Lalit kumar Swain

Tragedy

3  

Lalit kumar Swain

Tragedy

ସ୍ୱପ୍ନରେ

ସ୍ୱପ୍ନରେ

6 mins
387


ବିନା କିଛି ପ୍ରାପ୍ତିରେ କେବଳ ସ୍ୱପ୍ନ ହିଁ ମୁଖରେ ହସ ଫୁଟାଇବାର ସାମର୍ଥ୍ୟ ରଖିଛି । ଅତ୍ୟଧିକ ଖୁସି କିମ୍ବା ଦୁଃଖରେ ସ୍ୱତଃ ଚାଲିଆସେ ସ୍ୱପ୍ନ। ସେ ଆସିବା ପାଇଁ କାହାର ଅନୁମତି କିମ୍ବା ଆଗ୍ରହର ଆବଶ୍ୟକତା ନାହିଁ। ସ୍ୱପ୍ନ ମଣିଷକୁ କଲବଲ କରେ। ଅବଚେତନ ମସ୍ତିଷ୍କର ସାମୟିକ ଅବସ୍ଥା, ବେଳେବେଳେ ମନୁଷ୍ୟକୁ ବିପଥଗାମୀ କରେଇ ଦିଏ। ଚର୍ମ ଚକ୍ଷୁରେ ଯାହା ଦେଖିବା ଦୁର୍ଲଭ ତାହା ସ୍ୱପ୍ନ ଅତି ସହଜରେ ଦେଖେଇଦିଏ।


ସ୍ୱପ୍ନ କେବେ ମରୁଭୂମିର ଉତ୍ତପ୍ତ ବାଲିରେ ଜଳ ହୋଇ ଝରିପଡ଼େ ତ କେବେ ମହାପ୍ରଳୟରେ ଆଶାର କିରଣ ହୋଇ ଓହ୍ଲାଇ ଆସେ। କେବେ ନିଃଶବ୍ଦ ମନରେ ସଙ୍ଗୀତର ସୁମଧୁର ସ୍ୱର ହୋଇ ଝରି ପଡେ ତ କେବେ ନିରାଶା ମନରେ ଆଞ୍ଜୁଳା ଆଞ୍ଜୁଳା ଆଶା ଖେଳେଇ ଦେଖାଏ ନୂତନ ରାସ୍ତା। ସ୍ୱପ୍ନର ଆୟୁଷ ଆଜି ବେଶୀରେ ସକାଳ ପର୍ଯ୍ୟନ୍ତ ହେଲେ ମଧ୍ୟ ନିଜର ମିଠା ମହକରେ ଅନେକ ଦିନ ପର୍ଯ୍ୟନ୍ତ ମହକିତ କରେ।


ଏସବୁ ଘଟଣା ବ୍ୟତୀତ ବେଳେବେଳେ ବାସ୍ତବ ଜୀବନରେ ଏମିତି କିଛି ମୁହୂର୍ତ୍ତରେ ଆସି ପହଞ୍ଚିଯାଏ, ଯାହାକୁ ପରବର୍ତ୍ତୀ ସମୟରେ ଆମେ ସ୍ୱପ୍ନ ବୋଲି ହିଁ ମନେ କରୁଥାଉ। ସତ୍ୟକୁ ଜାଣି ସୁଦ୍ଧା ସ୍ୱପ୍ନ ବୋଲି ଭାବିବାରେ ହିଁ ନିଜର ଅସ୍ତିତ୍ୱ ରହେ।

ନିଜର ଅତି ଆପଣାର କାହାକୁ ହରେଇ ବସିବା, କେଇ ସେକେଣ୍ଡରେ ଭୂକମ୍ପରେ ସବୁକିଛି ଉଜୁଡିଯିବା, ବାତ୍ୟା ପରବର୍ତ୍ତୀ ନୀରବତା, ବିବାହ ରାତି, ନିଜର ପସନ୍ଦର ମଣିଷ, ବସ୍ତୁ କିମ୍ବା କୃତିକୁ ଜୀବନରେ ପ୍ରଥମ ଥର ଦେଖିବା ଇତ୍ୟାଦି।

