Chinmayee Sahoo

Romance

5.0  

Chinmayee Sahoo

Romance

ଲୋଭ ଯୋଗୁଁ ଦୁର୍ଦ୍ଦଶା

ଲୋଭ ଯୋଗୁଁ ଦୁର୍ଦ୍ଦଶା

5 mins
496


       ଚନ୍ଦ୍ରମା ର ଆଲୋକରେ ପତି ପତ୍ନୀ ଦୁହେଁ ବୃକ୍ଷ ଡାଳରେ ବସି ଶୀତ ଲହରୀ ସ୍ପର୍ଶ ରେ ଥର ଥର ହୋଇ ଆଳାପ କରୁଛନ୍ତି। ତାଙ୍କର ଶାବକ ମାନେ ବସାରେ ନିଦ୍ରା ଗତ। ମାଆ ବାପା ଦିନଯାକର ଘଟଣା ଯାହା ଘଟିଛି ଦୁହିଁଙ୍କ ସହ ଦୁହେଁ ଆଲୋଚନା ସାରି ଶୋଇବେ। ବାଲିଶୁଆ ପକ୍ଷୀଟି ପତ୍ନୀ ସହ କଥା ହେଉଥାଏ। ଜାଣିଲ ମିତ,...କେମିତି ବିତିବ ଏ ସନ ଶୀତ

ପକ୍ଷୀଣୀ -ହଁ ପରା ଭାରି ଡର ଲାଗୁଛି ।

ଏତେ ଥଣ୍ଡା ରେ କେମିତି ଜୀବନ ଧରିବ ଯେ। ହଉ ଛାଡ଼। ଯାହା ହେବ ସମସ୍ତଙ୍କ ପାଇଁ ହେବ ଆଉ ଆମକୁ ବି ସାମ୍ନା କରିବାକୁ ‌ହେବ। ଚିନ୍ତା ତ ଲାଗିରହିଛି ସବୁବେଳେ, ମାତ୍ର ତମ ସହ ବିତାଉଥିବା ପ୍ରତି ମୁହୁର୍ତ୍ତ କୁ ମୁଁ ଖୁସି ରେ ବିତାଇବାକୁ ଚାହେଁ ମିତ। ଏ ଅଯଥା କଥା କହି ସମୟ ନଷ୍ଟ କର ନାହିଁ। କିଏ ଜାଣେ ପର ମୁହୂର୍ତରେ କ'ଣ ଘଟିବ ? ପ୍ରେମ ସ୍ନେହର କିଛି ମୁହୁର୍ତ୍ତ ଜୀବନକୁ ପରିପୂର୍ଣ୍ଣ କରେ। ତମେ ସାଥୀରେ ଥିବାରୁ ଏ ଚାନ୍ଦିନୀ ରାତି ମଧୁମୟ ଲାଗୁଛି। ତେଣୁ

 ଦୁହେଁ ଦୁହିଁଙ୍କ ଠି ହଜିଯିବା ,

ପ୍ରୀତି ବନ୍ଧନରେ ବନ୍ଧିଯିବା 

ପ୍ରେମ ପରଶରେ ମଜ୍ଜିଯିବା

ପ୍ରେମର ପିଆଲା 

    ମଧୁଠୁ ମଧୁର

    ସେ ନିଶାରେ ଦୁହେଁ ଝୁମିଯିବା

 

