Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Aminilu Ray

Romance


5.0  

Aminilu Ray

Romance


କୋର୍ଟ ମ୍ୟାରେଜ୍

କୋର୍ଟ ମ୍ୟାରେଜ୍

7 mins 386 7 mins 386

      

       ଆଜି ମଙ୍ଗନ । ରାତି ପାହିଲେ ବାହାଘର । କୋଳାହଳରେ ଫାଟି ପଡୁଛି ପଟ୍ଟନାୟକ ବାବୁଙ୍କ ବଙ୍ଗଳା । ଚାକର ପୂଜାରୀଠାରୁ ଆରମ୍ଭ କରି ସମସ୍ତେ ଯେଝା ଯେଝା କାମରେ ଲାଗିପଡିଛନ୍ତି । ଅଗଣାରେ ବେଦୀ ବନ୍ଧା ସରିଲାଣି । ରଙ୍ଗ ବେରଙ୍ଗର ଆଲୋକମାଳାରେ ବଙ୍ଗଳାଟି ଅପୂର୍ବ ସୁନ୍ଦର ଦିଶୁଥାଏ । ଦୂରଦୂରାନ୍ତରୁ ବନ୍ଧୁବାନ୍ଧବ ସମସ୍ତେ ପ୍ରାୟ ଆଜି ରାତି ସୁଧା ପହଂଚିଯିିବେ । ଏଭଳି ଏକ ମାଙ୍ଗଳିକ କାର୍ଯ୍ୟରେ, ପରିବାରରେ, ସମସ୍ତଙ୍କ ମନରେ ଖୁସିର ବାତାବରଣ ଖେଳିଯାଉଥିବାବେଳେ, କିଛି ନ ଖାଇ ନ ପିଇ, ସକାଳ ପ୍ରହରୁ ମୁହଁକୁ ଶୁଖେଇ, ଛାତି ତଳେ ସାଇତି ରଖିଥିବା ଅତୀତର ଅଭୂଲା ସ୍ମୃତିସବୁକୁ ଭାବି ଭାବି ଅବାରିତ ଲୁହ ଝରାଇବାରେ ଲାଗିଛି ନୀଳ ନୟନା ମାମୁନୀ ।

       ଖୁବ୍ ଗେଲବସରରେ ବଢିଆସିଛି ସେ । ଜୀବନରେ ଥରୁଟିଏ ଦୁଃଖ କ’ଣ, କେବେ ଅନୁଭବ କରିନି । ପ୍ରତି ମୁହୁର୍ତରେ ଯେତେବେଳେ ଯାହା ମନ କରିଛି, ତାହା ପାଇଛି । ପିଲାଦିନେ ବାପାଙ୍କ କୋଳରେ ବସି ଜହ୍ନମାମୁଁ ଦେଖୁଥିଲାବେଳେ, ତାହାକୁ ପାଇବା ପାଇଁ ଅଝଟ କରିବାରୁ ସଙ୍ଗେ ସଙ୍ଗେ ପଟ୍ଟନାୟକ ବାବୁ ଜୁଏଲାରୀ ସପ୍‌ରୁ ୧୦ ଭରିର ରୂପା ଜହ୍ନଟିଏ ଆଣି ତା ହାତରେ ଦେଇଥିଲେ । ବେଳେବେଳେ ସେକଥା ମନେ ପଡିଲେ ତାଙ୍କ ଆଖିରେ ଖୁସିର ଲୁହ ଝରିଆସେ । ମାମୁନୀ ଦେଖିବାକୁ ଅତୀବ ସୁନ୍ଦରୀ, ମିଷ୍ଠଭାଷିନୀ ଓ ପାଠୋଇ ବୋଲି ପଟ୍ଟନାୟକ ବାବୁଙ୍କ ପାଦ ଖୁସିରେ ତଳେ ଲାଗେନି । ଝିଅ ତାଙ୍କର ସହରରେ ରହି କଲେଜ୍‌ରେ ପଢୁଥିବାରୁ ସେ ସପ୍ତାହକୁ ଥରେ ତାକୁ ଦେଖିବାକୁ ଯାଆନ୍ତି, ତା’ର ଭଲମନ୍ଦ ବୁଝନ୍ତି ।