ଏସବୁ ଭିତରେ ସ୍ୱପ୍ନର ଅସ୍ତିତ୍ୱକୁ ଖୋଜିବୁଲେ ପି.ଜି. ପଢ଼ୁଥିବା ଛାତ୍ର ତନୁ। ଦର୍ଶନରେ ପିଜି କରୁଥାଏ। ବାପା ପଦ୍ମ ବାବୁ ଜଣେ ବାସ୍ତବବାଦୀ ମଣିଷ।


ତନୁ ପିଲାଟି ଦିନରୁ ସ୍ୱପ୍ନ ଦେଖେ। ଜେଜେମାଆ କହିଥିବା ଚରିତ୍ରଗୁଡିକ ସ୍ୱପ୍ନରେ ଆସି ରାତିରେ ଦେଖା ଦିଅନ୍ତି। ଗପର ଚରିତ୍ର ଗୁଡିକ ଯଦି ହାସ୍ୟାସ୍ପଦ ହୋଇଥାଏ ତ କିଛି ଅସୁବିଧା ନାହିଁ, ଯଦି କାଳ୍ପନିକ ଚରିତ୍ର ଗୁଡିକ ଭୟାନକ ହୋଇଥାଏ ତାହାଲେ ତନୁ ରାତି ଅଧରେ ଉଠିପଡ଼ି ଚିତ୍କାର କରିବାକୁ ଲାଗେ । ସ୍ୱପ୍ନ ଦେଖି ଶେଜରେ ପରିସ୍ରା କରିବା କେବଳ ତନୁ ପାଇଁ କାହିଁକି ଅଧିକାଂଶ ପିଲାଙ୍କ ପାଇଁ ଏକ ସାଧାରଣ କଥା । ବୟସ ବଢ଼ିବା ସହ ତନୁର ଏହିଭଳି ସ୍ୱପ୍ନ ଦେଖିବା ଆସ୍ତେ ଆସ୍ତେ କମି କମି ଗଲା।


ତନୁ ଏବେ ବଡ଼ ହୋଇଗଲାଣି। ପ୍ଲୁସ ଟୁ ପରୀକ୍ଷା ମୁଣ୍ଡ ଉପରେ। ପରୀକ୍ଷାର ଠିକ ପୂର୍ବ ଦିନ ରାତିରେ ଶୋଇ ପଡିଛି। ଅଗଭୀର ନିଦ, ପରୀକ୍ଷା ପାଇଁ ନିଦ ନାହିଁ। ସକାଳୁ ଉଠି ସେ ନଈକୁ ଗାଧେଇବାକୁ ଗଲା ବେଳେ ବାଟରେ ଝୁଣ୍ଟି ପଡିଲା। ଆଜି ନିଶ୍ଚିତ କିଛି ବେଳା ଖରାପ ହେବ ଭାବିକି ହି ଆଗକୁ ବଢ଼ିଲା । ଗଲା ବେଳେ ଝୁଣ୍ଟି ପଡିବା ଅଶୁଭ ବୋଲି ଜେଜେମାଆ ପାଖରୁ ଶୁଣିଛି। ଦଶଟା ବେଳେ ପରୀକ୍ଷା। ଏବେ ଆସି ଆଠଟା ବାଜିଲାଣି। ଭାବିଲା ଜଲଦି ଗାଧେଇକି ଗଲେ ପରୀକ୍ଷାରେ ସମୟ ଥାଇ ପହଞ୍ଚିବ।ନଦୀରେ ପାଦ ଦେଇଛି କି ନାହିଁ, ହଠାତ ନଦୀ ଭିତରୁ ଏକ କୁମ୍ଭୀର ତନୁର ଗୋଡ଼କୁ ଧରି ପକେଇଲା। ତନୁ ଜୋରରେ ଚିତ୍କାର କରିବାକୁ ଲାଗିଥାଏ। କୁମ୍ଭୀର ତନୁକୁ ନଦୀର ଭିତରକୁ ଭିତରକୁ ନେବାକୁ ଲାଗିଥାଏ । ପାଣି ଭିତରେ ତନୁର ଶ୍ୱାସ ରୁଦ୍ଧ ହେବାକୁ ଲାଗିଲାନି। ଗଲେ ପରୀକ୍ଷା ଦେବ। ଏଠି କୁମ୍ଭୀର ପାଟିରେ ନିଜେ। କଣ କରିବ କିଛି ଭାବି ପାରୁ ନଥାଏ। କିଛି ସମୟର ସଂଘର୍ଷ ପରେ ପାଣି ଭିତରର ଶ୍ୱାସରୁଦ୍ଧ ହୋଇ ଜୀବନ ଚାଲିଗଲା। ପରୀକ୍ଷା କଥା ଭାବି ଭାବି ବିଚରା ମରିଗଲା। କୁମ୍ଭୀର ତନୁକୁ ଆଉ ଖାଇଲା ନାହିଁ। ଛାଡିଦେଲା । ତନୁ ପାଣି ଉପରକୁ ଉଠି ଭାସିବାକୁ ଲାଗିଲା। ଗାଆଁର କିଛି ଗାଇଆଳ ତନୁକୁ ଦେଖି ସଙ୍ଗେ ସଙ୍ଗେ ତାକୁ କୂଳକୁ ଆଣିଲେ । ଗାଈ ଜଗୁଆଳିର କିଛି ଚିକିତ୍ସା ପରେ ତନୁର ଜୀବନ ଫେରି ଆସିଲା।


