Aminilu Ray

Tragedy

2  

Aminilu Ray

Tragedy

ମଣିଷ ଗଛ

ମଣିଷ ଗଛ

6 mins
327


ଜରାଗ୍ରସ୍ତ ଅବସ୍ଥାରେ କାଳ କାଟୁଥିବା ଦିଗମ୍ବର ବାବୁ ଓ ତାଙ୍କ ଧର୍ମପତ୍ନୀ ଉର୍ମିଳା ଦେବୀଙ୍କୁ ପୁଅଝିଅଙ୍କ ବିଷୟରେ ପଚାରିଲେ ସେମାନେ ମନେ ମନେ ବେଶୀ ବିରକ୍ତ ହୁଅନ୍ତି । ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ନିମନ୍ତେ ନିଜ ରକ୍ତକୁ ପାଣି କରି, ପେଟରେ ଓଦାକନା ଦେଇ ସେମାନଙ୍କୁ ମଣିଷ କରିଥିଲେ । ହେଲେ ସେମାନେ କଲେ କ’ଣ ? ଶେଷରେ ଜନ୍ମିତ ପିତାମାତାଙ୍କୁ ହେଉଜ୍ଞାନ କରିବାକୁ ବି ପଛାଇଲେ ନାହିଁ । ସମୟର କଷଟି ପଥରରେ ସେମାନଙ୍କୁ କଷିବାରେ କେଉଁଠି ଟିକେ ଭୂଲ ରହିଗଲା ଭାବି ମନେ ମନେ ଦୁହେଁ ଦୁଃଖ କରନ୍ତି ।

ବଡ ପୁଅ ଅଜୟ ଚୈାଧୁରୀ ଓରଫ ଅଜୁ ବାହା ହୋଇ ଆମେରିକାରେ ରହୁଥିବାବେଳେ ସାନ ପୁଅ ବିଜୟ ଚୈାଧୁରୀ ଡାକ ନାଁ ବିଜୁ, ସେ ତା ସ୍ତ୍ରୀ’ ପିଲାଙ୍କ ସହ ବାଙ୍ଗାଲୋରରେ ରହୁଛି । ତିନି ଝିଅ ରିମା, ଏଲିନା ଓ ଶ୍ୱେତା ଘର ସଂସାର କରି ମୁମ୍ବାଇର ଅଲଗା ଅଲଗା ଯାଗାରେ ରହୁଛନ୍ତି । ହେଲେ ସମୟ ସୁବିଧା ଦେଖି ଟିକେ ଗାଁକୁ ଆସି ବାପମାଆଙ୍କ ଦେହପା’, ଭଲମନ୍ଦ ବୁଝିବାକୁ ଏମାନଙ୍କୁ ସମୟ ମିଳୁନି ।

ଅଜୁ ଘରେ କାହାକୁ ନ ଜଣେଇ ସେଠାରେ ଜଣେ ବିଦେଶିନୀକୁ ବିବାହ କରିଥିବାରୁ ଦିଗମ୍ବର ବାବୁ ତା ଉପରେ ମନେ ମନେ ବେଶୀ ବିରକ୍ତ ହୁଅନ୍ତି । ବୋହୁର କଥାବାର୍ତା, ଚାଲିଚଳନ, ଢଙ୍ଗରଙ୍ଗ ତାଙ୍କ ମନକୁ ଯାଏନି । ପାଶ୍ଚାତ୍ୟ ସଭ୍ୟତାର ପାଣି ପବନରେ ବଢିଆସିଥିବା ତା’ର ସ୍ୱଭାବ ସାହି-ପଡିଶା, ବନ୍ଧୁ-ବାନ୍ଧବଙ୍କ ସହ ଖାପ ଖାଉନଥିବାରୁ ବୁଢାବୁଢୀ ଦୁହେଁ ଦୁଃଖ କରନ୍ତି । ଅଜୁଟା ବି ସେମିତି ସହରର ଚାକଚକ୍ୟ ମୋହରେ ପଡି ତା ଗାଁ ମାଟିକୁ ସଂପୂର୍ଣ୍ଣ ଭାବେ ଭୂଲିଯିବ, ଏକଥା ଭାବି ଉର୍ମିଳା ଦେବୀ ଆଖିରୁ ନୀରବ ଅଶ୍ରୁ ଝରାନ୍ତି ।

