ABhimanyu Panda

Romance

3  

ABhimanyu Panda

Romance

ମୀରା-ଏକ ଜୀବନ୍ତ ଭାବ

ମୀରା-ଏକ ଜୀବନ୍ତ ଭାବ

10 mins
541



ପ୍ରାୟ ବାର/ତେର ବର୍ଷ ତଳର କଥା । ଚଇତି ଶେଷ ହେଇ ଆସୁଥାଏ । ବୈଶାଖ ଆସିବ ଆସିବ ବୋଲି ସଜ ହେଉଥାଏ । ବାତାବରଣ ମାଙ୍ଗଳିକ ଉତ୍ସବରେ ମୁଖର । ଘରୁ ବୋଉର ତାଗିଦ କନିଆଁ ଘର କୁଣିଆ ମାନେ ଆସିବେ ତତେ ଦେଖିବା ପାଇଁ ତତେ ଶୁକ୍ରବାର ଦିନ ଆସିବାକୁ ପଡ଼ିବ । ଭିତରେ କୁତୁକୁତିଆ ମନକୁ ଚାପିରଖି ଉପରେ ଉପରେ ମନା କରିଥିଲି ଆଉ କିଛିଦିନ ଯାଉ ମୁଁ ଏବେ ବିବାହ କରିବାକୁ ପ୍ରସ୍ତୁତ ନୁହେଁ । 


  ଏତିକି କହୁକହୁ ବୋଉ ପାଖରୁ ଫୋନ ଛଡ଼େଇ ନେଇ ଆଈ ମୋର କହିଲା ପୋଡ଼ାମୁହାଁ ପ୍ରସ୍ତୁତ ଗୋଟେ କଣ ହବୁ !? ଜାଣିଥା ନଅ ବର୍ଷ ବୟସରେ ବଧୂସାଜି ମୁଁ ତୋର ରସିକିଆ ଅଜାର ହାତ ଧରିଥିଲି । ତୋର ମାଈପ ଦରକାର ନହେଲେ ନାହିଁ ମୋର କିନ୍ତୁ ନାତୁଣୀବୋହୂ ଦରକାର । ଶୁଖିଲା ପତ୍ରଟିଏ କେତେବବଳେ ଝଡ଼ିପଡିବି । ଆଈ ଟିକେ ସକେଇ ପକେଇଲା ଫୋନରେ । ହଉଲୋ ହଳଦୀ ଗୋରୀ ଆଣିଦେବି ନାତୁଣୀ ବୋହୂ ମୁଣ୍ଡେଇ ବୁଲିବୁ ଏଥର । ଆଈ ମୋର ଚୁପ ରହିବା ମୁଡ଼ରେ ନଥିଲା । ଦେଖ ତୋର ବାହାଘର ଦେଖିବାପାଇଁ ତୋ ଅଜା କେତେ ଆଶା ରଖିନଥିଲେ କହିଲୁ ? ତୋରି ଜିଦିପାଇଁ ଅପୁରଣ ଆଶା ନେଇ ଏଇ ଗତବର୍ଷ ଚାଲିଗଲେ । ମତେ ଆଉ ସେ ସୁଖରୁ ବଞ୍ଚିତ କରନି ରେ । ତୁ ଆସିବୁ ତତେ ତୋର ଆଈ ର ରାଣ । ଆଈକୁ ଆସିବାର ସାନ୍ତ୍ୱନା ଆଉ ମୋ ବାହାଘରର ସମସ୍ତ ଦାୟିତ୍ୱଦେଇ ଭବିଷ୍ୟତର ସୁନେଲି ସ୍ବପ୍ନସବୁ ଦେଖିଗଲି ଖୋଲା ଆଖିରେ ।


  ଛୁଟିପାଇଁ ଦରଖାସ୍ତ ଦେଇ ଗୁରୁବାର ରାତିରେ ରାଉରକେଲା ରୁ ଘର ଅଭିମୁଖେ ବାହାରି ପଡ଼ିଲି । ଭବିଷ୍ୟତର ସାଂସାରିକ ଜଞ୍ଜାଳ ବିଷୟରେ କିଛି ନଭାବି ଖୁସିରେ ମୋ ଗୋଡ଼ ଆଉ ତଳେ ଲାଗୁନଥାଏ । ବସ୍ ରେ ଯାତ୍ରା ଆରମ୍ଭ କରିଦେଲି ସୁନେଲି ଭବିଷ୍ୟତର ଓଢଣୀ ଉଠେଇ ଚନ୍ଦ୍ରମାକୁ ହାତ ମୁଠାରେ ଧରିବା ପାଇଁ । 


ଗ୍ରୀଷ୍ମରେ ଝରକା ପାଖ ସିଟ ଯାହାକୁ ମିଳିଲା ଜାଣିବ ଗଡ଼ବିଜୟର ଅନୁଭବ । ପ୍ରାୟ ଯିବାଆସିବାରେ ଗାଡ଼ିର କର୍ମଚାରୀଙ୍କ ସହ ସୁସମ୍ପର୍କ ହେଇସାରିଥାଏ ତେଣୁ ଅନୁଗ୍ରହରୁ ମନପସନ୍ଦର ସିଟଟିଏ ମିଳିଥିଲା । ଗାଡ଼ି ଛାଡ଼ିବାର ସମୟ ଅତିକ୍ରମ ହେଇଗଲାଣି ବୋଧହୁଏ କେହି ଯାତ୍ରୀ ବିଳମ୍ବ ହେଇଛନ୍ତି । ଯାହାହେଉ ଯାତ୍ରୀଜଣଙ୍କ ପହଞ୍ଚିଗଲେ । କଣ୍ଡକ୍ଟର ଆଗେ ଆଗେ ଆସି ମତେ ଅନୁରୋଧ କଲେ ପଣ୍ଡାବାବୁ ଆପଣ ଟିକେ ଆପଣଙ୍କ ଝରକା ପାଖ ସିଟ ଛାଡ଼ନ୍ତେନି ଜଣେ ମହିଳା ଯାତ୍ରୀ ଅଛନ୍ତି । 


