Aminilu Ray

Drama

2  

Aminilu Ray

Drama

ନଖିନାନୀ ପୁଅ ଭଗିଆ

ନଖିନାନୀ ପୁଅ ଭଗିଆ

5 mins
191


                          

ଭଗିଆଟା ବାପ ଛେଉଣ୍ଡ । ବାର ବରସର ହୋଇଥିଲାବେଳେ ବାପ ଚାଲିଗଲା । ମାଆ ବାର ଘରେ ପାଇଟି କରି ଯାହା ଦି’ ପଇସା ପାଏ, ସେଇଥିରେ ମାଆ ପୁଅ ଦୁହେଁ କଷ୍ଟେମଷ୍ଟେ ଚଳିଯାଆନ୍ତି ।

ଭଗିଆ ଶ୍ରୀଅକ୍ଷର ବିବର୍ଯୀତ । ଚାହାଳି ମାଟି ମାଡିନି । ଯେତେ ବୁଝେଇ ସୁଝେଇ ଚାହାଳିକି ପଠାଇଲେ ସେ ଯାଏନି । ଚାହାଳିକି ଯିବା ନାଁ କହିଲେ ବାଉଁଶ ବୂଦା ମୂଳେ , ବରଗଛରେ ଲୁଚେ । ମାଆ ଯେତେ ଆକଟ କଲେ , ପିଟିଲେ ପାଠ ପଢିବା ନାଁ ଧରେନି । ସିଲଟ ଜାଣିଶୁଣି ଭାଙ୍ଗିଦିଏ । ପାଠ ଡରରେ ଗାଈ ଯଗିବାକୁ ଚାଲିଯାଏ । ଦିନେ ଅବଧାନେ ଆସି ଭଗିଆକୁ ଟାଣି ଟାଣି ଚାହାଳିକୁ ନେଉଥିଲେ । ହଠାତ୍ ଭଗିଆ ବାଟରେ ଅବଧାନେଙ୍କ ହାତକୁ ଯୋରରେ କାମୁଡି ଦେଇ କିଆବୁଦା ମୂଳେ ଲୁଚିଗଲା । ସେହିଦିନୁ ତାର ପାଠପଢାରେ ସବୁଦିନ ପାଇଁ ଡୋରି ବନ୍ଧା ହୋଇ ଯାଇଥିଲା ।

   ସବୁଦିନେ ସକାଳୁ ଉଠି ଭଗିଆ ଦାନ୍ତ ଘସୁ କି ନଘସୁ ପେଟେ ପଖାଳ ଠୁଙ୍କିଦେଇ ବୁଲିବାକୁ ଚାଲିଯାଉଥିଲା । କାହା ବିଲରୁ ବାଇଗଣ ତ ଆଉ କାହା ବିଲରୁ ଭେଣ୍ଡି, ଲଙ୍କା, ପୋଟଳ ଇତ୍ୟାଦି ଚୋରି କରୁଥିଲା । ରାତି ଅଧରେ କାହା ବାଡିରେ ପଶି କଦଳୀ, ଅମୃତଭଣ୍ଡା, କାକୁଡି ଇଚ୍ଛ୍ୟାଦି ଚୋରି କରୁଥିଲା । ଗାଁ ଲୋକେ ସବୁ ଜାଣି ପାରୁଥିଲେ ବି ବାପ ଛେଉଣ୍ଡ ପିଲାଟା ବୋଲି କିଛି କହିପାରୁ ନଥିଲେ । ଏଥିରେ ତା ମାଆ ତାକୁ ଯେତେ ବାରଣ କଲେ, ପିଟିଲେ, ସେ କିଛି ମାନୁନଥିଲା । ତାର ଚୋରି କରିବା ପ୍ରକୃତି ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା ।

