କୁହୁଡି - ଡକ୍ଟର କୃତ୍ତିବାସ ନାୟକ
କୁହୁଡି - ଡକ୍ଟର କୃତ୍ତିବାସ ନାୟକ


ପ୍ରେମାନନ୍ଦ ବାବୁ ବସ ଟିକେଟଟିକୁ ଭଲ କରି ଯାଞ୍ଚ କରିନେଲେ । ବସ ଛାଡ଼ିବାର ସମୟ ଲେଖା ଅଛି, ରାତି ଦଶଟା । ସିଟ ନମ୍ବର ବାର । ଟିକେଟର ମୂଲ୍ୟ ଦୁଇଶହ ଟଙ୍କା । କିନ୍ତୁ ପ୍ରକୃତରେ କାଉଣ୍ଟରରେ ନେଇଥିଲେ, ମାତ୍ର ଶହେ ଚାଳିଶି ଟଙ୍କା । ତା'ମାନେ ଏଜେଣ୍ଟମାନେ ଗୋଟାଏ ଟିକେଟରୁ ନିଜର କମିଶନ ନେଲା ପରେ ବି ଷାଠିଏ ଟଙ୍କା ଛାଡ଼ି ପାରୁଛନ୍ତି ।
ରାଉରକେଲାରୁ ଭୁବନେଶ୍ୱର ଯେତେଗୁଡ଼ିଏ ବସ ଚାଲିଛି, ସବୁଠି ତ ସେଇମିତି ରିହାତି ମିଳୁଛି । ଖାଲି ବାହାଘର ବେଳେ କି ବିଶେଷ ଦିନମାନଙ୍କରେ ଗହଳି ଦେଖି ସେମାନେ ତା'ର ଫାଇଦା ନିଅନ୍ତି । ଛାଡ଼, ସେ ବସଷ୍ଟାଣ୍ଡର କାଉଣ୍ଟର କଥା ।
ଅନ୍ୟମନସ୍କ ହେଇଗଲେ ପ୍ରେମାନନ୍ଦ ବାବୁ ।
ଘଡ଼ିକୁ ଚାହିଁଲେ, ରାତି ନଅଟା ବାଜିଲାଣି । ସେ ଭାବିଲେ- "ସେକ୍ଟର ଭିତରୁ ବାହାରି ବସଷ୍ଟାଣ୍ଡରେ ପହଞ୍ଚିବାକୁ ଅବଶ୍ୟ ପନ୍ଦର-କୋଡ଼ିଏ ମିନିଟ ସମୟ ଲାଗିବ । ତଥାପି ଅଧଘଣ୍ଟା ଆଗରୁ ସେଇଠି ପହଞ୍ଚି ଯିବାଟା ଭଲ ।
ଗତଥରର ଯେଉଁ ବିରକ୍ତିକର ଅଭିଜ୍ଞତା ଅଛି, ତାକୁ ନକହିବା ଭଲ । କଥା କ'ଣ କି, ମୋର ଗୋଟାଏ ଅତି ଜରୁରୀ କାମ ଥିବାରୁ ଭୁବନେଶ୍ୱର ଯିବାକୁ ଟିକେଟ ଖଣ୍ଡେ ଯଥେଷ୍ଟ ଆଗରୁ କିଣିଥିଲି । ଏଥର ଭଳି ସେଥର ବି ରିହାତି ମିଳିଥିଲା । ବସର ସିଟ ନମ୍ବର ଥିଲା ଆଜିପରି ବାର । ବସ ଛାଡ଼ିବାକୁ ପାଞ୍ଚ ମିନିଟ ଅଛି, ମୁଁ ଯାଇ ଦେଖେ ତ ବାର ନମ୍ବର ସିଟରେ ଜଣେ ବୟସ୍କ ଲୋକ ବସିଛନ୍ତି । ଆମ ଦୁଇ ଜଣକ ଭିତରେ ଅଶାନ୍ତି ସୃଷ୍ଟି ହେବା ତ ସ୍ୱାଭାବିକ କଥା । ଦେଖିଲି, ତାଙ୍କ ଟିକଟରେ ବି ସିଟ ନମ୍ବର ବାର ଲେଖା ହେଇଥିଲା । କଣ୍ଡକ୍ଟର, କାଉଣ୍ଟରବାଲା ଠାରୁ ଆରମ୍ଭ କରି ଆହୁରି ତିନି ଚାରିଟା ଟୋକା ଆସି ମୋତେ କହିଲେ-"ଆପଣ 43 ନମ୍ବର ସିଟକୁ ଚାଲି ଯାଆନ୍ତୁ ନହେଲେ, ଆଗ ସିଟପାଇଁ ପୂରା ଟଙ୍କା ଦେବାକୁ ପଡ଼ିବ ।"
ମୁଁ କାବା ହେଇଗଲି । ସକଳ ପ୍ରକାର ଯୁକ୍ତିତର୍କ ମୋର ବିଫଳ ହେଲା ।
ସେଦିନ ସେହି ବସରେ ଆଉ ଯିବାକୁ ମୋର ଇଚ୍ଛା ହେଉ ନଥାଏ । କିନ୍ତୁ ଜରୁରୀ କାମ ଥିବାରୁ ଏବଂ ଅନ୍ୟ ବସରେ ସେଭଳି ଆଗ ସିଟ ନ ମିଳିବାରୁ ବାଧ୍ୟହେଇ, ସେହି ବସରେ ଗଲି । ବାଟରେ ଅବଶ୍ୟ କଣ୍ଡକ୍ଟର ବାବୁ ଦୟା ପରିବେଶ ହେଇ, ତାଙ୍କ ସିଟରେ ବସିବାକୁ ସୁଯୋଗ ଦେଇଥିଲେ । ତା'ଫଳରେ ମୋର ସବୁ ରାଗ -ଅଭିମାନ ଦୂର ହେଇଯାଇଥିଲା ।
ସତରେ ଯାତ୍ରା ଆରମ୍ଭରୁ ଏଭଳି କଳିଗୋଳ ଆଉ ଅଶାନ୍ତି ଯାତ୍ରାଟାକୁ ମୋଟେ ସୁଖକର କରାଏ ନାହିଁ ।
-ଏଥର ପୁଣି କ'ଣ ହେବ କେଜାଣି ?
