The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Bibhu Samanta

Romance Tragedy Fantasy

3  

Bibhu Samanta

Romance Tragedy Fantasy

ଲୁଡୁଖେଳ 3.0

ଲୁଡୁଖେଳ 3.0

4 mins
110


ଏବେ ସେଠି ଫୁଟିଥିବ ନାଲି ନାଲି କୃଷ୍ଣଚୂଡ଼ା। ଆମ୍ବ ଗଛରେ ଝୁଲୁଥିବ ସବୁଜ ରଙ୍ଗର କଞ୍ଚା ଆମ୍ବ।ବାଡିର ହଳଦୀ କନିଆରୀ ନିଠେଇ କହୁଥିବ 'ତୋର କଣ ମନେପଡୁନି ଆମ ଗାଁ କଥା'! ଆଉ ତା ନୀଳ ଓଢଣୀ ଉଡୁଥିବ ଫରଫର ହୋଇ ଚୈତାଳି ବାଆ ରେ। ଆଉ ତା କଜଳ ଲଗା ଆଖି ଦୁଇଟି ଖୋଜିଥିବ ମୋ ଫେରିବା ବାଟକୁ। ଆଉ ମୁଁ ବି ମାମୁଁ ଘର ଯିବାକୁ ଦିନ ଗଣୁ ଥିବି ଛୁଟି ହେବା ପରଠୁ।


ବସ୍ ରୁ ଓହ୍ଲେଇ ଗାଁ ର ମୋରମ ରାସ୍ତା ରେ ଚାଲିଲା ବେଳେ ଗଛଲତା ମୋତେ ପରିହାସ କରୁଥିବେ ତା ନାଁ ରେ। ନହୁଲି ବୟସର କାଉଁରୀ ଛୁଆଁରେ ସେ ସଜଫୁଟା କଳିଟିଏ। ସେ ଠିଆ ହୋଇଥିବ ସେଇ ପୋଖରୀ ତୁଠରେ ଓସ୍ତ ଗଛକୁ ଆଉଜି। ରାସ୍ତା ଉପରେ ନଜର ବିଛେଇ ଅପଲକ ନୟନରେ ମୋ ଆସିବା ବାଟ ଚାହିଁ। ମତେ ଦେଖି କାହିଁକି କେଜାଣି ତା ଗୋରା ମୁହଁରେ ପୋଖରୀର ପଦ୍ମ ପରି ହସ ଫୁଟି ଉଠେ। ଆଉ ସେ ଧାଇଁ ଯାଏ। ବିଜୁଳି ପରିକା। ଖବର ପହଞ୍ଚେ ମାଇଁଙ୍କ ପାଖେ। ତାକୁ ବି ଥଟ୍ଟା କରନ୍ତି ମୋ ନାଁରେ। ସେ ଲାଜରେ ଝରିପଡେ, କାଲିର କାକରଭିଜା ଗୋଲାପ ପାଖୁଡା ପରି। ସମୁଚିତ ଉପଚାର ଓ ଅଭ୍ୟର୍ଥନା ଭିତରେ ନଇଁ ସଞ୍ଜ ଆସେ। ଚଉରା ମୂଳେ ଜଳି ଉଠେ ସଂଜବତୀ ଆଉ ଠାକୁର ଘରୁ ଭାସି ଆସେ କର୍ପୂର ଝୁଣାର ମହମହ ବାସ୍ନା। ଆଉ ଶୁଭୁଥାଏ ସାମୁହିକ ପ୍ରାର୍ଥନାର ସ୍ୱର ।