ପକ୍ଷୀ:- ହେ ପ୍ରେମ ସଙ୍ଗିନୀ

       ହେ ରାସ ରଙ୍ଗିନୀ

       ଋଣୀ କଲ ତୁମ ପ୍ରେମ ଦାନେ

      ପିତୃତ୍ୱ ର ସୁଖ 

      ଦେଇ ନେଲ ଦୁଃଖ

       ଅବଶୋଷ ଥିଲା ଯା' ଜୀବନେ


ଧନ୍ୟ ହେଲି ପାଇ ମୁଁ ତୁମକୁ

 ସବୁ ଜନମରେ ସାଥୀ ହୁଅ ତୁମେ

ଗୁହାରି କରେ ସେ ବାଧାତା ଙ୍କୁ


ପକ୍ଷୀଣୀ:- ବିତିଯାଉ  ଜନ୍ମ ଜନ୍ମ ମୋର

      ତୁମେ ମୋର କାମ୍ୟ ମୁଁ ତୁମର

      ତୁମେ ଥିଲେ ସାଥେ 

       ଏ ଜୀବନ ପଥେ

      ସହି ଯିବି ଦୁଃଖ ଦୁନିଆର 


    ହେ ମୋର କାନ୍ତ

    ନ ହୁଅ ଶାନ୍ତ

    ତୁମ ପ୍ରେମ ପାଇଁ ମନ ଉନ୍ମତ୍ତ


    ତୁମ ପକ୍ଷେ ଚିର ଶାନ୍ତି ମୋର

    ଜୀବନ ଠୁ ବଳି ତୁମେ ପ୍ରୀୟତମ

    ଦିଅ ମଦିର ସ୍ପର୍ଶ ତୁମର


     ତା 'ପରଦିନ ଦିବାକର ଆଗମନରେ ପକ୍ଷୀଣୀ ଟି ଉଠି ପକ୍ଷୀ କୁ ଜାଗ୍ରତ କରାଇଲା । ଶିଶୁ ଶାବକ ମାନଙ୍କର ଖାଇବା ପାଇଁ ଖାଦ୍ୟ ସନ୍ଧାନ ରେ ବାହାରି ଯିବାକୁ ହେବ। ମୁଁ ପାଖ ପଡ଼ିଆରୁ ଅଳ୍ପ କିଛି ଖାଦ୍ୟ ନିଶ୍ଚୟ ସଂଗ୍ରହ କରିପାରିବି। ମାତ୍ର ତୁମକୁ ଦିନ ସାରାର ଖାଦ୍ୟ ପାଇଁ ଅଧୀକ ପରିଶ୍ରମ କରିବାକୁ ହେବ । ତେଣୁ ...ଉଠ ପ୍ରୀୟତମ ଉଠ

     ଜାଗ୍ରତ ହୁଅ ହେ, ନ କରି ମଠ


 ପକ୍ଷୀ:- ମିତ ବ୍ୟସ୍ତ ହେବାର ନାହିଁ। ମୁଁ ପ୍ରତିଦିନ ର ଖାଦ୍ୟ ପାଇଁ ଉତ୍ତମ ସ୍ଥାନଟିଏର ସନ୍ଧାନ ପାଇଛି। ମାତ୍ର ତୁମେ ଯଦି ମୋ ସହ ଆସିପାରନ୍ତ ,ତେବେ ଆମେ ଦୁଇ ଜଣ ପେଟ ଭରି ଖାଇ ଦୁଇ ଥଣ୍ଟରେ ଅଧିକ ଖାଦ୍ୟ ପିଲାମାନଙ୍କ ପାଇଁ ଆଣିପାରନ୍ତେ।


ପକ୍ଷୀଣୀ:-ସତେ ନା କ'ଣ

ପକ୍ଷୀ:-ହଁ ସତ

ତେବେ ଚାଲ ,ଡେରି କାହିଁକି କରିବା ଅଧିକ ମିଳିଲେ ସଞ୍ଚୟ କରି ମଧ୍ୟ ରଖିବା

ପକ୍ଷୀଣୀ:-‌ହେଲେ କେତେ ବାଟ

ପକ୍ଷୀ:-ବାଟ ଟିକେ ଅଧିକ। ସେଇ ହଂସୁଆ ନଈ ପାର ହୋଇ ଯେଉଁ ଗାଁ ଟି ଅଛି,ସେଇ ଗାଁ ର ଜଣେ ଲୋକ ର ଘରେ ଶୁକ ପକ୍ଷୀଟି ଏ ପାଳିତ ଅଛି। ଆଉ ମୁଁ ପ୍ରତିଦିନ ସେହି ଶୁଆ ଟି ପାଖରୁ ଭିନ୍ନ ଭିନ୍ନ ସୁସ୍ୱାଦୁ ଖାଦ୍ୟ ପାଇପାରୁ ଛି। 

