ଝାଲ୍ମୁଢି ବାବୁ
ଝାଲ୍ମୁଢି ବାବୁ


“ହେ ଭଗବାନ୍, କି ରାସାନ୍ତାଳ ଖରା । ମୋ ଜୀବନରେ କେବେ ମୁଁ ଦେଖିନଥିଲି । ସେଇଥିପାଇଁ ଏ ରାସ୍ତାରେ କେହି ଜଣେହେଲେ ବି ଦେଖାଯାଉ ନାହାନ୍ତି । ଦେହ ମୋର ଜଳିଯାଉଛି ଯେମିତି । ସହର ଆଉ କେତେ ଦୂର କେଜାଣି ? ଚାହିଁଲେ ଆଖିପାଉନି । ଆମ ଗାଁ’ରେ ତ କାହିଁ ଏମିତି ଖରା ହୁଏନି । ପାଣି ଟୋପାଏ ପିଇବାକୁ ଆଖପାଖରେ ନଳକୂପ କି ଦୋକାନଟିଏ ବି ନାହିଁ । ତଂଟି ମୋର ଶୁଖି ଗଲାଣି - କହି କହି ବାଟ ଚାଲୁଥାଏ ରାମୁ ।” କିଛି ବାଟ ଗଲା ପରେ ହଠାତ୍ ଛୋଟ ଦୋକାନ କେତୋଟି ତା ଆଖିରେ ପଡିବାରୁ ଭାରି ଖୁସିଲାଗିଲା ତାକୁ । ସେ ଯଲ୍ଦି ଯଲ୍ଦି ପାହୁଣ୍ଡ ପକାଇ, ସେଠାରେ ପହଂଚି, ଗୋଟେ ଦୋକାନ ପାଖରେ ଝାଲ୍ମୁଢି ବାକ୍ସଟାକୁ ତଳେ ରଖିଦେଇ କହିଲା –
-ଆଲୋ ଏ କୋକାକୋଲା, ଯଲ୍ଦି ଗୋଟାଏ ଖୋଲିଦେଲୁ, ମୁଁ ଢକଢକ କରି ପିଇଦିଏଁ । ଭାରି ଶୋଷ
-ମୋ ନାଁ ରଙ୍ଗଣୀ । କୋକାକୋଲା ନୁହେଁ । ଆଉ ସେମିତି ଡାକିବନି କହୁଛିି । ନିଅ, ଖୋଲିଦେଲି । ମନ ଇଛା ପିଇଯାଅ ।
ରାମୁ ଏକା ନିଶ୍ୱାସକେ ବଟଲ୍ଟାଯାକ ପିଇଦେଇ, ହାକୁଡିଟାଏ ମାରି, ରଙ୍ଗଣୀ ମୁହଁକୁ ଚାହିଁ ଟିକେ ନରମ ଗଳାରେ କହିଲା –
-କହିଲୁନି ତ କେତେ ଦେବି ?
-ଦଶ ଟଙ୍କା ଦିଅ । ଯମା ଜାଣିଥିବ କି ? କେତେ ଫଟେଇ ହେଉଛି ଦେଖ । ଗାଁ’ରୁ ଆସିଛି ବୋଧେ ।
ରାମୁ ଖୁସିରେ ଖଡ୍ଖଡିଆ ଦଶ ଟଙ୍କିଆ ନୋଟ୍ଟି ପକେଟ୍ରୁ ବାହାର କରି ତା ହାତକୁ ଦେଲାବେଳେ କହିଲା –
-ଆଛା, ଏ ଦୋକାନ ତୁ କେବେଠୁ କଲୁଣି ?
-ଏଇ ଛଅ ବର୍ଷ ହେବ । ବାପା ବୋଉ ଚାଲିଗଲା ପରେ ମୁଁ ଏକା ସମ୍ଭାଳୁଛି ପରା ।
-ସତ କହିଲୁ କୋକାକୋଲା, ତୁ ଏବେ ଏକା ?
