ମାଦକତା ର ମାୟା
ମାଦକତା ର ମାୟା


ଦୀନାନ୍ତ ସ୍ପର୍ଶ କରିଥିଲା ନଈ ବନ୍ଧର ତଳେ। ରଜନୀର ସଙ୍ଗମ କୂଳେ ଦିନକର ଆବେଗମୟ ପ୍ରାଣରେ ଗତିଶୀଳ ହେଉଥିଲେ। ରକ୍ତ ଅରୁଣିମାର ରଙ୍ଗ ସାଗରରେ ସନ୍ତରଣ କରୁଥିଲା ଧରଣୀର ପୁଲକିତ ବକ୍ଷ। ଆକାଶରେ କେତେଟା ରଙ୍ଗ ବେରଙ୍ଗ ବାଦଲର ଆସର ଖୁବ୍ ମାନୁଥିଲା। ବିଶୁର ବଂଶୀରୁ ଛୁଟି ଚାଲିଥିଲା ମଧୁରର ମୂର୍ଚ୍ଛନା। ସରସ ସୁନ୍ଦର ଏଇ ବିଶୁ , କୋମଳ ପ୍ରାଣସ୍ପର୍ଶି ତାର ବଂଶୀର ଭାଷା। କେତେ ଦୁଃଖଦୈନ୍ୟ ବ୍ୟସ୍ତତା ବା ଆନନ୍ଦ ମଧ୍ୟରେ ସେମାନଙ୍କର ଦୃଢୀଭୂତ ବନ୍ଧୁତ୍ୱ। କିନ୍ତୁ , ଆଜି ବିଶୁ ଅଙ୍କାବଙ୍କା ବାଟରେ ଗତି କରି ଚାଲିଛି ଠିକ୍ ତାର ବଂଶୀର ସ୍ୱର ଦେଇ।
କେତକୀ '- ଉଚ୍ଛନ୍ନା ଯୌବନା। ମନ ତାର ଚଞ୍ଚଳ , ପ୍ରାଣ ଆକୁଳତାରେ ସିକ୍ତ, ଦେହ ଚାହେଁ ମିଳନ , ଆଖିରେ ପ୍ରେମର ପିପାସା... । ମିଳନର ମରୁବାଲିରେ କେତକୀ । ଉଇଁଟର୍ ବଡ଼ି କେୟାର ଲୋସନ୍, ପଣ୍ତସ୍ ପାଉଡର୍, ଟେମ୍ପଟେସନ୍ ଅତରର ଗନ୍ଧ ଏମିତି ତା' ଦେହରେ ଭରି ଦେଇଛି ଆହୁରି ମାଦକତା। କୁସୁମାୟିତ କବରୀରେ ହସ୍ତର ଧୀର କୋମଳ ସ୍ପର୍ଶ ପୁଣି ତାକୁ ତୀବ୍ରତର କରୁଛି । ସେ ସାଥୀଟିଏ ଚାହେଁ, ଯିଏ କି ତାର ହାତ ଧରି ଅତୃପ୍ତ ବାସନାକୁ ଚରିତାର୍ଥ କରିବ। କିନ୍ତୁ ସେ..ଅବିବାହିତ ରମଣୀ ନୁହେଁ, ଯୁବତୀ.. ସମାଜର ସଂସ୍କୃତି ବନ୍ଧନ ରେ ସେ ବନ୍ଦିନୀ... । ନିଜ ମଧ୍ୟରେ ସେ ଖୁବ୍ କାମନା ଜ୍ଵାଳାର ବେଦନା ଅନୁଭବ କରିପାରୁଥିଲା ।
ବିଶୁର ବଂଶୀର ସ୍ୱର ସେ କେତେ ଥର ଶୁଣିଛି। କିନ୍ତୁ ଆଜିର ଶୁଣିବା ଆଉ ପୂର୍ବର ଶୁଣିବା ମଧ୍ୟରେ ଯେମିତି କେତେ ପାର୍ଥକ୍ୟ ଅନୁଭବ କରୁଥିଲା ସେ...। କେତେ ଅତୀତର ପିଲା ଦିନରେ ଦୁହେଁ ଥିଲେ ସାଥୀ। ମଧୁମୟ ପଲ୍ଲୀ କୋଳରେ ଖେଳା ଖେଳି କରି ଦୁହେଁ ଗ୍ରାମ୍ୟ ବିଦ୍ୟାଳୟରେ ଆରମ୍ଭ କରିଥିଲେ ବିଦ୍ୟାରମ୍ଭ। କେତକୀ ଆଗେଇ ଆସିଛି ଢେର୍ ଆଗକୁ କିନ୍ତୁ ବିଶୁ , ଅର୍ଥାଭାବରୁ ପଡି ରହିଥିଲା ଖୁବ୍ ପଛରେ। କେତକୀ ଆଗରୁ କେତେ ପାର୍ଥକ୍ୟ କରିଛି ତା' ଏବଂ ବିଶୁ ମଧ୍ୟରେ । ଶିକ୍ଷାର ପାର୍ଥକ୍ୟ, ପୋଷାକ ପରିଚ୍ଛଦ, ଚାଲିଚଲଣି ଏମିତି କେତେ କ'ଣ..!! କିନ୍ତୁ ଆଜି... ?? କେତକୀର ଚକ୍ଷୁ ଉତ୍ତେଜନାରେ ପିଙ୍ଗଳ ହୋଇ ଆସୁଥିଲା । ହୃଦୟର ସ୍ପନ୍ଦନ ଅଧିକରୁ ଅଧିକ ହୋଇଯାଉଥିଲା ।
ତାମସୀର ଆସର ଖୁବ୍ ଜମି ଆସୁଥିଲା ଧୀରେ ଧୀରେ... ହଠାତ୍ ଡ଼ାକଟିଏ ମାରିଲା କେତକୀ । ବିଶୁ ଭାଇ....!! ବିଶୁ ଅନାଇଲା ପଛକୁ। ଥମି ଆସିଲା ବଂଶୀର ସ୍ୱର । କେତକୀ ଛିଡ଼ା ହୋଇଛି । ଚକ୍ଷୁରେ ତାର ଆଶାର ଜୁଆର.. ଓଠରେ କେତେ ମଧୁର ସ୍ବପ୍ନର ତରଳ ସ୍ରୋତ... । ବିଶୁ ଅଶ୍ଚର୍ଯ୍ୟ ହେଲା ଭାରି। କେତକୀ ତରୁଣୀ .. ସେ ତରୁ
ଣ .. ଅଥଚ ଏପରି ଏକ ସନ୍ଧ୍ୟାରେ , ନଦୀ ପଠାର ଏକ ନିର୍ଜନ ଆମ୍ର କୁଞ୍ଜରେ ସେ କେତକୀକୁ ଦେଖୁଛି... ଏକ ଅପ୍ରାକୃତିକ ଅବସ୍ଥାରେ ।
- କେତେ ସୁନ୍ଦର ତୁମର ବଂଶୀର ସ୍ୱର... ବିଶୁ ଭାଇ..!!
କ'ଣ କହିବ କିଛି ଭାବି ପାରୁନଥିଲା ବିଶୁ । କିଛି କହିବା ପୂର୍ବରୁ ସେ କେତକୀର ଆଖିରେ ମାଦକତା, ମୁଖରେ ସହସ୍ର ହସର ଶତହ୍ରଦା, ପୁଣି ଶିକ୍ଷିତା... ଭାବିଲା ବେଳକୁ ଦେହରେ ତାର ପୁଲକ ଜମି ଆସୁଥିଲା । କିନ୍ତୁ ... ଏ କ'ଣ ସେ ସବୁ ଭାବି ନଉଛି। ସେ ଯେ ଦରିଦ୍ର ପୁଣି ସ୍ୱଳ୍ପ ଶିକ୍ଷିତ... ।
- ବିଶୁ ଭାଇ..!
