ଅଙ୍କା ବଙ୍କା ନଈ
ଅଙ୍କା ବଙ୍କା ନଈ
ଦୂର ଆକାଶର ଦୂର ଦିଗବଳୟର ଚୁଡାକୁ ଛୁଇଁ ବହିଯାଏ ଅଙ୍କା ବଙ୍କା ନଈ। ଦୂରରୁ ଦେଖିଲେ ପ୍ରକୃତିକ ସୌନ୍ଦର୍ଯ୍ୟର ଉପହାର ଭଳି ମନେ ହୁଏ। ନଈକୂଳେ ଗାଁ ଟିଏ। ରାମଚନ୍ଦ୍ରପୁର। ସବୁଜିମା ରେ ଭର ପୁର। ସୁଲୁ ସୁଲୁ ପବନ ମନ ମୋହି ନିଏ।
"ଧର ଧର। ଧର ତାକୁ ଧର। ଜମା ବି ଛାଡିବିନି। ମାରୁ ମାରୁ ଆଜି ଜୀବନରୁ ମରିଦେବି ତାକୁ" । ଦଉଡି ଦଉଡି କହୁଥାନ୍ତି ଗାଁ ର ସରପଞ୍ଚ ମୋହନ ବାବୁ। ଆଗରେ ଧାଉଁଥାଏ ମୋହିତ। ବିକଳ ହୋଇ ଗୋଡେଇ ଥାନ୍ତି। ମୋହିତ ଦଉଡି ଦଉଡି ଯାଇ ନଈ କୁଳ ଛୋଟିଆ ବୁଦା ମୂଳେ ଲୁଚି ଗଲା। ଗାଁ ରୁ କିଛି ଲୋକ ବି ମୋହନ ବାବୁଙ୍କ ପଛେ ପଛେ ଧାଇଁ ଧାଇଁ ଆସିଛନ୍ତି ମୋହିତ କୁ ଧରିବା ପାଇଁ। ମୋହିତ ସମସ୍ତଙ୍କୁ ଚକମା ଦେବାରେ ମାଷ୍ଟର। ହେଲେ ଆଜି ସେ ତାର ବାପା ମୋହନ ବାବୁଙ୍କୁ ଚକମା ଦେଇ ପାରିଲାନି।
ସ୍କୁଲ ହେଡ ମାଷ୍ଟର ଘରକୁ ତାର ସବୁ ଚିଠା ନେଇ ଆସିଗଲେ । ବାପାଙ୍କ ଦସ୍ତଖତ ନିଜେ କରି ପ୍ରୋଗ୍ରେସ ରିପୋର୍ଟ ଦେଇଥିଲା। ଅଷ୍ଟମ ଶ୍ରେଣୀରେ ପଢୁଛି। ଆଜି ଯାଏ ସେହିଭଳି କରି ଆସୁଛି। ସ୍କୁଲ ପଛ ଅମ୍ବ ତୋଟା ତାର ମୁକ ସାକ୍ଷୀ। ସେଇଠି ସବୁଦିନ ସ୍କୁଲ ନ ଯାଇ ବସେ। ଛୁଟି ହେଲେ ଘରକୁ ଫେରିଯାଏ। ମାସକୁ ଦିନେ କି ଅଧେ ସ୍କୁଲରେ ତାର ଦର୍ଶନ।ଅନେକ ଥର ଘରକୁ ଚିଠି ଯାଇଛି ସ୍କୁଲରୁ, ହେଲେ ଚିଠି ଘରେ ପଂହଁଚିବା ଆଗରୁ ମୋହିତ ତାକୁ ଚିରି ଫିଙ୍ଗିଦିଏ।
ପାରମ୍ପରିକ ଶିକ୍ଷା ବ୍ୟବସ୍ଥା ଉପରେ ତାର ଆଦୌ ବିଶ୍ୱାସ ଉଠି ଯାଇଛି। ବହି ସହ ସମ୍ପର୍କ ସମ୍ପୂର୍ଣ୍ଣ ବିଛିନ୍ନ । ସାପ ନେଉଳ ଭଳି। ଘରେ ଯେତିକି ସମୟ ରହେ କିଛି ନା କିଛି ମୁଣ୍ଡ ଖଟେଇ ତିଆରି କରେ। କେବେ କାଗଜରେ ବେଙ୍ଗ କରେ ତ କେବେ ସୁନ୍ଦର ଚିତ୍ର ଟିଏ କରିଦିଏ। କେବେ ମଲେଇ କାଠିକୁ ଯୋଡି ଘର କରେ ତ କେବେ ଆଳୁରୁ ବିଦ୍ୟୁତ ବାହାର କରି ଲାଇଟ ଜଳାଏ। ଆଉ ବେଲେ ବେଳେ ମା ଋକ୍ମୁଣି ଦେବୀଙ୍କ ଫୋନରୁ ଲୁଚି ଲୁଚି ୟୁ ଟୁବ ଦେଖି ଭଲ ଭଲ ଆଧୁନିକ ଖାଇବା ତିଆରି କରେ । ଏ ସବୁ ଭିତରେ ବି ତାକୁ ସ୍କୁଲରେ ଜମା ବି ମନ ଲାଗେନି। କିନ୍ତୁ ହଁ ସ୍କୁଲର ବାର୍ଷିକ ଉତ୍ସବ ପାଳନ କରାଗଲେ ପାଠ କୁ ଛାଡି ସବୁଥିରେ ପ୍ରଥମ ହୁଏ ମୋହିତ।
ଏଥର ବି ଅଷ୍ଟମ ଶ୍ରେଣୀର ପ୍ରୋଗ୍ରେସ କାର୍ଡ ରେ ବାପାଙ୍କ ପାଇଁ ନିଜେ ଦସ୍ତଖତ କରି ସ୍କୁଲ କୁ ନେଇକି ଯାଇଛି। ଯୋଗ କୁ ସେଦିନ ସନ୍ଧ୍ୟାରେ ମୋହନ ବାବୁଙ୍କ ସହ ଦେଖା ହୋଇଛି। ମୋହନ ବାବୁ ଏ ସବୁ ବିଷୟରେ ସମ୍ପୁର୍ଣ୍ଣ ଅଜ୍ଞ। ପ୍ରଧାନ ଶିକ୍ଷକ ପ୍ରମାଣ ସ୍ୱରୂପ ସବୁକିଛି କାଗଜପତ୍ର ଆଣି ଆସିଛନ୍ତି। ଯାହାକୁ ଦେଖି ମୋହନ ବାବୁ ରାଗି ଯାଇଛନ୍ତି। ଗାଁ ର ସରପଞ୍ଚ ହିସାବରେ ଯେତିକି ସମ୍ମାନ ପାଇଥିଲେ ସବୁକିଛି ହରେଇ ବସିଲେ। ନିଜର ବାପା ପାଣିଆକୁ ଧିକ୍କାର କରି ଖୁବ ଜୋରସେ ରାଗିଗଲେ।ଆଉ ତାକୁ ବଡେଇ ବାକୁ ଗୋଡେଇ ଗୋଡେଇ ଚାଲିଲେ।
ମୋହିତ ଗଛ ମୂଳରେ ଅଧିକା ସମୟ ଲୁଚି ଗଲାଣି। ସାଥିରେ ଆସିଥିବା ଲୋକ ମାନେ ଖୋଜା ଖୋଜି ଜାରି ରଖିଛନ୍ତି। କିଛି କୁଆଡେ ଉପାୟ ଟିଏ ବି ମୁଣ୍ଡକୁ ଜୁଟୁ ନାହିଁ। ହଠାତ ବୁଦା ଭିତରୁ ଏକ ବିରାଟ ସାପ ବାହାରି ଆସିଲା। ମୋହିତ ବହୁତ ଜୋରସେ ଡରିଗଲା ଆଉ ବିକଳରେ ବୋଉଲୋ କହିକି, ଡେଇଁ ପଡିଲା ସେଇ ନଦୀ କୁ।
ପାଣିରେ ପଡିବାର ଶବ୍ଦ ଶୁଣି ମୋହନ ବାବୁ ଆଉ ତାଙ୍କ ସହ ଆସିଥିବା ଲୋକମାନେ ଆସି ନଈ କୁଳରେ ଦେଖିଲେ ମୋହିତ ନଈ କୁ ଡେଇଁ ପଡିଛି। ଶ୍ରାବଣ ମାସ ହୋଇ ଥିବାରୁ ନଈ ଜଳପୁର୍ଣ ରହିଥିଲା। ସଂଗେ ସଂଗେ ଦମକଳ ବାହିନୀ କୁ ଯୋଗଯୋଗ କରିବାରୁ ସେମାନେ ଆସି ମୋହିତ କୁ ଖୋଜାଖୋଜି କରିବା ଆରମ୍ଭ କଲେ।
ଗହିରିଆ ନଈ ରେ ଅଥଲତଳ ପାଣି। କଳାଭିମ୍ବର ରଙ୍ଗ। ସୁଅ ଛୁଟୁଛି ଯେ ବଞ୍ଚିବା ଏକ ପ୍ରକାର ଅସମ୍ଭବ। ମୋହିତ ପାଣିରେ ବୁଡି
