ତିନି ତୁଣ୍ଡରେ ଛେଳି କୁକୁର
ତିନି ତୁଣ୍ଡରେ ଛେଳି କୁକୁର
ଝାର୍ପଡା ଜେଲ୍ । କୋଠରୀ ନଂ-୩୬ର ଗୋଟେ କୋଣରେ ବସି ଗୁମୁରି ଗୁମୁରି କାନ୍ଦୁଥିଲା ଶୁବଳ । କାନ୍ଦି କାନ୍ଦି ଆଖି ଦୁଇଟା ଗେଣ୍ଡା ଭଳି ଫୁଲିଯାଇଥିଲା । ଘରେ ସ୍ତ୍ରୀ, ସାତ ବର୍ଷର ଝିଅ ସୁମି, ବାପା ଓ ବୋଉଙ୍କ କରୁଣ ମୁହଁ ତା ଆଖି ସାମ୍ନାକୁ ବାରମ୍ବାର ଝଲ୍ସି ଆସୁଥିଲା । ବିନା ଅପରାଧରେ ଅପରାଧୀ ସାବ୍ୟସ୍ତ ହୋଇଥିବାରୁ ସେ ନିଜକୁ ମନେ ମନେ ଧିକ୍କାର କରୁଥିଲା ।
ଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚ
ପୋଲିସ୍ ଭ୍ୟାନ୍ରେ ଶୁବଳ ଜେଲ୍କୁ ଫେରୁଥିବା ସମୟରେ ଜଜ୍ଙ୍କ ଶୁଣାଣି ତା କର୍ଣ୍ଣ ଗହ୍ୱରରେ ବାରମ୍ବାର ପ୍ରତିଧ୍ୱନି ସୃଷ୍ଟି ହେଉଥିଲା । ସେଦିନ ଉଭୟ ପକ୍ଷର ସାକ୍ଷୀଙ୍କ ବୟାନ ଶୁଣିସାରିବା ପରେ ଶେଷରେ ଜଜ୍ କହିଲେ –
-ଶୁବଳ, ତମେ ଆଉ କିଛି କହିବ ?
ଉତରରେ ସଂଗେ ସଂଗେ ସେ କାଠଗଡା ଭିତରୁ ହାତ ଯୋଡି ନମ୍ରଭାବେ କହିଲା – କ’ଣ ଆଉ କହିବି ଧର୍ମାବତାର ? ଖାଲି ଏତିକି କହିବି, ତିନି ତୁଣ୍ଡରେ ଛେଳି କୁକୁର ପାଲଟିଲା ପରି ମୁଁ ମଣିଷ ନ ମାରି ବି ମୋତେ ବିନା ଦୋଷରେ ଅପରାଧୀ ସଜେଇ ଦିଆଯାଉଛି ।
-ଅର୍ଡର, ଅର୍ଡର । ଉଭୟ ପକ୍ଷଙ୍କ ବୟାନ୍ ଶୁଣିସାରିବା ପରେ ଅଦାଲତ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଶୁବଳ ପ୍ରକୃତରେ ହତ୍ୟାକାରୀ । ତେଣୁ ଭାରତୀୟ ପିଙ୍ଗଳ କୋର୍ଡ ଧାରା-୩୦୨ ଅନୁଯାୟୀ ତାଙ୍କୁ ହତ୍ୟା ଅପରାଧରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବା ସହ ଆଜି ପାଇଁ କୋର୍ଟକୁ ଏତିକିରେ ମୁଲତବୀ ରଖାଗଲା ।
ଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚ
ଅର୍ଦ୍ଧରାତ୍ରୀ ବେଳକୁ ସମସ୍ତ କୟଦୀ ନିଘୋଡ ନିଦରେ ଶୋଇଯାଉଥିଲେ, ହେଲେ ଶୁବଳ ଆଖିକୁ ନିଦ ଆସୁନଥିଲା । ସେ ତା ପରିବାର ଓ ସାଙ୍ଗସାଥୀମାନଙ୍କ କଥା ଭାବି ଭାବି ଆଖିରୁ ନୀରବ ଅଶ୍ରୁ ଝରାଉଥିଲା । ପିଲାଦିନେ ଗାଁ ଦାଣ୍ଡରେ ଖେଳୁଥିବା ଚୋର ପୁଲିସ୍ ଖେଳ ଆଜି ତା ଆଖି ଆଗରେ ଗୋଟି ଗୋଟି କରି ସବୁ ଭାସିଆସୁଥିଲା ।
