Aminilu Ray

Classics

2  

Aminilu Ray

Classics

ଏନ୍ତୁଡିଶାଳରୁ ଶ୍ମଶାନ ଯାଏ ...

ଏନ୍ତୁଡିଶାଳରୁ ଶ୍ମଶାନ ଯାଏ ...

5 mins
231


            

        ବୁଢୀଟା କାନ୍ଦି କାନ୍ଦି ଭୂଇଁରେ ଗଡିଯାଉଥିଲା । ତାକୁ ବୟସ ଆସି ୭୦ ଛୁଇଁଲାଣି । ହେଲେ ସିଏ ଏଯାଏ ବଂଚିଛି । କିନ୍ତୁ ତା’ର ବୋହୁ ରେବତୀ ଆଜି ସକାଳେ ଛୁଆଟିଏ ଜନ୍ମ ଦେଉ ଦେଉ ସବୁଦିନ ପାଇଁ ଆଖି ବୁଜିଦେଲା । ଘର ଭିତରୁ ‘କୁଆଁ କୁଆଁ’ ଶବ୍ଦ ଶୁଭୁଥିଲାବେଳେ ବାହାରୁ ଶୁଭୁଥିଲା ‘ରାମ୍ ନାମ୍ ସତ୍ୟ ହୈ, ହରି ନାମ୍ ସତ୍ୟ ହୈ’ ।

ବୁଢୀର ଆଶାବାଡି ଥିଲା ରେବତୀ । ତିନି ବର୍ଷ ତଳେ ସେ ନିଜେ ନଈ ସେପାରି ସୁଜନ୍‌ପୁର ଗାଁ’ରୁ ଅବନି ମାଷ୍ଟ୍ରେଙ୍କ ପାଖରେ କାନୀ ପତେଇ ତାଙ୍କ ସାନ ଝିଅ ରେବତୀକୁ ଘରକୁ ବୋହୁକରି ନେଇଆସିଥିଲା । ନିଜର ଝିଅ ଭାବି ସେ ଜୀବନଠାରୁ ଅଧିକ ଭଲପାଉଥିଲା ତାକୁ । ଏମିତିକି ରେବତୀ ପାଦରେ କଂଟାଟିଏ ଲାଗିବାକୁ ଦେଉନଥିଲା । ତା’ର ଦେହ ଟିକେ ଖରାପ ହେଲେ ସଙ୍ଗେ ସଙ୍ଗେ ନିଜେ ବଇଦ ପାଖକୁ ଧାଇଁଯାଉଥିଲା । ଦେହ ସୁସ୍ଥ ରଖିବା ପାଇଁ ସଦାବେଳେ ତାକୁ କାନେ କାନେ ବୁଝାଉଥିଲା । ତା’ର ପେଟରେ ପିଲାଥିଲାବେଳେ ସେ ଗୋଡେ ଗୋଡେ ତାକୁ ଯଗିରହୁଥିଲା, ଭଲମନ୍ଦ ବୁଝୁଥିଲା । ଖାଇବା ପିଇବାଠାରୁ ଆରମ୍ଭ କରି ତା ଦେହ ପର୍ଯ୍ୟନ୍ତ ସବୁ ଦାୟିତ୍ୱ ନେଉଥିଲା ।

   ରେବତୀ ତା’ ଶାଶୁବୁଢୀକୁ ବେଶୀ ଭଲପାଏ । କ୍ଷଣେ ମାତ୍ର ଦୂରକୁ ଛାଡେନି । ତାଙ୍କୁ କାମ କରିବାକୁ ଦିଏନି । ସବୁ କାମ ସେ ନିଜେ କରେ । ଶାଶୁଙ୍କୁ ଏ ବୟସରେ ଅଧିକ ସମୟ ବିଶ୍ରାମ ନେବାକୁ ବାରମ୍ବାର କହେ । ତାଙ୍କ ପାଖରେ ଝିଅଭଳି ଚଳେ । ଭଲମନ୍ଦ ବିଷୟରେ ତାଙ୍କଠାରୁ ପରାମର୍ଶ ନିଏ ।