ବାର ହିଁ କିଛି ସମୟ ପରେ ତାର ନିଶ୍ୱାସ ବନ୍ଦ ହେବାକୁ ଲାଗିଲା। ଜଳ ବିନା ମାଛ ପରି ଜଳ ଭିତରେ ମୋହିତ ର ଅବସ୍ଥା ଶୋଚନୀୟ ହୋଇଗଲା। ହଠାତ ଜଳପରି ଜଣେ ଆସି ମୋହିତ କୁ କୋଳେଇ ନେଲେ।
ଜଳପରି ମୋହିତ ର ଜୀବନ ବଞ୍ଚେଇ ଦେଲେ। ତାକୁ ପାଣି ଭିତରକୁ ଆସିବାର କାରଣ ପଚାରିଲେ। ମୋହିତ ସବୁକିଛି କହିଲା। ଜଳପରି ତାକୁ ଅନେକ ଉପଦେଶ ଦେଲେ । ଭଲ ମଣିଷ ହେବ ପାଇଁ ଅନେକ ଉଦାହରଣ ଦେଇ ବୁଝେଇ ଦେଲେ ।
ମୋହିତ ସୃଜନ ଶକ୍ତି ର ବିନିଯୋଗ କରି କରିଥିବା ସମସ୍ତ ପ୍ରକଳ୍ପ କଥା ଜଳପରି କୁ କହିବାକୁ ଲାଗିଲା। ମୋହିତ କିନ୍ତୁ କୌଣସି ପକଳ୍ପ କୁ ଠିକ ଭାବରେ ଉପସ୍ଥାପନ କରି ପାରିଲା ନାହିଁ।
ଜଳପରି ତାକୁ ବୁଝେଇବାକୁ ବହୁତ ଚେଷ୍ଟା କଲେ । କେବଳ ସୃଜନୀ ଶକ୍ତି ର ବିକାଶ କଲେ କିଛି ହେବ ନାହିଁ। ସେ ସବୁକୁ ପରିପ୍ରକାଶ କରିବା ପାଇଁ , ଭାଷା ର ଆବଶ୍ୟକ ଅପରିହାର୍ଯ୍ୟ। ଯାହାର ବିକାଶ କେବଳ ସ୍କୁଲ ଗଲେ ହିଁ ସମ୍ଭବ। ପାଠ ପଢ଼ିବାର ମାନେ ନୁହେଁ କେବଳ ମାର୍କ ଆଣିବା। କି ଭଲ ଗ୍ରେଡ ଆଣିବା। ସମସ୍ତ କଥା ବସ୍ତୁକୁ ସଠିକ ଓ ସାବଲୀଳ ଢଙ୍ଗରେ ଉପସ୍ଥାପନ କରିବା ହିଁ ଶିକ୍ଷା ର ଲକ୍ଷ ହେବା ଉଚିତ।
ମୋହିତ ପାଖରେ ସୃଜନୀ ନିଶ୍ଚିୟ ଅଛି। ସେ ଚେଷ୍ଟା କଲେ ତାର ଆହୁରି ଅଧିକ ରୁ ଅଧିକ ବିକାଶ ହୋଇ ପାରିବ। ବହିରେ ଥିବା ବିଦ୍ୟା ଯଦିଓ ପର୍ଯାପ୍ତ ନୁହେଁ କିନ୍ତୁ ବିନା ସ୍କୁଲ ରେ ଶିକ୍ଷା ର ବିକାଶ ଅସମ୍ଭବ। ସ୍କୁଲ ଯିବା ଦ୍ୱାରା ବହି ପାଠ ବ୍ୟତୀତ ଭଲ ବ୍ୟବହାର, ଆଚାର, କଥା କହିବାର ଶୈଳୀ, ମାନବିକ ମୂଲ୍ୟବୋଧ, ସତ୍ୟବାଦୀ, ସହନଶୀଳତା, ଉଦାରତା, ନାଚ, ଗୀତ , ଖେଳକୁଦ, ସମୟାନୁବର୍ତିତା ଭଳି ଅନେକ ମହନୀୟ ଶିକ୍ଷା ଶିଖିବାକୁ ମିଳିଥାଏ। ଜଳପରି ସେଦିନ ଆହୁରି ବୁଝାଇ ଥିଲେ ଯେ ସବୁଠାରୁ ଜୀବନର ମୂଳମନ୍ତ୍ର ବାପା ମା ଙ୍କୁ ଭଲ ପାଇବା ହେବା ଉଚିତ। ତାଙ୍କୁ ସମ୍ମାନ ଦେବା, ଆଦର କରିବା, ଗୁରୁଜନଙ୍କୁ ଭକ୍ତି କରିବା ସହ ସବୁବେଳେ ସମସ୍ତଙ୍କୁ ସତ୍ୟ କରିଲେ ହିଁ ଜୀବନ ସାର୍ଥକ ଓ ସୁନ୍ଦର ହୋଇ ପାରିବ।
