Chinmayee Sahoo

Abstract Inspirational

4  

Chinmayee Sahoo

Abstract Inspirational

ଭକ୍ତିରେ ବନ୍ଧା ଭଗବାନ

ଭକ୍ତିରେ ବନ୍ଧା ଭଗବାନ

5 mins
501



    

   ପୁରାଣ ପୁରୁଷ, ଯୁଗାବତାରୀ ଭଗବାନଙ୍କର ରୂପ, ନାମ, କର୍ମ, ଯୋନି ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ ଉଦ୍ଦେଶ୍ୟ ମାତ୍ର ଏକ ହୋଇଥାଏ। ତାହା ହେଉଛି ସୃଷ୍ଟି ପାଳନ ନିମନ୍ତେ ଦୁଷ୍ଟ ସଂହାର ଓ ସନ୍ତାନ ପାଳନ। ଯାହାର ଇଚ୍ଛାରେ ଏ ସଚରାଚର ବିଶ୍ୱ ଗଠିତ । ତାଙ୍କ ପାଇଁ ଅପୂର୍ବ ବା କ'ଣ? ତାଙ୍କର ଦାନ ଯାହା ଆମପାଇଁ ହୋଇଥାଏ ତାଙ୍କୁ କଣ ତା'ର କିଞ୍ଚିତ ଆମେ ଦେଇପାରିବା ? ଲୋକଦେଖାଣିଆ ପୂଜା ପାଠରେ ହୁଏତ ଲୋକ ସନ୍ତୁଷ୍ଟ ହୋଇପାରନ୍ତି ବା ସମ୍ମାନ କରିପାରନ୍ତି ମାତ୍ର, ଭଗବାନ କେବଳ ଭକ୍ତିରେ ବଶ ହୋଇପାରନ୍ତି। ତାଙ୍କ ସୃଷ୍ଟିରେ କର୍ମ ଅନୁଯାୟୀ ସଭିଙ୍କୁ ସେ ଫଳ ପ୍ରଦାନ କରିଥାଆନ୍ତି। କାହାକୁ ଉଚ୍ଚ,କାହାକୁ ନିଚ୍ଚ ଯୋନି ବା ଜାତିରେ ଜନ୍ମ ଦିଅନ୍ତି ମାତ୍ର ସେ ପ୍ରତିଟି ଜୀବକୁ ନିଜ ସନ୍ତାନ ରୂପେ ପାଳନ କରନ୍ତି। ସମସ୍ତଙ୍କ ଉପରେ ତାଙ୍କର ନଜର ଥାଏ, ସେ ଆସ୍ତିକ ହେଉ ବା ନାସ୍ତିକ, ଉଚ୍ଚ ହେଉ ବା ନିଚ୍ଚ, ପାପୀ ହେଉ ବା ତପି।

