Anjana Naik,Deogarh

Drama

4.0  

Anjana Naik,Deogarh

Drama

ଘର ମୁହାଁ ଦୌଡ଼

ଘର ମୁହାଁ ଦୌଡ଼

4 mins
171



 ମୁଁ ବୁଦ୍ଧିଜଣା ହେଲା ବେଳଠୁ ଦେଖି ଆସିଛି ସ୍କୁଲ ମାନଙ୍କରେ ସବୁଦିନେ ଛୁଟି ଘଣ୍ଟା ବାଜିଲା ମାତ୍ରକେ ବହି ବସ୍ତାନି ଧରି ଦୌଡ଼ିବା ,ବଡ଼ କୌତୁହଳ ଲାଗେ ମୋତେ ସେଇ ଛୁଟି ଘଣ୍ଟା ବାଜିବା ସମୟରେ ଦୌଡ଼ିବାର ଦୃଶ୍ୟ ଦେଖିବା ପାଇଁ । ବର୍ଷା ଋତୁରେ ଯେମିତି ଖରା ଟିକେ ପାଇଗଲେ ଝଡ଼ି ପୋକ ମାନେ ଉଈ ହୁଙ୍କାରୁ ବାହାରିବା ପାଇଁ ଠେଲା ପେଲା ହୁଅନ୍ତି ଆଉ ଏକା ବେଳକେ ଛୋଟ ଛୋଟ କଣାକୁ ଫଟେଇ ମେଞ୍ଚା ମେଞ୍ଚା ହୋଇ ବାହାରି ଯାଆନ୍ତି ଆଉ ଆକାଶଟା ଝଡ଼ି ପୋକରେ ଧୂଆଁଳିଆ ହୋଇଯାଏ ।  ସେମିତି ପିଲା ଗୁଡାକ ଛୁଟି ଟାଇମ ହେବାର ୫ ମିନିଟ ଆଗରୁ ବ୍ଯାଗ ଧରି କ୍ଲାସ ରୂମ ଦୁଆରବନ୍ଧ ପାଖରେ ଠିଆ ହୋଇଥିବେ ଠିକ ସେଇ ଭଳିଆ ଅସ୍ତ ବ୍ୟସ୍ତ ହୋଇ ବାଡ଼ିଆ ବାଡ଼ି ହୋଇ ପ୍ରତ୍ଯେକ କ୍ଲାସ ରୁମ ରୁ ଛୁଆ ଗୁଡାକ ପିଚକାରୀ ମାରିଲା ବେଳର ପ୍ରେସର ପରି ଫିଙ୍ଗି ହୋଇ କ୍ଲାସ ରୁମରୁ ଗେଟ ପର୍ଯ୍ୟନ୍ତ ବିଛେଇ ହୋଇ ଯାଆନ୍ତି ,ଗୋଧୂଳି ବେଳରେ ଗାଈଗୋଠ ଫେରନ୍ତା ଧୁଳି ଉଡ଼ିଲା ପରି । ପୁଣି କିଛି ସମୟ ପରେ ସ୍କୁଲ ରହି ଯାଏ ଏକୁଟିଆ ଅପନ୍ତରା ହୋଇ ତାଲା ବନ୍ଦ ପରିସର ମଧ୍ୟରେ । ସନ୍ଧ୍ଯା ସମୟଟା ତ ଆଖପାଖର ଲୋକ ଗହଳିରେ କଟିଯାଏ  ପୁଣି ସେ ମଧ୍ୟ ରାତିର ପ୍ରହର ଗଣୁଥାଏ ତାରା ମାନଙ୍କ ସହିତ, କେତେବେଳେ ସକାଳ ହେବ ଆଉ ତା କୋଳ ପୁରି ଉଠିବ ଛୁଆ ମାନଙ୍କ କୋଳାହଳରେ ।


 ଦଶହରା ଛୁଟି ଆଉ ଗ୍ରୀଷ୍ମ ଛୁଟି କଥା କ'ଣ କହିବା ,ଏଇ ଛୁଟିରେ ତ ପିଲାମାନେ ମାମୁଁ ଘର ୟାଡ଼େ ସିୟାଡ଼େ ବୁଲି ବୁଲି ସ୍କୁଲ କଥା ଭୁଲି ଯାଇଥାନ୍ତି ,ସ୍କୁଲ ଆଉ ପିଲାମାନଙ୍କ ମଧ୍ୟରେ ସମ୍ପର୍କରେ ଗୋଟେ ଦୂରତା /ଫାଟ ସୃଷ୍ଟି ହୋଇଯାଇଥାଏ । ପିଲାମାନଙ୍କୁ ଝୁରି ଝୁରି ସ୍କୁଲ ଶ୍ରୀହୀନ ଦିସୁଥାଏ ,ସ୍କୁଲ ଖୋଲି ଗଲେ ପିଲାଙ୍କ ସ୍ପର୍ଶ ପାଇ ପୁଣି ଜିଇଁ ଉଠେ ଚନ୍ଦ୍ରର କିରଣ ପାଇ ପଦ୍ମ ଫୁଲ ଯେମିତି ଫୁଟି ଥାଏ । ଯଥା ରୀତି ପୁଣି ଚାଲେ ଦୈନନ୍ଦିନ ଧାଆଁ ଦୌଡ଼ର ଜୀବନ ।