-ଆରେ ମାଧ, ବିଭୂ, ସମୀର, ରେବ, କାଳନ୍ଦୀ ସମସ୍ତେ ବାହାରି ଆସରେ । ଶୁବଳ ଧରାପଡିଛି । ସେ ଚୋର । ତାକୁ ଏବେ ଜେଲ୍ ପଠାଯିବ ।
ପିଲାଦିନର ସେହି ମିଛିମିଛିକା ଖେଳଟା ଆଜି ତା ଜୀବନରେ ସତରେ ପରିଣତ ହେଇଛି । ଏଇ କଥା ଭାବି ଭାବି ସେ ଦୁଃଖରେ ଭାଙ୍ଗିପଡୁଥିଲା ଯେମିତି ।
ଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚ
ଶୁବଳ ୫ମ ଶ୍ରେଣୀରେ ପଢୁଥିଲାବେଳେ ପାଠ ଓ ମାଡ ଭୟରେ ସେ ଦେହ ଖରାପ ଅଛି କହି, ମିଛରେ ବାହାନା କରି ସ୍କୁଲ ଯାଏନି କି ଯିଏ ଯେତେ ବୁଝେଇ ସୁଝେଇ କହିଲେ ବି ଯିବାର ନାଁ ଧରେନି । ବେଳେବେଳେ ସେଇ ପାଠପଢା ଡରରେ ଗାଁ’ର କେତେଜଣ ସାଙ୍ଗମାନଙ୍କ ସହ ମିଶି ସେ ଗାଈ ଚରେଇବାକୁ ଚାଲିଯାଏ । ସଂଧ୍ୟାରେ ଘରକୁ ଫେରିଲେ ତା ବାପା ତାକୁ ଦେଖି, ତା ବୋଉ ଆଗରେ ବିରକ୍ତଭରା ସ୍ୱରରେ କୁହନ୍ତି-
-ବୁଝିଲ, ୟା ନେଇ ପାଠଶାଠ କିଛି ହେବନି ଦେଖୁଛି । ଇଏ ବଡ ହେଲେ କ’ଣ କରିବ ?
-କ’ଣ ଆଉ କରିବ ? ଖାଇବାକୁ ପାଇବନି, ଚୋରି କରିବ, ଜେଲ୍ ଯିବ । କୁଳାଙ୍ଗାରଟା ... ।
ଅତିଶୟ ଦୁଃଖରେ ଜଳୁଥିବା ଶୁବଳ ଦୀର୍ଘନିଶ୍ୱାସଟିଏ ନେଇ କୋଠରୀର ଗୋଟେ କୋଣରେ ଥୁଆହୋଇଥିବା ସୁରେଇରୁ ପାଣି ପିଉଥିବା ସମୟରେ ତା’ ମାଆ କହିଥିବା ପୂର୍ବକଥାଗୁଡିକ ମନେପଡିବାରୁ ସେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା ।
ଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚ
ମାଇନର୍ ପଢା ସମୟରୁ ଶୁବଳର ପାଠରେ ଡୋରୀ ବନ୍ଧା ହୋଇଯାଇଥିଲା । ତାକୁ ୧୮ ଛୁଇଁଲାବେଳକୁ ସେ ଏକ ନୂଆ ଜୀବନଧାରାରେ ବଂଚିବା ଆରମ୍ଭ କରିଥିଲା । ଘରେ ବାପାମାଆଙ୍କ ରୁଗ୍ଣବସ୍ଥା ଦେଖି ମନ ତା’ର ଦୁଃଖରେ ଭାଙ୍ଗିପଡିଥିଲା । ପ୍ରତିଦିନ ସକାଳୁ ସଂଜ ପର୍ଯ୍ୟନ୍ତ ପରଘରକୁ ମୂଲ ଲାଗିବାକୁ ଯାଉଥିଲା । ସେଇ ପଇସାରେ ସେ କଷ୍ଟେମଷ୍ଟେ ପରିବାର ପ୍ରତିପୋଷଣ କରିବାକୁ ବାଧ୍ୟ ହେଉଥିଲା ।
ଦିନେ ଅପରାହ୍ନରେ ଶୁବଳ ତାଙ୍କ ବାଡିରେ କେଉଁଦିନୁ ପଡିରହିଥିବା ଚାକୁଣ୍ଡା ଗଛର ଗଣ୍ଡିଟା ଉପରେ ମନଦୁଃଖରେ ବସିଥିବାବେଳେ ତା’ର ବାଲ୍ୟସାଥୀ ରେବ ପଛପଟୁ ଆସି ତା’ ପିଠିକୁ ଟିକେ ଛୁଇଁଦେଇ କହିଲା-
-କ’ଣ ଭାବୁଛ ? ଅନ୍ୟମନସ୍କ ଥିଲାପରି ଲାଗୁଛ ?
