Aminilu Ray

Romance Tragedy

5.0  

Aminilu Ray

Romance Tragedy

ମନ୍ଦାକିନୀ

ମନ୍ଦାକିନୀ

5 mins
576



 

ନୂଆଁଣିଆ ଚାଳଘର । ଘର ଭିତରକୁ ପସୁ ପସୁ ମୁଣ୍ଡ ବାଜିବ । ଘରଟା ସାରା ଅଳନ୍ଧୁରେ ଭର୍ତି । ଭିତରେ ଗୋଟିଏ ଟେବୁଲ୍, ୨/୩ଟି ଚୈାକି ଓ ବହୁ ଦିନର ପୁରୁଣା ବଡ କାଠ ର‌୍ୟାକ୍ ଟିଏ । କେତେ ଦିନୁ ର‌୍ୟାକ୍ ରେ ଅସଜଡା ଅବସ୍ଥାରେ ପଡିରହିଛି ଶହ ଶହ ସଂଖ୍ୟାରେ ପାଣ୍ଡୁଲିପି । ଘର କୋଣରେ ଗୋଟେ ସୁରେଇ । ଅନେକ ଦିନରୁ ଏ ପର୍ଯ୍ୟନ୍ତ ଘରେ ବିଜୁଳି ଆଲୁଅର ବ୍ୟବସ୍ଥା ହୋଇନାହିଁ । ଟେବୁଲ୍ ଉପରେ ବହୁତ ବର୍ଷର କଳଙ୍କି ଲଗା ଲଣ୍ଠନଟି ଥୁଆହୋଇଛି । ଏ ହେଉଛି ଜଣେ ବିଶିଷ୍ଟ କ୍ଷାତି ସଂପନ୍ନ ଔପନ୍ୟାସିକ ବିବେକ୍ ମହାନ୍ତିଙ୍କ ଘର । ଘର କହିଲେ ୨ ବଖରା ଚାଳଘର ଓ ଗୋଟେ ଛୋଟ ଠାକୁର ଘର । ବିବେକ୍ ବାବୁ ପିଲାଦିନୁ ବାପ ମା’ ଛେଉଣ୍ଡ । ଆଈମା’ କୋଳରେ ବଢିଆସିଛନ୍ତି । ଏବେ ତାଙ୍କୁ ବୟସ ୭୫ ଛୁଇଁବ । ଦୁର୍ବଳ ସ୍ୱାସ୍ଥ୍ୟ । ଆଖିକୁ ଆଉ ସେମିତି ସ୍ପଷ୍ଟ ଦିଶୁନି । ତଥାପି ବୟସର ଅପରାହ୍ନରେ ତାଙ୍କର ସେହି ଥରିଲା ଥରିଲା ହାତରେ, ଝରକଲମରେ, ଲେଖନୀ ମୁନରେ ଲେଖିଚାଲିଛନ୍ତି ଉପନ୍ୟାସ ପରେ ଉପନ୍ୟାସ । ବିଗତ ପ୍ରାୟ ୪୫ ବର୍ଷ ମଧ୍ୟରେ ସେ କେତେ ଉପନ୍ୟାସ ରଚନା କରିଛନ୍ତି ତା’ର କିଛି ଠିକଣା ନାହିଁ ।

ସଂଧ୍ୟା ସମୟ ଉପନୀତ । ମନ୍ଦିରରୁ ଘଣ୍ଟ ମାଦଳର ଶବ୍ଦ ଭାସିଆସୁଥାଏ । ଅଗଣାରେ ଚୈାକିଟିଏ ପକାଇ ଥକ୍କା ମାରି ବସିଛନ୍ତି ବିବେକ୍ ବାବୁ । ବିଗତ ୫୦ ବର୍ଷ ତଳର ହଜିଲା ସ୍ମୃତି କାହିଁକି କେଜାଣି ଆଜି ତାଙ୍କର ମାନସ ପଟରେ ଉଙ୍କି ମାରୁଛି ବାରମ୍ବାର । ଯେତେ ଭୂଲିବାକୁ ଚାହିଁଲେ ବି ସେ ଅତିକ୍ରାନ୍ତ ସମୟକୁ ଭୂଲିପାରୁ ନାହାନ୍ତି । ସତେ ଯେମିତି ତାଙ୍କ ହୃଦୟ ଭିତରେ ଥାଇ କିଏ ତାଙ୍କୁ ମନେପକାଇ ଦେଉଛି ସେହି ଅତୀତର ଅବର୍ଣ୍ଣନୀୟ ସ୍ମୃତିଗୁଡିକୁ ।