ବିରକ୍ତିରେ ମନା କରିବା ପୂର୍ବରୁ ଆଖି ଅଟକିଲା ମୋର ସହଯାତ୍ରୀଙ୍କ ଉପରେ ମୋ ମନରୁ ବାହାରୁଥିବା ଶବ୍ଦ ଅଟକିଲା କଣ୍ଠରେ । ବାଃ ! ସତରେ କଣ ଏ ମୋ ପାଖରେ ବସି ଯାତ୍ରା କରିବେ ? ଏମିତି ସୁନ୍ଦରୀ ମାନେ ବି ବସରେ ଯିବା ଆସିବା କରନ୍ତି ? ଆଖିକୁ ମୋର ସହାଯାତ୍ରୀଙ୍କ ଉପରେ ସ୍ଥିରରଖି ବାଟ ଛାଡ଼ିଦେଲି ତାଙ୍କୁ ଝରକା ପାଖ ସିଟକୁ । କି ଅପାରୁପା ସୁନ୍ଦରୀ ଏ ! ମନେମନେ ସ୍ଥିର କରିଦେଲି ଯଦିବି ବିବାହ କରିବି ତେବେ ଏଇ ଝିଅକୁ ହିଁ କରିବି । 


ଶ୍ବାନ ଯେମିତି ଅପରାହ୍ଣରେ କ୍ଳାନ୍ତି ମେଣ୍ଟେଇବା ସମୟରେ ଜିହ୍ଵା ବାହାରକୁ କରି ଲାଳ ଗଡ଼ାଏ । ମୋ ମନ ବି ସେମିତି ଲାଳାୟିତ ହେଇ ଉଠିଲା ସେ ଅନନ୍ୟ ସୁନ୍ଦରୀକୁ ସ୍ତ୍ରୀ ରୂପେ ପାଇବାକୁ । ଶଳା ଏ ଲାଜକୁଳା ପ୍ରକୃତି ମୋର ଯାହା ବର୍ତ୍ତମାନ ମୋ ଆଶାରେ ସବୁଠୁ ବଡ଼ ବାଧକ । ଯାଇ ପହଞ୍ଚିଗଲି କଣ୍ଡକ୍ଟର ପାଖରେ । ଆଉ ପଣ୍ଡାବାବୁ ଆମ ଭାଉଜ ଦେଖିବାକୁ କେମିତି ? କେତେଜଣ ଭାଇ ଭଉଣୀ ଆମେତ ଏବେ ଆସିପାରିବୁନି ହେଲେ ଆମ ପାଇଁ ଭଲ ଭୋଜିଟିଏ ଦବ । ଆରେ ଭାଇ ଭାଉଜ ଦେଖିବାକୁ ଯେମିତିବି ହୁଅନ୍ତୁ କିନ୍ତୁ ମୋ ପାଖରେ ନେଇ ଯାହାଙ୍କୁ ବସେଇଲ ତାଙ୍କ ଭଳି ସୁନ୍ଦରୀତ ହେଇନଥିବ ଆଉ ଘରକୁ ଯିବାକୁ ଇଛା ହଉନି । 


ପଣ୍ଡାବାବୁ ସେ ପୁରୁଷଙ୍କ ପାଖରେ ବସିବାକୁ ମନାକରୁଥିଲେ । ଆମେ ଆପଣଙ୍କ ବିଷୟରେ ଜାଣିଛୁ ସେଥିପାଇଁ ତାଙ୍କୁ ଆପଣଙ୍କ ପାଖରେ ବସେଇଲୁ । ଭରଷା ଅଛି ଆପଣଙ୍କ ଉପରେ । ଲାଜକୁଳା ସ୍ୱଭାବକୁ ଏ ଭରଷା ର ବୋଝ ଆଶା ଯାକ ସବୁ ମିଳେଇଗଲା ପାଣିରେ ଲୁଣ ପରି । ବୋଝିଲା ମନନେଇ ଆସି ବସିଗଲି ମୋ ଜାଗାରେ । ବହେ ଖଣ୍ଡେ ଗାଳିକଲି ଭଗବାନଙ୍କୁ । ତଥାପି ଭାବନା ଅସ୍ଥିର ଅଟକେଇଲିନି ସେ ଭାବନାକୁ ବହିଚାଲିଲା ଆଗକୁ ଆଗକୁ । ବାଆଁରେଇ ବାଆଁରେଇ ଝରକା ଆଡ଼କୁ ଚାହିଁଲି ଆଉଥରେ ସେ ଚନ୍ଦ୍ରଉଦିଆ ମୁହଁକୁ ଦେଖିବାପାଇଁ । ସତେଇସ ବର୍ଷଯାଏ ବାନ୍ଧି ରଖିଥିବା ଧୈର୍ଯ୍ୟର ବନ୍ଧ ସତେଯେମିତି ଭାଙ୍ଗିଯିବ । 


ନା ନା ଆଉ ଦେଖିବିନି ଏ କୌଣସି ଚଳଚ୍ଚିତ୍ର ନୁହେଁ ଯେଉଁଠି ନାୟକର ଅଶାଳୀନ କାର୍ଯ୍ୟକଳାପକୁ ଦେଖଣାହାରୀ ସମର୍ଥନ କରିବେ । ବାସ୍ତବରେ ତ ପିଠିରେ ପୋଖରୀ ଖୋଳା ହେଇଯିବ ଲାଭରେ ମିଳିବ ସାରାଜୀବନର ଅପମାନ