କେତକୀ କଣ୍ଠରେ ପୁଣି ସେଇ ଚପଳ ସୁଲଭ ଡ଼ାକ । ନିଜ ମଧ୍ୟକୁ ଫେରି ଆସିଲା ବିଶୁ । ଧୀର ସ୍ଵରରେ ଉତ୍ତର ଦେଲା - ମାେ ପାଖରେ କ'ଣ କିଛି କାମ ଅଛି କେତକୀ ?
- କ'ଣ ତୁମେ ଏମିତି ଭାବୁଛ? (କେତକୀର ଆବେଗ ପୂର୍ଣ୍ଣ ପ୍ରଶ୍ନ)
- ନା, କିଛି ନୁହେଁ । (ମୁହଁ ତଳକୁ କରି ବିଶୁ କହିଲା)
- ବିଶୁ ଭାଇ ..!
କେତକୀର କଣ୍ଠ ଦବି ଆସୁଥିଲା । କ'ଣ ବା ସେ କହିବ। ଲଜ୍ଜ୍ୟାବୋଧ ସହ ନିଜକୁ ବିଚଳିତ ଅନୁଭବ କଲା ସେ । ଯେମିତି କେତେ କଥାର ସ୍ରୋତ ସବୁ ଏକାଠି ଭାସି ହୋଇ ଆସି ଅଟକି ଯାଇଛନ୍ତି ।
- କେତକୀ ଏପରି ଏକ ନିର୍ଜନ ସନ୍ଧ୍ୟା ବେଳାରେ ତୁମେ ମୋ ପାଖକୁ ଆସିବା ଠିକ୍ ହୋଇ ନାହିଁ। ଲୋକେ ଦେଖିଲେ କ'ଣ କହିବେ? ଟିକେ ଚିନ୍ତା କରି ପାରୁଛ ତ...
(ଭକ୍ତିମିଶା ବିରକ୍ତି ରେ କହିଲା ବିଶୁ)
କେତକୀ କିନ୍ତୁ ହସିଲା । କ୍ଷତି କ'ଣ ବିଶୁ ଭାଇ..! ନିଜର ମନ କ'ଣ ଲୋକମାନଙ୍କର ଇଚ୍ଛାଧୀନ। ଏହାକହି ଖୁବ୍ ନିକଟତର ହୋଇ ଯାଇଥିଲା କେତକୀ । ସରଳ ସୁନ୍ଦର ବିଶୁକୁ କିନ୍ତୁ ଏସବୁ କିଛି ଭଲ ଲାଗୁନଥିଲା । କେତକୀର ଉଷ୍ମଶ୍ୱାସ କୁ ଯଥାର୍ଥରେ ଅନୁଭବ କରିପାରୁଥିଲା ବିଶୁ । କେତକୀ ଶରୀରର ଚପଳତା ବିଶୁର ଯୁବକ ସୁଲଭ ରକ୍ତକୁ କ୍ରମଶଃ ଉଷ୍ମ କରି ପକାଉଥିଲା । ଲୋମ ପ୍ରତିଲୋମରେ ଖେଳି ଯାଉଥିଲା ଶିହରଣ । ଯେମିତି ସେ ଏକ ନୂଆ ରଙ୍ଗରେ ଆଜି ନିଜକୁ ଆବିଷ୍କାର କରୁଛି ।
କିଛି କହି ପାରିଲା ନାହିଁ ବିଶୁ । ପରସ୍ପର ଆଡ଼କୁ ଦୁହେଁ ଆକୃଷ୍ଟ ହୋଇ ଯାଉଥିଲେ । ଚପଳା ଛନ୍ଦରେ କୋମଳ ଗଣ୍ଡର ଉଷ୍ମ ଚୁମ୍ବନ କେତୋଟି ବାଢ଼ି ଦେଲା ବିଶୁ ।
ତା ପରେ..
କେତେ ଯେ ବିନିଦ୍ର ରଜନୀ ଏହି ଆମ୍ରକୁଞ୍ଜରେ କଟିଯାଇଛି । କେତେ ସ୍ବପ୍ନର ସୁଖରେ ଦୁହେଁ ରସାଣିତ ହୋଇଛନ୍ତି ।