ମାମୁଁଙ୍କ ପଡିଶା ଘର ଝିଅ ବୋଲି ତାର ଅବାଧ ପ୍ରବେଶ ମାମୁଁ ଘରେ। ମାଇଁଙ୍କୁ ରୋଷେଇରେ ସାହାଯ୍ୟ କରୁଥାଏ ସେ। ଆଉ ଥରକୁ ଥର ଆସି ମୋତେ ଦେଖି ଯାଉଥାଏ ପରଦା ଫାଙ୍କ ରୁ। ଘଣ୍ଟା ଦେଖିବା ବାହାନାରେ। ମୋ ସହ ଆଖି ମିଶିଗଲେ ଲାଜରେ ମଥା ନଇଁ ହସିଦିଏ । ଇଚ୍ଛା ହୁଏ ତା ହାତ ଧରି ଟାଣି ଆଣନ୍ତି କି ପାଖକୁ। ଖୁବ୍ ପାଖରୁ ଦେଖନ୍ତି ତା ନାକ ଗୁଣା ଲଗା ସୁନ୍ଦର ମୁହଁକୁ। ତା ଓଢଣୀକୁ ଓଢଣା କରି ସଜେଇ ଦେଖନ୍ତି ଘଡ଼ିଏ। ସେ ଧରା ଦିଏନି କେବେ। ଭାବନାରେ ବିରାମ ଦେଇ କରେଣ୍ଟ ଚାଲିଯାଏ। ଜଳି ଉଠେ ଲଣ୍ଠନ। ଲଣ୍ଠନ ଆଲୁଅରେ ସେ ଦିଶେ ମନ୍ଦିରର ପିତ୍ତଳ ରାଧା ମୂର୍ତ୍ତି ପରି ସୁନେଲି ସୁନେଲି। ଦାଣ୍ଡ ପିଣ୍ଡାରେ ଲଣ୍ଠନ ଆଲୁଅରେ ମଶିଣା ପାରି ଆରମ୍ଭ ହୁଏ ଲୁଡୁୁଖେଳ। ମାଇଁ ମୁଁ ସେ ଆଉ ସାନ ଭାଇ ସିପୁନ ସହ। ଏ ଲୁଡୁଖେଳଟା ଭାରି ବିଚିତ୍ର। କାହାର କ'ଣ କେତେବେଳେ ହେବ କହି ହେବନି। ବେଳେ ବେଳେ ଡାକୁଥିବା ଦାନଟି ପଡିଯିବ ପ୍ରତିପକ୍ଷ ସାର ମରିଗଲେ ସେ ଖୁସିରେ ନାଚି ଉଠିବ। ଆଉ ଯେବେ ନ ପଡିବ, ବିରକ୍ତ ହୋଇଯିବ ସେ। ମୋ ଦାନ ପଡିଲା ବେଳେ ସେ କେତେ ଠାକୁରାଣୀ ମାନକୁ ଡାକୁଥିବ,ଗାଁ ର ହିଙ୍ଗୁଳା, ଖଣ୍ଡୁରୀ ଠୁ ଆରମ୍ଭ କରି ତାରିଣୀ ଗୋଜବାୟଣୀ ଯାଏ। ବିଶ୍ୱାସକୁ ଏମିତି ବାଜି ଲଗାଏ ମଣିଷ। ସାରଟିଏ ଘରୁ ବାହାରିଲା ପରେ ପାଚିବା ଯାଏ ଯାତ୍ରା । ଅନ୍ୟ ସାର ମାନଙ୍କ ଗହଳି ଭିତରୁ ନିଜ ସାରକୁ ସୁରକ୍ଷା କରି, ପଚେଇବାର କୌଶଳ ହିଁ ମୁଖ୍ୟ। କେତେବେଳେ ମାରିବାକୁ ହୁଏ କେତେବେଳେ ମରିବାକୁ ହୁଏ। ପୁଣି ଦାନର ଅନିଶ୍ଚିତତା ଭିତରେ। ଏଇଟା କଣ ଜୀବନ ନୁହେଁ? ସମୟ ପା ଏଠି ଲୁଡୁପାଲି ଆଉ ଜୀବନ ସାର।