ପ୍ରେମାନନ୍ଦ ବାବୁଙ୍କ ମନଟା ଚଞ୍ଚଳ ହେଇଉଠିଲା । ଆଉ ଥରେ ବାଥରୁମ ଯାଇ ଫେରି ଆସିଲେ । ଗାମୁଛାରେ ମୁହଁ ପୋଛି ପୋଛି ଝରକା ଆଡ଼କୁ ଚାଲିଗଲେ । ତାଙ୍କର ଆଖି ପଡ଼ିଗଲା- ତାଙ୍କ ପଡ଼ିଶା ଘର ଝରକା ଉପରେ ।
ସେକ୍ଟର ଘର ଗୁଡ଼ାକ ତ ଏମିତି ତିଆରି ହେଇଛି ଯେ, ଝରକା ସିଧାକୁ ଝରକା । କବାଟ ସିଧାକୁ କବାଟ । ପୁଣି ପାଇଖାନା ସିଧାକୁ ପାଇଖାନା । ଯଦି ସମସ୍ତଙ୍କ ଝରକାକୁ ଖୋଲିଦେଇ ଜଣେ ଏ' ମୁଣ୍ଡରୁ ଚାହିଁବ,ପାଞ୍ଚ ଦଶଟା ଘର ଏକାଥରେ ଦେଖି ପାରିବ । ଯେଉଁ ଘର ଭିତରେ ଆଲୁଅ ଜଳୁଥିବ, ସେ ଘର ଜିନିଷ ଗୁଡ଼ାକ ବାହାର ଲୋକଙ୍କୁ ଜକଜକ ଦିଶିଯିବ ।
ସେତେବେଳେ ପଡ଼ିଶା ଘର ଭିତରେ ବି ଲାଇଟ ଜଳୁଥିଲା । ଝରକା ସ୍କ୍ରୀନଟା ସେଦିନ କେଜାଣି କେମିତି ଟେକି ହେଇଯାଇଥିଲା । ପ୍ରେମାନନ୍ଦ ବାବୁ ଭଲ ଭାବରେ ଦେଖି ପାରିଲେ- ବିଶ୍ଵାଳବାବୁଙ୍କ ସ୍ତ୍ରୀ ତାଙ୍କ ଡ୍ରେସିଂ ଟେବୁଲ ପାଖରେ ଠିଆହେଇ ସଜବାଜ ହେଉଛନ୍ତି । ତାଙ୍କର ପ୍ରସ୍ତୁତି ପର୍ବର ପ୍ରସ୍ତୁତି ଏତେ ଦ୍ରୁତରେ ଥିଲା ଯେ, ତାକୁ ଦେଖିଲେ, ଲାଗୁଥିଲା ସତେ ଯେମିତି ସେ କୌଣସି ଗୋଟାଏ ଜରୁରୀ କାମରେ ସଂଗେ ସଂଗେ କୁଆଡ଼େ ବାହାରକୁ ଯିବେ ।
-ହେଇଥିବ, ଏଇ ସାହି ପଡ଼ିଶାର କାହା ଘରକୁ ଯିବାର ଥିବ । ନହେଲେ ଏତେ ରାତିରେ ସିଏ କାହିଁକି ଏତେ ତରବରହେଇ ସଜବାଜ ହୁଅନ୍ତେ ?
ଛାଡ଼, ସେ ପର ଘର କଥାରେ ଅଯଥା ମୁଣ୍ଡ ଖେଳେଇ ସମୟ ନଷ୍ଟକରି ଲାଭ କ'ଣ ?"
ଆଖି ଫେରେଇଲେ ପ୍ରମାନନ୍ଦ ବାବୁ ।
କେତେବେଳେ ପତ୍ନୀ ହୀରାମଣି ତାଙ୍କ ପଛରେ ଆସି ଠିଆହେଇ ଯାଇଛନ୍ତି, ପ୍ରେମାନନ୍ଦ ବାବୁ ଜାଣିପାରି ନ ଥିଲେ । ହଠାତ ପତ୍ନୀଙ୍କର ଆଖି ଦିଇଟା ଏତେ ଶୀଘ୍ର ନାଲି ହେଇଯାଏ, ପୁଣି ଗୋଟାଏ ସାମାନ୍ୟ ଘଟଣାରେ; ସେହିଦିନ ପ୍ରଥମକରି ଜାଣିଲେ ପ୍ରେମାନନ୍ଦ ବାବୁ ।
ଗାମୁଛାରେ ମୁହଁ ପୋଛିବା ଆଳରେ ବିଶ୍ଵାଳ ବାବୁଙ୍କ ଝରକାକୁ ସେ କେତେ ସମୟ ଏକନିଷ୍ଠ ଭାବରେ ଚାହିଁ ରହିଥିଲେ, ଅବଶ୍ୟ ଠିକ ହିସାବ ସେ ରଖି ପାରି ନ ଥିଲେ । କିନ୍ତୁ ପତ୍ନୀ ତାଙ୍କ ରୋଷେଇ ଘରୁଥାଇ, ହିସାବ କରି ସାରିଥିଲେ- ଦଶ ମିନିଟ ଚାଲିଗଲାଣି ଖାଲି ବାବୁଙ୍କ ମୁହଁ ପୋଛାରେ ।
ହୀରାମଣିଙ୍କର ଆଖି ଦୁଇଟାର ଗତି ଆଉ ରଙ୍ଗରୁ ଜଣା ପଡ଼ି ଯାଉଥିଲା, ସେ ପ୍ରେମାନନ୍ଦ ବାବୁଙ୍କ ଉପରେ ଭୀଷଣ ଭାବରେ କ୍ରୋଧାରୁଢ । ଏତେବେଳକୁ ସେ କେତେ କ'ଣ କହି ସାରନ୍ତେଣି, ଆଜି କେବଳ ଘରୁ ବାହାରିଲା ବେଳେ ଝଗଡ଼ା ଝାଟି କରିବେ ନାହିଁ ବୋଲି, ପାଟିଟାରେ ଏକପ୍ରକାର ଚାବି ପକେଇ ରହିଛନ୍ତି । ସେ ମୁହଁ ପୋଛା ବନ୍ଦକରି ଡାଇନିଂ ଟେବୁଲକୁ ଚାହିଁଲେ । ଖାଇବା ପାଇଁ ଥାଳି ଓ ପାଣି ଥୁଆ ସାରିଲାଣି । ନିଜ ଦୋଷକୁ ନିଜେ ଜାଣିପାରି ସେ ସୁନାପିଲା ପରି ଖାଇ ବସିଲେ ।
ତାଙ୍କ ମନେ ପଡ଼ିଗଲା-"ଏ' ସେକ୍ଟରକୁ ଆସିଲା ଦିନ ହିଁ ବିଶ୍ଵାଳ ବାବୁ ଆମଘରକୁ ଆସିଥିଲେ । ଅଳ୍ପ ପରିଚୟରେ ସେ ମୋତେ ଭାରି ଆପଣାର ଲାଗିଥିଲେ । ଟ୍ରକରୁ ଜିନିଷପତ୍ର ଓହ୍ଲେଇବା ବେଳେ ଆମକୁ ଯଥା ଶକ୍ତି ସାହାଯ୍ୟ ବି କରିଥିଲେ । କେଉଁ ଦିଗକୁ ମୁଣ୍ଡ ରଖି ଶୋଇବେ, ସୋଫା ଗୁଡ଼ାକ କେମିତି ସଜେଇ ପକେଇବେ । ଡ୍ରେସିଂ ଟେବୁଲଟା କେଉଁଠି ରହିଲେ, ମୁହଁକୁ ଭଲ ଭାବରେ ଲାଇଟ ପଡ଼ି ପାରିବ, ସେ ସବୁ ବିଶ୍ଵାଳ ବାବୁଙ୍କ ନିର୍ଦ୍ଦେଶରେ ହିଁ ହେଇଗଲା ।
