନ୍ୟ ଜିଲ୍ଲାକୁ ଯିବାକୁ ପଡିଲା । ଆମ ହାଇସ୍କୁଲ ସାଙ୍ଗମାନେ ପ୍ରାୟ ୮୦% ବାରିପଦାର ଥିଲେ । କେତେଜଣ କେନ୍ଦୁଝର ,ଭଦ୍ରକ, ବାଲେଶ୍ବର ର ମଧ୍ୟ ଥିଲେ । କେବଳ ମୁଁ ହିଁ ଏକୁଟିଆ ଦେବଗଡ଼(ଅବିଭକ୍ତ ସମ୍ବଲପୁର) ଜିଲ୍ଲାର ଥିଲି । ସ୍କୁଲ ପରେ କଲେଜ ପାଖ ହେବ ବୋଲି ଆମେ ମଧ୍ୟ ଭଡା ଘର ବଦଳ କରିଥିଲୁ । ସେଠାରୁ କଲେଜ ଯିବା ଆସିବା ପାଇଁ ନୂଆଁ ସାଙ୍ଗ କରିବାକୁ ପଡିଥିଲା । କଲେଜ ବିଷୟ ସମାନ ନଥିବାରୁ କେବେ କେମିତି ସ୍କୁଲର ସାଙ୍ଗ ମାନଙ୍କ ସହିତ ଦେଖାହୁଏ , ତାହା ମଧ୍ୟ ବେଶୀ ଗପି ହୁଏନି ।
ମୁଁ ବୋଧହୁଏ କଲେଜରେ ନୂଆଁ ସାଙ୍ଗ ମାନଙ୍କ ସହିତ ମିଶିବା ପାଇଁ ବେଶୀ ଆଗ୍ରହି ଥିଲି । ସେତେ ବେଳର ବୟସ ବି ସେମିତି ଥିଲା । ମୁଁ ଭାରି ସହଜରେ ସାଙ୍ଗ ବନେଇ ପକଉ ଥିଲି । ରଙ୍ଗ ବେରଙ୍ଗର ଡ୍ରେସ ପିନ୍ଧି ନୂଆଁ ପ୍ରଜାପତି ପରି ଉଡି ବୁଲୁଥିଲା ମନଟା ।ତେଣୁ ଆଗକୁ ମାଡି ଯାଉଥିଲି । ବାପା-ମାଆଙ୍କର କଥା କଥାରେ ଆକଟ, କଲେଜର ରୁଟିନଟାକୁ ମୋ ମାଆ ଘୋଷିକି ରଖିଥିଲା । ମୁଁ କଲେଜ ବାହାରିଲା ବେଳେ ମାଆ ଚେତେଇ ଦିଏ ,୩ ଟା ୩୦ ମିନିଟରେ ତୋର କ୍ଲାସ ସରିବ , ଯେମିତି ୪ ଟାରେ ଘରକୁ ପହଞ୍ଚିବୁ । ନହେଲେ ତୋ ବାପାଙ୍କୁ କହିଦେବି । ତା ପରେ ତୋ କଥା ତୁ ବୁଝିବୁ । ମୁଁ ଡରିମରି ଠିକ ଟାଇମରେ ଘରେ ପହଞ୍ଚିଯାଏ । ତେଣୁ ସ୍କୁଲ ସାଙ୍ଗ ମାନଙ୍କ ସହିତ ମିଳାମିଶା କମିଗଲା । ପୁଣି ବି .ଏ. ପଢିଲା ବେଳେ ନୂଆଁ ସାଙ୍ଗ ମିଳିଗଲେ । ଆଉ ମୁଁ ପଛକୁ ଫେରି ଚାହିଁ ନି , କି ଫେରିବା ପାଇଁ ଚେଷ୍ଟା ମଧ୍ୟ କରିପାରିଲିନି।
