STORYMIRROR

Gargi Mishra

Romance Tragedy Inspirational

4  

Gargi Mishra

Romance Tragedy Inspirational

କର୍ତ୍ତବ୍ୟ

କର୍ତ୍ତବ୍ୟ

6 mins
282


ରିଭିଜନ ସମୟ l ଇକନୋମିକ୍ସର ସିଲାବସ ତ ସାରି ଦେଇଥିଲେ ପୁରୋହିତ ସାର l ହେଲେ ଏବେ ସାର ଅସୁସ୍ଥ l ଜଣ୍ଡିସରେ ହସ୍ପିଟାଲରେ ଆଡମିଟ ହୋଇଛନ୍ତି ବୋଲି ଶୁଣିଲା ପରଠୁଁ କୋଚିଂ କ୍ଲାସରେ କାହାରି ମନ ଭଲନାହିଁ l ଏପଟେ ପରୀକ୍ଷା ପାଖେଇ ଆସିଲାଣି l ଭାଙ୍ଗି ପଡୁଥାଏ ସ୍ଵାଗତିକା l 


- ଓହୋଃ ମୋ କାନ୍ଦୁରି........ଦେଖ, ବ୍ୟସ୍ତ ନହୋଇ ପୁରୁଣା ଚାପ୍ଟର ତକ ସମୟକାଢି ପଢ଼ l ଦେଖିବ ଭଲହବ ପରୀକ୍ଷା l ସାର ଜଲଦି ଫେରିଆସିବେ ସୁସ୍ଥ ହୋଇ l 


ଅମିତ ମନୋବଳ ବଢା଼ଉଥିଲେ ସ୍ଵାଗତିକାର l ସବୁଥର ପରି ଟିସ୍ୟୁରେ ତାର ଲୁହ ପୋଛିଦେଇ ଯତ୍ନରେ ରଖିଦେଲେ l କହିଲେ,


-ୱାଶ ରୁମ ଯାଇ ମୁହଁ ଧୋଇ ଆସ l ଏଠି କ୍ୟାଫେରେ ସମସ୍ତେ ବୁଲି ବୁଲି ଦେଖୁଛନ୍ତି l ପ୍ଲିଜ,ପିଲାଙ୍କ ପରି ହୁଅନି l 


ଘଟଣାବହୁଳ ଜୀବନ l ଏଠି ବହୁତ କିଛି ଘଟିଯାଏ ହେଲେ ବାହାରକୁ କିଛି ଜଣା ପଡ଼େନା l ଓଠ ହସୁ ହସୁ ଆଖି କାନ୍ଦୁଥାଏ l

ଦୁଃଖର ଛିଟିକା ସବୁ ଟିସ୍ୟୁରେ ଉତୁରି ଯାଏ.... କେହି ପଢ଼ନ୍ତିନି l କେବଳ ଦେଖନ୍ତି କର୍ତ୍ତବ୍ୟ କେତେ ମାତ୍ରାରେ ତୁଲାଯାଇଛି l

ତାକୁ ପଢିବାକୁ ପ୍ରଗାଢ଼ ବନ୍ଧୁତା ଦରକାର l

ସ୍ୱାଗତିକା ଜୀବନରେ ଅମିତ ହିଁ ଏକ ଏପରି ବନ୍ଧୁ ଯିଏ ସ୍ଵାଗତିକାର ଲୁହ ଭିଜା ଟିସ୍ୟୁ ପେପରକୁ ମଧ୍ୟ ସାଇତି ରଖୁଥିଲେ ଛାତି ପକେଟରେ l


ଏକ ରକମ ତାନ୍ତ୍ରିକ -କଣ୍ଢେଇ ପରି ହୋଇ ସାରିଥିଲା ସେ ଅମିତଙ୍କ ଜୀବନରେ l

ଯେମିତି ଏପଟେ କଣ୍ଟା ଫୋଡିଲେ ସେପଟେ ରକ୍ତ ଝରିପଡେ l କଣ୍ଢେଇ ଆଖି ଡୋଳା କାଢିଦେଲେ ସେପଟେ ଜଣେ ଅନ୍ଧ ହୋଇଯାଏ l 

