ମାୟା ମରିଚୀକା ( ତୃତୀୟ ଅଂଶ)
ମାୟା ମରିଚୀକା ( ତୃତୀୟ ଅଂଶ)
ଅଷ୍ଟମ ଶ୍ରେଣୀରେ ପାଠପଢା ଆରମ୍ଭ ହେଇଗଲା। ନୂଆ ପୁରୁଣା ସବୁ ପିଲା ମିଶି ପାଠ ପଢିବାକୁ ଲାଗିଲେ। ଥରେ ପରେଶ ପାଠ କରି ଆଣିନଥିବାରୁ ଶ୍ରେଣୀ ଶିକ୍ଷକ ତାକୁ ବାଡେଇଲେ। ପରେଶ କାନ୍ଦି କାନ୍ଦି ଯାଇ ତା ବାପାଙ୍କୁ କହିଲା। ତାପରେ ପରେଶର ବାପା ପରେଶର ସ୍କୁଲରୁ ନାମ କାଟିନେଇ ଅନ୍ୟ ସ୍କୁଲରେ ଲେଖେଇଲେ। ଏହି ପରେଶ ସହ ପ୍ରକାଶର ସବୁବେଳେ ଝଗଡା ହୁଏ। କିନ୍ତୁ ପ୍ରକାଶ କେବେ ପରେଶକୁ ମାଡଗୋଳରେ ପାରେନି। ଥରେ ପ୍ରକାଶ ଉତକ୍ଷିପ୍ତ ହୋଇ ରାଗରେ ଗୋଟେ କିଆ ଫୁଲକୁ ପରେଶର ପେଟରେ ଭୁସିଦେଲା। ଫଳରେ ପରେଶର ପେଟ ଖଣ୍ତିଆ ହୋଇଗଲା। ସାର୍ ପ୍ରକାଶକୁ ପ୍ରବଳ ବାଡେଇଲେ। ପରେ ପ୍ରକାଶ ନିଜ ଭୁଲ୍ ବୁଝିପାରିଲା,ଆଉ ପ୍ରତିଜ୍ଞା କଲା କି ଆଉ ଜୀବନରେ କାହାସହ ଝଗଡା କରିବନି। ହେଲେ ପରେଶ ଯେଉଁଦିନ ସ୍କୁଲ୍ ଛାଡି ଗଲା, ପ୍ରକାଶକୁ ସବୁଠୁ ଅଧିକ କଷ୍ଟ ହେଇଥିଲା।
ଶ୍ରେଣୀର ସବୁ ପିଲା କିଶୋର ବୟସରେ ଥିବାରୁ ଏବଂ ସମୟ କ୍ରମେ ଯୁବାବସ୍ଥା ଦିଗରେ ଅଗ୍ରସର ହେଉଥିବାରୁ ସେମାନେ ନିଜ ଶ୍ରେଣୀରେ ନୂଆ ନୂଆ ସୁନ୍ଦର ତରୁଣ ଓ ତରୁଣୀ ମାନଙ୍କୁ ଦେଖି ପରସ୍ପର ପ୍ରତି ଆକର୍ଷିତ ହେଉଥିଲେ। ପୁଅମାନେ ମନେମନେ ନିଜ ନିଜର ସାଥୀ ଚୟନରେ ଲାଗି ପଡିଲେ।
ଯିଏ ଯାହା ପ୍ରତି ବେଶୀ ଆକର୍ଷିତ ହେଉଥିଲା ସେ ତା ସହିତ ବନ୍ଧୁତା କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଲେ।
ପ୍ରକାଶର କିନ୍ତୁ ସମସ୍ୟା ସରିନଥିଲା। ପ୍ରକାଶ ପତ୍ରଚାଇଁ ପୋକକୁ ପ୍ରବଳ ଭୟ କରେ। ଏକଥା ଯେତେବେଳେ ସୁରେଶ ଜାଣିଲା ସେ ରିସେସ୍ ସମୟରେ କିମ୍ବା ଛୁଟିପରେ ପ୍ରକାଶର ଅଜାଣତରେ ତା ସାର୍ଟ ଭିତରେ ପତ୍ରଚାଇଁ ପୋକ ପୁରେଇଦିଏ। ନହେଲେ ହାତରେ ପୋକକୁ ଧରି ପ୍ରକାଶକୁ ବହୁତ୍ ଡରାଏ।