ସିଏ ତ ପୁଣି ଆମରି ଡିପାର୍ଟମେଣ୍ଟର ଗୋଟିଏ ସେକ୍ସନରେ କାମ କରନ୍ତି । ଏଣେ ଆମର ଏକଦମ ପାଖ ପଡ଼ୋଶୀ । ସବୁଦିନ ପାଇଁ ବିପଦ ଆପଦରେ ଆମକୁ ପରସ୍ପର ଉପରେ ନିର୍ଭରଶୀଳ ହେବାକୁ ପଡ଼ିବ, ସାହାଯ୍ୟ କରିବାରେ ଅସୁବିଧା କିଛି ନଥିଲା ।
ବିଶ୍ଵାଳ ବାବୁଙ୍କର ସ୍ତ୍ରୀଙ୍କର ବୟସ ବିଶ୍ଵାଳ ବାବୁଙ୍କ ବୟସଠାରୁ ବହୁତ କମ । ତାଙ୍କର ପ୍ରଥମ ସ୍ତ୍ରୀ ଜଣକ ମରିଯିବାର ଦଶବର୍ଷ ପରେ ସେ ତାଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି । ସେଇଥିପାଇଁ କେହି କେହି ତାଙ୍କୁ ଭୁଲରେ ବିଶ୍ଵାଳ ବାବୁଙ୍କର ବଡ଼ଝିଅ ବୋଲି ଭାବନ୍ତି ।
ବିଶ୍ଵାଳ ବାବୁ ତାଙ୍କ ପତ୍ନୀଙ୍କ ନାମ ଧରି ସୋନି ବୋଲି ଡାକନ୍ତି, ସୋନି ଦେଖିବାକୁ ବେଶ ସୁନ୍ଦରୀ । କଲେଜରେ ପଢ଼ୁଥିବାବେଳେ ସେ ମହିଳା ସଂସଦର ସମ୍ପାଦିକା ଥିଲେ । ପିଲାଟି ବେଳୁ ସେ ବେଶ ସ୍ମାର୍ଟ । ଏବେ ଯଦି ସେ ବବକଟ ଚୂଟି କାଟି, ସାଲୁଆର ପିନ୍ଧି ରାସ୍ତାରେ ଚାଲିଯାଆନ୍ତି । ସେକ୍ଟରର ମଧ୍ୟ-ବୟସ୍କ ପୌଢ ଲୋକମାନେ ବି ତାଙ୍କୁ କିଛି ସମୟ ଅନେଇ ରହନ୍ତି ।
ପ୍ରେମାନନ୍ଦ ବାବୁ ବି ପ୍ରଥମେ ପ୍ରଥମେ ତାକୁ ଅନେଇ ରହୁଥିଲେ । ବିଶ୍ଵାଳ ବାବୁଙ୍କ ସାଙ୍ଗରେ ଦିନେ ସୋନି ଆସି ତାଙ୍କ ଘରେ ପହଞ୍ଚିଲା । ପ୍ରଥମ ଭେଟରୁ ହିଁ ତାଙ୍କର ମଧୁର ବ୍ୟବହାର, ପ୍ରେମାନନ୍ଦ ବାବୁ ତଥା ତାଙ୍କ ପତ୍ନୀଙ୍କୁ ଖୁବଭଲ ଲାଗିଥିଲା । ତାଙ୍କଘରେ ଭଲ ଜିନିଷଟିଏ ହେଲେ, ସୋନି ଆଣି ପ୍ରେମାନନ୍ଦ ବାବୁଙ୍କ ପତ୍ନୀକୁ ଦେଇ କହି ଯାଆନ୍ତି-"ଏଇଟାକୁ ଆମ ଭାଇନା ଖାଇବେ । ତମପାଇଁ ମୁଁ ଦେଇନାହିଁ ।"
ସୋନିର କଥାରେ ଯେମିତି ଯାଦୁ ଥିଲା ପରି ଲାଗେ । ତାଙ୍କ କଥା କେହି କେବେ କାଟି ପାରନ୍ତି ନାହିଁ । ମଝିରେ ମଝିରେ ପ୍ରେମାନନ୍ଦ ବାବୁଙ୍କ ସହିତ ସେ ଥଟ୍ଟା ମଜାକି ବି କରନ୍ତି । ତାଙ୍କ ଝରକା ଆଉ ପ୍ରେମାନନ୍ଦ ବାବୁଙ୍କ ଝରକା ସବୁବେଳେ ଖୋଲା ରହେ । ତାଙ୍କ ରୋଷେଇ ଘର, ୟା'ଙ୍କ ରୋଷେଇ ଘରକୁ ଦେଖାଯାଏ । ବେଶ ମଜାରେ ଦୁଇଜଣ ମହିଳା କଥାବାର୍ତ୍ତା ହୁଅନ୍ତି । ସେ ଘରୁ ଥାଇ ସୋନି ବଡ଼ ପାଟିରେ ଭାଇନା ! ଭାଇନା ଡାକ ପକାନ୍ତି । ପ୍ରେମାନନ୍ଦବାବୁ ମଧ୍ୟ ଛୁଆଙ୍କ ସାଙ୍ଗରେ ଗେଲ ହେଲାପରି ତାଙ୍କ ସହିତ ବଡ଼ପାଟିରେ କଥା ହୁଅନ୍ତି । ସେ ଘରୁ ବିଶ୍ଵାଳ ବାବୁ, ଏ' ଘରୁ ପ୍ରେମାନନ୍ଦ ବାବୁଙ୍କ ପତ୍ନୀ ସବୁ ଶୁଣନ୍ତି । ହସି ହସି ବେଦମ ହେଇ ଯାଆନ୍ତି । ବେଳେବେଳେ ତାଙ୍କ ମଝିରେ ଏ'ମାନଙ୍କୁ ବି ପଦେ-ଅଧେ କଥା କହିବାକୁ ପଡ଼େ । ଏମିତି କେତେ ଦିନ ଗଡ଼ି ଚାଲିଲା ।
ଦିନେ ସଞ୍ଜବେଳେ ପ୍ରେମାନନ୍ଦ ବାବୁ ଅଫିସରୁ ଫେରି ଦେଖିଲେ-ପତ୍ନୀ ହୀରାମଣି ମୁହଁ ଫୁଲେଇ ବସିଛନ୍ତି ।
ପ୍ରେମାନନ୍ଦ ବାବୁଙ୍କୁ ଦେଖି ସେ ଘର ଭିତରକୁ ପଶି ଆସିଲେ । କହି ଚାଲିଲେ- "ଆଜିଠୁଁ ତମେ ସୋନି ସାଙ୍ଗରେ ମୋଟେ କଥା ହେବନି, କି ତମ ଘରର ଝରକା ଖୋଲା ରଖିବ ନାହିଁ । ବୁଝିଲ ! ସେ ମାଇକିନାଟା ମୋଟେ ଭଲ ଚରିତ୍ରର ନୁହେଁ, ବାହାଘର ଆଗରୁ ତ ଯାହା କରିଥିଲା ଛାଡ଼ । ଏବେ ପୁଣି ନୂଆନୂଆ ଶିକାର ଖୋଜୁଛି । ମୁଁ ତ ଭାବୁଛି, ଏ' ଘରକୁ ବି ଆମକୁ ବଦଳେଇବାକୁ ପଡ଼ିବ । ବେଳ ଥାଉଥାଉ ସେ ମାଇକିନାର କାରବାର ଜଣା ପଡ଼ିଗଲା । ନ ହେଲେ ତ ମୋ ସଂସାର ବୁଡ଼ି ଯାଇଥା'ନ୍ତା । ବାବା ଆଖଣ୍ଡଳମଣି ମୋତେ ରକ୍ଷା କରିଦେଲେ ।"
ହୀରାମଣିଙ୍କ ନନଷ୍ଟପ ଭାଷଣ ଶୁଣି ପ୍ରେମାନନ୍ଦ ବାବୁଙ୍କ ଅବସ୍ଥା ଖରାପ । ହଠାତ ଏମିତି ସୋନି ନାଆଁରେ ଏତେ ଗୁଡ଼ାଏ ବାଜେ ମନ୍ତବ୍ୟ ଦେବାର ଅର୍ଥ କ'ଣ ?