ତାର ଅଭିମାନ, ତା ଅଭିପ୍ରାୟ, ତା ଆଶା ତା ହସ ଲୁହ ସଠିକ ପଢି ପାରୁଥିଲେ ଅମିତ l

କଲେଜରୁ ଗାଢ଼ବନ୍ଧୁତା ପରେ ଅର୍ଥାଭାବ କାରଣରୁ ଉଚ୍ଚଶିକ୍ଷା କି କୋଚିଂ ନ ଯାଇପାରି କ୍ଲରିକାଲ ପୋଷ୍ଟରେ ଜଏନ କରିଥାନ୍ତି ଅମିତ l ପ୍ରଥମ ଚାକିରୀ, ପ୍ରଥମ ଦରମା ଖୁବ କଷ୍ଟଲବ୍ଧ ସ୍ମୃତି l ସବୁଜ ରଙ୍ଗର ଶାଢ଼ୀଟିଏ ଦେଇଥାନ୍ତି ଅମିତ ନିଜ ବାନ୍ଧବୀ ସ୍ଵାଗତିକାକୁ l


 ପିନ୍ଧିବାକୁ କହନ୍ତି, ହେଲେ ସବୁ ଭଲଜିନିଷ ପଛକୁ ସାଇତିବା ଅଭ୍ୟାସ ଥିବାରୁ ତାକୁ ଶୁଙ୍ଗି ଶୁଙ୍ଗି ଆଲମାରୀରେ ସଜତ୍ନରେ ରଖି ଦେଇଥାଏ ସ୍ଵାଗତିକା l


ସେଥିରେ ଥାଏ ସ୍ନେହ ଆଉ ଅତ୍ମୀୟତାର ଚିହ୍ନା ଚିହ୍ନା ବାସ୍ନା l


ଭଲପାଇବା ଆରମ୍ଭ ହୋଇଥିଲା ଡିଗ୍ରୀରୁ l ଏକା କଲେଜ ଓ ଏକା ବିଭାଗ ହେତୁ ଅମିତଙ୍କ ସଂସ୍ପର୍ଶରେ ଆସିବା ଓ ଏକ ପ୍ରାକୃତିକ ପ୍ରକ୍ରିୟାର ବଶବର୍ତ୍ତୀ ହୋଇ ଦୁଇଜଣଙ୍କ ପରସ୍ପର ପ୍ରତି ଆକର୍ଷଣ.......ହୁଏତ ସମାଜ ପାଇଁ ଏହା ଏକ ସାମାନ୍ୟ କଥା ହେଲେ ଦୁହିଁଙ୍କ ପାଇଁ ଅସାମାନ୍ୟ କାରଣ ହୁଏତ ସମାଜ ଗୋଟେ ପାଖେ ଆଉ ଭଲପାଇବା ଅନ୍ୟପାଖେ l


ସ୍ଥିର କରିଥିଲା ବିବାହ ତାଙ୍କୁ ହିଁ କରିବ l ସେ କେତେ ସାହାଯ୍ୟ କରିଛନ୍ତି ତାକୁ ପଢାପଢି ପାଇଁ l ସମସ୍ତଙ୍କୁ ବୁଢ଼ୀ ମୋଟୀ ଅସୁନ୍ଦରୀ ଲାଗିଲେ ମଧ୍ୟ୍ୟ ଅମିତଙ୍କୁ କେବେ ସେ ଖରାପ ଦିଶିନି l କାରଣ ସେ କେବଳ ତାକୁ ଆନ୍ତରିକ ଭାବେ ଭଲପାଇଛନ୍ତି ଆଉ ପାଉଥିବେ l


ଭାରତୀୟ ପ୍ରଶାସନିକ ସେବାପାଇଁ ପ୍ରିଲିମ୍ସରେ ଭଲ ସ୍କୋର କରିବା ପରେ ଘରୁ ବାହାଘରର ଚାପ ଟିକେ କୋହଳ ହୋଇଥିଲା ସ୍ଵାଗତିକା ଉପରେ l


ନହେଲେ ତାର କ୍ରମବର୍ଦ୍ଧିଷ୍ଣୁ ବୟସ ସାଙ୍ଗକୁ ଚର୍ମରେ ଶୁଷ୍କତା ତଥା ମେଦବହୁଳ ଶରୀର ଘରଲୋକଙ୍କ ବିବାହ ଷଡ଼ଯନ୍ତ୍ରରେ ଖୁବ ବାଧା ଉପଯାଉଥିଲା l 