ବି .ଏ.ସେକେଣ୍ଡ ଇୟର ପଢିଲା ବେଳେ ଆମ ଦେବଗଡ଼ ଜିଲ୍ଲା ରେ ଜୁନିୟର କ୍ଲାର୍କ ଚାକିରି ବାହାରି ପଡିଲା । ମୋ ବାପା ମୋ ପାଇଁ ଗୋଟେ ଦରଖାସ୍ତ ଫର୍ମ ନେଇ ମୋତେ ଦସ୍ତଖତ କରିବାକୁ ଦେଲେ । ଚାକିରି କଣ ତାହା ମୁଁ ଜାଣେନି,କେବଳ ଏତିକି ଜାଣେ ଯିଏ ଚାକିରି କରେ ତାର ଟଙ୍କାର ଅଭାବ ରହେନି ତେଣୁ ମୁଁ ରେଡ଼ି ହେଲି । ଗୋଟେ ଟେଷ୍ ରେ ହିଁ ମୋର ଚାକିରି ହୋଇଗଲା । ମୁଁ କଣ କରିବି, ଚାକିରି ନାଁ ଟା ଶୁଣିକି ଦେହ ହାତ ଥରିଲା ପରି ଲାଗୁଥାଏ । ଯାହାବି ହେଉ ଟଙ୍କା ଲୋଭରେ , ତରବର ହୋଇ ସ୍କୁଲ ସାଙ୍ଗ ମାନଙ୍କୁ ନ ଜଣେଇ ହଠାତ ପଳେଇ ଆସିଲି ଦେବଗଡ଼ ।
ଜିଲ୍ଲାପାଳଙ୍କ କାର୍ଯ୍ଯ।ଳୟ ଦେବଗଡ଼ରେ ଜଏନ କଲି । ସେଇଠି ବହୁତ କର୍ମଚାରୀ ମୁଁ ସେତେବେଳେ ସମସ୍ତ କର୍ମଚାରୀମାନଙ୍କ ଠାରୁ ବୟସରେ ସାନ ଥିଲି । ତେଣୁ ଯାହାବି ହେଉ ଡରି ଡରି କେବଳ ଏଡ଼ଜଷ୍ଟ କରି କରି ଆଜି ପର୍ଯ୍ୟନ୍ତ ଚାଲିଛି ଆଗକୁ ଆଗକୁ। ଗୋଟେ ଅଫିସ ରୁ ଅନ୍ୟଗୋଟେ ଅଫିସକୁ ବଦଳି । ୧୯୯୬ ରୁ ୨୦୧୮ ପର୍ଯ୍ୟନ୍ତ ମୁଁ ପ୍ରାୟ ୫-୬ ଟା ଅଫିସ ବୁଲି ସାରିଲିଣି । ବହୁତ ସାଙ୍ଗ ପାଇଛି କିନ୍ତୁ ଗୋଟେ ଇଣ୍ଟିମେଣ୍ଟ ସାଙ୍ଗ କିମ୍ବା ସାଙ୍ଗଙ୍କ ଗୃପ ଆଜି ପର୍ଯ୍ୟନ୍ତ ପାଇ ପାରିଲିନି । ଯାହା ସହିତ ମୁଁ ମୋ ସୁଖ ଦୁଃଖ ଶେୟାର କରି ପାରିବି । ସମ ବୟସର କେହି ନଥିଲେ ଆଉ ଅନ୍ୟ ମାନଙ୍କ ସହିତ ମୁଁ ମିଶିବାରେ ସହଜ ହୋଇ ପାରିଲିନି ।
ମୁଁ ଅନୁମାନ କରିଛି , ସମସ୍ତଙ୍କ ମଧ୍ୟରେ ଗୋଟେ ଦୌଡ଼ ପ୍ରତିଯୋଗିତା ଚାଲିଛି । କର୍ମ କ୍ଷେତ୍ରରେ କେହି ନୁହନ୍ତି କାହାର । ସବୁ ବେଳେ ଗୋଟେ ସିନିୟର-ଜୁନିୟର ,ଧନୀ-ଗରିବ ତ କେତେବେଳେ ପଦ ପଦବୀ ଇତ୍ଯାଦିର ଭେଦଭାବ । ସକାଳ ୧୦ ଟା ରୁ ୫ ଟା ଯାଏଁ ଅଫିସ ନାମକୁ ମାତ୍ର ଥାଏ । ଜିଲ୍ଲାର ମୁଖ୍ୟ ଅଫିସ ପ୍ରାୟ ଦିନ ଜରୁରୀ କାମଥାଏ, ରାତି ୭-୮ ବି ହୋଇ ଯାଏ । କିଛି କଥା ନାହିଁ ସରକାରୀ କର୍ମଚାରୀ ତେଣୁ ଲୋକଙ୍କୁ ଠିକ ସମୟରେ ଉଚିତ ସୁବିଧା ଯୋଗାଇ ଦେବା ପ୍ରତ୍ଯେକ କର୍ମଚାରୀର