କର୍ମଫଳ ଏଠି ଦାନା। କିଏ ଏଠି ପାର ହୁଏ କିଏ ପୁଣି ହାରିଯାଏ। ଖେଳ ଆରମ୍ଭ ହୁଏ, ସେ ବସିଥାଏ ମୋ ବାମ ପାଖେ।ସମସ୍ତଙ୍କ ଅଲକ୍ଷ୍ୟରେ ମୁଁ ହାତ ରଖିଦିଏ ତା ହାତ ଉପରେ। ସେ ମୁଣ୍ଡ ଟେକି ଚୁଟି ସଜାଡି ମୋତେ ଚାହେଁ। ହସି ଦେଇ ବିଞ୍ଚିଦିଏ ଆଞ୍ଜୁଳାଏ ମଲ୍ଲୀଫୁଲ କିନ୍ତୁ ହାତ ଘୁଞ୍ଚାଏନି। ଖେଳ ମୋ ପାଇଁ ଯେ ଗୋଟେ ବାହାନା। ଉଦ୍ଦେଶ୍ୟ ତା ସାନ୍ନିଧ୍ୟ। ସମସ୍ତେ ମଜ୍ଜିଥାନ୍ତି ଖେଳରେ। ମୋ ସାର କେତେ ମରେ କେତେ ବାହାରେ ମୁଁ ହିସାବ କରିନି। ମାଇଁ ଚଳାନ୍ତି ମୋ ପାଇଁ, ଏମିତି ତ କେତେ ଥର ହେଇଛି ତା ସାରକୁ ଅପେକ୍ଷା କରି ପାଚିବାକୁ ଥିବା ସାରଟି ମରି ଯାଇଛି। ସେ ମତେ ଇସାରାରେ କହେ, ଖେଳରେ ଧ୍ୟାନ ଦେବାକୁ। ହେଲେ ସେ କି ଜାଣେ, ଏବେ ମୋ ଧ୍ୟାନର କେନ୍ଦ୍ରବିନ୍ଦୁଟି ସେ। ତାରି ଚାରିପଟେ ବୁଲୁଛି ମୋର ଏ ପାଗଳ ମନଟା। ବେଳେବେଳେ ଏମିତି ବି ହୁଏ ଖେଳରେ, ଗୋଟେ ଘରେ ତା ସାର ଆଉ ମୋ ସାର ଏକାଠି ବସିଥାଏ। ମୁଁ ସେତେବେଳେ ତାକୁ ଦେଖୁଥାଏ। ତା ଆଖିରେ ଖୁସି ଝଲକୁଥାଏ। କୌଣସି ପରିସ୍ଥିତିରେ ଅଲଗା ହେଲେ ସେ ବିବ୍ରତ ହୋଇ ଯାଉଥାଏ। ସତ କୁହ ଏମିତି କାହିଁକି ହୁଏ? ତା ନାଲି ସାର ପଛେ ପଛେ ମୋ ନୀଳ ସାର ବୁଲୁଥାଏ। ଏତେ ସାର ଭିଡରେ ମୋ ସାର କାହିଁ ତା ପାଖକୁ ଚାଲିଯାଏ? ପୁଣି କେବେ ମୁଁ ଆଗେ କେବେ ସେ। ଇଚ୍ଛା ହୁଏ ଏ ଖେଳ ଏମିତି ଚାଲୁ ଥାନ୍ତା। ହେଲେ ଖେଳ ଆରମ୍ଭ ହୁଏ ମାନେ ସରେ । ସେ ତା ଘରେ ପାଚି ଯାଏ ଆଉ ମୋର ମାଡ଼ ଖାଇ ଘରୁ ବାହାରି ପାରେନା। ସେମିତି ଦାନା ପଡେନା। ମୁଁ ହାରିଯାଏ ଲୁଡୁ ଖେଳରେ। ହାରିବାର ଜିମା ମୁଁ ନେଇ ଥାଏ ସବୁବେଳେ। ସେ କଣ ଜାଣେ, ମୁଁ ତ ହାରିବା ପାଇଁ ଖେଳୁଥାଏ। ହାରିବାର ମଧୁର ସ୍ମୃତି ମାନଙ୍କୁ ଧରି ମୁଁ ଫେରି ଆସେ ପୁଣି ବର୍ଷେ ପରେ ଫେରିବାର ପ୍ରତିଶୃତି ଦେଇ। ତା