ମୁହଁ ଧୋଇସାରି ମୋବାଇଲ ପର୍ସରୁ କାଢି ଦେଖିଲା, ଜ୍ୟୋତି ମାଉସୀଙ୍କ ଦୁଇଟା ମେସେଜ l 


୧. ଗୋଟେ ଭିଟାମିନ ଇ, ଅଲିଭ ଅଏଲ ଆଉ କୋକୋ ବଟର ମିଶେଇ ଶୋଇବା ଆଗରୁ ଲଗେଇବାକୁ ଥିବା ବିଉଟି ଟିପ l 


୨. ଆଉ ଗୋଟେ ମିହିର ବୋଲି କିଏ ତାଙ୍କ ବ୍ୟାଙ୍କ ମ୍ୟାନେଜରର ପ୍ରସ୍ତାବ ପିଲାଟି କୁଆଡେ କକେଇ ଶ୍ୱଶୁରଙ୍କ ଚିହ୍ନାଜଣାରେ l


ମାଉସୀଙ୍କ କହିବା ଅନୁସାରେ ସେ ଅସୁନ୍ଦରୀ...


ତେଣୁ ତାକୁ ଅଧିକା ପରିଶ୍ରମ କରି ପ୍ରସ୍ତୁତ ହେବାକୁ ପଡିବ ଅନ୍ୟକୁ ଆକୃଷ୍ଟ କରି ତାର ବଂଶ ବଢ଼ାଇବାପାଇଁ l


ବର୍ତ୍ତମାନ ତା' ବଜାର ଚାହିଦା ବ୍ୟାଙ୍କ ମ୍ୟାନେଜର ସମକକ୍ଷ l କିଣାବିକା ପାଇଁ ଉତ୍କୃଷ୍ଟ ସମୟ l ଯାହା ହେଲେ ପ୍ରଶାସନିକ ସେବା ଶେଷ ପର୍ଯ୍ୟାୟ ପରୀକ୍ଷା ପାଇଁ ସେ ମନୋନୀତ ହୋଇଛି l କିଏ ଜାଣେ କାଳେ ବଡ଼ ପଦବୀରେ ସରକାରୀ ଚାକିରୀଟେ ହୋଇଯିବ??

ଗଲାବର୍ଷ ତ ଇଞ୍ଜିନିଅରିଙ୍ଗ କଲେଜର ଲ୍ୟାବ ଆସିଷ୍ଟାଣ୍ଟ ସହ ମୋଲଚାଲ ହୋଇଥିଲା l 


ବାପାଙ୍କ ବୟସ ହୋଇ ଗଲାଣି l ତାଙ୍କର ଲିଭର ଅପରେସନ l ତାଙ୍କୁ ସାମାନ୍ୟ ମାନସିକ ଆଘାତ ମଧ୍ୟ ଦେବା ଅନୁଚିତ l ସବୁକଥାକୁ ଚାପି ଚୁପି ସାହିଯାଏ ବାପାଙ୍କ ଦୁରାବସ୍ଥା ଦେଖି l 


ମେନସ ପରୀକ୍ଷା ପାଇଁ ଆଉ ମାତ୍ର ତିନି ମାସ l ବାପା କହିଲେ,


- ମା ' ମିହିର ପରି କ୍ୟାଣ୍ଡିଡେଟ ମିଳିବେନି l ବ୍ୟାଙ୍କ ମ୍ୟାନେଜର l

ଘର ପରିବାର ଭଲ l ତୋର ଯଦି ଆପତ୍ତି ନଥାଏ ଆଗେଇବା?