ପ୍ରଥମ କର୍ତ୍ତବ୍ଯ ଭାବି ଦେହସୁହା ହୋଇଗଲାଣି । ବେଳେବେଳେ କିଏ କେମିତି ସହୃଦୟ ବ୍ୟକ୍ତି ମହିଳା କର୍ମଚାରୀ ବୋଲି ଟିକେ ସହାନୁଭୁତି ଦେଖାନ୍ତି । ନହେଲେ ଦରମା ତ ସମାନ , ଜଣେ କାହିଁକି ଆଗ କାମ ଛାଡିକି ଯିବ,ଏମିତି ମନ୍ତବ୍ୟ ମଧ୍ୟ ଶୁଣିବାକୁ ହୋଇଛି ।
ୟା ଭିତରେ ମୋର ପ୍ରୋମୋଶନ ମଧ୍ୟ ହୋଇ ଯାଇଛି । ଦରମା ବଢି ଯାଇଛି । ଆଉ ବାହା ହୋଇ ଘର ସଂସାରରେ ଫଶିଗଲିଣି । ପିଲାମାନେ ସ୍କୁଲ କଲେଜ ଗଲେଣି । ସଂସାର ଜଞ୍ଜାଳମୟ ହୋଇ ଯାଇଛି । ଚାକିରି ସହିତ ଘର ସଂସାର ବହୁତ କଷ୍ଟକର ବ୍ୟାପାର । ମୁଁ ଦେବଗଡ଼ ରେ, ମୋ ସ୍ଵାମୀ ସମ୍ବଲପୁରରେ ପ୍ରାୟ ୯୦ କିଲୋମିଟର ଦୂରତା ସପ୍ତାହନ୍ତରେ ପୁରା ପରିବାର ଏକାଠି ହେବାର ସୁଯୋଗ ପାଉ । ଘରଟା ଆମର ପୁରିଯାଏ ହସଖୁସିରେ । ପୁଣି ସୋମବାର ଧାଆଁ ଦୌଡ଼ ରାତି ୮ ଟାରେ ଯାଇ ମୁଁ ଘରକୁ ପହଞ୍ଚେ , ପୁଣି ରାତ୍ରି ଭୋଜନ ତୟାରି କରିବା ପିଲାଙ୍କ ହୋମ ଟାକ୍ସ ଟିକେ ଦେଖିବା ଏମିତି ଶୋଇବାବେଳେ ମୋର ରାତି ୧୨ ଟା । ସକାଳୁ ଉଠିବାରେ ବହୁତ କଷ୍ଟ ଲାଗେ । ଏଇ ବ୍ୟସ୍ତ ଜୀବନ ଭିତରେ ମୁଁ ବୋଧ ହୁଏ ୧୦/୧୨ ବର୍ଷ ହୋଇଯିବ ଟେଲିଭିଜନ ଦେଖିବା ଭୁଲିଗଲିଣି । ଟି.ଭି ରେ ପିଲାଙ୍କ Cartoon –Comedy ଆଉ ସ୍ଵାମୀ ଙ୍କ News-Sports channel ର ଶବ୍ଦ ଟିକେ ଶୁଣିଦିଏ କେବେ କେବେ । ମୋର ଅସ୍ତିତ୍ଵ ଦିନକୁ ଦିନ ମୁଁ ଭୁଲିବାରେ ଲାଗିଲିଣି । ଆଉ ସାଙ୍ଗ ମାନଙ୍କୁ ମାନେ ପକେଇବା ତ ଦୂରର କଥା । ଗାଁ କୁ ମଧ୍ୟ ଯାଇ ହେଉନି । କୌଣସି ଉତ୍ସବ ରେ ମଧ୍ୟ ପୁରା ପରିବାର ଏକା ସାଙ୍ଗରେ ଯିବାର ମଉକା ମିଳୁ ନାହିଁ ଆଜିକାଲି ।
