ମନ ମୟୂରୀ ଭାଗ-୧୭
ମନ ମୟୂରୀ ଭାଗ-୧୭
ମାୟା ଙ୍କର ଜେଜେ ପଚାରୁଥିବା ସମସ୍ତ ପ୍ରଶ୍ନ ମୋ ଅନ୍ତର ଆତ୍ମା କୁ ବହୁତ କଷ୍ଟ ଦେଉଥାଏ । ସବୁ ଶୁଣି ସାରିଲା ପରେ , ବାଧ୍ଯ ହୋଇ ନିଜର ମୁହଁ ଖୋଲିବା କୁ ପଡିଲା ,
ଦେଖନ୍ତୁ ଆଜ୍ଞା, ସତ କୁ ବେଶି ଦିନ ଲୁଚେଇ ରଖା ଯାଇ ପାରେ ନାହିଁ । ସମାଜରେ ମୋ ପରିବାର ମଧ୍ୟବିତ୍ତ ହେଲେ ବି ନିଜର ଇଜ୍ଜତ ପ୍ରତି ଆମେ ସର୍ବଦା ସଜାଗ ଥାଉ ।
ଭଲ ପାଇବା ପାପ ନୁହେଁ , ଆଉ ମନର ପଵିତ୍ରତାରେ ମାୟା ଙ୍କୁ ମୁଁ ଭଲ ପାଏ । ନା କେବେ ମୁଁ ଆଶକ୍ତି ବଶ ହୋଇ ଲୋଭ ରେ ପଡି ତାଙ୍କୁ ଫସେଇବା କୁ ପ୍ରୟାସ କରିଛି ନା ତାଙ୍କୁ କେବେ କିଛି ମୋ ପାଇଁ କରିବାକୁ କହିଛି ।
ଗରିବ ବାପ ର ପୁଅ ମୁଁ । ଯେତିକି ଅଣ୍ଟା ରେ ବଳ ସେତିକି କଥା କହିବା ଠିକ ବୋଲି ମାଆ ମତେ ପିଲାଦିନୁ ଶିଖେଇ ଆସିଛି । ତା" ଛଡା ବାମନ ହୋଇ ଚାନ୍ଦ ତୋଳିବାର ପ୍ରୟାସ କରି ତ ସାରିଛି । ସେଥିପାଇଁ ଆଜି ଆପଣଙ୍କ ପାଖରେ ମୁଣ୍ଡ ନୁଆଇଁ ଠିଆ ହୋଇଛି । ଆପଣ ଯାହା ବି ଶାସ୍ତି ଦେଇ ପାରିବେ, ସେଥିପାଇଁ ମୁଁ ପ୍ରସ୍ତୁତ ଅଛି ।
କେବଳ ଏତିକି କହି ପାରିବି ଆପଣଙ୍କୁ ,ମାୟା ଙ୍କର ସହ ସମ୍ପର୍କ ମାତ୍ର ମୋର ଦିନ କେତୋଟି ର । ନିଜର ପେଟ ର ଭୋକ କୁ ଶାନ୍ତ କରିବା ପାଇଁ ଗ୍ୟାରେଜ ରେ କାମ କରେ ,ତା ସହ କଲେଜ ରେ ବି ପାଠ ପଢେ ।
ବାପା ମାଆ ଙ୍କର ସ୍ୱପ୍ନ ଅଛି ମୁଁ ଚାକିରୀ କରିଲା ପରେ ସେମାନଙ୍କର ଦୁଃଖ ର ଦିନ ର ପରିସମାପ୍ତି ଘଟିବ । ଏହା ହିଁ ସତ ଯେ ମାୟା ଙ୍କୁ ମୁଁ ବହୁତ ଭଲ ପାଏ ।
ଭଲ ପାଇବାରେ ତୁମେ ଅନ୍ଧ ହୋଇ ଯାଇଛ ୟଙ୍ଗ ମ୍ୟାନ । କାଲି ସକାଳେ ଯଦି ତୁମେ ମାୟା ଙ୍କୁ ବିବାହ କର, ତେବେ ତାର ଖର୍ଚ୍ଚ ବହନ କରିବା ତୁମ ପାଖେ ସମ୍ଭବ ହେବ ନାହିଁ ।ସେଥିପାଇଁ ସୁନା ର ପାତ୍ର ରେ ଖାଇବା ର ସ୍ୱପ୍ନ କୁ ଭାଙ୍ଗି ଦେଇ, ନିଜର କର୍ମ କୁ ବାଛି ଆଗେଇ ଚାଲ । ଆଉ ମାୟା କୁ ଭୂଲି ଯାଅ ।