ସେ ମନେ ପକାଇଲେ-"ସୋନି ସହିତ କେତେବେଳେ ଫିସଫିସହେଇ ମୁଁ କେବେ ଗୁପ୍ତକଥା କିଛି କହିଛି କି ? ନାଇଁ ତ !
-ଆମ ଦୁଇଜଣଙ୍କର କେବେ ନିର୍ଜନ ସ୍ଥାନରେ ଭେଟ ହେଇଛି କି ? ନାଇଁ ତ !
-ସୋନିର ରୂପରେ ମୁଁ ବିମୋହିତ, ସେ ବହୁତ ସୁନ୍ଦରୀ; ତା'ଭଳି ଭଲ ମହିଳା ମୁଁ ଆଗରୁ କେବେ ଦେଖି ନାହିଁ- ଏଭଳି କଥା ନିକଟ ଅତୀତରେ କେବେ ହୀରାମଣିଙ୍କୁ କହି, ତାଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି କି ? ନାଇଁ ତ !
-ତେବେ ବିଶ୍ଵାଳ ବାବୁ ବୁଢ଼ା ହେଇଗଲେଣି, ତାଙ୍କୁ ସୋନି ଭଳି ଝିଅ ମାନୁନାହିଁ । ତା'ପାଇଁ ମୋ ଭଳି ଜଣେ ରସିକିଆ ବର ଦରକାର ଥିଲା, ବିଶ୍ଵାଳ ବାବୁ ଜଣେ ଅପରାଗ ମଣିଷ । ଏଭଳି କଥା କେବେ ଅଜାଣତରେ ଆଉ କାହା ଆଗରେ କେବେ କହି ଦେଇଛି କି ? ନାଇଁ ତ !
-ସୋନି କେବେ ଆସି ମୋ ରୂପ-ଗୁଣ, କାର୍ଯ୍ୟ କଳାପକୁ ପ୍ରଶଂସା କରି ହୀରାମଣିଙ୍କୁ କିଛି କହି ଦେଇଛି କି ? ହେଇ ଥାଇପାରେ ।
-ନହେଲେ, ଆମ ଦୁଇଜଣଙ୍କର ଯିବା ଆସିବା, ଖାଇବା ପିଇବା ଏବଂ କଥାବାର୍ତ୍ତାକୁ ଦେଖି ତୃତୀୟ ଲୋକ କେହି ଈର୍ଷା କରି ଥାଇପାରନ୍ତି ।
-ବିଶ୍ଵାଳ ବାବୁ କାଲି ଆମ ଘରକୁ ଆସିଥିଲେ । ମୁଁ ଗୋଟିଏ ଜରୁରୀ କାମରେ ବଜାରକୁ ପଳେଇ ଯାଇଥିଲି, ସେତିକି ବେଳେ ହୀରାମଣି ଆଉ ବିଶ୍ଵାଳ ବାବୁ କିଛି କଥା ହେଲେ କି ?
-ଏମିତି ବି ହେଇପାରେ, ବିଶ୍ଵାଳ ବାବୁ ମଜା-ମଜାର କହି ଦେଇଥିବେ- "ସୋନି ତ ମୋ ଝିଅ ଭଳିଆ ଦିଶୁଛି । ବିଶ୍ଵାଳ ବାବୁ ପାଖରେ ସୋନି ବସି ପଡ଼ିଲେ ନା, ସେ ଜୋଡ଼ିଟା ବେଶ ମାନୁଛି ।" ହେଇଥାଇ ପାରେ ।
ବିଶ୍ଵାଳ ବାବୁଙ୍କ ମୁଣ୍ଡବାଳ ସବୁ ଗୁଡ଼ାକ ସିନା ଧଳା ଫରଫର ଦିଶୁଛି । କିନ୍ତୁ ତାଙ୍କ ମନ ଭିତରେ ରସିକ ପଣିଆ କଥାକୁ କିଏ ବା ଜାଣେ ? ହେଇଥିବ, ବିଶ୍ଵାଳବାବୁଙ୍କ କଥାରୁ ଖିଅ ବାହାର କରି ହୀରାମଣି ସନ୍ଦେହ ଘେର ଭିତରକୁ ଆମ ଦୁଇଜଣକୁ ନେଇ ଆସିଥିବେ ।
ଠିକ ଅଛି , ଏତେ କଥାରୁ କ'ଣ ମିଳିବ ?