ଉତ୍ତମଚରିତ୍ର ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏହାର ଗଠନ ଦିଗରେ ପିକଙ୍କୁ ଯତ୍ନବାନ ହେବାକୁ ପଡିବ। ଆମେ ବିଦ୍ୟାଳୟରେ ପାଠପଢା ସଂଗେ ସଂଗେ ଏସବୁ ଶିଖି ପାରିଲେ ଆମେ ପ୍ରକୃତ ମଣିଷ ବୋଲି ପରିଗଣିତ ହେବା ସହ ସମାଜରେ ସମ୍ମାନ ପାଇବା। କେବଳ ସୃଜନୀ ଶକ୍ତି ଥିଲେ କିଛି ଲାଭ ନାହିଁ , ଯଦି ଆମେ ତାକୁ ଠିକ ଭାବରେ ବ୍ୟବହାର କରି ନ ପରିବା। କଲମ ଯେପରି ଠିପି ବନ୍ଦ ଥିବା ଅବସ୍ଥାରେ କିଛି ଲେଖି ପାରେ ନାହିଁ।
ମୋହିତ ସେଦିନ ଜଳପରି କଥାକୁ ଭଲ ଭାବରେ ବୁଝି ପାରିଲା। ଅଗାଧ ଜଳରେ ଜଳପରି ମୋହିତ କୁ ଜଳରେ ସବୁଆଡେ ବୁଲି ଦେଖେଇଲା। ଜଳର ସୌନ୍ଦର୍ଯ୍ୟ, ମାଛମାନେ ବୁଲୁଥିବାର ଦୃଶ୍ୟ, ଜଳ ମଧ୍ୟରେ ଥିବା ଗଛ ଲତା ଦଳ ଇତ୍ୟାଦି ମୋହିତ କୁ ବହୁତ ଭଲ ଲାଗିଲା।ମୋହିତ ଜଳପରିକୁ ଶପଥ କଲା ଯେ ଆଜିଠାରୁ ସବୁଦିନ ସ୍କୁଲ ଯିବ, ସତ କଥା କହିବ, ଭଲ ମଣିଷ ଟିଏ ହେବ।
ଦମକଳ ସେତେବେଳେ ନଈକୂଳରେ ଖୋଜିବା ଆରମ୍ଭ କରି ସାରିଲେଣି। ମୋହିତ କୁ ଜଳପରି ଆସ୍ତେ ଆଣି କୂଳରେ ଛାଡ଼ିଦେଇ ପୁଣି ପାଣି ଭିତରକୁ ଚାଲିଗଲା। ମୋହିତ କୁ ଦେଖି ସମସ୍ତେ ବହୁତ ଖୁସି ହେଲେ। ମୋହନ ବାବୁଙ୍କ ପାଖେ ମୋହିତ ଶପଥ କରି ଭଲ ମଣିଷ ହେବାକୁ କହିଲା। ସେହିଦିନଠାରୁ ମୋହିତ ସବୁଦିନ ସ୍କୁଲ କୁ ଯାଇ ଭଲ ପାଠ ପଡିଲା। ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିବାରୁ ସମସ୍ତେ ତାକୁ ସବାସୀ ଦେଲେ। ବଡ଼ ହୋଇ ଭଲ ମଣିଷ ଟିଏ ହେଲା। ଯେତେବେଳେ ତାର କିଛି ଆସିବିଧା ହୁଏ ପାଣିକୁ ନଈ ପାଖକୁ ଯାଇ ଜଳପରି କୁ ସବୁକିଛି କହି ଆସେ। ତାର ସବୁ ସମସ୍ୟା ସମାଧାନ ହୋଇ ଯାଏ।