ଆଜିକୁ ଠିକ୍ ୫ ବର୍ଷ ତଳେ ଦିଗମ୍ବର ବାବୁଙ୍କ ଦେହ ଭିଷଣ ଖରାପ ହେବାରୁ ତାଙ୍କୁ ସଂଗେ ସଂଗେ ହସ୍ପିଟାଲରେ ଭର୍ତି କରାଗଲା । ସେ ବେଡ୍‌ରେ ୧୫ ଦିନ ରହିବା ପରେ ସୈାଭାଗ୍ୟବଶତଃ ଅଜୁର ଫୋନ୍ ଲାଗିବାରୁ ସଂଗେ ସଂଗେ ତା ସ୍ତ୍ରୀ ଫୋନ୍ ଉଠାଇ ବିରକ୍ତିଭରା ସ୍ୱରରେ କହିଲା – “ଆମେ ଏବେ ଆଦଂ ଯାଇପାରିବୁନି । ପ୍ଲିଜ୍ ଆପଣ ଆମକୁ ବାରମ୍ବାର ଫୋନ୍ କରି ଆଉ ଡିଷ୍ଟର୍ବ କରିବେନି । ମୁଁ କିଛି ପଇସା ପଠାଇ ଦେଉଛି ... ଓକେ ... ।” ଟିକେ ସୁସ୍ଥ ହେବାରୁ ଦିଗମ୍ବର ବାବୁ ଡିସ୍‌ଚାର୍ଜ ହୋଇ ଘରେ ପହଂଚି ବିଶ୍ରାମ ନେଉଥିବାବେଳେ ଉର୍ମିଳା ଦେବୀ ତାଙ୍କ ହାତକୁ ଚା’ କପ୍‌ଟା ବଢାଇଦେଇ ଅଜୁ ଓ ତା ସ୍ତ୍ରୀ ବିଷୟରେ ସବୁ କଥା କହିବାରୁ ସେ ସଂଗେ ସଂଗେ ବିରକ୍ତ ହୋଇ କହିଲେ – “ବୁଝିଲ, ସବୁ ଗଛ ଲଗେଇବ ହେଲେ ଏ ମଣିଷ ଗଛ ଲଗେଇବନି ।”