ତା ଭିତରେ ଆଜି କେମିତି କେଜାଣି High school ର ସାଙ୍ଗ ମାନଙ୍କ କଥା ମନେ ପଡ଼ିଗଲା ଅଫିସରେ ବସିଥାଇକି । କାରଣ High school ଜୀବନ ଟା ମୋ ଜୀବନର କିମ୍ବା ସମସ୍ତଙ୍କ ଜୀବନର ସ୍ମରଣୀୟ ହୋଇଥାଏ । ଏଇ ସମୟରେ ବନ୍ଧୁତ୍ଵ କଣ ଠିକ ବୁଝି ହୋଇଥାଏ । ଆମେ ସ୍କୁଲରେ ବହୁତ ମଜା କରିଛୁ । ଯେମିତିକି କ୍ଲାସ ଭିତରେ ପଢା ସମୟରେ ଲୁଚି ଲୁଚି ଆଚାର, ମିକ୍ସର ଖାଇବା ,ସାଙ୍ଗ ମାନଙ୍କୁ ଖତେଇ ହେବାର ଆଉ teacher ମାନଙ୍କୁ ବିଭିନ୍ନ ପ୍ରକାର ନାଆଁ ଦେବା ଗୋଟେ ସଉକ ଥିଲା । ଆମେ ସବୁ teacher ମାନଙ୍କୁ ଗୋଟେ ଗୋଟେ secret
ନାଆଁ ଦେଇଥିଲୁ । କାହାକୁ sweety, beauty, Petrol tank, villain ପୁଣି ଝୁମୁରି, ଚେମେଣୀ, ଟିକିଲି ଏମିତି ଅନେକ ନାଆଁ । Teacher କ୍ଳାସ ସାରିକି ଗଲାପରେ ,ସେ କେମିତି action କରି ପଢେଇଲେ ,ଚାଲିଲେ, ଗାଳିକଲେ,ବସିଲେ ସେକଥା revision ହୁଏ । କିଏ ଚାଲିକି ଦେଖେଇବ ,କିଏ ପଢେଇବାର action କରିବ,କିଏ ଗାଳିଦେବାର ଇତ୍ୟାଦି ଚାଲେ। ସବୁବେଳେ ମନଖୋଲା ହସଟିକକ ଆମମାନଙ୍କ ଓଠରେ ଲାଗି ରହିଥିଲା । କିନ୍ତୁ ଏବେ ତାର ଠିକ ଓଲଟା ସେ ହସ ଟିକକ ଟଙ୍କା ପଇସାର ମୋହ ରେ ଭୁଲିଗଲୁଣି । ଦିନ ରାତି ପରିଶ୍ରମ କେଇଟା ଟଙ୍କା ପାଇଁ। କାରଣ ଧନ ନହେଲେ ଏ ସମାଜରେ ଚଳିବା ମୁସ୍କିଲ ।
ଦୀର୍ଘ ୨୮ ବର୍ଷ ପରେ ଆଜି ମନରେ ସାଙ୍ଗମାନଙ୍କ କଥା ଭାବିଛି । Face book ରେ ଖୋଜୁ ଖୋଜୁ ପୁଣି ଗୋଟେ ସାଙ୍ଗର ମୁହଁ ଦେଖିଲି ତାକୁ wave message ଦେଲି ସେ ଚିହ୍ନି ପାରିଲା ମୋତେ । କାରଣ ମୋର ବିଶେଷ କିଛି ପରିବର୍ତ୍ତନ ହୋଇନି । ଟିକେ ଖାଲି ମୋଟୀ ହୋଇ ଯାଇଛି । ସେ ମୋତେ return message ଦେଲା ଆଉ ତାର cell phone number ଦେଲା କଥା ହେବା ପାଇଁ ସେ ମଧ୍ୟ ଆତୁର ଥିଲା । “ମୋ ମନରେ ଖରା ଦିନରେ ଝାଉଂଳି ପଡିଥିବା ଲେଉଟିଆ ଶାଗ ପାଣି ଟିକିଏ ପାଇ ଯେମିତି ବଞ୍ଚି ଉଠେ ସେଇଭଳି ଖୁସିର ଶିହରଣ ଖେଳିଗଲା”। ମୋ ଦେହରେ ଫୁର୍ତ୍ତି ଆସିଗଲା । ମନ ଉତ୍ଫୁଲ୍ଲିତ ହୋଇ ଉଠିଲା ତାକୁ call କରିବାକୁ । କିନ୍ତୁ ଦୁର୍ଭାଗ୍ୟ ୧୦ ମିନିଟ ପର୍ଯ୍ଯନ୍ତ ମୁଁ call କରି ଚାଲିଲି ତୁହାକୁ ତୁହା । ପରେ ଦେଖିଲି ଫୋନ ରେ ଟାୱାର ନାହିଁ । ଖୁସି ଯେତିକି ଲାଗୁଥିଲା ପାଣି ଫୋଟକା ଭଳି ଫାଟିଗଲା। ମୋ ଜୀବନରେ ଏମିତି କେବେ ବ୍ୟତିବ୍ୟସ୍ତ ହୋଇନଥିଲି କାହା ସହିତ କଥା ହେବାପାଇଁ ଏଇ ୨୮ ବର୍ଷ ଭିତରେ ।
ଅନୁଭବ କରିପାରିଲି ସ୍କୁଲ ରେ ଖେଳ ପିରିୟଡ ରେ ହାର-ଜିତ ହେଉ ଜଣେ ଜଣଙ୍କର ପ୍ରତିଦ୍ଵନ୍ଦୀ ପୁଣି ଖେଳ ସରିଲା ପରେ ଆମେ କେମିତି ସାଙ୍ଗ ହୋଇ ଯାଉ । ମୁଁ ସ୍ଵୀକାର କରୁଛି ଏଇ ୨୮ ବର୍ଷ ମୁଁ ଲୁଚା ଛପାର ଖେଳ ଖେଳି ଆସିଛି । ସାଙ୍ଗମାନେ କେମିତି କୋଉଠି ଅଛନ୍ତି ,ତାଙ୍କାର କିଛି ପତା ଠିକଣା କେବେ ଖୋଜିବା ପାଇଁ ଚେଷ୍ଟା କରିନି । ମୋ ବାହା ଘର ପରେ ମଧ୍ୟ ଥରେ ମୁଁ ବାରିପଦା ଯାଇଥିଲି। ସେଠାରେ ପରିବାର ସହିତ ଏମିତି ବ୍ୟସ୍ତ ରହିଲି ,ବିଭିନ୍ନ ଯାଗା ବୁଲାବୁଲି କରି ଫେରି ଆସିଲି । ବ୍ୟସ୍ତତା ଭିତରେ ସାଙ୍ଗ ମାନଙ୍କ ଘରକୁ ଯାଇ ତାଙ୍କର ଖବର ନେବା ଉଚିତ ମନେ କରି ପାରିଲିନି । ଆଜି ସେ ଖେଳ ବୋଧହୁଏ ସରି ଯାଇଛି । ମୋ ମନରେ ତାଙ୍କୁ ଏବେ ଖୋଜିବାର ପ୍ରବଳ ଆଗ୍ରହ ହେଉଛି । ଆଜି ଜଣକୁ ପାଇଛି ନିଶ୍ଚୟ ଆର ସମସ୍ତଙ୍କୁ ପାଇଯିବି । ଏଇ ଆଶା ମୋର ଦୃଢ ହୋଇଗଲାଣି।
ଚାକିରି କରି ଟଙ୍କା ଲୋଭରେ ଅନ୍ଧ ହୋଇଥିଲି । ଭାବିଥିଲି ସମୟ ସହିତ ମୁଁ ଚାଲି ନୂଆଁ ଯାଗାରେ ନୂଆଁ ସାଙ୍ଗ ବନେଇନେବି , କିନ୍ତୁ ସେମିତି କିଛି ଘଟିନି । କିଛି ସହକର୍ମୀ ,କିଛି ପଡୋଶୀ ପାଇଛି । ଆଜି ବି ସାଙ୍ଗ ମାନଙ୍କର ସେଇ ସ୍ଥାନଟି ଖୋଲା ପଡିଛି । ମୁଁ ଯେତେ ଚେଷ୍ଟା କରି ମଧ୍ୟ ସାଙ୍ଗ ମାନଙ୍କୁ ହୃଦୟରୁ ଭୁଲି ପାରିନି । ଯେମିତି