Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Aminilu Ray

Tragedy

3  

Aminilu Ray

Tragedy

ଜରା ନିବାସ

ଜରା ନିବାସ

5 mins
356


                

          ବାର୍ଦ୍ଧକ୍ୟ ଭତ୍ତାକୁନେଇ ଦୁଇପୁଅଙ୍କ ମଧ୍ୟରେ ସୃଷ୍ଟିହୁଏ ମନାନ୍ତର । କଥା ପ୍ରସଙ୍ଗରେ ବଡପୁଅ ଅଜୁ କହେ – “ମୋ’ର ସଂସାର ଅଛି । ବାପାବୋଉ ବି ମୋ ପାଖରେ ମାସକୁ ପନ୍ଦର ଦିନ ରହୁଛନ୍ତି । ତେଣୁ ଭତ୍ତାଟଙ୍କାଟା ମୁଁ ନେବି ।” ପ୍ରତ୍ୟୁତରରେ ସାନପୁଅ ବିଜୁ ଏହାର ପ୍ରତିବାଦକରି କହେ – “ମୁଁ ଏକା ହେଲେ କ’ଣ ହେଲା ? ମୁଁ ବି ତ ବାପାବୋଉକୁ ପନ୍ଦରଦିନ ରଖୁଛି । ତାଙ୍କର ଖାଇବା, ପିଇବା ଓ ଔଷଧ ପତ୍ରରେ କ’ଣ ପଇସା ଖର୍ଚ୍ଚକରୁନି ? ତେଣୁ ଟଙ୍କାଟା ମୋ’ର ।” ଦୁହିଁଙ୍କ ମଧ୍ୟରେ କଳି ଝଗଡା କ୍ରମେ ଝଡର ରୂପନିଏ । ସେମାନଙ୍କର ଏଇ ନୀଚ୍ଚ ମନୋଭାବକୁ ଲକ୍ଷ୍ୟକରି ବୁଢାବୁଢୀ ଦି’ଟା ଏ ବାର୍ଦ୍ଧକ୍ୟ ବୟସରେ ଦୁଃଖରେ ଭାଙ୍ଗିପଡନ୍ତି । ମନମାରି ବସିରହନ୍ତି ଘଡିଏ ପହଡଯାଏ । ପେଟରେ ଭୋକଥିଲେ ବି ଖାଇବାକୁ କୁହନ୍ତିନି । ଏଭଳି କଦର୍ଯ୍ୟ ବ୍ୟବହାରରେ ଦିନକୁଦିନ ଦୁହେଁ ଅତିଷ୍ଟ ହୋଇପଡନ୍ତି । ଛାତିତଳେ ଥିବା ମନର ଦୁଃଖକୁ ମନରେମାରି, ନିଜର ଲୁହକୁ ନିଜେପିଇ, କିଂକର୍ତ୍ତବ୍ୟମୁଢ ହୋଇ ନିଃସହାୟଭାବେ ଜୀବନ କାଟନ୍ତି ।