ସ୍ଵାଗତିକା ବି ରୋକଠୋକ କହିଦେଲା,


- ଜୀବନରୁ ବାସ ତିନି ମାସ ସମୟ ମାଗୁଛି ବାପା l ଟିକେ ଭରସା ରଖ l ମୁଁ ପ୍ରିଲିମ୍ସରେ ଯେମିତି ଭଲ କରିଛି , ମୋର ବିଶ୍ୱାସ ମେନ୍ସ ପରୀକ୍ଷାବି ଭଲ ହେବ l


ବାପାଙ୍କର କିନ୍ତୁ ସେତେଟା ବିଶ୍ୱାସ ନଥାଏ l ଭଲ କ୍ୟାଣ୍ଡିଡେଟ l ହାତରୁ ଚାଲିଯିବ l ଝିଅର ବୟସ ଗଡି ଗଲାଣି l ସାମାଜିକ ଚାପ l ଚିତ୍କାର କରି କହିଲେ,


-ମୁଣ୍ଡ ଖରାପ ହେଇଗଲାଣି ତୋର l ମୁଁ ୟା ପରେ ଆଉ କୁଆଡେ ପ୍ରସ୍ତାବ ଦେଖିବିନି l ତୋତେ ଆସି ବତିଶ ଚାଲିଲାଣି l ତୁ ନିଜେ ନିଜପାଇଁ ଖୋଜା ଖୋଜି କରିବୁ l ମୁଁ ଥକି ଗଲିଣି ଏଥର l 

ପରଦିନ କ୍ୟାଫେରେ ଏସବୁ ଅନର୍ଗଳ ଗପିଗଲା ସ୍ଵାଗତିକା l

ଅମିତ ସବୁ ଶୁଣିଲେ, କହିଲେ,

-ସ୍ଵାଗତିକା, ଚାଲ ଗୋଟେ ଚୁକ୍ତି କରିନେବା l ତୁମେ ଯଦି ଆଇ. ଏ. ଏସ. ନ ପାଉଛ ତେବେ କେହି ନ ହେଲେ ମୁଁ ଅଛି ତୁମପାଇଁ l ତୁମେ ସେସବୁ ବିଷୟରେ ଚିନ୍ତା ନକରି ପଢା ପଢି ଉପରେ ଧ୍ୟାନଦିଅ l

ଆଇ. ଏ.ଏସ. ର ରେଜଲ୍ଟ ବାହାରିଲା l ଭଲ କରିବ ଜାଣିଥିଲା l କିନ୍ତୁ ଟପ କରିଛି ସ୍ଵାଗତିକା ବୋଲି ନିଜେ ବି ବିଶ୍ୱାସ କରିପାରିଲାନି l ବାପାଙ୍କ ପ୍ରେସର ବଢ଼ି ଯାଇଥାଏ l ଜୀବନରେ ପ୍ରଥମଥର ପାଇଁ ଏତେ ଗୁଡ଼ାଏ ଖୁସି ହୃଦୟ ତନ୍ତ୍ରୀକୁ ଓଟାରେ l 

ପ୍ରେସ କନଫରେନ୍ସ ଦିନ ଅମିତଙ୍କୁ ନପାଇ ସେ ବ୍ୟସ୍ତ ହେଉଥାଏ l ତାକୁ ଝିଅ ପରି ଭଲ ପାଉଥିବା ଆଉ ତା ନିଜ ବାପାଙ୍କ ଠୁଁ ଅଧିକ ବିଶ୍ୱାସ ରଖିଥିବା ପୁରୋହିତ ସାରଙ୍କ ବିଗତ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଦେବା ବେଳେ ଆଖିରୁ ଉଷୁମ ବାରିଧାରା ବର୍ଷି ଯାଉଥାଏ l ତା ଠୁଁ ଦୁଃଖ ଲାଗୁଥାଏ ଅମିତଙ୍କ କନଫରେନ୍ସକୁ ନ ଆସିବା l ଖୁବ ବେଶୀ ଦୁଃଖରେ ବୁଡିଗଲେ କୌଣସି ଖୁସିକୁ ଯଥୋଚିତ ପ୍ରତିକ୍ରିୟା ଦେବା କଷ୍ଟକର ହୋଇପଡେ l 

ସବୁରି ଆଦର୍ଶ ୟୂ. ପି.ଏସ. ସି. ଟପର ଓଡ଼ିଆ ଝିଅ 'ସ୍ଵାଗତିକାଦାସ' l ପ୍ରେସ ମିଡ଼ିଆ ଵାଲା ମାଛିପରି ବେଢ଼ି ଯାଇଛନ୍ତି ତା ଆଗରେ l 

 ଏ ଭିତରେ ଅନେକ ଖୁସି ଆଉ ଦୁଃଖର ଜୁଆର ଭଟ୍ଟା ଆସି ଯାଇସାରିଲଣି l ଗଲା କିଛିଦିନ ହେଲା କଉଠି ଅଛନ୍ତି ଅମିତ?