ସେତେବେଳକୁ ସମୟ ଆସି ସାଢ଼େ ଦଶଟା ବାଜିଲାଣି। ପରୀକ୍ଷା ଆରମ୍ଭ ହୋଇ ସାରିଥିବ ଭାବି, ଘରକୁ ଦୌଡ଼ି ଦୌଡ଼ି ଆସିଲା। ସେତେବେଳେ ତାର ପ୍ୟାଣ୍ଟ ଶାର୍ଟ କିଛି ବି ପାଇଲା ନାହିଁ । ଭାବିଲା ଗାମୁଛା ପିନ୍ଧିକି ଆଜି ପରୀକ୍ଷା ଦେବ।ତରବର ହୋଇ କଲମ ଖୋଜିବାକୁ ଲାଗିଲା। କଲମ ପାଇଲା ବେଳକୁ ଆସି ଦିନ ଏଗାରଟା ବଜିଲାଣି। ଏପରି ଅବସ୍ଥାରେ ସ୍କୁଲରେ ପହଞ୍ଚିଲା ବେଳକୁ ପରୀକ୍ଷା ସରି ଯାଇଥିଲା। ତନୁ ଦୁଃଖରେ ଚିତ୍କାର କରିବାକୁ ଲାଗିଲା। ତାର ଚିତ୍କାର ଶୁଣି ଜେଜେମାଆ ଉଠିପଡିଲେ। ଅତି ବ୍ୟସ୍ତ ହୋଇ ଜେଜେମାଆ ଚିତ୍କାରର କାରଣ ପଚାରି ମୁଣ୍ଡ ଆଉଁସି ଦେଲେ। ତନୁ ଦେଖିଥିବା ସ୍ୱପ୍ନ ସବୁ ଜେଜେମାଆଙ୍କୁ କହିଲା। ସେତେବେଳକୁ ସକାଳ ଆରମ୍ଭ ହେଉଛି।

- ଓଃ ତାହାଲେ ତାହା ସ୍ୱପ୍ନ ଥିଲା କହି, ପରୀକ୍ଷା କେନ୍ଦ୍ର ଯିବାକୁ ପ୍ରସ୍ତୁତ ହେଲା।


ପରୀକ୍ଷା ସରିଲା ପରେ ତନୁ ଏସବୁ କଥା ତାର ବାପାଙ୍କୁ କହିଲା। ପଦ୍ମ ବାବୁ ଏସବୁ କଥା ଶୁଣି ଜୋରସେ ହସିବାକୁ ଲାଗିଲେ।ଜଣେ ବାସ୍ତବ ବାଦି ମଣିଷ ହୋଇଥିବାରୁ ଏହାକୁ ଅବଚେତନ ମନର ଏକ ସାଧାରଣ ଅବସ୍ଥା କହି, ନଜର ହଟେଇବାକୁ ଲାଗିଲେ। ଅତ୍ୟଧିକ ପରୀକ୍ଷା ଚାପରେ ଏମିତି ସ୍ୱପ୍ନ ହେବା ଅତି ସାଧାରଣ ବୋଲି ମନ୍ତବ୍ୟ ଦେଲେ। ସେ ଯାହା ହଉ ତନୁର ତାହା ସ୍ୱପ୍ନ ଥିବା ଭାବି ନିଜକୁ ଅସ୍ୱସ୍ତି ଅନୁଭବ କରିଲା। ଏମିତି ପ୍ଲସ ଟୁ ସାରି ପ୍ଲସ ଥ୍ରୀରେ ପାଠ ପଢୁଥାଏ।