           ଗାଁରେ ଭଗିଆର ଦୈାରାତ୍ୟ୍ମ ଦିନକୁ ଦିନ ବଢିଚାଲିଲା । ଲୋକମାନେ ଅତିଷ୍ଟ ହୋଇପଡିଲେ । ଗାଁ ମୁଖିଆଙ୍କ ପାଖରେ ଫେରାଦ ହେଲେ । ଗାଁରେ ସନ୍ଧ୍ୟାରେ ସଭା ବସିଲା । ନଖିନାନୀ ଆଉ ତା ପୁଅ ଭଗିଆକୁ ଡଳରା ହେଲା । ନଖିନାନୀ ସଭାରେ ସମସ୍ତଙ୍କ ଆଗରେ ମୁଣ୍ଡ ତଳକୁ କରି ଠିଆହେଲା । ଏଥର ଗାଁ ମୁଖିଆ କହିଲେ –“ ଶୁଣ ନଖି, ତୁମ ଉପରେ ଦୁଇଶହ ଏକଟଙ୍କା ଯୋରିମନା କରାଗଲା । ଯୋରିମନା ନଦେଇପାରିଲେ ତୁମକୁ ନିଆଁ ପାଣି ଅଟକ କରାଯିବ । ଦରକାର ପଡିଲେ ସର୍ବସମ୍ମତି କ୍ରମେ ତୁମକୁ ଗାଁରୁ ସବୁଦିନ ପାଇଁ ତଡି ଦିଆଯିବ । ଏବେ କଣ କହୁଛ କୁହ” । ନଖିନାନୀ କାନ୍ଦି କାନ୍ଦି ମୁଖିଆଙ୍କ ପାଦ ତଳେ ପଡି କହିଲା –“ ଜମିଦାର ଆଜ୍ଞା , ଏଇଥର ମୋତେ କ୍ଷମା କରି ଦିଅନ୍ତୁ । ମୋ ପୁଅ ଆଉ ସେମିତି ଭୂଲ୍ କାମ କରିବନି । ମୁଁ ଗରିବ ଲୋକ । ଜୋରିମନା ଦେଇପାରିବିନି” । ଶେଷରେ ମୁଖିଆ ଜୋରିମନା ନ ନେଇ ନଖିନାନୀକୁ କ୍ଷମା କରିଦେଲେ ।