ବିଜୁଟା ଠିକ୍ ଅଜୁ ଭଳି ମାଇପି ବୁଦ୍ଧିଆ । ସ୍ତ୍ରୀ ଯାହା କହିବ, ତା’ରି କଥାରେ ଭାସିଯିବ । ସେ’ ବି ଜଣେ ଅଣଓଡିଆ ଝିଅକୁ ବାହା ହେଇଛି । ଶ୍ୱଶୁର ଘର ଉପହାର ସ୍ୱରୂପ ଦେଇଥିବା ଫ୍ଲାଟ୍‌ରେ ସେମାନେ ରହୁଛନ୍ତି । ଶାଶୁ ଶ୍ୱଶୁରଙ୍କ ଭଲ ମନ୍ଦ, ଦେହପା’ ବୁଝିବାକୁ ତା ପାଖରେ ସମୟ ଅଛି, କିନ୍ତୁ ନିଜର ଜନ୍ମିତ ବାପମାଆଙ୍କ ଭଲମନ୍ଦ ବୁଝିବାକୁ ସମୟ ମିଳୁନି । ଏଇ କିଛି ଦିନ ତଳେ ଯେତେବେଳେ ଦିଗମ୍ବର ବାବୁ ମେଡିକାଲରେ ପଡିଥିଲେ, ବିଜୁକୁ ଫୋନ୍ କରିବାରୁ ସେ ସଂଗେ ସଂଗେ କହିଲା – “ବାପା, ଶ୍ୱଶୁରଙ୍କ ଦେହ କାଲି ରାତିରୁ ହଠାତ୍ ଖରାପ ହେବାରୁ ସେ ମେଡିକାଲରେ ଆଡ୍‌ମିସନ୍ ହେଇଛନ୍ତି । ଆମେ ଏବେ ସମସ୍ତେ ତାଙ୍କ ପାଖରେ ଅଛୁ । ଏ ସମୟରେ ତାଙ୍କୁ ଛାଡି କେମିତି ଯିବୁ ? ଆମକୁ ଛାଡିଲେ ତାଙ୍କର ବା ଆଉ କିଏ ଅଛି ? ଏମିତି ବି ଗାଁକୁ ଗଲେ ତୁମ ବୋହୁର ଦେହପା ଭଲ ରହୁନି । ତେଣୁ ମୁଁ କିଛି ପଇସା ପଠାଇ ଦେଉଛି, ପରେ ସୁବିଧା ହେଲେ କେବେ ଯାଇ ଦେଖିଆସିବି ।” ତା କଥା ଶୁଣି ଉର୍ମିଳା ଦେବୀ ରାଗ ତମତମ ହୋଇ କହିଲେ – “ଏଭଳି ପୁଅ ଝିଅ ଜନ୍ମ କରିବା ଅପେକ୍ଷା ମୂଳରୁ ବାଂଝ ହୋଇଥିଲେ ଭଲ ହୋଇଥାନ୍ତା । ଗଛ ନ ଲଗେଇ ମଣିଷ ଗଛ ଲଗେଇବାଟା କେତେ ଭୂଲ, ଆଜି ମୁଁ ଏ ପରିଣତ ବୟସର ଅପରାହ୍ନରେ ଅନୁଭବ କରୁଛି ।”

