Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Aminilu Ray

Romance Tragedy

2.4  

Aminilu Ray

Romance Tragedy

ମନର ମଣିଷ

ମନର ମଣିଷ

6 mins
686



ଗାଁ’ମୁଣ୍ଡରେ ଥିବା ରାଧାକୃଷ୍ଫ ମନ୍ଦିରକୁ ଲାଗି ଛୋଟ ଚାଳଘରଟା ହେଉଛି କେଶବ ପ୍ରଧାନର । ଛପର ମଝିରୁ ମଝିରୁ ଉଡିଗଲାଣି । ଆଜିକୁ ୨/୩ବର୍ଷ ହେବ ଛପର ହେଇନି । ବର୍ଷା ହେଲେ ଘର ଭିତରେ ଆଣ୍ଠୁଏ ପାଣି । ଘରେ ସ୍ତ୍ରୀ ଓ ଛୋଟ ଛୋଟ ଦୁଇଟି ପିଲାଙ୍କୁ ନେଇ ତା’ ପରିବାର । ପୂର୍ବ ପୁରୁଷର ଏଇ ଭିଟାମାଟି ଖଣ୍ଡିକ ଛାଡିଦେଲେ ତା’ର ଆଉ କିଛି ନାହିଁ । ସେ ପର ଘରେ ମୂଲ ମଜୁରି ଲାଗି ଯାହା ଦି’ପଇସା ପାଏ, ତାହା ପୁ’ଣି ସମୁଦ୍ରକୁ ଶଙ୍ଖେ । ପ୍ରତିଦିନ ଡାଲି, ଚାଉଳ, ତେଲ, ଲୁଣ କିଣା ସାଙ୍ଗକୁ ଔଷଧପତ୍ର ଓ ପିଲାମାନଙ୍କର ପଢାପଢି ଖର୍ଚ୍ଚ, ତାକୁ ବେଳେବେଳେ ବେଶୀ ଅସୁବିଧାରେ ପକାଏ । ବିଚରା ଶେଷରେ ଅଣନିଶ୍ୱାସୀ ହେଇପଡେ ।            

 

କେଶବ ଭାବେ - ଦରିଦ୍ର କୁଳରେ ଜନ୍ମ ହେବା କ’ଣ ପାପ ? ଯେଉଁଠି କିଛି ସୁଖ ନାହିଁ କି ଶାନ୍ତି ନାହିଁ । ରାତି ପାହିଲେ କାମ ଆଉ କାମ । ଧନୀ ଲୋକଙ୍କୁ ଦେଖିଲେ ସେ ନିଜକୁ ଧିକ୍କାର କରେ । ତାଙ୍କ ପିଲାପିଲିଙ୍କୁ ଦେଖି, ସିଏ ତା ନିଜ ପିଲାଙ୍କ କଥା ମନେ ପକାଇ ଦୁଃଖ କରେ । ସତରେ ତା ପିଲାମାନେ କେତେ ଅବହେଳିତ ? ପିଲାଏ ଭଲ ଖାଇବାକୁ, ପିନ୍ଧିବାକୁ ଚାହୁଁଥିଲେ ବି ସେ ଦେଇପାରେନି । ପୁନେଇଁ ପରବରେ ସ୍ତ୍ରୀ’କୁ ଖଣ୍ଡେ ସସ୍ତା ଶାଢୀ ପିନେ୍ଧଇବାକୁ ତା’ ପାଖରେ ପଇସା ନଥାଏ ।             

 

ଦିନ ପରେ ଦିନ ଗଡି ଚାଲେ । ଦିନେ କେଶବ ବଡିଭୋ’ରୁ ଚୁଲି ମୂଳେ ବସି ଚା’ ପିଉଚି, ହଠାତ୍ ଗୋଟେ ଗାଡି ଆସୁଥିବାର ଶବ୍ଦ ଶୁଣି, ସେ ବାହାରକୁ ଯାଇ ଦେଖେ ତ – ଚାରି ଜଣ ଧୋବଧୋବଳିଆ ବଡବାବୁମାନେ ଗାଡିରୁ ଓହ୍ଲାଉଛନ୍ତି । ସେମାନଙ୍କୁ ଦେଖି ଗାଁ’ର କିଛି ଲୋକ ସେଠାରେ ରଣ୍ଡ ହେଉ ହେଉ, ସ୍ମିତ ହସଟିଏ ହସି ଏଥର ବଡବାବୁ ଜଣକ କହିଲେ – “ଆମେ ଆପଣମାନଙ୍କୁ ସାହାଯ୍ୟ କରିବାକୁ ବହୂ ଦୂରରୁ ଆସିଛୁ । ଆପଣମାନଙ୍କ ସାହାଯ୍ୟ ଆମର ନିତ୍ୟାନ୍ତ କାମ୍ୟ । ଏକଥା ଶୁଣି ଲୋକେ ଖୁସି ହୋଇ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଲେ ।”            