        ମାମୁନୀକୁ ସତର ପୁରି ଅଠର ଚାଲିଲାଣି । ଏ ବୟସରେ ଓଠ ବୁଝେ ମନର ଭାଷା, ଆଖି କହେ ପ୍ରେମ । ସ୍ୱପ୍ନର ରାଇଜେ ଘୁରିବୁଲିବାକୁ ଇଛା ହୁଏ ବାରମ୍ବାର । ପାହାନ୍ତି ସ୍ୱପ୍ନରେ ନିଦ ଭାଙ୍ଗିଗଲେ ସେ ମୁରୁକି ହସି ତକିଆକୁ ଛାତିରେ ଜାବୁଡି ଧରି ମନେ ମନେ କହେ – ଧେତ୍‌, ସ୍ୱପ୍ନ କ’ଣ ସତ୍ୟ ହୁଏ ? ହେଲେ ତ ଭଲ ହୁଅନ୍ତା । ମୋତେ ଆଉ ସବୁ ଦିନେ ଏମିତି ଦେଖିବାକୁ ପଡନ୍ତାନି ।

        ମନୋଜ୍ ଆଉ ମାମୁନୀ । ଦୁହେଁ ଦୁହିଁଙ୍କୁ ମନେ ମନେ ବେଶୀ ଭଲ ପାଉଥଲେ ବି ମୁହଁ ଖୋଲି କହିପାରୁ ନଥିଲେ । ହଠାତ୍ ସାମ୍‌ନା ସମ୍‌ନି ହେଇଗଲେ ମାମୁନୀ ଲାଜରେ ଝାଉଁଳି ମନର କଥା କହିପାରୁ ନଥିବାବେଳେ, ମନୋଜ୍ ଡରରେ କହିବାକୁ ସାହସ କରିପାରେନି । ବୟସର ମାଦକତା ଭିତରେ ଦିନେ ମାମୁନୀ କଲେଜ୍ ପଛପଟେ ଥିବା କୃଷ୍ଫଚୁଡା ଗଛ ମୂଳେ ଠିଆ ହୋଇ କ’ଣ ସବୁ ଭାବୁଥିଲାବେଳେ, ମନୋଜ ସେହି ବାଟ ଦେଇ ଆସିବାରୁ, ସେ ନିଜର ମନକୁ ସମ୍ଭାଳି ନପାରି, ସଙ୍ଗେ ସଙ୍ଗେ ତା ପାଖକୁ ଦୈାଡିଯାଇ, ପ୍ରଥମ ଥର ଆଖିରେ ଆଖି ମିଶାଇ, ମୁହଁରେ ସ୍ମିତ ହସରଖି କହିଲା –

ମୋ ଆଖିରୁ କିଛି ବୁଝିପାରୁଛ

ବୁଝିଛି । ହେଲେ

ହେଲେ ପୁଣି କ’ଣ

ମୁଁ ମାଟି, ତମେ ଆକାଶ । ଆମ ଭିତରେ ଏହା କେମିତି ସମ୍ଭବ

ସମ୍ଭବ । କାରଣ ଶାମୁକା ଭିତରେ ବି ମୁକ୍ତା ଥାଏ

ହେଇପାରେ । କିନ୍ତୁ ତମେ ମୋତେ ଭୂଲିଯାଅ ପ୍ଲିଜ୍

        ତା’ର ଅନିଛାରେ ମାମୁନୀ ଦୀର୍ଘ ନିଶ୍ୱାସଟିଏ ନେଇ କୃଷ୍ନଚୁଡା ଗଛକୁ ଆଉଜି ଭାବୁଥାଏ – ଭଗବାନ୍ ଧନୀ ଦରଦ୍ର ସୃଷ୍ଟି କଲେ କାହିଁକି ? ମଣିଷ ମନରୁ ଏପରି ଭାବନା ଓ ଭେଦଭାବ କେବେ ଦୂର ହେବ କେଜାଣି ? ମୋ ବାପା ତ ପୁ’ଣି ଦୁଃଖକଷ୍ଟ ସହି ଆଜି ଜଣେ ବିଶିଷ୍ଟ ଶିଳ୍ପପତି । ତେବେ ମନୋଜ ଚାହିଁଲେ କାହିଁକି ହେଇପାରିବେନି

         ସମୟ ଗଡିଚାଲିଥାଏ । ଏକାନ୍ତରେ ବେଳେବେଳେ ମାମୁନୀର କଥା ସବୁ ଭାବିବସିଲେ, ମନୋଜ୍ ଆଖିରେ ଲୁହ ଆସେ । ସେ ମନକୁ ମନ କହେ – ଭଗବାନ୍ ମୋତେ ଗରିବ ଘରେ ଜନ୍ମ ଦେଲେ କାହିଁକି ? ପିଲାଟିଦିନୁ ଆଜି ପର୍ଯ୍ୟନ୍ତ ସୁଖ କ’ଣ ଜାଣିପାରିଲିନି । ମୋ ପାଇଁ ଘର ଡିହ ସବୁ ବନ୍ଧା ପଡିଛି । ଚାକିରି ହେବା ଦିନକୁ ବାପା ବୋଉ ଅଶ୍ରୁଳ ନୟନରେ ଚାହିଁ ବସିଛନ୍ତି । କ’ଣ କରିବି, କିଛି ଭାବିପାରୁନି ।

        ସଂଧ୍ୟା ସମୟ । ଭାରାକ୍ରାନ୍ତ ମନକୁ ଟିକେ ହାଲ୍‌କା କରିବା ପାଇଁ ପାକ୍‌ର୍ରେ ବସିଥାଏ ମନୋଜ୍ । କିଛି ସମୟ ପରେ ଗୋଟାସୁଦା ଝାଳ ଜୁଡୁବୁଡୁ ହୋଇ ମାମୁନୀ, ତା’ ପାଖରେ ପହଂଚି କହିଲା –

-କ’ଣ ଭାବୁଛ

-କିଛି ନାହିଁ

-ଶୁଣ । ଦୁଃଖ ପରେ ସୁଖ ଆସେ, ଲୁହ ପରେ ହସ । ମୋ ମନ କହୁଛି, ତମେ ନିଶ୍ଚୟ ଦିନେ ଓ.ଏ.ଏସ୍ ପାଇବ । ତା’ପରେ ମୋତେ ଭୂଲି ଯିବନି ତ ପ୍ଲିଜ୍ , କୁହନା

ସମୟ ଆସିଲେ କହିବି ।

        ସମ୍ପର୍କର କୁଟାଖିଅ ଭିତରେ ମନୋଜ୍‌ର ଭଲ ପାଇବା ବି ଧିରେ ଧିରେ ବଢୁଥିଲା ମାମୁନୀ ପ୍ରତି । ଦିନେ ନ ଦେଖିଲେ ବା ତା ସହ ଦୁଇ ପଦ କଥା ନ ହେଲେ, କେମିତି କେମିତି ଲାଗେ ତାକୁ । ସମୁଦ୍ର ବିନା ଶାମୁକାର ଅସ୍ତିତ୍ୱ ନଥିଲା ପରି, ସେ ପ୍ରତି ମୁହୁର୍ତରେ ଅନୁଭବ କରୁଥିଲା । ହେଲେ କୈାଣସି ବି ପରିସ୍ଥିତିରେ ତା ସହ ମାମୁନୀ ରାଜ ଉଆସରୁ ଆସି ଝୁପୁଡି ଘରେ ଦିନ କାଟି ପାରିବ ଦୁଃଖ ପଡିଲେ ହସି ହସି ସବୁ ଦୁଃଖକୁ କ’ଣ ନିଜର କରି ପାରିବ ଜୀବନରେ ନିଜକୁ କ’ଣ କେବେ ଭାବିବନି ଯେ, ସେ ଦିନେ ଧନୀ ଘରର ଝିଅ ଥିଲା ବୋଲି ? ଏମିତି ଅନେକ ପ୍ରଶ୍ନ ଭିତରେ ମନୋଜ୍ ଦିନକୁ ଦିନ ବୁଢୀଆଣି ସୂତାର ଜାଲରେ ଛନ୍ଦି ହୋଇ ଯାଉଥିଲା ପରି ତାକୁ ଲାଗେ ।