    ଦିନେ ନଖିନାନୀର ପଡୋଶୀ ସୁଲି ଚା କରିବା ପାଇଁ ସକାଳୁ ସକାଳୁ ନଖିନାନୀ ପାଖକୁ ନିଆଁ ଟିକେ ପାଇଁ ଆସିଥିଲା । ଦେଖିଲା ଭଗିଆ ଗଭିର ନିଦରେ ଶୋଇ ଘୁଙ୍ଗୁଡି ମାରୁଛି । ଦିନ ଆସି ଘଡିଏ ହେଲାଣି । ସେ ସହିପାରିଲାନି । ଭଗିଆକୁ ନିଦରୁ ଉଙ୍ଖାଇ କହିଲା –“ ହଇରେ ଅଳପେଇସା, ଆସି ଅଠର ବର୍ଷର ଭେଣ୍ଡିଆଟା ହେଲୁଣି ଖାଲି ଖାଉଚୁ , ପିଉଚୁ, ଶୋଉଚୁ । କାମ ଦି ପାଇଟି କରିବାର ନାଁ ଧରୁନୁ । ତୋ ମାଆଟା ଖଟି ଖଟି କଂଟା ଦିଶିଲାଣି । ତୋତେ କିଛି ଜଚ୍ଚା ପଡୁନି ? ଧନ୍ୟରେ ତୁ । ତୋ ଭଳି ପୁଅ ଘରେ ଥାଇ ଲାଭ କ’ଣ “? ରାଗରେ ସୁଲି ଗାଳି ଦେଇ ଚାଲିଗଲା ପରେ ଭଗିଆ ପିଣ୍ଢାଟା ଉପରେ ବସି ଭାବିଲା –“ ନା । ଏ ଗାଁ’ରେ ଆଉ ରହି ହେବନି । ବାର ଲୋକଠାରୁ ବାର କଥା ଶୁଣିବାକୁ ପଡୁଛି । ମୋ ମାଆକୁ ସମସ୍ତେ ବାର କଥା କହୁଛନ୍ତି । କାଲିଠାରୁ ଗାଁ ଛାଡି ବାହାରକୁ ଚାଲିଯିବି । ମୂଲ ମଜୁରୀ ଲାଗିବି । ପ୍ରତି ମାସରେ ଥରେ କି ଦି’ଥର ଗାଁ’କୁ ଆସିବି” । ତହିଁ ଆରଦିନ ଭଗିଆ ବଡି ସକାଳୁ ଉଠି, ନିତ୍ୟକର୍ମ ସାରି, ପେଟେ ପଖାଳ ଖାଇ, ଚୁଡା ଦିଇଟା ଗାମୁଛାରେ ବାନ୍ଧି ଗାଁରୁ ବାହାରି ଗଲା । ଭୀଷଣ ଖରା ହେଉଥିଲା । ଭଗିଆ ଚାଲି ଚାଲି ଥକି ପଡିଲା । ଟିକେ ବିଶ୍ରାମ ନେବା ପାଇଁ ରାସ୍ତାଠାରୁ କିଛି ଦୂରରେ ଥିବା ଗୋଟେ ବଡ ଝଙ୍କାରିଆ ବରଗଛ ମୂଳେ ଆସି ବସି ପଡିଲା । ଗାମୁଛାରୁ ଚୁଡା ମୁଠାଏ ବାହାର କରି ପାଟିରେ ପକାଇଲା । ପୋଖରୀରୁ ଆଞ୍ଜୁଳା ଆଞ୍ଜୁଳା କରି ପେଟେ ପାଣି ପଇଲା । ସଙ୍ଗେ ସଙ୍ଗେ ଥଣ୍ଡା ପବନରେ ତାକୁ ନିଦ ଆସିଗଲା । ସେ ଶୋଇ ପଡିଲା । କିଛି ସମୟ ପରେ କାହାର କ୍ରନ୍ଦନ ଶବ୍ଦରେ ତା’ର ନିଦ ଭାଙ୍ଗିଗଲା । ସେ ଚାରିଆଡକୁ ଚାହିଁଲା । ଦେଖିଲା – ଝିଅଟି ଭୀଷଣ ଖରାରେ ପୋଖରୀ ହୁଡାରେ ପଡିଥିବା ପଥର ଉପରେ ବସି କାନ୍ଦୁଛି । ସେ ଦୈାଡି ଯାଇ ତା ପାଖରେ ପହଂଚିଗଲା । ତାକୁ ଟାଣି ଟାଣି ଗଛ ଛାଇକୁ ନେଇଆସିଲା । ଆଉ କହିଲା-

-କ’ଣ ହେଇଛି ? କାନ୍ଦୁଛୁ କାହିଁକି ? ତୋ ଘର କେଉଁଠି ?

-ମୁଁ କିଛି କହି ପାରିବିନି । ତମ ବାଟରେ ତମେ ଯାଅ । ମୁଁ ମରିବାକୁ ଚାହେଁ ।

-ମୁଁ ତ ଚାଲିଯିବି । ହେଲେ କଥାଟା କ’ଣ କହ ?

-ମୋ ନାଁ ଛବି । ଏଇଠୁ ତିନି କୋଶ ହେବ ଆମ ଗାଁ । ମୋ ସବତ ମାଆ ପଇସା ଲୋଭରେ ମୋତେ ଗୋଟେ ବୁଢା ସାଙ୍ଗରେ ମୋର ବାହାଘର କରିଦେବାକୁ ଚାହୁଁଥିଲା । ମୁଁ ଶୁଣିଲା ପରେ ଘରୁ ଲୁଚି ଲୁଚି ଏତେ ବାଟ ଚାଲି ଆସିଛି । ଏବେ ତମ ବାଟରେ ତମେ ଯାଅ । ମୁଁ ଏଇ ପୋଖରୀକୁ ଡେଇଁ ବୁଡି ମରିବି ।

-ଠିକ୍ ଅଛି । ତୋତେ ଆଉ ମରିବାକୁ ପଡିବନି । ମୁଁ ତୋତେ ବାହା ହେବି । ଏଥର ହେଲା ତ ?

-ସତ କହୁଛ ?

