STORYMIRROR

Chinmayee Sahoo

Tragedy

3  

Chinmayee Sahoo

Tragedy

ଫେବୃୟାରୀ ଦିବସ

ଫେବୃୟାରୀ ଦିବସ

6 mins
176


    ନିଃସନ୍ଦେହ ପ୍ରେମ ଦୁନିଆର ଚିରନ୍ତନ ସତ୍ୟ । ମାତ୍ର ଏ ପ୍ରେମ ଅନେକ ରୂପରେ ପରିବ୍ୟାପ୍ତ। କିନ୍ତୁ ପ୍ରେମୀ ଓ ପ୍ରେମିକାଙ୍କ ପ୍ରେମର ବାସ୍ନା ଖୁବ୍ ନିଆରା ଓ ମାଦକତାଭରା ।ପ୍ରେମ କେବଳ ଗୋଟେ ଅତୃପ୍ତ ,ଅସୀମ ତୃଷ୍ଣା ନୁହେଁ ବରଂ ଏକ ସମ୍ମୋହନକାରୀ ନିଶା ଭଳି ପ୍ରତି ତନ୍ତ୍ରେ ତନ୍ତ୍ରେ ଭେଦିଯାଇଥାଏ। ଯାହା ପାଇଁ ପ୍ରଗଳ୍ଭ ପ୍ରେମୀ ବେଳେବେଳେ ଅନେକ ଯାତନା ସହିଥାଏ। ପ୍ରେମର ଆନନ୍ଦ ଯେମିତି ଅବ୍ୟକ୍ତ ତା'ର ଯନ୍ତ୍ରଣା ମଧ୍ୟ ଅନୁରୂପ ଅପ୍ରକାଶ୍ୟ ହୋଇଥାଏ। କୁହନ୍ତି "ପ୍ରେମ ବହ୍ନିର ମହୋଦଧୀ ଆଉ ସେଥିରେ ବୁଡିକି ଯାଇ ତାକୁ ପାରିକରିବାକୁ ହୁଏ।" ଏମିତି ପ୍ରେମର ପାରାବାରରେ ଉବୁଟୁବୁ ହେଉଥିବା ପ୍ରେମୀ ଯୁଗଳ ଥିଲେ ସୁଶାନ୍ତ ଓ ସିନା। ଉଭୟ ଉଭୟଙ୍କୁ ଖୁବ୍ ଭଲ ପାଉଥିଲେ । ଅଧୁନାତନ ସମାଜରେ ପ୍ରେମୀ ଯୁଗଳଙ୍କ କଳାକୃତି କଥା କ'ଣ କହିବା ? ସେମାନଙ୍କ ଚଳଣି ଖୁବ୍ ବ୍ୟାପକ। ଗୁରୁଜନ-ଲଘୁଜନଙ୍କ ଧାରଣା ,ବାଟ -ଘାଟ,ଥାନ-ଅଥାନ,ଦିନ-ରାତି କିଛିକୁ ନଜର ରଖନ୍ତି ନାହିଁ ସେମାନେ।ସାଥିଟିଏ ପାଇଗଲେ ସତେ ଯେପରି କୈାଣସି ରାଜ୍ୟର ଅଧିପତି କି ଅଧିଶ୍ୱରୀ ମାନି ନିଅନ୍ତି ନିଜକୁ। ମୋବାଇଲ ଯୋଗୁଁ ସେମାନଙ୍କ ସମ୍ପର୍କ ଦ୍ରୁତଗତିରେ ନୀବିଡହୋଇଯାଏ। ଆଉ ସେ ନୀବିଡତା ଅନେକ କ୍ଷେତ୍ରରେ ଅସ୍ବଭାବିକ ପରିସ୍ଥିତିର ଜନ୍ମଦାତା ହୋଇଯାଏ। ଆଜିର ସମାଜରେ ଖୁସି ଓ ମନୋରଞ୍ଜନ ପାଇଁ ଲୋକେ ବିଭିନ୍ନ ବାହାନା କରି ବନ୍ଧୁ ମେଳ ବା ଭୋଜିର ଆୟୋଜନ କରନ୍ତି। ଜାତୀୟ ଦିବସ କାହାର ମନେ ଥାଉ କି ନ ଥାଉ ପ୍ରେମର ସବୁ ଦିବସ, ନିଜର ଜନ୍ମଦିବସ ,ବିବାହବାର୍ଷିକୀ ଦିବସ ଖୁବ୍ ମନେରହେ ସଭିଙ୍କର। ସେମିତି ଫେବୃଆରୀ ମାସ ହେଲା ମାତ୍ରେ କେତେ ଯେ ଦିବସ ପାଳିବାକୁ ଚାହିଁ ବସିଥାନ୍ତି ଲୋକେ ନ କହିବା ଭଲ। ଫେବୃଆରୀ ୮- ଗୋଲାପ ଦିବସ,୯ଶପଥ ଦିବସ,ଚୂମା ଦିବସ,ଚୁଚୁମା ଦିବସ ,ଭାଲୁ , ଆଲିଙ୍ଗନ ,ପ୍ରେମ.... ଇତ୍ୟାଦି ଇତ୍ୟାଦି। ଆଉ କିଛି ଦିନ ପରେ ବୋଧହୁଏ ବିବାହ ଦିବସ ଓ ପ୍ରସବ ଦିବସ ହେବ। ପ୍ରେମୀ ଯୁଗଳଙ୍କ ମନ ତ ଖୁବ୍ ଉଲ୍ଲାସ ଭରା ଥାଏ ଏହି ଫେବୃଆରୀ ମାସରେ। କାରଣ ପ୍ରେମର ବିଭିନ୍ନ ଆସର ପାଇଁ ସୁଯୋଗ ମିଳେ ସେମାନଙ୍କୁ। ସେମିତି ସିନା ମଧ୍ୟ ଖୁବ୍ ଉତ୍ସାହରେ ଥାଏ ସୁଶାନ୍ତ ଠାରୁ ଭିନ୍ନ ଭିନ୍ନ ଉପହାର ପାଇବ ଓ ଦେବାପାଇଁ। ସିନା ବାପାମାଆଙ୍କର ଏକ ମାତ୍ର କନ୍ୟା ।ଭାରି ଗେଲବସରରେ ବଢ଼ିଛି ତେଣୁ ସବୁ ଆଶା ତା'ର ପୂରଣ ହେବା ଥୟ। ମାତ୍ର ଏବେ ସେ ନୂଆକରି ପ୍ରେମ ଦୁନିଆରେ ପାଦ ଦେଇଛି। ଫେବୃଆରୀ ମାସରେ ସୁଶାନ୍ତ କଣ ଉପହାର ଦେବ ସେ ଚାହିଁ ବସିଛି। ହେଲେ ସୁଶାନ୍ତ... ଦେଖା ତ ହେଲେ କିଛି ନ କହି ପଳେଇଲେ ଯେ ।ରୋଜ୍ ଡେ ଟା ବେକାର ଗଲା ।ସିନା ମନରେ ଖୁବ୍ ଅଭିମାନ । ତଥାପି ସେ ଭାବୁଥାଏ କାଲି ତ ନିଶ୍ଚୟ କିଛି ମିଳିବ । ହେଲେ କିଛି ମିଳିଲାନି। "ଅଦ୍ଭୁତ ! ସୁଶାନ୍ତଙ୍କ ଯଦିବା କିଛି ମନେ ନ ଥିବ ତଥାପି ସମସ୍ତେ ପାଳନ କରୁଥିବା ତ ଦେଖୁଛନ୍ତି ନା ସେ କାହିଁକି ପାଳୁନାହାନ୍ତି ? ମୋତେ ବି ଏ ବିଷୟରେ କିଛି କହୁନାହାନ୍ତି। ସେ କଣ ମୋତେ ଭଲପାଆନ୍ତି ନାହିଁ ! " ଏସବୁ ଭାବୁଥାଏ ସିନା।ଯାହା ହେଉ ଏଥର କିନ୍ତୁ ସିନା ଭାବିଛି ଦେଖାହୋଇ ଚୁମ୍ମାଟେ ଦେଇ ହାପି କିସ୍ ଡେ ଜଣାଇବି। ସେଇଆ ହେଲା ସିନା ତାପରଦିନ ସୁଶାନ୍ତ କୁ ଚୂମାଟିଏ ଦେଇ 'ହାପି କିସ୍ ଡେ' ଜଣାଇଲା । ସୁଶାନ୍ତ ବିରକ୍ତ ହୋଇ ପେଲିଦେଲା ଟିକେ ଜୋର୍ ରେ। ସିନା ଆଶ୍ଚର୍ଯ୍ୟ ହୋଇ ଚାହିଁରହିଲା। ସୁଶାନ୍ତ କହିଲା ,"ପ୍ରେମ କୋଉ ଦିବସର ଅଧିନ ନୁହେଁ ତୁମେ ମନେ ରଖିବା ଆବଶ୍ୟକ। କେବଳ କଣ ଦିବସ ପାଳନ ଦ୍ୱାରା ଖୁସି ବଢ଼ିଥାଏ , ପ୍ରେମ ଜାହିର ହୋଇଥାଏ ନା ସ୍ୱୀକୃତି ପାଇଥାଏ।ନା ନା ସିନା ପ୍ରେମ ଦୁଇ ମନର ମିଳନ ବା ବୁଝାମଣା ହୋଇଥାଏ ।କାହାକୁ 'ଆଇ ଲଭ୍ ୟୁ'କହିଦେଲେ ପ୍ରେମ ବଢିଯାଏନା। ମୋତେ ଏସବୁ ପାଳନ କରିବାକୁ ଭଲଲାଗେନା।