ଥରେ ସୁରେଶ ଓ ସିବୁନ୍ ସ୍କୁଲ୍ ଛୁଟି ପରେ ପ୍ରକାଶକୁ ଖେଳିବା ପାଇ ପାଖ ପଡିଆକୁ ଡାକିନେଇ ଜୋରଜବରଦସ୍ତ ପ୍ରକାଶର ପ୍ୟାଣ୍ଟ ଭିତରେ ଏକ ବଡ କଙ୍କଡା ପୁରେଇ ଦେଲେ। ପ୍ରକାଶ ଭୟରେ ପଡିଆରେ ଗଡିବାକୁ ଲାଗିଲା। ମରମ ଓ ଗୋଡି ବାଜି ଖଣ୍ତିଆ ଖାବରା ମଧ୍ୟ ହେଲା। କିଛି ସମୟ ପରେ ପ୍ରକାଶ ବୁଦ୍ଧିକରି ନିଜର ପ୍ୟାଣ୍ଟ ଖୋଲି ଫିଙ୍ଗିଦେଲା। ମାତ୍ର ଦେଖିଲା କଙ୍କଡାଟି ଆଗରୁ ମରି ସାରିଥିଲା। ଅର୍ଥାତ୍ ସୁରେଶ ଓ ସିବୁନ୍ ଏକ ମଲା କଙ୍କଡା ପ୍ରକାଶର ପ୍ୟାଣ୍ଟ ଭିତରେ ପୁରେଇ ଦେଇଥିଲେ। ଏକଥା ଜାଣିବା ପରେ ପ୍ରକାଶ ଯେତେବେଳେ ପିନ୍ଧିବା ପାଇଁ ପ୍ୟାଣ୍ଟଟିକୁ ଧରିଲା, ପରେଶ ଓ ସିବୁନ୍ ପ୍ୟାଣ୍ଟଟିକୁ ନେଇଗଲେ ଓ ପ୍ରକାଶକୁ ମଝିରେ ରଖି ପ୍ୟାଣ୍ଟଟିକୁ ଫିଙ୍ଗା ଫୋପଡା କରି ଖେଳିଲେ । ଶେଷରେ ଯେତେବେଳେ ପ୍ରକାଶ ରାଗିଯାଇ କାନ୍ଦିବାକୁ ଆରମ୍ଭ କଲା ସେତେବେଳେ ସେମାନେ ପ୍ୟାଣ୍ଟକୁ ଏକ ବଡ କଣ୍ଟା ଗଛ ଉପରେ ଲଖେଇ ଦେଲେ। ବହୁକଷ୍ଟ ପରେ ପ୍ରକାଶ ନିଜର ପ୍ୟାଣ୍ଟ ଫେରିପାଇବାରେ ସଫଳ ହେଲା ଆଉ ମନଦୁଃଖରେ ସେଠୁ ଫେରିଆସି ଏକ ନିରୋଳା ଜାଗାରେ ବସି ବହୁତ୍ କାନ୍ଦିଲା ଆଉ ଠାକୁରଙ୍କୁ ବହୁତ୍ ରାଗିଲା, ଧିକ୍କାର ମଧ୍ୟ କଲା।
ଏମିତି ଏମିତି ଭିତରେ ଅଷ୍ଟମ ଶ୍ରେଣୀବି ସରିଗଲା ନବମ ଶ୍ରେଣୀ ହେଲା। ବିଗତ ଏକ ବର୍ଷ ମଧ୍ୟରେ ପିଲା ମାନେ ନିଜ ପାଇଁ ସାଥି ବାଛି ନେଇଥିଲେ। ସାଥିମାନଙ୍କ ସହ ଭଲ ସମ୍ପର୍କ ବି ତିଆରି କଲେ। ଭଲ ସାଙ୍ଗ ହେଇଗଲେ। ମାତ୍ର କେହି କାହାକୁ ମନର କଥା ସିଧା ସିଧା କହିପାରୁ ନଥିଲେ। ଏପଟେ କିନ୍ତୁ ପୁଅମାନେ ନିଜ ନିଜ ଭିତରେ ଓ ଝିଅମାନେ ସେମାନଙ୍କ ଭିତରେ ଚିଡାଚିଡି