-ହଁ’ ରେ ଝାଲ୍ମୁଢି ବାବୁ । ଏ ଦୁନିଆରେ ମୋ’ର ଆଉ କେହି ନାହାନ୍ତି ।
-ମୋ ନାଁ ରାମୁ ବୁଝିଲୁ । ମୋତେ ଆଉ ସେମିତି ଡାକିବୁନି । ଭାରି ସରମ ମାଡୁଛି ।
-ତମେ ବି ମୋତେ ଆଉ କୋକାକୋଲା ଡାକିବନି ତ ?
-ନା ନା । ତୋତେ ମଜାରେ ଟିକେ ଡାକିଦେଲି ନା । ହଉ ମୁଁ ଏବେ ଆସୁଛି । ତୁ ବସିଥା ।
ରାମୁ ଝାଲ୍ମୁଢି ବାକ୍ସଟାକୁ କାନ୍ଧରେ ପକାଇ ଯିବାକୁ ଉଦ୍ୟତ ହେଉଥିବାବେଳେ ପଛରୁ ରଙ୍ଗଣୀ ଡାକି କହିଲା –
-ଆଉ କହିଲନି ତ ତୁମ ଘର କଥା ।
-କ’ଣ ଆଉ କହିବି ? ତୋ ଅବସ୍ଥା ଯାହା, ମୋ ଅବସ୍ଥା ସେଇଆ । ମୋ’ର ବି କେହି ନାହାନ୍ତି । ଗାଁ’ରେ ବୁଲି ବୁଲି ବେପାର କରୁଥିଲି । ଭଲ ଚାଲିଲାନି ବୋଲି ସହର ଆସିଛି । ଆଛା କହିଲୁ ସହର ଆଉ କେତେ ଦୂର ?
-ଏଇଠୁ ମାତ୍ର ୩ କି.ମି ହେବ ।
-ଯାହା ହେଉ ଭଲ ହେଲା । ଏଠାରେ ରହିବାକୁ କେଉଁଠି ଘର ଭଡା ମିଳିବ ?
-ଆମ ଘର ଖାଲି ଅଛି । ରହିବ ?
-ରୋଗୀ ଖୋଜୁଥିଲା ଯାହା, ବଇଦ ବତେଇଲା ତାହା ।
-ମୋତେ କିଛି କହିଲ କି ?
-ନା ନା । ମୁଁ ରହିବି । ଏମିତି ସୁବିଧା ଆଉ କୋଉଠି ପାଇବିନି ।
ପ୍ରତିଦିନ ରାମୁ ନିତ୍ୟକର୍ମ ଶେଷ କରି ଦିନ ୧୧ଟା ସୁଦ୍ଧା ଝାଲମୁଢି ଧରି ବାହାରିଯାଏ ସହର । ବେପାର ସାରି ଘରେ ପହଂଚିଲା ବେଳକୁ ରାତି ୯ଟା ହୁଏ ତାକୁ । ଘରେ ପହଂଚି ଧୋଇଧାଇ ହୋଇ ସକାଳେ ରାନ୍ଧିଥିବା ଭାତ ସାଙ୍ଗକୁ କ’ଣ ଟିକେ ଭଜା ଭାଜି ଚଟାପଟ୍ ଖାଇ ଶୋଇପଡେ । ସେ ଶୋଇଲାବେଳେ ମନେ ମନେ ଭାବେ – “ଆଉ କେତେ ଦିନ ଏମିତି ଏକୁଟିଆ ରହିବି ? ସିଆଡୁ ଆସି ହାତରେ ରାନ୍ଧି ଖାଇବାକୁ ଭାରି ବିରକ୍ତ ଲାଗିଲାଣି । ଯଦି