ପ୍ରେସ ଆଗରେ କଥାହେଲା ବେଳେ ଟପ କରିବାର ଉଦ୍ଦୀପନା ଦିଶୁ ନଥିଲା ତା ଆଖିରେ ବରଂ ଦୁଃଖରେ ଭାରାକ୍ରାନ୍ତ ଦିଶୁଥିଲା ମୁଖମଣ୍ଡଳ l 

ନିରୁପାୟ l ତା ସଫଳତାର ଖୁସି ବାଣ୍ଟିବାପଇଁ ସଫଳତା ଆଣି ଦେଇଥିବା ଲୋକଟିହିଁ ନାହିଁ l ଅମିତ କୁଆଡେ ଆଶ୍ଚର୍ଯ୍ୟ ଜନକ ଭାବେ ଉଭେଇ ଗଲେ? ପରଦିନ ସକାଳୁ ସକାଳୁ ନିଦ ନ ଭାଙ୍ଗୁଣୁ ବେଲ l 

 

-ସମୟ ଜ୍ଞାନ ଟିକେ ରଖନ୍ତୁ l ମୋ ବାପାଙ୍କ ଦେହ ଅସୁସ୍ଥ l ଯେବେ ନାହିଁ ସେବେ ଆସି ବେଲ ମାରୁଛନ୍ତି? ମଣିଷ ତ ଜଣେ ନା ରୋବୋର୍ଟ !! 

 ଅଦିନିଆ ମେଘ ପରି ପ୍ରେସବାଲାଙ୍କ ଉପରେ ଅଯଥାରେ ବର୍ଷିଗଲା l

କାହିଁ କେଜାଣି? ଚିଡି ଲାଗୁଥାଏ ଖାଲି l ସବୁ ଦେହସୁହା କରିବାକୁ ହେବ l ବହୁତ କାମ l

•••••••••••••••


ଏହା ଭିତରେ ଅନେକ ଦିନ କଟିଯାଇଛି l ପ୍ରଶାସନିକ ଦାୟିତ୍ତ୍ୱରେ ଜଞ୍ଜାଳରେ ରହି ବ୍ୟସ୍ତ l ହେଲେ ଏମିତି କିଛି ଅଭୁଲାକଥା ଏବେବି ମନେ ପଡି ଯାଉଛି l

ପୁରୁଣା ଆଲବମ ଖେଳାଉ ଖେଳାଉ ହଠାତ ଦେଖାହେଲା ଅମିତଙ୍କ ଫୋଟୋ ସହ l ସେମିତି ହସ ହସ ମୁହଁ l

କିଛି ହସ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଲାବେଳେ କିଛି ହସ ଲୁହ ଚାପିବାର ଏକ ମାତ୍ର ଉପାୟ ହୋଇରହିଯାଏ l ଆଉ କିଛି ହସ ବୁଝି ହୁଏନା l ଏମିତି ଅବୁଝାହସ ଟିଏ ହୋଇ ରହିଗଲେ କାହିଁ ଅମିତ?

କଲେଜର ରୌପ୍ୟ ଜୟନ୍ତୀ ଉତ୍ସବ l ଅମିତଙ୍କ ସବୁଜ ଶାଢ଼ୀରେ ଚମତ୍କାର ଦିଶୁଥିଲା ସେ .....


ତାକୁ ସମ୍ବର୍ଦ୍ଧନା ଦେବାକୁ ସମସ୍ତେ ଆଗଭର l କିନ୍ତୁ ସେ ଖୋଜି ହେଉଥାଏ ଅମିତଙ୍କୁ ...

-ତାସ ପତାର ଘର... ଆୟୁଷ କେତେ ତାର?


