Satyabati Swain

Fantasy

4  

Satyabati Swain

Fantasy

ମୋ ବର କିଏ?

ମୋ ବର କିଏ?

3 mins
284


ଶରୀରରୁ ଆତ୍ମା,ଦେଉଳରୁ ଦିଅଁ କାଢି କେହି ଦେଇ ପାରିବେ କି ?


  କିନ୍ତୁ ଅଡ଼ି ବସିଛି ପିଲାଟି ସେ ମୂର୍ତ୍ତି ନେବ ହିଁ ନେବ ।


ବିସ୍ମିତ ଚକିତ ସାଧୁ ମହାଶୟ।ଏଡ଼େ ଟିକେ ପିଲାର ଏକା ଜିଦ୍! ମୂର୍ତ୍ତିକୁ ନେବ ବୋଲି।ରାଜପ୍ରାସାଦକୁ ଆସିଥିଲେ ଜଣେ ସାଧୁ ହାତରେ କୃଷ୍ଣ କେଶବଙ୍କ ମୂର୍ତ୍ତି ଧରି।ରାଣୀ ଆତିଥ୍ୟ ଗ୍ରହଣ କରି ସେବା କରିବାକୁ ଅବସର ପ୍ରଦାନ କରିବାକୁ ଆବେଦନ କରିଥିଲେ। ସେତିକି ବେଳେ ପିଲାଟି ସାଧୁଙ୍କ ଠାରୁ ସେ ମୂର୍ତ୍ତିଟି ନେବାକୁ ଅଲି ସହ ଜିଦ୍ ବି କରିଥିଲା।


  କିନ୍ତୁ ସାଧୁ କେମିତି ଦେଇ ପାରିବେ ତାଙ୍କର ଆରାଧ୍ୟ ପ୍ରାଣ ଧନ ଯେ ସେଇ ମୂର୍ତ୍ତି ! ସାରା ଜୀବନର ପୁଞ୍ଜି ସେ।ମନା କରିଦେଲେ।ଶରୀରରୁ ଆତ୍ମା,ଦେଉଳରୁ ଦିଅଁ କାଢି କେହି କାହାକି ଦେଇ ପାରିବେ କି ? ରାତିରେ କିନ୍ତୁ ସେଇ ମୂର୍ତ୍ତି ନିଜେ ହିଁ ଆସି ନିର୍ଦ୍ଦେଶ ଦେଲେ ମୋତେ ନେଇ ସେ ପିଲାଟି ପାଖରେ ଛାଡ଼ିଆସ। ମୁଁ ତା ପାଖରେ ରହିବାକୁ ଚାହେଁ। ସାଧୁ ଚକିତ।ଅବିଶ୍ଵସନୀୟ ହେଲେ ଏହା ଯେ ପ୍ରଭୁଙ୍କ ଆଦେଶ।ତାଙ୍କୁ ପାଳିବାକୁ ପଡିଲା। ସେ ସେଇ ମୂର୍ତ୍ତିକୁ ନେଇ ପିଲାଟିକୁ ଦେଇ ଆସିଲେ।


   ଆଉ ଦିନକର ଘଟଣା। ରାଜପଥରେ ଏକ ବର ବାହା ହେବକୁ ବାଣ ରୋଷଣୀ ଫୁଟେଇ ଯାଉଥିଲେ।ଏ ଦୃଶ୍ୟ ଦେଖି ପିଲାଟି ମାଆଙ୍କୁ ପଚାରିଲା, ମାଆ ମୁଁ କେବେ ବାହା ହେବି ? ମୋ ବର କିଏ ? ପିଲାଳିଆମୀ ଦେଖି ସମସ୍ତେ ହସି ଦେଇ ଅଣ ଦେଖା କଲେ ତା କଥାକୁ। କିନ୍ତୁ ସେ ନଛୋଡବନ୍ଦା।କୁହ ମୋ ବର କିଏ ? ମାଆ ପିଲାଟିକୁ ଶାନ୍ତ କରିବାକୁ ଯାଇ ଏମିତି ଗୋଟେ ଖିଆଲରେ କହି ଦେଲେ ତୋ ବର କୃଷ୍ଣ।


   କୃଷ୍ଣ ! ଯାହାକୁ ତୁମେ ନିତି ପ୍ରତି ପୁଜୁଛ ? ଏଇ ତୁମ ଠାକୁର ମୋ ବର ! ମୋର ବର କୃଷ୍ଣ ,ମୋ ବର କୃଷ୍ଣ କହି ମହାଖୁସିରେ କୋଳେଇ ଧରିଲା ଗିରିଧର ଗୋପାଳଙ୍କୁ ପିଲାଟି।


    ଅଦ୍ଭୁତ କୃଷ୍ଣ ପ୍ରେମ ପାଗଳିନୀ ଥିଲେ ଏଇ ପିଲାଟି । ପିଲାଦିନୁ କୃଷ୍ଣ ପ୍ରେମରେ ବାଉଳି।ରାଜପୁତ ଅଲିଅଳୀ ରାଜକୁମାରୀ ଏଇ ପିଲାଟିର କୃଷ୍ଣଙ୍କ ପ୍ରତି ଅଗାଧ ଭକ୍ତି ପ୍ରେମ ବିଚିତ୍ର ବିରଳ ବି। ସେ ଥିଲେ ଅଶ୍ରୁତପୂର୍ବ ପ୍ରେମଭକ୍ତିର ଗଙ୍ଗାଟିଏ । ବଡ଼ ହୋଇ ହେଲେ କାମିନୀ କୁଳର ଶ୍ରେଷ୍ଠା।ଅତ୍ୟନ୍ତ ରୂପବତୀ,ଗୁଣବତୀ ଓ ଜଣେ ବିଚକ୍ଷଣବିଦୁଷି ରାଜକୁମାରୀ ସେ।ଭୋଗ ,ଐଶ୍ୱର୍ଯ୍ୟ, ପ୍ରାଚୁର୍ଯ୍ୟ ଲାଳସା ନ ଥିଲା ତାଙ୍କର।


  ସାହିତ୍ୟ ପ୍ରତି ଆସକ୍ତି,ସଙ୍ଗୀତ ପ୍ରତି ଅନୁରାଗ, କୃଷ୍ଣଙ୍କ ପ୍ରତି ସମର୍ପିତ ମନ,ଶରୀର, ବୟସ ଏବଂ ସାରା ଜୀବନ,ଦାନୀ, ଦୟା,କ୍ଷମା, ଧର୍ମ,ସତ୍ୟର ସେ ଏକ ଜୀବନ୍ତ କଣ୍ଢେଇ ଥିଲେ। ଶାଶ୍ୱତ ,ସ୍ୱାର୍ଥ ରହିତ ଦେହାତୀତ ନିରାକାର କୃଷ୍ଣ ପ୍ରେମକୁ ପ୍ରେମ କରୁଥିଲେ ସେ। ନିଜକୁ ଅର୍ଘ୍ୟ କରି କୃଷ୍ଣ ଙ୍କ ଚରଣ ତଳେ ବାଢି ଦେଇ ଇଡ଼ି ହୋଇ ଯାଉଥିଲେ। ସେ ଥିଲେ ସମ୍ପୁର୍ଣ୍ଣ

କାୟ ମନୋବାକ୍ୟରେ କୃଷ୍ଣ ମୟ ।


     ଅତି କମ ବୟସରୁ ସେ ନିଜ ମାଆ ଙ୍କୁ ହରେଇ ମାତୃ ହରା ହୋଇଥିଲେ। ସେତେବେଳେ ଆମ ସମାଜରେ ବାଲ୍ୟ ବିବାହ ପ୍ରଥା କାୟା ବିସ୍ତାର କରି ଥିଲା। ଏଣୁ ତାକୁ ପିଲା ବୟରେ ମେବାରର ରାଜା ଭୋଜରାଜଙ୍କୁ ବିବାହ କରେଇଦିଆ ଯାଇଥିଲା ତାଙ୍କ ଅନିଚ୍ଛା ସତ୍ତ୍ୱ। ସେ ଜାଣିଥିଲେ କୃଷ୍ଣଙ୍କୁ ବହୁ ଆଗରୁ ବୋଧେ ମାଆ କହିବା ପିଲାଦିନୁ ବିବାହ କରିସାରିଥିଲେ। ସ୍ୱୟଂ ଜଗତ କର୍ତ୍ତା ଯାହାର ସ୍ୱାମୀ ସେ ଆନ ସ୍ୱାମୀ ଲୋଡନ୍ତେ କି ?


  ମେବାରକୁ ଗଲାବେଳେ ସାଙ୍ଗରେ ସେ ନେଇ ଯାଇଥିଲେ କୃଷ୍ଣ କହ୍ନେଇଙ୍କୁ।ଯାହା ଚକ୍ଷୁଶୀଳର କାରଣ କରିଥିଲା ତାଙ୍କୁ।ଦୁଷ୍ଟା ନଣନ୍ଦ ଲଗେଇ ଝଟେଇ କହୁଥିଲା ଅନ୍ୟମାନଙ୍କୁ। ଭୋଜରାଜଙ୍କ ସାନ ଭାଇ ଦୁଇ ଆଖିରେ ଦେଖି ପାରୁ ନ ଥିଲେ କୃଷ୍ଣଙ୍କ ସହ ତାଙ୍କ ଲୀଳା ଖେଳା। ସେ ଏକ ତାରା ହେଉ କି ତାନପୁରା ଧରି ଯେତେବେଳେ କୃଷ୍ଣ ଭକ୍ତିରେ ଲୀନ ହୋଇ ଯାଆନ୍ତି ତାଙ୍କୁ ବାହ୍ୟ ସଂସାରର କୌଣସି କାଇଦା କଟକଣା କି ଆକ୍ଷେପ ବା ଗଞ୍ଜଣା କିଛି ଅନୁଭବ ହୁଏନା।

