ଲୁହାର ପଞ୍ଜୁରୀ ମାଟିର ଶାରୀ
ଲୁହାର ପଞ୍ଜୁରୀ ମାଟିର ଶାରୀ
ନିକ୍ଷିତା ସେଦିନ ନିଜ କାମରେ ବଜାରରେ ବୁଲୁବୁଲୁ ହଠାତ ନଜର ପଡିଲା ଫୁଟପାତରେ ବସିଥିବା ଜଣେ କଣ୍ଡେଇ ବକାଳୀଙ୍କ ଉପରେ। ରଙ୍ଗ ବେରଙ୍ଗର କଣ୍ଡେଇ ଧରି ବିକୁଥିବା ବ୍ୟକ୍ତି ଜଣଙ୍କ ଭାରି କରୁଣ ଓ ଧୀରେ ଧୀରେ ନିଜ କଣ୍ଢେଇର ନାମ ଧରି କହୁଥାନ୍ତି। ତାର ପସରା ଦେଖିବାକୁ ଭାରି ଆକର୍ଷଣୀୟ ଲାଗୁଥିଲା। ଭଳିକି ଭଳି କଣ୍ଢେଇ ଭିତରର ଠିକେ ଲୁହା ପଞ୍ଜୁରି ଭିତରେ ଶୁଆ ଶାରୀ । ସବୁ ସରିଯାଇଛି କେବଳ ଆଉ ଦୁଇଟି ଅଛି। ଏତେ ସବୁ କଣ୍ଢେଇ ଭିତରୁ ହଠାତ ନିକ୍ଷିତାର ଆଖି ଅଟକି ଯାଇଛି ସେଇ ଶୁଆ ଶାରୀ ଓ ପଞ୍ଜୁରି ପାଖରେ । ମନରେ କଣ ଚିନ୍ତା କଲା କେଜାଣି ଚାଳିଶି ଟଙ୍କା ଦେଇ କିଣି ଆଣିଲା।
ସତେ ଯେମିତି ସେମାନେ ଜୀବିତ ଓ ଆପଣାର। ମନରେ ମନରେ ସେମାନଙ୍କ ପାଇଁ ଅନେକ କିଛି ଭାବି ସାରିଥିଲା ନିକ୍ଷିତା।ଅତି ଶ୍ରଦ୍ଧାରେ ସେମାନଙ୍କୁ ଆଣି ନିଜ ଆଲମୀରା ଭିତରେ କିଛି ସ୍ଥାନ ତିଆରି କରି ରଖିଲା। ଘରେ ଏକା ଥିଲା ବେଳେ ସେମାନଙ୍କ ସହ କଣ ସବୁ କହି ଗପି ଯାଏ ନିକ୍ଷିତା । ଅତି ଦୁଃଖ ହେଲେ ଅବା ଅତି ଖୁସି ହେଲେ ସେ ନିଶ୍ଚୟ କଣ୍ଢେଇ ଶୁଆ ସହ ବାର୍ତ୍ତାଳାପ କରେ । ମନର ଦୁଃଖକୁ ବାଣ୍ଟି କେତେବେଳେ ଖୁସି ହୁଏ ତ ସୁଖକୁ ବାଣ୍ଟି ଅତ୍ୟଧିକ ଅନନ୍ଦ ଅନୁଭବ କରେ । ଗୋଟେ କଥାରେ କହିବାକୁ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ସାରିଥିଲେ ସେ ଲୁହାର ପଞ୍ଜୁରି ଭିତରେ ଥିବା ଶୁଆ ଓ ଶାରୀ।
ଏହିଭଳି ସମୟ ଅତିକ୍ରାନ୍ତ ମଧ୍ୟରେ 4 ଚାରି ବର୍ଷ ହୋଇଗଲା। ନିକ୍ଷିତାର ବଡ଼ ଭାଇ ହଠାତ ଘରକୁ ଗୋଟେ ବିଲାତି କୁକୁର ଆଣିବା ପାଇଁ ପ୍ରସ୍ତାବ ଦେଲେ। କୁକୁରମାନଙ୍କ ପ୍ରତି ଅହେତୁକ ଭଲ ପାଇବା ଥିବା ନିକ୍ଷିତା ଏ ପ୍ରସ୍ତାବରେ ସମ୍ପୁର୍ଣ୍ଣ ସହମତି ଜଣାଇଲେ ଓ ଆଠହଜାର ଟଙ୍କା ଦେଇ ଗୋଟିଏ କାଳିଆ କୁକୁର ନେଇ ଆସିଲେ ଘରକୁ। ନାମ ଦେଲେ "ଏନା" ।
