Srimani Priyadarsini

Romance Tragedy Inspirational

3.5  

Srimani Priyadarsini

Romance Tragedy Inspirational

କୁବୁଲ୍ ହେ

କୁବୁଲ୍ ହେ

10 mins
531


ବରକୋଳି ମୁଁ ତୁମକୁ ଛାଡ଼ି ବଞ୍ଚିପାରିବିନି, ତୁମେ ଦୂରେଇ ଗଲେ ନା କଟିବ ଦିନ ନା କଟିବ ରାତି ମନେ ପଡିବ ଖାଲି ତୁମରି କଥା ମୋତେ ....! ସୁବ୍ରତ୍ରର କଥା ସରିନଥିବା ବେଳେ ସବନମ୍ କହି ଉଠିଲା

-"ଓଃ ତୁମକୁ କେତେଥର କହିବି ଯେ ମୋତେ ସେ ବରକୋଳି ଜମା ଡ଼ାକିବନି ବୋଲି କୋଉ ଶୁଣୁଛ ଯେ ତୁମେ । ହଉ ଦେଲ ମୋତେ ସେ ବରକୋଳି ଗୁଡ଼ିକ, ଦେଖ ସନ୍ଧ୍ୟା ହୋଇ ଆସିଲାଣି ଏଣେ ଘରକୁ ନଗଲେ ବାପା ବ୍ୟସ୍ତ ହୋଇ କେତେ କଥା ପଚାରିବେ । "

- "ଦେଖିଲ ତ ଏଇ ବରକୋଳି ପାଇଁ ଏତେ ଲୋଭ ବୋଲି ତୁମକୁ ବରକୋଳି ଡାକେ, ଆଗକୁ ଶୀତ ଋତୁ ସରିଯିବ ବରକୋଳି ନଥିବ ସେତେବେଳେ କଣ କରିବ ଯେ ତୁମେ ହାଃ ହାଃ । "

- "ଆଚ୍ଛା ତାହେଲେ ତୁମ ବରକୋଳି ଡାକ ଛାଡିଯିବ ତ ?"

- "ନା ନା " କହି ସବନମ୍ କୁ ବରକୋଳି ବରକୋଳି ବୋଲି କହି ଚିଡ଼େଇ ଉଠେ ସୁବ୍ରତ ।

- ସବନମ୍ ରାଗିଯାଇ କୁହେ "ଦିଅ ଆଗ ସେ ବରକୋଳି ଗୁଡ଼ିକ ମୁଁ ଯାଏ ।

ତୁମର କଥା ସରିବନି ଜାଣିଛି । "ହସି ହସି ବରକୋଳି ଗୁଡ଼ିକ ସବନମ୍ ହାତକୁ ବଢେଇ ଦିଏ ସୁବ୍ରତ । ସବନମ୍ ତାକୁ ନେଇ ସୁବ୍ରତ ଠୁ ଆଗକୁ ଆଗକୁ ଚାଲି ଯାଉଥିଲା । ପଛରୁ ସୁବ୍ରତ ତାକୁ ଅପଲକ ନୟନ ରେ ଚାହିଁ ଥିଲା । ଏଇ ସବନମ୍ ଯେ ଦୀର୍ଘ ପାଞ୍ଚ ବର୍ଷ ପରେ ସୁବ୍ରତ ର ଭଲପାଇବାକୁ ସ୍ବୀକାର କରିଛି । ସାମନ୍ତରା ପୁର ର ବ୍ରାହ୍ମଣ ଘର ପୁଅ ହେଇ ସେ ଭଲ ପାଉଛି ମୁସଲିମ ଝିଅ ସବନମ୍ କୁ । ନା ସେ ଭାବିଛି ସମାଜ ନା ଧର୍ମ କଥା । ଦୁହେଁ ପ୍ରଥମେ ଭଲ ବନ୍ଧୁ ଥିଲେ ହେଲେ ସୁବ୍ରତ ସବନମ୍ କୁ ଭଲ ପାଇବା କଥା ଜାଣିଲା ପରେ ସବନମ୍ ଦୂରେଇ ଯାଇଥିଲା । ହେଲେ ସେ ପୁଣି ସୁବ୍ରତ ନିକଟକୁ ଫେରି ଆସିଥିଲା ବନ୍ଧୁ ରୂପେ ନୁହେଁ ଗୋଟେ ପ୍ରେମିକା ରୂପେ । ଦୁହେଁ ସମାଜ କୁ ନ ଡରି ପ୍ରେମ ରେ ବୁଡ଼ି ରହିଥିଲେ । ପ୍ରେମର ସେଇ ପ୍ରଥମ ଅନୁଭୂତି ଖୁବ୍ ଭଲ ଲାଗୁଥିଲା । ସୁବ୍ରତ ମନେ ମାନେ ଭାବୁଥିଲା ସବନମ୍ ପାଖରେ ଥିଲେ ନା ଦିନ ସରନ୍ତା, ନା ରାତି, ନା ମାସ ସରନ୍ତା, ନା ବର୍ଷ । ସମୟ ଅଟକି ଯାଆନ୍ତା କି ?

