କପେ ଚା'ରେ ପ୍ରେମର ଝଡ
କପେ ଚା'ରେ ପ୍ରେମର ଝଡ


ସେଦିନ ସକାଳୁ ଉଠି ଦେଖିଲା ବେଳକୁ ଶ୍ରୀମତୀ ବଡ଼ ଧ୍ୟାନ ରେ ବସି ଟିଭି ପ୍ରୋଗାମକୁ ପିଇ ଯାଉଛନ୍ତି । ପାଖକୁ ଯାଇ ପଚାରିଲି, କଣ ସେତେବେଳୁ ଚା କପେ ମାଗିଲିଣି, ଶୁଣି ପାରିନକି ? ହଁ ଯାଉଛି କହି ପୁଣି ମଜ୍ଜି ଗଲେ ଟିଭି ପ୍ରୋଗ୍ରାମ ଭିତରେ । ଟିଭି ପରଦା ଆଡେ ଟିକେ ଉତ୍କଣ୍ଠା ର ସହିତ ଚାହିଁ ଜାଣିବାକୁ ଚାହିଁଥିଲି କଣ ଏମିତି ଚାଲିଛି ଯେ..... । ଶ୍ରୀମତୀ ମଜ୍ଜି ରହିଥିଲେ ତରଙ୍ଗ ମ୍ୟୁଜିକ୍ ଚ୍ୟାନେଲ୍ ଦେଖିବାରେ । ଏକ ସୁନ୍ଦରୀ ଲଳନା ଉପସ୍ଥାପନା କରୁଛନ୍ତି । ପାଟି କୁ ଚାପି ଚାପି ଓଡ଼ିଆରେ ବଙ୍କେଇ ବଙ୍କେଇ ଇଂରାଜୀ କହିଲା ପରି କହି ଚାଲିଛନ୍ତି । ଲାଗୁଚି ସତେ ଯେମିତି କହିବାରେ ତାଙ୍କୁ ବହୁତ କଷ୍ଟ ହେଉଛି । ସେ ଦର୍ଶକ ମାନଙ୍କ ପାଖରୁ କଲ୍ ରିସିଭ୍ କରୁଛନ୍ତି ଆଉ ପରେ ପରେ ରିସିଭ୍ କରିଥିବା ଅନୁରୋଧ ଅନୁସାରେ ପ୍ରଦର୍ଶିତ କରା ଯାଉଛି ଗୋଟିଏ ଗୋଟିଏ ରୋମାଣ୍ଟିକ ଗୀତ । ଶ୍ରୀମତୀ ବି ମଝିରେ ମଝିରେ ୱାଃ ୱାଃ କହି ତାଳି ମାରିଦେଉଛନ୍ତି । ଟିଭି ପରଦାର ନିମ୍ନଭାଗରେ ଫ୍ଳାସ୍ ହୋଇ ଚାଲିଛି ଅନେକ ପ୍ରେମ ବାର୍ତ୍ତା । ପଚାରିଲି ଇଏ ସବୁ କଣ ଚାଲିଛି କି ?
