Aminilu Ray

Romance

2  

Aminilu Ray

Romance

ଗପ ହେଲେ ବି ସତ

ଗପ ହେଲେ ବି ସତ

5 mins
166


             

   ପିଲାବେଳେ ଆମ ଘର ଅଗଣାରେ ମୁଁ ତା ସହ ସବୁଦିନେ ବାଲିଘର ଖେଳୁଥିଲି । ବେଳେବେଳେ ତା ବାଲିଘରକୁ ଭାଙ୍ଗି ଦେଉଥିଲି । ସେ କାନ୍ଦୁଥିଲା, ଅଭିମାନ କରୁଥିଲା ଆଉ ମୋ ଉପରେ ରାଗୁଥିଲା । ଖୁବ୍ ଯୋର୍‌ରେ ସେ ରାଗିକି ମୋ ବାଲିଘର ବି ଭାଙ୍ଗିଦେଉଥିଲା । ମୁଁ ରାଗରେ ତାକୁ ମାରୁଥିଲି । ସେ କାନ୍ଦି କାନ୍ଦି ତା ମମିକୁ ଯାଇ କହିଦେଉଥିଲା । ତା ପରଦିନ ସାଙ୍ଗ ହୋଇ ପୁ’ଣି ଆମେ ବାଲିଘର ଖେଳୁଥିଲୁ ।

   ଆମେ ଦୁହେଁ ସ୍କୁଲରେ ୩ୟ ଶ୍ରେଣୀରେ ପଢୁଥିଲାବେଳେ, ରିକ୍ରେସନ୍ ସମୟରେ ମୁଁ ତା ଟିଫିନ୍ ବକ୍ସରେ ଥିବା ଖାଦ୍ୟକୁ ତା ଠାରୁ ଛଡାଇ ଖାଇଦେଉଥିଲି । ସେ ମୋ ଉପରେ ରାଗୁଥିଲା ଆଉ ମୋତେ ମାରୁଥିଲା । ବେଳେବେଳେ ମୋ ହାତକୁ କାମୁଡିଦେଉଥିଲା । ଆଉ ମୁଁ ଆଣିଥିବା ଟିଫିନ୍‌କୁ ସେ ରାଗରେ ଦୂରକୁ ଫିଙ୍ଗି ଦେଉଥିଲା । ତା ପରଦିନ ପୁ’ଣି ଆମେ ସାଙ୍ଗ ହୋଇ ସ୍କୁଲ ଆସୁଥିଲୁ ।

   ସେ ମୋ ସହ ୭ମ ଶ୍ରେଣୀରେ ପଢୁଥିଲାବେଳେ, ରିକ୍ରେସନ୍ ପୁର୍ବରୁ ମୁଁ ତା ଟିଫିନ୍‌କୁ ଖୁସିରେ ଲୁଚେଇକି ନେଇଆସି ତାକୁ ଟିକେ ରଗାଇବା ପାଇଁ ତା ଆଗରେ ସବୁ ଖାଇଦେଉଥିଲି । ସେ ମୋ ପାଖକୁ ଆସୁଥିଲା କିନ୍ତୁ ରାଗୁ ନଥିଲା । ମୋତେ କେମିତି ଗୋଟେ ଚାହାଣୀରେ ଚାହିଁ, ହସି ଦେଇ, ତା ସାଙ୍ଗମାନଙ୍କ ପାଖକୁ ଚାଲିଯାଉଥିଲା ଓ ମୋ ବିଷୟରେ ସେମାନଙ୍କୁ କହୁଥିଲା । ଉପାସରେ ଘରକୁ ଫେରୁଥିଲା । ମୋତେ ବହୁତ ଦୁଃଖ ଲାଗୁଥିଲା । ମୁଁ ତାକୁ ସରି କହିଲେ ସେ ହସି ଦେଉଥିଲା । ସତେ ଯେମିତି ତା ପେଟରେ ଭୋକ ନଥିଲା ।