       ସେମିତି ଟଙ୍କାର ଦୁଇ ପାର୍ଶ୍ୱ ପରି ମାମୁନୀ ବି ମନୋଜ୍ ବିଷୟରେ କମ୍ ଚିନ୍ତା କରୁ ନଥିଲା । ତା’ର ଖାଇବା ପିଇବା ଠାରୁ ଆରମ୍ଭ କରି ପାଠପଢା ପର୍ଯ୍ୟନ୍ତ ସବୁଥିରେ ତୀକ୍ଷ୍ଣ ଦୃଷ୍ଟି ରଖୁଥିଲା ସେ ।

       ଦିନେ ମନୋରମ ସଂଧ୍ୟାରେ, ଦୁହେଁ ବେଳାଭୂମିରେ ବସି ସମୁଦ୍ରର ଦୃଶ୍ୟରାଶିକୁ ମନଭରି ଉପଭୋଗ କରୁଥିବାବେଳେ, ହଠାତ୍ ମନୋଜ୍‌ର ମଳିନ ମୁହଁ ଦେଖି, ମାମୁନୀ ସହି ନପାରି ମନ ଦୁଃଖରେ କହିଲା –

-କାହିଁକି ସଦାବେଳେ ଦୁଃଖ କରୁଛ ?

- କେବଳ ତୁମରି ପାଇଁ ।

-ବୁଝିପାରିଲିନି ।

-ତୁମ ବାପା କ’ଣ ଭବିଷ୍ୟତରେ ଆମ ସଂପର୍କକୁ ସ୍ୱୀକୃତି ଦେବେ ?

-ସେ କଥା ମୁଁ ବୁଝିବି । ଭଗବାନ୍ କରନ୍ତୁ, ତମେ ଆଗ ଓ.ଏ.ଏସ୍ ଟା ପାଇଯାଅ । ତା’ ପରେ ...

         ରାତି ଦି’ଟା । ବାର ଆଡୁ ବାର କଥା ଚିନ୍ତା କରି କରି ଆଖିରୁ ନିଦ ହଜିଯାଇଥିଲା ମନୋଜ୍‌ର । ଆଉ ମାତ୍ର କେତେ ଘଂଟା ସକାଳ ହେବାକୁ । ଓ.ଏ.ଏସ୍ ରେଜଲ୍ଟ ବାହାରିବ ।ଏହା ଭାବିବା ସହ ତା’ ବାପା, ବୋଉ ଓ ଭଉଣୀଙ୍କ ଶୁଖିଲା ମୁହଁ, ଘର ଡିହ ବନ୍ଧକ, ଭଉଣୀର ବାହାଘର, ମାମୁନୀ ସହ ସମ୍ପର୍କ ଇତ୍ୟାଦି ବିଷୟରେ ଭାବି ଭାବି ସେ କଂଟା ଦିଶୁଥିଲା ।