ଶ୍ରୀମତୀ ଫଣ ଫଣ ହୋଇ ବିରକ୍ତି ଭରା ଚାହାଣିରେ ମୋ ଆଡେ ଚାହିଁ କହିଲେ—
" କାହିଁକି ଡିଷ୍ଟର୍ବ କରୁଛ କହିଲ...କମ୍ ସେ କମ୍ ଆଜି ଭଳିଆ ଦିନରେ ଟିକେ ଶାନ୍ତିରେ ତ ଦେଖିବାକୁ ଦିଅ । ତମର ତ ଏ ସବୁ ଦେଖିବାରେ ଆଗ୍ରହ ନାହିଁ । ମତେ
ଟିକେ ଦେଖିବାକୁ ଦିଅ ।ମନେ ମନେ ଚମକି ପଡି ଭାବିଲି— ଆଜି ଦିନଟା କଣ କି ! ଆଜି ବିବାହ ବାର୍ଷିକୀ ବୋଲି ଭୁଲି ଯାଇନି ତ ଆଉ। ସରିଗଲା ସବୁ । ଯଦି
ଭୁଲି ଯାଇଥିବି ତେବେ ଆଜି ମହାଭାରତ ହେବାର ଆଦ୍ୟ ସୂଚନା ମିଳିଗଲାଣି । ଟିକେ ଜୋର ଦେଇ ଭାବିଲା ପରେ ମନେ ପଡ଼ିଲା ଯେ ଆଜି ଆମର ବିବାହ
ବାର୍ଷିକୀ ନୁହେଁ । ଆଉ ବେଶୀ ଡେରି ନକରି ପଚାରିଦେଲି ଶ୍ରୀମତୀ ଙ୍କୁ " କାହିଁକି ଆଜି କଣ କି ଏମିତି ? "
ଟିକିଏ ସ୍ମିତହାସ୍ୟ ଦେଇ କହିଲେ—
"ଆରେ ଆଜି ପରା Valentine day (ପ୍ରେମ ଦିବସ )। କେବେ ତ କିଛି କରିନ କି ଦେଇନ ଆଉ ମନେ କିପରି ପଡ଼ିବ ? ଆଜିକାଲି ତମର ସେ ରସିକ
ପଣିଆ କୁଆଡେ ଗଲା କେଜାଣି । ଦେଖିଲ ବୁଢା ବୁଢି ହେଲେଣି ତଥାପି ତାଙ୍କର ରୋମାନ୍ସ ଟିକିଏ ବି ଊଣା ହୋଇନି । ଟିଭି ପ୍ରୋଗ୍ରାମରେ ଆସି ଭାଗ ନେଇ
ନାଚୁଛନ୍ତି । ସେ ନାଚ ଯେପରି ହେଉନା କାହିଁକି ସେମାନଙ୍କର ଇଚ୍ଛାଶକ୍ତି ବହୁତ ଦୃଢ ଆଉ ପରସ୍ପରକୁ ଭଲ ପାଇବା ଅତି ନିବିଡ । ହଉ ଛାଡ କାଲ ଆଗରେ
ବୀଣା ବଜେଇ ଲାଭ କଣ ?"
ମୁଁ କହିଲି — ହଉ ହଉ ତମ valentine day ଉପଲକ୍ଷ୍ୟେ କମ୍ ସେ କମ୍ ଏବେ ତ ଚା କପେ ମିଳୁ ।
ଶ୍ରୀମତୀ ଆଉ ବେଶୀ କିଛି ନ କହି କିଛି ସମୟ ପରେ ଚା କପେ ଧରେଇ ଦେଇ ପୁଣି ବସି ପଡ଼ିଲେ ଟିଭି ସାମ୍ନାରେ ।
ଚା ପିଉ ପିଉ ମନ ଭିତରେ valentine day ସମ୍ବନ୍ଧରେ ଅନେକ କଥା ଘୁରି ବୁଲୁଥିଲା । ସତରେ କଣ ପ୍ରେମକୁ ପାର୍କରେ କିମ୍ବା ରେଷ୍ଟୁରାଣ୍ଟରେ ବସି ଆଡୁ ସାଡୁ ଗପି ସମୟ କଟାଇବାରେ, ଗୋଟେ ନାଲି ଗୋଲାପର ବୁକେ, କିଛି ଚକୋଲେଟ୍ ଆଉ ଗୋଟେ ଦାମୀ ଉପହାର ଦେଇ ପ୍ରଦର୍ଶିତ କରାଯାଇପାରେ ? ଆଜି କାଲିର ଜେନେରେସନ୍ ତ ଏଇଆ ହିଁ ବୁଝୁଛନ୍ତି । ପ୍ରତି ଚାରି ଛଅ ମାସ ରେ ସୋସିଆଲ ମିଡ଼ିଆରେ ରିଲେସନସିପ୍ ଷ୍ଟାଟସ୍ ଚେଞ୍ଜ୍ କରାଯାଇଥିବା ପୋଷ୍ଟ୍ ସବୁ ଦେଖିବାକୁ ମିଳୁଛି । କେତେବେଳେ ସିଙ୍ଗଲ୍ , କେତେବେଳେ କମିଟେଡ୍ ତ ପୁଣି କେତେବେଳେ ମୁଭ ଅନ୍... ଇଏ ସବୁ ଆଜିକାଲିର ପିଲାମାନଙ୍କ ପାଇଁ ପ୍ରେମର ପରିଭାଷା । ଦୈହିକ କାମନାର ପୂର୍ତ୍ତି ନହେଲେ ପ୍ରେମର ପରିଣତି ବଳପୂର୍ବକ ଧର୍ଷଣ ଓ ହତ୍ୟା ଭଳି ଜଘନ୍ୟ କାଣ୍ଡର ପରିଣତ ହେବା ଦେଖିବାକୁ ମିଳୁଛି । ସତରେ ଦିନକୁ ଦିନ ସବୁ କିପରି ବଦଳି ଯାଉଛି । ବଡ ବିଚିତ୍ର ଏ ସମାଜ ।
ସେତେବେଳେ କିନ୍ତୁ କଥା କିଛି ଭିନ୍ନ ଥିଲା । ସେ ସମୟରେ ମୁଁ ଗୋଟେ ନାମୀ ଘରୋଇ ସଂସ୍ଥାରେ ଅଫିସର ଭାବରେ କାମ କରୁଥାଏ । ପୋଷ୍ଟିଂ ମୋର ଓଡ଼ିଶା ବାହାରେ ହାଇଦ୍ରାବାଦରେ ହୋଇଥାଏ । centrally air-conditioned ଅଫିସ୍, modern infrastructure ସାଙ୍ଗକୁ ନିଜ ବୟସ ପାଖାପାଖି ସହକର୍ମୀମାନେ, କାମ କରିବାର ଇଚ୍ଛାକୁ ଦ୍ୱିଗୁଣିତ କରୁଥାଏ ।
ଏମିତି ଦେଖିବାକୁ ଗଲେ ଅଫିସ୍ ରେ ଅନେକ ହ୍ୟାଣ୍ଡସମ୍ ପିଲା ଥିଲେ କିନ୍ତୁ ଅଶ୍ୱିନୀ ସାର୍ ଙ୍କ କଥା ଥିଲା ନିଆରା । ଅଶ୍ୱିନୀ ସାର୍ ଆମର ଚିଫ୍ ମାନେଜର୍ ଥିଲେ । ଉଚ୍ଚତା ପ୍ରାୟ ଛଅ ଫୁଟ ହେବ । ଦେଖିବାକୁ ଯେମିତି ସୁନ୍ଦର , ବ୍ୟକ୍ତିତ୍ୱ ମଧ୍ୟ ସେହିପରି ଆକର୍ଷଣୀୟ । ଅଫିସ୍ ରେ ଅନେକ ମହିଳା କର୍ମଚାରୀମାନଙ୍କର ଅଧା ସମୟ ତାଙ୍କ ବିଷୟରେ ଚର୍ଚ୍ଚା କରିବାରେ କଟୁଥିଲା। ସାର୍'ଙ୍କ କଥାବାର୍ତ୍ତା ବହୁତ ମାର୍ଜିତ । ମହିଳାମାନଙ୍କୁ ବହୁତ ସମ୍ମାନ କରନ୍ତି । ସେଥିପାଇଁ ତ ସେ ବିବାହିତ ଥିଲେ ମଧ୍ୟ ଅଫିସ୍ ରେ ତାଙ୍କ ବିଷୟରେ ବହୁତ ଚର୍ଚ୍ଚା ହେଉଥିଲା । ସାର୍ ମଧ୍ୟ ସେସବୁକୁ sportively ନିଅନ୍ତି । ସେ ସିନିୟର ପଦବୀରେ ଥାଇ ମଧ୍ୟ ଆମମାନଙ୍କ ସହିତ ଅନେକ ସମୟରେ ମିଶି କଥା ହୁଅନ୍ତି । ସବୁ ପ୍ରକାର leadership quality ତାଙ୍କ ପାଖରେ ରହିଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ସହକର୍ମୀମାନଙ୍କରେ ଦୁଃଖସୁଖରେ ସେ ଭାଗୀଦାର ହେଉଥିଲେ । ବ୍ୟକ୍ତିଗତ ସୁବିଧା ଅସୁବିଧାରେ ସବୁ ପ୍ରକାର ସାହାଯ୍ୟ କରୁଥିଲେ । ସେଥିପାଇଁ ତ ସମସ୍ତେ ତାଙ୍କ ନିକଟରେ କୃତଜ୍ଞ । ଯେ କୌଣସି unofficial ଆଲୋଚନାରେ ସେ ଭାଗ ନେଉଥିଲେ । ମହିଳାମାନଙ୍କ କଥା ଯଦି ଆଲୋଚନା ପ୍ରସଙ୍ଗକୁ ଆସୁଥିଲା , ସେ ତାଙ୍କର ସ୍ତ୍ରୀଙ୍କର ପ୍ରଶଂସା ନ କରି ରହି ପାରୁନଥିଲେ । ସମସ୍ତେ କୁହନ୍ତି ଅଶ୍ୱିନୀ ସାର୍ ତାଙ୍କ ସ୍ତ୍ରୀଙ୍କୁ ବହୁତ ଭଲ ପାଆନ୍ତି ବୋଲି । କେବେବି କୌଣସି function କୁ ସେ ଏକୁଟିଆ ଯାଆନ୍ତି ନାହିଁ । ସବୁବେଳେ ସ୍ତ୍ରୀଙ୍କୁ ସାଙ୍ଗରେ ନେଇଥାଆନ୍ତି । ଦୁଇ ଜଣଙ୍କର ପରସ୍ପରକୁ ଭଲପାଇବା ଅତ୍ୟନ୍ତ ନିବିଡ । ସେ ତାଙ୍କ ସମ୍ପର୍କୀୟ ଭିତରେ ହିଁ ବିବାହ କରିଥିଲେ। ଯେହେତୁ ସେ ତେଲୁଗୁ ଲୋକ, ତାଙ୍କର ଏପରି ପ୍ରଥା ରହିଛି । ସମସ୍ତେ କୁହନ୍ତି ମ୍ୟାମ୍ କୁଆଡେ ଦେଖିବାକୁ ଅତି ସୁନ୍ଦର, ଗୋଟିଏ ଚାଉଳରେ ଗଢା କିନ୍ତୁ ତାଙ୍କ ବିବାହରେ ବହୁତ ସମସ୍ୟା ଆସିଥିଲା। ସାର୍ ଙ୍କ ଘରେ ବାପା ମାଆ କି ଅନ୍ୟମାନେ ସେ ବିବାହରେ ରାଜି ନଥିଲେ। ସେଥିପାଇଁ ତାଙ୍କୁ ଅବଶେଷରେ ଘର ସହ ସମ୍ପର୍କ ଛିନ୍ନ କରିବାକୁ ପଡିଥିଲା । ବାପା ମାଆଙ୍କର ଗୋଟିଏ ମାତ୍ର ପୁଅ ଭାବରେ ଅଚଳାଚଳ ସମ୍ପତ୍ତିର ଉତ୍ତରାଧିକାରୀ ହେବାର ମୋହ ଛାଡ଼ିବାକୁ ପଛେଇ ନଥିଲେ ସେ । ଯେ କୌଣସି ଲୋକର ମନରେ ପ୍ରଶ୍ନ ଅବଶ୍ୟ ଆସିବ କି ଗୋଟିଏ ବୋଲି ପୁଅ ପ୍ରତି ବାପା ମାଆ କେମିତି ଏତେ ନିଷ୍ଠୁର ହୋଇ ପାରିଲେ ।