ବୁଲିପଡ଼ି ମନରେ ସେଇ ସୁନ୍ଦରୀର ସୁନ୍ଦର ରୂପର ଅବଲୋକନ କରି ଆରମ୍ଭ କରିଦେଲି ତା ସହିତ ଦୁଷ୍ଟାମୀ । ଦେଖିଚାଲିଲି ସେଇ ସୁନ୍ଦରୀ ସହିତ କେତେକେତେ ସ୍ୱପ୍ନ । ବାସର ଶେଯ ଷୋଳ ଶୃଙ୍ଗାରରେ ସେଇ ଅନାମିକା ସୁନ୍ଦରୀ । ଅପରପକ୍ଷେ ମୁଁ ନାୟକ ବାସ୍ନା ପୁରିତ କୋଠରୀରେ ସେଇ ଶେଯରେ ନାଲି ଓଢଣୀକୁ ଉଠେଇ ମୋ କଳ୍ପନା ନାୟିକାର ସେ କଳ୍ପନାତୀତ ସୌନ୍ଦର୍ଯ୍ୟରେ ବିମୁଗ୍ଧ ହେଇ ଅନୁରୋଧ କରିଚାଲିଛି ସମୟକୁ ହେ ସମୟ ତୁମେ ଅଟକିଯାଅ ଅନନ୍ତ କାଳ ପର୍ଯ୍ୟନ୍ତ ସ୍ଥାଣୁ କରିଦିଅ ମତେ ମୋ ନାୟିକାକୁ ମଧ୍ୟ । ପଲକ ନପଡ଼ୁ ଏ ଆଖିରେ ଆଉ ଟିକେ ଗତିକର ବାସ ମୋ ନାୟିକାର ନଇଁଲା ନଇଁଲା ପଲକ ଦୁଇଟା ଉପରକୁ ଉଠିଯାଇ ମିଶିଯାଉ ମୋ ଆଖିରେ । 


ପଣ୍ଡାବାବୁ ପଣ୍ଡାବାବୁ ଉଠନ୍ତୁ । ଚମକି ପଡ଼ି ଉଠିପଡ଼ିଲି ବିରକ୍ତିରେ ବହୁତ କଥା କହିବାକୁ ଭାବି ପୁଣି ଅଟକିଗଲି । ସ୍ୱପ୍ନର ସେ ପଲକ ଦୁଇଟି ବାସ୍ତବରେ ଉଠିଯାଇ ମତେ ହିଁ ଦେଖୁଥିଲା । କଣ୍ଡକ୍ଟର ଆପଣଙ୍କୁ ବହୁତ ଡାକିଲେ ଗାଡ଼ି ଖାଇବାକୁ ରହିଥିଲା ହେଲେ ଆପଣ । କିଏ ଶୁଣୁଛି ସେ କଥାକୁ । 


ଓଃ ଶବ୍ଦର ଉଚ୍ଚାରଣରେ ନୃତ୍ୟରତ ସେ ଅଧର ଯେମିତି ମୋ ମନର ଭାବନାକୁ ନିମନ୍ତ୍ରଣ କରୁଥିଲା । ଆପଣ ଯଦି କିଛି ନ ଭାବିବେ ମୁଁ ମୋ ପାଇଁ ଖାଇବା ଆଣିଥିଲି ଘର ଖାଇବା ଆପଣ ବି କିଛି ଖାଇ ନିଅନ୍ତୁ ସେଥିରୁ । କଥା ହେବାର ଆକାଂକ୍ଷାରେ କଥାକୁ ଲମ୍ବେଇବାକୁ ଯାଇ ନାଇଁ ନାଇଁ ଆପଣଙ୍କୁ କମ ପଡିବ । ଏତିକିରେ ମୋ ହାତରେ ଗୋଟେ ଡବାରେ ରଖିଦେଲେ କିଛି ସନ୍ତୁଳା ଆଉ ଦୁଇ/ତିନିଟି ରୁଟି । ଯେମିତି ମୁଁ ଅକ୍ଲାନ୍ତ ପରିଶ୍ରମରୁ ଫେରିଛି ଆଉ ଘରଣୀ ମୋର ବାଢିଦଉଛି ତାର ହାତରନ୍ଧା । ଆଖି ଆଗରେ ନାଚିଗଲା ଭିନ୍ନ ଭିନ୍ନ ଚଳଚ୍ଚିତ୍ର ର ସମାନ ଦୃଶ୍ୟ ସବୁ । ଖାଇବା ପରେ । ମୁଁ କୁଣ୍ଠାବୋଧ କରୁଥାଏ କିଛି କହିବାକୁ । 


ଆପଣଙ୍କ ନାଁ କଣ ? ଆପଣ କଣ ରାଉରକେଲାର ବାସିନ୍ଦା ? ତେବେ କୁଆଡ଼େ ଯାଉଛନ୍ତି ଏବେ ? 


ତାଙ୍କର ସେ ପ୍ରଶ୍ନର ଶବ୍ଦସବୁ ସଙ୍ଗୀତ ପ୍ରେମୀଙ୍କ କର୍ଣ୍ଣରେ ଶାସ୍ତ୍ରୀୟ ସଙ୍ଗୀତ ପଡ଼ିଲା ପରି ମୋ ମନକୁ ଉତ୍ଫୁଲିତ କରିଦେଦେଲା । ସ୍ଥିର ହେଉଥିଲା ସ୍ୱର ନା କି ଶବ୍ଦ !!! କଣ କହିବି ଭାବିଭାବି