   ନିଧିପୁର ଗାଁରେ ଗରୀବ କୃଷକଟିଏ ଥିଲା। ନାଁ ତା'ର ମଧୁସୁଦନ ବେହେରା। ଚାଷକାମ କରି ତା'ର ପରିବାର ପୋଷଣ କରିଥାଏ।ରାତି ପାହିଲେ ପଖାଳମୁଠେ ଖାଇ ଦାଆ-କୋଦାଳ, ଚୁଡା-ଗୁଡ ଧରି ବିଲକୁ ଯାଏ। ଖରା, ବର୍ଷା ବା ଶୀତ କୃଷକକୁ ତ କ୍ଷେତରେ ହିଁ ଅଧିକ ସମୟ ଅତିବାହିତ କରିବାକୁ ପଡେ । କାରଣ ତା'ଉପରେ କେବଳ ନିଜ ପରିବାର ନୁହେଁ ସାରା ସଂସାର ର ଭାରଥାଏ । ତେଣୁ ସକାଳରୁ ସଞ୍ଜଯାଏ ନିଜ ବିଲରେ ହିଁ ମାଧିଆ ଅକ୍ଳାନ୍ତ ଶ୍ରମକରୁଥାଏ। ଥକିପଡି ଘରକୁ ଫେରି ଘର ପିଣ୍ଡାରେ ରାତି ଯାଏ ବସି ହରେକୃଷ୍ଣ ନାମ ଜପୁଥାଏ।ପୁଅ ଅଷ୍ଟମ ଶ୍ରେଣୀରେ ପଢିଲାଣି।ହାଟବାଟ, ଦୋକାନ ସଉଦା ବୁଝିଲାଣି।ଝିଅଟି ଚତୁର୍ଥରେ ପଢେ। ଥରେ ବିଲରେ କାମକରି ଫେରିଲାବେଳକୁ ସୁନ୍ଦର ବାଲିଗରଡାଟିଏ ପାଇଲା।ସେଇଟିକୁ ନେଇଗଲା ତା'ର ଝିଅ ଖେଳିବା ପାଇଁ। ସଢେଇ ବାଲି ମାଟିରେ ଖେଳ ତା'ର । କୋଉ ଦାମିକା ଖେଳନା ବାପା ଦେଇ ପାରିବ ? ତେଣୁ ବାଲିଗରଡାଟି ଝିଅ ମିନିକୁ ଦେଲା ଖେଳିବାକୁ। ଦେଲାବେଳେ ତା'ର ମା'ବାସନ୍ତି ଦେଖି କହିଲା, "ଏ ତ ଶାଳଗ୍ରାମ ପରି ଦିଶୁଛନ୍ତି। ୟାକୁ ଖେଳିବାକୁ ନ ଦେଇ ମୋତେ ଦିଅ। ଆମଘରେ ରଖିପୂଜାକରିପାରିବା । ନୁହେଁ କି? ମାଧିଆ ମୁର୍ଖ ଲୋକ ଏତେ କଥା ସେ ଭାବି ବିଚାରି ପାରେନା। ତେଣୁ ପତ୍ନୀକୁ କହିଲା, ଯାହା ତୋର ଇଚ୍ଛା କର। ମୁଁ ପାଇଲି ନେଇ ଆସିଲି ମିନି ଖେଳିବ ବୋଲି।ତା'ପରଠୁ ବାସନ୍ତି ସେଇ ବାଲିଗରଡାକୁ ନିଜ ଠାକୁରଙ୍କ ପାଖେ ରଖି ଯଥାସାଧ୍ୟ ପୂଜାର୍ଚ୍ଚନା କରୁଥାଏ।ମାତ୍ର ଗୋଟିଏ ବଖରା ବଡ଼ ମାଟିଘରଟିରେ ପଶ୍ଚିମ ପଟେ ପୂର୍ବମୁଖାକରି ଠାକୁର ଥା'ନ୍ତି।ପୂର୍ବପଟେ ରୋଷେଇ କରେ ବାସନ୍ତି । ସେଇ ଗୋଟିଏ କୋଠରୀ ଭିତରେ ସମସ୍ତେ ଖୁବ୍ ଖୁସିରେ ମିଶିକି ଥାଆନ୍ତି। ଖଟକି ଆଲେଣା କିଛି ନଥାଏ। ତଥାପି ଘରକୁ ସଜାଡି କି ରଖେ ବାସନ୍ତି।