ସୋନି ତ ବିଶ୍ୱାଳଙ୍କର ସ୍ତ୍ରୀ । ବିଶ୍ଵାଳବାବୁ ସିନା ମୋ ସାଙ୍ଗରେ କାମ କରୁଛନ୍ତି, ତାଙ୍କ ସ୍ତ୍ରୀଙ୍କ ସହିତ ମୋର ବା କି କାମ ଯେ,? ସାମାନ୍ୟ କଥାଟାକୁ ବଢିବାକୁ ନ ଦେଇ ମୁଁ ହୀରାମଣିଙ୍କ କଥାକୁ ଶିରୋଧାର୍ଯ୍ୟ କରିନେଲି । ତାଙ୍କୁ ଖୁସି କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଲି -"ଠିକ ଅଛି । ତମରି କଥା ଅନୁସାରେ ଆଜିଠାରୁ ଆଉ ଝରକା କବାଟ ଖୋଲିବି ନାହିଁ କି' ସୋନି ସାଙ୍ଗରେ କଥାହେବି ନାହିଁ ।"
ଏତେ ସହଜରେ ପ୍ରେମାନନ୍ଦ ବାବୁ ତାଙ୍କ କଥାକୁ ଗ୍ରହଣ କରି ଯିବାରୁ ହୀରାମଣି ଆଶ୍ଚର୍ଯ୍ୟ ହେଇଗଲେ । ସେ ପଚାରିଲେ-"ମୋତେ ତ ପଚାରିଲ ନାହିଁ, କାହିଁକି କ'ଣ ପାଇଁ ମୁଁ ସୋନି ସାଙ୍ଗରେ କଥା ହେବାକୁ ମନାକଲି ତମକୁ ।"
ପ୍ରେମାନନ୍ଦ ବାବୁ ହାଲୁକା ହସଟିଏ ମୁହଁରେ ରଖି କହିଲେ-"ଆଉ ପଚାରିବି କ'ଣ ? କିଛି ଗୋଟାଏ ଖରାପ କାମ ମୋର ତମେ ଦେଖି ଦେଇଥିବ । କିମ୍ବା ମୋ ଚରିତ୍ର ଉପରେ ତମର କିଛି ଗୋଟାଏ ସନ୍ଦେହ ଆସି ଯାଇଥିବ, ତେଣୁ ତମେ ଏଭଳି କଥା କହିଲ । ତମ ମନରେ ଅଧିକ ସନ୍ଦେହ ସୃଷ୍ଟିକରି ଆମ ଦାମ୍ପତ୍ୟ ଅଶାନ୍ତିକୁ କାହିଁକି ବଢେଇବି ? ସେଇଥିପାଇଁ ତମକଥାକୁ ସିଧା ସଳଖ ମାନି ନେବାକୁ ମୁଁ ଶ୍ରେୟସ୍କର ମନେକଲି ।"
ହୀରାମଣିଙ୍କ ମୁହଁ ଲାଲ ପଡ଼ିଗଲା । ସେ ପ୍ରେମାନନ୍ଦ ବାବୁଙ୍କ ପାଖକୁ ଲାଗିଆସି କହିଲେ-"ସେ କଥା ନୁହଁ । ଆଜି ମୁଁ ତ ଅତି ବିଶ୍ୱସ୍ତ ସୂତ୍ରରୁ ଜାଣିଲି- ସୋନି ପାଖକୁ ଦି'ଟା କିଏ ଲୋକ ମଝିରେ ମଝିରେ ଆସନ୍ତି, ତା ସହିତ ହସନ୍ତି ପୁଣି ପାଖରେ ବସନ୍ତି, ତାଙ୍କ ବେଡ଼ରୁମକୁ ବି ପଶନ୍ତି । ସେ ଦି'ଜଣ କୁଆଡ଼େ ବାହାଘର ଆଗରୁ ସୋନି ସାଙ୍ଗରେ ନସର ପସର ହେଉଥିଲେ । ଭାରି ବଦନାମୀ ହେଇଗଲାରୁ ସୋନି ପାଇଁ ଆଉ ସେ ଅଞ୍ଚଳରେ କେହି ବାହା ହେଲେନାହିଁ, ବାଛନ୍ଦ ହେଇକି ସିଏ ଥିଲା । ଦୋବେଇ ବୁଢାବରକୁ ଦେଖି ମଧ୍ୟ ତା' ବାପା-ମାଆ ବିଶ୍ୱାଳ ବାବୁଙ୍କ ହାତକୁ ଟେକି ଦେଲେ । ତମେ ଦେଖୁନା, ସୋନି ଭଳି ସୁନ୍ଦରୀ ଝିଅକୁ କ'ଣ ଟୋକା ଅଫିସର ବରଟାଏ ମିଳି ନଥା'ନ୍ତା ?"
ହୀରାମଣି ପ୍ରେମାନନ୍ଦ ବାବୁଙ୍କଠାରୁ କିଛି ଉତ୍ତର ଆଶା କରୁଥିଲେ, କିମ୍ବା କେବଳ ସତେ ତ- କହି ଟିକେ ଗୁମମାରି ରହି ଯାଇଥିଲେ ବି ଚଳିଥା'ନ୍ତା । କିନ୍ତୁ ନିଜ ବିବେକ ଦୃଷ୍ଟିରୁ ସେ ସେତକ କରିପାରିଲେ ନାହିଁ । ପଚାରି ଦେଲେ- "ତମେ ଏ'ସବୁ ଗୁପ୍ତ ଖବର କେଉଁ ସୂତ୍ରରୁ ପାଇଲ ? ଆଗ ମୋତେ ଟିକେ କହିଲ ।"
ହୀରାମଣି ମୁରୁକି ହସି କହିଲେ-"କାହିଁକି- ମୋର କ'ଣ ଏଠି କେହି ବିଶ୍ୱସ୍ତ ଲୋକ ନାହାନ୍ତି ନା' କ'ଣ ? ଏ' କଲୋନୀରେ କୋଉଠି କ'ଣ ହେଉଛି, କିଏ କାହା ପାଖକୁ ଯାଉଛି ? କାହାଘରେ କ'ଣ ରନ୍ଧା ହଉଛି ? କାହା ଘର କେମିତି ଚଳୁଛି ? ସବୁ ଖବର ପରା ମୋ ପାଖରେ । ପଚାର, ମୁଁ ଗୋଟି ଗୋଟି କରି ସବୁ କହିଯିବି । ତମେ ଯଦି ସତ ପ୍ରମାଣ କରିବାକୁ ଚାହଁ, ତେବେ ମୋଠୁଁ ସବୁକଥା ଶୁଣି ସାରି; ତାଙ୍କ ଘରେ ଯାଇ ପଚାରିପାର ।"
-"ସେ ସବୁ ବାଜେକଥା ଶୁଣିବାକୁ ମୋର ଇଚ୍ଛାନାହିଁ, କି ଆଗ୍ରହ ନାହିଁ । ତମେ ତାକୁ ଶୁଣି ଯଦି ତମେ ବିଶ୍ୱାସ କରିସାରିଛ, ସେଥିରେ ମୋର କିଛି କହିବାର ନାହିଁ । ଆମର ବିଶ୍ଵାଳ ବାବୁଙ୍କ ଘର ସହିତ ଆଜିଠାରୁ ଆଉ କୌଣସି ପ୍ରକାର ସମ୍ପର୍କ ନାହିଁ । ତମେ ବି ସୁବିଧା ଦେଖି ସୋନିକୁ କହିଦେବ, ସେ ଆଉ ଆମଘରକୁ ଆସିବ ନାହିଁ; କି ମୋ ସାଙ୍ଗରେ କୌଣସି କଥାବାର୍ତ୍ତା କରିବ ନାହିଁ । ବେଶ ହେଲା ତ !"