ଝିଅମାନଙ୍କ କଥା ଭାବି ଭାବି ଉର୍ମିଳା ଦେବୀ ଆଖିରୁ ଲୁହ ଝରାନ୍ତି । ଏଇ ତିନିଟା ଝିଅଙ୍କୁ ମଣିଷ କରିବାକୁ ସେ କେତେ କ’ଣ କରିନଥିଲେ ? ଅଭାବ ଅସୁବିଧା ସମୟରେ ପଡିଶାଙ୍କ ପାଖରୁ ଟଙ୍କା ଧାର କରଜ କରି ହଷ୍ଟେଲରେ ରଖି ସେମାନଙ୍କୁ ପଢାଇଥିଲେ । ହେଲେ ମୁଣ୍ଡକୁ ହାତ ପାଇଗଲା ପରେ ସେମାନେ ଟିକେ ସାହାଯ୍ୟ କରିବା ତ ଦୂରର କଥା, ଆହା ପଦେ କହିବାକୁ ଆସୁନାହାନ୍ତି । ଶୁଖିଲା ଆଖିର ଦୁଇ କୋଣରୁ ଝରି ଆସୁଥିବା ଲୁହକୁ ପଣତକାନୀରେ ପୋଛି ସେ କୁହନ୍ତି – ବଡ ଝିଅ ରିମା ସେତେବେଳେ ବର୍ଷକର ହୋଇଥାଏ । ହଠାତ୍ ଏକ ଅଜଣା ରୋଗରେ ସେ ମୃତ୍ୟୁ ସହ ସଂଘର୍ଷ କରୁଥିଲାବେଳେ ଡାକ୍ତରମାନେ ତାର ବଂଚିବା ଆଶା ଛାଡିଦେଇଥିଲେ । ହେଲେ ଉର୍ମିଳା ଦେବୀ ଭାଙ୍ଗି ନ ପଡି ସଂଗେ ସଂଗେ ନିକଟସ୍ଥ ଶିବ ମନ୍ଦିରକୁ ଦୈାଡିଯାଇ ରୁଦ୍ରାଭିଷେକ ପାଇଁ ସଂକଳ୍ପ କରିବାରୁ ତାଙ୍କ ଝିଅ ନୂଆ ଜନ୍ମ ପାଇଲା । ଶେଷରେ ଡାକ୍ତରମାନେ ବି ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଜି ସେହି ଝିଅ ବଡ ହୋଇ ଚାକିରି କରି ବାହା ହୋଇ ଘର ସଂସାର କଲା ପରେ ବି ନିଜ ବାପା ମାଆଙ୍କ ଭଲମନ୍ଦ ବୁଝିବା ତ ଦୂରର କଥା, ତାଙ୍କ ଫୋନ୍ ଉଠାଇବାକୁ ବି ତା ପାଖରେ ସମୟ ନାହିଁ । ଗଛଟିଏ ଲଗାଇ ତା ମୂଳରେ ପାଣି ଟୋପେ ଦେଇଥିଲେ ସେ ହୁଏ ତ ଭବିଷ୍ୟତରେ ବଡ ହୋଇ , ଶାଖା ପ୍ରଶାଖା ମେଲେଇ ଫୁଲ, ଫଳ, କାଠ, ପତ୍ର ସହ ଛାଇ ଟିକେ ଦେଇଥାନ୍ତା । ସେହି ଛାଇ ତଳେ କେତେ କେତେ ବାଟୋଇ ଥକ୍‌କା ମେଂଟାଇ ଆତ୍ମସନ୍ତୋଷ ପାଇଥାନ୍ତେ । ହେଲେ ଏ ମଣିଷ ଗଛ ଲଗେଇ ମୁଁ କ’ଣ ପାଇଲି ? ଖାଲି ଦୁଃଖ ଆଉ ଯନ୍ତ୍ରଣା ... ।