ଏମିତି ଏକ ଅଳ୍ପ ଶୀତୁଆ ସନ୍ଧ୍ୟା। ସକାଳ ପାଇଲେ କଲେଜ ଇଲେକ୍ସନ ହେବ। ଆଠ ଟାରେ କଲେଜରେ ପହଁଞ୍ଚିଲେ ଫ୍ରେଶ କ୍ୟାମ୍ପେନିଙ୍ଗ ହୋଇଯିବ ।ଏହା ଭାବି ଭାବି ସେସିନ ଜଲଦି ଶୋଇପଡିଥାଏ। ସକାଳୁ ଉଠି ଜଲଦି ଜଲଦିରେ କଲେଜ ବାହାରିବା ପାଇଁ ଲାଗିଥାଏ। ହଠାତ ବାପା ଫୋନ କଲେ।

- କୋଉଠି ଅଛୁ ?

- ଘରେ ଅଛି?

-ଆଲମାରୀରୁ ଟଙ୍କା ନେଇ ଜଲଦି ହସ୍ପିଟାଲ ଆସେ।

ତନୁ ନିଜର ମାନସିକ ସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରୁଥାଏ। କଲେଜ ଯିବାକୁ ଲେଟ ହେଲାଣି। ବାପା ଓଲାଉଠା ରୋଗ ଯୋଗୁଁ ଖଟିଆ ଜଏନ ହୋଇଛନ୍ତି। ସାଲାଇନ ଲାଗିଛି। ବାପାଙ୍କ ଜୀବନ ବଞ୍ଚେଇବାକୁ ପ୍ରାଧାନ୍ୟ ଦେଇ ଦୌଡ଼ିଲା ହସ୍ପିଟାଲ କୁ। ସକାଳୁ ସକାଳୁ କିଛି ବଦମାସ ଜାତୀୟ ଲୋକ ଜାଣିବାକୁ ପାଇଲେ ତନୁ ଟଙ୍କା ନେଇ ହସ୍ପିଟାଲ ଯାଉଛି। ଇଲେକ୍ସନର ବିରୋଧୀ ଗୋଷ୍ଠୀ ତନୁକୁ କଲେଜ ଯିବାରେ ପ୍ରତିବନ୍ଧକ ଲଗେଇବା ପାଇଁ ଏମାନଙ୍କୁ ପଠେଇଛନ୍ତି। ତନୁ ସେମାନଙ୍କୁ ଯେତେ ଅନୁରୋଧ କଲେ ବି ସେମନେ ଜୋର କରି ତାର ଟଙ୍କା ଓ ବାଇକ ଉଭୟ ଛଡେଇ ନେଇ ଚାଲିଗଲେ। ନିଜର କ୍ରୋଧକୁ କାବୁ କରି ପାରିଲା ନାହିଁ ତନୁ। ସେମାନଙ୍କ ପଛେ ପଛେ ଦୌଡ଼ି ଧରିବାକୁ ଉଦ୍ୟମ କଲା। ଦୌଡ଼ିବା ସମୟରେ ଜଣେ ଲୋକ ରାସ୍ତା କଡରେ ଗାଡି ରଖି ପରିସ୍ରା କରୁଥିଲା। ତାର ଗାଡିକୁ ନେଇ ସେ ତାଙ୍କୁ ପିଛା କରିବାକୁ ଲାଗିଲା। ଅନେକ ସମୟର ସାପ ସିଡ଼ି ଖେଳ ପରେ ସେମାନଙ୍କୁ କାବୁ କଲା। ଚଳଚ୍ଚିତ୍ରରେ ଫାଇଟ ହେଲା ଭଳି ଘମାଘୋଟ ଫାଇଟ ହେଲା। ଶେଷରେ ଗୁଣ୍ଡାମାନେ ଗାଡିରୁ ଧାରୁଆ ଅସ୍ତ୍ର ବାହାର କରି ତନୁ ଉପରକୁ ଆକ୍ରମଣ କରିବାକୁ ଲାଗିଲେ। କ୍ଷତାକ୍ତ ଅବସ୍ଥାରେ ତନୁ ଦୌଡ଼ିବାକୁ ଲାଗିଲା। ସେପଟେ ହସ୍ପିଟାଲରେ ବାପା ବାରମ୍ବାର ଫୋନ, ଏପଟେ କଲେଜ ଇଲେକ୍ସନ। ମଝିରେ ତନୁର ଜୀବନ। କିଛି ଉପାୟ ନ ପାଇ ବାଧ୍ୟ ହୋଇ ତନୁ ଏକ କାଠ ଫାଳିଆରେ ସେମାନଙ୍କୁ ପିଟି ପିଟି ହତ୍ୟା କଲା। ସେତେବେଳକୁ ଇଲେକ୍ସନ ସନ୍ଧ୍ୟା ହୋଇ ସାରିଛି। ଇଲେକ୍ସନ ସରି ବିରୋଧୀ ଗୋଷ୍ଠୀ ବିଜୟ ଟୀକା ପିନ୍ଧି ସାରିଛନ୍ତି। ରକ୍ତାକ୍ତ ସଂଘର୍ଷ ପରେ ହସ୍ପିଟାଲକୁ ଆସି ଦେଖିଲା ବେଳକୁ ବାପା ଆଉ ନାହାନ୍ତି । ବାପା ବାପା ବୋଲି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା।