        ବଡିଭୋ’ରୁ ମାମୁନୀ, ଭୋଗ ଓ ଖବରକାଗଜଟା ଧରି, ଅତି ଖୁସିରେ ଦୈାଡି ଦୈାଡି ଆସି, ମେସ୍‌ରେ ପହଂଚି, ସଙ୍ଗେ ସଙ୍ଗେ ମନୋଜ୍‌କୁ ଅତି ଭାବବିହ୍ୱଳର ସହ ଆଲିଙ୍ଗନ କରି କହିଲା – “ଜାଣିଛନା, ତମେ ଓ.ଏ.ଏସ୍ ପରୀକ୍ଷାରେ ଟପର୍ ହେଇଛ । ଏଇ ଦେଖ, ଫ୍ରନ୍‌ଟ୍ ପେଜ୍‌ରେ ତୁମର କେମିତି ଫଟୋ ବାହାରିଛି । ସତରେ ମୁଁ ଆଜି ବହୁତ ଖୁସି ।” ମନୋଜ୍ ଖୁସିରେ ଭଗବାନ୍‌ଙ୍କୁ ଧନ୍ୟବାଦ ଦେଇ କହିଲା – “ଏସବୁ ମୋ ବାପା, ବୋଉ, ଭଉଣୀ ଓ ତୁମର ଭଲ ପାଇବା ଯୋଗୁଁ ସମ୍ଭବ ହେଇଛି । ଆଜିଠୁ ଦୁଃଖର ରାତି ସରିଗଲା ବୋଲି ଜାଣ । ଆଗ ପାଦୁକ ଦିଅ, ମୁଁ ଟିକେ ପାଇଦିଏ ।”

        ଲଘୁଚାପଜନିତ ପ୍ରବଳ ବର୍ଷା । ଦୁଇ ଦିନ ହେବ ଲାଗି ରହିଛି । ଅତି କଷ୍ଟେମଷ୍ଟେ ମାମୁନୀ ରିକ୍‌ସାରେ ଆସି ମନୋଜ୍‌ର କ୍ୱାର୍ଟର୍ ପାଖରେ ପହଂଚିଲାବେଳକୁ ସମ୍ପୂର୍ଣ୍ଣ ଭିଜିଯାଇଥାଏ । କଲିଂ ବେଲ୍ ଶବ୍ଦରେ ମନୋଜ୍ ଡୋର୍ ଖୋଲି ଦେଖେ ତ ଓଦା ଜୁଡୁବୁଡୁରେ ମାମୁନୀ ଯାକିଯୁକି ହୋଇ ଠିଆହୋଇଛି । ସେ ଖୁସିରେ ତାକୁ ଦୁଇ ହାତରେ ଭିତରକୁ ଟେକି ନେଇ ଆଟାଚିରେ ସାଇତି ରଖିଥିବା ଦାମୀ ଶାଢୀଟାକୁ ତା ହାତରେ ଦେଲାବେଳେ, ମାମୁନୀ ଟିକେ ଲାଜେଇଯାଇ କହିଲା –

-ଏଇଟା କ’ଣ ମୋ ପାଇଁ ?

-ବିଶ୍ୱାସ ହେଉନି ? ମୋ ପ୍ରଥମ ମାସର ସାଲାରିରେ ତୁମ ପାଇଁ ଏ ଉପହାର ।

-ଓକେ ବାବା । ଏଥର ବାହାରକୁ ଯାଅ । ମୁଁ ପିନ୍ଧୁଥିବାବେଳେ ତମେ ଆସି ଯେମିତି ଦୁଷ୍ଟାମି ନକର, ବୁଝିଲ ?

-ଭିଷଣ ଭୋକ ହେଲାଣି । ମୁଁ ତୁମକୁ ଡାଇନିଙ୍ଗ୍ ଟେବୁଲ୍‌ରେ ଅପେକ୍ଷା କରିଛି । ଯଲ୍‌ଦି ଆସ ।

         ମଧ୍ୟାହ୍ନ ଭୋଜନ ପରେ ବେଡ୍‌ରୁମ୍‌ରେ ଦୁହେଁ ଖୁବ୍ ପାଖାପାଖି ବସି ଗପସପ ହେଉଥିଲେ । ମନୋଜ୍ ଅତି ଭାବପ୍ରବଣ ହୋଇ ମାମୁନୀକୁ ନିଜର ପ୍ରଶସ୍ଥ ଛାତି ଉପରକୁ ଭିଡିଆଣି କହିଲା –

-ସତରେ ତମେ ମୋତେ ମ୍ୟାରେଜ୍ କରିବ ତ ?

