ଅବ୍ସୋସ୍
ଅବ୍ସୋସ୍
-ମା..., ମା..., ତୁମକୁ ବୈଠକଖାନାରେ କେତେବେଳୁ ଅତିଥିମାନେ ଅପେକ୍ଷା କରିଛନ୍ତି ।
-ତୁ କହି ଦେ, ମୁଁ ଜଲ୍ଦି ଆସୁଛି । ବାଥରୁମ୍ ଭିତରୁ ଉଚ୍ଚ ସ୍ୱରରେ କହିଲେ ବିଜୟିନୀ ମ୍ୟାଡାମ୍ ।
ଶେଷରେ ସମସ୍ତଙ୍କ ସମ୍ମତି କ୍ରମେ, ସେଦିନ ଅପରାହ୍ନରେ, କଲେଜ୍ ପଡିଆଠାରେ, ହଜାର ହଜାର ଜନତାଙ୍କ ସମାବେଶରେ, ପ୍ରଥମ କରି ରାଜନୀତି ଦୁନିଆକୁ ଆସିଥିବା ସମାଜ ସେବିକା ଶ୍ରୀମତୀ ବିଜୟିନୀ ସାହୁ ତାଙ୍କର ଅଗ୍ନିବର୍ଷି ଅଭିଭାଷଣରେ କହିଲେ – “ବନ୍ଧୁଗଣ, ଆଜି ଆପଣମାନଙ୍କର ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦ, ଭଲପାଇବା ମୋତେ ଏ ମଂଚ ଉପରେ ଠିଆ ହେବାର ସୁଯୋଗ ଦେଇଛି । ନିର୍ବାଚନରେ ଲଢିବା ପାଇଁ ସାହସ ଓ ଶକ୍ତି ଯୋଗାଇଛି । କିନ୍ତୁ ଗୋଟିଏ କଥା ମୁଁ ଏଠାରେ ଯୋର୍ କରି କହିବି - ଏ ସ୍ୱାଧୀନ ରାଷ୍ଟ୍ରରେ ସତରେ କ’ଣ ଆମେ ସ୍ୱାଧୀନ ? ସହରାଂଚଳରେ ହେଉ କିମ୍ବା ଗ୍ରାମାଂଚଳରେ, ନାରୀଟିଏ ରାତି ୧୧/୧୨ଟା ପରେ ଏକା ଏକା ଜାତୀୟ ରାଜପଥରେ ଚାଲି ଚାଲି ଆସି ଘରେ ପହଂଚି ପାରିବ କି ? ଆପଣମାନେ ପ୍ରତିଦିନ ଖବରକାଗଜ ଓ ଟେଲିଭିଜନ୍ରୁ ବେଶ୍ ଅନୁମାନ୍ କରିପାରୁଥିବେ । ମୁଁ ଏ ବିଷୟରେ ଆଉ ଅଧିକ କିଛି କହିବାକୁ ଚାହୁଁନି । ଏବେ ଶୋଷଣ, ଦୁର୍ନିତୀ, ଧର୍ଷଣ, ବଳାତ୍କାର, ଲୁଟ୍ତରାଜ୍ ଇତ୍ୟାଦି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏସବୁକୁ ହଟାଇବା ପାଇଁ ନାରୀମାନେ ସଜାଗ୍ ହେବା ନିହାତି ଦରକାର । ସେମାନେ ନାରୀରୁ ରାଣୀ ଲକ୍ଷ୍ମୀବାଈ ସାଜିବା ଆବଶ୍ୟକ । ସମାଜରୁ ଦୁର୍ନିତୀର ମୂଳୋତ୍ପାଟନ ପାଇଁ ନାରୀ ଶକ୍ତି ଜାଗ୍ରତ ହେବା ଉଚିତ । ନାରୀ ଶଶକ୍ତିକରଣ ହେଲେ ସମାଜରେ ଶାନ୍ତି ଶୃଙ୍ଖଳା ଫେରି ଆସିବ । ତେଣୁ ମୁଁ ଆପଣମାନଙ୍କୁ ବିନମ୍ରତାର