 

ଗାଁ’ର ଶେଷରେ ବଡ ଚଉତରାଟିଏ । ତା’ରି ଉପରେ ବସିଥା’ନ୍ତି ଗାଁ ମୁରବୀ ସନାତନ ବାବୁ ଓ ଆସିଥିବା ବଡବାବୁମାନେ । ଏହି ସମୟରେ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ବାବୁମାନଙ୍କୁ ଲକ୍ଷ୍ୟ କରି ମୁରବୀ କହିଲେ – “କ’ଣ ପାଇଁ ଆପଣମାନେ ଆମ ଗାଁ’କୁ ଆସିଛନ୍ତି, ଦୟାକରି କୁହନ୍ତୁ ।” ଉତରରେ ଜଣେ ବଡବାବୁ ସଙ୍ଗେ ସଙ୍ଗେ ନମ୍ର ଭାବେ କହିଲେ – “ଦେଖନ୍ତୁ ଆଜ୍ଞା, ଏବେ ଚାରିଆଡେ ମରୁଡି । କିଛି କାମଧନ୍ଦା ନାହିଁ । ଆପଣମାନେ ଦୁଃଖ କଷ୍ଟରେ ଚଳୁଥିବେ । ତେଣୁ ଆପଣମାନଙ୍କ ମଧ୍ୟରୁ କେହି ଯଦି ଚାହାନ୍ତି, ତେବେ ଆମ ସହ ଆନ୍ଧ୍ର ଯିବେ । ସେଠାରେ ଇଟାଭାଟିରେ କାମ କରିବେ । ଦିନକୁ ଦୁଇ ଓଳି ଖାଇପିଇ ଟ୨୦୦.୦୦ ପାଇବେ । ୬ମାସ କାମ କଲା ପରେ ପୁ’ଣି ଚାହିଁଲେ ଘରକୁ ଫେରିଆସିପାରିବେ । ଆପଣମାନଙ୍କ ଭାଗ୍ୟ ବି ବଦଳି ଯିବ । ଆଉ ଦୁଃଖ କଷ୍ଟରେ ରହିବାକୁ ପଡିବନି । କ’ଣ କହୁଛନ୍ତି ? ଆପଣମାନେ ହଁ କହିଲେ ଆମେ ଆପଣଙ୍କ ପରିବାର ଚଳିବା ପାଇଁ ଅଗ୍ରୀମ କିଛି କିଛି ଟଙ୍କା ଦେବୁ ।”          

 

ଦାରିଦ୍ର‌୍ୟର ସୀମାରେଖା ତଳେ ଥିବା ଉକ୍ତ ଗାଁ’ର ଅନ୍ୟୁନ ୩୦ ଜଣ ଲୋକ ଆନ୍ଧ୍ର ଯିବାକୁ ରାଜି ହେଲେ । ଶେଷରେ ବାବୁ ଜଣକ ସେମାନଙ୍କ ପାଖକୁ ଆସି ବୁଝାଇ କହିଲେ – “କାଲି ସକାଳେ ଗାଡି ଆସି ଏଠାରେ ପହଞ୍ଚିବ । ଆପଣମାନେ ପୂର୍ବରୁ ରେଡି ହୋଇଥିବେ । ନିଅ, ଏ’ ଟଙ୍କା ରଖ । ସେଠାରେ କାମ କଲା ପରେ ପ୍ରତି ମାସରେ ଆପଣଙ୍କ ଘରକୁ ଡାକ ଯୋଗେ ଟଙ୍କା ପଠାଇ ଦିଆଯିବ ।” ଆମେ ଏବେ ଆସୁଛୁ ।           

 

ସଂଧ୍ୟା ସମୟ । କେଶବ ସ୍ତ୍ରୀ ସୁଲି ଚା କରୁଥିଲାବେଳେ ସେ’ ତା’ ପାଖରେ ବସିଥାଏ । ପିଲାମାନେ ଦାଣ୍ଡରେ ଖେଳୁଥା’ନ୍ତି । ସୁଲି କହିଲା-

 

-ସେଠାରେ ତୁମର କିଛି ଅସୁବିଧା ହେବନି ତ ?