ବାଉଁଶ ଗଛ ଲମ୍ବି ଯାଏ ଆକାଶକୁ ଛୁଇଁବା ପାଇଁ ତା ସହିତ ବନ୍ଧୁତା କରିବାପାଇଁ କିନ୍ତୁ ତା ଭିତରେ ପୋଲା ଟିଏ ତଳରୁ ତାଳୁ ପର୍ଯ୍ୟନ୍ତ ରହିଥାଏ । ଠିକ ସେଇଭଳି ମୋ ହୃଦୟରେ ମଧ୍ୟ ଶୂନ୍ୟସ୍ଥାନ ଟିଏ ଆଜି ବି ଅଛି ଜାଣିପାରିଲି । ତାହା ସାଙ୍ଗ ମାନଙ୍କର । ଅଫିସରେ ଆଉକିଛି କାମ କରି ପାରିବି କଣ ଫୋନ ଟାକୁ ଚାହିଁ ରହିଲି କେତେବେଳେ ଟାୱାର ଆସିବ । ବିନା ଟାୱାରରେ ବି ଫୋନରେ କଲ କରିବା ବନ୍ଦକରୁ ନଥାଏ ।
ବାରମ୍ବାର ଫୋନ ଲଗେଇ ଲଗେଇ ମନଟା ଝାଉଂଳି ଗଲା । ସକାଳୁ ମନଟା ଘୁମ ମାରିକି ଥିଲା ପୁଣି ସାଙ୍ଗମାନଙ୍କ ସହିତ କଥା ନ ହୋଇ ପାରିବାରୁ ବିବ୍ରତ ଶତଧିକ ଲାଗିଲା ନିଜର ଭୁଲ ପାଇଁ । କିଛି ସମୟ ପରେ ମୋ ସାଙ୍ଗର ଫୋନ ଆସିଲା । ହଠାତ ଆବେ ତୁ ବଞ୍ଚିଛୁ ,କୋଉଠି କଣ କରୁଛୁ ,ମୁଁ ଜାଣିନି ? ତୁ କହ ମୋତେ କେମିତି ଏତେ ବର୍ଷ ପରେ ମନେ ପକେଇଲୁ । ମୁଁ ଖୁସିରେ ଅନୁଭବ କଲି ମୋ ଆଖିରେ ଲୁହ ଜକେଇ ଆସିଲାଣି । କଣ କରିବି କିଛି କହି ପାରିଲିନି ।ଓଠ ଥର ଥର ହେଉଥାଏ ,ମୁହଁ ରୁ କିଛି ଭାଷା ବାହାରିଲାନି। କାଲୁଆ ହୋଇ ତାର କଥା ଶୁଣୁଥାଏ । ଅନର୍ଗଳ ଗାଳି ଦେଇ ଚାଲିଲା କହିଲା ଏମିତି କୋଉ ଦିନ ନାହିଁ ଯେବେ ତୋ କଥା ଆମେ ମନେ ପକେଇନୁ । ଆମେ ଭାବି ନେଇଛୁ ଅଞ୍ଜନା ଏଇ ପୃଥିବୀରେ ହିଁ ନାହିଁ । ଯାହାହେଉ ତୁ ଆକାଶରେ ନା ମାଟିଭିତରେ ଲୁଚିଥିଲୁ ଆଜି ବାହାରି ଆସିଲୁ ଭଲକଲୁ ତୋ whatsapp ନମ୍ବର ଦେ ମୁଁ ଗୃପରେ ଏଡ କରିଦେବି ,ତତେ ସମସ୍ତେ ଦେଖିଲେ ବହୁତ ଖୁସି ହେବେ । ଆରେ ମୁଁ ତ ଏବେ ଦେବଗଡ଼ରେ ଅଛି । ତୁ କୋଉଠି କଣ କରୁଛୁ କହ । ସେ ଫଟକିନା କହିଲା ତୋ ବାରିପଟରେ । ମୁଁ ତୋ ଠାରୁ ପ୍ରାୟ ୧୦୦ କିମି ଦୂରରେ ରହୁଛି । ତାପରେ ଚାଲିଲା ଅନର୍ଗଳ କଥାବାର୍ତ୍ତା ପ୍ରାୟ ଅଧା ଘଣ୍ଟା । ଅଫିସର ପିଅନ ଆସି ମୋ ସାମ୍ନାରେ କେତେବେଳୁ ଠିଆ ହୋଇଛି ମୁଁ ଜାଣି ପାରିନି । ଡାକିଲା ମ୍ଯାଡାମ ଆପଣ ଖାଇବାକୁ ଯିବେନି କି ? ମୁଁ କାବା ହୋଇ ତାକୁ ଦେଖି ପୁଣି କାନ୍ଥ ଘଣ୍ଟା ଦେଖିଲି ଦେଢଟା ହୋଇଗଲା ମୁଁ କଥା ହେଉଛି । ସାଙ୍ଗକୁ ସନ୍ଧ୍ଯା ବେଳେ କଥା ହେବା କହି ଫୋନ ବନ୍ଦ କଲି ।
ସତରେ ଆକାଶରେ ଉଡୁଥିବା ଗୁଡ଼ି ଅନ୍ୟଦ୍ଵାରା କଟିଯାଇ ଯେମିତି କୋଉଠି ଅଯାଗାରେ ପଡ଼ିଯାଏ ,କେହି ଜାଣିପାରନ୍ତି ନି ,ମୁଁ ସେଇଭଳି ମୋ ସାଙ୍ଗମାନଙ୍କର ଗହଣରୁ କେତେବେଳେ କାଟିଯାଇ ୨୮ ବର୍ଷ ଅନ୍ୟତ୍ର ବିତେଇ ଦେଲି କେହି ମୋତେ ସତ ଚେଷ୍ଟା କରି ମଧ୍ୟ ଖୋଜି ପରିଲେନି । କାରଣ ମୋର ସଠିକ ଠିକଣା ତାଙ୍କ ପାଖରେ ନଥିଲା । କଲେଜ ପରେ ଆଉ ଚାକିରି ପାଇଲା ପରେ ୩ ଜଣ ସାଙ୍ଗଙ୍କ ସହିତ ଚିଠି ପତ୍ର ଚାଲିଥିଲା ତାହାମଧ୍ୟ ସମୟ କ୍ରମରେ କାର୍ଯବ୍ୟସ୍ତତା ଆଉ ମୋର ନିର୍ବୋଧତା କାରଣରୁ ଧିରେଧିରେ ଶିଥିଳ ପଡି ବନ୍ଦ ହୋଇ ଯାଇଥିଲା କୋଉ ଦିନରୁ । ସେ ମୋତେ whatsapp ଗୃପରେ ଏଡ କରି ଦେଲା। କିଏ ମାରିବି,ପିଟିବି,ଚିପିଦେବି ଇତ୍ୟାଦି କହି ତାଙ୍କ feelings ମୋ ସହିତ ସେୟାର କଲେ । ବହୁତ ଦିନରୁ ମୋତେ ଛାଡ଼ି ସେମାନେ ମଧ୍ୟ ମୋର ଅନୁପସ୍ଥିତିକୁ ଜାଣି ଦୁଃଖିତ ଥିଲେ । ତେଣୁ ଯିଏ ଯାହା ଗାଳି ଦେଲା ତାହା ତାଙ୍କର ୱେଲକମ ପ୍ରସ୍ତାବ ବୋଲି ମୁଁ ବିନା ଦ୍ଵିଧାରେ ସବୁ ଶୁଣିଲି । ଏହା ତାଙ୍କର ମୋ ପ୍ରତି ଥିଲା ଅଭିମାନ ବୋଲି ମୁଁ ଜାଣିପାରିଲି । ତାପରେ ରିତିମତ କଥା ହେଲୁ । ମୋର ମନେ ଅଛି ସେଦିନ ମୁଁ chatting କରିକରି ରୋଷେଇ କରିଥିଲି ,ଆଉ ଏଇ ଖୁସିରେ ମୋର ତରକାରୀ ପୋଡ଼ି ଯାଇଥିଲା । ଘର ଲୋକଙ୍କ ପାଖରୁ ପଦେ ଶୁଣିଲି ହେଲେ ଖୁସିରେ ମୋର କିଛିବି reaction ହେଲାନି । ରାତି ଗୋଟାଏରେ ଯାଇ ଆମର କଥା ବନ୍ଦ ହୋଇଛି । ଯାହା ହେଉ ମୁଁ ୨୮ ବର୍ଷର ବନବାସ କାଟି ପୁଣି ସାଙ୍ଗ ମାନଙ୍କ ଗହଣରେ ଆକାଶରୁ ତାରା ଖସିଲା ପରି ସାଙ୍ଗମାନଙ୍କ whatsapp group ରେ ପଡ଼ିଗଲି ।