 ବାପାଙ୍କ ନିଦ ଭାଙ୍ଗିଗଲା। କଣ ହେଲା ବୋଲି ପ୍ରଶ୍ନ କରିବାରୁ ଖରାପ ସ୍ୱପ୍ନ ଦେଖି ଡରିଗଲି ବୋଲି ତନୁ କହିଲା। 

- ବେକାର ଚଳଚ୍ଚିତ୍ର ଦେଖି ଆଡୁ ସାଡୁ ସ୍ୱପ୍ନ ଦେଖୁଛୁ। ଯା ଆଜି ତୋ କଲେଜ ଇଲେକ୍ସନ। ରେଡି ହେବୁ।

ତନୁ କଲେଜ ଇଲେକ୍ସନ ପାଇଁ ବାହାରି ପଡ଼ିଲା।


ଏହିଭଳି ତନୁ ସ୍ୱପ୍ନରେ ସ୍ୱପ୍ନରେ ଅନେକ କିଛି ଦେଖିଦିଏ। କେବେ ଅଜବ ଜିବ ସହ ବନ୍ଧୁତା ତ କେବେ ସାପ ଗୋଡେଇବା। କେବେ ଭୁତ ପ୍ରେତ ତ କେବେ ନିଜର ଅପୁରାଣୀୟ କ୍ଷତି। ।କେବେ ନିଜ କଲେଜର ସବୁଠାରୁ ସୁନ୍ଦରୀ ଝିଅ ସହ ଭଲ ପାଇବାର ସ୍ୱପ୍ନ। ଏମିତି ନିତିଦିନିଆ କଥା। ବେଳେବେଳେ ଅତ୍ୟଧିକ ବର୍ଷା ଭିଜା ମନ, ଅତ୍ୟଧିକ ଚାପ, ଚାହୁଁନଥିବା ଅଘଟଣ ଏଭଳି ଅନେକ କିଛି ସତ ଘଟଣାକୁ ସ୍ୱପ୍ନ ବୋଲି ଭାବିଦିଏ।