         ସେଦିନ ସକାଳୁ ସକାଳୁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବୁଢାବୁଢୀମାନଙ୍କର ଲମ୍ବାଧାଡି ଲାଗିଥାଏ ସରକାରଙ୍କ ଅନୁକମ୍ପାମୂଳକ ସାହାଯ୍ୟ ପାଇବାପାଇଁ । ଜଣକ ପରେ ଜଣେ ଟିପ ଚିହ୍ନଦେଇ / ଦସ୍ତଖତକରି ଟଙ୍କା ନେଉଥା’ନ୍ତି । କରୁଣା ଆଉ କମଳିର ପାଳି ପଡିଲାବେଳକୁ ଅପରାହ୍ନ ଦୁଇଟା ହୋଇଥିଲା । ଦୁହେଁ ବହୁ କଷ୍ଟରେ, ସେଇ ମୁଣ୍ଡଫଟା ଖରାରେ ଚାଲି ଚାଲି ଆସି ଘରେ ପହଂଚିଲାବେଳକୁ ଛାଇ ଲେଉଟିଲାଣି । ପାଣି ଢୋକେଢୋକେ ପିଇ, କ୍ଳାନ୍ତହୋଇ ପିଣ୍ଢାକୁ ଆଉଜି ଥକ୍‌କା ମାରି ବସିଥିଲାବେଳେ ଅଜୁ କେଉଁଠି ଥିଲା କେଜାଣି ତାକୁ ଯେମିତି ବାସିଲାପରି ସେ ଦୈାଡିଆସି କହିଲା – “ଯଲ୍‌ଦି ପଇସା ଦିଅ । ଘରେ କିଛି ସଉଦା ନାହିଁ । ମୁଁ ଏବେ ଆଣିବାକୁ ଯିବି ।” ସେ ଏତିକିକହି ବୁଢୀ କାନିରେ ବନ୍ଧାହୋଇଥିବା ଦୁଇମାସର ସବୁଟଙ୍କାକୁ ଜବର୍‌ଦସ୍ତ୍ ନେଇ ଦୋକାନ ଅଭିମୂଖେ ଚାଲିଲା । ବିଜୁ ମୂଲଲାଗି, ସଂଧ୍ୟାରେ ଘରକୁଫେରି ବାପମାଆକୁ କହିଲା – “ମୁଁ ଶୁଣିବାକୁ ପାଇଲି ଆଜି କୁଆଡେ ଏକାବେଳକେ ଦୁଇମାସର ଟଙ୍କାମିଳିଛି ? ମୋତେ ଗୋଟେମାସର ଦିଅ । ମୁଁ ଦୋକାନରେ ପଇଠ କରିବି ।” ତା ମୁହଁରୁ ଏକଥା ଶୁଣି ବୁଢୀ ଡରିଡରି କହିଲା – “ସବୁଟଙ୍କା ତୋ ଭାଇ ନେଇଯାଇଛି । ତାକୁ କହ, ସେ ଦେବ ।” ଏଗୁଡାଙ୍କୁ କାହିଁକି ଜନ୍ମକରିଥିଲି କେଜାଣି ? କ’ଣ ଏ ବୟସରେ ଦୁଃଖ ପାଇବାକୁ ? ସେ ଆଖିରୁ ଲୁହପୋଛି, ବୁଢାକୁ ସାଥିରେ ଡାକିନେଲା ପୋଖରୀକୁ, ଧୋଇଧାଇ ହେବାକୁ ।

        ବୁଢୀ ମୁହଁରୁ ଏକଥା ଶୁଣି ବିଜୁର ପିତଚଢିଯାଇଥିଲା ମୁଣ୍ଡକୁ । ସେ ରାଗ ସମ୍ଭାଳି ନପାରି, ମଝିଦୂଆରେ ଉଠିଥିବା ପାଚେରୀ ପାଖକୁ ଯାଇ ତା ଭାଇକୁ ବଡପାଟିରେ ଡାକି ଟଙ୍କା ମାଗିବାରୁ, ଅଜୁ ବାହାରକୁ ବାହାରିଆସି ନମ୍ରଭାବେ କହିଲା – “ହଁ ନେଇଛି । ଏଥର ଯେଉଁ ଦୁଇମାସର ମିଳିବ, ତୁ ନେବୁ । ଏଥିରେ ଝଗଡା କରିବାର କ’ଣ ଅଛି ?” ତା’ର ଏତିକି କଥାରେ ସଙ୍ଗେସଙ୍ଗେ ବିଜୁ ରାଗିଯାଇ ହାତ ଉଠାଇଲା ଅଜୁ ଉପରକୁ । ସଙ୍ଗେସଙ୍ଗେ ମାର୍‌ପିଟ୍‌ରେ ପରିସ୍ଥିତି ଅସମ୍ଭାଳ ହୋଇପଡିଥିଲା 