ରଙ୍ଗଣୀକୁ ବାହାହୋଇ ପଡନ୍ତି, ତେବେ ଆଉ କିଛି ଅସୁବିଧା ହୁଅନ୍ତାନି । ହେଲେ ସେ କ’ଣ ମୋତେ ରାଜି ହେବ ? ଆସି ୧୫ ଦିନ ହେଲାଣି, ତା ସାଙ୍ଗରେ ମୋ’ର ଭଲରେ ଦିପଦ କଥା ହେଇନି । ଦୋକାନ ବନ୍ଦ କରି ସେ ବି ହାଲିଆ ହୋଇ କ’ଣ ଟିକେ ଖାଇ ଶୋଇ ପଡୁଛି । ତାକୁ ବା ମୋ ସାଙ୍ଗରେ ପଦେ ଅଧେ ଦୁଃଖସୁଖ ହେବାକୁ ସମୟ କାହିଁ ? ହେ ଭଗବାନ୍ କିଛି ଗୋଟେ କର ।”
ରାମୁର ହାବଭାବ ଚାଲିଚଳନ ଦେଖି ରଙ୍ଗଣୀ ଭାବେ – “ମୁଁ ବି ଆଉ ଏକା ଏକା କେତେ ଦିନ ବଂଚିବି ? ମୋ ପାଇଁ ନିହାତି ସାଥୀଟିଏ ଦରକାର । ଯାହା ସହ ମୁଁ ସୁଖରେ ଘର ସଂସାର କରି ପାରିବି । କଥାରେ କହିଛି - ଅବାଡୁଆ ଝିଅ ଉପରେ ବୁଢା ଠାରୁ ଭେଣ୍ଡିଆଯାଏ ସମସ୍ତଙ୍କର ଆଖି । କ’ଣ କିଛି ଯଦି ହେଇଯାଏ, ତା’ହେଲେ ମୁଁ ଆଉ ମୁହଁ ଟେକି ଚାଲିପାରିବି ତ ? ନା’ଇଁ, କାଲି ମୋ ମନ କଥା ରାମୁକୁ ନିଶ୍ଚୟ ଖୋଲି କହିଦେବି ।”
ଆଜିକୁ ଦୁଇ ଦିନ ହେବ ରାମୁକୁ ଜ୍ୱର । ଦେହ ତାତିରେ ଖଇ ଫୁଟୁଛି । ନ ଖାଇ ନ ପିଇ ଖଟଟା ଉପରେ ସେ ସେମିତି ପଡି ରହିଛି । ରଙ୍ଗଣୀ ଏକଥା କାହାଠୁ ଶୁଣି, ସେ ନିଜକୁ ଆଉ ସହି ନ ପାରି, ତା ପାଖକୁ ଦୈାଡି ଯାଇ ଦେଖେତ ସେ ଶୋଇଛି । ତାକୁ ଟିକେ ହଲେଇ ଦେବାରୁ ସେ ସଙ୍ଗେ ସଙ୍ଗେ ନିଦରୁ ଉଠି ରଙ୍ଗଣୀକୁ ଦେଖି ଚମକି ପଡି କହିଲା –
-ଆଲୋ ମୁଁ ଠିକ୍ ଅଛି । ମୋ’ର କିଛି ହେଇନି । ତୁ ଦୋକାନକୁ ଯାଆ ।
-ଏମିତି କହିଲେ ମୁଁ ବିଶ୍ୱାସ କରିଯିବି ? ନିଅ, ଏ ବ୍ରେଡ୍ ଖାଇ ଯଲ୍ଦି ଯଲ୍ଦି ବଟିକାଟା ଖାଇଦିଅ । ଏକା ଥରକେ ଜ୍ୱର ଛାଟିଯିବ ।
-ହଉ ଦେ’ । ତୋ କଥା କ’ଣ ଭାଙ୍ଗି ପାରିବି ?