ଆଉ ଏକ ନିରବ ସକାଳ। ନଅଟା ବାଜିଲେ ହୋଲି ଖେଳ ଆରମ୍ଭ ହେବ। ରଙ୍ଗ କିଣିବାକୁ ବଜାରକୁ ଯାଇଥାଏ। ହଠାତ ପାଗରେ ଅନେକ ପରିବର୍ତ୍ତନ ଆସିଲା। ଜୋରସେ ଘଡଘଡି ସାଙ୍ଗକୁ ବର୍ଷା ଆରମ୍ଭ ହେଲା। ଆକାଶର କଳା ବାଦଲ ଓ କୋହଲା ପବନ ତାକୁ ଜୋରରେ ଅନୁଭୂତ ହେଉଥାଏ।ବଜାର ଠାରୁ ଘର ଟିକେ ଦୂର ହୋଇଥିବାରୁ ବର୍ଷା ଛାଡିବା ଯାଏ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଲା। ସମୟ ଗଡି ଚାଲିଥାଏ, ବର୍ଷାର ମାତ୍ରା ବଢ଼ି ବଢ଼ି ଚାଲିଲା କିନ୍ତୁ କମିବାର କୌଣସି ସୁଯୋଗ ନଥିଲା। ସେପଟେ ସାଙ୍ଗମାନଙ୍କର ବାରମ୍ବାର ଫୋନ। ଗାଁରେ ବର୍ଷା ନାହିଁ। ଜଲଦି ଆସିଲେ ହୋଲି ଖେଳ ହେବ । ଏଣେ ବର୍ଷାରେ ଗଲେ ରଙ୍ଗ ଆଉ ରଙ୍ଗ ହୋଇ ରହିବ ନାହିଁ। 


କିନ୍ତୁ ସମୟ ଗଡି ଗଡି ଯାଇ ଦଶଟା ବାଜିବାରୁ ଓଦା ହୋଇ ହୋଇ ଯିବାକୁ ବାହାରିଲା। ରଙ୍ଗ ଗୁଡିକୁ ଜରିରେ ବାନ୍ଧି ବାହାରି ପଡ଼ିଲା ଗାଆଁ ଅଭିମୁଖେ। ଅତ୍ୟଧିକ ବର୍ଷାରେ ତାର ରଙ୍ଗ ଗୁଡିକ ପାଣିରେ ମିଶି ଧୋଇଗଲା। ପୁରା ପୁରା ଭିଜିଗଲା ବର୍ଷାରେ। ଅତ୍ୟଧିକ ଭିଜି ଯାଇଥିବାରୁ ଦେହ ଥରୁଥାଏ। ରାସ୍ତା କଡ଼ ଏକ ଦୋକାନରେ ହୋଲି ପାଇଁ ବଟା ଭାଙ୍ଗ ଦିଆ ଯାଉଥିଲା। ସେଥିରୁ ଦୁଇ ଗ୍ଲାସ ପିଇ ଦେଇ କହିଲା ଆଜି ହୋଲି ଜମିବ। ହୋଲି ଖେଳିବାର ଇଚ୍ଛା ତାକୁ ସତେ ଯେପରି ପାଗଳ କରି ଦେଇଥିଲା। ହଠାତ ବର୍ଷା ଛାଡି ପାଗ ପୂର୍ବ ଅବସ୍ଥାକୁ ଫେରି ଆସିଲା। ପୁଣିଥରେ ରଙ୍ଗ କିଣିବାକୁ ତନୁ ବଜାରକୁ ଫେରିଗଲା।।