         ଅତିଶୟ ଦୁଃଖରେ ରାତିରେ ଆଦଂ ନିଦ ଆସୁନଥିଲା ବୁଢାବୁଢୀ ଦି’ଟାଙ୍କ ଆଖିକୁ । ସମସ୍ତେ ଶୋଇଗଲାପରେ ଦୁହେଁବସି ଅନ୍ଧାରଟାରେ କାନ୍ଥକୁ ଆଉଜି ମନେମନେ ଭାବୁଥିଲେ – “ପେଟରେ ଓଦା କନାଦେଇ ଏଡେଟିରୁ ଏଡେଟିଏ କଲାପରେ ବି ଆଜି ସେମାନେ କେଇଟା ଟଙ୍କାପାଇଁ ଭାଇ ଭାଇ ଭିତରେ ଲଢେଇ କରୁଛନ୍ତି । ନିଜର ମଣିଷ ପଣିଆ ଭୂଲି ଜନ୍ମିତ ବାପମାଆଙ୍କୁ କଦର୍ଯ୍ୟ ବ୍ୟବହାର କରିବାକୁ ପଛାଉନାହାନ୍ତି । ମୂଲ ମଜୁରୀଲାଗି ଏମାନେ ଏକପ୍ରକାର ଭଲରେ ଚଳୁଥିଲେ ମଧ୍ୟ ଆମେ ଆଜି ବାର୍ଦ୍ଧକ୍ୟ ବୟସରେ ଏମାନଙ୍କପାଇଁ ଅକର୍ମଣ୍ୟ ଆଉ ବୋଝ ପାଲଟି ଯାଇଛୁ । ଆମକୁ ଏମାନେ ଗଣ୍ଡାଏ ଦିନକୁ ଦୁଇଓଳି ଭଲରେ ଖାଇବାକୁ ଦେବାକୁ କୁଣ୍ଠାବୋଧ କରୁଛନ୍ତି । ଆମେ ନଖାଇ ଥିଲେ ବି ଟିକେ ପଚାରନ୍ତିନି ।” କମଳି ଲୁହ ଛଳଛଳ ଆଖିରେ କରୁଣାକୁ ଚାହିଁ କହିଲା – “ଜାଣିଛ, ବୋହୁଟା ଘରେ ପାଦ ଦେଲା ଦିନୁ ଆମକୁ ଭଲରେ କି ମନ୍ଦରେ ଟିକେ ପଚାରୁନି । ମୋତେ ଦେଖିଲେ ଖାଲି ଏଡେ ମୁହଁକରି ବସୁଛି । ସକାଳେ ନାଲି ଚା’ କରି ଦେବାକୁ କହିଲେ ସେ ରାଗ ତମତମ ହୋଇ କହୁଛି – ମୋର ଆଉ କିଛି କାମ ନାହିଁ, ଖାଲି ଚା’ କରୁଥିବି ? ମୋତେ ସମୟ ନାହିଁ । ମୋ ଛୁଆକଥା ବୁଝିବି ନା ତମ ଦି’ଟାଙ୍କ କଥା ବୁଝିବି ? କାହିଁକି ଏ ଘରକୁ ଆସୁଥିଲି କେଜାଣି ? ମରିଯାଆନ୍ତି କି ? ସାମାନ୍ୟ କଥାରେ ମୋ ଉପରେ ଖାଲି ଚିଡ୍‌ଚିଡ୍ ହେଉଛି । କେତେଥର ସେ ମୋତେ ହାତ ଉଠେଇଲାଣି । ହେଲେ ଖାଲି ମାରିବାଟା ଏଯାଏ ବାକିଅଛି । ମୁଁ ଖାଇବା କଥା କହିଲେ ମୋ ଉପରକୁ ରାଗି ଫଁ ଫଁ ହେଉଛି । ବାପା ସେ ଘରେ ବସିଛନ୍ତି, ଯା’ କ’ଣ ଦି’ଟା ତାଙ୍କୁ ଖାଇବାକୁ ଦେବୁ କହିଲି । ହେଲେ ସେ କ’ଣ ଶୁଣିଲା ମୋ କଥା ? ଏତିକିରେ ରାଗ ତମତମ ହୋଇ ଛୁଆକୁଧରି ଭିତରପଟୁ କବାଟ କିଳି ଶୋଇଲା ।” ସବୁ ଶୁଣିବା ପରେ ଥରିଲା ଥରିଲା ହାତରେ କରୁଣା ତା ଆଖିରୁ ଲୁହ ପୋଛିଦେଇ କହିଲା – “ଆମେ ପୂର୍ବଜନ୍ମରେ କି ପାପକରିଥିଲେ କେଜାଣି ଏ ଜନ୍ମରେ ଆମକୁ ଦୁଃଖ ଭୋଗିବାକୁ ପଡୁଛି । ଖାଲି ଆମେ ନୁହେଁ ଲୋ, ଆମରି ଭଳି ଅନେକ ବାପମାଆ ବାର୍ଦ୍ଧକ୍ୟ ଅବସ୍ଥାରେ ଛଟପଟ ହେଉଛନ୍ତି, ନିଜ ଆଖିରେ ନଦେଖିଲେ ବିଶ୍ୱାସକରି ହେବନି ।”