ଆପଣ ବିବାହିତା ? ଏ କି ପ୍ରଶ୍ନମୋର ? ଲଳନା ଜଣଙ୍କ ଭଲକରି ଚାହିଁଲେ ମତେ । ମୁଁ ତାଙ୍କ ଦୃଷ୍ଟିର ତୀକ୍ଷ୍ଣତାକୁ ସହ୍ୟ ନକରିପାରି ବଧୂପରି ଲାଜେଇ ଲାଜେଇ ଯାଉଥାଏ । କିଛିକ୍ଷଣ ନୀରବତା ମୋ ପ୍ରଶ୍ନ ପାଇଁ ମୋ ମନରେ ଅପରାଧବୋଧ । 


ନାଇଁ ମୁଁ ଅବିବାହିତା । ଜୀବନ ପଶିଲା । କହିବା ଆରମ୍ଭ କଲି । ମୁଁ ଅଭିମନ୍ୟୁ ଏଇ ରାଉରକେଲାରେ ଚାକିରୀ କରୁଛି । କିଛି କାମପାଇଁ ଘରକୁ ଯାଉଥିଲି ଭାବୁଛି ସେ କାମକୁ ବାତିଲ କରିବାକୁ ପଡ଼ିବ । 

ବୋଧହୁଏ ଆପଣଙ୍କର ସେ କାମ ସେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଧେ ? 


ମୁଁ ଆପଣଙ୍କୁ ବିବାହ କରିବାକୁ ଚାହୁଁଛି । ଏ କଣ ଏତେ ଅସ୍ଥିର ମୁଁ ? କଣ କହିଦେଲି ? ହେ ପ୍ରଭୁ ରକ୍ଷାକର । ପସରିଗଲା ନୀରବତା ଶୁଭୁଥିଲା ଗାଡ଼ିର ଗୁରୁଗମ୍ଭୀର ଗର୍ଜନ । ପ୍ରକୃତିର ଗ୍ରୀଷ୍ମ ସହିତ ମୋ ମନର ଉଷ୍ମତା ମିଶିଯାଇ ଭିଜେଇଦେଇଥିଲା ମତେ । ମୁଣ୍ଡପୋତି ଆଜ୍ଞାକାରୀ ପରି ବସି ରହିଥିଲି । ପ୍ରତିଟି ମୁହୂର୍ତ୍ତ ଯୁଗପରି ଲାଗୁଥିଲା । ତାପରେ କେହିକିଛି କହିଲା ପରି ଶୁଭିଲା । 


ମୋ ନାଁ ସୁଜାତା ମୁଁ ପୁରୀ ଯାଉଛି ଜଗନ୍ନାଥଙ୍କୁ ଦର୍ଶନ କରିବାପାଇଁ । ମୁଁ ଏଇ ରାଉରକେଲାର ବାସିନ୍ଦା । ଆପଣଙ୍କ ମନରେ ଏତେ ଉଦବେଗ କାହିଁକି ମତେ ବିବାହ କରିବା ପାଇଁ ? କାହିଁକି କେଜାଣି ତାଙ୍କୁ ଦେଖିବା ସମୟରେ ମୋର ହାତ ଦୁଇଟି ଯୋଡ଼ି ହେଇଯାଇଥିଲା !? ମୋର ପ୍ରସ୍ତାବରେ ରାଜି ହେବାକୁ ଅନୁରୋଧ କରିଥିଲି ନା ମୋର କହିଥିବା କଥା ପାଇଁ କ୍ଷମା ପ୍ରାର୍ଥନା କରୁଥିଲି । ମୁଁ ଅଜଣା । 

ସତରେ କଣ ମୁଁ ଏତେ ସୁନ୍ଦରୀ ? ବିନା ପରିଚୟରେ ଆପଣ ମୋତେ ଜୀବନସାଥୀ କରିବାକୁ ସ୍ଥିର କରିଦେଲେ । 


କଣ ବା କହିଥାନ୍ତି । ହଲଦୀରଙ୍ଗର ଶରୀରରେ ଶୁଭ୍ର ପୋଷାକ ଯାହା ଜହ୍ନର ଜୋଚ୍ଛନା ସହିତ ମିଶିଯାଉଥିଲା । କଣ୍ଢେଇ ପରି ହସ ହସ ମୁହଁ । ନା ନା ବର୍ଣ୍ଣିବା ଅସମ୍ଭବ ମୁଁ ଅସମର୍ଥ । ମୋର ବାହାଘର ସ୍ଥିର ହେଇସାରିଛି । ଶେଷ ଔପଚାରିକ ପାଇଁ ମୁଁ ଘରକୁ ଯାଉଛି ଆସନ୍ତା ଲଗ୍ନରେ ମୋର ବିବାହ ସମ୍ପନ୍ନ ହେବ । କିନ୍ତୁ ଆପଣଙ୍କୁ ଦେଖିଲାପରେ ।


ସୁଜାତା ହସିଦେଲେ ଅଳ୍ପ । ସେ ହସରେ ଲାଗୁଥିଲା ଯେମିତି ଦୀନମଣି ହସି ହସି ଆସୁଛନ୍ତି ଧରାପୃଷ୍ଠକୁ ଆଲୋକିତ କରିବାପାଇଁ । ପଣ୍ଡାବାବୁ ମୁଁ ଅବିବାହିତ ହେଲେ ସମର୍ପିତ । 


ମୋପାଇଁ ଦୁର୍ବୋଧ୍ୟ ସେ ଶବ୍ଦଟି । ମାନେ ?