କାହା କଥାରେ ହଠାତ ଚମକି ଉଠି ଚାହିଁଲା ....ତା କଲେଜ ସାଙ୍ଗ ପ୍ରତୀକ l ପ୍ରତୀକ ତ ଅମିତଙ୍କ ଖୁବ ଭଲସାଙ୍ଗ l ତାଙ୍କ କଥା ହୁଏତ ଜାଣିଥାଇ ପାରନ୍ତି l


- ଅମିତକୁ ଖୋଜନି ସ୍ଵାଗତିକା, ସେ ଦୁନିଆରେ ନାହିଁ l ତାକୁ ନେଇ ତା' ଘରଲୋକ ଦେଖିଥିବା ସ୍ବପ୍ନ ସବୁ ସେ ତୁମକୁ ନ୍ୟସ୍ତ କରି ଯାଇଛି l ତୁମକୁ ତାହା ଯେମିତି ହେଲେ ପୁରା କରିବାକୁ ପ୍ରତିଜ୍ଞା ନେବାକୁ ହେବ I ଏହାହିଁ ହେବ ପ୍ରକୃତ ଶ୍ରଦ୍ଧାଞ୍ଜଳି l 


କଣ୍ଠ ରୁଦ୍ଧ ହୋଇ ଆସୁଥାଏ l ବିସ୍ମୟ ଆଉ ଦୁଃଖରେ ସ୍ଵାଗତିକା ଆଖିରୁ ଲୁହ କିନ୍ତୁ ବାହାରୁ ନଥାଏ l ଅତ୍ୟଧିକ ଚାପରେ ଦୁଃଖସବୁ ଜମି ଜମି ବରଫ ପାଲଟି ଯାଆନ୍ତି ବୋଧେ l କରୁଣ ଆଖିରେ ଚାହିଁଲା ପ୍ରତୀକକୁ ଆଉ କିଛି କହିବା ଆଶାରେ l 


-ହସ୍ପିଟାଲ ବେଡ଼ରେ ଥିଲାବେଳେ କେବଳ ତାଠୁଁ ତୁମ କଥା ହିଁ ଶୁଣିଛି l ବହୁତ ଭଲ ପାଉଥିଲା ତୁମକୁ ସେ l ତୁମଠୁଁ ବି ବେଶୀ l ନିଜ ଜୀବନଠୁଁ ବି ବେଶୀ l ତାର ଚିଠି.... ଆଜି ହିଁ ଦେବାକୁ ସେ କହିଥିଲା l 


ଏତକ କହି ହାତରେ ଦେଇ ଚାଲିଯାଇଥାଏ ପ୍ରତୀକ ଅମିତର ପତ୍ର l

ଥର ଥର ହାତରେ ଖୋଲି ପଢିଲା, ଲେଖା ଥିଲା, 


ମୋ ପ୍ରିୟ ସାଙ୍ଗ ସ୍ଵାଗତିକା,


ବୋଧହୁଏ ତୁମେ ଭାବିଥିବ ମୁଁ କେମିତି, କୁଆଡେ ଓ କାହିଁକି ହଜିଗଲି? ପ୍ରକୃତ ପ୍ରେମ କଣ ଏମିତି ଶେଷ ହୋଇପାରେ ?


ମୁଁ କିନ୍ତୁ ଭାବେ ହଜାଇ ପାଇବା ଓ ପାଇ ହଜାଇବା ଭିତରେ ପ୍ରେମ ବଞ୍ଚିଥାଏ l ଏହାକୁ ବିବାହର ସୀମିତ କାଚକାନ୍ଥ କଣ ବାସ୍ତବିକ ଭାବେ ସମ୍ମାନ ଓ ନ୍ୟାୟ ଦେଇପାରେ ସାଙ୍ଗ?


 ମୁଁ ପ୍ରେମକରେ ପ୍ରେମକୁ l ତୁମ ସହ ପ୍ରେମରେ ମୁଁ ନିଜ ଜୀବନର ସାର୍ଥକତା ଦେଖିଛି l ନିଜକୁ ଏକ ଦିଗଦର୍ଶକ ରୂପେ ପାଇଛି l ଅସରନ୍ତି ସମ୍ଭାବନା ଥାଏ ଏ ଆକର୍ଷଣରେ l ଦୈନିକ ଦେଖା ଚାହାଁ ମିଳାମିଶାରେ ହୁଏତ ସେ ତୀବ୍ରତା, ସେ ଖୁସି ନଥାଏ l