ପ୍ରେମାନନ୍ଦ ବାବୁ ଟିକେ ବିରକ୍ତ ହେଲାପରି ଲାଗୁଥିଲେ । ହୀରାମଣି ତାଙ୍କ ମନକଥା ଜାଣିପାରି କହିଲେ-"ଜଣେ ନୁହଁ କି' ଦୁଇଜଣ ନୁହଁ । ଆମେ ତିନିଜଣ ସ୍ତ୍ରୀଲୋକ ମିଶି ସେ ଟୋକା ଦୁଇଟାକୁ କେତେଥର ଦେଖି ସାରିଲୁଣି । ଛି-ଛି-ଛି ବାହାଚୋରା ହେଇସାରି ପୁଣି ଇଏ ଗୋଟାଏ କି' କାମ ? କଲୋନୀର ଲୋକେ ପୁଣି ପିଲାଛୁଆ ନେଇ ରହିବେ କେମିତି କହିଲ ? ମୁଁ ତ ଆଗରୁ ଭାବିଥିଲି, ସୋନିଟା ଖୁବଭଲ ଝିଅ । କିନ୍ତୁ ବୁଡ଼ିବୁଡ଼ି ସେ ଏମିତି ପାଣି ପିଉଛି ବୋଲି କିଏ ଜାଣିଛି ? ଛନ୍ଦା ମାଉସୀ ଆମ ଘରକୁ ଆସିଲେ, ତାଙ୍କୁ ତମେ ନିଜେ ପଚାରି ବୁଝିବ । ସେ ଟୋକା କି କାରବାର କରୁଛି ? ଛନ୍ଦା ମାଉସୀ ହାତରେ ଆଜି ମୁଁ ଖବର ଦେଇ ଦେଇଦେଇଛି । ସୋନି ଆଉ ଆମ ଘରକୁ ଆସିବ ନାହିଁ କି, ଆମ ସହିତ କଥା ବି ହେବନାହିଁ ।"
ପ୍ରେମାନନ୍ଦ ବାବୁ ପୁଣି ବିରକ୍ତହେଇ କହିଲେ-"ମୋତେ ଏତେ ସାକ୍ଷୀ ପ୍ରମାଣ କିଛି ଦରକାର ନାହିଁ । ଛନ୍ଦା ମାଉସୀ ହେଉ କି ଚନ୍ଦା ମଉସା ହେଉ, ତମେ ତାଙ୍କୁ ପଚାରି ବୁଝ ।
-ଆମର ଆଜିଠାରୁ ସୋନି ସହିତ କିଛି ସମ୍ପର୍କ ନାହିଁ, କାମ ଶେଷ ।"
-ସେହି ଦିନଠାରୁ ବିଶ୍ଵାଳ ବାବୁଙ୍କ ପଟ ଝରକା ଗୁଡ଼ାକ ଖୋଲା ଯାଇ ନ ଥିଲା । ମଝିରେ ଥରେ ହୀରାମଣି ଝରକା ଖୋଲି ଦେଖିଥିଲେ । ସୋନି ମଧ୍ୟ ତା' ଝରକାକୁ ବନ୍ଦକରି ରଖୁଛି । ତେଣୁ ଅଯଥାରେ ନିଜ ଘରଟାକୁ ଅନ୍ଧାର କରି ରଖିବା କ'ଣ ଦରକାର ? ତେଣୁ ସେ ନିଜର ଗୋଟିଏ ତାଙ୍କପଟର ଝରକା ଖୋଲା ରଖିଲେ । ସୋନି ଆଉ ମୋଟେ ଝରକା ଖୋଲିଲା ନାହିଁ ।
-କିଛି ଦିନ ପରେ ପୁଣି ସୋନିର ଝରକା ବି ଖୋଲିଲା । କିନ୍ତୁ ସେ ସେଇଠି ଗୋଟାଏ ମୋଟା ସ୍କ୍ରିନଟାକୁ ଝୁଲେଇ ଦେଲା । ଦିନେ ବି ସେ ସ୍କ୍ରିନ ଟେକି ହୀରାମଣିଙ୍କ ଘରଆଡ଼କୁ ଚାହିଁଲା ନାହିଁ ।
ଅନେକ ଦିନପରେ ଆଜି କେମିତି ତାଙ୍କ ଝରକାର ସ୍କ୍ରୀନଟା ଟେକି ହେଇଯାଇଛି । ଏଣେ ପ୍ରେମାନନ୍ଦ ବାବୁ ଝରକା ପାଖକୁ ଯାଇ ଗାମୁଛାରେ ମୁହଁ ପୋଛି ହେଉଥିଲେ । ଏଇଟା ଗୋଟାଏ ବଡ଼ ଦୁର୍ଘଟଣା ନୁହେଁ ତ ଆଉ କ'ଣ ହେଇପାରେ ?
ପ୍ରେମାନନ୍ଦ ବାବୁ ଭାବୁଥିଲେ-" ଛାଡ଼ । ଅଜଣାତରେ ତ ଆଖିଟା ଝରକା ଭିତରକୁ ପଶିଯାଇଛି । କ'ଣ କରାଯିବ ?"
ଘଡ଼ିକୁ ଚାହିଁଲେ ପ୍ରେମାନନ୍ଦବାବୁ ! ଆଉ ମାତ୍ର ଅଧଘଣ୍ଟା ଅଛି । ତରବରହେଇ ସେ ଧାଇଁଲେ ବସଷ୍ଟାଣ୍ଡକୁ । ଆଉଥରେ ଟିକେଟରୁ ବସ ନାଁ, ନମ୍ବର ସବୁ ମିଳେଇ ବସରେ ଚଢ଼ିଗଲେ । ସିଟ ନମ୍ବର ବାର ଖୋଜି ଖୋଜି ପାଇଗଲେ, କିନ୍ତୁ ସେ ଦେଖିଲେ- ସେ ସିଟରେ ମୁଣ୍ଡମାଡ଼ି ବସିଛନ୍ତି- ଜଣେ ମହିଳା ।
ପ୍ରେମାନନ୍ଦ ବାବୁ ପୁଣି ଥରେ ଟିକଟ କାଢି ସିଟ ନମ୍ବର ମିଳେଇ ଦେଖିଲ- "ଠିକ ଅଛି ତ ! ତେବେ କ'ଣ କାଉଣ୍ଟରଵାଲା ବଦମାସୀ କରି ଏଥର ବି ଡବଲ ଟିକେଟ କାଟି ଦେଇଛି ନା'କ'ଣ ? ଏଥର ଯଦି ଗତଥର ଭଳି କରିଥାଏ -ସିଧା ଟିକେଟ କ୍ୟାନସଲ କରି ଅନ୍ୟ ବସରେ ଯିବି । ନହେଲେ କାଲି ତପସ୍ଵିନୀରେ ଚାଲିଯିବି ପଛେ, ଏ' ବସରେ କଦାପି ଯିବିନାହିଁ ।"
-ହଁ, ଭୁଲରେ ସ୍ତ୍ରୀଲୋକ ଜଣକ ମୋ ସିଟରେ ବସିଯାଇ ଥାଇପାରନ୍ତି । ପଚାରି ଦେଲେ, ବରଂ ଭଲ । ମୋ ପାଟିରୁ ବାହାରି ପଡ଼ିଲା -"ମ୍ୟାଡ଼ାମ ଆପଣଙ୍କ ସିଟ ନମ୍ବର କେତେ ?"
ମହିଳା ଜଣକ ମୁଣ୍ଡ ଉଠେଇ କହିଲେ -ଏଗାର । ଗଛରୁ ପଡ଼ିଗଲା ପରି ମୁଁ ଚମକି ପଡ଼ିଲି ।
-ସୋନି ମୋ ପାଖ ସିଟ ଟିକେଟ କାଟି ମୋ ସିଟରେ ଆଗରୁ ବସିଯାଇଛି । ସାରାରାତି ଦୁହେଁ ଦୁହିଁଙ୍କ ପାଖରେ ବସି କେମିତି ବସଯାତ୍ରା କରିବୁ ? ଦୀର୍ଘ ଦିନହେଲା ଆମର ତା' ସହିତ ଅପଡ଼ ଅଛି । ତା' ସହିତ ଆମର କଥାବାର୍ତ୍ତା ନାହିଁ । ଅଥଚ ଅପଡ଼ର କାରଣ ମୋତେ ଠିକ ଭାବରେ ଜଣାନାହିଁ । କେବଳ ହୀରାମଣିଙ୍କ କହିବା ଅନୁସାରେ, ମୁଁ ତା' ସହିତ କଥାବାର୍ତ୍ତା କରୁନାହିଁ । ତଥାପି କାମଚଳା କଥା ହେବାରେ ଅସୁବିଧା କୋଉଠି ?