ସହ ହାତଯୋଡି ଅନୁରୋଧ କରୁଅଛି କି ଆପଣମାନେ ମୋତେ ଏ ନିର୍ବାଚନ ରଣାଙ୍ଗନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କଲେ ସମାଜର ଉନ୍ନତି ନିମନ୍ତେ ମୋ ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ମୁଁ ଦୁର୍ନିତୀ ଓ ଭ୍ରଷ୍ଟାଚାରର ମୂଳୋତ୍ପାଟନ ନିଶ୍ଚୟ କରିବି । ଏହା ହିଁ ମୋର ପ୍ରତିଜ୍ଞା । ଏତିକି କହି ମୁଁ ମୋ ବକ୍ତବ୍ୟ ଶେଷ କରୁଛି । ନମସ୍କାର । ଜୟ ଭାରତ ମାତା ।”
ଶ୍ରୀମତୀ ବିଜୟିନୀ ସାହୁ । ରାଜନିତୀ ବିଜ୍ଞାନରେ ଏମ୍.ଏ । ବୟସ ପାଖାପାଖି ୪୫ । ସ୍ୱାମୀ, ଦୁଇଟି ପିଲା, ଶାଶୁ ଓ ଶ୍ୱଶୁରଙ୍କୁ ନେଇ ତାଙ୍କ ପରିବାର । ୨୫ ବର୍ଷ ବୟସରୁ ସମାଜ ସେବା କରିବାକୁ ମନ ବଳାଇଥିଲେ । ବନ୍ୟା, ବାତ୍ୟା, ମରୁଡି, ଦୁର୍ବିପାକ ସମୟରେ ସେ ଅଂଟାରେ ଲୁଗା ଭିଡି ଲୋକମାନଙ୍କର ନିଷ୍ଠାର ସହ ସେବା କରିଥିଲେ । ତାଙ୍କୁ ଅନୁକରଣ କରି ଅନେକ ମହିଳା ସମାଜ ସେବା କରିବାକୁ ଘରୁ ଗୋଡ କାଢିଥିଲେ । ଜୀବନରେ ଅନେକ ବାଧାବିଘ୍ନ ସତ୍ୱେ ସେ ସେସବୁକୁ ଖାତିର୍ ନକରି ଲୋକମାନଙ୍କ ପରାମର୍ଶ କ୍ରମେ ନିର୍ବାଚନ ରଣକ୍ଷେତ୍ରରେ ପାଦ ଥାପିଥିଲେ । କେବଳ ତାଙ୍କ ପଂଚାୟତ ନୁହେଁ । ଅନେକ ପଂଚାୟତର ଲୋକେ ତାଙ୍କୁ ଭଲଭାବେ ଜାଣନ୍ତି । ସମ୍ମାନ ବି କରନ୍ତି । ଆଜି ସେ ପଂଚାୟତର ଉନ୍ନତି ପାଇଁ ସରପଂଚ ପ୍ରାର୍ଥିନୀ ଭାବେ ଅଂଟା ଭିଡିଛନ୍ତି ।
ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି, ବିଜୟିନୀଙ୍କ ମନରେ ଉତ୍କଣ୍ଠା ସେତେ ସେତେ ବଢି ବଢି ଯାଉଛି । ଲୋକମାନଙ୍କର ସମର୍ଥନ ତାଙ୍କ ପ୍ରତି ବିପୁଳ ପରିମାଣରେ ରହିଛି । ତାଙ୍କ ପରିବାରରେ ତାଙ୍କୁ ସମସ୍ତେ ଇଲେକ୍ସନ୍ରେ ପାଦ ଦେବାକୁ ବାରଣ କରିଥିଲେ । ଅଜିକାଲିକା ରାଜନିତୀରେ ଜୀବନ ପ୍ରତି ବିପଦ ଥିବା