-ଆମେ ପରା ୩୦ ଜଣ ଯିବୁ । ପୁ’ଣି ଅସୁବିଧା କ’ଣ ?

-ନାଇଁ ଯେ, ମୋ ମନଟା କାହିଁ ବେଶୀ ଗୋଳେଇ ଘାଂଟି ହେଉଛି ।

-ତୁମ ସ୍ତ୍ରୀ ଜାତିଟା ସଦାବେଳେ ସେଇଆ । ଆଲୋ, ଚାହୁଁ ଚାହୁଁ କୁଆଡେ ୬ମାସ ପୁରିଯିବ ଜଣାପଡିବନି । ପୁ’ଣି ଦି’ପଇସା ପାଇଲେ ଆମେ ଭଲରେ ଚଳିବା । ତୋ ପାଖକୁ ମୁଁ ବଡବାବୁଙ୍କୁ କହି ପ୍ରତି ମାସରେ ପଇସା ପଠାଇ ଦେବି । ଦେଖୁଚୁ ତ ଏବେ ଚାରିଆଡେ କେମିତି ମରୁଡି । କାମଧନ୍ଦା କିଛି ମିଳୁନି । ପାଖରେ ଚଳିବାକୁ ପଇସାଟାଏ ବି ନାହିଁ । ନ ଗଲେ କେମିତି ବଂଚିବା କହିଲୁ ?

 

-ହେଲେ, ମୋ ମନ କାହିଁ ବୁଝୁନି । ସେମାନେ ଭଲ ଲୋକ ତ ?

-ତୁ ଜମା ଚିନ୍ତା କ’ରନା । ସେକଥା ମୁଁ ବୁଝିବି । ତୁ କ’ଣ କରୁଥା, ମୁଁ ମଦନ ଘର ଆଡେ ଟିକେ ଯାଉଛି ।

-ହଉ, ବେଇଗି ଆସିବ ।            

 

ରାତି ପ୍ରାୟ ୧୦ଟା । ଗାଁ’ରେ ସମସ୍ତେ ଶୋଇପଡିଲେଣି । ହେଲେ କେଶବ ଆଖିକୁ ନିଦ ଆସୁନି । ନୂଆ ଯାଗା, କାହିଁ କେତେ ଦୂରେ ଆନ୍ଧ୍ର, ଦି’ ଦିନର ବାଟ, ଏକଥା ଭାବିଲା ବେଳକୁ ତାକୁ କେମିତି କେମିତି ଲାଗୁଥିଲା । ଦେଖାଯାଉ, କ’ଣ ହେଉଛି ? ସବୁ ସେଇ ପ୍ରଭୂଙ୍କ ଇଛା ।            

 

କେତେବେଳେ ରାତି ପାହିଲାଣି, କେଶବକୁ ଜଣା ନାହିଁ । ଶୋଇଛି ଯେ ଶୋଇଛି । ମଦନ ଆସି ନିଦରୁ ଉଠାଇ କହିଲା – କେଶବ ଭାଇ, ଯିବା ପରା, ଶୋଇଛ କ’ଣ, ଉଠ ? ଅନ୍ୟମାନେ ରେଡି ହୋଇ କେତେବେଳୁ ଚଉତରା ଉପରେ ବସିଛନ୍ତି । ସେ ଧଡ୍ପଡ୍ ହୋଇ ନିଦରୁ ଉଠି ଆନ୍ଧ୍ର ଯିବାକୁ ପ୍ରସ୍ତୁତ ହେଲା ।           

 

କେଶବ ଆନ୍ଧ୍ରରେ ପହଂଚିଲା ପରେ ତାକୁ ଆଶ୍ଚର୍ଯ୍ୟ ଲାଗିଲା । କାରଣ ଏତେ ବଡ ସହର, ଗାଡି ଘୋଡା, କଳ କାରଖାନା, ପୋକ-ମାଛି ଭଳି ଲୋକ-ବାକ ସେ ପୂର୍ବରୁ କେବେ ଦେଖି ନଥିଲା । ଇଟାଭାଟିରେ ବହୁତ ଲୋକ କାମ କରୁଥିବା ଦେଖି ସେ ଆଶ୍ୱସ୍ଥ ହେଲା । ଭାବିଲା- ଯାହାହେଉ, ଦି’ ପଇସା ମିଳିବ । ଏଥର ଆଉ ଚିନ୍ତା ନାହିଁ । ଏଣିକି ମୋ ପରିବାର ଭଲରେ ଚଳିବ ।           