ସିନା - ହେଲେ କାହିଁକି?

ମୁଁ କହିପାରିବିନି କହି ଖୁବ୍ ରାଗି ପଳେଇଲା ସେଠୁ ସୁଶାନ୍ତ। ଏହା ଏକ ସନ୍ଦେହଜନକ ପ୍ରଶ୍ନ ରେଖା ଟାଣିଦେଇ ଥିଲା ସିନା ମନରେ। କାରଣ ଯେଉଁ ସୁଶାନ୍ତ ଖୁବ୍ ଯତ୍ନଶୀଳ ସଭିଙ୍କ ପାଇଁ , ଏମିତି କାହିଁକି କଲେ। ମୁଁ କଣ ତାଙ୍କ ପାଇଁ ମୂଲ୍ୟହୀନ। ଖୁବ୍ ମନ ଦୁଃଖରେ ଭାଙ୍ଗିପଡିଥିଲା ସିନା। ଏମିତି ସବୁ ଦିବସ ଗଲା । ହେଲେ ସୁଶାନ୍ତ କିଛି ମଧ୍ୟ ପାଳନ ନ କରି ନୀରବ ଭାବରେ ଥାଏ। କେବେ ଫୋନ୍ ମଧ୍ୟ କରି ନଥିଲା। ମାତ୍ର ଫେବୃଆରୀ ଚଉଦଦିନ ଆସିଛି ସିନା ପାଖକୁ ।ସିନା ଦେଖି କିଛି ବି କହିନି। ସୁଶାନ୍ତ କହିଲା ଆସ ଯିବ ମୁଁ ତମକୁ ନେଇଯିବି ଗୋଟେ ଜାଗାକୁ( ଏହା କହି ହାତ ଧରି ନେଇଯାଇଛି ନିଜ ସହ)। ସିନା ମଧ୍ୟ କିଛି ନ ବୁଝି ନିଜ ମନର ସନ୍ଦେହ ମୋଚନ ପାଇଁ ଚୁପଚାପ୍ ସୁଶାନ୍ତ ସହ ଯାଇଛି। ସୁଶାନ୍ତ ପହଞ୍ଚିଯାଇଛି ଗୋଟିଏ ଘର ଆଗରେ। ବୋଧହୁଏ ସେଠି ସାଜସଜ୍ଜା ହୋଇଛି ଶ୍ରାଦ୍ଧ ଦିବସ ପାଇଁ।ଆଉ ଫାଟକରେ ଫଟୋ ଲାଗିଛି ମଧ୍ୟ। ସୁଶାନ୍ତ କହିଲା ୟେ ଆମ ଘର ।ଆଉ ଦେଖ ସେଠି(ଘର ଭିତରକୁ ନେଇ)। ଯେଉଁ ଫୁଲମାଳ ପିନ୍ଧା ଯୁବକର ଫଟୋ ଦେଖୁଛ ଆଗରେ ଅଛି ସେ ମୋ ବଡ଼ଭାଇ । ଆଉ ତା' ପାଖରେ ଯିଏ ବସିଛନ୍ତି ସେ ମୋ ଭାଉଜ ଓ ତାଙ୍କ କୋଳରେ ମୋ ଝିଆରୀ। ମୋ ଭାଇ ଜଣେ ସହିଦ। ତମର ହୁଏତ ମନେ ନ ଥିବ ଏଇଫେବୃୟାରୀ ଚଉଦତାରିଖରେ କଣ ଦୁର୍ଘଟଣା ଘଟିଥିଲା, ଯାହା ସାରା ବିଶ୍ବକୁ 