  

   ଏଇ ଅଲୌକିକ ଭକ୍ତି ରସରେ ନିମଗ୍ନା କୃଷ୍ଣ ପ୍ରେମଭକ୍ତି ପାଗଳିନୀ ବିଦୁଷି ମହିଳା ଜଣଙ୍କ ଥିଲେ ରାଜପୁତ ରାଜକୁମାରୀ "ମୀରା ବାଈ"।


    ମୀରାବାଈ ଭୋଜରାଜଙ୍କ ଅପେକ୍ଷା ବେଶୀ କୃଷ୍ଣ ହିଁ ତାଙ୍କ ସ୍ବାମୀ ବୋଲି ଜାଣିଥିଲେ।ଏଣୁ ବନ୍ଦ କବାଟ ସେ ପାଖେ ସେ ଭୋଜଙ୍କର ଅଙ୍କଶାୟିନୀ ନ ହୋଇ ଗିରିଧର ଗୋପାଳଙ୍କ ଭଜନ ଗାୟନ କରି ହଜୁଥିଲେ କୃଷ୍ଣଙ୍କ ମଧ୍ୟରେ। ଭୋଜ ମନ ଊଣା କଲେ ମଧ୍ୟ ନିରବ ସ୍ୱୀକୃତି ଦେଉଥିଲେ କୃଷ୍ଣ ପ୍ରେମରେ ମଗ୍ନ ହେବା ପାଇଁ।କିନ୍ତୁ ବିଧି ବାମ ହେଲା।ଭୋଜରାଜଙ୍କ ମୃତ୍ୟୁ ହୋଇଗଲା।ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଙ୍କୁ ସେ ସମୟରେ ଜୀବନ୍ତ ଦଗ୍ଧ କରାଯାଇ ସତୀ କୁହା ଯାଉଥିଲା। ଉତ୍କଟ ଥିଲା ସତୀଦାହ ପ୍ରଥା । 


   ମୀରା ବାଈ ଏ ପ୍ରଥାକୁ ଅବମାନନା କରି କହିଥିଲେ, ଶ୍ରୀକୃଷ୍ଣ ତ ମୋ ବର । ସେ ପରା ମୋ ପାଖରେ ଅଛନ୍ତି ; ବିଧବା କାହା ପାଇଁ ହେବି ?ଏହା ବି ଅନ୍ୟମାନଙ୍କ ପାଖରେ ତାଙ୍କୁ ରୋଷର କାରଣ କରିଥିଲା।ତାପରେ ଭୀଷଣ କଷଣ ଜୀବନ ଆରମ୍ଭ ହେଲା ମୀରାଙ୍କର। ତାଙ୍କୁ ମନ୍ଦିର ଯାଇ କୃଷ୍ଣ ଭଜନ ଗାୟନ କରିବାକୁ ବାରଣ କରାଗଲା। ରାଜବଂଶର ଅମର୍ଯ୍ୟାଦା ହେଉଥିବାରୁ ବାରମ୍ବାର କେବେ ପାଣିରେ ବୁଡାଇ ତ କେବେ ବିଷ ପିଆଇ ମାରିବା ଉଦ୍ୟମ କରିଥିଲେ ଭୋଜରାଜାଙ୍କ ସାନ ଭାଇ ମୀରାଙ୍କୁ।କିନ୍ତୁ ପ୍ରତିଥର ସେ ବଞ୍ଚି ଯାଉଥିଲେ।

   

 ବିଷ ବି ଅମୃତ ପାଲଟି ଯାଇଥିଲା।

    

    କୁହାଯାଏ ବୃନ୍ଦାବନ ଧାମରେ ସେ ସନ୍ୟାସିନୀ ହୋଇ ସମଗ୍ର ବିଶ୍ୱକୁ କୃଷ୍ଣ ପ୍ରେମରେ ହଜିବା ଶିଖେଇଥିଲେ। ଶେଷରେ ସେହିଠାରେ ଧ୍ୟାନ ରତ ଥିଲା ବେଳେ ପ୍ରେମଭକ୍ତି ରସର ମାନବୀ ଦେବୀ କୃଷ୍ଣ ଦେହରେ ବିଲୀନ ହୋଇ ଯାଇଥିଲେ । ଆତ୍ମା ବିଲୀନ ହୋଇ ଯାଇଥିଲା ପରମାତ୍ମାଙ୍କ ସହ।



Rate this content
Log in

Similar oriya story from Fantasy