 

ସେଠାରେ ବହୁ ବର୍ଷ ଧରି କାମ କରୁଥିବା ଶ୍ରମିକମାନଙ୍କ ସହ ମିଶି, ନିଜ ରକ୍ତକୁ ପାଣି କରି, କାମ କଲା କେଶବ । ଚାହୁଁ ଚାହୁଁ ମାସେ ପୁରିଯିବାରୁ, ସେ ଠିକାଦାରକୁ ପଇସା ମାଗିବାରୁ ତାକୁ ପଇସା ପରିବର୍ତେ ମିଳିଲା ମାଡ । ତା ଦେଖାଦେଖି ଯେତେ ଜଣ ପଇସା ମାଗିଥିଲେ, ସମସ୍ତେ ଉତମ ମଧ୍ୟମ ଖାଇଥିଲେ । ସେମାନଙ୍କୁ ପ୍ରତିଦିନ ଭଲରେ ଗଣ୍ଡାଏ ଖାଇବାକୁ ଦିଆଯାଉ ନଥିଲା । ଅତିଶୟ ଦୁଃଖରେ ଭାଙ୍ଗିପଡିଲା କେଶବ । ଚାରିଆଡ ଅନ୍ଧାର ଦେଖାଯାଉଥିଲା ତାକୁ ଯେମିତି । ଠିକାଦାର ଗର୍ଜିଉଠି ସଙ୍ଗେ ସଙ୍ଗେ କହିଲା – “ଦଲାଲ୍ମାନେ ତୁମ୍ଭମାନଙ୍କୁ ବିକ୍ରି କରି ମୋ ଠାରୁ ମୋଟା ଅଙ୍କର ଟଙ୍କା ନେଇଛନ୍ତି । ତେଣୁ ଆଉ ପଇସାଟାଏ ବି ଦିଆହେବନି । କେବଳ ଖାଇବାକୁ ଯାହା ଦିଆଯିବ । ଯାଅ, ରାତି ୯ଟା ହେଲାଣି, ଖାଇପି’ ଶୋଇପଡ ।” କେଶବର ସବୁ ସ୍ୱପ୍ନ, ସବୁ ଇଛା, ସବୁ ଚେଷ୍ଟା ପାଣି ଫୋଟକା ପରି ମିଳାଇଗଲା । ତାକୁ ସୁଲି ଓ ପିଲାମାନଙ୍କ କରୁଣ ଶୁଖିଲା ମୁହଁ ଦେଖାଯିବାରୁ ସେ ଘରକୁ ଫେରିଯିବାକୁ ବ୍ୟାକୁଳ ହେଲା ।              

 

ତହିଁ ଆରଦିନ କେଶବ କାମ କରୁଥିଲାବେଳେ ତା’ର ଠିକାଦାର ସହ ଭେଟ ହେବାରୁ, ସେ ଘରକୁ ଫେରିଯିବା ପାଇଁ କାକୁତି ମିନତି ହୋଇ, ତା ଗୋଡ ହାତ ଧରି କହିବାରୁ ଠିକାଦାର ରାଗ ତମତମ ହୋଇ କହିଲା –“ ଶୁ’ଣୁ... , ଏଠାକୁ ଯିଏ ଥରେ ଆସେ, ସେ କେବେ ଆଉ ଗାଁ’କୁ ଫେରେନି । ସେମାନଙ୍କୁ ଦେଖ୍, ବହୁ ବର୍ଷ ହେଲା ସେମାନେ ଏଠାରେ ଦାଦନ ଖଟୁଛନ୍ତି । ଯା..., ଯା..., କାମ କ’ର, ଯିବା କଥା କହନା ।”            

 

କେଶବ କାମ କରୁଥିବେଳେ ତା ଆଖିରୁ ଧାର ଧାର ହୋଇ ଲୁହ ଝରିଯାଉଥାଏ । ଏତିକିବେଳେ ମଦନ ମନ ଦୁଃଖରେ ତା ପାଖକୁ ଆସି କହିଲା – “ଭାଇ, ଆମେ ମହରଗରୁ ଆସି କାନ୍ତାରରେ ପଡିଗଲେ । ଆଉ ଫେରି ଯିବାକୁ ବାଟ ନାହିଁ । କ’ଣ କରିବା, ମୋ ମୁଣ୍ଡରେ କିଛି ପଶୁନି ।” କେଶବ ତାକୁ ଧର୍ଯ୍ୟ ଧରିବାକୁ କହିଲା ।             