ଜାଣ, ମୋ ଘରଲୋକେ ମୋ ଉପରେ ପ୍ରଶାସନିକ ସେବାରେ ଭଲ କରିବାକୁ ଆସ୍ଥା ଜମାଇ ବସିଥିଲା ବେଳେ ମୁଁ କ୍ୟାନ୍ସରରେ ପୀଡିତ ଥିଲି l ସମୟ ନଥିବାରୁ ମୋର ସେଥିରେ ସ୍ପୃହା ନାହିଁ କହି ଟାଳି ଦେଲି l


ହେଲେ ତୁମେ ଟପ କରିବା ମୋ ପାଇଁ ସବୁଠୁ ଖୁସିର ମୁହୂର୍ତ୍ତ ଥିଲା l ନିଜକୁ ହଜାଇ ତୁମକୁ ଠିଆ କରିବା ମୋ ଜୀବନର ଲକ୍ଷ୍ୟ ଥିଲା l


ସେଦିନ ପ୍ରେସ କନଫରେନ୍ସ ଟିଭିରେ ଦେଖୁଥିଲି l ପୁରୋହିତ ସାରଙ୍କ ବିୟୋଗ ତୁମକୁ ଭାଙ୍ଗି ଦେଇଥାଏ l ଜାଣିଥିଲି ମୋ ବିଷୟରେ ଜାଣିଲେ ତୁମକୁ କଷ୍ଟହେବ l କଷ୍ଟତ ଅନ୍ତରଙ୍ଗ ଭାବେ ଜୀବନ ସହ ଜଡିତ l କିନ୍ତୁ ବୃହତ୍ତର ଚିତ୍ରକୁ ଅନୁଧ୍ୟାନକଲେ ଏସବୁ କଷ୍ଟ ଛୋଟ ଲାଗେ l ତୁମେ ନିଜ କର୍ତ୍ତବ୍ୟରୁ ଓହରି ନଯାଅ ବୋଲି କାହାରିକୁ ମୋ ବିଷୟରେ ତୁମକୁ ଜଣାଇବାକୁ ମନା କରିଥିଲି ସାଙ୍ଗ l କିଛିନହେଲେ ମୋ ଘରଲୋକେ ମୋ ପାଇଁ ଖୁସି l ସେମାନେ ସବୁ ଜାଣନ୍ତି l ତୁମେ ଥରେ ଯାଅ ଆମ ଘରକୁ l ପାଇଯିବ ତାଙ୍କ ଆଖିରେ ମୋ ଖୁସିର ପ୍ରତିଫଳନ l 


ମୁଣ୍ଡ ଉପରେ ବଜ୍ରାଘାତ.....ଅଚେତ ହୋଇ ପଡିଗଲା ସ୍ଵାଗତିକା l ଚେତା ଫେରିବା ପରେ ହସ୍ପିଟାଲ ବେଡ଼ ରେ ନିଜକୁ ପାଇଲା l

ନିଜକୁ ନିଜେ କହୁଥିଲା,

-ଏସବୁ କେମିତି ଘଟିଗଲା ? ଜୀବନରେ ପାଇଲି କେତେ, ହଜାଇଲି କେତେ ଅମିତ....ମୁଁ ଏସବୁ ଜାଣେନା କିନ୍ତୁ ତୁମ ରୁଣ ପରିଶୋଧ କରିବାକୁ ମୋତେ ଜନ୍ମ ଜନ୍ମ ଲାଗିଯିବ l

ଭୋ ଭୋ ହୋଇ କେବଳ କାନ୍ଦି ଚାଲିଥିଲା ସ୍ଵାଗତିକା ଆଉ ଟିସ୍ୟୁ ଦେବାପାଇଁ କେହି ନଥିଲେ ତା'ପାଖରେ l ଏତିକିବେଳେ ଅଫିସରୁ କଲ ଆସିଥିଲା ତୁରନ୍ତ ଆସି ପହଞ୍ଚିବା ପାଇଁ l ଡିସ୍ଚାର୍ଜ ହେବା ପରେ କର୍ତ୍ତବ୍ୟ ପଥରେ ଆଗେଇ ଯାଇଥିଲେ କ୍ୟାବିନେଟ ସେକ୍ରେଟାରୀ ମିସ ସ୍ଵାଗତିକା ଦାସ l

                


Rate this content
Log in

Similar oriya story from Romance