ଆରମ୍ଭ କରିଦେଇଥିଲେ। ଫଳରେ ଯେଉଁ ପୁଅ ଝିଅ ମାନଙ୍କୁ ଯୋଡିକରି ଚିଡାଚିଡି ଆରମ୍ଭ ହେଉଥିଲା ସେମାନେ ପରସ୍ପରକୁ ଲାଜ କରିବା ଆରମ୍ଭ କରିଦେଇଥିଲେ। ଏହି କ୍ରମରେ ପ୍ରକାଶ ନିଜ ଶ୍ରେଣୀର ଏକ ସହପାଠୀନୀ ପ୍ରତି ଆକର୍ଷିତ ହେବାକୁ ଲାଗିଲା। ଏକଥା ଯେତେବେଳେ ଶ୍ରେଣୀର ଅନ୍ୟ ସହପାଠୀ ମାନେ ଜାଣିଲେ ସେମାନେ ପ୍ରକାଶକୁ ଚିଡେଇବାକୁ ଆରମ୍ଭ କଲେ।
ପ୍ରକାଶ, ସୁରେଶ,ସିବୁନ୍ ସବୁ ସାଙ୍ଗହେଇ ଗୋଟିଏ ଜାଗାରେ ଟିଉସନ୍ ହେଉଥିଲେ। ପ୍ରକାଶର ବାପା ବହୁ କଷ୍ଟକରି ପ୍ରକାଶକୁ ଏକ ଟେଷ୍ଟ ପେପର୍ କିଣିକି ଦେଇଥିଲେ। ସମସ୍ତ ପଢିବାରେ ସୁବିଧା ପାଇଁ ଅଲଗା ଅଲଗା ଟେଷ୍ଟ ପେପର୍ ଆଣିଥିଲେ। ତେଣୁ ଥରେ ସିବୁନ୍ ଓ ସୁରେଶ ପ୍ରକାଶ ନିକଟରୁ ତା ଟେଷ୍ଟ ପେପରଟି ନେଲେ। ଗୋଟିଏ ଦିନପରେ ସେମାନେ ପୁଣି ଫେରେଇ ଦେଲେ। ମାତ୍ର ଯେତେବେଳେ ପ୍ରକାଶ ପଢିବା ପାଇଁ ଟେଷ୍ଟ ପେପର ଖୋଲିଲା ଦେଖିଲା ବେଳକୁ ଭିତରେ ଦଶରୁ ପନ୍ଦର ପୃଷ୍ଠା ଅଠା ଲଗାଇ ପରସ୍ପର ସହ ଯୋଡା ଯାଇଥିଲା। ଏକଥା ଯେତେବେଳେ ପ୍ରକାଶ ସୁରେଶ ଓ ସିବୁନ୍ କୁ ପଚାରିଲା ସେ ଜଣିବାକୁ ପାଇଲା ତା' ଟେଷ୍ଟ ପେପରରେ ଅଠା ଲାଗି ନଥିଲା। ବରଂ ତାହାଥିଲା ଯୌବନର ପ୍ରଥମ ପାହାଚରେ ଅଧିକାଂଶ ପୁଅମାନେ କରୁଥିବା ଭୁଲର ଫଳ। ଏବଂ ଏ ସବୁ ଥିଲା ସିବୁନର ପ୍ରରୋଚନା ଓ ବୁଦ୍ଧି। ଏକଥା ଜାଣିଲା ପରେ ପ୍ରକାଶ ସେମାନଙ୍କ ଉପରେ ବିରକ୍ତ ହୋଇ କହଲା ତୁମକୁ କଣ ଏସବୁ ପାଇଁ ମୋ ଟେଷ୍ଟପେପର ହିଁ ମିଳିଲା? ଶେଷରେ ଏମାନଙ୍କ କାରନାମାରେ ଅଧିକ କିଛି କହି ନପାରି ସେ ସେଠାରୁ ଚାଲିଗଲା। କାରଣ ଯେହେତୁ ସମସ୍ତେ ସମାନ୍ ବୟସର ଥିଲେ ତେଣୁ ସେମାନେ ପରସ୍ପରର ମନର ଭାବନାକୁ ସହଜରେ ବୁଝିପାରୁଥିଲେ। ତାପରେ... କ୍ରମଶଃ...।