କିଛି ଦିନ ପରେ ଅଫିସ୍ ରେ ଗୋଟେ କାର୍ଣ୍ଣିବାଲର ଆୟୋଜନ ହୋଇଥାଏ । ସମସ୍ତେ ନିଜ ନିଜ ଫାମିଲି ମେମ୍ବର ମାନଙ୍କୁ ନେଇ ଆସିଥାନ୍ତି। ମୁଁ ଅବଶ୍ୟ ଏକୁଟିଆ ଯାଇଥିଲି କାରଣ ସେତେବେଳେ ମୋ ଫ୍ୟାମିଲି ଓଡିଶାରେ ରହୁଥିଲେ । ଅଶ୍ୱିନୀ ସାର୍ କିନ୍ତୁ ତାଙ୍କ ସ୍ତ୍ରୀଙ୍କୁ ସାଙ୍ଗରେ ନେଇ ଆସିଥାନ୍ତି ଓ ଗୋଟେ କୋଣରେ ଦୁଇ ଜଣ ବସି ପାର୍ଟିକୁ ଉପଭୋଗ କରୁଥାନ୍ତି । ମୋତେ ଦେଖି ଇଶାରା କରି ଡାକିଲେ। ମୁଁ ତାଙ୍କ ନିକଟକୁ ଯାଇ ନମସ୍କାର କଲି । ସେ ତାଙ୍କ ସ୍ତ୍ରୀଙ୍କୁ ମୋ ସହ ପରିଚୟ କରେଇଦଲେ । ଆଗରୁ ତାଙ୍କ ସ୍ତ୍ରୀଙ୍କ ସୌନ୍ଦର୍ଯ୍ୟ ବିଷୟରେ ଖାଲି ଯାହା ଶୁଣିଥିଲି ହେଲେ ସେଦିନ ଯାହା ସବୁ ଶୁଣଥିଲି ନିଜ ଆଖିରେ ଦେଖିଲି । ପ୍ରକୃତରେ ସେ ବହୁତ ସୁନ୍ଦର । କିଛି ସମୟ କଥା ହେଲା ପରେ ତାଙ୍କର ଆତ୍ମୀୟତା, କହିବାର ଶୈଳୀ ମୋତେ ବହୁତ ପ୍ରଭାବିତ କରିଥିଲା । ମନ ଭିତରେ ତାଙ୍କ ପ୍ରତି ସମ୍ମାନବୋଧ ସ୍ୱତଃ ଜାଗ୍ରତ ହୋଇଯାଇଥିଲା ଓ ସେ ମୋ ମନ ଭିତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ସାରିଥିଲେ । କିଛି ସମୟ ତାଙ୍କ ପାଖରେ ବସିବା ଅବସରରେ ମୁଁ ଗୋଟିଏ କଥା ନିରୀକ୍ଷଣ କରଥିଲି ଯେ ମ୍ୟାଡାମ୍ ସେଇ ଗୋଟିଏ ସ୍ଥାନରେ ବସିରହିଛନ୍ତି । ଅନ୍ୟମାନଙ୍କ ଫ୍ୟାମିଲି ମେମ୍ବର ମାନେ ବୁଲାବୁଲି କରି ପରସ୍ପର ସହିତ କଥା ହେଉଛନ୍ତି ହେଲେ ସେ କାହା ସହିତ ମିଶିବା ପାଇଁ ସିଟ୍ ଛାଡି ଯାଉନାହାନ୍ତି । ସାର୍ ନିଜେ ତାଙ୍କ ପାଇଁ କୋଲ୍ଡ ଡ୍ରିଙ୍କ୍ସ ଓ ପରେ ପ୍ଲେଟରେ ଖାଇବା ଆଣି ଦେଉଥାଆନ୍ତି। ସେତେବେଳ ପର୍ଯ୍ୟନ୍ତ ମୁଁ କିଛି ବି ଠଉରେଇ ପାରିନଥିଲି । ସାର୍ କଣ ଏତେ ଭଲ ପାଆନ୍ତି ନିଜ ପତ୍ନୀଙ୍କୁ ଯେ ତାଙ୍କ ପାଇଁ ପ୍ଳେଟରେ ଖାଇବା ଆଣି ତାଙ୍କ ସିଟ୍ ପାଖରେ ଦେଉଛନ୍ତି। ମନେ ମନେ ଭାବିଲି ଆଜିକାଲି ଏମିତି ଲୋକ ବି ଏ ଦୁନିଆରେ ରହିଛନ୍ତି । ଏହା ଭିତରେ କିଛି ସମୟ ଅତିବାହିତ ହୋଇସାରିଥିଲା । ସାର୍ ଘରକୁ ଯିବା ପାଇଁ ବାହା ରିଲେ । ବୁଲି ବୁଲି ସମସ୍ତଙ୍କୁ ଗୁଡ୍ ନାଇଟ୍ କହୁଥାନ୍ତି। ସେତେବେଳେ ମଧ୍ୟ ତାଙ୍କ ସ୍ତ୍ରୀ ସିଟ୍ ରେ ବସି ରହିଥାନ୍ତି । କିଛି ସମୟ ପରେ ସାର୍ ନିଜେ ମ୍ୟାଡାମଙ୍କୁ ଦୁଇ ହାତରେ ଉଠାଇ ନେଇ ପାଖ କର୍ଣ୍ଣର ରେ ରଖା ଯାଇଥିବା wheel chair ରେ ବସେଇଦେଲେ ଆଉ wheel chair କୁ ଗଡେଇ ଗଡେଇ ବାହାରକୁ ଯିବାପାଇଁ ଉଦ୍ଦିଷ୍ଟ ଦ୍ୱାର ଆଡ଼କୁ ଆଗେଇ ଚାଲିଲେ । ମୁଁ ହତବାକ୍ ହୋଇ ଚାହିଁ ରହିଥାଏ । ପାଖରେ ଛିଡ଼ା ହୋଇଥିବା ସହକର୍ମୀ ମାନଙ୍କ ଠାରୁ ଜାଣିବାକୁ ପାଇଥିଲି ଯେ ସାର୍ ଙ୍କ ସ୍ତ୍ରୀ ଜନ୍ମରୁ ପୋଲିଓ ରେ ପୀଡ଼ିତ । ସେତେବେଳେ ମନ ଭିତରେ ଥିବା ସନ୍ଦେହ ଦୂର ହୋଇଥିଲା କି କାହିଁକି ତାଙ୍କର ଘରଲୋକମାନେ ଅନିଚ୍ଛା ପ୍ରକାଶ କରୁଥିଲେ ବିଭାଘର ପାଇଁ ।
ସେ ତାଙ୍କୁ ଭଲ ପାଇ ପ୍ରେମ ବିବାହ କରିଥିଲେ । ବନ୍ଧୁଘର ହୋଇ ଥିବାରୁ ଅଶ୍ୱିନୀ ସାର୍ ବିବାହ ପୂର୍ବରୁ ତାଙ୍କ ଘରକୁ ଅନେକ ଥର ଯାଇଛନ୍ତି । ପ୍ରଥମ ଥର ସେ ତାଙ୍କୁ ଦେଖିଲା ପରେ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ । ମନରେ ସାହସ ସଂଚୟ କରିପାରୁନଥିଲେ ଏ ବିଷୟରେ ତାଙ୍କୁ କହିବା ପାଇଁ । ଥରେ କିନ୍ତୁ ସେ ନିଜର ମନକଥା ତାଙ୍କୁ ଖୋଲି କହିଦେଇଥିଲେ । ଶାରୀରିକ ଅକ୍ଷମ ଗୋଟିଏ ଝିଅକୁ କାହିଁକି ଜଣେ ଏତେ ବଡ ବିତ୍ତଶାଳୀ ବ୍ୟକ୍ତିଙ୍କର ପୁଅ ବିବାହ କରିବାକୁ ପ୍ରସ୍ତାବ ଦେବ, ସେକଥା ସେ(ତାଙ୍କର ପତ୍ନୀ) ସେ ସମୟରେ ବିଶ୍ୱାସ କରି ପାରିଲେ ନାହିଁ । ହୁଏତ ପ୍ରେମ ବାହାନାରେ ତାଙ୍କ ସହିତ ଦୈହିକ ସମ୍ପର୍କ ରଖି ପରେ ତାଙ୍କୁ ବଦନାମ କରିବାର ଉଦ୍ଦେଶ୍ୟ ନୁହେଁ ତ ? ଏପରି ମନ ଭିତରେ ବିଭିନ୍ନ ପ୍ରଶ୍ନର ବୁଢିଆଣୀ ଜାଲରେ ଭିତରେ ଛନ୍ଦି ହୋଇ ସେ ତାଙ୍କୁ ସିଧା ସିଧା କହିଦେଇଥିଲେ —
" ଶୁଣ ଅଶ୍ୱିନୀ ମୁଁ ଶାରୀରିକ ଭାବେ ଅକ୍ଷମ ହେଲେ ବି ଜଣେ ଉଚ୍ଚ ଶିକ୍ଷିତା । ନିଜ ପେଟ ନିଜେ ପୋଷିବା ପାଇଁ ବୌଦ୍ଧିକ କ୍ଷମତା ମୋ ଭିତରେ ଅଛି ବୋଲି