ପକ୍ଷୀଣୀ:-ହେଲେ କେମିତି ଜଙ୍ଗଲ ଠାରୁ ବେଶୀ ସୁସ୍ୱାଦୁ ଫଳ ଗାଁ ରେ ମିଳୁଛି କେମିତି ? ଗାଁ ରେ ତ ମଣିଷ ମାନଙ୍କ ବାସ। ଆଉ ତମେ କଣ ଜାଣିନ ସବୁଠୁ ସ୍ବାର୍ଥପର ,କୃତଘ୍ନ ଓ ବେଇମାନ ହେଉଛନ୍ତି ମଣିଷ ମାନେ। ସେମାନେ କେବେ ଠୁ ଦାନୀ ହେଲେଣି ?

ଆଉ ସେମାନଙ୍କ ପାଖକୁ ତମେ ଯିବାଟା ମୋତେ ଠିକ୍ ବି ଲାଗୁନି। କେତେବେଳେ କିଛି ଅସୁବିଧାରେ ପଡ଼ି ଯାଇପାର। ଆମର ଜଙ୍ଗଲ ରୁ ଯାହା ଯେତିକି ମିଳୁଛି ସେତିକି ଯଥେଷ୍ଟ। ଉପାସ ରହିଲେ ରହିବା ପଛେ ସେଠାକୁ ତୁମେ ଯାଅନି ମିତ।

ପକ୍ଷୀ:- ଆରେ ନା ନା, ତୁମେ କାହିଁ ବ୍ୟସ୍ତ ହେଉଛି ? ମୋ କଥା ତ ପୁରା ଶୁଣ ମୁଁ ସେ ଘରର ବାଡି ପଛର ନଡ଼ିଆ,ଗୁଆ,ଦେବଦାରୁ ଗଛ କି କାକୁଡି ଭାଡି ଉପରେ ଯାଇ ବସି ଦୂରରୁ ଦେଖେ । ଯଦି କେହି ମଣିଷ ସେ ଶୁଆ ପଞୁରୀ ପାଖାପାଖି ନ ଥାନ୍ତି ,ତେବେ ଯାଇ ସେ ପଞୁରୀ ତଳେ ପଡିଥିବା ଖାଦ୍ୟ ନେଇ ଆସି ଗଛରେ ବସି ଖାଏ। ପୁଣି ସୁଯୋଗ ଦେଖୀ ଥଣ୍ଟ ରେ ଯେତେ ଖାଦ୍ୟ ଆଣିପାରିବା ସମ୍ଭବ ହୁଏ ସେତେ ଖାଦ୍ୟ ଭର୍ତ୍ତି କରି ପିଲାମାନଙ୍କ ପାଇଁ ଆଣି ଉଡି ଚାଲିଆସେ। ସେଠି ଅନେକ ପ୍ରକାରର ଫଳ ,ଭାତ ଡାଲି ଓ ଆହୁରି ନୂଆ ନୂଆ କେତେ ଖାଦ୍ୟ ଦିଆଯାଇଥାଏ ସେ ଶୁଆ ପକ୍ଷୀ ଟିକୁ। ସେ ବା କେତେ ଖାଇବ ଏକାକୀ। ସାଥୀ ବି ତ କେହି ନାହାନ୍ତି ତା'ର। ସେ ବି ଭାରି ଭଲ ଶୁଆ ଟି କାଉ ମାନଙ୍କୁ ଦେଖିଲେ କା' କା' ଡାକି ତା'ର ଅବଶିଷ୍ଟ ଭାତ ଡାଲି କୁ ତା'ର ଥାଳିଆକୁ ଓଲଟାଇ ଢାଳିଦିଏ। କାଉ ,କୁକୁର ଅନ୍ୟ ପକ୍ଷୀମାନେ ବି ଖାଆନ୍ତି। ମୁଁ ଖାଇବାରେ ଅସୁବିଧା ବା କ'ଣ ?