କଲେଜ୍ ରେ ପାଠ ପଢିବା ସମୟରୁ ଉପନ୍ୟାସ ଲେଖିବା ଆରମ୍ଭ କରନ୍ତି ବିବେକ୍ ମହାନ୍ତି । ଏହା ମଧ୍ୟରେ ସେ ଅନେକ ଛୋଟ ବଡ ଉପନ୍ୟାସ ରଚନା କରିଛନ୍ତି ଓ ସହପାଠୀ, ସହପାଠିନୀ, ଅଧ୍ୟାପକ, ଅଧ୍ୟାପିକା ଓ ଜନସାଧାରଣଙ୍କ ନିକଟରେ ଶ୍ରଦ୍ଧାଭାଜନ ହୋଇପାରିଛନ୍ତି । ଉତ୍କଳ ୟୁନିଭର୍ସିଟିରେ ଓଡିଆରେ ପି.ଜି କରୁଥିବା ସମୟରେ ମିସ୍ ମନ୍ଦାକିନୀ ମହାନ୍ତିଙ୍କ ସହ ତାଙ୍କର ପ୍ରଥମ ପ୍ରେମ ସଂପର୍କ ସ୍ଥାପନ ହୁଏ । ମନ୍ଦାକିନୀ ତାଙ୍କର ସହପାଠିନୀ । ମନ୍ଦାକିନୀଙ୍କ ଅନୁପ୍ରେରଣା , ଆନ୍ତରିକତା, ଭଲପାଇବା ତାଙ୍କୁ ପ୍ରତି ମୁହୂର୍ତ୍ତରେ ଉପନ୍ୟାସ ଲେଖିବାକୁ ଜାଗ୍ରତ କରାଏ । ତାଙ୍କ ପ୍ରେରଣାରେ ସେ ଅନେକ ଉପନ୍ୟାସ ରଚନା କରିଛନ୍ତି । ଉପନ୍ୟାସ ତାଙ୍କ ଜୀବନର ସବୁ କିଛି ବୋଲି ସେ ଧରିନେଇଛନ୍ତି । ଉପନ୍ୟାସ ଲେଖା ବିନା ବଞ୍ଚି ପାରିବେନି, ଏହା ପ୍ରତି ମୁହୂର୍ତ୍ତରେ ସେ ଅନୁଭବ କରନ୍ତି । ଦିନେ ନ ଲେଖିଲେ ପାଗଳପ୍ରାୟ ହୋଇଯାଆନ୍ତି । ସଦାବେଳେ ଭାବନା ରାଜ୍ୟରେ ବୁଡିରହିଥାନ୍ତି । ବେଳେବେଳେ ମନ୍ଦାକିନୀଙ୍କ ଅନୁପସ୍ଥିତି ତାଙ୍କୁ ବଡ ଅସହ୍ୟ ଲାଗେ । ମନ୍ଦାକିନୀଙ୍କୁ ତାଙ୍କ ଜୀବନଠାରୁ ଅଧିକ ଭଲ ପାଆନ୍ତି । ମନ୍ଦାକିନୀଙ୍କ ବିନା ଉପନ୍ୟାସ ଲେଖା ସମ୍ଭବ ନୁହେଁ, ସେ ପ୍ରତି ମୁହୂର୍ତ୍ତରେ ଅନୁଭବ କରନ୍ତି ।


ଗ୍ରୀଷ୍ମ ଦିନ । ସମୟ ଅପରାହ୍ନ ଚାରିଟା । ସେଦିନ ପୁରୀର ବେଳାଭୂମିରେ ବସି ସମୂଦ୍ରର ଦୃଶ୍ୟରାଶିକୁ ଉପଭୋଗ କରୁଥାନ୍ତି ବିବେକ୍ ଆଉ ମନ୍ଦାକିନୀ । କିଛି ସମୟ ନୀରବତା ପରେ ମନ୍ଦାକିନୀ ଆଖିରୁ ନୀରବ ଅଶ୍ରୁ ଝରୁଥିବାର ଦେଖି ବିବେକ୍ ଆଶ୍ଚର୍ଯ୍ୟ ହୋଇ କହିଲେ –

-ମନ୍ଦାକିନୀ ?