-କେତେ ଫଟେଇ ହେଉଛ ଯେ ... ।
ଲଘୁଚାପ ଯୋଗୁଁ ଘନଘନ ବର୍ଷା ଲାଗିରହିଥିବାରୁ ରଙ୍ଗଣୀ ସେଦିନ ରାତି ଆଠଟାରୁ ଦୋକାନ ବନ୍ଦ କରି, ରୋଷେଇବାସ ସାରି, ରାମୁର ଫେରନ୍ତା ବାଟକୁ ଚାତକିନୀ ପରି ଚାହିଁ ବସିଥାଏ । ଘଂଟାକ ପରେ ରାମୁ ଫେରିବା ଦେଖି ସେ ଅତି ସରାଗରେ, ପ୍ରେମର ଚାହାଁଣୀରେ ତାକୁ ଚାହିଁ ସ୍ମିତ ହସି କହିଲା
-ଶୁଣ, ମୁଁ ତୁମ ପାଇଁ ରୋଷେଇ କରିଛି । ତୁମର ଆଉ କରିବା ଦରକାର ନାହିଁ । ଗୋଡ ହାତ ଧୋଇ ହୋଇ ବସ, ମୁଁ ବାଢୁଛି ।
-ରଙ୍ଗଣୀ, ସତରେ ତୁ କ’ଣ ମୋତେ ଭଲପାଉ ? ଥରେ ମୁହଁ ଖୋଲି କହିଦେ ?
ଏକଥା ଶୁଣି ସେ ଲାଜରେ ନିଜର ମୁହଁକୁ ଦୁଇ ହାତରେ ବନ୍ଦ କରି ନରମ ଗଳାରେ କହିଲା –
-ତମେ କ’ଣ କିଛି ବୁଝିପାରୁନ ? ମୋତେ ସବୁ କଥା କହିବାକୁ ପଡିବ ? ଖାଇଦିଅ, ନୋହିଲେ ଥଣ୍ଡା ହେଇଯିବ ।
ରାତି ଏଗାରଟା । ବର୍ଷା ସେମିତି ଲାଗିରହିଛି । ଯୋର୍ରେ ପବନ ବହିବା ଯୋଗୁଁ ଲାଇନ୍ ଗଲାଣି କେତେବେଳୁ । ରାମୁ ଆଖିକୁ ନିଦ ଆସୁନଥିଲା । ସେପଟ ଘରେ ଶୋଇଥିବା ରଙ୍ଗଣୀର କଥା ତା ମନକୁ ଅସ୍ଥିର କରିଦେଉଥିଲା ବାରମ୍ବାର । ସେ ନିଜକୁ ଆଉ ସମ୍ଭାଳି ନପାରି ଶେଷରେ ତା’ର କବାଟରେ ଯାଇ ଠକ୍ଠକ୍ କରିବାରୁ , ରଙ୍ଗଣୀ ସଙ୍ଗେ ସଙ୍ଗେ କବାଟ ଖୋଲି କହିଲା –
-ପୁ’ଣି କ’ଣ ହେଲା ?
-ତୋତେ କ’ଣ ଟିକେ ଡର ଲାଗିଲାନି ? ଏକା ବେଳକେ କିଛି ଶବ୍ଦ ନ ଦେଇ କବାଟ ଖୋଲିଦେଲୁ ?
-ମୁଁ ଜାଣିଛି ତମେ ହିଁ ଠକ୍ଠକ୍ କରିଥିବ । ଆଉ କେହି ଏ କାମ କରିବେନି । ହଉ, କ’ଣ କୁହ ?