   ଆଜି ସେହି ଶାଶୁବୁଢୀ ସାମ୍‌ନାରେ ରେବତୀର ଯୁଇ ହୁତ୍‌ତୁ ହୁତ୍‌ତୁ ହୋଇ ଜଳୁଛି । ବୁଢୀ ଯୁଇ ପାଖରେ ଠିଆହୋଇ ସେମ୍‌ତି ଆଖିରୁ ନୀରବ ଅଶ୍ରୁ ଝରାଇବାରେ ଲାଗିଛି । ଦୁଃଖରେ ତା ଛାତି ଫାଟିଯାଉଛି ଯେମିତି । ଯୁଇ ଲିଭି ପାଉଁଶ ହେଇଗଲା ପରେ ବୁଢୀ ଶ୍ମଶାନରୁ ଫେରି ଘର ଅଗଣାରେ ପଡିଥିବା କାଠଗଣ୍ଡିଟା ଉପରେ ଥମ୍‌କିନା ବସିପଡିଲା । ହଠାତ୍ ଛୁଆର କୁଆଁ କୁଆଁ କାନ୍ଦ ଶୁଣି ତା ପାଖକୁ ଦୈାଡିଆସି, ସଙ୍ଗେ ସଙ୍ଗେ କୋଳକୁ ନେଇ ପପୁ ବଟଲରେ କ୍ଷୀରଟିକେ ପିଆଇଦେଲା ।

   ଦିନ ପରେ ରାତି ଆସେ ରାତି ପରେ ଦିନ । ସମୟ ରଥ ଚକପରି ଗଡିଚାଲିଥିଲା । ବୁଢୀ ହାତର କୋମଳ ସ୍ପର୍ଶ ପାଇ ଛୁଆଟା ଧିରେ ଧିରେ ଶଶୀକଳା ପରି ବଢିବାକୁ ଲାଗିଲା ।

   ନାତୁଣୀର ନାମକରଣ ଓ ଖଡିଛୁଆଁ ପାଇଁ ଗାଁ ଚାଟଶାଳୀର ଅବଧାନେଙ୍କୁ ଯାଇ ବୁଢୀ ଅନୁରୋଧ କରିବାରୁ, ଦିନେ ସେ ପ୍ରଭାତ ସମୟରେ ମାହେନ୍ଦ୍ରବେଳାରେ ଗଣେଶ ପୂଜାଦିନ ତା ଘରେ ଆସି ପହଂଚିଲେ । ବୁଢୀ ତାଙ୍କୁ ଦେଖି ଖୁସି ହେଇଗଲା । ସଙ୍ଗେ ସଙ୍ଗେ କୂଅରୁ ଢାଳେ ପାଣିନେଇ ତାଙ୍କ ପାଦ ଧୋଇଦେଲା । ଦୁଆର ପିଣ୍ଢାରେ ପିଢାଟା ଥୋଇ ବସିବାକୁ କହିଲା ।

   ନାତୁଣୀ ଦାଣ୍ଡ ଅଗଣାରେ ବସି ବାଲିଘର ଖେଳୁଥିବାବେଳେ ଆଇବୁଢୀ ତାକୁ ଅବଧାନେଙ୍କ ପାଖକୁ ନେଇଆସିଲା । ଅବଧାନେ ତା’ର ହସ୍ତରେଖା, ଜାତକ ଓ ମୁଖମଣ୍ଡଳକୁ ଦେଖି ଜାତକର ନାମାନୁସାରେ ନାଁ ଦେଲେ ‘ତିଳୋତମା’ । ବୁଢୀ କହିଲା – “ଅବଧାନେ, ଏମିତିକା ନାଁ’ଟା ଦେଲ ଯେ, କିଛି ବୁଝିହେଲାନି ।” ଅବଧାନେ କହିଲେ- “ବୁଝେଇ ଦେଉଛି ଶୁଣ । ‘ତିଳ’ ଅର୍ଥ ‘କଳାଯାଇ ମନ୍ଦା’ ଓ ‘ଉତମା’ ଅର୍ଥ ‘ସୁନ୍ଦରୀ’ । ଦେଖ, ଏଇ ଝିଅର ଗୋଲ୍ ମୁହଁ ସାଙ୍ଗକୁ ଗାଲରେ ଥିବା ଛୋଟ କଳାଯାଇଟି ତା ମୁହଁକୁ କେମିତି ଅତୀବ ସୁନ୍ଦର କରିଦେଉଛି । ସତରେ ସ୍ୱର୍ଗରେ ମେନକା , ରମ୍ଭା , ଉର୍ବଶୀଙ୍କ ପରି ଏ ଝିଅଟିର ଗଢଣ ଅପୂର୍ବ ସୁନ୍ଦର ହୋଇଥିବା ସାଙ୍ଗକୁ ମୁଖମଣ୍ଡଳରେ ତିଳ ଚିହ୍ନଟିଏ ଥିବାରୁ ମୁଁ ତା ନାଁ ‘ତିଳୋତମା’ ଦେଲି । ଏବେ ବୁଝିପାରିଲ ତ ?” ଅବଧାନେଙ୍କ ମୁହଁରୁ ଏକଥା ଶୁଣି ବୁଢୀ ଖୁସି ହୋଇଗଲା । ସେ ଝିଅଟିକୁ ଅତି ସ୍ନେହରେ ତାଙ୍କ କୋଳରେ ବସାଇ ନୂଆ ସିଲଟ ଓ ଚକ୍‌ଖଡି ସାହାଯ୍ୟରେ ବ୍ରହ୍ମା, ବିଷ୍ଫ, ମହେଶ୍ୱର ଲେଖି ଖଡି ଛୁଆଁଇଦେଲେ ।