-ଯଦି ବିଶ୍ୱାସ ହେଉନି, ତେବେ ଆଜି ଚାଲ କୋଟ୍‌ର୍ ମ୍ୟାରେଜ୍ କରିନେବା ।

-ଭଲ ହେବ । ସତ କଥା କହିବାକୁ ଗଲେ ମୁଁ ତୁମ ବିନା ବଂଚି ପାରିବିନି । ମୁଁ ତୁମକୁ ଚାହେଁ । ମୋ’ର କିଛି ଦରକାର ନାହିଁ । ସବୁ ଝିଅଙ୍କ ମନ ପରି ମୋତେ ବି ଭଲ ଜୀବନସାଥୀଟିଏ ଦରକାର ଥିଲା । ଆଉ ସେ ହେଉଛ ତମେ ।

-ତାହେଲେ ଯଲ୍‌ଦି ଚାଲ । ନୋହିଲେ କୋଟ୍‌ର୍ ବନ୍ଦ୍ ହେଇଯିବ ଯେ ।

         କୋର୍ଟ୍ ମ୍ୟାରେଜ୍ ପରେ ମାମୁନୀ ପାଠପଢା ବାହାନାରେ ମନୋଜ୍ ପାଖରେ ଅଧିକାଂଶ ସମୟ ରହୁଥିଲା । ପ୍ରତି ମାସରେ ଥରେ ଦୁଇ ଥର ଘରକୁ ଆସି, ବୁଲାବୁଲି କରି, ପୁ’ଣି ଚାଲିଯାଉଥିଲା । ପୂର୍ବ ଅପେକ୍ଷା ସେ ଏବେ ବହୁତ ସୁନ୍ଦର ଆଉ ଖୁସି ଥିଲାପରି ଲାଗୁଥିଲା । ଦିନେ ନିଜ ଘରର ଡ୍ରଇଙ୍ଗ୍ ରୁମ୍‌ରେ ମାମୁନୀ, ମନୋଜ୍ ସହ ଫୋନ୍‌ରେ ଚୁପ୍‌ଚୁପ୍ କଥା ହେଉଥିବା ସମୟରେ, ତା ମମି ସନ୍ଦେହ ଦୃଷ୍ଟିରେ ପାଖକୁ ଆସି ପଚାରିଲେ –

-ମନୋଜ୍ କିଏ ?

-ସେ ମୋ ହଜ୍‌ବ୍ୟାଣ୍ଡ୍ । ଏଇ ନିକଟରେ ଆମେ କୋଟ୍‌ର୍ ମ୍ୟାରେଜ୍ କରିସାରିଛୁ ।

-ବାହାଘର ମୁଣ୍ଡ ଉପରେ । ତୋ ବାପା ଜାଣିଲେ

-କ’ଣ ହେବ ? ରାଗରେ ଘରୁ ବାହାର କରିଦେବେ ।

-ବାହାଘର ଆଉ ୭ ଦିନ ରହିଲା । ଏକଥା ସେ ଯେତେବେଳେ

-ସେଦିନ ଭୟରେ ମୁଁ ତାଙ୍କୁ କିଛି କହିପାରି ନଥିଲି । କିନ୍ତୁ ସମୟ ଆସିଲେ ସେ ଆପେ ଆପେ ସବୁ ଜାଣିପାରିବେ ।

       ମଙ୍ଗନ ଦିନ ତା ବାପାଙ୍କ ଡରରେ ସେ କିଛି କହିପାରିନଥିଲା କାହାକୁ । ଏମିତିକି ନିଜ ମମିକୁ ବି । ଦୁଇ ନାଆରେ ଗୋଡ ଦେଲା ପରି ଏପଟେ ରାତି ପାହିଲେ ବାହାଘର ହେବାକୁ ସେପଟେ ୨/୩ମାସ ପୂର୍ବରୁ ସରିଯାଇଥିବା ତା’ର କୋର୍ଟ୍ ମ୍ୟାରେଜ୍ । କ’ଣ କରିବ, କିଛି ଭାବି ପାରୁନଥିଲା ବିଚାରି । ଶେଷରେ ଫୋନ୍ କରି ବାଧ୍ୟ ହୋଇ ମନୋଜ୍‌କୁ ସବୁ ସତ କଥା କହିଲା ।