ମୁଁ ଜାଣେ । ତୁମେ ଏ ସବୁ ସ୍ୱପ୍ନ ଦେଖାଇ ଗୋଟିଏ ନିରୀହା ଝିଅର ଜୀବନକୁ ନଷ୍ଟ କରିବାର ଅପଚେଷ୍ଟା କରନି ।"
ଅଶ୍ୱିନୀ ସାର୍ ସେତେବେଳେ ତାଙ୍କୁ ବୁଝାଇବାକୁ ଯାଇ କହିଥିଲେ—
" ଶାରୀରିକ ଭାବେ ଅକ୍ଷମ ଝିଅଟିଏ କଣ ସ୍ୱପ୍ନ ଦେଖିବା ମନା ? ସ୍ୱପ୍ନ ଉପରେ କାହାର ନିୟନ୍ତ୍ରଣ ଅଛି ? ମୁଁ ଚାହୁଁଛି ତମେ ବି ସ୍ୱପ୍ନ ଦେଖ । ମୁଁ ସେ ସ୍ୱପ୍ନକୁ
ସାକାର କରିବି । ଯଦି କେବେ ବିବାହ କରିବି ତ ତୁମ ସହିତ କରିବି ନହେଲେ ବାକୀ ଜୀବନଟା ଏଇ ପରିକା କଟେଇବାରେ କିଛିି ଅସୁବିଧା ହେବ ନାହିଁ । "
ସେ ତାଙ୍କର ମନକଥା କହି ନିଜ ଗାଆଁକୁ ଫେରି ଆସିଥିଲେ ଓ ପରେ ପରେ ଏ ସମ୍ବନ୍ଧରେ ମାଆଙ୍କୁ ଜଣାଇଥିଲେ ।
ପ୍ରକୃତ ପ୍ରେମ , ପ୍ରକୃତରେ କିଛି ବାଧା ବନ୍ଧନ ମାନେନା । ମନ ଓ ହୃଦୟର ମିଳନ ଥରେ ହୋଇଗଲେ ଅସୁନ୍ଦର ବି ସୁନ୍ଦର ଦିଶେ । ଉଭୟ ପରସ୍ପର ପ୍ରତି ସମର୍ପିତ ଥିଲେ ରୂପ ଯୌବନ କିଛି ମାନେ ରଖେନା । ରୂପ ଯୌବନ ସବୁବେଳେ ରହିବନାହିଁ କିନ୍ତୁ ମନ ଓ ହୃଦୟ ଯଦି ପରସ୍ପର ପ୍ରତି ସମର୍ପିତ ହୋଇଥାଏ ତେବେ ଅବଶିଷ୍ଟ ଜୀବନ ଜିଇବା ସହଜ ଓ ସୁଖକର ହୋଇଥାଏ । ପ୍ରେମିକ ପ୍ରେମିକା ପରସ୍ପର ପାଇଁ ଫେସ୍ ବୁକ୍ କିମ୍ବା Instagram ରେ ନିଜର ଭଲ ପାଇବାର ଗୋଲାପୀ ଚିତ୍ର ପୋଷ୍ଟ କରିଦେଲେ ପ୍ରେମର ନିବିଡତା ବଢିଯାଏ ନାହିଁ । ବାହାରକୁ ଯାହା ସବୁ ଚିକ୍ ଚିକ୍ କରୁଥିବା ଦେଖାଯାଏ ସେ ସବୁ ସୁନା ନୁହଁନ୍ତି । ବଣିଆ ହିଁ ସୁନାକୁ ଚିହ୍ନିଥାଏ । ପ୍ରକୃତରେ ଯେ ଗୁଣୀ, ସେ ଗୁଣଥିବା ବ୍ୟକ୍ତି କୁ ଚିହ୍ନିବାରେ ଭୁଲ କରେନାହିଁ । ପ୍ରକୃତରେ ଅଶ୍ୱିନୀ ସାର୍ ଜଣେ ଗୁଣବାନ୍ ବ୍ୟକ୍ତି , ଯେ କି ଜଣେ ଶାରିରୀକ ଅକ୍ଷମ ମହିଳାଙ୍କୁ ତାଙ୍କର ଗୁଣକୁ ଚିହ୍ନି ଭଲ ପାଇ ନିଜର ଧର୍ମପତ୍ନୀ ରୂପେ ଗ୍ରହଣ କରିବାରେ କୁଣ୍ଠା ପ୍ରକାଶ କରି ନାହାନ୍ତି । Really this is called true love.