ପକ୍ଷୀ:- ହଉ ହେଲା , ତଥାପି କାହିଁକି କେଜାଣି ଏ ମଣିଷ ସମାଜ ପ୍ରତି ମୋର ଅହେତୁକ ଭୟ। ହଉ ଯାଅ, ହେଲେ ସତର୍କ ରହିଥିବ।

ପକ୍ଷୀ:- ମିତ ତମେ ବି ଥରେ ମୋ ସହ ଆସ। ତମ ଭୟ ଦୂର ହୋଇଯିବା ସହ ଅଧିକ କିଛି ଖାଦ୍ୟ ମଧ୍ୟ ଆଣିପାରିବା। 

ପକ୍ଷୀଣୀ:- ହଉ ,ଆଉ କେବେ ଯିବି । ଆଜି ବହୁତ ଡେରି ହେଲାଣି । ମୁଁ ଗଲେ ଏଣେ ପିଲାମାନେ ଅସମ୍ଭାଳ ହୋଇ ପଡିବେ। ଯଦି କିଛି ସଞ୍ଚିତ ବା ବଳକା ଖାଦ୍ୟ ଥା'ନ୍ତା ଗତ କାଲିର ତେବେ ସେମାନଙ୍କୁ ଦେଇ ଥୟ କରେଇଦେଇ ତୁମ ସହ ଯାଇ ପାରିଥାନ୍ତି। ହେଲେ ଏବେ ମୋତେ ଆଗ ଏ ଆଖପାଖରୁ କିଛି ଯୋଗାଡକରିବାକୁ ପଡ଼ିବ । ପିଲାମାନେ ଉଠି ଖାଇବା ପାଇଁ ପାଟି କରିବେ। ତେଣୁ ଏତେ ବାଟ ତମ ସହ ଯାଇ ଫେରି ବାକୁ ବହୁତ ବିଳମ୍ବ ହୋଇପାରେ। ତୁମେ ଯାଅ।

ପକ୍ଷୀ:-- ହଉ, ମୁଁ ଆଜି ଅଧିକ ପରିଶ୍ରମ କରି ଅଧିକ ଖାଦ୍ୟ ଆଣି ବସାରେ ରଖିଦିଏ। କାଲି ପାଇଁ କିଛି ଖାଦ୍ୟ ରଖିଦେବା। ସକାଳ ହେଲେ ପିଲାମାନଙ୍କୁ ସେତକ ଦେଇ ଦୁହେଁ ମିଶିକି ଯିବା।

ପକ୍ଷୀଣୀ:- ହଉ ହେଲା । ଯାଅ ତୁମେ ଏବେ। ଯାତ୍ରା ଶୁଭ ହେଉ ।


   ପରଦିନ ଠାରୁ ଦୁହେଁ ମିଶିକି ଗଲେ। କାକୁଡି ଭାଡି ଉପରେ ବସି ଛକି ଛାକି ପୁଳାଏ ଖାଦ୍ୟ ଆଣନ୍ତି। ଏଣେ ପିଲାମାନଙ୍କ ମନ ବି ସୁସ୍ୱାଦୁ ଖାଦ୍ୟ ଖାଇ ଖୁସି। ତେଣୁ ସେମାନଙ୍କ ର ଲୋଭ ହୋଇଗଲା। ସେମାନେ ନୀତି ଧାଇଁ ଲେ ସେ ଘରକୁ।

ସେ ଘରର ମାଲିକ ବୁଢା ଜଣ ଙ୍କ ବୁଢ଼ୀ ଙ୍କୁ ଡାକି ଦେଖେଇଲେ, ଦେଖୁଛୁ ବାଲିଶୁଆ ଯୋଡିଟା କାକୁଡି ଭାଡି ଉପରେ ??