   ୧୦ମ ବେଳକୁ ଅଧିକାଂଶ ସମୟ ସେ ମୋ ଠାରୁ ଦୂରେଇ ରହୁଥିଲା । ମୋତେ ବହୁତ ଦୁଃଖ ଲାଗୁଥିଲା । ହେଲେ ସେ ମୋତେ ବେଳେବେଳେ ବୁଝାଇ ଦେଉଥିଲା । ତା ଟିଫିନ୍‌ରୁ ପ୍ରତିଦିନ ସେ ମୋତେ ଅଧା ଦେଇ ସେ ଅଧା ଖାଉଥିଲା । ମୁଁ ନ ଖାଇଲେ ସେ ଅଭିମାନ କରୁଥିଲା, ଖାଉ ନଥିଲା । ତା ଆଖିରେ ଲୁହ ଆସୁଥିଲା । ତା ଲୁହ ଦେଖି ମୋତେ ବି ଦୁଃଖ ଲାଗୁଥିଲା ।

   ଅଲଗା ଅଲଗା କଲେଜ୍‌ରେ ଆମେ ଦୁହେଁ +୨ ପଢୁଥିଲାବେଳେ ତା ସହ ମୋ’ର ଅଧିକାଂଶ ସମୟ ଦେଖାହେଉନଥିଲା । କେବଳ ମୋବାଇଲ୍‌ରେ ଆମେ ଯାହା ପରଷ୍ପର କଥା ହେଉଥିଲୁ । ବଡଦିନ ଛୁଟିରେ ଆମେ ଦୁହେଁ ଗାଁକୁ ଆସିଲେ ସେ ଆମ ଘରକୁ ବୁଲିଲା ବୁଲିଲା ହୋଇ ଆସୁଥିଲା ଓ ମୋତେ ଦେଖି ହସିଦେଇ ଚାଲିଯାଉଥିଲା ।

   ଆମେ ଦୁହେଁ କଟକରେ +୩ ପଢୁଥିଲାବେଳେ ତା ସହ ମୋ’ର ସଂଧ୍ୟା ସମୟରେ ପାର୍କରେ ସଦାବେଳେ ଦେଖା ହେଉଥିଲା । ଆମେ ଦୁହେଁ ସାଙ୍ଗ ହୋଇ ଲାଇବ୍ରେରୀ ଯାଉଥିଲୁ, ପାର୍କ ଯାଉଥିଲୁ, ସିନେମା ଯାଉଥିଲୁ ଇତ୍ୟାଦି ଇତ୍ୟାଦି । କିନ୍ତୁ ଗାଁ’କୁ ଆସିଲେ ମିଳାମିଶା କ୍ଷେତ୍ରରେ ତାଙ୍କ ପରିବାର ତରଫରୁ ତା ଉପରେ ବେଶୀ କଟକଣା ଥିଲା । ସେ ଲୁଚିଛପି ମୋତେ ଦେଖା କରୁଥିଲା ଓ ମୋ ସହ କଥା ହେଉଥିଲା । ମୁଁ ତାକୁ ଦିନଟିଏ ନ ଦେଖିଲେ ମୋ ଛାତି ଭିତରଟା କେମିତି ଗୋଟେ ହେଇଯାଉଥିଲା । ସେ ମୋତେ ବି ଲୁଚିଛପି ଦେଖିବାକୁ ଚେଷ୍ଟା କରୁଥିଲା ।

   ସେ ମେଡିକାଲ୍ ପାଇ କଟକରେ ଏମ୍‌.ବି.ବି.ଏସ୍ କରୁଥିଲାବେଳେ ତା’ର ମୋ’ର ଭଲ ପାଇବା ବହୁ ଦୂରକୁ ଆଗେଇ ଯାଇଥିଲା । ସେ ମୋତେ ଛାଡି ରହିପାରୁ ନଥିଲା । ବାରଂବାର ମୋତେ ଫୋନ୍ କରୁଥିଲା । ମୁଁ ବି ତା ପାଇଁ ଠିକ୍ ସେହିପରି ଥିଲି । ପାର୍କରେ ସାଙ୍ଗହୋଇ ସଂଧ୍ୟାରେ ବସିଥିବା ସମୟରେ ସେ ବେଳେବେଳେ ମୋ ପାଇଁ ମନ ଦୁଃଖ କରୁଥିଲା । ଅସୁବିଧା ସମୟରେ ସେ ମୋତେ ସବୁ ପ୍ରକାରେ ସାହାଯ୍ୟ କରୁଥିଲା ।