         ରାତି ପାହିବାକୁ ଆଉ କିଛି ସମୟ ଅଛି, ଆନ୍ଦୁଆନ୍ଦୁରାରୁ କରୁଣା ଦାନ୍ତକାଠି ଯୋଡିଏ ଆଣିବାପାଇଁ ଘରର ପଛ ପଟେ ଥିବା ସାହାଡା ଗଛ ପାଖକୁ ଯାଉଥିବା ସମୟରେ ହଠାତ୍ ଦୂରରୁ ଶୁଣିବାକୁପାଇଲା - ଅବନୀ ଘରୁ ପାଟିତୁଣ୍ଡ ଶୁଭୁଛି । ସଙ୍ଗେସଙ୍ଗେ ସେ ତା ଘରକୁ ଦୈାଡି ଯାଇ ଦେଖେ ତ ତା ପୁଅ ତାକୁ ବାଧ୍ୟ କରୁଛି ସରପଞ୍ଚବାବୁଙ୍କ ପାଖକୁଯାଇ କୁହାବୋଲାକରି ଭତ୍ତାଟିଏ କରିବାକୁ । ପୁ’ଣି କହୁଛି – “ତମେ ଦି’ଟା ଖାଲି ଶୁଖିଲାଟାରେ ବସିରହିଛ । କୁଟାକୁ ଦି’ଖଣ୍ଡ କରୁନ । ତେଣୁ ଭତ୍ତା କଲେ ଅସୁବିଧା କ’ଣ ? ତୁରନ୍ତ ତାଙ୍କ ପାଖକୁ ଯାଇ ଭତ୍ତା କରାଇ ଦେବାକୁ କୁହ ।” କରୁଣା ଏସବୁ ଶୁଣି ତାକୁ ଆଉ ଭଲ ଲାଗିଲାନି । ସେ ମନଦୁଃଖରେ ଦାନ୍ତକାଠି ଦୁଇଟାଧରି ଘରକୁ ଫେରୁଥିବାବେଳେ ଭାବୁଥିଲା – “ବାର୍ଦ୍ଧକ୍ୟ ଅବସ୍ଥାରେ ବଂଚିବାପାଇଁ ଏଇ ଭତ୍ତା କ’ଣ ଏକମାତ୍ର ସାହା ଭରସା ? ପୁଅକୁ ଜନ୍ମ ଦେଇ, ପାଳି ପୋଷି ମଣିଷ କରି, ହାତକୁ ଦି’ହାତ କରିଦେଲା ପରେ ସେମାନଙ୍କର କ’ଣ ବାପମାଆଙ୍କ ପ୍ରତି କିଛି କର୍ତବ୍ୟ ନାହିଁ ? ଖାଲି କଥା କଥାକେ ଭତ୍ତାପାଇଁ ଜୁଲମ୍ କରୁଛନ୍ତି ।” ସେ ନିଜର ପୁଅ ଦି’ଟାଙ୍କ କଥା ଭାବିଭାବି ଗାମୁଛାରେ ଆଖିରୁ ଲୁହପୋଛିଲା ।