ଭଲ ପାଇଛି ଯେତେବେଳେ ହୃଦୟ ଦେଇ, କେମିତି ବା ଆଉ ତାଙ୍କୁ ମୁଁ ଭୂଲି ପାରିବି । ବରଂ ଭଲ ହେବ ଆପଣ ମାୟା ଙ୍କର ଯତ୍ନ ନେବା ସହ , ତାଙ୍କୁ ଯଦି ମୋ ଠାରୁ ଦୂରେଇ ରଖିବେ ତେବେ ମୋର କିଛି ଆପତ୍ତି ନାହିଁ । ହେଲେ ତାଙ୍କ ଆଖିର ଟୋପେ ଲୁହକୁ ମୁଁ ଆଦୌ ସହି ପାରିବି ନାହିଁ । ସେଥିପାଇଁ ଏ ଦୁନିଆଁ ସହ ମୁଁ ଲଢ଼ିଯାଇ ପାରେ ।
ତୁମର ଜୋଶ ଦେଖି ଖୁସି ଲାଗିଲା । ବାପା ମାଆଙ୍କର ସ୍ୱପ୍ନ କୁ ଧରି ପାଠ ପଢି ମଣିଷ ହେବା ପାଇଁ ଆସିଛ । ଆଉ ଯଦି ଅବାଟରେ ପାଦ ଖସେଇ ଦେଲ , ତା ହେଲେ ବାପା ମାଆ ଙ୍କୁ କି ଉତ୍ତର ଦେବ । ପୈତୃକ ପ୍ରାଣ ଥିଲେ ତ କାମରେ ଆସିବ । ମୋ ନାତୁଣୀ କୁ ଭୂଲି ଯାଅ । ନା ତୁମର ଭଲ ଷ୍ଟାଟସ ଅଛି , ନା ତୁମେ ଆମ ଜାତିର ,ସବୁ ପରେ ବି ତୁମର ଚଳିବା ପାଇଁ ଗ୍ୟାରେଜ ରେ କାମ କରୁଛ । ତୁମ ପରିକା ଗରିବ ଘରେ ମୋ ନାତୁଣୀ ର ବାହାଘର କଦାପି ମୁଁ କରେଇ ପାରିବ ନାହିଁ । ଆଜି ଯଦି ତୁମକୁ ମାଫ କରି ଦେଉଛି , ତାହା କେବଳ ସେ ଦିନର ମୋ ଜୀବନ କୁ ରକ୍ଷା କରି ଥିବା ରୁ । ଆଶା କରୁଛି , ଆଗକୁ ଆଉ ଯେମିତି ଭୂଲ କେବେ ନ କର ।
ମାୟା ଙ୍କର ଜେଜେ ବାପା ଙ୍କର କଠୋର ବାଣୀ ଶୁଣିଲା ପରେ, ମନ ଭାଙ୍ଗି ଯାଉଥିଲା । ଆଉ କେଉଁ ମୁହଁ ନେଇ ସେଠି ଠିଆ ହୋଇ ରହିବି । ମାୟା ଆସିବା ପୂର୍ବରୁ କଫି ନେଇ , ମୁଁ ପ୍ରତି ନମସ୍କାର ଜଣାଇ ଚାଲି ଆସିଲି ।
ମାୟା ଙ୍କର ଘର ଗେଟ ପାଖରେ ପହଞ୍ଚି ଦେଖିଲି , ଆକାଶ ସହ ଆଉ ଜଣେ ଅପରିଚିହ୍ନ ବ୍ୟକ୍ତି ମିଶି ଦୁହେଁ କାର ରେ ତାଙ୍କ ଘର ଭିତରକୁ ପ୍ରବେଶ କଲେ । ସେମାନେ ଦୁହେଁ ଖୁସି ରେ କାର ଭିତରେ ଗପ କରୁଥିଲେ ।
ଟିକେ ଦୂରରେ ଥାଇ ସେମାନଙ୍କ ର ହାଵ ଭାଵ ମୁଁ ଲକ୍ଷ୍ୟ ରଖି ଥାଏ । ମାୟା କହିଲା ପରି ଆକାଶ ଆଉ ତାଙ୍କର ଜେଜେ ବାପା ଙ୍କ ଭିତରେ ସେମିତି କିଛି ମନ ମାଳିନ୍ୟ ହେବା ର ଦେଖିବାକୁ ମିଳୁ ନ ଥିଲା ।