ମୁଁ ସୋନିକୁ କହିଲି -"ଲେଡିସ ସିଟ ମିଳିଲା ନାହିଁ କି ?"
-"ଲେଡିସ ସିଟ ସବୁ ସରି ଯାଇଥିଲା । ବିଶ୍ଵାଳ ବାବୁ ଟିକେଟ କରିବାକୁ ଆସିଥିଲେ, ସେ ଜାଣିଲେ ଯେ, ଆପଣ ମଧ୍ୟ ଆଜି ଭୁବନେଶ୍ୱର ଯାଉଛନ୍ତି । ସେ ବୁଝି ବିଚାରି ମୋତେ ନିରାପଦରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆପଣଙ୍କ ପାଖ ସିଟର ଟିକେଟ କାଟି ନେଇଥିଲେ । ମୁଁ ଏକୁଟିଆ ସ୍ତ୍ରୀଲୋକ ରାତିରେ କେମିତି ଯାଇଥା'ନ୍ତି କହିଲେ ?"
ସୋନି ସାଙ୍ଗରେ ଆଉ କେବେ କଥା ହେବିନାହିଁ ବୋଲି ମୁଁ ମୋର ସ୍ତ୍ରୀକୁ ପ୍ରତିଶ୍ରୁତି ଦେଇଥିଲି, କିନ୍ତୁ ଆଜି ଏ'ସବୁ କ'ଣ ହେଇଗଲା ? ସୋନି ପ୍ରଶ୍ନର ଉତ୍ତର ନଦେଇ କ'ଣ ଚୁପଚାପ ରହିଯାଇ ପାରିବି ?
ଅଜଣାତରେ ତ ତା'ସହିତ ମୁଁ ଆଗ କଥାବାର୍ତ୍ତା କରିସାରିଛି ? ଏତେ ଦିନର ନୀରବତା ପରେ ବି ସୋନି ମୋ ଉପରେ ଯେଉଁ ଗଭୀର ବିଶ୍ୱାସ ରଖିଛି, ତା'କୁ କ'ଣ ମୁଁ ପାଦରେ ଆଡ଼େଇ
ଦେଇପାରିବି ? ନା' ।
ମୋ ଆଟାଚଟାକୁ ଥାକ ଉପରେ ଥୋଇ ସୋନିକୁ ପଚାରିଦେଲି -"ଆଜି ଏମିତି ଏକୁଟିଆ ଯିବାର କ'ଣ ଦରକାର ପଡ଼ିଲା ଯେ?"
-"ଭାଇନା ! ଗାଆଁରେ ବାପାଙ୍କ ଦେହ ଭାରି ଅସୁସ୍ଥ । ବିଶ୍ଵାଳ ବାବୁଙ୍କ ଛୁଟି ମିଳୁନାହିଁ । ସାନଭାଇ ଦି'ଦିନ ତଳେ ଗାଆଁକୁ ଯାଇ ଖବର ଦେଇଛି -"'ବସିବା ଜାଗାରୁ ଉଠି ଆସିବୁ ।
ବାପାଙ୍କୁ ଜଗି ରହିବାକୁ ପଡୁଛି । ମୁଁ ଯାଇ ପାରିବି ନାହିଁ, ତୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚାଲିଆ- । ମୁଁ ବସଷ୍ଟାଣ୍ଡରୁ ତୋତେ ନେଇ ଆସିବି । ଆଜି ନିହାତି ବାଧ୍ୟହେଇ ମୁଁ ଏକୁଟିଆ ବାହାରିଥିଲି । କିନ୍ତୁ ଭଗବାନଙ୍କ ଇଚ୍ଛା ଭିନ୍ନ । ଆପଣଙ୍କ ସହିତ ଯିବାର ସେ ବ୍ୟବସ୍ଥା କରିଦେଲେ ।"
ଭିତର ପଟ ନିଜସିଟରେ ସୋନିକୁ ବସିବାକୁ ଦେଇ ସିଟ ଦିଇଟାକୁ ପଛକୁ ଠେଲି ସାଇଜ କରିଦେଲେ-ପ୍ରେମାନନ୍ଦବାବୁ । ବସ ଚାଲିଲା ।
ଦୁହେଁ ଚୁପଚାପ । ଏତେ ଦିନ ଧରି କେହି କାହା ସହିତ କଥା କାହିଁକି ହେଉ ନଥିଲେ । ଝରକା କାହିଁକି ବନ୍ଦ ଥିଲା ? ଏ'ବିଷୟରେ ଦୁଇଜଣଯାକ ଜାଣିବାକୁ ବ୍ୟାକୁଳ । କିନ୍ତୁ କେଉଁ ବିଷୟରୁ ଏ'କଥା ଉଠାଯାଇ ପାରିବ, ଦୋଷ କାହାର ? ଯଦି ଜଣେ କହି ଭୁଲକଲା, ଅନ୍ୟ ଜଣେ କାହିଁକି କ୍ଷମା କଲେନାହିଁ । ମନ ଭିତରେ ଦୁହିଙ୍କ ମନରେ ପ୍ରଶ୍ନ ଆନ୍ଦୋଳିତ ହେଉଛି ।
ତେବେ ସେ କଥାକୁ କିଏ ଆଗ ପଚାରିବ । ଜଣେ ଜଣକୁ ଅପେକ୍ଷା କରିଥା'ନ୍ତି ।
ଛେଣ୍ଡ ଷ୍ଟପେଜ ପାରି ହେଇଗଲାଣି, ଏବେ ଉଦିତନଗର ଆସିବ । ଡ୍ରାଇଭର ବ୍ରେକ କସିଦେଲା । ସମସ୍ତେ ଟିକେ ଝୁଙ୍କି ପଡ଼ିଲେ ।
ସୋନି ଚମକି ପଡ଼ିଲା, ତାକୁ ଲାଗିଲା, ଭାଇନା- କିଛି ତାକୁ ପଚାରିଲେ ।
ସୋନି କହିଲା-"ମୋତେ କିଛି ପଚାରିଲ କି ଭାଇନା !" ପ୍ରେମାନନ୍ଦବାବୁ କହିଲେ -"ନାଇଁ ତ ।"
ଉଦିତନଗର ଷ୍ଟପେଜରେ ଅନେକ ସମୟ ବସ ରହିଲା । ଆଠ-ଦଶ ଯାତ୍ରୀ ଉଠିଲେ । ଛୋଟ ଛୁଆଟା ଭେଁକରି କାନ୍ଦି ଉଠିଲା । ସେ ରଡ଼ି ଭିତରେ ପ୍ରେମାନନ୍ଦ ବାବୁଙ୍କୁ ଲାଗିଲା-"ସୋନି ସେଇ କଥାଟା ତାଙ୍କୁ ଧୀରେ କି ପଚାରି ଦେଲା କି ?