 

ଚାହୁଁ ଚାହୁଁ ବିତିଗଲା ୩ବର୍ଷ । ସେଠାରୁ ମୁକୁଳିବାକୁ ରାସ୍ତା ଖୋଜୁଥିଲା କେଶବ । ହେଲେ କିଛି ବୁଦ୍ଧି ବାଟ ଦିଶୁନଥିଲା । ଦୈବାତ୍ ଦିନେ ନିସ୍ତବ୍ଧ ରାତ୍ରୀରେ ସମସ୍ତେ ଗାଢ ନିଦ୍ରା ଯାଇଥିବା ସମୟରେ କୈାଶଳ କ୍ରମେ କେଶବ ଓ ମଦନ ଦୁହେଁ ଲୁଚି ଲୁଚି ଇଟାଭାଟି ପଛପଟ ଗଳି ରାସ୍ତାଦେଇ କଷ୍ଟେମଷ୍ଟେ ବାହାରକୁ ଆସି ଷ୍ଟେସନ୍ରେ ପହଂଚିଗଲେ ।           

 

କେଶବକୁ ଚାହିଁ ଚାହିଁ ସୁଲି ଆଖିର ଦୁଇ କୋଣରୁ ଲୁହର ଧାର ଶୁଖିଯାଇଥିଲା । ସେ ଶୁଖି କଳା କାଠ ପରି ଦିଶୁଥିଲା । ତା ପିଲାମାନେ ନଅଙ୍କ ଦୁର୍ଭିକ୍ଷରେ ପଡିଲା ପରି ଦିଶୁଥିଲେ । ଖାଇବାକୁ ଚିକ୍ରାର କରୁଥିଲେ ପିଲାଏ । ସୁଲି ସେମାନଙ୍କ ପେଟର ଭୋକ ସହି ନ ପାରି, ପିଲାଙ୍କୁ ଧରି ଘର ଛାଡି ଚାଲି ଆସିଲା କଟକ । ପର ଘରେ ବାସନ ମାଜି ନିଜର ଜୀବିକା ନିର୍ବାହ କଲା । କାମ କରୁଥିଲାବେଳେ ତାକୁ କେଶବର ମୁହଁ ଦେଖାଗଲେ,  ବିଚାରୀ ଦୁଃଖରେ ଭାଙ୍ଗିପଡୁଥିଲା । ତା ମନ କହୁଥିଲା – “ସତରେ କେଶବ ଆଉ କ’ଣ ସେ ଦୂର ରାଇଜରୁ ଫେରିବ” ? ଏଇ କଥା ଚିନ୍ତା କରି କରି ରାତିରେ ତାକୁ ନିଦ ହୁଏନି । ନିଜର ଲୁହକୁ ନିଜେ ପି’ ଦିନ କାଟିବାକୁ ବାଧ୍ୟ ହୁଏ ।            

 

ଯେନତେନ ପ୍ରକାରେ କେଶବ ଓ ମଦନ ଦୁହେଁ ଗାଁ’ରେ ଆସି ପହଂଚିଲାବେଳକୁ ସକାଳ ହେଇଆସୁଥାଏ । ଅତି ଖୁସି ହୋଇ କେଶବ ତା’ ଘର ପାଖକୁ ଏକା ନିଶ୍ୱାସକେ ଦୈାଡିଯାଇ ଦେଖେ ତ – ତା’ ଘରେ ତାଲା ଝୁଲୁଛି । ସେ ଆଶ୍ଚର୍ଯ୍ୟ ହୋଇ ବିକଳରେ ଗାଁ’ ଲୋକଙ୍କୁ ପଚାରିଲା । ହେଲେ ସେମାନେ ମନାକରିବାରୁ, କେଶବ ମନ ଦୁଃଖରେ ବସି କାନ୍ଦୁଥାଏ । ସେତିକିବେଳେ ଚାରିଆଡେ ହଇଜା ବ୍ୟାପିଥିବା ଯୋଗୁଁ ଅନେକ ଲୋକ ଭୟରେ ଘର ଛାଡି ଅନ୍ୟତ୍ର ଚାଲିଯାଇଥା’ନ୍ତି । ଗାଁ’ଟା ପୁରା ଶୁନ୍ଶାନ୍ ଲାଗୁଥାଏ । କିଛି ସମୟ ପରେ ମଦନ ଆସି ବୁଝାଇ କହିଲା – “ତୁ ଅଧର୍ଯ୍ୟ ହଅନା । ମୁଁ ଏବେ ଭୀମା ଭାଇଠାରୁ ଶୁଣି ଆସିଲି ବା ଭାଉଜ କାଳେ କଟକରେ, ବଡ ମେଡିକାଲ ପଛପଟେ ଥିବା ଝୁପୁଡି ବସ୍ତିରେ ରହୁଛନ୍ତି । ଆମେ ତ ଖବର ପାଇଲେ । ଆ’, କ’ଣ ଦି’ଟା ପାଟିରେ ଦେଇ ସଅଳ ସଅଳ ଭାଉଜଙ୍କୁ ଖୋଜିବାକୁ ଯିବା ।”           