   ସମୟ କ୍ରମେ ତିଳୋତମା ସବୁ ବାଧା ପ୍ରତିବନ୍ଧକ କାଟି ଜୀବନରେ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି ଆଗକୁ ଆଗକୁ ମାଡିଚାଲିଲା । ଏଇ ଦୁଃଖକଷ୍ଟ ଜୀବନ ମଧ୍ୟରେ କେତେବେଳେ ଷୋଳଟି ଫଗୁଣ ଅତିକ୍ରାନ୍ତ ହୋଇଥିଲା, ସେ ଜାଣିପାରିନଥିଲା । +୨ ପଢିବା ସମୟରେ ସମାଜ ପ୍ରତି କିଛି କରିବାର ଆଗ୍ରହ ତା’ର ସ୍କୁଲ ଜୀବନରୁ ଜଣାପଡିଥିଲା । ଦରିଦ୍ର , ଅସହାୟ ଲୋକମାନଙ୍କୁ ଦେଖିଲେ ସେ ନିଜକୁ ସହିପାରୁ ନଥିଲା । ତା ଆଖିରୁ ଠକ୍ ଠକ୍ ଲୁହ ଝରିପଡୁଥିଲା । ସେମାନଙ୍କ ପାଇଁ ସେ କିଛି ଭବିଷ୍ୟତରେ କରିବ ବୋଲି ମନରେ ଦୃଢ ଆଶା ରଖିଥିଲା । ଏବେ ବି ସମାଜରେ ପ୍ରଚଳିତ କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂର କରିବାକୁ ସେ ମନେ ମନେ ସ୍ୱପ୍ନ ଦେଖୁଥିଲା । ସ୍ୱପ୍ନ ସାକାର କରିବାକୁ ତା ମନ ସର୍ବଦା ବ୍ୟଗ୍ର ହେଉଥିଲା ।

   ସେ ବି.ଏ ପଢୁଥିଲାବେଳେ ଛୁଟିଦିନମାନଙ୍କରେ ବସ୍ତି ବସ୍ତି ବୁଲି ରୋଗୀମାନଙ୍କର ସେବାରେ ନିଜକୁ ନିୟୋଜିତ କରୁଥିଲା । ତା’ର ଏଭଳି ମନୋଭାବ ଲକ୍ଷ୍ୟକରି ବହୁ ଲୋକ ତାକୁ ପ୍ରଶଂସା କରୁଥିଲେ । ସମୟ କ୍ରମେ ଲୋକଙ୍କ ମହତ୍ ଦାନରେ ସେବାଶ୍ରମଟିଏ ଗଢି ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନଙ୍କୁ ବିନା ଖର୍ଚ୍ଚରେ ସେବା ଯୋଗାଇଦେଲା । ସମାଜରେ ଅସହାୟ ବୃଦ୍ଧବୃଦ୍ଧାଙ୍କ ଥଇଥାନ ନିମନ୍ତେ ‘ଜରା ନିବାସ’ ନିର୍ମାଣ କରାଗଲା । ପୁନଶ୍ଚ ଦରିଦ୍ର ଶ୍ରେଣୀୟ ଲୋକମାନଙ୍କ ପାଇଁ ‘ଆରୋଗ୍ୟ’ ନାମରେ ଚିକିତ୍ସାଳୟଟିଏ ପ୍ରତିଷ୍ଠା କରାଗଲା । ଏତଦ୍ ବ୍ୟତୀତ ବିଭିନ୍ନ ଶ୍ରେଣୀର ଲୋକେ ମଧ୍ୟ ଏଠାରେ ଚିକିତ୍ସାର ସମ୍ପୂର୍ଣ୍ଣ ସୁବିଧା ସୁଯୋଗ ପାଉଥିଲେ ।