କିନ୍ତୁ କେଉଁଠି ଠିକ ଆଉ ଭୁଲ କେମିତି ଜାଣିବି !ଗେଟ ବାହାର ଚା' ଦୋକାନ ପାଖରେ ଠିଆ ହୋଇ ଚା ପିଉ ଥାଏ । I
ମାୟା ନ ଆସିବା ଯାଏ ଏତେ ବାଟ କେମିତି ଯିବି । ଆଉ ଟିକେ ଅପେକ୍ଷା କରେ ,ଦେଖାଯାଉ କଣ ହେଉଛି ।ଏହା ଭିତରେ ମାୟା ଙ୍କର ଫୋନ କୁ ଚାରି ରୁ ପାଞ୍ଚ ଥର କଲ କରିବା ରୁ ସେ ବାରମ୍ବାର ମୋ କଲ କୁ କାଟି ଦେଉଥିଲେ ।
ରାତି ବି ବଢି ଚାଲିଛି । ଅଟୋ ରିଜର୍ଭ କରି ଏତେ ଦୂର ଯିବା ପାଇଁ ପକେଟ ରେ ଟଙ୍କା ମାତ୍ର ଶହେ ଅଛି ,ଯାହା କି ଅସମ୍ଭବ ।କଣ ଯେ ଏବେ କରିବି , କିଛି ବୁଝି ପାରୁ ନ ଥିଲି । ଶେଷ ରେ ମାୟା ଙ୍କର ମୋବାଇଲ ନମ୍ବର କୁ ମେସେଜ କଲି ,
ଜେଜେ ଙ୍କ ସହ ମିଶି ବହୁତ ଖୁସି ଲାଗିଲା , ମୁଁ ଘରକୁ ଫେରି ଯାଉଛି । ତୁମେ ବ୍ୟସ୍ତ ହେବ ନାହିଁ ।
ମେସେଜ କରି ଦେଲି ସିନା ହେଲେ ଯିବି କେମିତି ! ମନ ଭିତର ଟା ବହୁତ ଯନ୍ତ୍ରଣା ଦେଉଥାଏ । ମାୟା ଙ୍କର ଘର ଭିତର କାନ୍ଥ ରେ ଲାଗିଥିବା ଫଟୋ ବି ମତେ ବହୁତ ବିଚଳିତ କରି ଦେଉଥାଏ । କିଛି ସତ ନ ଜାଣି ସନ୍ଦେହ କରିବା ଆଦୌ ଠିକ ହେବ ନାହିଁ । ସେ ଯାହା ହେଉ ଜେଜେ ମତେ ଆଜି ବି ଭୂଲି ନାହାନ୍ତି ଜାଣି ବହୁତ ଖୁସି ମନେ ମନେ ହେଉଥିଲି ।
ରାଜ :-
ନିଜକୁ ପଚାରେ କାହିଁକି ମିଛରେ ,
କିଏ ପାଏ କାହିଁ ଭଲ ।
ଉତ୍ତର ପାଉନି କ୍ୟାରିର ନିଶାରେ,
ଯନ୍ତ୍ରଣା ରେ ଆଜି ହେଉଛି ମୁଁ କଲବଲ ।
ଆଖିରେ ନାଚୁଛି କାନ୍ଥ ର ସେ ଛବି
ଦେଖି ମନେ ଉଙ୍କି ମାରେ ପ୍ରଶ୍ନ ।
ଆଜି ଯେଉଁ ବାଟେ ପାଦ ମୁଁ ରଖିଛି ,
କାଳେ ହେବି ନାହିଁ ତ ବଦନାମ ।
ଅନ୍ୟମନସ୍କ ଭିତରେ ଆଖିରେ ଆଜି କାହିଁକି ଲୁହ ବୋହି ଆସୁଛି । ଠିକ ଏହି ସମୟ ରେ ସ୍ମୃତି ଙ୍କର ଫୋନ ଆସିଲା ।
ହାଲୋ ହଁ କୁହ ।
ରାଜ , କେମିତି ଅଛ ! ସବୁ ଠିକ ତ ?