ସାଙ୍ଗମାନଙ୍କ ସହିତ ଫୋନ ରେ କଥାବାର୍ତ୍ତା Video call ମାଧ୍ୟମରେ କଥା ବାର୍ତ୍ତା ହୋଇ ବିତିଯାଇଥିବା ପିଲା ଦିନର ସବୁ ଖୁସି ମଜା ପୁଣି ଥରେ ଉଜ୍ଜୀବିତ ହେବାର ଅନୁଭବ କଲି। ଜୀବନର ଏଇ ପ୍ରାପ୍ତ ବୟସରେ ମଧ୍ୟ ସ୍କୁଲ ସାଙ୍ଗମାନଙ୍କ ଆବଶ୍ୟକତା ଅଛି । ତାଙ୍କ ସାଙ୍ଗରେ ବିନା ଦ୍ଵିଧରେ ସବୁ କଥା ସେୟାର କରି ହେଉଛି। ମନଟା ଭାରି ହାଲକା ଲାଗୁଛି। ଜାଣିବାକୁ ପାଇଲି ସବୁ ସାଙ୍ଗ ପୁରା ଭାରତରେ ବିଛୁଡିହୋଇ ଯାଇଛନ୍ତି । ଭାରତ ବାହାରକୁ ବି କେତେଜଣ ଚାଲି ଯାଇଛନ୍ତି। କିଛି ଚାକିରି କରୁଛନ୍ତି ଆଉ କିଛି ଗୃହିଣୀ ମଧ୍ୟ । ଯାହାବି ହେଉ ଦିନ ସାରା whatsapp ରେ ସମସ୍ତେ free time ଦେଖିକି ହାଜିରା ପକଉଛନ୍ତି । ବିଭିନ୍ନ ପ୍ରକାର ମଜା କରୁଛନ୍ତି, କେତେବେଳେ ଜୋକ ,ଗୀତ , ପୁଣି ପାଣି ପାଗ ନ୍ଯୁଜ ଏମିତି ଚାଲିଛି କିଛି ଆଦାନ ପ୍ରଦାନ ।ସେଥିରେ ମୋର କବିତା ସମସ୍ତଙ୍କୁ ଆଉଟିକେ ନିଶ୍ଚିନ୍ତ ଭାବରେ ଭାବ ବିହ୍ଵଳ କରିପକାଏ । ତାଙ୍କର ଉତ୍ସାହ ପାଇ ୟା ମଧ୍ୟରେ ମୋର ୨ ଟା କବିତା ସଙ୍କଳନ ବହି ପ୍ରକାଶିତ ହୋଇ ଗଲାଣି । ଯାହାକି ସ୍କୁଲ ଟାଇମ ରୁ ଧରି ଲେଖି ଆସିଥିଲି ।
ଏମିତି ଏବେ କୋଉ ସାଙ୍ଗର କିଛି problems ଆସିଲେ ସମସ୍ତେ ନିଜର ଉଚିତ ମତାମତ ଦିଆ ନିଆ ଚାଲିଛି ।ମୁଁ ଅନୁଭବ କରି ପାରୁଛି ମୋ ମନଟା /ହୃଦୟଟା ପୁରିଲା ପୁରିଲା କାହିଁକି ଲାଗୁଛି । ଯେତେ ବ୍ୟସ୍ତ ଥିଲେ ମଧ୍ୟ ସାଙ୍ଗମାନଙ୍କ ସହିତ ଦିପଦ କଥା ହୋଇ ମନ ହାଲକା ଲାଗୁଛି। ନିଶ୍ଚିତ ଭାବରେ ବିତି ଯାଉଛି ଦୈନିକ ଜୀବନର ତମାମ –ସବୁ ସମୟ ।