 ମର୍ମାହତ କରିଥିଲା। ମନେଅଛି?

ସିନା - ହଁ ମନେ ପଡ଼ିଲା।ଆଜି କଳାଦିବସ ।ସେଇ ଚାଳିଶି ସହିଦଙ୍କ ପାଇଁ ଯେଉଁମାନେ ଦେଶସେବାରେ ନିୟୋଜିତ ଥିବା ସମୟରେ ଏକାସାଙ୍ଗରେ ସହିଦ ହୋଇଥିଲେ, ଶତ୍ରୁର ଚକ୍ରାନ୍ତର ଶିକାର ହୋଇ। 

ସୁଶାନ୍ତ- ହଁ, ପୁଲୱଆମାର ସେ ଘଟଣା କେମିତି କିଏ ଭୁଲିବ ।? ମୋର ଭାଇ ସେଥିରେ ଥିଲେ। ଏ ଫେବୃଆରୀ ଆସିଲେ ମଳିନ ପଡିଯାଏ ମୋ ପରିବାରରେ ସମସ୍ତଙ୍କ ମୁଖମଣ୍ଡଳ। ବିଶେଷ କରି ମୋ ଭାଉଜ ଯେତେବେଳେ ଗୁମୁରି ଗୁମୁରି ଭାଇ ଫଟୋ ଧରି କାନ୍ଦନ୍ତି ମୁଁ ଲୁଚିଲୁଚି ଦେଖି ମୋ ଛାତିଫାଟିଯାଏ। ମୋ ଭାଉଜ ପ୍ରତ୍ୟକ ଦିବସ ମନେରଖିଥାନ୍ତି ସବୁବେଳେ ଭାଇଠୁ ଉପହାର ପାଇଁ ଠିକ୍ ତମ ପରି। ଏବେ କିନ୍ତୁ ସେ ପ୍ରତି ଦିବସରେ ଫଟୋକୁ ଛାତିରେ ଚାପି ଧରି ମନଇଛା ଗପନ୍ତି ,ହସନ୍ତି , କାନ୍ଦନ୍ତି। କହୁଥାନ୍ତି," ତମର ମନେଅଛି ତମେ ମୋତେ ଯେଉଁ ଗୋଲାପଦିବସରେ ଗୋଲାପଫୁଲଟି ଦେଇ ନଥିଲ ସେଟା ଶୁଖିଯାଇଛି । ମୁଁ କିନ୍ତୁ ତାକୁ ଫିଙ୍ଗିଦେଇନି ମ।ସେଥିରୁ ପରା ତୁମ ପ୍ରେମର ବାସ୍ନା ଆସୁଛି। ଶପଥ ଦିବସରେ କହୁଥିଲେ ," ତମେ ପ୍ରତାରକ,କଥା ଦେଇ କଥା ରଖନି ଜମା। ମୁଁ ବହୁତ ରାଗିଛି।ସାରା ଜୀବନ ପାଇଁ ସାଥିହୋଇଚାଲିବାକୁ କଥାଦେଇ ଏତେ ଶିଘ୍ର ହାତଛାଡି ଚାଲିଗଲ ଭୁଲିଗଲ ସବୁ । ଏହା କହି ଖୁବ୍ କାନ୍ଦିଥିଲେ ମୋ ଭାଉଜ ।ଆଉ ଭାଲୁ ଦିବସରେ କ'ଣ କହୁଥିଲେ ଜାଣିଛ ? କହିଲେ ,"ତମେ ଦେଇଥିବା ଭାଲୁ କଣ୍ଢେଇଟା କେବଳ ମୋର ।ହେଲେ ଦେଖିଲ ଏ ସୋନୁ ହାତଠାରି ମୋତେ ସବୁବେଳେ ସେଟା ମାଗୁଛି। ତମ ଝିଅ ମ। ଆରଥରକ ତ ସେ ପେଟରେ ଥିଲା ତମେ କହିଥିଲ ଝିଅ ହେଲେ ସୋନୁ ନାଁ ଦେବା ଆଉ ପୁଅ ହେଲେ ସନ୍ଦିପ ଦେବା। ହେଲେ ଝିଅ ହେଲା ବୋଲି ସୋନୁ ଦେଇଛି ।ସେ ତ ସବୁବେଳେ ମୋତେ ସେ କଣ୍ଢେଇଟା ମାଗୁଛି । ମୁଁ ଜମା ଦେବିନି ।ସେ ଯେତେ କାନ୍ଦୁ ।ପୂରା ଉପରେ ରଖିଦେଇଛି। ତେଣୁ ଏଥର ଦୁଇଟା ଭାଲୁ କଣ୍ଢେଇ ଆଣିବ । ମୋ କଣ୍ଢେଇ ରେ ଲଭ୍ ଲେଖାହୋଇଥିବ ।