 

ସେମାନେ ବଡ ମେଡିକାଲ ପାଖ ଲୋକଙ୍କୁ ପଚାରି ପଚାରି, ଶେଷରେ ବସ୍ତି ପାଖରେ ପହଂଚି ଦେଖିଲେ ପିଲାମାନେ ଖେଳୁଛନ୍ତି । କେଶବ ନିମିଷକେ ସେମାନଙ୍କ ପାଖକୁ ଧାଇଁ ଯାଇ, ଜଣେ ପିଲାକୁ ପାଖକୁ ଡାକି ସ୍ନେହରେ ପଚାରିଲା –

-ବାବାରେ, ସୁଲି ଘର କେଉଁଟା କହି ପାରିବୁ ?          

 

ପିଲାଟି କେଶବର ଗୋଡ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଭଲ ଭାବେ ଚାହିଁ, ତାଙ୍କର କେହି ଦୂର ସମ୍ପର୍କୀୟ ହୋଇଥିବ ଭାବି କହିଲା –

-ସେ ତ ମୋ ମାଆ । କିନ୍ତୁ ତମେ କିଏ ? ହଉ, ଠିକ୍ ଅଛି । ଏଇ ଯେଉଁ ବରଗଛ ପାଖ ଘରଟା ଦେଖୁଛ, ସେଇଟା ଆମର ।            

 

ତା’ ପୁଅ ଏତେ ବଡ ହେଇଗଲାଣି ଦେଖି ଖୁସି ହେଲା କେଶବ । ହେଲେ ଅନେକ ଦିନର ଲମ୍ବା ବ୍ୟବଧାନ ମଧ୍ୟରେ ତା ପୁଅ ତାକୁ ଚିହ୍ନି ନ ପାରିବାରୁ ମନେ ମନେ ଦୁଃଖ କଲା ସେ । ଯାହାହେଉ, ସୁଲିର ଠିକଣାଟା ମିଳିଯିବାରୁ ସେ ମନେ ମନେ ଖୁସିରେ ଧନ୍ୟବାଦ ଦେଲା ଭଗବାନଙ୍କୁ ।           

 

କେଶବ ଓ ମଦନ ଦୁହେଁ ସୁଲି ଘର ପାଖରେ ପହଂଚି ଦେଖିଲେ – “ସେ ରୋଷେଇ କରୁଛି ।” ଟିକେ ଦୂରରୁ ତା’ର ଏପରି ଅବସ୍ଥା ଦେଖି କେଶବ ନିଜକୁ ଆଉ ସହି ନପାରି କାନ୍ଦିବାରୁ, ସୁଲି ସଙ୍ଗେ ସଙ୍ଗେ ପଛକୁ ମୁହଁକରି ଦେଖେ ତ – “ତା ଗେରସ୍ତ ଓ ଦିଅର ଦୁହେଁ ଠିଆହୋଇଛନ୍ତି ।” ସେ ନିଜର କୋହକୁ ଆଉ ସମ୍ଭାଳି ନପାରି, କାନ୍ଦି କାନ୍ଦି, ଅତି ସରାଗରେ, ଭାବବିହ୍ୱଳରେ, କେଶବକୁ କୁଣ୍ଢାଇ ପକାଇ, ଲୁହ ପୋଛି କହିଲା – ଏତେ ଦିନେ ମୁଁ ମୋ “ମନର ମଣିଷ” ଫେରିପାଇଲି । ଆଉ କିଛି ମୋର ଲୋଡା ନାହିଁ ।


Rate this content
Log in

More oriya story from Aminilu Ray

Similar oriya story from Romance