 ବୁଢ଼ୀ:-ହଁ ଭାରି ସୁନ୍ଦରିଆ ଯୋଡ଼ି ନା


ବୁଢ଼ା:- ହଁ। ନୀଇତି ଆସନ୍ତି ଲୋ ।


ବୁଢୀ:- ସତରେ ନା କ'ଣ ? ଧରା ଦେଲେ ପଞ୍ଜୁରୀ ରେ ରଖନ୍ତେ। ଯୋଡ଼ି ପକ୍ଷୀ ଭାରି ସୁନ୍ଦର ଲାଗନ୍ତା। ନା କ'ଣ କହୁଛ ?

ବୁଢ଼ା:-"ଏଇ କଥା କୁ ନା ପେଲିଦେବି କଲିକତାକୁ"

କାଲି ଧରିକି ଦେବିଲୋ ତତେ

ବୁଢୀ:- ସତ କହୁଚ


(ଲାଗିଗଲା ବୁଢ଼ୀର ନଜର ସେ ପକ୍ଷୀ ପ୍ରେମୀ ଯୁଗଳ ଙ୍କ ଉପରେ। ବୁଢା ଭାଡିରେ ଜାଲ ବିଛେଇ ଦେଲା )


    ଯୋଗକୁ ପକ୍ଷୀଣିଟି କୈାଣସି ସମସ୍ୟା ଯୋଗୁଁ ସେ ଦିନ ଆସିପାରିଲାନି। ତେଣୁ ବୁଢା ଜାଲ ରେ କେବଳ ପକ୍ଷୀ ଟି ପଡ଼ି ଗଲା। ଆଉ ପକ୍ଷୀଣୀଟି ଅପେକ୍ଷା କରି କରି ତା'ପରଦିନ ଯାଇ ସେଇଠି ପହଞ୍ଚି ଦେଖିଲା, ପ୍ରାଣ ପତି ତା'ର ପିଞରାବଦ୍ଧ ହୋଇ ସେ ଶୁଆ ପଞୁରୀ ଟିର ପାଖାପାଖି ଅନ୍ୟ ଏକ ପଞ୍ଜୁରୀ ରେ ଟଙ୍ଗା ହୋଇଛନ୍ତି।

ଆଉ ଗଲାନି ସେ ପଞ୍ଜୁରୀ ପାଖକୁ ପକ୍ଷୀଣୀଟି ... ନା ତା'ର ମିତ ପାଖକୁ ବିଳାପ କରିବାକୁ ନା ପିଲାମାନଙ୍କ ପାଇଁ ଖାଦ୍ୟ ସାଉଁଟିବା ଆଶାରେ। କାରଣ ସେ ଗଲେ ତାକୁ ଯଦି ଧରି ନେବେ ,ତେବେ ପିଲାମାନଙ୍କ ର କଣ ହେବ ଭାବି । ଫେରିଗଲା ଅନ୍ୟତ୍ର ଖାଦ୍ୟ ସନ୍ଧାନ କରି ଶାବକଙ୍କର ଉଦର ପୁରଣ ନିମନ୍ତେ। ମନରେ ମାନବ ଜାତି ପ୍ରତି ଘୃଣା ଓ ନିଜ ମିତ ପାଇଁ ଅଭିମାନ ଓ ଅବଶୋଷ ଧରି ଦିନ କିଛି ଟା ଗଲା। ଚାନ୍ଦିନୀ ରାତିରେ ପ୍ରିୟ ବିଛେଦର ଦୁଃଖ କୁ ବୁକୁ ରେ ଚାପି ଧରି ବିଗତ ସ୍ମୃତି କୁ ମନେ ପକାଇ ଲୁହ ଢାଳି ଢାଳି ରାତି କେତେ ପାହିଯାଏ। ମଝିରେ ମଝିରେ ଯାଇ ଦୂରରୁ ନିଜ ମିତକୁ ଦେଖୀ ଲୋତକ ଗଡ଼ାଇ ପୁଣି ଫେରିଯାଏ। ହେଲେ ପକ୍ଷୀ ଟି ନିଜ ପକ୍ଷୀଣୀକୁ ଦୂରରୁ କାନ୍ଦିବା ଦେଖି ଛଟପଟ ହୁଏ ଓ ପତ୍ନୀର ସତର୍କ ବାଣୀ କଥା ମନେ ପକାଇ ଦୁଃଖ କରେ। ହେଲେ ସେ ଘରର ବୋହୁ ଟି ପକ୍ଷୀ ଯୋଡ଼ି ଙ୍କ ର ଏ ଅବସ୍ଥାକୁ ଅନୁଧ୍ୟାନ କରିପାରୁଥାଏ। ମାତ୍ର ଶାଶୁ ଶ୍ୱସୁରଙ୍କ ଭୟରେ ଉପାୟ ଶୂନ୍ୟ ଥାଏ। 