ସେ ତରବର କି ସୋନି ମୁହଁକୁ ଚାହିଁ ପ୍ରଶ୍ନଟିକୁ ଆଉଥରେ ଶୁଣିବାକୁ ଇଚ୍ଛାକଲେ ।
-"କ'ଣ କହିଲ ?"
ସୋନି ଲାଜେଇ ପଡ଼ିଲା । ବୁଝିଗଲା ଯେ, ଭାଇନା ତାଙ୍କୁ ଅନେକ କଥା ପଚାରିବାକୁ ଚାହୁଁଛନ୍ତି ।
ସେ ଆଉ ନିରବ ରହିପାରିଲା ନାହିଁ । ଆରମ୍ଭ କରିଦେଲା-"ଭାଇନା ! ତମେ ଯାହା ପଚାରିବାକୁ ଚାହୁଁଛ, ମୁଁ ସେକଥା ଜାଣେ । ଏମିତି କାହିଁକି ଘଟିଗଲା ? ସେ କଥା
କିନ୍ତୁ ତମେ ଜାଣି ପାରିନାହିଁ ।"
-"କୋଉ କଥା ?"
-"ଏଇ ମୋ ବଦନାମ କଥା ।"
-"ଛନ୍ଦା ମାଉସୀଙ୍କ କପଟ ଜାଲରେ ଭାଉଜ ଛନ୍ଦିହେଇ ଯାଇଛନ୍ତି ଭାଇନା ! ସେ ବୁଢ଼ୀ ମହା-ବଦମାସ । ପରଘର ଭାଙ୍ଗିବାକୁ ସବୁବେଳେ ସେ ଚକ୍ରାନ୍ତ କରୁଥାଏ । ଏ'ଘର ମାଉସୀ ସେ ଘର ପିଉସୀ ହେଇ ଚଳେ । ଆଗରୁ ଆମଘରକୁ ଦିନରେ ପାଞ୍ଚଥର ଆସୁଥିଲା । ଥରେ ଚୋରି କରି ନେଉଥିବା ଜିନିଷକୁ ମୁଁ ତା'ହାତରୁ ଛଡ଼େଇ ରଖିଲି ଯେ, ସେହିଦିନରୁ ମୁଁ ତା' ଆଖିରେ ବିଷ
ହେଇଯାଇଛି । ମୋ ନାଆଁରେ କେତେ ନା' କେତେ କଥାକହି ମୋର ବଦନାମ କରୁଛି ।"
ମୋ ପାଟିରୁ ବାହାରି ପଡ଼ିଲା- "ସେ ଯେଉଁ ଯୁବକ ଦି'ଜଣ ତମ ଘରକୁ ଆସନ୍ତି, ସେମାନେ କିଏ ?"
-"ମୋର ଦୁଇଜଣ ସାନଭାଇ ସୁନ୍ଦରଗଡ଼ରେ ରହି କଣ୍ଟ୍ରାକ୍ଟରୀ କାମ କରନ୍ତି । ମଝିରେ ମଝିରେ ସେମାନେ ମୋତେ ଦେଖା କରିବାକୁ ଆସନ୍ତି । ସେମାନଙ୍କୁ କୋଳେଇ କାଖେଇ ମୁଁ ବଡ଼ କରିଛି । ତାଙ୍କୁ ମୁଁ ମଝିରେ ମଝିରେ ଡକେଇ ପଠାଏ । ବିଶ୍ଵାଳ ବାବୁ ବାହାରକୁ ଗଲେ, କେହି ଜଣେ ଆସି ଆମଘରେ ରହିଯାଏ । ଛନ୍ଦା ବୁଢ଼ୀ ସବୁ ସତକଥା ଜାଣେ, କିନ୍ତୁ ଖାଲି ମୋତେ ବଦନାମ କରିବା ପାଇଁ କ'ଣ ବୋଲି କ'ଣ କହି ବୁଲୁଛି ।"
-"ଭାଉଜ ଆପଣଙ୍କୁ କ'ଣ କହିଛନ୍ତି, ସେ କଥା ମୁଁ ଜାଣେନା । ତେବେ ମୁଁ ଆପଣଙ୍କୁ ମୋର ବଡ଼ଭାଇର ଆସନ ଦେଇଆସିଛି । ଆପଣ ମୋ ସହିତ କଥା ହୁଅନ୍ତୁ ବା ନ ହୁଅନ୍ତୁ, ଝରକା ଖୋଲା ରଖନ୍ତୁ ବା ନ ରଖନ୍ତୁ, ସେଥିରେ ମୋର କିଛି କହିବାର ନାହିଁ ।"
ସୋନି କଥାଶୁଣି ମୁଁ ଅତ୍ୟନ୍ତ ଲଜ୍ଜିତ ମନେ କରୁଥିଲି । ନିଜକୁ ନିଜେ ଘୃଣା ବି କରୁଥିଲି । ମୁଁ ସ୍ଥିର କରିନେଲି, ହୀରାମଣି ନିଜେ ଅସଲ କଥାଟା ବୁଝିବା ପର୍ଯ୍ୟନ୍ତ ଆମର କଥାବାର୍ତ୍ତା ଏଇମିତି ବନ୍ଦ ଥାଉ ।
ଆମଦୁଇ ଜଣଙ୍କର ମନ ତ ପବିତ୍ର । ହୀରାମଣି ଯେଉଁଦିନ ନିଜେ କହିବ-"ଆଜି ସୋନିକୁ ଆମ ଘରକୁ ଡାକି ଆଣିବା ।” ସେହିଦିନ ମୁଁ ସୋନି ହାତକୁ ଧରି କ୍ଷମା ମାଗିନେବି- ହୀରାମଣି ପାଇଁ ଆଉ ଛନ୍ଦା ମାଉସୀ ପାଇଁ ।
କଟକରେ ଗାଡ଼ି ପହଞ୍ଚିଲା ବେଳକୁ ପ୍ରେମାନନ୍ଦ ବାବୁଙ୍କର ନିଦ ଭାଙ୍ଗିଗଲା । ସେ ଦେଖିଲେ- ସୋନି ତାଙ୍କ କୋଳରେ ମୁଣ୍ଡଦେଇ ଖୁବ ଆରାମରେ ନିଦରେ ଶୋଇ ପଡ଼ିଛି । କାଳେ ହଲଚଲ ହେଲେ, ତା'ର ନିଦ ଭାଙ୍ଗିଯିବ, ତେଣୁ ସେ ଅଣ୍ଟାକୁ ମଧ୍ୟ ସଳଖି ପାରିଲେ ନାହିଁ । ଭୁବନେଶ୍ୱର ବସଷ୍ଟାଣ୍ଡରେ ତାକୁ ଉଠେଇ ଦେଲେ । ସାନଭାଇ ସ୍କୁଟରରେ ବସି ସୋନି ଗାଆଁକୁ ଚାଲିଗଲା । ପ୍ରେମାନନ୍ଦ ବାବୁ ସିମେଣ୍ଟ ଚଉକିରେ ବସିପଡ଼ି ଆହୁରି କେତେ କ'ଣ ଭାବି ଚାଲିଲେ ।