   ମୋ’ର ଇଂଜିନିୟରିଙ୍ଗ୍ ପଢା ଶେଷ ପରେ ମୁଁ ଆମ ଘରର ସମସ୍ୟାକୁ ଆଖି ଆଗରେ ରଖି ଭଲ ଚାକିରୀ ଖଣ୍ଡେ ପାଇଁ ଜୋର୍‌ଦାର୍ ଲାଗିପଡିଥିବା ସମୟରେ ସେ ମୋ ପଛେ ପଛେ ରହି ମୋତେ ସାହାଯ୍ୟ କରୁଥିଲା । ତା’ର ଏମ୍‌.ବି.ବି.ଏସ୍ ସରିବାକୁ ଆଉ ମାତ୍ର ଗୋଟେ ବର୍ଷ ବାକି ଥିଲା । ମୋ ଉପରେ ତା’ର ପ୍ରବଳ ବିଶ୍ୱାସ ଥିଲା । ସେହି ବିଶ୍ୱାସ ମୋତେ ଆଗକୁ ଆଗକୁ ଯିବା ପାଇଁ ପ୍ରେରଣା ଯୋଗାଉଥିଲା ।

   ତାଙ୍କ ଘରକୁ ତା ପାଇଁ ଭଲ ଭଲ ବିବାହ ପ୍ରସ୍ତାବ ଚାରିଆଡୁ ଆସୁଥିଲାବେଳେ ସେ ବ୍ୟସ୍ତ ହୋଇପଡୁଥିଲା ଓ ସେଥିପାଇଁ ବେଳେବେଳେ ଅନ୍ୟମନସ୍କ ରହୁଥିଲା । ଆମ ଘରକୁ ବି ମୋ ପାଇଁ ଚାରିଆଡୁ ପ୍ରସ୍ତାବ ଆସୁଥିଲା, ହେଲେ ମୋ ମନ ତା ପାଖରେ ସଦାବେଳେ ଥିଲାବେଳେ ସେ ମୋତେ ଝୁରୁଥିଲା ।

   ଆମ ପ୍ରେମ ସଂପର୍କ ବିଷୟରେ ତାଙ୍କ ଘରେ ସମସ୍ତେ ଜାଣିବା ପରେ ଆମ ଘରକୁ ତାଙ୍କର ଯିବାସିବା ବନ୍ଦ ହୋଇ ଯାଇଥିଲା ଓ ତାଙ୍କ ଘର ଲୋକେ ମୋ ସହ କଥାବାର୍ତା , ମିଳାମିଶା ନ କରିବାକୁ ତାକୁ ତାଗିଦ୍ କରିଥିଲେ । ହେଲେ ସେ ମୋ ବିନା ବଂଚି ପାରିବନି ବୋଲି ମୋ’ର ତା ପ୍ରତି ଗଭିର ବିଶ୍ୱାସ ଥିଲା । ତୁରନ୍ତ ଭଲ ଚାକିରୀ ଖଣ୍ଡେ କରିବା ପାଇଁ ସେ ମୋତେ କାନେ କାନେ ବୁଝାଉଥିଲା ।

   ଏମ୍‌.ବି.ବି.ଏସ୍ ଶେଷ ହେବାର କିଛି ମାସ ପରେ କଟକ ଏସ୍‌.ସି.ବି ମେଡିକାଲରେ ତା’ର ଜୁନିୟର୍ ଡକ୍ଟର ଭାବେ ପୋଷ୍ଟିଙ୍ଗ୍ ହେବାର ତିନି ଦିନ ପୁର୍ବରୁ ମୁଁ ଇଲେକ୍ଟ୍ରି ବିଭାଗରେ ଜେ.ଇ ପୋଷ୍ଟ ପାଇ ରାଉରକେଲାରେ ଜଏନ୍ କରିଥିଲି । ନୂଆ ଚାକିରୀ ଯୋଗୁଁ ଚାପ ଅଧିକ ଥିବା ସତ୍ୱେ ବି କେବଳ ରାତିରେ ଶୋଇବାକୁ ଗଲାବେଳେ ଓ ସକାଳେ କିଛି ସମୟ ତା ସହ ଫୋନ୍‌ରେ କଥା ହେଉଥିଲି । ହେଲେ ତାକୁ ଦେଖିବାକୁ ମୋ ମନ ସଦାବେଳେ ବ୍ୟଗ୍ର ହେଉଥିଲା । ସେ ବି ମୋତେ ଏତେ ଦୂରକୁ ଛାଡିବାକୁ ଚାହୁଁନଥିଲା ।