         ସେଇ ସ୍କୁଲ ସମୟରେ ମୁଁ ଅନୁମାନ କରିଛି ପ୍ରତ୍ଯେକ ଦିନର ଦୌଡ ପ୍ରତିଯୋଗୀତାକୁ । ବହୁତ କୌତୁହଳ ଲାଗେ ଏଇ ଦୌଡ଼ କଥା ମନେପକେଇ ହସିବାକୁ ,ମୁଁ ଦୌଡ଼ିବା ବେଳେ ଠେଲା ପେଲା ରେ ଛନ୍ଦି ହୋଇ ଯେତେ ଥର ପଡିଛି ସେତିକି ଥର ପଡ଼ିବାର ନୂଆଁ ଅନୁଭୂତି ପାଇଛି । ଯେମିତିକି ମୁଁ ହାଇ ସ୍କୁଲରେ ପଢିଲାବେଳ ପ୍ରତ୍ଯେକ ଦିନ ମୋର କିଛି ସାଙ୍ଗ ମାନେ ଦୌଡ଼ନ୍ତି ସ୍କୁଲ ଗେଟ୍ ଆଗ ଅତିକ୍ରମ କରିବା ପାଇଁ । ଲାଷ୍ଟ କ୍ଲାସ ସରିବାକୁ ୧୦ ମିନିଟ ଥିବ ବହି ଖାତା ଯାବତୀୟ ଜିନିଷ ସବୁ ବ୍ଯାଗରେ ସଜା ହୋଇ ସାରିଥିବ। ଶେଷ କ୍ଲାସ କରିବାକୁ ଇଚ୍ଛା ନଥାଏ କାହାର ।କେମିତି ଘଣ୍ଟା ବାଜିବ ତାର ଅପେକ୍ଷାରେ ଥାଉ। ଆମ ବେଳକୁ ଏମିତି ପିଠିରେ ବହି ବ୍ଯାଗ ବୋହୁ ନଥିଲୁ ପ୍ରାୟ ସାଙ୍ଗ ଗାନ୍ଧୀ ବ୍ଯାଗ ଧରୁଥିଲୁ ଯେଉଁଟା କି ଏପଟ କାନ୍ଧରୁ ଛନ୍ଦି କି ଆରପଟ ଅଣ୍ଟାରେ ବହିର ଭାରଟା ପଡ଼େ । ଦୌଡ଼ିବାରେ ବହୁତ ସହଜ ହୁଏ । ଏବେ ତ ପିଠିରେ ବୋହୁ ଛନ୍ତି ।ଯାହା କି ଭାରସାମ୍ୟ ରକ୍ଷା କରି ପାରୁନି। ଛୁଆ ମୁହଁମାଡ଼ି ପଡ଼ି ଯାଉଛନ୍ତି । ମୁଁ ବି ଦୌଡ଼ିଛି କିଛିଦିନ । ଯେମିତି ଦୌଡ଼ିବାର ସଠିକ କାରଣ ଜାଣିଲି ସେଇ ଦିନଠୁ ଦୌଡ଼ିବା ବନ୍ଦ କରିଦେଲି । 