ସତ୍ୱେ ମଧ୍ୟ ସେ ସେସବୁକୁ ଖାତିର ନକରି ନିର୍ବାଚନକୁ ଓହ୍ଲାଇଥିଲେ । ତାଙ୍କ ପଂଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ସତେ ଯେପରି ଲୋକମାନଙ୍କ ପାଖରେ ବଦ୍ଧ ପରିକର ଥିଲେ । ତାଙ୍କ ମନରେ ଥିବା ଅସୀମ ସାହସ ଓ ଦକ୍ଷତା ତାଙ୍କୁ ଆଗକୁ ଆଗକୁ ଯିବା ପାଇଁ ପଥ ପ୍ରଦର୍ଶକ ସାଜିଥିଲା ।
ସେଦିନ ନିଜର ଭୋଟ୍ ପ୍ରଚାର ପାଇଁ ସେ ଗାଁ ଗାଁ ବୁଳିଥିଲେ । ଗାଁରେ ଲୋକମାନଙ୍କର ଅନେକ ସମସ୍ୟା ଓ ଅଭିଯୋଗ ଥିଲା । ନଳକୂପ, ପାଠାଗାର, ଡାକ୍ତରଖାନା, ଟେଲିଫୋନ୍, ବିଜୁଳି, ପକ୍କା ଘର, ପକ୍କା ଶଡକ, ବିଭିନ୍ନ ପ୍ରକାରର ଯୋଜନା ଇତ୍ୟାଦି ଶୁଣି ଶୁଣି ମନେ ମନେ ଦୁଃଖ କରିଥିଲେ । ଏବେ ବି ଲୋକେ ପକ୍କା ଘରଟିଏ ନପାଇ ଝୁପୁ
ଡି ଘରେ କାଳ କାଟୁଛନ୍ତି । ରାସ୍ତାଘାଟ ସୂଚାରୁ ରୂପେ ମରାମତି ନ ହେବାରୁ ବର୍ଷାଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦାରିଦ୍ର୍ୟର ସୀମାରେଖା ତଳେ ଥିବା କିଛି କିଛି ଲୋକ ମଧ୍ୟ କୈାଣସି କାରଣ ବଶତଃ ରାସନ୍ କାର୍ଡରୁ ବଂଚିତ ଅଛନ୍ତି । ବିଜୁଳି ଆଲୁଅର ଘୋର ଅଭାବ ଏବେ ବି ସ୍ପଷ୍ଟ ଦିଶୁଛି । ଖରାଦିନେ ଜଳର ଅଭାବନୀୟ ପରିସ୍ଥିତି ଗ୍ରାମାଂଚଳମାନଙ୍କରେ ଲୋକମାନଙ୍କ ହୃଦୟରୁ ଏପର୍ଯ୍ୟନ୍ତ ଲିଭି ନାହିଁ । ଏସବୁ ଘଟଣା ନିଜ ଆଖିରେ ଦେଖିବା ସହ ସବୁ ଶୁଣି ସାରିବା ପରେ ଦୁଃଖରେ ସେ ମର୍ମାହତ ହୋଇପଡିଥିଲେ ।
ଭୋଟ୍ ପ୍ରଚାର କରି ଘରେ ପହଂଚିଲା ବେଳକୁ ପ୍ରତିଦିନ ରାତି ୯ଟା ବାଜୁଥିଲା । କ’ଣ ଦି’ଟା ଖାଇ ଶୋଇବାକୁ ଗଲେ ନିଦ ଆସୁ ନଥିଲା । ଗରିବ ଲୋକମାନଙ୍କ ଦୟନୀୟ ଅବସ୍ଥା ତାଙ୍କ ଆଖିରେ ନାଚି ଉଠୁଥିଲା । ସେ ନିଜକୁ ସହିପାରୁ ନଥିଲେ । ସମାଜରୁ ଦାରିଦ୍ର୍ୟ ଦୂରିକରଣ ପାଇଁ ତାଙ୍କ ମନ ସର୍ବଦା ବ୍ୟାକୁଳ ହେଉଥିଲା ।