ମଝିଆଁ ଝିଅ ଏଲିନା କଥା ନ କହିବା ଭଲ । +୨ ପରେ ମାଡ୍ରାସ୍‌ରେ ଇଂଜିନିୟରିଂ କରିବ ବୋଲି ଯିଦି ଧରିଲା । ଯିଏ ଯେତେ କହିଲେ କାହା କଥା ଶୁଣିଲାନି । ଶେଷରେ ଅନୋନ୍ୟପାୟ ହୋଇ ଦିଗମ୍ବର ବାବୁ ଜି.ପି.ଓ ରୁ ଅବଶିଷ୍ଟ ଟଙ୍କା ଉଠାଇ ଆଡ୍‌ମିସନ୍ କରିଦେଲେ । ଇଂଜିନିୟରିଂ ଶେଷ ପରେ ସେ ମୁମ୍ବାଇରେ ଏକ ରେପୁଟେଡ୍ କମ୍ପାନୀରେ ଜବ୍ ପାଇଲା । ଏହାର ୪/୫ ବର୍ଷ ପରେ ସେହି କମ୍ପାନୀର ଜଣେ ଉଚ୍ଚପଦସ୍ଥ ଅଫିସରଙ୍କୁ ବିବାହ କଲା । ସେଇ ବିବାହ ସଂପର୍କରେ ବି ସେମାନେ କେହି ବିନ୍ଦୁ ବିସର୍ଗ ଜାଣି ନଥିଲେ । ବିଳମ୍ବରେ କୈାଣସି ସୂତ୍ରରୁ ଖବର ପାଇ ଦିଗମ୍ବର ବାବୁ ତାକୁ ଫୋନ୍ କରି ପଚାରିବାରୁ ଉତରରେ ସେ ତାଙ୍କୁ ସଫା ସଫା କହିଲା – ବାପା, ମୋ ପସନ୍ଦରେ ମୁଁ ବିବାହ କରିଛି । ବାହାଘର ଏତେ ଯଲ୍‌ଦି ହୋଇଗଲା ଯେ ଆପଣଙ୍କୁ କହିବାକୁ ସମୟ ପାଇଲିନି । ମୋ ଶାଶୁଘର ହାଇ ଷ୍ଟାଟସ୍ ଫ୍ୟାମିଲି । ଏଠାରେ(ମୁମ୍ବାଇରେ) ତାଙ୍କର ତିନି ତିନିଟା ଦାମୀ ଦାମୀ ଫ୍ଲାଟ୍ । ସବୁ ଭଡାକୁ ଲାଗିଛି । ତାଛଡା ଏଭଳି ଏକ ଉତ୍ସବକୁ ହାଇଫାଇ ଷ୍ଟାଣ୍ଡାର୍ଡର ଅତିଥୀମାନେ ନିମନ୍ତ୍ରିତ ହୋଇଥିବାବେଳେ ଆମ ଘରର ବନ୍ଧୁବାନ୍ଧବଙ୍କ ଉପସ୍ଥିତି ଠିକ୍ ହେବନି ଭାବି ମୁଁ ଜଣେଇଲିନି । ଏଲିନା ମୁହଁରୁ ଏପରି କଟୁ କଥା ଶୁଣିସାରିବା ପରେ ଦିଗମ୍ବର ବାବୁ ନିଜକୁ ଅତି ହୀନ ମନେ କରୁଥିଲେ । ସେ ଲୁହ ଛଳଛଳ ଆଖିରେ ତାଙ୍କ ପତ୍ନୀଙ୍କ ମୁହଁକୁ ଚାହିଁ କହିଲେ – “ବୁଝିଲ, ଏଭଳି ଝିଅକୁ ଜନ୍ମ ଦେବା ଅପେକ୍ଷା ଏନ୍ତୁଡିଶାଳରୁ ତଂଟିଚିପି ମାରିଦେଇଥିଲେ ଭଲ ହୋଇଥାନ୍ତା । ଏମାନଙ୍କୁ ପାଳିପୋଷି ମଣିଷ କରିବା ପରେ ବି ଏମାନେ ନିଜେ ବାପମାଆଙ୍କୁ କଦର୍ଯ୍ୟ ବ୍ୟବହାର କରିବାକୁ କୁଣ୍ଠାବୋଧ କରୁ ନାହାନ୍ତି । ଯେଉଁ ଝିଅ ଗାଁ ମାଟିର ବାସ୍ନାକୁ ଭୂଲି ସହରର ଚାକଚକ୍ୟ ଭିତରେ ନିଜର ମଣିଷ ପଣିଆକୁ ହଜାଇ ଅନ୍ୟକୁ ହୀନ ଚକ୍ଷ୍ୟୁରେ ଦେଖେ, ସେଭଳି ଝିଅଠାରୁ ଆଉ କ’ଣ ଭଲ ଆଶା କରାଯାଇପାରେ ? ଗଛ ପରିବର୍ତେ ଏଭଳି ମଣିଷ ଗଛଟିକୁ ଜନ୍ମଦେଇ ଆମେ ମସ୍ତବଡ ଭୂଲ କରିଛେ ।”