 ଆପଣ ମୀରାଙ୍କ ବିଷୟରେ ଶୁଣିଛନ୍ତି ରାଧାଙ୍କ ବିଷୟରେ ଜାଣିଛନ୍ତି !!? ନାଇଁ ଏମିତି ଭଜନରେ ଶୁଣିଛି ଲୋକମୁଖରୁ ବି ଶୁଣିଛି ହେଲେ ଏ ଚରିତ୍ର ମାନଙ୍କର ଲକ୍ଷ୍ୟ ଆଉ ତାତ୍ଵିକ ବର୍ଣ୍ଣନା ବିଷୟରେ ମୁଁ ଅଜ୍ଞ । ଏମାନେ ଭଗବାନଙ୍କର ପ୍ରିୟ ଭକ୍ତବୋଲି ମୁଁ ସ୍ଥିର । 


ଛାଡ଼ନ୍ତୁ ତାହେଲେ ଆପଣ ମୋ ଶାରୀରିକ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହେଇ ତାଙ୍କ କଥା ମଝିରୁ ନିଶ୍ଚିନ୍ତ ସତେଇସ ବର୍ଷର ଯୁବକ ସମବୟସ୍କା ଜଣେ ଯୁବତୀ ପ୍ରତି ପ୍ରଥମ ଦେଖାର ଆକର୍ଷଣ କେବଳ ରୂପ ପାଇଁ । ଆଉ ଆପଣଙ୍କ ରୂପ ଆଗରେତ ପୁରାଣ ବର୍ଣ୍ଣିତ ଅପ୍ସରୀ ମାନେ ଫିକା ପଡ଼ିଯିବେ ।


ହେଲେ ମୁଁ ତ ନିଜକୁ ସମର୍ପିଦେଇଛି କାହାର ପାଦତଳେ । କିଏ ସେ ଭାବ୍ୟବାନ !? ଉତ୍ସୁକତା ବଢ଼ି ବଢ଼ି ଚାଲିଲା ମୋ ମନରେ । ମୋ ମନପ୍ରାଣ କୃଷ୍ଣ ପାଦତଳେ ଅର୍ପି ସାରିଛି ମୁଁ । ମୋ ପାଦତଳ ଶୂନ୍ୟ ହେଇଗଲା । ମୁଣ୍ଡ ଝାଇଁ ଝାଇଁ କରିପକେଇଲା । କଣ ଏ କହୁଛି କେଡ଼େ ସୁନ୍ଦରୀ ସୁନ୍ଦରୀମାନଙ୍କ ପାଖରେ ପୁଅ ମାନଙ୍କର ଯେଉଁ ଭିଡ଼ ? ଏ ବୟସରେ ମାତାଜୀ ହେଇଯାଇଛି !!। 


ମତେତ ଲାଗୁଛି ଆପଣ ପ୍ରେମକରି ପ୍ରତାରିତ ହେଇଛନ୍ତି ଆପଣଙ୍କ ମନରେ ଶକ୍ତ ଆଘାତ ଲାଗିଛି ସେଥିପାଇଁ ଆପଣ ? ପୁଣି ହସିଦେଲେ ସୁଜାତା ମୁଁ ସାହସ ବାନ୍ଧି ଭଲକରି ଟିକେ ଚାହିଁଦେଲି ତାଙ୍କ ମୁହଁକୁ । ଶୂନ୍ୟର ଜ୍ୟୋତ୍ସ୍ନା ପରି ବେଦାଗ ଶୀତଳତା ଝଲକି ଯାଉଛି ସେ ଭାବଭଙ୍ଗୀରେ । ସୁଜାତାଙ୍କ ମଥାରେ ଅତିବଡ଼ି ଚିତା ଦେଖି ଆଶ୍ଚର୍ଯ୍ୟ ଲାଗିଲା ମତେ । ତାହେଲେ ଆପଣ ଗୋଟେ ନିର୍ଦିଷ୍ଟ ସମ୍ପ୍ରଦାୟର ପ୍ରଚାର କରୁଛନ୍ତି ।

ଓଃ ମୋ ମଥାର ଚିତା ଦେଖି କହୁଛ ବୋଧେ । ନାଇଁ ଏ ଚିତା ତ ଅନନ୍ତ କାଳରୁ ଥିଲା ସନାତନ ଧର୍ମରେ ସନାତନୀ ମାନଙ୍କ ପାଖରୁ ହତାଦର ହେଇ ସେ ନିଜକୁ ସମ୍ପ୍ରଦାୟରେ ଆବିଷ୍କାର କଲା । 


ଆଛା କାମନାର ଯେଉଁ ଅନଳରେ ଜଗତଟା ଦଗ୍ଧ ହେଉଛି ସେ ଅନଳର ଉତ୍ତାପ କଣ ଆପଣଙ୍କୁ ଅନୁଭୂତ ହେଉନି !? ବାହାସାହା ହେଇ ଘର ସଂସାର କରିବାର ଇଚ୍ଛା ଆପଣଙ୍କ ମନରେ କଣ ଆସୁନି ? ଏ ସଂସାର ପ୍ରତି ଏମିତି ବୀତସ୍ପୃହ କାହିଁକି !? ସୁଜାତା ନୀରବ ରହିଲେ କିଛି ସମୟ ବୋଧହୁଏ ମୋର ଅପ୍ରାସଙ୍ଗିକ ପ୍ରଶ୍ନର ଉତ୍ତର ଦେବାପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । ସୁଜାତା କହିବା ଆରମ୍ଭ କଲେ-