ଆଉ ତମ ଝିଅ ପାଇଁ ତମେ ଯେମିତି ଇଛା ସେମିତି କଣ୍ଢେଇ ଆଣ। " କୁହ ସିନା ଏଥିରେ ମୋର କ'ଣ ଦିବସ ପାଳିବାକୁ ଇଛା ହେବ ? ପ୍ରେମର ଅଥଳ ସାଗରରେ ଦିନେ ମୋ ଭାଇଭାଉଜ ମଧ୍ୟ ପହଁରୁଥିଲେ। ପ୍ରେମବିବାହ କରିଥିଲେ। ହେଲେ ଭାଇଙ୍କ ଚିତା ସାଥେ ବିରହର ନିଆଁଟା ମୋ ଭାଉଜକୁ ଜାଳି ଜାଳି କ୍ଷୀଣ କରିସାରିଲାଣି।ନା ନିଜରୂପ ,ଶରୀର ପ୍ରତି ଧ୍ୟାନ ଅଛି ନା କୋଉ ଖୁସିରେ ମନ ତାଙ୍କର ଭୁଲୁଛି। ପାଗଳୀପରି ହେଉଛନ୍ତି ସେ। ଫେବୃଆରୀ ଚଉଦରେ ଘରେ ଭାଇ ଶ୍ରାଦ୍ଧ । ମୋ ପାଇଁ ଫେବୃଆରୀ ଏକ ଶୋକାତ୍ସବ ମାସ । ଅବଶ୍ୟ ମୁଁ ତମକୁ ଅଯଥା ବହୁକିଛି କଥା କହିଦେଇଥିଲି। ତମେ ରାଗିଥିବ ନା। ତମେ ବା କେମିତି ଜାଣିଥାନ୍ତ ? ମୋ ଜୀବନରେ ମୁଁ କେବେ ଫେବୃଆରୀ ଦିବସ ପାଳନ କରିପାରିବିନି। ଅବଶ୍ୟ ଏହା ପାଶ୍ଚାତ୍ୟ ସଭ୍ୟତା ଯାହାକୁ ଆମେ ଇକେ ମନୋରଞ୍ଜନ ପାଇଁ ପାଳୁଛେ ।ସଭ୍ୟତା ଯାହାର ହେଉନା କାହିଁକି ଯଦି ଏହା କାହା ମନରେ ଟିକେ ଖୁସି ଦେଉଛି ତା' ପାଳନ କଲେ ଅତ୍ୟୁକ୍ତି ନାହିଁ। ମୁଁ ମଧ୍ୟ ତମ ଖୁସି ପାଇଁ ପାଳନ କରିବାରେ ଅତ୍ୟୁକ୍ତି ନ ଥାନ୍ତା ଯଦି ଆଜି ସହିଦଙ୍କ ସ୍ମୃତି ଦିବସ ନ ଥାନ୍ତା। ମାତ୍ର ମୋ ଦେଶର ଏତେବଡ଼ ଦୁଃଖଦ ସ୍ମୃତି ଦିବସକୁ କିଭଳି ଆମେ ପ୍ରେମ ଦିବସ ରୂପେ ପାଳନ କରିପାରିବା ? କେବଳ ମୋ ଭାଇ କଥା ନୁହେଁ ଏହା ଆମର ସେଇ ଚାଳିଶି ଜବାନଙ୍କ ପାଇଁ ମଧ୍ୟ ସମର୍ପିତ ।ମୋ ଭାଇ ସେଥିରେ ନ ଥିଲେ ମଧ୍ୟ ମୁଁ ଆଜିର ଦିବସକୁ ପ୍ରେମ ଦିବସ ରୂପେ ପାଳି ପାରି ନ ଥାନ୍ତି। ମୋ ଦେହରେ ତ ପ୍ରତିଶୋଧର ବହ୍ନି ଜଳୁଛି ।ଇଛା ହୁଏ ରୁଦ୍ରରୂପ ଧରି ଶତ୍ରୁ ସଂହାର କରିବାକୁ। ମାତ୍ର ମୋତେ ସେ ଅବସର ମିଳିନି। ମୁଁ ନିଶ୍ଚୟ ସେନାରେ ଯୋଗ ଦେବି ।ଆଉ ଦେଶପାଇଁ ନିଜକୁ ଉତ୍ସର୍ଗ କରିବି। ଶତ୍ରୁକୁ ଦମନ କରିବା ପାଇଁ କିଛି ମଧ୍ୟ ମୋ ଦେଶର କାମରେ ଲାଗିପାରିଲେ ମୁଁ ଧନ୍ୟ ହେବି। ଜାଣିଛି ତମେ ଏଭଳି ପ୍ରେମିକ ପାଇ ମନଖରାପ କରୁଥିବ। ତମେ ତମର ଗୋଟାଏ ଭଲ ସାଥି ଟିଏ ବାଛିପାର ।ମୋର ଆପତ୍ତି ନାହିଁ। ମୋ ଜୀବନର ଏ ଦୁଃଖ ମୋତେ ରୁକ୍ଷ କରିଦେଇଛି।