   ତାଙ୍କ ଘର ଲୋକେ ତା ବାହାଘର ବିଷୟରେ ତା ପାଖରେ ଆଲୋଚନା କଲେ ସେ କିଛି ଶୁଣୁ ନଥିଲା । ସେଥିପାଇଁ ତାକୁ ତାଙ୍କ ଘର ଲୋକଙ୍କଠାରୁ ବହୁତ କିଛି ଶୁଣିବାକୁ ପଡୁଥିଲା । ହେଲେ ସେ ତା ସ୍ୱପ୍ନର ପୁରୁଷ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଥିଲା ।

   ଦିନେ ସେ ଓ.ଟି ରେ ଅପରେସନ୍ କରୁଥିବା ସମୟରେ ଦୁର୍ଭାଗ୍ୟବଶତଃ ତା ହାତରୁ ନିଡିଲ୍‌ଟା ହଠାତ୍ ଛିଟିକି ଯାଇ ତା ନିଜ ଆଖିରେ ବାଜିଲା । ସେ ସଙ୍ଗେ ସଙ୍ଗେ ଓ.ଟି କୁ ଗଲା ଓ ଶେଷରେ ତା’ର ଗୋଟେ ଆଖି ସବୁଦିନ ପାଇଁ ନଷ୍ଟ ହୋଇଯାଇଥିଲା । ସେ ସୁସ୍ଥ ହେଲା ପରେ ଦୁଃଖରେ ଭାଙ୍ଗି ପଡିଲା । ଚାକିରି ଛାଡିଦେବାକୁ ଚିନ୍ତା କଲା ଓ ମୋତେ ଫୋନ୍‌ରେ ସବୁ କଥା କହିଲା ।

   ମୁଁ ହଠାତ୍ ଛୁଟି ନେଇ ତା ପାଖରେ ପହଂଚିଲା ପରେ ସେ ମୋତେ ଜାବୁଡି ଧରି କଇଁ କଇଁ ହୋଇ କାନ୍ଦିଲା । ତା ଆଖି ଲୁହରେ ସେ ସେଦିନ ମୋତେ ତା ଜୀବନଠାରୁ ବେଶୀ ଭଲ ପାଏ ବୋଲି ସ୍ୱୀକୃତି ଦେଲା ।

   ମୁଁ ତା ଚାକିରି ଅପେକ୍ଷା ତାକୁ ବେଶୀ ଭଲ ପାଉଥିଲି । ତାକୁ ଜୀବନ ସାଥୀ ଭାବେ ପାଇବା ପାଇଁ ଓ ଗୋଟେ ଛାତ ତଳେ ଜୀବନର ଶେଷ ପର୍ଯ୍ୟନ୍ତ ତା ପାଖେ ପାଖେ ରହିବା ପାଇଁ ମନେ ମନେ ସ୍ୱପ୍ନ ଦେଖୁଥିଲି । ହେଲେ ଲାଜରେ କେବେ ତା ଆଗରେ ମୋ ମନ କଥା ଖୋଲି କହିପାରିନଥିଲି ।

   ସେଦିନ ତା କ୍ୱାର୍ଟର୍ ଭିତରେ ମୋ ମୁହଁରୁ ଶେଷ ଉତର ଟିକକ ଶୁଣିବା ପାଇଁ ସେ ମୋ ମୁହଁକୁ ବଲ ବଲ କରି ଚାହିଁଥିଲା । ଦୁଃଖରେ ଆଖିରୁ ଲୁହ ଝରାଉଥିଲା । ଗୋଟେ ଆଖି ହରେଇଛି ବୋଲି କହି ମନେ ମନେ ଭାଙ୍ଗି ପଡିଥିଲା ।