-ଉଁ ।

-କ’ଣ ଭାବୁଛ ? ତୁମ ଆଖିରେ ଲୁହ ?

-ନା’ଇଁ କିଛି ନାହିଁ ।

-କିଛି କହୁନ ଯେ ? କ’ଣ ହେଇଛି ?


ବିବେକ୍ ଏତିକି ପଚାରନ୍ତି, ମନ୍ଦାକିନୀ ହଠାତ୍ ତାଙ୍କୁ ଧରି କଇଁ କଇଁ ହୋଇ କାନ୍ଦି ଉଠିଲେ । ସେ ବିବେକଙ୍କୁ ବିବାହ କରିବାକୁ କହିଲେ । ଯେତେ ଶିଘ୍ର ସମ୍ଭବ ଆମର ବିବାହ ନ ହେଲେ ମୋ’ର ଡାଡି ମୋତେ ଅନ୍ୟତ୍ର ବିବାହ କରାଇଦେବେ ବୋଲି କଥା ହୋଇ ସାରିଛନ୍ତି । ପୁଣି ମନ୍ଦାକିନୀ କହିଲେ – “ତମେ ହୁଏତ ଶୁଣି ଆଶ୍ଚର୍ଯ୍ୟ ହେବ, ଆଉ ପନ୍ଦର ଦିନ ପରେ ମୋର ନିର୍ବନ୍ଧ ଓ ତା’ର ଠିକ୍ ସାତ ଦିନ ପରେ ବାହାଘର । ତେଣୁ ମୁଁ ତୁମକୁ ଛାଡି ଆଉ କାହା ହାତ ଧରି ବାଟ ଚାଲି ପାରିବିନି । ତମେ ଜଲ୍ଦି ନିଷ୍ପତି ନିଅ । ମୁଁ ଆଉ କାହାର ହେଇଯିବା ପୂର୍ବରୁ ତମେ ମୋତେ ନିଜର କରିନିଅ । ମୁଁ ପରେ ମୋ ଡାଡିଙ୍କୁ ସବୁ କଥା କହି ବୁଝାଇଦେବି । ସେ ମୋ କଥାରେ କେବେ ଅବାଧ୍ୟ ହେବେନି । ଯଲ୍ଦି କଥା ଦିଅ ବିବେକ୍ । ଆମ ହାତରେ ସମୟ ବହୁତ କମ ।


ବିବେକ୍ ଏହା ଶୁଣି ହତବାକ୍ ହୋଇଯାଇଥିଲେ । ସତେ ଯେମିତି ତାଙ୍କ ପାଦ ତଳୁ ମାଟି ଖସି ପଡୁଥିଲା । ତାଙ୍କୁ ଚାରିଆଡ ଅନ୍ଧାର ଦିଶୁଥିଲା । ତାଙ୍କ ଆଖିରୁ ଲୁହ ଅନବରତ ବହିବାରେ ଲାଗିଥିଲା । ମନ୍ଦାକିନୀ ତାଙ୍କ ଲୁହକୁ ଦେଖି ସହି ପାରିଲେନି । ପିଲାଙ୍କ ପରି ଭୋ ଭୋ ହୋଇ କାନ୍ଦି ଉଠିଲେ । ବିବେକ୍ ସହି ନ ପାରି ତାଙ୍କୁ ଛାତିକୁ ଟାଣି ନେଇ କହିଲେ – “ଠିକ୍ ଅଛି । ତମେ ତ ଜାଣିଛ , ଏତେ ବଡ ଦୁନିଆଁରେ ମୋର ନିଜର ବୋଲି କେହି ନାହାନ୍ତି । ମୁଁ ସମ୍ପୂର୍ଣ୍ଣ ଏକା । ତଥାପି ମୁଁ ତୁମ ଡାଡିଙ୍କୁ ଆମ ସମ୍ପର୍କ ବିଷୟରେ ଜଣାଇବି” । ବିବେକ୍ ଙ୍କ ମୁହଁରୁ ଏ କଥା ଶୁଣିବା ପରେ ମନ୍ଦାକିନୀ ଟିକେ ଆଶ୍ୱସ୍ଥ ହେଲେ ।


