ଗୁଣ୍ଡୁଚିମୂଷା
ଗୁଣ୍ଡୁଚିମୂଷା
ସକାଳୁ ସକାଳୁ ଗାଧେଇ ସାରି ଆସୁ ଆସୁ ଚିଂ ଚିଂ ଶବ୍ଦ ଶୁଣିଲି। ଚାହିଁ ଦେଖିଲି ଝରକା ସେପାଖକୁ ଶବ୍ଦ ଆସୁଥିବା ଦିଗକୁ। ଶାଳ ଗଛଟା ଉପରେ ବେଶ ମନ ହରସରେ ଲାଞ୍ଜ ହଲେଇ ଡେଇଁ ଡେଇଁ ରାବି ତା'ବନ୍ଧୁ ମେଳରେ ଖେଳୁଛି ମୂଷାଟି। ଯେବେ ବି ମୁଁ ଗୁଣ୍ଡୁଚି ମୂଷା ର ଚିଂ ଚିଂ ଶବ୍ଦ ଶୁଣେ ମନ ମୋର ଦ୍ରବି ଯାଏ ଅସୀମ ବାତ୍ସଲ୍ୟ ରେ । ଇଛା ହୁଏ ହାତରେ ଧରି ଆଉଁସି ପାରନ୍ତି କି ? ଏ ଭାବନା ଉଦ୍ରେକର କାରଣ ଜାଣିବାପାଇଁ ପାଠକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିବା ସ୍ୱଭାବିକ।
ସେତେବେଳେ ଆମ ରୋଷେଇଘରର ଆଜବେଷ୍ଟସ ଉଠି ଛାତପଡିବା ପାଇଁ ଘର କାମ ଆରମ୍ଭ ହେଉଥାଏ। ତେଣୁ ମୁଲିଆ ମାନେ ପ୍ରଥମେ ଆଜବେଷ୍ଟସ ତାଡିବା ଆରମ୍ଭ କରିଦେଲେ ।ସେଇ ଆଜବେଷ୍ଟସ ତଳେ କାନ୍ଥ ଖୋଲରେ ଗୋଟିଏ ମୂଷାଛୁଆ ଙ୍କ ର ବସା ଥିଲା । ଆଖି ମଧ୍ୟ ଖୋଲି ନ ଥିଲା ସେମାନଙ୍କର।କାଣିଆଙ୍ଗୁଠି ଭଳି ହୋଇଥିଲେ ଛୁଆଗୁଡିକ। ଛଅଟି ଛୁଆ ମଧ୍ୟରୁ ଦୁଇତିନିଟି କାନ୍ଥରୁ ତଳକୁ ଖସି ପଡ଼ିଥିଲେ ।ମୋର ଘର ଲୋକେ ସେ ମୂଷା ଛୁଆ ଙ୍କ ବିଷୟରେ ଆଲୋଚନା କରିବାର ଶୁଣି ମୁଁ ଦୈାଡି ଯାଇ ଦେଖିଲି ସେମାନଙ୍କ ଭିତରୁ ଦୁଇଟି ମୃତ ଆଉ ଦୁଇଟି ମୃତ ପ୍ରାୟ । ତଥାପି ମୁଁ ସେମାନଙ୍କୁ ତୋଳି ଆଣିଥିଲି ମୋ ହାତ ପାପୁଲିକୁ। ସେଗୁଡିକ ଏତେ ଛୋଟ ଥିଲେ କି କେଉଁ ମୂଷାର ଛୁଆ ଜଣାପଡୁ ନ ଥିଲେ। ମାତ୍ର ଦୂରରେ ବ୍ୟସ୍ତ ବିବ୍ରତ ହୋଇ ଚିଂ ଚିଂ ଶବ୍ଦ କରି ଚାଳଘରର ଛପର ଉପରେ ଏପଟସେପଟ ହେଉଥିବା ଗୋଟିଏ ଗୁଣ୍ଡୁଚିମୂଷା କୁ ମୁଲିଆମାନେ ଦେଖିଥିବା କଥା କହିଲେ। ସେଥିରୁ ଅନୁମାନ କରିଲି ଯେ ,ଏଗୁଡ଼ିକ କେଉଁ ଗୁଣ୍ଡୁଚିମୂଷା ର ଛୁଆ। ହେଲେ ତା'ର ମାଆତ ପଳେଇଯାଇଥିଲା ,ଅସୀମ ଦୁଃଖ ଓ ବିବଶତାକୁ ମନରେ ଚାପିଧରି।