ଟିକେ ଅଳ୍ପ କିଛି ବର୍ଷକୁ ଭାବି ଦେଖିଲେ ଘର ଆଗରେ ଲେଖା ଯାଉଥିଲା "ପୂଜ୍ୟ ଅତିଥି ପ୍ରଣାମ ଗ୍ରହଣ କରନ୍ତୁ" । କ୍ରମବିକାଶ ଓ ଅତ୍ୟାଧୁନିକ ସମାଜର ପ୍ରଭାବରେ ତାହାର ରୂପ ପରିବର୍ତ୍ତନ ହୋଇସାରିଛି। ଆଜି କାଲି ଘରର ସାମ୍ନାରେ ଲେଖା ହେଉଛି "କୁକୁର ପ୍ରତି ସାବଧାନ"। ବିଲାତି କୁକୁରମାନଙ୍କ ପ୍ରତି ଆଜି ସମାଜର ଲୋକମାନଙ୍କ ଭଲପାଇବା କିଛି ଅଧିକା ବଢି ଯାଇଛି । ନିଜର ପ୍ରିୟ ପରିଜନଙ୍କ ଠାରୁ ପୋଷା କୁକୁରର ଗୁରୁତ୍ୱ ଆଜିକା ସମାଜରେ ବୋଧେ ବହୁତ ବଢିଯାଇଛି । ଅବଶ୍ୟ ଗୋଟିଏ ବିଶ୍ୱାସ ଯୋଗ୍ୟ ଜୀବ ପାଇଁ ଏତିକି ଯତ୍ନ କିଛି ନୁହେଁ କିନ୍ତୁ ନିଜର ପ୍ରିୟପରିଜନ ମାନଙ୍କୁ ହତାଦର କରିବା କେତେଦୂର ଯଥାର୍ଥ ସେ ବିଚାର ଅପଣମାନଙ୍କର।
ଠିକ ସେହି ମର୍ମରେ ନିକ୍ଷିତା ମଧ୍ୟ 'ଏନା'ଆସିବା ଦିନଠାରୁ ପଞ୍ଜୁରି ଭିତରେ ଥିବା ଦୁଇ ନିର୍ଜୀବ ପ୍ରାଣୀଙ୍କ ଠାରୁ ଭାବ କମେଇବାକୁ ଲାଗିଲା। ନିଜର ଭଲ ମନ୍ଦ କଥା ସେମାନଙ୍କୁ କହିବାକୁ ସମୟ ନିଅଣ୍ଟ ପଡିଲା। ଯୋଉ କିଛି ସମୟ ପାଉଥିଲା ସେ ସମୟରେ ସେ ଏନା ର ଖାଇବା , ବୁଲିବା , ଭଲ ମନ୍ଦ ବୁଝିବା ଇତ୍ୟାଦିରେ ଚାଲି ଯାଉଥିଲା। ଇଛା ଥାଉ ବା ନଥାଉ ଏଥିପାଇଁ ତା ପାଖରେ ସମୟର ଅଭାବ ହିଁ ଅଭାବ। ସବୁଦିନ ଯେଉଁ ଶୁଆ ଶାରୀଙ୍କ ପାଖରେ ଦୁଃଖ ସୁଖ ହଉଥିଲା ଏବେ ବର୍ଷକୁ ଥରେ କିମ୍ବା ଦୁଇଥର କୌଣସି କାମରେ ଆଲମାରୀ ଖୋଲିଲା ବେଳେ ହିଁ ଦେଖେ ଓ ଟିକେ ମୁରୁକି ହସି ଦେଇ ପୁଣି ବନ୍ଦ କରିଦିଏ। ଏହି ଭଳି ସମୟ କ୍ରମେ ସେ ଶୁଆ ଶାରୀ ଓ ପଞ୍ଜୁରୀର ଗୁରୁତ୍ୱ କମିବାରେ ଲାଗିଥିଲା।
ମହଳୟା ଅମାବାସ୍ୟା ଆସିବାରୁ ଘର ଝଡ଼ା ଝଡି ଆରମ୍ଭ ହୋଇଗଲା। ଆଲମାରୀ ବହୁତ ଦିନର ହୋଇଥିବାରୁ ତାର ରଙ୍ଗ ଫିକା ପଡିଯାଇଥିଲା। ନିକ୍ଷିତା ଏଥର ଆଲମାରୀକୁ ନୂଆ ରଙ୍ଗରେ ଚିକମିକ କରିବାକୁ ମନସ୍ତ କଲା। ଆଲମାରୀରୁ ସେହି ପଞ୍ଜୁରୀ ସହ ସମସ୍ତ ଜିନିଷକୁ ବାହାର କରି ରଙ୍ଗ କରିବାକୁ ନିର୍ଦ୍ଧିଷ୍ଟ ଦୋକାନକୁ ଦିଆଗଲା। ଚାରିଦିନ ପରେ ନୂଆ ରଙ୍ଗରେ ରଙ୍ଗେଇ ହୋଇ ଆଲମାରୀ ଆସିଗଲା। ନିକ୍ଷିତା ଗୋଟିଏ ପରେ ଗୋଟିଏ ଜିନିଷକୁ ଆଲମାରୀରେ ସଜେଇଛି କିନ୍ତୁ ସେଇ ପଞ୍ଜୁରୀର ଶୁଆ ଶାରୀଙ୍କୁ ରଖିବାକୁ ଭୁଲିଯାଇଛି। ବାହାର କଲା ବେଳେ ଯେଉଁ ଟେବୁଲ ଉପରେ ଥିଲେ ସେମିତି ଟେବୁଲ ଉପରେ ରହିଛନ୍ତି ସେମାନେ। ଚାରି ବର୍ଷ ଧରି ପଞ୍ଜୁରୀରେ ପୁଣି ଆଲମାରୀ ଭିତରେ କଏଦ ଥିବା ଶୁଆ ଶାରୀ ନିକ୍ଷିତା ସହ କଥା ହୋଇ ନିଜ ଦୁଃଖକୁ ଭୁଲି ଯାଉଥିଲେ। କିନ୍ତୁ ଏନା ଆସିଲା ପରେ ଯେଉଁ ଏକ ବର୍ଷ ସେମାନେ ଆଲମାରୀ ଭିତରେ ରହିଲେ ନିଜକୁ ଅଣନିଶ୍ୱାସୀ ଭଳି ଅନୁଭବ କଲେ ତା ଠାରୁ ଟେବୁଲ ଉପରେ ରହିବା ଭଲ ବୋଲି ଚିନ୍ତା କଲେ।
ସେମାନେ ସିନା ନିର୍ଜୀବ ବୋଲି କିଛି କହିପାରୁ ନଥିଲେ କିନ୍ତୁ ସେମାନେ ଯଦି ଜୀବତ ହୋଇଥାନ୍ତେ ତାହାଲେ ନିଶ୍ଚୟ ମୁଁହ ଖୋଲି ପ୍ରତିବାଦ କରିଥାନ୍ତେ। ନିଜର ଅନ୍ତର ବେଦନାଙ୍କୁ ନିଶ୍ଚିତ ଭାବରେ ଶବ୍ଦର ରୂପ ଦେଇ ନିକ୍ଷିତାର କର୍ଣ୍ଣପାତ କରିଥାନ୍ତେ । ହେଲେ ଆଜି ସେମାନେ ଚୁପ । କିଏ ଜାଣେ ସେମାନେ କେତେଦିନ ରହିବେ ଆଲମାରୀ ବାହାରେ । ନିକ୍ଷିତାର ଦୃଷ୍ଟି କେବେ ଯଦି ସେମାନଙ୍କ ଉପରେ ପଡ଼ିଲା ତାହାଲେ ଯାଇ ସେମାନେ ଆଲମାରୀରେ ରହିବେ କି ବାହାରେ ଫୋପାଡ଼ି ହୋଇଯିବେ, ସେକଥା କିଏ କହିବ । ଦୃଷ୍ଟି ନ ପଡିବା ଯାଏ ସେମାନେ ସେମିତି ସେ ଟେବୁଲ ଉପରେ ପଡିରହିଥିବେ।
ଯାହା ପାଇଁ ଆମେ ସମସ୍ତେ ଦିନେ ଚଳ ଚଞ୍ଚଳ ରହୁଥିଲେ, ଦୁଃଖ ସୁଖ ଭାଗ ବାଣ୍ଟୁଥିଲେ, ନିଜର ଭାବି ଯତ୍ନ ନେଉଥିଲେ, ଆଜିର ଏ ବସ୍ତୁବାଦୀ ଆଧୁନିକ ସମାଜରେ ତାହାର ଗୁରୁତ୍ୱ କମି କମି କ୍ରମେ ଅଲୋଡ଼ା ହୋଇ ପଡିବ ଏଥିରେ ସନ୍ଦେହ ନାହିଁ। ଠିକ ନିକ୍ଷିତା ପାଖରେ ଥିବା 'ଲୁହାର ପଞ୍ଜୁରୀ ମାଟିର ଶାରୀ' ଭଳି। ଅଧୁନିକତାର କର ସ୍ପର୍ଶରେ ମୌଳିକତା କେତେବେଳେ ତାର ସତ୍ତା ହରେଇ ବସିବ ସେକଥା କିଏ କହିବ। ନିଜ ନିଜର ମାନସିକତା କେତେବେଳେ ପରିବର୍ତ୍ତନ ହୋଇଯିବ ସେ କଥା କିଏ କହିବ ??