ଦିନେ ମନ୍ଦାକିନୀଙ୍କ ସହ ବିବେକ୍ ତାଙ୍କ ବଙ୍ଗଳାକୁ ଗଲେ । ବଙ୍ଗଳାକୁ ଦେଖି ସେ ଆଶ୍ଚର୍ଯ୍ୟ ହେଲେ । ମନ୍ଦାକିନୀ ମୁହଁରୁ ସବୁ କଥା ଶୁଣି ସାରିବା ପରେ ତାଙ୍କ ଡାଡି ବିବାହ ସଂପର୍କରେ ବିବେକଙ୍କୁ ରୋକ୍ ଠୋକ୍ ମନା କରିଦେଲେ । ମୋ ଝିଅ ସହ ତୁମର ବିବାହ ସମ୍ଭବ ନୁହେଁ ବୋଲି କହି ଧମକ୍ ଦେଲେ ।


ଏସବୁ ଶୁଣିସାରିବା ପରେ ନିଃସହାୟ ଭାବେ ଘରକୁ ଫେରି ଆସିଥିଲେ ବିବେକ୍ । ୟା ଭିତରେ ସେ କେତେବେଳେ ଘରେ ପହଞ୍ଚି ଯାଇଥିଲେ ତାଙ୍କୁ ଜଣାନଥିଲା । ଅଗଣାରେ ଥିବା ଚୈାକି ଉପରେ ବସି ପଡିଲେ । ଭୋକ ଲାଗୁଥିଲେ ବି ଖାଇବାକୁ ଇଛା ନଥିଲା । ସାରା ଦୁନିଆଟା ତାଙ୍କୁ ଖାଲି ଅନ୍ଧାର ଦେଖାଯାଉଥିଲା । 


ବିବାହ ସଂପନ୍ନ ପରେ ମନ୍ଦାକିନୀ ତାଙ୍କ ସ୍ୱାମୀଙ୍କ ସହ ଦିଲ୍ଲୀ ଚାଲିଗଲେ । ହେଲେ ମନ୍ଦାକିନୀଙ୍କ ଶରୀର ବିବେକଙ୍କଅଲଗା ହୋଇ ଯାଇଥିଲେ ବି ତାଙ୍କ ମନ ସର୍ବଦା ବିବେକଙ୍କ ପାଖରେ ବନ୍ଧା ପଡିଯାଇଥିଲା । ସେ ବିବେକଙ୍କୁ ଆଦଂ ଭୂଲିପାରୁ ନଥିଲେ । ସଦାବେଳେ ତାଙ୍କ ଆଖି ସାମ୍ନାରେ ପୂର୍ବ ସ୍ମୃତିଗୁଡିକ ଭାସିଉଠୁଥିଲା । ଯାହା ଫଳରେ ସେ ସଦାବେଳେ ଅନ୍ୟମନସ୍କ ରହୁଥିଲେ । ଦିନେ ହଠାତ୍ ମନ୍ଦାକିନୀ ଅସୁସ୍ଥ ହୋଇପଡିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଲା । ତାଙ୍କୁ ତୁରନ୍ତ ନେଇ ହସ୍ପିଟାଲ୍ ରେ ଆଡ୍ମିସନ୍ କରାଗଲା । କିଛିଦିନ ହସ୍ପିଟାଲ୍ ବେଡ୍ ରେ ପଡିରହିବା ପରେ ଡାକ୍ତରମାନଙ୍କ ଅକ୍ଳାନ୍ତ ଚେଷ୍ଟା ଫେଲ୍ ମାରିଲା । ମୃତ୍ୟୁ ସହ ସଂଘର୍ଷ କରି କରି ଶେଷରେ ମନ୍ଦାକିନୀ ସବୁ ଦିନ ପାଇଁ ଆଖି ବୁଜିଦେଲେ ।