ଏପରି ଭାବନାର ଜାଲ ଭିତରୁ ବାହାରିଲା ବେଳକୁ ଶ୍ରୀମତୀଙ୍କ ଟିଭି ପ୍ରୋଗ୍ରାମ ସରିଯାଇଥିଲା ।
ଟି-ପୟ୍ ଉପରେ ରଖାଯାଇଥିବା ଅଧା ପିଆ ଚା କପ୍ କୁ ଦେଖି ପଚାରିଥିଲେ —
"ଚା ବୋଧେ ଭଲ ଲାଗିଲାନି । ଅଧା ପିଇକରି ରଖିଦେଇଛ ଯେ ? କହିଥିଲେ ଆଉଥରେ କଣ ତିଆରି କରି ଦେଇ ପାରିନଥାନ୍ତି ?"
ସେ ଆଉ କିଛି କହିବା ପୁର୍ବରୁ ମୁଁହରୁ ମୋର
ହଠାତ୍ ବାହାରି ଆସିଥିଲା—
" I am very sorry dear. ପ୍ରକୃତରେ ମୁଁ ଆଜି ଅନୁତପ୍ତ । ଆମେ ବି ଦିନେ ପ୍ରେମ ବିବାହ କରିଥିଲେ ହେଲେ ମୁଁ ତୁମକୁ ଅବହେଳା କରିଆସିଛି । ମୋ
ଠାରୁ ତମେ ଯାହା ପାଇବା କଥା ତାହା ମୁଁ ଦେଇ ପାରିନି । ମୁଁ ତ ଆଉ ତାଙ୍କ ପରି ହୋଇ ପାରିବିନି ହେଲେ ମୋ ଦ୍ୱାରା ଯାହା ସମ୍ଭବ ନିଶ୍ଚୟ ସେ ସବୁ
କରିବାରେ ଆଉ ଅବହେଳା କରିବିନି ।ଏବେ ବି ତ ଡେରି ହୋଇନି । ମୁଁ ନିଶ୍ଚୟ ନିଜକୁ ସୁଧାରି ନେବି । "
" ଏମିତି କାହିଁକି କହୁଛ ଯେ ? କାହାପରି ହୋଇ ପାରିବନି ବୋଲି କହୁଛ ? କଣ ହୋଇଛି ତୁମର କୁହ । ଚା ଅଧା ପିଆ କରି ରଖିଦେଇ କଣ ବସି ଭାବୁଥିଲ ?
" — ବୋଲି ପଚାରିଥିଲେ ଶ୍ରୀମତୀ ।
ଅଶ୍ୱିନୀ ସାର୍ ସାଙ୍ଗେ ସାଙ୍ଗେ କହିଥିଲେ—
"ହଁ ସେ ସବୁ ପରେ କହିବି । ଏବେ ରେଡି ହୋଇ ବାହାରିପଡ । ସାଙ୍ଗହୋଇ ମାର୍କେଟ୍ ଯିବା । ଆଜି ପରା valentine day ବୋଲି କହୁଥିଲ ? "