   ଦିନେ ସଂଧ୍ୟା ସମୟରେ ମିସ୍ ତିଳୋତମା ଚୈାଧୁରୀ ବହୁଦିନ ପରେ ଖୋଲା ଆକାଶ ତଳେ, ଛାତ ଉପରେ ଭ୍ରମଣ କରୁଥିବାବେଳେ ଆଈବୁଢୀ ଥରିଲା ଥରିଲା ପାଟିରେ ତା ପାଖକୁ ଆସି କହିଲା – “ମା’ ରେ , ମୁଁ’ ବା ଆଉ କେତେଦିନ ବଂଚିବି ? କ’ଣ କହୁଥିଲି କି ୟା’ରି ଭିତରେ ତୋତେ ହାତକୁ ଦି’ହାତ କରିଦେଲେ ମୁଁ ଟିକେ ଶାନ୍ତିରେ ମରିପାରନ୍ତି” । ଏକଥା ଶୁଣି ତିଳୋତମା ନମ୍ରର ସହ ବୁଝାଇ କହିଲା – “ନା ଆଈ, ମୁଁ ପାରିବିନି । ମୋ’ର ସମାଜ ପ୍ରତି ଆହୁରି ଅନେକ କିଛି କରିବାକୁ ଅଛି । ଆଜି ପର୍ଯ୍ୟନ୍ତ ବିବାହ କରିବା ସ୍ୱପ୍ନ ମୋ ମନକୁ କେବେ ଆସିନି । ମୁଁ ବି ବିବାହ ବନ୍ଧନରେ ବାନ୍ଧିହେବାକୁ ଚାହେଁନା । ବିବାହ କଲେ ମୋ’ର ଆଉ କିଛି ସ୍ୱପ୍ନ ଅଧୁରା ରହିଯିବ । ତୁ ମୋତେ କ୍ଷମାକରିଦେ” । ଆଈବୁଢୀ ଏସବୁ ଶୁଣି ସ୍ନେହରେ ତା ମୁଣ୍ଡରେ ହାତ ବୁଲାଇଆଣି କହିଲା – “ତୁ ତ ସୁନାମୁଣ୍ଡାଟିଏ । ତୋତେ ବା କିଏ ବାନ୍ଧିରଖି ପାରିବ” ? ବୁଢୀର ପୂର୍ବକଥାସବୁ ତା’ର ଗୋଟି ଗୋଟି କରି ସବୁ ମନେପଡି ଯାଉଥିଲା । “ମା’ ମରିଗଲା ପରେ ଏଇ ହାତରେ ସେ ଏନ୍ତୁଡିଶାଳରୁ ଉଠାଇ ଆଣି ଦୁଃଖ କଷ୍ଟ ସହି ଲାଳନପାଳନ କରି ଆଜି ତାକୁ ଏଡେଟିରୁ ଏଡେଟିଏ କରିଛି । ସେଦିନ ତା ଜାତକ ଦେଖି ଅବଧାନେ କହିଥିଲେ – “ତମେ ଦେଖିବ, ଭବିଷ୍ୟତରେ ଏ ଝିଅ ସମାଜ ପ୍ରତି ଅନେକ କିଛି କରିବ” । ଆଜି ସେ ସିନା ନାହାନ୍ତି ହେଲେ ତାଙ୍କ କଥାସବୁ ଅକ୍ଷରେ ଅକ୍ଷରେ ସତ ହେବାକୁ ଯାଉଛି ।”

   ଆଈର ଗେଲବସରିଆ ହସହସ ମୁହଁ ଦେଖିଲେ ତିଳୋତମା ଖୁସିହୁଏ । ଆଉ କିଛି ବର୍ଷ ବଂଚିବା ପାଇଁ ଭଗବାନ୍‌ଙ୍କ ପାଖରେ ପ୍ରାର୍ଥନା କରେ । ହେଲେ ତା ମନତଳେ ଛପିଥିବା ଅଲିଭା ଓ ଅଙ୍ଗେଲିଭା କଥାଗୁଡିକ ମନେପଡିଗଲେ, ତା ଦେହ ଶୀତେଇ ଉଠେ ।