     ସବୁ ସାଙ୍ଗ ମାନଙ୍କୁ ପଚାରିଛି ଦୌଡିବାର ସମସ୍ତେ ଅଲଗା ଅଲଗା କାରଣ ବତେଇଛନ୍ତି। ଜଣେ କହିଲା ମୋତେ ଛୁଟି ବେଳକୁ ଭାରି ଭୋକ ଲାଗେ ତେଣୁ ଦୌଡ଼େ ଘରକୁ ଶୀଘ୍ର ପହଞ୍ଚି ପଖାଳ ଖାଇବାକୁ । ଦ୍ୱିତୀୟ ଜଣକ କହିଲା ମୋ ଘର ଦୂରରେ ଅଛି ତେଣୁ ମୁଁ ଘରେ ଶୀଘ୍ର ପହଞ୍ଚିବାକୁ ଦୌଡ଼େ । ତୃତୀୟ ଜଣକ କହିଲା ଟିଭିରେ ତାର ପସନ୍ଦର ଧାରାବାହିକ ଦେଖିବାକୁ ସେ ଦୌଡ଼େ । ଆଉ ଚତୁର୍ଥ ଜଣକ କହିଲା ମୁଁ ଘରେ ପହଞ୍ଚି ଖେଳିବାକୁ ଯିବି ବୋଲି ଦୌଡ଼େ । ପଞ୍ଚମ ଜଣକ କହିଲା ମୋର ଟିଉସନ୍ ଯିବାକୁ ଥାଏ ତେଣୁ ଦୌଡ଼େ । ଷଷ୍ଠ ଜଣକ କହିଲା ମୋତେ ରୋଷେଇ କରିବାର ଥାଏ ତେଣୁ ଦୌଡ଼େ । ସପ୍ତମ ଜଣକ କହିଲା ସ୍କୁଲ ଗେଟ୍ ରୁ ମୁଁ ବାହାରିବାରେ ପ୍ରଥମ ହେବି ବୋଲି ଦୌଡ଼େ । ଅଷ୍ଟମ ଜଣକ କହିଲା ମୋତେ ଭାରି ଥକ୍କା ଲାଗେ ,ଘରେ ପହଞ୍ଚି ଘଣ୍ଟାଏ ଶୋଇବା ପାଇଁ ହିଁ ଦୌଡ଼େ । ଏମିତି ଅନେକ କାରଣ ଯେମିତି ମୁଁ ଶୁଣିଲି , ମୁଁ ନିଜକୁ ନିଜେ ପଚାରିଲି -ମୁଁ କାହିଁକି ଦୌଡ଼େ ? ଉତ୍ତର ଶୂନ୍ୟ , ବହୁତ ଅନୁଧ୍ୟାନ କରି ଶେଷରେ ବୁଝି ପାରିଲି ମୁଁ ମୋ ସାଙ୍ଗ ମାନେ ଦୌଡନ୍ତି ବୋଲି ଦୌଡ଼େ । ନହେଲେ ପଛରେ ରହିଲେ ଏକୁଟିଆ ଘରକୁ ଯିବାକୁ ପଡ଼ିବ, ଯାହାକି ମୁଁ ଆଦୌ ପସନ୍ଦ କରେନି । କାରଣ ବିଳମ୍ବରେ ଗଲେ ମୋ ମାଆ ଗାଳି ଦେବ । ମୋ ମାଆ ମୋର ଫେରିବା ବାଟକୁ ଠିକ ସମୟରେ ଘରୁ ବାହାରି ଦୁଆରରେ ଏପଟ ସେପଟ ହେଉଥାଏ ମୋର ନ ଯିବା ପର୍ଯ୍ୟନ୍ତ । ଠିକ ସମୟରେ ନ ପହଞ୍ଚିଲେ କେବେ କେବେ ଗାଳି ତ କେବେ ମାଡ଼ ବି ପଡିଛି । ସେଇଥିପାଇଁ ମୁଁ ମୋର ସାଙ୍ଗ ପଲ ସହିତ ଦୌଡ଼ିଥାଏ ପ୍ରତିଦିନ।


      ଏଇ କଥା ମୋତେ ଜାଣିବାକୁ ବହୁତ ସମୟ ଲାଗିଲା । ଯେତେବେଳେ କଲେଜ ଗଲି ଦେଖିଲି ସେଠାରେ ଛୁଟି ଘଣ୍ଟାର ପ୍ରଶ୍ନ ନାହିଁ ,କେବଳ କ୍ଲାସ ଘଣ୍ଟା ହିଁ ବାଜିଥାଏ । ସେତେବେଳେ ଦୌଡ଼ିବାର ବିଶେଷ କାରଣ ନାହିଁ । ଆଉ କ୍ଲାସ ଗୁଡିକ ବିଭିନ୍ନ ସମୟରେ ହୋଇଥାଏ ,ମଝିରେ ମଝିରେ ଗ୍ୟପ ମଧ୍ୟ ମିଳିଯାଏ, ଗୁପ୍ ଚୁପ-ଚାଟ ଖାଇବାପାଇଁ । ତା ଭିତରେ ଗୁଲିଗପ, ଖେଳ, ମାର୍କେଟିଙ୍ଗ, ସାଙ୍ଗମାନଙ୍କ ସହିତ ଫୋଟୋ ଉଠା ସବୁ ହୋଇଯାଏ । ତେଣୁ ଘରକୁ ସଠିକ ସମୟରେ ଦୌଡ଼ି ବାର କାରଣ ନାହିଁ ।


    କିନ୍ତୁ ଆଜିକା ଯୁଗର ଦୌଡ଼ ମୁଁ ଦେଖୁଛି, ପିଲା ମାନେ ବିଶେଷ କରି ମୋବାଇଲ ସ୍ମାର୍ଟ ଫୋନ୍ ଆଉ ଭିଡିଓ ଗେମ୍ ପାଇଁ ଦୌଡୁଛନ୍ତି । 