ଲିପାପୋଛା କରି ପରିସ୍କାର ରଖିଥାଏ। ଠାକୁରଙ୍କୁ ରଖିବାପାଇଁ ମାଟିର ବିମାନ ଭଳି ଅତିଯତ୍ନରେ ବତା-କଣି ଦେଇ ନିଜହାତରେ ସୁନ୍ଦର କରି ବିମାନ ଭଳି ଥାକଟିଏ ଗଢିଛି।ଠାକୁରଙ୍କର କେତୋଟି ଫଟୋ ରଖିଛି (ଲକ୍ଷ୍ମୀ -ନାରାୟଣ, ଶିବ- ପାର୍ବତୀ, ଜଗନ୍ନାଥ, କୃଷ୍ଣ,ଗଣେଶ ଏମିତି କିଛି ) । ସୁନ୍ଦର କରି ରଙ୍ଗରେ ଚିତ୍ରିତ କରିଛି ମାଟି ବିମାନଟିକୁ।ଗରୀବ ଘରର ଘରଣୀ ସିନା ମନ ତା'ର ଖୁବ୍ ଖୋଲା।କାଠ କି ଧାତୁର ବିମାନ ପାଇଁ ସକ୍ଷମ ନହେଲେ ନାହିଁ, ତା'ଠାକୁରଙ୍କୁ ରାଜା ଭଳି ସଜେଇ ରଖିବାକୁ ତା'ର ଇଚ୍ଛା । ଫୁଲ, ଚନ୍ଦନ, ଧୂପ, ସଞ୍ଜ, ଦେଇ ମହାମନ୍ତ୍ର ଜପକରି ଠାକୁର ପୂଜା କରେ। କେଉଁ ଦିନ ଉଖୁଡା, କେଉଁଦିନ କାକୁଡି କି କଦଳୀ ଖଣ୍ଡେ ଭୋଗ ବି ଲଗାଏ।ସେ ଏକ ସଂସ୍କାରୀ ଓ ଆଧ୍ୟାତ୍ମିକବାଦୀ ସୁଗୃହିଣୀଟିଏ।ଅତି ଆଦର ଯତ୍ନରେ ସେ ଠାକୁରଙ୍କୁ ପୂଜା କରୁଥାଏ । ଧୀରେ ଧୀରେ ତାଙ୍କର ଅବସ୍ଥାରେ କିଛିଟା ଉନ୍ନତି ହେବାକୁ ଲାଗିଲା। ଖୁବ୍ ସୁଖରେ ମାଧିଆର ସଂସାର ଚାଲୁଥାଏ, ନିଜ ପୁଅ-ଝିଅ ଓ ପତ୍ନୀଙ୍କୁ ନେଇ।ଏସବୁ ସେଇ ଶାଳଗ୍ରାମଙ୍କ ଚମତ୍କାର ବୋଲି ବାସନ୍ତି ମନେ ମନେ ଭାବେ। ପ୍ରତିଦିନ ବାସନ୍ତି ସ୍ୱାମୀ ଓ ପିଲାଙ୍କ ଖାଇବାକଥା ବୁଝି ସଞ୍ଜଦେବାକୁ ଯାଏ।ତା'ପରେ ସମସ୍ତେ ମିଶି ପ୍ରାର୍ଥନା କରନ୍ତି। ମାଧିଆଟା ମୁର୍ଖ ହେଲେ ମଧ୍ୟ ରେଡ଼ିଓ , ଟିଭି ଓ ୟା ତା ମୁହଁରୁ ଯାହା ଭଜନ ଶୁଣିଥାଏ କିଛି କିଛି ମନେ ରଖିଥାଏ ଓ ତା'କୁ ଦାଣ୍ଡପିଣ୍ଡାରେ ବସିଥିବାବେଳେ ସଞ୍ଜବେଳେ ଗୁଣୁ ଗୁଣୁ ହେଉଥାଏ। ଠାକୁରଙ୍କ ଗୁଣକୀର୍ତ୍ତନରେ ହଜିଯାଏ। ଏଟା ତା'ର ନିତ୍ୟକର୍ମ ଅନ୍ତର୍ଭୁକ୍ତ।ପ୍ରତିଟି କାମରେ, ସୁଖରେ ବା ଦୁଃଖରେ ମହାମନ୍ତ୍ର ଜାପ ତା'ର ଅଭ୍ୟାସ।