ସାନ ଝିଅ ଶ୍ୱେତା । ବାପମାଆଙ୍କ କୋରପୋଛା । ସବୁ ଝିଅଙ୍କଠାରୁ ଇଏ ଟିକେ ନିଆରା ବୋଲି ସେ ଭାବୁଥିଲେ । ହେଲେ ଗାଁ କଲେଜ୍‌ରୁ ବିଏସ୍‌ସି ପାସ୍ ପରେ ମୁମ୍ବାଇରେ ରହି ଅଧିକ ପଢିବାର ସ୍ୱପ୍ନ ଦେଖି ଭଉଣୀ ଭିଣୋଇଙ୍କୁ ଫୋନ୍ କରି ସେ ଚାଲିଗଲା । ଗଲାବେଳେ ବାପମାଆଙ୍କ କଥା ଟିକେ ଭାବିଲାନି । ଦିଗମ୍ବର ବାବୁ ତା କଥା ସବୁ ମନେପକାଇ କୁହନ୍ତି – ସମସ୍ତଙ୍କଠାରୁ ସେ ସାନ ବୋଲି ଅତି ଗେହ୍ଲାରେ ମୁଁ ବଢାଇଥିଲି । କେଉଁଥିରେ ତା’ର ଅଭାବ ରଖିନଥିଲି । ଭାବିଥିଲି ଏଇ ଝିଅଟା ବାହାସା’ ହୋଇ ଆମ ପାଖାପାଖି ରହିଲେ ଆମର ଟିକେ ଦେଖାଶୁଣା କରିବ, ଭଲରେ ମନ୍ଦରେ ସାହା ହେବ । ହେଲେ ସେ କଥା ନ ମାନି ମୁମ୍ବାଇ ଯାଇ ପଢାପଢି କରି ଚାକିରି ପାଇ ମନକୁ ମନ ବାହା ହୋଇ ସେହିଠାରେ ସେଟେଲ ହୋଇଗଲା । ବିବାହ ସମ୍ପର୍କରେ ଟିକେ ବି ଜଣେଇଲାନି । କାହିଁକି ବା ଜଣେଇଥାନ୍ତା ? ଆମେ ତ ଗାଉଁଲି ଲୋକ । ସେଠାକୁ ଯାଇଥିଲେ ତା’ର ଇଜ୍ଜତ ତଳେ ପଡିଯାଇନଥାନ୍ତା ? ଏସବୁ ଶୁଣି ଉର୍ମିଳା ଦେବୀ ଲୁହ ପୋଛୁ ପୋଛୁ ସ୍ୱାମୀଙ୍କୁ ଲକ୍ଷ୍ୟ କରି ଦୀର୍ଘନିଶ୍ୱାସଟିଏ ନେଇ କହିଲେ – “ଆମେ କଷ୍ଟ ସହି ସେମାନଙ୍କୁ ମଣିଷ କରି ଠିଆକରିଦେଲେ, ହେଲେ ସେମାନେ କ’ଣ ପ୍ରକୃତରେ ମଣିଷ ହେଇଛନ୍ତି ? ମଣିଷର ସଂଜ୍ଞା ଓ ମାନବିକତା କ’ଣ ସେମାନଙ୍କୁ ଜଣା ଅଛି ? ସେମାନେ ଆମକୁ ପଶୁସମ ଦୃଷ୍ଟିରେ ଦେଖୁଛନ୍ତି । ଆମ ପ୍ରତି ସେମାନଙ୍କର କିଛି ନା କିଛି କର୍ତବ୍ୟ ଅଛି, ଯାହା ସେମାନେ କେବେଠାରୁ ଭୂଲିସାରିଛନ୍ତି । ଏଭଳି ପିଲାଙ୍କୁ ଅନ୍ତଫାଡି ଜନ୍ମ ଦେଇ ମୁଁ ଦିନେ ଖୁସି ହେଉଥିଲି । ଆଶା ଥିଲା ଜୀବନର ଶେଷ ପର୍ଯ୍ୟନ୍ତ ସେମାନେ ପାଖରେ ରହି ଆମର ଦେଖାଶୁଣା କରିବେ । ଆମ ଦେହପା’ର ଯତ୍ନ ନେବେ । ହେଲେ ସେମାନେ କଲେ କ’ଣ ? ନିଜ ନିଜ ସ୍ୱାର୍ଥରେ ଅନ୍ଧ ହୋଇ ଶେଷରେ ଆମକୁ ଭୂଲିଯିବାକୁ ବି ପଛାଇଲେ ନାହିଁ । ତେଣୁ ମୁଁ ଏତିକି କହିବି, ହେ ଭଗବାନ୍‌, ଆମର ମୃତ୍ୟୁ ପରେ ତମେ ଯଦି ପୁ’ଣି ଥରେ ମଣିଷ ଜନ୍ମ ଦିଅ, ତେବେ ଏତିକି ଗୁହାରି କରିବୁ, ଆମକୁ ‘ମଣିଷ ଗଛ’ ସୃଷ୍ଟି କରିବାରୁ ସବୁ ଦିନ ପାଇଁ ବଂଚିତ କରିବ ।”



Rate this content
Log in

Similar oriya story from Tragedy