ହଁ , ସ୍ମୃତି । ତୁମେ କେମିତି ଅଛ ?
ହଁ , ଭଲ ଅଛି । ଏମିତି ବସିଥିଲି , ତୁମ ଦେହ ଭଲ ହେଲା କି ନାହିଁ ଜାଣିବା ପାଇଁ ଫୋନ କରି ଦେଲି । ମାୟା ଙ୍କୁ ଫୋନ ଥରେ ଦୁଇ ଥର କରି ସାରିଲେଣି କିନ୍ତୁ ଠିକ ସେ ,ମୋ ସହ କଥା ହେଉ ନାହିଁ ସେଥିପାଇଁ ତୁମକୁ ବାଧ୍ୟ ହୋଇ କଲ କଲି । ଡିଷ୍ଟର୍ବ କରି ନାହିଁ ଭାବୁଛି ତୁମକୁ!!
ଆରେ ନାଇ ନାଇ । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ।
ହଉ । ଆଉ ଏବେ କେଉଁଠି ଅଛ । ବାହାରେ ଥିଲା ପରି ଲାଗୁଛ ।
ହଁ , ଟିକେ ବୁଲି ଆସିଥିଲି ।
ଓଃ ....ହଉ । ଆଉ କଣ କୁହ ।
ସ୍ମୃତି ତୁମେ ଫ୍ରି ଅଛ !
ହଁ ,କଣ ହେଲା କହୁ ।
ଟିକେ କିମ୍ସ ଛକ ପାଖକୁ ଆସି ପାରିବ !!
ଓଃ ,ଏଇ କଥା । ଆଛା ହେଉ ,ତୁମେ ସେଇଠି ଅପେକ୍ଷା କର,ମୁଁ ପନ୍ଦର ମିନିଟ ଭିତରେ ପହଞ୍ଚୁ ଛି ।
ଥ୍ୟାଙ୍କ ୟୁ ।
ପ୍ରେଣ୍ଡସିପରେ ନୋ ଥ୍ୟାଙ୍କ ନୋ ସରି । ଓକେ ! ତୁମେ ଥଉ ,ମୁଁ ଆସୁଛି ।
ପଖା ପାଖି ପନ୍ଦର ରୁ କୋଡିଏ ମିନିଟ ଅପେକ୍ଷା ପରେ ସ୍ମୃତି ସ୍କୁଟି ଧରି ଆସି କିମ୍ସ କଲେଜ ଛକ ପାଖରେ ପହଞ୍ଚି ମତେ ଋଷିଭ କଲେ ।
ଆଛା ରାଜ ତୁମେ ଇଆଡ଼େ କୁଆଡେ ଆସିଥିଲ ! କଣ କିଛି କାମ ଥିଲା ?
ତୁମକୁ ଆଉ ବା କଣ ଲୁଚେଇ ବି ସ୍ମୃତି ! ଆକଚୁୟାଲୀ ତାଙ୍କ ଘରକୁ ମାୟା ଡାକିଥିଲେ ଜେଜେ ବାପା ଙ୍କ ସହ ମୋର ଭେଟ କରେଇବା ପାଇଁ । ସେଥିପାଇଁ ମାୟା ମତେ ଗ୍ୟାରେଜ ରୁ ଆଣି ତାଙ୍କ ଘର କୁ ଆସିଥିଲେ ।
:ହେଲେ ରାଜ ମୁଁ ବୁଝି ପାରୁନି କଣ ପାଇଁ ମାୟା ତୁମକୁ ଡାକିଲେ ?