   ଆଉ ଏଇ ୨୦୨୦ ମସିହା ମାର୍ଚ୍ଚ ମାସ ଠାରୁ ଜାଣିବାକୁ ପାଇଲି ବିଦେଶରୁ କିଛି ଲୋକ ନିଜ ଗାଆଁ ମୁହାଁ ଦୌଡୁ ଛନ୍ତି, ଟଙ୍କା ଲୋଭରେ ବର୍ଷ ବର୍ଷ ଧରି ଯୋଉ ମାନେ ଗାଁ ଛାଡ଼ି ମାଆ ବାପା ,ସବୁ ସମ୍ପର୍କକୁ ପାସୋରି ବିଦେଶ ର ନାଗରିକତ୍ଵ ଗ୍ରହଣ କରି ଏକାନ୍ନବର୍ତ୍ତୀ ପରିବାର ଗଢି ମଉଜ ମଜଲିସ ରେ ରହୁଥିଲେ “କୋଭିଡ଼-19 ଭୂତାଣୁର ଡ଼ରରେ, କାଳେ କୋରୋନା ହୋଇଯିବ” ବାହାରେ ଜୀବନ ଚାଲିଯିବ, ସେ ଡ଼ରରେ ବର୍ତ୍ତମାନ ସଂଯୁକ୍ତ ପରିବାରରେ ଗାଆଁରେ ବାସ କରୁଛନ୍ତି । ନିଜର ଜମି ଚିହ୍ନି ନାହାନ୍ତି ଅଣ୍ଟା ଭିଡ଼ିଲେଣି ଜମିରେ ଚାଷ କରିବାକୁ । 


     ଏହା ଶୁଣି ବହୁତ ଖୁସୀ ଲାଗୁଛି । ବିଭିନ୍ନ ପ୍ରକାରର ଧାନ ବିହନ, ଚାଷ ସାମଗ୍ରୀ କିଣିବାର ଯୋଜନା କରିଲେଣି, ବିଦେଶୀ ଚିକେନ ଛାଡ଼ି ଦେଶୀ କୁକୁଡା ଚାଷ ଆଉ ପନିପରିବା ଚାଷ କରିଲେଣି , ଗଡ଼ିଆ/ପୋଖରୀ ଖୋଳିଲେଣି, ସମୁଦ୍ର ମାଛ ଖାଇବା ଛାଡ଼ି, ପୋଖରୀରେ ମାଛ ଚାଷ କରିବାର ବ୍ୟବସ୍ଥା କରିଲେଣି । ବୁଝି ପାରିଲି ମଣିଷ ରୂପୀ ଏଣ୍ଡୁଅର ଦୌଡ଼ ବାଡ଼ରେ ପୋତା ହୋଇଥିବା ମେରହା (ଖୁଣ୍ଟର ) ଅଗ ପର୍ଯ୍ୟନ୍ତ । ପୁଣି ତଳକୁ ୱାପସି । 

 

  ଯାହାବି ହେଉ ଏଇ “ଘର ମୁହଁ ଦୌଡ଼” ରେ ବୁଢା ମାଆ -ବାପା ମାନେ ବହୁତ ଖୁସି କିଛି ଦିନ ତାଙ୍କର ଘର ପୁଅ-ବହୁ, ନାତି-ନାତୁଣୀରେ ଭରି ଯାଇଛି । ପୁରା ଫାମିଲିକୁ ଏଇ “କୋରନା” ଏକତ୍ରିତ କରିଦେଲା । ମଣିଷ ଭାବନା ବି ବଡ଼ ବିଚିତ୍ର । ଏବେ ଅଳ୍ପରେ ସମସ୍ତେ ନିଜର ନିଜର ଖୁସୀ ଖୋଜି , ସନ୍ତୁଷ୍ଟ ହେବା ପାଇଁ ଚେଷ୍ଟା କରୁଛନ୍ତି । ଯୋଉ ଘରର ଛପର ଉଡ଼ି ,କାନ୍ଥ ଭାଙ୍ଗି ଠିଆମେଲା ହୋଇ ଶ୍ମଶାନ ଭଳିଆ ଦିଶୁଥିଲା ତାହା ସୁନ୍ଦର ଘର,ସ୍ବର୍ଗ ଠାରୁ ମଧ୍ୟ ସୁନ୍ଦର ହୋଇଗଲାଣି । ସେଇଠି ବାସ କରି ମଣିଷ ସୁଖ ସଂସାର ଗଢିବାର ସ୍ଵପ୍ନ ଦେଖୁଛନ୍ତି । ଆଉ ନିଜ ଗାଆଁ ମାଟି  ଲୋକଙ୍କ ଗହଳିରେ ହସି ଉଠିଲାଣି । 


Rate this content
Log in

Similar oriya story from Drama