ଆଛା ପଣ୍ଡାବାବୁ ଆପଣ ବୃନ୍ଦାବନ ଦେଖିଛନ୍ତି ? ଯାଇଛନ୍ତି କେବେ ବୃନ୍ଦାବନ ? ନାଇଁ ଆଜ୍ଞା ଭାଗ୍ୟରେ ଜୁଟିନି ସେ ସୁଯୋଗ । ଛାଡ଼ନ୍ତୁ ମୁଁ କିନ୍ତୁ ସବୁଦିନ କୁଞ୍ଜକୁ ଯାଏ ବୁଲିଆସେ ଯମୁନା କୂଳର ସୁଲୁସଲିଆ ପବନରେ କହ୍ନେଇ ବଇଁଶୀର ମନ୍ତ୍ରମୁଗ୍ଧ ସ୍ଵନରେ ନିଜକୁ ହଜେଇଦିଏ ପ୍ରତିଦିନ । ରାଈଙ୍କୁ କୋଳରେ ଧରି କହ୍ନେଇଙ୍କର ସେ ଭାବବିହ୍ଵଳିତ ବଂଶୀସ୍ବନ ରେ ଗୋପୀ ମାନଙ୍କ ଗହଣରେ ରହି ମୁଁ ବି ଅନ୍ୟମାନଙ୍କ ପରି ଅପେକ୍ଷାରେ ଏକ ଲୟରେ ଚାହିଁରହିଥାଏ କେବେତ କଳାକାହ୍ନୁଙ୍କ କୃପା ନେତ୍ର ପଡ଼ିବ ମୋ ଉପରେ । କୋଳେଇ ନେବେ ମତେ ଜନ୍ମଜନ୍ମର ଉତ୍ତାପରେ ବୋଳିଦେବେ ଚନ୍ଦନର ଚିର ଶୀତଳତା । 


ଟପ ଟପ ଲୁହ ଝରି ପଡ଼ୁଥିଲା ସୁଜାତାଙ୍କ ଆଖିରୁ ଏ ସବୁ କହିଲା ବେଳେ । ଗାଡ଼ିର ଦାନବ ତୁଲ୍ୟ ଗର୍ଜନ ଭିତରେ ମୋତି ସଦୃଶ ସେ ଲୁହ ପ୍ରବାହର ଶବ୍ଦକୁ ମୁଁ ଶୁଣିପାରୁଥିଲି । ଜାଣିଛ ପଣ୍ଡାବାବୁ ଏ ଇହ ଜଗତରେ କେବଳ ଜଣେ ପୁରୁଷ ସେ ହେଉଛନ୍ତି ମୋ କୃଷ୍ଣ ବାକିତ ସମସ୍ତେ ନାରୀ । କୁଞ୍ଜର କେଳୀରେ ଆପଣଙ୍କ ପରି ଶାରୀରିକ ଗଠନରେ ଅନେକ ଥାଆନ୍ତି କିନ୍ତୁ ସେମାନେ ନିଜକୁ ପୁରୁଷ ବୋଲି କୁହନ୍ତିନି ସେଇ ଗୋଟେ ଆଶାରେ ଏକ ଲୟରେ ଚାହିଁଥାନ୍ତି ସେ ଯୁଗଳକୁ ଅପଲକେ କେବେତ ସାମାନ୍ୟ କୃପା ବର୍ଷିବ । କେବେକେବେ ଅତି ବିଭୋରରେ ଆରମ୍ଭ ହୁଏ ଉଦଣ୍ଡ ନୃତ୍ୟ ବାଜୀଉଠେ ମୃଦଙ୍ଗ ତାରି ତାଳେତାଳେ ସ୍ପନ୍ଦନକୁ ଏକତ୍ର କରି ଚକ୍ଷୁକୁ ଯୁଗଳେ ସ୍ଥିର କରି କର୍ଣ୍ଣରେ ବଂଶୀର ମଧୁରତାକୁ ବଜାୟ ରଖି ନାଚି ଉଠନ୍ତି ସମବେତ ଭାବେ ଗୋପୀବୃନ୍ଦ । ଆଃ କି ଅପୂର୍ବ ସେ ଦୃଶ୍ୟ ! 

ସୁଜାତାଙ୍କ କଥା ଶୁଣିବାପରେ କାହିଁକି କେଜାଣି ମୁଁ ବି ଭିଜୁଥିଲି ତାଙ୍କ ସହିତ ଆଖିର ଲୁହରେ । ସୁଜାତାଙ୍କ ହସହସ ମୁହଁରେ ଲୁହର ଧାର ମୋ ପାଇଁ ଏକ ବିରଳ ଦୃଶ୍ୟ ଥିଲା । କଣ ଏମିତି ପାଇଛନ୍ତି ଯେ ଏତେ ଆନନ୍ଦ ! କିଏ ସେ କୃଷ୍ଣ ? ସବୁଦିନ କୁଞ୍ଜରେ କେଳି !? ହଜାରେ ପ୍ରଶ୍ନର ଦ୍ୱନ୍ଦ ମୋ ମନରେ । 


ଆଛା କହିଲେ ପଣ୍ଡାବାବୁ ଯଦି କୃଷ୍ଣ ଜଣେ ପୁରୁଷ ଆଉ ମୁଁ ଶାରୀରିକ ଗଠନରେ ଶ୍ରେଷ୍ଠ ମାନବ ବିଧାତାଙ୍କ କୃତିରେ ତେବେ ଏ ମନ ସହିତ ଶରୀର ଉପରେ ବି ମୋ କାହ୍ନୁର ଅଧିକାର କେମିତି ମୁଁ ଆଉ କାହାକୁ ମୋ ଉପରେ ଅଧିକାର ସାବ୍ୟସ୍ତ କରିବାର ଅଧିକାର ଦେବି ? 