ସୁବ୍ରତ ହାତ ଘଣ୍ଟାକୁ ଅନେଇ ଦେଖେ ସମୟ ୬.୩୦ ମିନିଟ । ସବନମ୍ ଯେ କେତେବେଳୁ ଚାଲି ଗଲାଣି । ତାର ମନେ ପଡ଼ିଲା ବୋଉ କହିଛି କିଛି ସଉଦା ନେଇ ୭ ଟା ସୁଦ୍ଧା ଘରେ ପହଞ୍ଚିବାକୁ, ହେଲେ କଣ ସଉଦା ନେବା ପାଇଁ କହୁଛି ମୋର କିଛି ବି ମନେ ପଡୁନି । ଏଇ ସବନମ୍ ଥିଲେ ତାର କଣ ବା ମନେ ପଡିବ । ହଉ ଛାଡ଼ ଦୋକାନରେ ପହଞ୍ଚି ମୋତେ ପୁଣି ବୋଉକୁ ଫୋନ କରିବାକୁ ପଡ଼ିବ, ରାଗୁଥାଉ ଯେତେ ରାଗିବ ମୁଁ କରିବି ବା କଣ ?     

- "ହାଲୋ..! ବୋଉ ତୁ କଣ କହିଥିଲୁ ନେବା ପାଇଁ ଆଉ ଥରେ ଟିକେ କହ ।"

- "କଣ ମୁଁ ଏପଟେ ରୋଷେଇ କରିବା ପାଇଁ ବସିଛି ତୁ ସେପଟେ ସଉଦା କଥା ଭୁଲି ଗଲୁଣି । ମୁଁ ରୋଷେଇ କରିବି କଣ ତୋ ମୁଣ୍ଡ ?"

- "ଓଃ କାହିଁ ରାଗୁଛୁ କହିଲୁ ?"

- "ଭୁଲା ରୋଗ ହେଇଯାଉଛି କି ପୁଅ ତୋତେ ? ହେଉ ହେଉ ଅଟା ଆଉ ଆଳୁ ନେଇ ଜଲ୍ଦୀ ଘରକୁ ଫେରି ଆସିବୁ ।"

ସତରେ ତ ମୋତେ ନିଶ୍ଚୟ ଭୁଲା ରୋଗ ହେଇଯାଇଛି ଏଇ ସବନମ୍ ପାଇଁ । ଆଖି ଖୋଲିଲେ ସେ ଆଖି ବନ୍ଦ କଲେ ସେ ଆଉ କଣ ବା ମନେ ରହିବ ।

ସୁବ୍ରତ ତରତର ରେ ସଉଦା ଆଣି ଆସୁଥିବା ବେଳେ ତାର କିଛି ସାଙ୍ଗଙ୍କ ସହ ଧକ୍କା ହେଇ ଯାଏ । ଆରେ ସୁବ୍ରତ କଣ ଅନ୍ଧ ହୋଇଯାଇଛୁ କି ? ନା ସବନମ୍ ପ୍ରେମରେ କିଛି ଦେଖି ପାରୁନୁ ? ଜାଣିଛୁ ସାଙ୍ଗ ସେ ତୋର କେବେ ହୋଇପାରିବନି, ତେଣୁ ଏବେଠୁ ତାକୁ ଭୁଲି ଯା ନହେଲେ ଆଗକୁ ବହୁତ୍ କଷ୍ଟ ସହିବୁ । ତୋତେ କଣ ଧର୍ମ କଥା ଜଣା ପଡୁନି ? ଛାଡ଼ ସେ ମୁସଲିମ ଝିଅ କୁ ଆମେ ତୋ ପାଇଁ ସବନମ୍ ଠୁ ସୁନ୍ଦର ଝିଅ ଖୋଜି ଆଣିବୁ । ସୁବ୍ରତ ଏହା ଶୁଣି ତାର ସେଇ ସାଙ୍ଗ ଗାଲ ରେ ଗୋଟେ ଶକ୍ତ ଚାପୁଡା ଦେଇ କୁହେ -" ତୁମ ମାନଙ୍କ ପାଇଁ ହିନ୍ଦୁ ଓ ମୁସଲମାନ, ମନ୍ଦିର ଓ ମସଜିଦ, ପୂଜା ଓ ନମାଜ ଭିନ୍ନ ହେଲେ ସୁବ୍ରତ ଓ ସବନମ୍ କେବେ ଭିନ୍ନ ହୋଇପାରିବେନି ।" ସୁବ୍ରତ ଯେ ସବନମ୍ କୁ ଜୀବନ ଠୁ ଅଧିକ ଭଲ ପାଉଛି ତାହା ତା ସାଙ୍ଗ ମାନଙ୍କୁ ଅଛପା ରହିଲା ନାହିଁ ।