-ତୁ ତ ଦେଖୁଛୁ, ବୋଉବାପାଙ୍କ ଦେହପା ଆଜିକାଲି ଆଉ ଭଲ ରହୁନି । ସବୁଦିନେ ଚାଉଳ ପରିବା କିଣା ସାଙ୍ଗକୁ ଔଷଧପତ୍ରରେ ସବୁ ପଇସା ଯାଉଛି । ଆଉ କିଛି ବଳୁନି । ଏ ନିଅଂଟିଆ ଦୁନିଆରେ କେମିତି ଚଳିବି କିଛି ଭାବି ପାରୁନି ।
-କାହିଁକି ଅଧର୍ଯ୍ୟ ହେଉଛ ? ଧିରେ ଧିରେ ସବୁ ଠିକ୍ ହେଇଯିବ ।
ଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚ
ସକାଳୁ ସକାଳୁ ରେବ ତାଳବଣ ପୋଖରୀକୁ ସ୍ନାନ କରିବାକୁ ଯାଉଥିବା ସମୟରେ ପଛପଟୁ ଶୁବଳ ଆସି ଖୁସିରେ ତା’ ହାତକୁ ଧରିନେଇ ହସି ହସି କହିଲା –
-ଜାଣିଛୁ ଗୋଟେ କଥା ?
-କ’ଣ ?
-ମଲା, ଗାଁଟା ସାରାଲୋକେ ଜାଣିସାରିଲେଣି , ଅଥଚ ତୁ ଏଯାଏ ଜାଣିନୁ ?
-କେଉଁ କଥା ବା ?
-ଆମ ବାହାଘର କଥା । ଆସନ୍ତା ମାସରେ ହେବ ବୋଲି ତୁମ ବାପା ପରା କାଲି ସଂଧ୍ୟାରେ ଆମ ଘରକୁ ଆସି ମୋ ବାପାଙ୍କ ସହ କଥା ହୋଇ ଯାଇଛନ୍ତି ।
ଶୁବଳ ମୁହଁରୁ ଏକଥା ଶୁଣି ରେବ ଲାଜରେ ମୁହଁ ତଳକୁ କରି ଗୋଡର ବୁଢାଆଙ୍ଗୁଠିରେ ମାଟିରେ ଗାର ଟାଣୁ ଟାଣୁ ହସି ହସି କହିଲା – ତମେ ନିହାତି ବୁଦ୍ଦୁ । ଏତିକି ବୁଝିପାରିଲନି ? ମୁଁ କାଲି ବାପାଙ୍କୁ ତୁମ ଘରକୁ ପଠେଇଥିଲି ବୋଲି ?
ଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚ
ଯେନତେନ ପ୍ରକାରେ ଶୁବଳ ସହ ରେବର ବାହାଘର ସଂପନ୍ନ ହେଲା । ଚତୁର୍ଥୀ ରାତିରେ ଶୁବଳ କେତେବେଳୁ ଖଟକୁ ଆଉଜି ମୁହଁକୁ ଶୁଖେଇ ବସିଥିବାର ଦେଖି ରେବ ପାଣି ଢାଳେ ହାତରେ ଧରି, କବାଟ ବନ୍ଦକରି ତା ପାଖକୁ ଟିକେ ଲାଗିଯାଇ ପଣତକାନୀରେ ଶୁବଳର ଦେହରୁ ଝାଳ ପୋଛୁ ପୋଛୁ କହିଲା-
-କ’ଣ ହେଇଛି, ମୋତେ କହିବନି ?
-ଦୁଃଖ ଭିତରେ କେମିତି ବଂଚିବା ଭାବୁଥିଲି ।
-ଶୁଣ । ଦୁଃଖରେ ବଂଚିବାରେ ଯେଉଁ ଆନନ୍ଦ ଟିକକ ଅଛି, ତାହା ସୁଖରେ ଥିଲାବେଳେ ମିଳେନି । ତମେ ମନଉଣା କରନି । ମୁଁ ତୁମ ସାଥୀରେ ଅଛି । ଧର୍ଯ୍ୟ ଧରି ପରିସ୍ଥିତିକୁ ସାମ୍ନା କଲେ ବିପଦ ଆପେ ଆପେ ଟଳିଯାଏ, ବୁଝିଲ?
ଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚ
ଗାଁରେ ସେବର୍ଷ ମରୁଡି ଲାଗିରହିଥିବାରୁ ଶୁବଳ କିଛି ଉପାୟ ନପାଇ ତାଙ୍କ ଗାଁର କେତେ ଜଣ ଲୋକଙ୍କ ସହ ମୂଲ ଲାଗିବାକୁ ଚାଲିଆସେ ସହର । ସହରରେ ଝୁମ୍ପୁଡି ଘରଟିଏ ଭଡାରେ ନେଇ କାମଧନ୍ଦା କରି ବେଶ୍ ଦୁଇ ପଇସା ପାଏ । ପରିବାର ତା’ର ଆନନ୍ଦରେ ଚଳୁଥାଏ ।
ଦିନେ ଶୁବଳ ଜଣେ ବଡବାବୁଙ୍କ ଘରେ ବଗିଚା କାମ କରୁ କରୁ ସଂଜ ହୁଅନ୍ତେ ସେ କାମ ବନ୍ଦ କରି ଗୋଡ ହାତ ଧୋଇ ବସାକୁ ଫେରୁଥିବା ସମୟରେ ବଡବାବୁ ତାକୁ ପାଖକୁ ଡାକି କହିଲେ –ଶୁଣ ଶୁବଳ, ଆଜି ମୋ ପୁଅର ଜନ୍ମଦିନ । ତମେ ନଖାଇ ନପିଇ ଯିବ କେମିତି ? ଆଜି ରାତିଟା ରହିଯାଅ । କାଲି ସକାଳୁ ସକାଳୁ ଘରକୁ ଯିବ । ବଡବାବୁଙ୍କ କଥା ଭାଙ୍ଗି ନପାରି ଶୁବଳ ସେହିଠାରେ ରହିଲା ।
ବଡିଭୋଅରୁ ସେ ମୁହଁ ଧୋଇ, ମୁନ୍ଦାଏ ପାଣି ପିଇ ଗେଟ୍ ଖୋଲିବାକୁ ଯାଇ ଦେଖେ ତ ସେଠାରେ ବଡବାବୁଙ୍କ କାର୍ ଡ୍ରାଇଭର୍କୁ କିଏ ମାରି ଫିଙ୍ଗିଦେଇଛି । ତା ଦେହରୁ ଧାର ଧାର ହୋଇ ରକ୍ତ ବାହାରୁଛି । ଛୁରୀଟା ପେଟରେ ସେମ୍ତି ପଶିଛି । ଶୁବଳ ଏସବୁ ଦେଖି ଭୟରେ ଥରିବାକୁ ଲାଗିଲା । ବଡ ପାଟିରେ ବଡବାବୁ ବଡବାବୁ କହି ଡାକ ପକାଇଲା । ହଠାତ୍ ଶୁବଳର ପାଟି ଶୁଣି ତାଙ୍କ ପରିବାର ସାରାଲୋକେ ତଳକୁ ଆସି ଦେଖନ୍ତି -ଡ୍ରାଇଭର୍ ମରି ପଡିଛି । ସମସ୍ତେ ଶୁବଳକୁ ସନ୍ଦେହ କଲେ । ଥାନାବାବୁ ତାକୁ ଆରେଷ୍ଟ୍ କରି କୋର୍ଟ ଚାଲାଣ କଲେ ।
ଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚ
ଜେଲ୍ର ଚାରିକାନ୍ଥ ଭିତରେ ରହି ଶୁବଳ ଭାବୁଥାଏ – ସତରେ ଏ ଦୁନିଆଟା ବଡ ବିଚିତ୍ର । ଖୁନ୍ କରୁଛି ଜଣେ, ଦଣ୍ଡ ଭୋଗୁଛି ଆଉ ଜଣେ । କୋର୍ଟରେ ଧର୍ମନିକିତି ସମ୍ମୁଖରେ ପବିତ୍ର ଗ୍ରନ୍ଥ ଗୀତା ଛୁଇଁ ଯେଉଁମାନେ ମୋ ବିରୁଦ୍ଧରେ ବୟାନ ଦେଲେ , ସେମାନେ କ’ଣ ସତ କହିଲେ ? ମୁଁ ମାରିଥିବାର ନିଜ ଆଖିରେ ସେମାନେ କ’ଣ ଦେଖିଥିଲେ ? ଏଠାରେ ଧର୍ମ ନାଁରେ ଚାଲିଛି ଖାଲି ଅନ୍ୟାୟ ଅତ୍ୟାଚାର । ଅଥଚ ଅପରାଧୀଜଣକ ଚାଲାଖରେ ଖସି ଯାଉଛି ଆଉ ନିରପରାଧୀକୁ ଜେଲ୍ ଦଣ୍ଡ ଭୋଗିବାକୁ ପଡୁଛି । ମୋ ପରିବାର ମୁହଁରେ ଗଣ୍ଡାଏ ଦାନା ଦେବାକୁ ମୁଁ ମଫସଲରୁ ଚାଲିଆସିଥିଲି ସହର । ହେଲେ ଏ ମିଛମାୟା ସହରରେ ମୁଁ କ’ଣ ପାଇଲି ? ଶେଷରେ ଗୋଟେ ଅପରାଧର ସାର୍ଟିଫିକେଟ୍ ଆଉ ଅପବାଦ । ଏ ଅପବାଦର କଳଙ୍କ ଟୀକାକୁ ମୁଣ୍ଡରେ ବୋହି ମୁଁ ଯେତେବେଳେ ୧୪ ବର୍ଷ ପରେ ଗାଁକୁ ଫେରିବି , ସେତେବେଳେ ଗାଁ ଲୋକେ ମୋତେ ଭିନ୍ନ ଦୃଷ୍ଟିରେ ଦେଖିବେ ନିଶ୍ଚୟ । ହେ ଭଗବାନ୍ , ତମେ ଯଦି ସତରେ ଥାଅ ,ତେବେ ମୋତେ ଏଇ ଜେଲ୍ ଭିତରେ ମୃତ୍ୟୁ ଦେଇଦିଅ । ମୁଁ ଆଉ ବଂଚିବାକୁ ଚାହୁଁନି । ଶୁବଳ ନିଜକୁ ସହିପାରୁ ନଥିଲା । ତା ମଣିଷ ପଣିଆ ତାକୁ ଧିକ୍କାର କରୁଥିଲା । ଘର, ପରିବାର, ସାଙ୍ଗସାଥୀମାନଙ୍କ କଥା ଭାବି ଭାବି କେତେବେଳେ ରାତି ପାହିଯାଉଥିଲା ସେ ଜାଣିପାରୁ ନଥିଲା ।
ଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚ
ସେ ଜେଲ୍ ଯିବା ପରଠାରୁ ଘରର ସମସ୍ତ ଦାୟିତ୍ୱ ଓ ଖର୍ଚ୍ଚ ରେବକୁ ବହନ କରିବାକୁ ପଡୁଛି । ପୁଅକୁ ଝୁରି ଝୁରି ବୁଢାବୁଢୀ ଦୁଇଟା କଂଟା ଦିଶିଲେଣି । ପର ଘରେ ମୂଲ ମଜୁରୀ ଲାଗି ଲାଗି ରେବର ଦେହ ବି ମଝିରେ ମଝିରେ ଭଲ ରହୁନି । ରାତିରେ ସମସ୍ତେ ଶୋଇଗଲା ପରେ ସେ ତା ସ୍ୱାମୀକଥା ଚିନ୍ତା କରି କରି ତାକୁ ଆଉ ଚିହ୍ନି ହେଉନି ।
ଦୀର୍ଘ ତିନି ବର୍ଷ ପରେ ...
ଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚ
ସେଦିନ ସକାଳୁ ସକାଳୁ ହଠାତ୍ ଜେଲ୍ ପରିସର ମଧ୍ୟରେ ରେବ ଓ ସୁମୀକୁ ଦେଖି ଦୁଃଖରେ ଭାଙ୍ଗି ପଡିଲା ଶୁବଳ । ଆଖିର ଦୁଇ କୋଣରୁ ଝରିଆସୁଥିବା ଲୁହକୁ ପୋଛି ରେବର ମୁହଁକୁ ଚାହିଁ କହିଲା –
-ତୁ ବିଶ୍ୱାସ କର, ମୁଁ ମର୍ଡର୍ କରିନି । ମୋ ସରଳତାର ସୁଯୋଗ ନେଇ ସେମାନେ ମୋତେ ଫସେଇ ଦେଇଛନ୍ତି ।
-ମୁଁ ସବୁ ଜାଣେ । ହେଲେ ଆମେ ପରା ଗରିବ । କଥାରେ କହିଛି ‘ଗରିବ ମାଇପ ସବୁରି ଶାଳୀ’ । ଏ ଦେଶରେ ଗରିବଙ୍କ ପାଇଁ ନ୍ୟାୟ ନାହିଁ । ଗରିବଟିଏ ନ୍ୟାୟ ପାଇବା ଆଶାରେ ସର୍ବସ୍ୱ ବିକି ଭାଙ୍ଗି ହାଇକୋର୍ଟକୁ ଦୈାଡି ଦୈାଡି ଶେଷରେ ପାଏ ଖାଲି ତାରିଖ ଆଉ ତାରିଖ । କହିବା କାହାକୁ ?
ସୁମୀ ତା ବାପାଙ୍କୁ ଏପରି ଅବସ୍ଥାରେ ଦେଖି ଅଧୈର୍ଯ୍ୟ ହୋଇ କାନ୍ଦୁଥିଲା । ଶୁବଳ ଲୁହ ଛଳଛଳ ଅଖିରେ ତାକୁ ଏଣୁ ତେଣୁ କରି ଯେତେ ବୁଝେଇବାକୁ ଚେଷ୍ଟା କଲେ ବି ସେ କିଛି ବୁଝୁ ନଥିଲା । ଦେଖା କରିବାର ସମୟ ସୀମା ଶେଷ ହେବାର ସଙ୍କେତ ମିଳିବାରୁ ସୁମୀ ଦୁଃଖରେ ଭାଙ୍ଗିପଡି ଲୁହଭରା ଆଖିରେ ତା ବାପାଙ୍କ କରୁଣ ମୁହଁକୁ ଚାହିଁ କାନ୍ଦି କାନ୍ଦି କହିଲା- ଜାଣିଛ ବାପା, ଗାଁ ଲୋକେ କହୁଛନ୍ତି ତମେ କାଳେ ମଣିଷ ମାରିଛ । ମୋ ମୁଣ୍ଡରେ ହାତ ରଖି କହିଲ, ସତରେ ତମେ କ’ଣ ‘ଅପରାଧୀ’ ?
ଏକଥା ଶୁଣି ଶୁବଳ ଲୋତକଭରା ଅପଲକ ନୟନରେ ସୁମୀର ମୁହଁକୁ ବଲବଲ କରି ସେମିତି ଏକ ଲୟରେ ଚାହିଁରହିଥିଲା ।