ସିନା- ମାଟି ମାଆ ପାଇଁ ପ୍ରାଣ ଦେଇ ଥିବା ସେଇ ସହିଦ ମାନଙ୍କୁ ଭକ୍ତିପୂତ ନମନ ମୋର। କେତେଜଣଙ୍କ ଭାଗ୍ୟରେ ଏହା ଥାଏ। ସେମାନଙ୍କ ବଳିଦାନ ଯୋଗୁଁ ଆଜି ଆମେ ଏତେ ପ୍ରକାର ର ଖୁସି ଦିବସ ପାଳି ଖୁସି ହେଉଛୁ। ନଚେତ ମାଆ ଯଦି ପରାଧୀନ ଥାଆନ୍ତା ତେବେ ପ୍ରେମ ଆମ ପାଇଁ ସାତସପନ ହୋଇଥାନ୍ତା। ପରାଧୀନତାର ଶୃଙ୍ଖଳରେ ପ୍ରେମ ଏକ ମୂଲ୍ୟହୀନ ଭାବନା । ଯେଉଁ ମହାପୁରୁଷଙ୍କ ବଳିଦାନ ,ସାହସ , ଧୈର୍ଯ୍ୟ ଦେଶପ୍ରୀତି ପାଇଁ ଆମେ ସ୍ୱାଧୀନ ଭାରତରେ ନିଶ୍ଚିନ୍ତ ହୋଇ ରହିଛୁ ସେମାନେ ସଦା ବନ୍ଦନୀୟ।ତମ ଚିନ୍ତା, ଚେତନା, ଉଦ୍ଦେଶ୍ୟ ପାଇଁ ମୁଁ ଗର୍ବିତ। ମୁଁ ତମକୁ ପାଇ ଧନ୍ୟ।ଆଜି ମୁଁ ଦୀପଟିଏ ଜାଳିବି ଏଇଠି ତମ ଭାଇଙ୍କ ଫଟୋ ନିକଟରେ। ମୋତେଦୀପଟିଏ ଦିଅ। 

ସିନା ଦୀପଟିଏ ଜାଳି ମଥାଲାଗି ପ୍ରଣାମ କରିଛି ଓ ନିଜ ଘରକୁ ଫେରିଯାଇଛି।


Rate this content
Log in

Similar oriya story from Tragedy