ତା ପରଦିନ ସୁବ୍ରତ ତା ବୋଉ ଆଚାର ବନେଇବା ପାଇଁ ରଖିଥିବା କିଛି ସୁଖା ବରକୋଳି ଲୁଚେଇ ନେଉଥିବା ବେଳେ ତା ବୋଉ ହାତରେ ଧରା ପଡେ ।

- "ଆରେ ତୁ ତ ଏ ବରକୋଳି ଜମା ଖାଉ ନାହିଁ । ହେଲେ କୁଆଡେ ନଉଛୁ ଏସବୁ ଶୁଣେ ?"

- "ତୁ ଏତେ କଥା ଜାଣେନା ବୁଝିଲୁ ।"

- "ତାହାଲେ ସେସବୁ ବରକୋଳି ସବୁ ସେଇଠି ରଖି ଯା ।"

- "ବୋଉ ଲୋ ମୁଁ ବରକୋଳି ପାଇଁ ବରକୋଳି ନେଉଛି" - କହି ସୁବ୍ରତ ଦୋୖଡି ପଳାଏ ।

- " ବରକୋଳି ପାଇଁ ବରକୋଳି ନେଉଛୁ ? ଆରେ ଶୁଣି ଯା ମୁଁ ବୁଝି ପାରିଲିନି ।"

- " ତୋର କିଛି ବୁଝିବା ଦରକାର ନାହିଁ ବୋଉ " । ଦୋୖଡି ଦୋୖଡି ସୁବ୍ରତ କହୁଥାଏ ।

-" ହଉ ରହ ରହ ତୁ ଆଜି ଘରକୁ ଆସେ, ତୋ କଥା ବୁଝୁଛି " ।

ଇସ୍ କେତେ ବରକୋଳି..! ମୁଁ ମଧ୍ୟ ତୁମ ପାଇଁ ଗୋଟେ ଜିନିଷ ଆଣିଛି । -"ଆଖି ବନ୍ଦ କଲ"

- ସୁବ୍ରତ ଆଖି ବନ୍ଦ କରି ଦିଏ ।

- "ଏବେ ଖୋଲ" ସବନମ୍ କୁହେ ।

ସୁବ୍ରତ ଆଖି ବନ୍ଦ କରି ଖୋଲି ଦେଖେ ସବନମ୍ ଟିଫିନ୍ ରେ ବିରୀୟାନି ଆଣିଛି । ସୁବ୍ରତ ଅଳ୍ପ ସମୟରେ ତାକୁ ଶେଷ କରିଦିଏ ।

- "କେମିତି ଲାଗିଲା ? କହିଲନି ତ ?"

-" ଖୁବ୍ ବଢିଆ, ତୁମେ ହିଁ ବନେଇ ଥିବ" ।

-"ଆରେ ତୁମେ କେମିତି ଜାଣିଲ ?"

-"ତୁମ ହାତରନ୍ଧା ମୁଁ ଜାଣିବିନି ଆଉ ଜାଣିବ କିଏ ? ଆମେ ପ୍ରଥମେ ସାଙ୍ଗ ଥିବା ବେଳେ ତୁମେ ପ୍ରଥମ କରି ବିରିୟାନି ବନାଇ ଆଣିଥିଲ ।"

-" ହଁ ହଁ..! ତାହାଲେ ତୁମର ମନେ ଅଛି ସବୁ । ମୋର ବି ମନେ ପଡୁଛି ସେଦିନ ତୁମେ ଘରେ ତୁମ ବୋଉଙ୍କ ଠାରୁ ଗାଳି ଶୁଣିଥିଲ, କାରଣ ସୋମବାର ଥିଲା ବୋଲି । ଓଃ ଭୁଲି ଗଲି ଆଜି ମଧ୍ୟ ସୋମବାର ।

-" ଓଃ କଣ କଲ ଯେ ? ତୁମକୁ ଦେଖିଲେ ମୁଁ ସବୁକିଛି ଭୁଲି ଯାଉଛି..! ଏବେ ଘରକୁ ଗଲେ ବୋଉ ଠୁ ଗାଳି ଶୁଣିବାକୁ ପଡିବ ।"

-"ହାଃ ହାଃ...! ବହୁତ୍ ଭଲ ହେବ " କହି ହସି ଉଠେ ସବନମ୍ ।

ସୁବ୍ରତ ସବନମ୍ ଠୁ ବିଦାୟ ନେଇ ଘରକୁ ଚାଲି ଆସେ । ସୁବ୍ରତର ବୋଉ ସୁବ୍ରତର ସାର୍ଟ୍ କୁ ଲକ୍ଷ୍ୟ କରି କୁହନ୍ତି -  

-" ଏ ପୁଅ ସାର୍ଟ୍ ରେ କଣ ଲାଗିଛି ୟେ ?"