ଦୁନିଆରେ ସବୁଠୁ ବେଶୀ କଷ୍ଟ ଓ ଯନ୍ତ୍ରଣାଦାୟକ ଘଟଣା ହେଉଛି ଗୋଟିଏ ବିବଶ , ଅସହାୟ ମାଆ ଆଖିଆଗରେ ତା'ର ସନ୍ତାନ ମାନଙ୍କର ବିପଦ ବା ଅଧୋଗତି। ଭଗବାନ ଏ କଷ୍ଟ କେଉଁ ମାଆଙ୍କୁ ନ ଦିଅନ୍ତୁ। ମୋ ମନ ଏ ଅବସ୍ଥା କୁ ବୁଝି ଅସୀମ ଦରଦରେ ଫାଟି ପଡୁଥିଲା। ତେଣୁ ମୁଁ ସେ ଆଖିଫିଟି ନ ଥିବା ମୂଷା ଛୁଆ ମାନଙ୍କୁ ବଞ୍ଚେଇ ବାକୁ ପ୍ରାଣପଣେ ଚେଷ୍ଟା କରିଲି । ସେମାନଙ୍କ କୁନି କୁନି ପାଟିରେ କ୍ଷୀରର ବୁନ୍ଦା କାନ ସଫା କରାଯାଉଥିବା ଛୋଟ ତୁଳାଗୁଡାକାଠି ଦ୍ୱାରା ଭିଜେଇ ଦେବାକୁ ଚେଷ୍ଟା କଲି । ସେମାନଙ୍କ ପାଟି ଭିତର ଦେଇ କ୍ଷୀର ପେଟ ଯାଏଁ ପହଞ୍ଚୁଛି ବା ନାହିଁ ମଧ୍ୟ ଜଣାପଡୁ ନ ଥାଏ । ମୁଁ କିନ୍ତୁ ଟିକେ ଛାଡି ଟିକେ ଛାଡି ଅଳ୍ପ ସମୟ ବ୍ୟବଧାନରେ କ୍ଷୀର ଦେଉଥାଏ ।ମୋର ତିନି ଚାରିମାସର ଝିଅକୁ ଖାଇବାକୁ ଦେବାପୂର୍ବରୁ ସେମାନଙ୍କ କଥାତ ନିଶ୍ଚୟ ମନେପଡେ। ଦିନେ ଦୁଇଦିନ ଭିତରେ ଦୁଇଟି ଛୁଆ ଗୋଟେ ପରେ ଗୋଟେ ମରିଗଲେ।କାରଣ ସେମାନେ ଏତେ ଉପରୁ ପଡ଼ି ମୃତପ୍ରାୟ ନିଶ୍ଚଳ ପଡ଼ିଥିଲେ। ଆଉ ରହିଲେ ଦୁଇଟିଛୁଆ। ସେମାନେ ସତେଜ ହୋଇଗଲେ କିଛି ଦିନ ମଧ୍ୟରେ । ଗୋଟିଏ କାଇଁଚଡାଲା ଭିତରେ କପଡାଟିଏଭିତରେ ଗୁଡେଇକି ରଖିଥାଏ ସେମାନଙ୍କୁ। ଧୀରେ ଧୀରେ ସେମାନେ ଆଖି ଖୋଲିଲେ ।ଚଳଚଞ୍ଚଳ ହୋଇ ଘରେ ବୁଲାବୁଲି କଲେ । ମାତ୍ର ଥରେ ସକାଳୁ ଗୋଟିଏ ଛୁଆ ନ ଥିବାର ଦେଖିଲି। ସମସ୍ତେ ଜାଣିଲେ ବିଲେଇ ବୋଧହୁଏ ଖାଇଦେଇଛି। କାରଣ ଆଗରୁ ମଧ୍ୟ ବିଲେଇ ଆସି ଶିକାର କରିବାକୁ ଚେଷ୍ଟା କରିଥିଲା। ତେଣୁ ଆଉ ଗୋଟିଏ ମାତ୍ର ରହିଲା। ତାକୁ ଶୋଇବା ପୂର୍ବରୁ ସୁରକ୍ଷିତ ଭାବେ ଶୁଆଇ ଦେଇ ମୁଁ ଶୋଉଥିଲି ।