-ହଁ । ତୋତେ ଭୋକ ହେଉଥିବ । ଏଇ ଗାମୁଛାରେ ଯେତିକି ଚୁଡା ଅଛି ଖାଇ ଦେ । ମୁଁ ତୋ ପାଇଁ ପାଣି ଆଣୁଛି ।

   ଛବିକୁ ସାଥୀରେ ଧରି ଭଗିଆ ଛବିଙ୍କ ଗାଁରେ ପହଂଚିଲା ବେଳକୁ ସନ୍ଧ୍ୟା ହୋଇଯାଇଥିଲା । ସମସ୍ତେ ଛବି ଆଉ ଭଗିଆକୁ ଦେଖି ଆଶ୍ଚର୍ଯ୍ୟ ହେଇଗଲେ । କଥା କଣ ପଚାରିଲେ । ଭଗିଆ କହିଲା –“ ଶୁଣ , ମୁଁ କହୁଚି । ଛବିକୁ ତା ମାଆ ପଇସା ଲୋଭରେ ଗୋଟେ ବୁଢା ସହିତ ବାହା କରିଦେବାକୁ ବସିଥିଲା । ସେଥିପାଇଁ ଛବି ଘରୁ ଲୁଚି ଲୁଚି ଆସି ପୋଖରୀରେ ବୁଡି ମରିବାକୁ ଉଦ୍ୟତ ହେଉଥିବା ସମୟରେ ମୁଁ ତାକୁ ମରଣ ମୁହଁରୁ ବଂଚାଇଲି” । ଭଗିଆଠାରୁ ଏ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଲେ ଓ ଭଗିଆକୁ ପ୍ରଶଂସା କଲେ । ତା ପରଦିନ ଗାଁ ଠାକିରାଣୀଙ୍କ ପାଖରେ ଗାଁ ମୁଖିଆ ନିଜ ହାତରୁ ପଇସା ଖର୍ଚ୍ଚ କରି ଛବି ସହ ଭଗିଆର ବାହାଘର କରିଦେଲେ । ଭଗିଆ ଶଶୁର ଘରେ ରହିଲା । ଗାଁ ମୁଖିଆଙ୍କଠାରୁ କିଛି ପଇସା ଉଧାର ଆଣି ଛେଳି ଓ କୁକୁଡା ପାଳନ କଲା । ଛବି ଭଗିଆର ପାଖେ ପାଖେ ରହି ତାକୁ ସାହାଯ୍ୟ କଲା । ବେଶ୍ ଦି ପଇସା ପାଇଲା । ଖୁସିରେ ପରିବାର ଚଳିଲା ।

   ଚାହୁଁ ଚାହୁଁ ତିନି ମାସ ହେଇଗଲା । ଭଗିଆକୁ ତା ମାଆର ମୁହଁ ଦିଶୁଥିଲା । ହେଲେ କାମରେ ବ୍ୟସ୍ତ ଥିବାରୁ ସେ ତା ନିଜ ଗାଁକୁ ଆସିପାରୁନଥିଲା । ଭଗିଆକୁ ନଦେଖି ନଖିନାନୀ ମନ ଛଟପଟ ହେଉଥିଲା । ଯେତେ ଯାହାହେଲେ ପୁଅ ତ । କୁଆଡେ ଯାଇଛି ଯେ ଯାଇଛି । ତା ମନକୁ ବାରଂବାର ପାପ ଛୁଉଁଥିଲା , କାଳେ ଭଗିଆର କ’ଣ ହେଇଗଲା କି ? ଦିନେ ଭଗିଆ ଛେଳି ଓ କୁକୁଡାଙ୍କୁ ଖାଇବାକୁ ପିଇବାକୁ ଦେଇ ଗଛମୂଳେ ବସିଥିଲା । ଗାଁ ଓ ତା’ର ମାଆର ମୁହଁ ତାକୁ ବାରଂବାର ଦିଶୁଥିଲା । ସେ ସହି ପାରିଲାନି । ମନଦୁଃଖରେ ବସି ଭାବୁଥିବା ସମୟରେ ଛବି ଆସି କହିଲା –

-କଣ ହେଲା ? ମୋତେ କହିବନି ?