-" ବୋଉ ବିରୀୟାନି" ଥରି ଥରି କୁହେ ।

-" ହେ ରାମ...! ସୋମବାର କେଉଁଠି ଆଇଁଷ ଖାଇଦେଲୁ ଯେ । ଯା ଯା ସେ ସାର୍ଟ୍ ବଦଳେଇ ଦେଇ ଗାଧେଇ ପଡ଼ି ଆସେ । ନହେଲେ ତୋ ବାପା ତୋତେ ମାରି ଦେବେ ବୁଝିଲୁ ।"

-"ହଉ ବୋଉ" କହି ଯାଉଥିବା ସମୟରେ ତାର ବୋଉ କୁହନ୍ତି

- "ଆଚ୍ଛା ପୁଅ, ତୁ କୋଳି ଗୁଡ଼ିକ ସବୁ ନେଲା ବେଳେ କହିଲୁ ବରକୋଳି ପାଇଁ ବରକୋଳି ନେଉଛି । ତାର ଅର୍ଥ କଣ ?"

-" ବୋଉ ସବନମ୍ ପାଇଁ " ।

-" ସବନମ୍ ? ସେ କିଏ, ନାମ ରୁ ଲାଗୁଛି କୌଣସି ମୁସଲିମ ଝିଅ ।"

-" ହଁ ବୋଉ ଆର ଗାଁ ଖାନ୍ ବାଦ୍ ସାହି ର ଝିଅ ସେ ସବନମ୍ ।"

-" ହେଲେ ତୁ ତା ପାଇଁ ?"

-" ବୋଉ ମୁଁ ତାକୁ ଭଲ ପାଉଛି ।" ଥରି ଥରି କୁହେ ସୁବ୍ରତ ।

-"କଣ କହୁଛୁ ତୁ ? ହେଲେ ଆମ ଧର୍ମ ?"

-" ହଁ ବୋଉ ମୁଁ କାହା କଥା ବି ଭାବିନି ?" କାରଣ କଣ ଜାଣିଛୁ ବୋଉ, "ପ୍ରେମ ଆଗରେ ସବୁ ତୁଚ୍ଛ । ଧନି ଗରିବ , ଜାତି ଅଜାତି , ଅସହାୟତା ର କିଛି ମାନେ ନଥାଏ । ଦୁଇ ହୃଦୟ ମିଳନରେ ପ୍ରେମ ହୁଏ ଏବଂ ପ୍ରେମ ଚାହିଁଲେ ସବୁ ବାଧାବିଘ୍ନ ଅତିକ୍ରମ କରିପାରେ । "

-" ହେଲେ ମୁସଲିମ ଝିଅଟିକୁ ଗୋଟେ ବ୍ରାହ୍ମଣ ଘରର ବୋହୂ କରିବାକୁ ତୋ ବାପା ଆଉ ଜେଜେବାପା କେବେ ବି ରାଜି ହେବେନି ପୁଅ ।

-" ସେକଥା ମୁଁ ବୁଝିବି । ସମୟ ଆସୁଛି । ମୋତେ ବହୁତ୍ ଭୋକ ହେଉଛି ତେଣୁ ମୋତେ ଆଗେ ଖାଇବାକୁ ଦେଲୁ ।"

-"ହେଲେ ପୁଅ ତୁମ ଭଲ ପାଇବାକୁ ସମାଜ କେବେ ସ୍ଵୀକୃତି ଦେବନି । ମୋ କଥା ତ ରଖ ।"

-" ମୋ ବୋଉ ଟା ପରା, ସେ ତୋ ବୋହୂ ହେବ ନିଶ୍ଚୟ ଦେଖିବୁ ।"

-" ହେଉ ବାପା ଯାହା ଠାକୁରଙ୍କ ଇଚ୍ଛା ।"

ସୁବ୍ରତ ଓ ତାର ମା କଥାବାର୍ତ୍ତା ହେଉଥିବା ସମୟରେ ସୁବ୍ରତ ର ବାପା ଓ ଜେଜେବାପା ରାଗରେ ଘର ଭିତରକୁ ପ୍ରବେଶ କରନ୍ତି । ସୁବ୍ରତ ର ମା ' ପଚାରନ୍ତି କଣ ହେଇଛି ? ରାଗିଲା ଭଳି ଜଣାପଡୁଛ । ବହୁତ୍ ବଡ଼ ଗଣ୍ଡଗୋଳ ହେଇଛି ଆଜି ମୁସଲମାନ ଙ୍କ ସହ । ସୁବ୍ରତ ର ବାପା କୁହନ୍ତି ।

-" ହେଲେ କଣ ପାଇଁ ବାପା ?"

-" ଆମ ଗାଁ ର ଜମି ରେ ଆମେ ମନ୍ଦିର ନିର୍ମାଣ କରିବାର ଅଛି । ହେଲେ ସେମାନେ ମଧ୍ୟ ସେଇଠି ମସଜିଦ କରିବେ ବୋଲି ଅଡି ବସିଛନ୍ତି ।"

- " ହଁ ବାପା ମନ୍ଦିର ହେବ ଓ ମସଜିଦ ବି ହେବ । ଏଥିରେ ଅସୁବିଧା କଣ ?"

-" ନା ଆମ ଗାଁ ଲୋକଙ୍କ ଜମି ସେଇଟା, ସେଠାରେ ମସଜିଦ କେବେ ବି ହୋଇପାରିବନି ।"

-" ହେଲେ ବାପା ଅଧା ତ ଆମ ଗାଁ ଲୋକ ଙ୍କ ଜମି ଆଉ ଅଧା ତ ତାଙ୍କ ଗାଁ ଲୋକ ଙ୍କ ଜମି ।"

-" ତୁ ଯେମିତି କହୁଛୁ, କଣ ତୁ ମୁସଲମାନ ଘର ପୁଅ ?"

-" ନା ବାପା ମୁଁ ସମସ୍ତଙ୍କ ସମାନ ପାଇଁ କହୁଛି । ଦୁଇଟି ଗାଁ ଭିତରେ କାହିଁ କେତେ କାଳ ରୁ ଭାଇଚାରା ଅଛି । ଭଲ ସମ୍ପର୍କ ଅଛି । ସେଇ ଭାଇଚାରା କୁ ଏମିତି ଗଣ୍ଡୋଗୋଳ କରି ଭାଙ୍ଗି ଦିଅନି । ସେଠାରେ ମନ୍ଦିର ଓ ମସଜିଦ ଦୁଇଟା ହେଲେ ବହୁତ୍ ଭଲ ହେବ । ଦୁଇ ଗାଁ ଭିତରେ ଖୁବ୍ ଭଲ ସମ୍ପର୍କ ରହିବ ବାପା ।"

-" ନା ନା ନା, କେବେ ବି ନୁହେଁ । ସେଠାରେ କେବଳ ମନ୍ଦିର ହେବ ହିଁ ହେବ । କାହା କଥା କିଛି ଶୁଣିବାର ନାହିଁ । ଆଉ ହଁ ତୁ ମନେରଖ ତୁ ତୋର ଯେତିକ ମୁସଲମାନ ବନ୍ଧୁ ଅଛନ୍ତି ସେମାନଙ୍କ ସହ ବନ୍ଧୁତା ସେତିକିରେ ଶେଷ କର । ଯଦି ତୋତେ କୌଣସି ମୁସଲମାନ ଙ୍କ ସହ ମିଶିବାର ଦେଖିବି, ସେବେଠୁ ଏ ଘରେ ତୁ କାହାର କିଛି ନୁହଁ ତୋର ଆଉ ଏ ଘରେ ସ୍ଥାନ ରହିବ ନାହିଁ । "ସୁବ୍ରତ ର ପାଦ ତଳୁ ମାଟି ଖସିଗଲା ପରି ଲାଗିଲା । ତାହେଲେ କଣ ତା ମନର ମାନସୀ ସହ ଆଉ ଦେଖା ହେଇପାରିବ ନାହିଁ ? କଣ ତାର ପ୍ରେମ ସଫଳ ହେବନି ? ନା ମୋ ପ୍ରେମ କୁ କେବେ ଅଧୁରା ରହିବାକୁ ଦେବିନି କେବେ ନୁହେଁ । ସୁବ୍ରତ ତାର ଶୋଇବା ଘର କୁ ଯାଇ ସବନମ୍ କୁ ଫୋନ କରି ସବୁ କଥା ଜଣାଇଲା । ସବନମ୍ ମଧ୍ୟ ତାଙ୍କ ଗାଁ ଲୋକ ରାଗିକି ଅଛନ୍ତି ବୋଲି କୁହେ ।

-" ତେବେ ଆମେ କଣ କରିବା ବରକୋଳି ? ଘରଛାଡି ଚାଲିଯିବା ?" ପଚାରିଲା ସୁବ୍ରତ ।

-" ଦେଖ ତୁମ ପରିବାର ପ୍ରଥମେ ଏବଂ ମୁଁ ଦ୍ୱିତୀୟ ରେ ତେଣୁ କିଛି ଦିନ ଅପେକ୍ଷା କର ଦୁଇ ଗାଁ ରେ ଶାନ୍ତି ସୁଧାର ଆସିଲେ ସବୁ କିଛି ସମ୍ଭବ ହେବ ।"