ଦିନ ବେଳା ସେ ଆମଘରର ସଦସ୍ୟ ପରି ବିଚରଣ କରେ। ହାତର ଆଞ୍ଜୁଳାରେ ଧରିଲା ଭଳି ହୋଇଯାଇଥାଏ । ଚିଂ ଚିଂ ହୋଇ ଘର ସାରା ବୁଲି ବୁଲି ବେଳେବେଳେ ଖଟ ପାଖକୁ ଯାଇ ଓହଳିଥିବା ବେଡସିଡ ଦ୍ୱାରା ଚଢି ଖଟ ଉପରକୁ ଯାଇ ମୋ ଝିଅ ଚାରିପାଖେ ଖେଳେ ।ଝରକା ଫାଙ୍କ ଦେଇ ବାହାର ଦୁନିଆ କୁ ଦେଖେ ।ଘରର ଅଗଣାରେ ଥିବା ବିଭିନ୍ନ ଫୁଲ ଗଛ ଓ ତା'ମଧ୍ୟରେ ପିଜୁଳି ଗଛଟିରେ ଚଢି ଖେଳେ ଓ ଖେଳିସାରି ପୁଣି ଘରକୁ ଫେରିଆସେ। ସେମାନଙ୍କ ଜୀବନ ତ ଗଛଡାଳ ମଧ୍ୟରେ ଶୋଭନୀୟ ଓ ସ୍ୱଭାବିକ ମଧ୍ୟ। କିଛି ଦିନ ପାଇଁ ମୁଁ ଘରେ ଅନୁପସ୍ଥିତ ଥିଲି ।ଫେରି ଆସିଲା ପରେ ଶୁଣିଲି ଯେ ସେ ମୋତେ ଓ ମୋର ଛୋଟ ଝିଅକୁ ଖୋଜି ଖୋଜି ଶୋଇବାଘର କବାଟ ପାଖରେ ଯାଇ ଦୁଇ ଗୋଡ଼ ଟେକି ବାରମ୍ବାର ଦେଖେ । ବେଳେବେଳେ ବେଡସିଡ ମାଧ୍ୟମରେ ଖଟ ଉପରେ ଚଢ଼ି ବୁଲି ଖୋଜେ ମୋ ଝିଅକୁ।କାରଣ ମୋ ଝିଅ ସେଇଠି ଶୋଇ ଗୋଡ ହାତ ବାଡ଼େଇ ଖେଳିଲା ବେଳେ ସେ ମଧ୍ୟ ତା' ଚାରିପାଖରେ ବୁଲିଖେଳେ। ଏମିତି ସେ ଆମ ଘରର ଏକ ଆକର୍ଷଣୀୟ ସଦସ୍ୟ ହୋଇଯାଇଥିଲା। ମାତ୍ର ବଡ ହେଲା ପରେ ଧିରେ ଧିରେ ବୋଧହୁଏ ସାଥି ଟିଏ ର ଆବଶ୍ୟକତା କୁ ଅନୁଭବ କରି ପିଜୁଳି ଗଛ ଓ ଘରର ଚାଳ ଉପରେ ଅଧିକ ସମୟ ରହେ । ଆଉ ଦିନେ ଏକ ସାଥି ଟିଏ ପାଇଗଲା ଓ ସେ ସାଥିଟିର ଲାଳସା ତାକୁ ଆମମାନଙ୍କଠାରୁ ଦୂରେଇ ନେଲା।ତା'ପରେ ସେ ଯାଏ ଓ ଦିନେ ଦୁଇ ଦିନ ପରେ ଫେରିଆସେ । ଏମିତି ଧୀରେ ଧୀରେ ଯାଇ ଆଉ ଫେରିଲା ନାହିଁ । ତା'ର ଦୁନିଆରେ ହଜିଗଲା ସେ ।ହେଲେ ଆଜି ବି ଏ ମାଆ ମନ ମୋର ଝୁରି ହୁଏ ତାକୁ ନିଜର ସନ୍ତାନ ପରି। ଅନ୍ୟ କୈାଣସି ଗୁଣ୍ଡୁଚିମୂଷା କୁ ଦେଖିଦେଲେ ମନ ମୋର ବ୍ୟାକୁଳ ହୋଇଉଠେ।ହେଲେ ପୁଣି ଏକ ସୁନ୍ଦର ସ୍ୱପ୍ନ ଭଳି ଭାବି ତାକୁ ଭୁଲିଯାଇ କର୍ମବ୍ୟସ୍ତତା ଭିତରେ ମଜ୍ଜିଯାଏ।