କିଛି ବାଟ ଯାଇଛି। ବଜାର ଆଉ ଅଳ୍ପ ବାଟ ଅଛି। କିଛି କଲେଜ ପଢୁଆ ପିଲା ହୋଲି ଖେଳୁଥିଲେ। ତନୁକୁ ଦେଖି ଅଟକାଇ ତାର ଦେହ ସାରା ହୋଲି ବୋଲିଦେଲେ। ତନୁ ବ୍ୟସ୍ତ ଥିଲା ଗାଁକୁ ଯିବାକୁ। ବର୍ଷlରେ ଭିଜି ଭିଜି ଦେହ ବତୁରି ସାରିଥିଲା। ଭାଙ୍ଗର ନିଶା ଆସ୍ତେ ଆସ୍ତେ ତା ଉପରକୁ ଛାଡିବାରେ ଲାଗିଥିଲା। ଏସବୁ ରଙ୍ଗ ବୋଳା ବୋଲି ତାକୁ ଆଦୌ ପସନ୍ଦ ହେଲା ନାହିଁ। ଭୀଷଣ ରାଗିଯାଇ ସେ ପିଲାମାନଙ୍କ ସହ ଝଗଡା କରିବାକୁ ଲାଗିଲା। ଅନେକ ଗୁଡିଏ ପିଲା ଥିଲେ। ଝଗଡା ବଢୁ ବଢୁ ବହୁତ ବଢିଗଲା। କଥା ହାତ ଉଠାଉଠି ଯାଏ ଗଲା। ଉତ୍ତ୍ୟକ୍ତ ପିଲା ମାନେ ତନୁର ଗାଡିକୁ ବାଡେଇ ଭାଙ୍ଗିଦେଲେ । ତନୁ ନିଜ ଉପରୁ ନିୟନ୍ତ୍ରଣ ହରେଇ ଜୋରସେ କାନ୍ଦିବାକୁ ଲାଗିଲା। ପାଖରେ ପଡିଥିବା ଏକ ଧାରୁଆ ଅସ୍ତ୍ରରେ ସେମାନଙ୍କୁ ପିଟିବାକୁ ଲାଗିଲା। ମାନସିକ ଭାବେ ସୁସ୍ଥ ନଥିବା କାରଣରୁ ସେମାନଙ୍କୁ ପିଟି ଚାଲିଲା ପିଟି ଚାଲିଲା।


ଘଟଣା ସ୍ଥଳରେ ଅନେକ ଲୋକ ରୁଣ୍ଡ ହୋଇ ଗଲେଣି। ପିଟୁଥିବା କଲେଜ ପିଲାମାନଙ୍କ ଭିତରୁ ଜଣକ ଜୀବନ ବି ଚାଲି ଗଲାଣି କିନ୍ତୁ ତନୁ ପିଟି ଚାଲିଛି ପିଟି ଚାଲିଛି। ଘଟଣା ଦେଖି ପାଖରେ ଥିବା ଲୋକ ମାନେ ପୋଲିସକୁ ଖବର ଦେଲେ। ପୋଲିସ ଆସି ତନୁକୁ ବାନ୍ଧି ନେଇଗଲା ଜେଲକୁ। ପ୍ରଥମ ଥର ଜେଲ ଦେଖି ତାକୁ ଭାରି ଡର ଲାଗୁଥାଏ। ପୋଲିସ ଯେତେବେଳେ ତାକୁ ପିଟିବାକୁ ଲାଗିଲା, ତନୁ ଆଖି ବନ୍ଦ କରି ଜୋରସେ ଚିତ୍କାର କରିବାକୁ ଲାଗିଲା------

ବୋଉଲୋ, ବୋଉଲୋ... ଆଖି ଖୋଲି ଦେଖିଲା ବେଳକୁ ବୋଉ ସେଠାରେ ନାହିଁ।

ତନୁ ପୁଣି ଆଖି ବନ୍ଦ କରି ଖୋଲିଲା।।।।।

ଦେଖିଲା ବାପା ବୋଉ ସମସ୍ତେ ଅଛନ୍ତି। ଟିକେ ଅସ୍ୱସ୍ତି ଅନୁଭବ କଲା। ବାପା ବୋଉଙ୍କ କରୁଣ ଚାହାଣୀ ତାକୁ ବିଚଳିତ କରୁଥାଏ। ତନୁ କିଛି ବୁଝି ପାରିଲା ନାହିଁ। ସବୁବେଳେ ତ ମୁଁ ସ୍ୱପ୍ନ ଦେଖି ଚିତ୍କାର କଲେ ବାପା ବୋଉ ଆସି ମୁଣ୍ଡ ଆଉଁସି ଦିଅନ୍ତି। ହେଲେ ସେମାନେ ସେଠି କାହିଁକି ମନ ଦୁଃଖରେ ଠିଆ ହୋଇଛନ୍ତି। ନିଜକୁ ଦେଖିଲା।

ନିଜ ଚାରିପାଖକୁ ଦେଖିଲା। 

-ତାହାଲେ ଏଇଟା ସ୍ୱପ୍ନ ନଥିଲା, ସତ ଥିଲା। ମୁଁ କଣ ସ୍ୱପ୍ନ ଭାବି ସତରେ ମଣିଷ ମାରି ଦେଇଛି। 



Rate this content
Log in

Similar oriya story from Tragedy