-" ହେଲେ ମୋତେ କାହିଁ କିଛି ଠିକ୍ ଲାଗୁନି ବରକୋଳି । ହେଲେ ତା ଆଗରୁ ଆମେ କୋର୍ଟ ମ୍ୟାରେଜ୍ କରିନେବା ? ଯାହା ଫଳରେ ଆମ ଦୁଇଜଣଙ୍କ ପରିବାର ନିଶ୍ଚୟ ରାଜି ହୋଇଯିବେ ।"

-" ଠିକ୍ ଅଛି । "

ତା ପରଦିନ ସକାଳେ ସୁବ୍ରତ ଓ ସବନମ୍ କୌଣସି କାମ ର ବାହାନା କରି ଘରେ ମିଛ କହି ଆସି କୋର୍ଟ ମ୍ୟାରେଜ କରି ଦିଅନ୍ତି । ଏ ଘଟଣା କାହାକୁ ନ ଜଣାଇବା ପାଇଁ ସୁବ୍ରତ କହିଦିଏ । ଏବଂ ତାକୁ ପ୍ରତିଦିନ ଏକ କୋଠା ନିକଟକୁ ଆସିବାକୁ କୁହେ । ଯେଉଁଠାକୁ ହିନ୍ଦୁ କି ମୁସଲମାନ କୌଣସି ଲୋକ ଯିବା ଆସିବା କରନ୍ତି ନାହିଁ । ଯାହା ଫଳରେ ଦୁହେଁ ନିସଙ୍କୋଚ ରେ କଥା ହୋଇପାରିବେ । ସୁବ୍ରତ ସବନମ୍ କୁ ଯେଉଁ କୋଠାକୁ ଆସିବାକୁ କହିଥିଲା ସେଇ କୋଠା ଟି ଦୁଇଟି ଗାଁ ର ମଝିରେ ଥିବା ଏକ ୫ ମହଲା କୋଠା ଥିଲା । ଯେଉଁଟା କେବେଠୁ ପରିତ୍ୟକ୍ତ ହୋଇପଡ଼ିଥିଲା । ସୁବ୍ରତ ଓ ସବନମ୍ ଦୁହେଁ ଡର ଭୟ ଛାଡ଼ି ସେଇ ଘରର ଛାତ ଉପରେ ଘଣ୍ଟା ଘଣ୍ଟା ଧରି କଥା ହୁଅନ୍ତି ଓ ନିଜ ଭବିଷ୍ୟତ ବିଷୟରେ ଭାବିବାକୁ ଲାଗନ୍ତି ।

ଦୁର୍ଭଗ୍ୟବଶତଃ ଗୋଟେ ଦିନ ଏମାନଙ୍କ କଥା ହୋଇ ସେ କୋଠାରୁ ବାହାରୁଥିବା ର ଦୃଶ୍ୟ ଏକ ଦୁଷ୍ଟ ପ୍ରକୃତି ର ଲୋକ ଦେଖି ଦିଏ । ସେଇ ଦୁଷ୍ଟ ଲୋକଟି ଯାଇ ଗାଁ ରେ କେତେଜଣଙ୍କୁ ଜଣାଇ ଦିଏ । ତୁଣ୍ଡ ବାଇଦ ସହସ୍ର କୋଶ ଭଳି ସୁବ୍ରତ ଓ ସବନମ୍ ଙ୍କ ପ୍ରେମ କାହାଣୀ ଦୁଇଟି ଗାଁ ର ସବୁ ଲୋକ ଜାଣି ଦିଅନ୍ତି । ଏକଥା ଯାଇ ସୁବ୍ରତ ଓ ସବନମ୍ ଙ୍କ ବାପାଙ୍କ କାନରେ ପଡେ । ସବନମ୍ ଘରେ ପହଞ୍ଚୁ ପହଞ୍ଚୁ ତାର ବାପା ତା ଚୁଟି ଟାଣି ଏକ ଘରେ ବନ୍ଦ କରି ଦିଅନ୍ତି । ସେପଟେ ସୁବ୍ରତ ର ବାପା ସୁବ୍ରତ କୁ ବହୁତ୍ ମାଡ଼ ଗାଳି ଦିଅନ୍ତି । ଓ ସୁବ୍ରତକୁ ଅନେକ କଥା କୁହନ୍ତି         

-" ବ୍ରାହ୍ମଣ ଘର ପୁଅ ବାହା ହେବ ମୁସଲମାନ ଝିଅକୁ ଅସମ୍ଭବ ।" ସୁବ୍ରତ ର ଜେଜେ କହିଲେ

-" ତୁ ମୋର ମାନ ସମ୍ମାନ ସବୁ ତଳେ ପକାଇଲୁ । ତୁ କି ମୋ ଯୋଗ୍ୟ ପୁଅ ?" ସୁବ୍ରତ ର ବାପା କୁହନ୍ତି

-" ଆମେ ଯାହା କରିବୁ ତୋ ମଙ୍ଗଳ ପାଇଁ । ତୁ ସାରା ଜୀବନ ହସିବୁ ଓ ଖୁସିରେ ରହିବୁ । " ସୁବ୍ରତ ବୋଉ କାନ୍ଦି କାନ୍ଦି କହୁଥିଲେ

-" ସବନମ୍ ବିନା ମୋର କିଛି ଖୁସି ନାହିଁ ବୋଉ..!"