ଆଜ୍ଞା ଆପଣଙ୍କ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ଅସମର୍ଥ କିନ୍ତୁ ଆପଣଙ୍କ ପରି ଯଦି ସମସ୍ତେ ଏମିତି ଭାବିବେ ତାହେଲେ ଏ ଜଗତର ଚକ୍ର କ୍ରିୟମାଣ ହେବ କେମିତି !? ସମସ୍ତେ କଣ ଆପଣଙ୍କ ଭଳି ସରକାରୀ ଚାକିରୀ ପାଇଛନ୍ତି ପଣ୍ଡାବାବୁ ? ତାଲା ପଡ଼ିଗଲା ମୋ ମୁହଁରେ । 


ଗୋଟେ କଥା ପଣ୍ଡାବାବୁ ଜଣେ ଗଣିକା ନିଜ ବୃତ୍ତି ଅନୁଯାୟୀ ନିଜକୁ ସଜାଏ ଶୃଙ୍ଗାରରେ କିନ୍ତୁ ଲମ୍ପଟ ମାନେ ଯେଉଁ ଭୋଗ ସୁଖ ଆଶାରେ ଗଣିକାର ସାନିଧ୍ୟକୁ ଆସନ୍ତି ସେ ସୁଖ ସେ ଗଣିକା ଲାଗି ମୂଲ୍ୟହୀନ । ପ୍ରକୃତି ଗତ ହେଉ ନତୁବା ପେଟଜ୍ୱାଳା ହେଉ ଗଣିକା ନିଜକୁ ସଜାଏ । ଆମେ ସମସ୍ତେ ନିଜକୁ ସାମାଜିକ ଚଳଣୀ ଅନୁସାରେ ସଜେଇଚାଲିଛେ ହେଲେ ଆମେ ଲକ୍ଷ୍ୟହୀନ । ଏବେ ଆପଣଙ୍କ ଆଖିରେ ମୁଁ ଅନନ୍ୟ ସୁନ୍ଦରୀ ପର ମୁହୂର୍ତ୍ତରେ ଆପଣଙ୍କ ଆଖି ଅନ୍ୟ କେଉଁ ସୁନ୍ଦରୀ ଦେହରେ ଲାଖିଯାଇପାରେ ଏମିତି ଏମିତି ମାୟା ତୃଷ୍ଣାର ଅନ୍ତ ହୁଏନି ଆମ ଜୀବନରେ । ଆଉ ଏସବୁ ମାନବୀୟ ଗୁଣ ସର୍ବଜନେ ସମାନ । ଆପଣ ଚିନ୍ତା କରନ୍ତୁ ଯଦି ଆପଣଙ୍କୁ ଏମିତି କିଛି ସୌନ୍ଦର୍ଯ୍ୟର ଦର୍ଶନ ହେଇଯିବ ଯାହାର ଦର୍ଶନ ପରେ ଆପଣଙ୍କୁ ବାକି ସମସ୍ତ ସୌନ୍ଦର୍ଯ୍ୟ ଫିକା ଲାଗିବ । ଏମିତି କିଛି ସ୍ୱାଦ ଆପଣଙ୍କ ରସନାରେ ସ୍ଥିର ହେଇଯାଉ ଯାହାର ସ୍ୱାଦ ଆସ୍ଵାଦନ ପରେ ରସନା ସ୍ୱାଦ ଲୋଭରୁ ମୁକ୍ତ ହେଇଯିବ । 


ଆଜ୍ଞା ଆପଣ କଣ ସବୁ କହିଯାଉଛନ୍ତି ମୁଁ କିଛି ବୁଝିପାରୁନି । ନିଜକୁ ମୁଁ ରୁ ମୁକ୍ତ କରିଦେଇ ଥରେ ବୃନ୍ଦାବନର ରାହାସ ଦେଖି ଆସନ୍ତୁ ସବୁ ତୁଚ୍ଛ ହେଇଯିବ । ଯିବି ନିଶ୍ଚିନ୍ତ ଆସନ୍ତା ବର୍ଷ ଗ୍ରୀଷ୍ମ ଛୁଟିରେ ମୁଁ ବୃନ୍ଦାବନ ବୁଲିଯିବି । 


ସୁଜାତାଙ୍କ ଆଖିରୁ ଝରୁଥିବା ଲୁହର ପ୍ରବାହ କ୍ଷୀପ୍ରରୁ କ୍ଷୀପ୍ରତର ହେଉଥିଲେ କିନ୍ତୁ ତାଙ୍କ ମୁହଁରୁ ସେ ହସ ଲିଭୁନଥିଲା କ୍ଷଣକ ପାଇଁ । ଯେଉଁ ହସ ହସ ମୁହଁ ଆଜି ପର୍ଯ୍ୟନ୍ତ ମୋ ଆଖିଆଗରେ ସ୍ପଷ୍ଟ ରୂପେ ନାଚି ଯାଉଛି । ପଣ୍ଡାବାବୁ ମୁଁ ଉତ୍ତରପ୍ରଦେଶର ବୃନ୍ଦାବନ କଥା କହୁନି ପ୍ରତ୍ୟେକ ଦେଵସ୍ଥାନର କିଛି ସ୍ୱତନ୍ତ୍ର ମହତ୍ୱଥାଏ ଆପଣ ବୁଲିଆସନ୍ତୁ ମାନସିକ ଶାନ୍ତି ମିଳିବ । ମୁଁ ମୋର ହୃଦୟ କୁଞ୍ଜ କଥା କହୁଛି ଅନ୍ତରର ବୃନ୍ଦାବନ କଥା କହୁଛି । ବାମ ନାସିକାରୁ ଯାଇ ଦକ୍ଷିଣ ନାସିକାରେ ପ୍ରବାହିତ କ୍ଷୀଣମନ୍ଦ ବାୟୁର ଶୀତଳତା ବିଷୟରେ କହୁଛି ଆଖିର ଯମୁନାରେ କୃଷ୍ଣଙ୍କୁ ଛୁଇଁବାର ଆନନ୍ଦରେ ଉଠୁଥିବା ଉଜାଣି ପ୍ରବାହ କଥା କହୁଛି । ମୁଁ ମୋର ନଥାଏ ସେତେବେଳେ କୃଷ୍ଣର ମୁଁ । ଆହାଃ କି ସୁନ୍ଦର ସେ ଦୃଶ୍ୟ କି ସୁନ୍ଦରସେ ମଦନ ମୋହନର ମୋହକ ସ୍ମିତହସ ! ଆଉ କିଛି ପାଇବାକୁ ବାକି ନଥାଏ ମନ ଶରୀର ଶାନ୍ତ ଶିଥିଳ ପ୍ରଫୁଲ୍ଲିତ ହୃଦୟ ଆଖିରେ ଆନନ୍ଦାଶ୍ରୁ ।