          ସକାଳ ଆଠଟା ହେଲାଣି । ବୁଢାବୁଢୀ ଦୁହେଁ ନାଲି ଚା’ ଟିକେ ପିଇବାପାଇଁ କେତେବେଳୁ ବୋହୁ ହାତକୁ ଅନେଇ ବସିଛନ୍ତି । ହେଲେ ସେ ଚା’ ଦେବା ତ ଦୂରର କଥା, ସେମାନଙ୍କ ମୁହଁକୁ ବି ଚାହିଁଲାନି । ଖାଲି ପିଲାଟାକୁ କାଖରେଧରି ଏପଟ ସେପଟ ହେଉଥିଲା । ତା’ର ଏପରି ହାବଭାବ ଦେଖି ବୁଢୀ ବାଧ୍ୟହୋଇ ଅନୁନୟ ବିନୟକରି କହିଲା – “ବୋହୁ, ତାକୁ ମୋତେ ଦେଇ ତୁ ଟିକେ ଚା’ କରିଦେ ?” ଏତିକିମାତ୍ର କଥାରେ ସେ ରାଗରେ ଗର୍ଜନକରି କହିଲା – “ମୁଁ କରିପାରିବିନି । ତମେ ନିଜେ କରିନିଅ । ତୁମ ସାଙ୍ଗର ବୁଢାବୁଢୀମାନେ କ’ଣ କିଛି କରୁନାହାନ୍ତି ? ଖାଲି ବସିବସି ଗେମ୍ଫା ମାରୁଛନ୍ତି ? କିଛି ନକରିପାରିଲେ ଘର ଘର ବୁଲି ଭିକ ତ ମାଗି ପାରିବ । ନା ସେତକ ବି କରିପାରିବନି ?” ମନକୁ ତା’ର ଯାହା ଆସିଲା ସେ କହି ମୁହଁକୁ ଛିଂଚାଡି ଘର ଭିତରକୁ ଦୁମୁଦୁମୁହୋଇ ଚାଲିଗଲା ।

             ପ୍ରତିବର୍ଷ ପରି ସେବର୍ଷ ମଧ୍ୟ ଗାଁଠାରୁ କିଛି ଦୂରରେ ସାତଦିନବ୍ୟାପି ଜଜ୍ଞ ହେଉଥାଏ । ବିଭିନ୍ନ ଆଡୁ ହଜାର ହଜାର ଲୋକ ଜଜ୍ଞ ଦେଖିବାକୁ ଆସୁଥା’ନ୍ତି । ବାହାରୁ ଏକଥା ଶୁଣି କରୁଣା କମଳିକୁ ପାଖକୁଡାକି କହିଲା –

-ଜାଣିଛୁ, ବେଲାରି ମଠରେ ଜଜ୍ଞ ହେଉଛି ।

-ହଁ, ଶୁଣିଛି ।

-ଚା’ଲେ ଆମେ ସେଇଠିକି ଯିବା । ଏଠି ଦୁଃଖେକଷ୍ଟେ ପଡିରହିବା ଅପେକ୍ଷା ସେଠାରେ ଠାକୁରଙ୍କୁ ଡାକିଡାକି ଦିନକାଟିବା ଭଲ ।

-ତମେ ଠିକ୍ କହିଛ । କାଳେ ରାଗିବବୋଲି ମୁଁ ମୁହଁ ଖୋଲୁନଥିଲି ।

-ଆଲୋ, ଏଥିରେ ରାଗିବାର କ’ଣ ଅଛି ? ଆ’, କୁସୁମ ଘରୁ ଚା’ ଢୋକେଢୋକେ ପିଇ ସଅଳ ସଅଳ ବାହାରିପଡିବା ।