   ମୋ ଆଖିରେ ଲୁହ ଆସିଥିଲା । ଯାହାକୁ ପାଇବା ପାଇଁ ମୁଁ ଜୀବନ ସାରା ଅପେକ୍ଷା କରିବାକୁ ନିଷ୍ପତି ନେଇଥିଲି, ସେ ସମୟ ଆସିଛି ଭାବି ମୋତେ ଖୁସି ଲାଗୁଥିଲା । ମୁଁ ତାକୁ ଖୁସିରେ ମୋ ଛାତିକୁ ଟାଣି ଆଣିଲି । ଲୁହ ପୋଛିଦେଲି । ତା ସରୁ ଓଠରେ ପ୍ରେମର ଚୁମାଟିଏ ଆଙ୍କି ଦେଲି । ତାକୁ ଯୋର୍‌ରେ ମୋ ଛାତିରେ ଭିଡି ଧରିଲି । ତା ପିଠିକୁ ସ୍ନେହରେ ଆଉଁସି ଦେଲି । ଛୋଟ ପିଲା ପରି ଖୁସିରେ କାନ୍ଦୁଥିଲି ।

   ସେ ମୋ ଛାତିରେ ମୁହଁ ଗୁଞ୍ଜି ମୋତେ ଯାବୁଡି ଧରି ଖୁସିରେ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା । ତା ପାଖରୁ ମୁହୁର୍ତଟିଏ ମୋତେ ଛାଡିବାକୁ ଚାହୁଁ ନଥିଲା । ଦେହ ଅସୁସ୍ଥ ଯୋଗୁଁ ଗୋଟେ ମାସ ଛୁଟି ନେଇ ସେ ମୋ ସହ ରାଉରକେଲା ଯିବା ପାଇଁ କହିଲା । ମନା ନକରି ମୁଁ ତାକୁ ସାଙ୍ଗରେ ନେଇଆସିଲି ।

   ସେଦିନ ମଥାରେ ସିନ୍ଦୁର, ହାତରେ ଶଙ୍ଖା ଓ ନାଲି ରଙ୍ଗର ବଉଳପାଟ ଶାଢୀଟା ପିନ୍ଧିଥିଲାବେଳେ ସେ ଅବିକଳ ସାଧବ ବୋହୁଟିଏ ପରି ଦିଶୁଥିଲା । ତା ଓଠରେ ରେଡ୍ କଲର୍ ଲିପ୍‌ସ୍ଟିକ୍ ସାଙ୍ଗକୁ ଠିକ୍ ଓଠ ତଳେ ଥିବା ଛୋଟ ତିଳ ଚିହ୍ନଟା ତା ମୁହଁକୁ ବେଶୀ ସୁନ୍ଦର ଲାଗୁଥିଲା । ମନ୍ଦିରରେ ବିବାହ ପରେ ସେ ମୋତେ ସତରେ ପାଇ ମନେ ମନେ ବେଶୀ ଖୁସି ହେଉଥିଲା । ୨/୩ ମାସ ପରେ ମୁଁ କଟକ ଟ୍ରାନ୍‌ସଫର୍ ହୋଇ ଆସିଲି । ତାକୁ ସ୍ୱପ୍ନ ପରି ଲାଗୁଥିଲେ ବି ତା ପିଲାଦିନର ସାଥୀକୁ ସେ ଜୀବନସାଥୀ ଭାବେ ପାଇ ମନେ ମନେ ବେଶୀ ଖୁସି ହେଉଥିଲା ।

   ଛୁଟିଦିନରେ ଆମ ପିଲାଦିନର କଥାସବୁ ମୁଁ ତାକୁ ହସି ହସି କହୁଥିଲାବେଳେ ସେ ଲାଜେଇଯାଉଥିଲା ଓ ମୋ ପାଖକୁ ଲାଗିଯାଇ ମୋତେ ଖୁସିରେ ଯାବୁଡି ଧରି ମୋ ଛାତିରେ ମୁହଁ ଗୁଞ୍ଜି ମୁରୁକି ମୁରୁକି ହସୁଥିଲା ।


Rate this content
Log in

Similar oriya story from Romance