   ଆଜିକୁ ୨ ବର୍ଷ ତଳେ ଆଈବୁଢୀ ହଠାତ ଅସୁସ୍ଥ ହୋଇପଡିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ତୁରନ୍ତ ଫ୍ଲାଇଟ୍‌ରେ ଦିଲ୍ଲୀ ନିଆଗଲା । ରିପୋର୍ଟ ବାହାରିଲା ପରେ ଜଣାପଡିଲା ତାଙ୍କର ଏକାବେଳକେ ଦୁଇଟିଯାକ କିଡ୍‌ନୀ ନଷ୍ଟ ହୋଇଯାଇଛି । ତିଳୋତମା ମୁଣ୍ଡରେ ବଜ୍ର ପଡିଲା ପରି ଲାଗିଲା । ସେ ହଠାତ୍ କ’ଣ କରିବ କିଛି ସିଦ୍ଧାନ୍ତରେ ପହଂଚି ପାରିଲା ନାହିଁ । ଯେଉଁ ଆଈବୁଢୀ ତାକୁ ଏନ୍ତୁଡିଶାଳରୁ ଆଜି ପର୍ଯ୍ୟନ୍ତ ତା’ ପାଖେ ପାଖେ ଆଶାବାଡି ପରି ଜଗିରହିଛି , ଆଜି ତା’ର କିଛି ହେଇଗଲେ ସେ ଅବଶିଷ୍ଟ ବାଟ ଚାଲିବ କେମିତି ? ଏସବୁ କଥା ଭାବିଭାବି ତା ଆଖିରୁ ଲୁହ ଝରିବାକୁ ଲାଗିଲା । ବେଡ୍‌ରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ଆଈବୁଢୀର ଶୁଖିଲା ମଳିନ ମୁହଁ ତା ଆଖି ଆଗରେ ଭାସିଉଠିଲା । ସେ ସହି ପାରିଲାନି । ନିଜ ଦେହରୁ ଗୋଟିଏ କିଡ୍‌ନୀ ଦେବା ଫଳରେ ସେ ନୂଆ ଜୀବନ ପାଇଲା । ଏସବୁ ବିଷୟରେ ତା’ ଆଈବୁଢୀ କିଛି ଜାଣିନଥିଲା ।

   ଦିନେ ସେବାଶ୍ରମ ତରଫରୁ ଏକ ବିରାଟ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଓଡିଶାର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାକୁ ଆସିଥାନ୍ତି । ଅତିଥିମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିବା ପରେ ଶେଷରେ ସେବାଶ୍ରମର ପ୍ରତିଷ୍ଠାତ୍ରୀ ମିସ୍ ତିଳୋତମା ଚୈାଧୁରୀ ତାଙ୍କର ବହୁମୂଲ୍ୟ ଭାଷଣ ଦେଉଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡିଲେ । ତାଙ୍କୁ ସଙ୍ଗେ ସଙ୍ଗେ ହସ୍‌ପିଟାଲ୍‌ରେ ଭର୍ତିକରାଗଲା । ଶେଷରେ ଡାକ୍ତରମାନଙ୍କ ଅକ୍ଳାନ୍ତ ଚେଷ୍ଟା ସତ୍ୱେ ସେ ବଂଚିପାରିଲେ ନାହିଁ ।

   ତାଙ୍କ ମରଶରୀରକୁ ଶୋଭାଯାତ୍ରା ମଧ୍ୟରେ ସ୍ୱର୍ଗଦ୍ୱାର ନିଆଗଲା । ଯୁଇ ପାଖରେ ଆଈବୁଢୀ ନୀରବ ଓ ନିତ୍ସଳ ଭାବେ ଠିଆହୋଇ ଆଖିରୁ ଲୁହ ଝରାଉଥିଲା । ସତେ ଯେମିତି ମୂକପାଲଟି ଯାଇଥିଲା । ତା’ ନାତୁଣୀର ସୁନ୍ଦର ମୁହଁକୁ ସେ ସେମ୍‌ତି ଏକ୍‌ଲୟରେ ନିର୍ବାକ ହୋଇ ଚାହିଁରହିଥିଲା । ଯୁଇ ହୁତ୍‌ତୁ ହୁତ୍‌ତୁ ହୋଇ ଜଳୁଥିଲାବେଳେ ସେ ମନେମନେ ଭାବୁଥାଏ – “ଯାହାକୁ ଦିନେ ଏନ୍ତୁଡିଶାଳରୁ ଉଠାଇଆଣି ନୂଆ ଜୀବନ ଦେଇଥିଲି, ତା’ର ସବୁ ଅଳି ଅର୍ଦ୍ଦଳି ସହି ଏଡେଟିରୁ ଏଡେଟିଏ କରିଥିଲି, ଶେଷରେ ସେ ମୋତେ ତା ଜୀବନ ଦାନକରି ଯୁଇ ପର୍ଯ୍ୟନ୍ତ ଚାଲିଗଲା” ! ବୁଢୀ ଆଶ୍ଚର୍ଯ୍ୟ ହେବା ସହିତ ତା ଶୁଖିଲା ଆଖିର ଦୁଇକୋଣରୁ ଝରିପଡୁଥିବା ନୀରବ ଅଶ୍ରୁ ଯେମିତି ନଈର ଦୁଇଧାରପରି ବହିଯାଉଥିଲା ।



Rate this content
Log in

Similar oriya story from Classics