ସତ କହିବା କୁ ଗଲେ ,ତାଙ୍କ ଜେଜେ ଙ୍କ ସହ ଆମ ସଂପର୍କ କଥା କହିବା ପାଇଁ ଡାକିଥିଲେ ।
ଜେଜେ ରାଜି ହୋଇ ଗଲେ କି ?
ରାଜି ତ ହୋଇ ନାହାନ୍ତି ! କିନ୍ତୁ ଭବିଷ୍ୟତ ର ଆଇନା ଅବଶ୍ୟ ଦେଖାଇ ଦେଇଛନ୍ତି ।
ଏବେ ତୁମେ କଣ କରିବ ରାଜ !
କଣ ଆଉ କରିବି କୁହ ସ୍ମୃତି । ଯାହା ହେବ ଦେଖା ଯାଉ !
ତୁମକୁ ଗୋଟେ କଥା କହିବି ରାଜ , ଯଦି ସତ କଥା ତୁମେ କିଛି ଜାଣିବା କୁ ଚାହୁଁଛ, ତେବେ ଅପେକ୍ଷା କର । ଆଉ ଗୋଟେ କଥା ,ପରୀକ୍ଷା ପାଇଁ ଭଲ ସେ ପ୍ରସ୍ତୁତ ହୁଅ ।
କଣ କହିବା କୁ ଚାହୁଁଛ ସ୍ମୃତି , ଖୋଲି କି କହି ପାରିବ ?
ଦେଖ ଆମେ ସମସ୍ତେ ଗୋଟେ ବିରାଟ ସନ୍ଦେହ ର ଷଡଯନ୍ତ୍ର ର ଆଭାସ କଲେଜରେ ଶୁଣିବାକୁ ପାଉଛୁ । ତୁମେ ଖାଲି ନିଜର ପରୀକ୍ଷା ଉପରେ ଧ୍ୟାନ କେନ୍ଦ୍ରୀଭୂତ କର । ବାକି ସବୁ କିଛି ସମୟ ଆସିଲେ ଆପେ ବୁଝି ପାରିବ ।
ତୁମେ କଣ କହୁଛ ,ମୋ ମୁଣ୍ଡରେ କିଛି ପଶୁନି । ପ୍ଲିଜ ଭଲ ସେ ବୁଝେଇ କୁହ ।
ସବୁ ବୁଝିବ ରାଜ , କେତେ ସତ କେତେ ମିଛ ଆମେ କେହି ଠିକ ସେ ଜାଣିନୁ । ସେଥିପାଇଁ ତୁମକୁ ଏବେ ଠାରୁ ସେ ସବୁ ନ ଶୁଣି ଠିକ ସମୟ କୁ ଅପେକ୍ଷା କରିବା କୁ ହେବ ।ତୁମର ସାଙ୍ଗ ହୋଇଥିବା ରୁ ମୁଁ ଜଣେଇ ଦେଲି ,ବାକି ତୁମର ଇଚ୍ଛା ।
ସ୍ମୃତି ସ୍କୁଟି ରେ ମତେ ରୁମ ପାଖରେ ଛାଡି ଦେଇ ଚାଲି ଗଲେ ।
ସ୍ମୃତି ସିନା ଚାଲିଗଲେ ଆଉ , ସେ ନ କାହି ବି ଯେଉଁ କଥା ର ମଞ୍ଜି ମୋ ସାମ୍ନାରେ ବୁଣି ଦେଇ ଗଲେ । ମୁଁ କିଛି ବି ବୁଝି ପାରୁ ନ ଥିଲି ।
ଏବେ ଆଉ ଏକ ଜୀବନ ର ଯୁଦ୍ଧ ର ଝଡ଼ ଯେମିତି ଭୟଙ୍କର ରୂପ ନେଇ ମୋ ପାଖକୁ ଅଜଣାତରେ ଧସେଇ ପଶି ଆସୁଥିବାର ଲାଗୁଛି । ଆଉ ମୋ ନିଜକୁ ମୁଁ ପ୍ରଶ୍ନ କରୁଥିଲି ,ସତରେ କଣ ମୁଁ ପ୍ରସ୍ତୁତ ଅଛି ।
କ୍ରମଶଃ