         ଜଜ୍ଞର ଶେଷଦିନରେ ଅର୍ଥାତ୍ ପୂର୍ଣ୍ଣାହୁତି ଦିନ ବୁଢାବୁଢୀ ଦୁହେଁ ପ୍ରସାଦ ସେବନକରି ମହା ଆନନ୍ଦରେ ଅତିଥିଶାଳାରେ ବିଶ୍ରାମ ନେଉଥିବା ସମୟରେ ହଠାତ୍ କରୁଣାର ଆଖିପଡିଲା ତା ପିଲାଦିନର ସାଙ୍ଗ କେଶବ ଓ ସୁଲି ଉପରେ । ସେ ଅତି ଖୁସିରେ ନିଜକୁ ଆଉ ସମ୍ଭାଳି ନପାରି ଦୈାଡିଆସି, କେଶବକୁ ପଛପଟୁ ଧରିପକାଇ, ଭାବବିହ୍ୱଳର ସହ କହିଲା –

-ତୁ କେଶବ ନା ! ମୋତେ ଚିହ୍ନି ପାରୁଛୁ ?

-ଆରେ କି କଥା କହୁଛୁ , ମୋ ପିଲାଦିନର ସାଙ୍ଗକୁ ପୁ’ଣି ମୁଁ ଚିହ୍ନି ପାରିବିନି ।

-ଯାହାହେଉ ଏତେ ଦିନପରେ ଆମର ଏଇଠି ଭେଟହେବ ବୋଲି ମୁଁ କେବେ ବିଶ୍ୱାସ କରିନଥିଲି । ହଉ କେମିତି ଅଛୁ, କ’ଣ କରୁଛୁ, ତୋ ବିଷୟରେ କିଛି କହ ?

-ହଁ, ସବୁ ଭଲ । ଆଉ ତୋ ଖବର କ’ଣ ?

         କେଶବ ମୁହଁରୁ ଏଇ କେଇପଦ କଥାଶୁଣି ତା ଆଖିରୁ ଠକ୍‌ଠକ୍ ଲୁହ ଝରିପଡିଲା । ନିଜର ଘରକଥା ଖୋଲି କହିବାକୁ ଖରାପଲାଗୁଥିଲେ ବି ସେ ବାଧ୍ୟହୋଇ ଆମୂଳଚୂଳ ସବୁ ବର୍ଣ୍ଣନା କଲା ତା ପାଖରେ । ସବୁ ଶୁଣିବାପରେ କେଶବ ଲୁହ ଛଳଛଳ ଆଖିରେ କହିଲା – “ଜାଣିଛୁ, ଆଜିକୁ ୫ବର୍ଷ ପୂର୍ବରୁ ମୋ ଅବସ୍ଥା ଠିକ୍ ତୋ ପରି ଥିଲା । ମୁଁ ଆଉ ମୋ ସ୍ତ୍ରୀ ଶେଷରେ ବାଧ୍ୟ ହୋଇ “ଜରା ନିବାସ” ଚାଲି ଆସିଲୁ । ଏବେ ସେଇଠି ଭଲରେ ଅଛୁ ।”

       ଯାହାହେଉ, ଏତେଦିନ ପରେ ଟିକେ ଶାନ୍ତିରେ ମୃତ୍ୟୁ ପର୍ଯ୍ୟନ୍ତ ବଂଚିବାର ମାଧ୍ୟମ ତା ଆଖି ସାମ୍‌ନାରେ ଝଲ୍‌ସି ଉଠିବାରୁ, ସେ ଖୁସିରେ ଭାବବିହ୍ୱଳହୋଇ କେଶବକୁ ଆଲିଙ୍ଗନକରି ଅନୁରୋଧପୂର୍ବକ କହିଲା - ଆମେବି ତୋ ସହ ଯିବାକୁ ରାଜିଅଛୁ ।

           ତହିଁ ଆରଦିନ ସୂର୍ଯ୍ୟୋଦୟ ପୂର୍ବରୁ ସେମାନେ ଖୁସିରେ ଜରା ନିବାସ ଅଭିମୁଖେ ଯାତ୍ରା କରୁଥିଲେ ।



Rate this content
Log in

More oriya story from Aminilu Ray

Similar oriya story from Tragedy