ନରମ ଆଖିପତା ନଇଁ ରହେ ନୀରବ ଯନ୍ତ୍ରଣାରେ। ପୁଣି ବଦଳେ ଋତୁ ଆଉ ମୁଁ ଲେଉଟେ କଥା ରଖିବାକୁ। ସବୁ କିଛି ସେମିତି ଥାଏ, ଖାଲି ଉଡୁ ନଥାଏ ତା ବାସ୍ନା ଭରା ରେଶମୀ ଓଢଣୀଟା। ସେ ଚାଲିଗଲା ଏମିତି ସମସ୍ତଙ୍କୁ ଚମକେଇ କେହି କିଛି ବୁଝିବା ଆଗରୁ। ମୋ ଲୁଡୁପାଲିର ଲାଲ ସାରଟି ଆଜି ଲୁଚି ବସିଛି ଗୁମ୍ ମାରି। ଆଉ ମୁଁ ବେସାହାରା ହୋଇ ଯାଇଛି କଟି ଯାଇଥିବା ଗୁଡି ପରି। ମୋ ନୀଳ ସାର ଦୁଃଖରେ ବତୁରୀ ଅପେକ୍ଷା କରିଥିଲେ ତା ଫେରିବା ବାଟକୁ। ମାଇଁଙ୍କ ଆଖିରେ ଲୁହ ସବୁ ପୋଖରୀର ପଦ୍ମ ପତ୍ରରେ ବିନ୍ଦୁଏ କାକର ଟୋପା ତା ପାଇଁ। ଏବେ ସେ ଆସେ ପୁଣି କରେଣ୍ଟ ଚାଲିଗଲେ ଚୁପ୍ ଚୁପ୍ ପାଦ ଚିପି ଏକାନ୍ତରେ ସେଇ ଦାଣ୍ଡ ପିଣ୍ଡାକୁ ସଞ୍ଜବତୀ ଜଳି ସାରିଲା ପରେ ସେଇ ଝୁଣାର ବାସ୍ନାରେ।ସେ ଦିଶେ ଆହୁରି ନିରୀହ ଆହୁରି କରୁଣ, ଯେମିତି ଲିଭିଯାଇଛି ମନରୁ ସବୁ ଲିପ୍ସା। ପୃଥିବୀଟା ତା ପାଇଁ ଯେମିତି ଲୋକ ସବୁ ତା ପାଇଁ ପ୍ରଶ୍ନ ଭୁଲି ଯାଇଛି ସବୁ କିଛି ସେ। ମୁଁ ଏବେ ତା' ର ଏକାନ୍ତ ନିଜର , ଏବେ ବି ସେ ଲୁଡୁ ଖେଳୁଛି ଏକାଏକା ସେଇଠି, ହସି ହସି ମୋତେ କହୁଛି,  " ଦେଖୁଛ, ମୋର ଦାନା ପଡୁନି, ଆଉ ମୋ ଶେଷ ସାରଟା ପାଚୁନି,   ସେ ପାଚୁନି କି , ମୁଁ ଘରକୁ ଯାଇ ପାରୁନି" ମୁଁ ନିଜକୁ କହୁଥିଲି, ସେ ପାଚିବ ନିଶ୍ଚୟ ! ଆମେ ଦୁହେଁ ମିଶି ପଚେଇ ଦେବା ଆଉ ଫେରିଯିବା ପୁଣି ସେଇ ପୋଖରୀ ପାଖ ଓସ୍ତ ଗଛ ମୂଳକୁ। ଖେଳିବା ଆମେ ଲୁଡୁ ଯେଉଁଠି ତୁ ଦାନ ହୋଇ ପଡୁଥିବୁ ଆଉ ମୁଁ ସାର ହୋଇ ଚାଲୁଥିବି। କାଳ ବୈଶାଖୀ ଆକାଶରେ ଅଦିନ ମେଘ ଆଉ ତାରି ଭିତରୁ ସୂର୍ଯ୍ୟ ଚମକୁ ଥିଲା ଠିକ୍ ତା ନାକର ଗୁଣା ପରି।


Rate this content
Log in

More oriya story from Bibhu Samanta

Similar oriya story from Romance