-ନାଇଁ ଯେ । ଆଜି କାହିଁ ମୋ ମାଆର ମୁହଁଟା ମୋତେ ବାରଂବାର ଦିଶୁଛି । କିଛି ଭଲ ଲାଗୁନି । ତୁ ଯଦି ହଁ କହନ୍ତୁ ତା ହେଲେ ଆମେ ଦୁହେଁ କାଲି ସକାଳେ ଆମ ଗାଁକୁ ଯାଇ ମୋ ମାଆକୁ ଟିକେ ଦେଖିଆସନ୍ତେ ।

-ଭଲ ହେଲା । ମୁଁ ଯାଇ ମାଆଙ୍କ ପାଇଁ ଓ ଘର ପାଇଁ କିଛି ଜିନିଷପତ୍ର ସାହୁ ଦୋକାନରୁ କିଣିଆଣେ । କାଲି ସକାଳୁ ସକାଳୁ ବାହାରି ପଡିବା । ଧୋଇହେଇ ଆସ, ମୁଁ ବଢାବଢି କରୁଛି ।

   ଉଦୁଉଦିଆ ଖରାବେଳଟାରେ ଭଗିଆ ଓ ଛବି ଗାଁରେ ଆସି ପହଂଚିଲେ । ସେ ଦୁହିଙ୍କୁ ସବୁଲୋକ ଦେଖି ଆଶ୍ଚର୍ଯ୍ୟ ହେଲେ । ନଖିନାନୀ ତା ପୁଅ ଓ ବୋହୁକୁ ଦେଖି ନିଜକୁ ବିଶ୍ୱାସ କରିପାରିଲାନି । ତା ପୁଅ ସଂପୂର୍ଣ୍ଣ ବଦଳିଯାଇ ଗୋଟେ ଭଲ ମଣିଷ ହେଇଯାଇଛି ଶୁଣି ଖୁସି ହେଲା । ଛବିକୁ ସ୍ନେହରେ କୁଣ୍ଢାଇ ପକାଇଲା । ଛବି ତାଙ୍କ ପାଇଁ ଆଣିଥିବା ଶାଢୀ ଓ ଜିନିଷପତ୍ର ଦେଖି ତା ଆଖିରୁ ଖୁସିରେ ଦୁଇବୁନ୍ଦା ଲୁହ ଝରିପଡିଲା । ସେ ଭଗିଆ ଦେହରୁ ବହୁଥିବା ଝାଳକୁ ତା ପଣତକାନୀରେ ପୋଛିପକାଇଲା । ପୁଅ ବୋହୁ ପାଇଁ ଖାଇବା ପିଇବାର ବ୍ୟବସ୍ଥା କଲା । ସମସ୍ତେ ଖାଇ ସାରିବା ପରେ ଭଗିଆ ତା ମାଆକୁ ପାଖକୁ ଡାକି କହିଲା-

-ମାଆ, ମୁଁ ଯାହା କହିବି ତୁ ମୋ କଥା ରଖିବୁ ?

-ତୋ’ର ସବୁ କଥା ରଖିବିରେ ଧନ । ଏଥର କହ ।

-ତୁ ଆମ ସାଙ୍ଗରେ ଯିବୁ । ତୋତେ ଛାଡି ମୁଁ ରହିପାରୁନି । ତୋ ମୁହଁ ମୋତେ ସଦାବେଳେ ଦିଶୁଛି ।

   ନଖିନାନୀ ଆଖିରୁ ଖୁସିରେ ଦୁଇଟୋପା ଲୁହ ଝରିପଡିଲା । ସେ ତା ପୁଅର ଖୁସି ପାଇଁ ସାତ ପୁରୁଷର ଭିଟାମାଟି ଛାଡି ସବୁଦିନ ପୁଅବୋହୁ ସହ ରହିବା ପାଇଁ ନିଷ୍ପତି ନେଲା । ଗାଁ’ରେ ସମସ୍ତେ ଭଗିଆର ବୁଦ୍ଧିକୁ ତାରିଫ୍ କଲେ ଓ ପ୍ରଶଂସା କରି କହିଲେ – ତୁ ହେଉଛୁ ପ୍ରକୃତରେ ଆମ “ନଖିନାନୀ ପୁଅ ଭଗିଆ” ।



Rate this content
Log in

Similar oriya story from Drama