ଏ ଖବର ବିବେକ୍ ତାଙ୍କ ନିକଟ ସଂପର୍କୀୟଙ୍କଠାରୁ ଶୁଣିବା ପରେ ଦୁଃଖରେ ମର୍ମାହତ ହୋଇପଡିଲେ । ତାଙ୍କ ଆଖିରେ ମନ୍ଦାକିନୀଙ୍କ ସ୍ମୃତି ଭାସିଉଠିଲା । ବହୁ ଦୂରରେ ଥିଲେ ବି ଯାହାର ସ୍ମୃତିକୁ ପାଥେୟ କରି ସେ ଏତେ ଦିନ ପର୍ଯ୍ୟନ୍ତ ବଞ୍ଚିଥିଲେ, ଆଜିଠାରୁ ସେ ବଞ୍ଚିବେ କେମିତି ? ଶୟନେ, ସପନେ, ଜାଗରଣେ ମନ୍ଦାକିନୀଙ୍କ ଅଭୂଲା ସ୍ମୃତି ତାଙ୍କ ମନକୁ ବାରମ୍ବାର ଆନ୍ଦୋଳିତ କରୁଥିଲା । ତାଙ୍କ ବିନା ଏ ଜୀବନ ଅଧୁରା, ଏକଥା ସେ ଭଲ ଭାବେ ଅନୁଭବ କରୁଥିଲେ ବି ପ୍ରତିଟି ସମୟ ଉଦାସ୍ ରହୁଥିଲେ ।


ଏହା ମଧ୍ୟରେ ୪୫ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲା । ମନ୍ଦାକିନୀ ଓ ତାଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ଓ ଘଟଣାବଳୀକୁ ଆଧାର କରି ସେ “ମନ୍ଦାକିନୀ” ନାମରେ ଏକ ଉପନ୍ୟାସ ରଚନା କଲେ । ତାଙ୍କର ଏହି ଉପନ୍ୟାସଟି ସେ ବର୍ଷର ଶ୍ରେଷ୍ଠ ଉପନ୍ୟାସ ଭାବେ ରାଜ୍ୟରେ ରେକର୍ଡ ସୃଷ୍ଟି କଲା । ଅଜସ୍ର ଅଭିନନ୍ଦନ ଓ ସୁଭେଛାର ବାର୍ତ୍ତା ତାଙ୍କ ପାଖକୁ ଛୁଟି ଆସିଲା । ହେଲେ ସେ ନୀରବ ଓ ନିତ୍ସଳ ଥିଲେ । ମନ୍ଦାକିନୀଙ୍କ ଅଭୂଲା ସ୍ମୃତି ଓ ତାଙ୍କର ହଜି ଯାଇଥିବା ସୁନେଲି ସ୍ୱପ୍ନ ଓ ପ୍ରେମକୁ ସେ ଭୂଲିପାରୁ ନଥିଲେ । “ମନ୍ଦାକିନୀ” ଉପନ୍ୟାସ ପାଇଁ ବିବେକଙ୍କୁ ରାଜ୍ୟ ସ୍ତରରେ ପୁରସ୍କାର ପ୍ରାପ୍ତ ହେଲା । ବିବେକ୍ ରାଜ୍ୟ ସରକାରଙ୍କଠାରୁ ପୁରସ୍କାର ଗ୍ରହଣ କରୁଥିବା ସମୟରେ ସେ ସାମ୍ବାଦିକମାନଙ୍କ ଗହଣରେ ସଂକ୍ଷେପରେ କହିଥିଲେ – “ଏ ପୁରସ୍କାର ମୋର ନୁହେଁ, ଏ’ ମନ୍ଦାକିନୀର । ଯିଏ ମୋତେ ବହୁ ଦିନୁ ଏକା କରି ସବୁଦିନ ପାଇଁ ତାରାଟିଏ ହୋଇ ଦୂର ଆକାଶକୁ ଚାଲିଯାଇଛି” । ଏତିକି କହି ସେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ ।



Rate this content
Log in

Similar oriya story from Romance