    ଥରେ ଜଣେ ବ୍ରାହ୍ମଣ ମାଧିଆର ପିତୃଶ୍ରାଦ୍ଧ କର୍ମ କରିବାକୁ ଆସିଥିଲେ । ପୂଜା ସାରି ଯିବା ସମୟରେ ମାଧିଆକୁ କହିଲେ, "ମୁୁଁ ତୁମ ଠାକୁରଙ୍କ ପାଖରେ ଶାଳଗ୍ରାମ ଟିଏ ଦେଖିଲି। ତାହା ତୁମେ କେଉଁଠୁ ପାଇଲ ? ଏହା ତୁମେ ପୂଜା କରିବା ଅନୁଚିତ । ଏହା ବ୍ରାହ୍ମଣ ଘରେ ରହିବା ଉଚିତ। ତେଣୁ ୟାକୁ ମୋତେ ଦେଇଦିଅ। ତୁମେ ରଖିଲେ ତୁମର ଅନିଷ୍ଟ ହୋଇପାରେ। ତେଣୁ ମାଧିଆ ତୁରନ୍ତ ବ୍ରାହ୍ମଣ ଙ୍କୁ ଦେଇଦେଲା। ବାସନ୍ତି ଆସି ଦେଖେ ତ ଠାକୁରଙ୍କ ପାଖରେ ଶାଳଗ୍ରାମ ନାହାନ୍ତି। ପଚାରିବାରୁ ମାଧିଆ ସବୁ କହିଲା। ମାତ୍ର ବାସନ୍ତି ମନଟା ଗୋଳେଇ ଘାଣ୍ଟି ହେଉଥାଏ। ମନେ ମନେ ସେ କହୁଥାଏ, "ହେ ପ୍ରଭୁ , ମୁଁ ଗରୀବ ନିଚ୍ଚଜାତି ବୋଲି ମୋ ପାଖରୁ ଚାଲିଗଲ ନା ?ହଁ କଣ ବା ମୁଁ ଆପଣଙ୍କୁ ଦେଇପାରିବି। ତୁଚ୍ଛାଟାକୁ ଡାକିଲେ କାଇଁ ଯେ ତମେ ଶୁଣିବ ? ନା ମୋ ପାଖେ ଆପଣଙ୍କୁ ରଖିବାର ଉପଯୁକ୍ତ ସ୍ଥାନ ଅଛି, ନା ମୋତେ ପୂଜା -ବିଧି ଜଣାଅଛି ନା ମୋପାଖରେ ଆପଣଙ୍କୁ ବାଢିବାକୁ କିଛି ସୁସ୍ୱାଦୁ ନୈବେଦ୍ୟ ଅଛି, ହଉ ଯାହା ଆପଣଙ୍କ ଇଚ୍ଛା ।" ଏହା କହି ଆଖିରୁ ଲୁହଗୁଡାଏ ଢାଳିଦେଇ ମୁଣ୍ଡିଆଟିଏ ମାରି ନିଜ କାମରେ ଲାଗିଲା।