ଦୂରରୁ ଜଣେ ଲୋକ ଧଇଁ ସଇଁ ହୋଇ ଆସି କହିଲା - "ମୁସଲମାନ ମାନେ ଆସୁଛନ୍ତି ଆଉ ହାତରେ ଅଛି ଖଣ୍ଡା.....! ଏପଟେ ଗାଁ ଲୋକ ମଧ୍ୟ ବାଡ଼ି ଧରି ରାସ୍ତା ରେ ରୁଣ୍ଡ ହୋଇଗଲେଣି । ଆପଣଙ୍କୁ ଜଲ୍ଦୀ ଯିବାକୁ ପଡିବ ।"

ସବନମ୍ ର ବାପା ଙ୍କୁ ଦେଖି ସୁବ୍ରତ କହିଲା ।

-" ଆମର ବିବାହ ହୋଇ ସାରିଛି ଏଥର କଣ କରିବା କଥା କରନ୍ତୁ ।

-" ବିବାହ"?

-" ହଁ " କହି ଘର ଭିତରୁ ମ୍ୟାରେଜ ସାର୍ଟିଫିକେଟ ଆଣି ବଢେଇ ଦିଏ ସବନମ୍ ର ବାପାଙ୍କ ହାତକୁ ।

- ସାର୍ଟିଫିକେଟ ଟି ଦେଖୁ କ୍ରୋଧ ରେ ଚିରି ଦିଅନ୍ତି ସବନମ୍ ର ବାପା । " ଏ ସାର୍ଟିଫିକେଟ ନୁହେଁ ତୁ ଯଦି ଚାହିଁବୁ ଗୋଟେ ସର୍ତ୍ତ ଅଛି, ତାହାଲେ ଯାଇଁ ତୁ ସବନମ୍ କୁ ପାଇବୁ ।"

-" ସବନମ୍ ପାଇଁ ମୁଁ କିଛି ବି କରିପାରିବି..! ଏବେ ସର୍ତ୍ତ ଟି କୁହନ୍ତୁ ।"

-" ତୁ ଆମ ମୁସଲମାନ ଧର୍ମ ଗ୍ରହଣ କର । ଆଉ ସେଠାରେ ମନ୍ଦିର ବଦଳରେ ମସଜିଦ ପାଇଁ ଟି ଗାଁ ଲୋକ ଙ୍କୁ ରାଜି କର ।"

- ସୁବ୍ରତ ଏ କଥା ଶୁଣି ତା ବାପା ଙ୍କ ନିକଟକୁ ଅନେଇ ନିରୁତ୍ତର ରହିଲା ।

- " ନା ଚାଲି ଯାଅ ଏଠୁ । ଆମ ପୁଅର ଦରକାର ନାହିଁ ତୁମ ସବନମ୍ ।" ସୁବ୍ରତ ର ବାପା କୁହନ୍ତି ।

- " ଶୁଣ, ମୋ ଝିଅ କୁ ପୁରାପୁରି ଛାଡ଼ିଦେ । ନହେଲେ ଅବସ୍ଥା ଖରାପ୍ ହେବ କହିଦେଉଛି ।" କହି ଚାଲି ଯାଆନ୍ତି ସବନମ୍ ର ବାପା ।

ସୁବ୍ରତ ର ଘରେ ସମସ୍ତେ ମନଦୁଃଖ ରେ ବସି ଥାଆନ୍ତି । ଏହି ସମୟରେ ସୁବ୍ରତ ସବନମ୍ ର ଜଣେ ସାଙ୍ଗ କୁ ଫୋନ କରି ସବନମ୍ କୁ ସେଇ କୋଠି ନିକଟକୁ ଆସିବା ପାଇଁ କୁହେ । ସେ ଝିଅଟି ଯେହେତୁ ସବନମ୍ ଘର ପାଖର ତେଣୁ ନିସନ୍ଦେହ ରେ ତାକୁ ଘର ଭିତରକୁ ଡ଼ାକି ଆଣନ୍ତି ସବନମ୍ ର ବାପା । ସେ ଝିଅଟି ସବନମ୍ କୁ ସୁବ୍ରତ ବିଷୟରେ କୁହେ । ରାତିରେ ସମସ୍ତେ ଶୋଇ ସାରିଲା ପରେ ସବନମ୍ ସେଇ କୋଠି ନିକଟକୁ ଆସି ସୁବ୍ରତ କୁ ପଛ ଆଡ଼ୁ କୁଣ୍ଢେଇ ଧରି କାନ୍ଦେ ।

-"ଏ ତୁମ ଶେଷ କାନ୍ଦ ସବନମ୍ । ଆମେ ଦୁହେଁ ଆଜି ଚାଲିଯିବା ଗୋଟେ ନିର୍ଦ୍ଧିଷ୍ଟ ଜାଗାକୁ, ସେଠି ନା କିଏ ଆମର କ୍ଷତି କରିବାକୁ ଥିବେ...!"