   ଥରେ ସେ ଶାଶୁଶଶୁର ଙ୍କ ଅନୁପସ୍ଥିତିରେ ଖାଦ୍ୟ ଦେଉଦେଉ ପିଞରାକୁ ଖୋଲିଦେଲା। ଆଉ ପକ୍ଷୀ ଟିକୁ ଉଡ଼ିବାକୁ ସୁଯୋଗ ଦେଲା। ପକ୍ଷୀଟି ଉଡିଗଲା ନିଜ ନୀଡ଼କୁ। ପକ୍ଷୀଣୀର ଖୁସି ଅସରନ୍ତି । ସେ ତା'ର ପ୍ରୀୟତମକୁ ପାଇ ସବୁ ଦୁଃଖ ଭୁଲିଗଲା। ଆଉ ଲୋଭ ର ଫଳ ସ୍ୱରୂପ ଆମକୁ ଏ ଦଣ୍ଡ ଭୋଗିବାକୁ ପଡ଼ିଲା ବୋଲି ପକ୍ଷୀକୁ କହିଲା। ଆଉ ଜଙ୍ଗଲ ହିଁ ଆମ ପାଇଁ ଉପଯୁକ୍ତ ଓ ପ୍ରାପ୍ୟ ସୁଲଭ ସୁବିଧା। ମନୁଷ୍ୟ ବିଶ୍ୱାସ ଯୋଗ୍ୟ ନୁହେଁ। ସେ ତ ନିଜ ମନୁଷ୍ୟ ଜାତିର ହିଁ ଶତୃ। ତେଣୁ ଆଉ କାହାର ବା ସେ ଉପକାର କରିବ ?

ନା ନା ମିତ ସମ୍ପୂର୍ଣ୍ଣ ମାନବ ଜାତି ଖରାପ ନୁହେଁ। ତାହା ହୋଇଥିଲେ ମୁଁ ଉଦ୍ଧାର ପାଇପାରି ନ ଥାନ୍ତି। ମୋତେ ସେଇ ସହୃଦୟା ମାନବୀ ,ଯିଏ ସେ ଘରର ବୋହୁ,ସେ ହିଁ ତ ଉଡ଼ିବା ପାଇଁ ଜାଣି ଜାଣି ପିଞରା ଖୋଲିଦେଇଥିଲା। ତେଣୁ ସ଼ଂସାରରେ ଭଲ ଯେଉଁ ଟି ମନ୍ଦ ବି ସେଇଠି ଅଛି। ଆମକୁ କେବଳ ଦେଖି ପରଖି,ବାଟ ଚାଲିବାକୁ ହେବ। ଆମେ ଆମର ଲୋଭ ଯୋଗୁଁ ହିଁ ଏ ଦୁର୍ଦ୍ଦଶା ଭୋଗିଲେ। ତେଣୁ ଲୋଭ ଶତୃଠାରୁ ଦୂରେଇ ରହିବା ଉଚିତ। କାରଣ ଲୋଭ ହିଁ ବିପଦର କାରଣ ହୋଇଥାଏ।


Rate this content
Log in

Similar oriya story from Romance