ଆଜି ନିର୍ବାଚନ । ଆଉ କିଛି ଘଂଟା ପରେ ହେବ ଭୋଟ୍ ଗଣତି । ହାତୀ ସୁନା କଳସ ଢାଳିଲା ପରି ଯିଏ ଜିତିବେ ସେ ହେବେ ନେତା । ସକାଳୁ ସକାଳୁ ବୁଥ୍ମାନଙ୍କରେ ଲମ୍ବା ଧାଡି ଲାଗିରହିଛି । ଶାନ୍ତି ଶୃଙ୍ଖଳା ସହ ମତଦାନ ଚାଲିଛି । ଗଣ୍ଡଗୋଳ ଆଶଙ୍କାକୁ ଦୃଷ୍ଟି ଆଗରେ ରଖି ସୁରକ୍ଷାକର୍ମୀମାନେ ଯଗିରହିଛନ୍ତି । ମତଦାନ ଶେଷ ହେବା ପରେ ସମସ୍ତଙ୍କ ମୁହଁରୁ ଶୁଣାଯାଉଥିଲା କେବଳ ବିଜୟିନୀଙ୍କ ନାଁ । ସମସ୍ତେ ଆଶା ରଖିଥିଲେ ସେ ନିଶ୍ଚୟ ଆସିବେ ।
ସମୟ ଗଡିଚାଲିଥାଏ । ଭୋଟ ଗଣତି ଶେଷ ହେଉ ହେଉ ରାତି ୧୦ଟା ବେଳକୁ ଘୋଷଣା କରାଗଲା – “ସରପଂଚ ପ୍ରାର୍ଥିନୀ ଶ୍ରୀମତୀ ବିଜୟିନୀ ସାହୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କଠାରୁ ୩୨,୩୭୮ ଖଣ୍ଡ ଭୋଟ୍ରେ ଆଗୁଆ ରହି ବିପୁଳ ସଂଖ୍ୟାରେ ବିଜୟୀ ହୋଇଛନ୍ତି ।”
ତୁଣ୍ଡ ବାଇଦ ଶହସ୍ର କୋଶ ପରି ବିଜୟିନୀଙ୍କ ଜିତିବା ଖବର ନିମିଷକ ମଧ୍ୟରେ ଚାରିଆଡେ ଚହଳ ପକାଇ ଦେଇଥିଲା । ତାଙ୍କର ହଜାର ହଜାର ସୁଭେତ୍ସୁ ଏ ଖୁସି ଖବର ଦେବାକୁ ତାଙ୍କ ପାଖକୁ ଛୁଟି ଆସିଥିଲେ । ସମସ୍ତଙ୍କ ଅନୁରୋଧ କ୍ରମେ ତହିଁ ଆର ଦିନ ସଂଧ୍ୟାରେ, କଲେଜ୍ ପଡିଆଠାରେ ଏକ ବିଜୟୀ ସାଧାରଣ ସଭାର ଆୟୋଜନ ହେଲା ।
ମଂଚାସୀନ ନେତାମାନଙ୍କ ବକ୍ତବ୍ୟ ଶେଷରେ ବିଧାୟିକା ଶ୍ରୀମତୀ ବିଜୟିନୀ ମ୍ୟାଡାମ୍ ବିନମ୍ରତାର ସହ କହିଲେ – “ଏ ବିଜୟ ମୋର ନୁହେଁ । ଏହା ଆପଣମାନଙ୍କର । ଆପଣମାନେ ନ ଚାହିଁଥିଲେ ମୁଁ ଜିତି ପାରି ନଥାନ୍ତି । ଆଉ ଗୋଟେ କଥା । ଆପଣମାନଙ୍କର ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦ, ଭଲପାଇବା ମୋତେ ସମାଜର ଉନ୍ନତି ପଥେ ଆଗେଇ ନେବାକୁ ବାଟ କଢେଇବ । ଆପଣମାନେ ମୋ ସାଥୀରେ ଅଛନ୍ତି, ସାଥୀରେ ରହିବେ ଆଉ ସବୁଦିନେ ଥିବେ । ମୋର ଗୋଟିଏ ଅନୁରୋଧ ମୋ କାନ୍ଧରେ କାନ୍ଧ ମିଶାନ୍ତୁ । ଦେଖିବେ ସମାଜରୁ ଦାରିଦ୍ର୍ୟ ଦୂରୀକରଣ ନିଶ୍ଚୟ ସମ୍ଭବ ହେବ । ଗ୍ରାମାଂଚଳରେ ରହୁଥିବା ବିଭିନ୍ନ ପ୍ରକାରର ସମସ୍ୟା ଅଚିରେ ସମାଧାନ ହେବ” । ସେ ତାଙ୍କର ଅଗ୍ନିବର୍ଷି ଭାଷଣ ଦେଇଚାଲିଥିବା ସମୟରେ ଲାଇନ୍ ଚାଲିଗଲା । ଚାରିଆଡ ଅନ୍ଧାର ହେଇଗଲା । ଠିକ୍ ଏହି ସମୟରେ ହଠାତ୍ ଗୁଳିର ଆବାଜ୍ ଶୁଭିଲା । ସମସ୍ତେ ତଟସ୍ତ ହୋଇଗଲେ । କେହି କେହି ସେହି ଘନ ଅନ୍ଧାର ମଧ୍ୟରେ ନିଜକୁ ବଂଚାଇବା ପାଇଁ ଛତ୍ରଭଙ୍ଗ ଦେଲେ । ଲାଇନ୍ ଆସିବା ପରେ ସମସ୍ତେ ଦେଖିଲେ - ବିଜୟିନୀ ମ୍ୟାଡାମ୍ଙ୍କ ବାମପଟ ଛାତିରେ ଗୁଳି ବାଜିଛି । ସେ ସଂଜ୍ଞାହୀନ ଅବସ୍ଥାରେ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡିଛନ୍ତି । ଏ ଦୁଃସମ୍ବାଦ ଚାରିଆଡେ ନିମିଷକ ମଧ୍ୟରେ ବିଜୁଳି ବେଗରେ ଖେଳିଯାଇଥିବାବେଳେ, ସମସ୍ତେ ଦୁଃଖରେ ମର୍ମାହତ ହୋଇପଡିଥିଲେ ।
ଭ୍ୟାନ୍ରେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଗଲା । ହଜାର ହଜାର ଜନତା ତାଙ୍କର ପ୍ରାଣ ରକ୍ଷା ପାଇଁ ଭଗବାନ୍ଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଶେଷରେ ଡାକ୍ତରମାନଙ୍କ ଅକ୍ଳାନ୍ତ ଚେଷ୍ଟା ତାଙ୍କୁ ବଂଚାଇ ପାରିଲା ନାହିଁ । ସେ ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ସମସ୍ତଙ୍କୁ ଲୁହଭରା ଆଖିରେ ସ୍ମିତ ହସି କହିଲେ – “ମୁଁ ଜାଣିଛି, ଯେଉଁ ଦିନ ହେଲେ ଦିନେ ନା ଦିନେ ମରିଥାନ୍ତି । ସେଥିରେ ମୋର ଦୁଃଖ ନାହିଁ କି ଆପଣମାନେ ମୋ ପାଇଁ ଦୁଃଖ କରନ୍ତୁ ନାହିଁ । ଶେଷରେ ଏତିକି କହିବି, ମୋ ମନରେ ଗୋଟେ ଅବ୍ସୋସ୍ ରହିଗଲା - ମୋ ଜନ୍ମମାଟିର ସୁରକ୍ଷା ତଥା ଉନ୍ନତି ପାଇଁ ମୁଁ କରିଥିବା ଶପଥକୁ ... ।” ଏତିକି କହି ସେ ସବୁଦିନ ପାଇଁ ଆଖି ବୁଜି ଦେଲେ ।