-" ସୁବ୍ରତ ମୁଁ ବହୁତ୍ ଖୁସି । ଆମେ ଏଇ ଦିନକୁ କେତେ ନା ଅପେକ୍ଷା କରିଥିଲେ । ମୁଁ ବିଶ୍ୱାସ କରି ପାରୁନି ଏ ଖୁସିର ସମୟ ଆସିଯାଇଛି..! ଆଜି ଆମେ ଆମ ପରିବାର, ସମାଜ ଓ ଧର୍ମ ସହ ଲଢି ବିଜେତା ହେଇଛେ, ଆମ ପ୍ରେମ ବି ବିଜେତା ହୋଇଛି ।" ସବନମ୍ ସୁବ୍ରତ ର ହାତକୁ ଧରି କୁହେ

-" ହଁ ସବନମ୍ ଆମେ ସବୁଦିନ ପାଇଁ ଏକାଠି ହୋଇଯିବା ।"

-" ସୁବ୍ରତ ଆମ ପ୍ରଥମ ଦେଖା ତୁମର ମନେ ପଡୁଛି ?"

-" ହଁ, ମୁଁ ସେଦିନ ସ୍କୁଲ୍ କୁ ବରକୋଳି ନେଇଥିଲି । ଆଉ ତୁମେ ସେଇ ବରକୋଳି ଲୋଭରେ ପଡ଼ି ମୋତେ ହାତ ଦେଖାଇ ମାଗିଥିଲ । ସେଇ ହାତ ଏବେ ତୁମେ ନିଜ ହାତରେ ଧରିଛ ।

- " ହାଃ ହାଃ ମୁଁ ତୁମ ବରକୋଳି ପ୍ରେମରେ ପଡ଼ିଯାଇଥିଲି " ।

-" କିନ୍ତୁ ସବନମ୍, ମୁଁ ତୁମ ପ୍ରେମରେ...!"

ଦୁହେଁ ପରସ୍ପର କୁ ଚାହିଁ ବହୁତ୍ ସମୟ ହସିଲେ ।

-" ଏବେ ସମୟ ହେଇଗଲାଣି । କଣ ତୁମେ ରାଜି ଏହି ସମ୍ପର୍କ ରେ ସବୁଦିନ ରହିବା ପାଇଁ ?" ସୁବ୍ରତ ପଚାରେ

-" କୁବୁଲ୍ ହେ" ସବନମ୍ କୁହେ ସୁବ୍ରତ କୁ ଥରେ ଚାହିଁ ଦେଇ ।

   ସୁବ୍ରତ ହସି ହସି ସବନମ୍ ହାତକୁ ଜାବୁଡ଼ି ଧରେ ଏବଂ ସେଇ ୫ ମହଲା କୋଠା ଉପରୁ ତଳକୁ ଡେଇଁପଡେ । ସେତେବେଳେ ମଧ୍ୟ ଦୁହେଁ ଦୁହିଁଙ୍କ ହାତକୁ ଜାବୁଡ଼ି ଧରି ଥାଆନ୍ତି । ଏହାପରେ ସେମାନେ ସବୁଦିନ ପାଇଁ ଏକ ଜାଗାରେ ଏକାଠି ହେଇଗଲେ ଯାହାକୁ ହିନ୍ଦୁ ମାନେ ' ସ୍ବର୍ଗ ' ଓ ମୁସଲମାନ ମାନେ ' ଜନ୍ନତ ' କୁହନ୍ତି । କିନ୍ତୁ ସେଠାରେ ଏହାର କୌଣସି ନାମ ନଥିଲା ।

" କୁବୁଲ୍ ହେ " ସୁବ୍ରତ ସବନମ୍ ର ପ୍ରତି ଉତ୍ତର ଦେଲା । ଏବଂ ଦୁହେଁ ଯାତ୍ରା ଆରମ୍ଭ କଲେ, ଯେଉଁ ଯାତ୍ରା ର ଶେଷ ନଥିଲା ।" ସମାଜ ସିନା ଧର୍ମ ର ପାଚେରୀ ଠିଆ କରିଛି, କିନ୍ତୁ ସେମାନଙ୍କ ପ୍ରେମ ସେଇ ଧର୍ମର ପାଚେରୀ କି ଭାଙ୍ଗି ଦେଇଛି ।


Rate this content
Log in

Similar oriya story from Romance