  କିଛି ଦିନ ଗତ ହେଲା । ବାସନ୍ତି ନିଜ ନିତ୍ୟ କର୍ମ ସାରିଛି। ଠାକୁର ପୂଜା ସାରିଲା ମାତ୍ର, ମନରୁ ତା'ର ଶାଳଗ୍ରାମଙ୍କୁ ହରେଇବାର ଅବସୋସ ଯାଉ ନ ଥାଏ। ତା' ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବାପରେ ନିଜେ ପଖାଳକଂସା ଧରି ବସି ପଡୁ ପଡୁ ଆସିଲେ ଟୁନିଆ ନନା, ଯିଏ ଶାଳଗ୍ରାମ ନେଇଯାଇଥିଲେ । ତାଙ୍କୁ ଦେଖି ପଖାଳକଂସାକୁ ଘୋଡେ଼ଇ ଦେଇ ଆସି ଓଳିଗି ହେଲା ବାସନ୍ତି । ପଚାରିଲା, "ନନା ଆଜ୍ଞା, ପୁଣି କ'ଣ କିଛି ଅନୁଚିତ ହେଇଗଲା କି ? ନନା କହିଲେ, "ନାଇଁ ନାଇଁ ବାସନ୍ତି। ବରଂ ମୁଁ କରିଥିବା ଭୁଲକୁ ସୁଧାରିବାକୁ ଆସିଛି।ଆପଣଙ୍କର ପୁଣି କି ଭୁଲ ଆଜ୍ଞା ? ଆପଣ କେବେ ଭୁଲ କରିପାରିବେ ?" ହଁ ହଁ ବାସନ୍ତି ମୁଁ ବି ତ ମଣିଷ ।ଭୁଲ କରିବା ସ୍ୱଭାବିକ। ମୁଁ ଭୁଲ ନୁହେଁ ଅପରାଧ କରିଛି ।ଅପରାଧ ନୁହେଁ ବରଂ ପାପ କରିଛି। ଭକ୍ତ ଠୁ ଭଗବାନଙ୍କୁ ଦୂର କରିଛି ବୋଲି ନନା କହିଲେ। ବାସନ୍ତି କଣ ବୋଲି ପଚାରିବାରୁ କହିଲେ ,"କାଲି ରାତିରେ ମୁଁ ସ୍ୱପ୍ନ ଦେଖିଲି , ଶ୍ୟାମସୁନ୍ଦର ଦିବ୍ୟ ପୁରୁଷ, ପୀତାମ୍ବରେ ଶୋଭିତ ତାଙ୍କ କଳେବର, ପଛରୁ ତାଙ୍କର ଜ୍ୟୋତି ବାହାରୁଥିଲା, ଝାପ୍ସା ଝାପ୍ସାରେ ସପନ ଦେଖୁଥାଏ । ମନମୋହକ ଚେହେରା, ମଥାରେ ମୟୁରଚୂଳ ହାତରେ ବଂଶୀ । ମୋତେ ସେହି ଭଗବାନ କହିଲେ ,"ମୋତେ ମାଧିଆ ଘରୁ କାଇଁ ଆଣିଲୁ ?ଜାଣିନୁ ମୋ ଭକ୍ତପାଖେ ହିଁ ମୁଁ ଶାନ୍ତି । ସେ ହେଇଥାଉ ପଛେ ଦୀନ ଦରିଦ୍ର, ହୋଇଯାଉ ପଛେ ନିଚ୍ଚ କୁଳ, ଜାଣି ନଥାଉ ପଛେ ପୂଜାବିଧି, ନ ଦେଉ ପଛକେ ସୁସ୍ୱାଦୁ ନୈବେଦ୍ୟ କି ସୁଗନ୍ଧ- ଚନ୍ଦନ ଓ ଫୁଲ, ନ ଥାଉ ପଛେ ତା'ପାଖେ ସୁନାର ଖଟୁଲି ମୁଁ ତ ତା'ର ଭକ୍ତିରେ ବଶ । ତା'ମନ ମନ୍ଦିରରେ ହିଁ ମୋର ବାସ।ଦିନ ରାତି ଯିଏ ମୋତେ ତା'ର ପ୍ରତିଟି କର୍ମରେ ସ୍ମରଣ କରେ ସେ ହେଉଛି ମାଧିଆ ନିଜର ମନ, ଧନ, ବିଶ୍ୱାସ,ଭକ୍ତି ସବୁକିଛି ଯିଏ ମୋ ପାଦତଳେ ସମର୍ପି ଦେଇଛି ସେ ହେଉଛି ବାସନ୍ତି।ତୁ କ'ଣ ତା'ଠୁ ନିଃସ୍ୱାର୍ଥପର ଭକ୍ତ ? ଛାଡି ଆସ ଶିଘ୍ର ମୋତେ ତା'ଘରେ । ଏତିକି କହି ସେ ଉଭେଇ ଗଲେ , ମୋ ନିଦ ଭାଙ୍ଗିଗଲା। ପାହାନ୍ତି ପହର ହେଉଥାଏ । ମୁଁ ତୁରନ୍ତ ନିଜର ନିତ୍ୟକର୍ମ ସାରି ପ୍ରଭୁଙ୍କୁ ସାଙ୍ଗରେ ନେଇ ଆସିଛି ।ଦୟାକରି ତୁମେ ସାଦରେ ତାଙ୍କ ସ୍ଥାନରେ ରଖି ମୋତେ କ୍ଷମାକର । ହାତଯୋଡି ମିନତି କରୁଛି ,ମୋ ଦୋଷ ଧରିବନି। ବ୍ରାହ୍ମଣଙ୍କ ଏଭଳି କଥାରେ ଆଶ୍ଚର୍ଯ୍ୟ ଚକିତ ହେବାସହ ଭକ୍ତିଗଦଗଦଚିତ୍ତରେ ବାସନ୍ତିର ଆନନ୍ଦାଶ୍ରୁ ବୋହିଯାଉଥାଏ । ହରେକୃଷ୍ଣ ନାମ ଧରି ନିଜ ସ୍ଥାନରେ ରଖିଦେଇ ଲମ୍ବ ହୋଇପଡିଗଲା। ମାଧିଆ ଆସିଲା ପରେ ସମସ୍ତ କଥା ଜଣାଇଲା। ମାଧିଆ ମଧ୍ୟ ଭକ୍ତିପରିପ୍ଳୁତ ହୋଇ ଦଣ୍ଡବତ ହେଇ ପ୍ରଭୁଙ୍କ ମହାମନ୍ତ୍ର ଜପରେ ମଗ୍ନ ହୋଇଗଲା।

    ଏଥିରୁ ସ୍ପଷ୍ଟ ଭଗବାନ କେବଳ ଶୁଦ୍ଧ ଭକ୍ତି ଓ ଭକ୍ତର ନିଷ୍କପଟ ହୃଦୟ ମନ୍ଦିର ଲୋଡ଼ନ୍ତି ‌। ଶାଗ ପଖାଳ ହେଉ ବା ଅଇଁଠା ବରକୋଳି, ଭକ୍ତର ସ୍ନେହ ଓ ବିଶ୍ୱାସ ରୂପୀ ମଧୁବୋଳାହୋଇ ବିଷ ବି ଅମୃତପାଲଟିଯାଏ ପ୍ରଭୁଙ୍କ ପାଇଁ।

"ଭକ୍ତିରେ ବଶ ଭଗବାନ 

ଭକତି ବିନୁ ତୁଚ୍ଛ ଆନ" ।


Rate this content
Log in

Similar oriya story from Abstract