-ସତ କହୁଛି ମୁଁ ତୋ ବିନା ରହିପାରୁନି । ମୋ ଆଖିକୁ ଯମା ନିଦ ଆସୁନି ।
- ମୁଁ ବି ... । ହେଲେ ଲାଜରେ କହିପାରୁ ନଥିଲି ।
କିଛିଦିନ ପରେ ନିକଟସ୍ଥ ରାମ ମନ୍ଦିରରେ ଦୁଇଟି ଫୁଲମାଳ ସାହାଯ୍ୟରେ ରାମୁ ସହିତ ରଙ୍ଗଣୀର ବିବାହ କାର୍ଯ୍ୟ ସମ୍ପନ୍ନ ହୁଏ । ପହିଲି ରାତିରେ ରାମୁ କୋଳରେ ରଙ୍ଗଣୀ ଶୋଇ ମଧୁର ସ୍ୱପ୍ନ ଦେଖୁଥିଲାବେଳେ, ରାମୁ ତା’ର ଲମ୍ବା ଲମ୍ବା ଘନ କେଶରାଶିକୁ ଟିକେ ସଜାଡିଦେଇ କହିଲା –
-ତୁ ଆଗ ତୋ ଓଠରୁ ସେ ଲିପ୍ଷ୍ଟିକ୍ ସବୁ ପୋଛିଲୁ, ମୋତେ ଭାରି ଅସନା ଲାଗୁଛି ।
-ତମେ ନିହାତି ଗୋଟେ ଅନାଡି ବୁଝିଲ । ଯୁଗ ଯାଇ କେଉଁଠି ହେଲାଣି ତୁମକୁ ଜଣା ନାହିଁ । ହଉ ପୋଛିଦେଲି । ଏବେ କୁହ ।
-ଶୁ’ଣୁ, ସରକାର କହିଛନ୍ତି ଆମେ ଦୁଇ ଆମର ଦୁଇ । ମାନେ ବୁଝିପାରିଲୁ ତ ?
-ନାଇଁ । ଆମେ ଦୁଇ ଆମର ଏକ । ତା ହେଲେ ହେବ ଛୋଟ ପରିବାର, ସୁଖୀ ପରିବାର ।
-ନୋହିଲେ ହେଇପାରିବନି ? ଲୋକେ ତ ପୁ’ଣି ୩/୪ଟା ଲେଖାଏଁ ଜନ୍ମକରି ସୁଖୀ ପରିବାର କହୁଛନ୍ତି
-ନା, ସେ ଭୂଲ କଥା । କିଏ କ’ଣ କହୁଛନ୍ତି ଆମର ସେସବୁ ଜାଣିବା କିଛି ଦରକାର ନାହିଁ । ଆମେ କିନ୍ତୁ ଗୋଟେ ଛୁଆ ଜନ୍ମ କରିବା ବୁଝିଲ ।
-ଗୋଟେ ଆଖି ସାକ୍ଷୀ ନୁହଁ ବୋଲି ପରା ଲୋକେ ଜାଣି ଶୁଣି ୩/୪ଟା ଲେଖାଏଁ ଜନ୍ମ କରୁଛନ୍ତି । ଏହା କ’ଣ ମିଛ ?
-ନା ସତ । ହେଲେ ମୁଁ ସେସବୁ କିଛି ଜାଣିବାକୁ ଚାହେଁନା । ଆମର ଗୋଟେ ପିଲା ହେଲେ ଯଥେଷ୍ଟ । ଆଛା ଆମେ ଶୋଇବା ନା ଏମିତି ଗପୁଥିବା ? କେତେ ରାତି ହେଲାଣି ଦେଖୁଛ ତ ?
ସଙ୍ଗେ ସଙ୍ଗେ ରାମୁ ଖୁସିରେ ରଙ୍ଗଣୀକୁ ହଠାତ୍ ତା ବଳିଷ୍ଠ ବକ୍ଷ ଉପରକୁ ଭିଡିଆଣି ଅଧରରେ ଚୁମାଟିଏ ଆଙ୍କି ଦେଇ କହିଲା - “ମୁଁ ତୋତେ ପରୀକ୍ଷା କରୁଥିଲି ନା ... । ତୁ କାଳେ ଗାନ୍ଧାରୀ ପରି ଶହେଟା ଛୁଆର ମାଆ ହେବାକୁ ମନେ ମନେ ଆଶାରଖିଥିବୁ ।” ଏସବୁ ଶୁଣି ରଙ୍ଗଣୀ ଟିକେ ଲାଜେଇଯାଇ ସ୍ମିତହସି କହିଲା - “ମୁଁ ଭାବୁଥିଲି ତମେ ଗୋଟେ ଅନାଡି । ଏବେ ବୁଝୁଛି ତମେ ଭାରି ଦୁଷ୍ଟ ଆଉ ରସିକ ନାଗର ।”