 ଆପଣ ମତେ ସେ କୁଞ୍ଜକୁ ସାଙ୍ଗରେ ନେଇ ପାରିବେ ? ମୁଁ ବି ଦେଖନ୍ତି ସେ ରାହାସ ଆପଣ ଯେଉଁ ଖୁସି ଅନୁଭବ କରୁଛନ୍ତି ମୁଁ ସେ ଅନୁଭବରେ ଆନନ୍ଦ ବିଭୋର ହେଇଯିବାକୁ ଚାହୁଁଛି ।


 ନାଇଁ ପଣ୍ଡାବାବୁ ମୀରା ରାଧା ଆଉ ଗୋପୀ ଏସବୁ ଚରିତ୍ର କମ ଆଉ ଭାବ ବେଶି । ଅମର ଭାବ ଏସବୁ ଏ ଭାବର ମୃତ୍ୟୁ ନାହିଁ ରୂପାନ୍ତରିତ ହୁଏ ହୃଦୟରୁ ହୃଦୟକୁ । ଆପଣଙ୍କ ଆଖିରୁ କାହିଁକି ଲୁହ ଝରୁଛି ପଣ୍ଡାବାବୁ !? ବିସ୍ମିତ ମୁଁ ସତେତ କାରଣ କଣ !!? ଆପଣଙ୍କ ହୃଦୟରେ ଭାବର ରୂପାନ୍ତରଣ ଆରମ୍ଭ ହେଇଗଲାଣି । 


ମିଛରେ ବାହାନା କରି ହାତରେ ଧରିଥିବା ରୁମାଲକୁ ତଳକୁ ଖସେଇଦେଲି । ରୁମାଲ ଆଣିବା ବେଳେ ଛୁଇଁଦେଲି ସୁଜାତାଙ୍କ ପାଦ । ସୁଜାତାବି ଅନୁଭବ କରିଥିଲେ ମୁଁ ତାଙ୍କ ପାଦ ଛୁଇଁବା । ମୁଁ ଜାଣିନି କଣ ପାଇଁ ସୁଜାତାଙ୍କ ପାଦ ଛୁଇଁଥିଲି !? ବୋଧହୁଏ ତାଙ୍କର ଆନନ୍ଦାଶ୍ରୁ ତାଙ୍କୁ ମୋ ପାଖରେ ନମସ୍ୟ କରିଦେଇଥିଲା ।


ଗନ୍ତବ୍ୟରେ ପହଞ୍ଚିଗଲୁ ରାତି ପାହିପାହି ଆସୁଥିଲା । ସୁଜାତାଙ୍କୁ ପୁରୀ ଗାଡ଼ିରେ ବସେଇଦେଇ ଚାହିଁ ରହିଲି ତାଙ୍କ ଯିବା ବାଟକୁ ମନେମନେ ଭାବୁଥାଏ ହେ କୃଷ୍ଣ ଏକି ମାୟା ତୁମର ! କେଡ଼େ ସୁନ୍ଦର ଝିଅଟିଏ ସତେ ତାକୁ ଏମିତି ବାନ୍ଧିଦେଲ !! ଲୁହ ଶୁଖୁନି ତା ଆଖିରୁ !! ହଁ ପ୍ରତିଟି ଶ୍ରେଷ୍ଠ ଉପରେ ଆପଣଙ୍କର ହିଁ ଅଧିକାର । ଧନ୍ୟତୁମେ । ସୁଜାତାଙ୍କର ମନରୁ କେବେବି ଅନ୍ତର ହବନି କହ୍ନେଇ ଏତିକି ମାଗୁଛି ତମକୁ ଦୟାମୟ କୃପାନେତ୍ରରେ ଟିକେ ଚାହିଁଥିବ ସୁଜାତାଙ୍କୁ ।


ସେଇ ଆସନ୍ତା ଲଗ୍ନରେ ମୋର ବାହାଘର ହେଇଗଲା । ଦିନେ ନିରୋଳାରେ ସୁଜାତାଙ୍କ ବିଷୟରେ ମୋ ଆଈ ଆଗରେ କହିଲି । ସୁଜାତାଙ୍କର ଅବସ୍ଥା ଯାହାଥିଲା ସେଦିନ କୁଞ୍ଜ ବର୍ଣ୍ଣନାରେ ମୋ ଆଈର ଅବସ୍ଥା ମଧ୍ୟ ସେଇଆ । ଆରେ ମୁଁ ଟିକେ ଦେଖିଥାନ୍ତି ସେ ଝିଅକୁ । ତା ଅଜଣାରେ ତାର ପାଦଟିକେ ଛୁଇଁଥାନ୍ତି । ଆଶ୍ଚର୍ଯ୍ୟ ମୁଁ !! ଏବେବି ସୁଜାତାଙ୍କ ସହିତ ମୋର ଦେଖାହୁଏ ଅଟଳ ତାଙ୍କ ତପସ୍ୟାରେ । ମୁଁ ମୂର୍ଖ ତାଙ୍କ ପାଖକୁ କେବଳ ଅମର ଭାବର ରୂପାନ୍ତରଣ କରିବାକୁ ଯାଏ । ସତରେ କିଛି ନବୁଝି ବି ସୁଜାତାଙ୍କ ସାନିଧ୍ୟ ପାଇବାମାତ୍ରେ ମୋ ଆଖିରୁ ଝରିଆସେ ଆନନ୍ଦାଅଶ୍ରୁ !

  



Rate this content
Log in

Similar oriya story from Romance