       ବାହାଘର ଦିନ ମନୋଜ୍ କେତେ ଜଣ ପୋଲିସ୍ ଓ ଜଣେ ଆଡ୍‌ଭୋକେଟ୍‌ଙ୍କୁ ସାଥିରେ ନେଇ ପଟ୍ଟନାୟକ ବାବୁଙ୍କ ଘରେ ପହଂଚିଲା । ହଠାତ୍ ଏମାନଙ୍କୁ ଦେଖି ସମସ୍ତେ ଅବାକ୍ ହେଇଗଲେ । କିଛି ସମୟ ପରେ ପଟ୍ଟନାୟକ ବାବୁ ପହଂଚି, ଆଶ୍ଚର୍ଯ୍ୟ ହୋଇ କହିଲେ –

-କ’ଣ ହେଇଛି ? ଆପଣମାନେ କାହିଁକି ଆସିଛନ୍ତି ?

-ଆପଣଙ୍କ ଝିଅ ଏଇ ବାବୁଙ୍କ ସହ କୋର୍ଟ୍ ମ୍ୟାରେଜ୍ କରିଛି ।

-ମୋ ଝିଅ ଏମିତି କାମ କରିନପାରେ ।

-ତା’ହେଲେ ଝିଅକୁ ଡାକନ୍ତୁ ।

       ମାମୁନୀ ଆସିଲା । ସମସ୍ତଙ୍କ ସାମ୍‌ନାରେ ନିଜର କୋହକୁ ସମ୍ଭାଳି ନପାରି କାନ୍ଦି କାନ୍ଦି କହିଲା –“ ହଁ, ସବୁ ସତ । ବାପାଙ୍କୁ ଡରରେ ସେଦିନ ମୁଁ କିଛି କହିପାରି ନଥିଲି ।”

         ହଠାତ୍ ଝିଅ ମୁହଁରୁ ଏଭଳି କଥା ଶୁଣି ପଟ୍ଟନାୟକ ବାବୁଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ମୁଖମଣ୍ଡଳରୁ ହତାଶର ଚିହ୍ନ ସ୍ପଷ୍ଟ ଦିଶୁଥିଲାବେଳେ, ମନେ ମନେ ଭାବୁଥିଲେ – “ପୁଅଝିଅଙ୍କ ମୁଣ୍ଡକୁ ହାତ ପାଇଗଲା ପରେ ସେମାନେ ବାପମାଆଙ୍କ ସବୁ ଉପଦେଶ ଭୂଲି, ଭୂଲ୍ ରାସ୍ତାରେ ପାଦ ଥାପିବା ପୂର୍ବରୁ ମାତ୍ର ଥରୁଟିଏ ଚିନ୍ତା କରନ୍ତିନି କି, ଏହା ଦ୍ୱାରା ତାଙ୍କ ଜନ୍ମଦାତା / ଜନ୍ମଦାତ୍ରୀଙ୍କ ହୃଦୟରେ ଆଘାତ ଲାଗିବ କି ନାହିଁ ? କୋର୍ଟ୍ ମ୍ୟାରେଜ୍ କରିବା ପାପ ନୁହେଁ । କିନ୍ତୁ ଆଜିର ଦୁନିଆରେ କୋଟ୍‌ର୍ ମ୍ୟାରେଜ୍ କରି କେତେ ପ୍ରତିଶତ ସୁଖରେ ଅଛନ୍ତି ? କୋଟ୍‌ର୍ ମ୍ୟାରେଜ୍ ପରେ ଦୁହିଁଙ୍କ ମଧ୍ୟରେ କୈାଣସି କଥାକୁ ନେଇ ଆନ୍ତରିକ ବୁଝାମଣା ପରିବର୍ତେ ମନାନ୍ତର ସୃଷ୍ଟି ହେଲେ, ଗୋଟିଏ ଛାତ ତଳେ ଅଲଗା ଅଲଗା ରହିଲେ, ଡିଭର୍ସ୍ କିମ୍ବା ସୁଇସାଇଡ୍ କଲେ, ଶେଷରେ ଏହାକୁ ଦେଖି ବାପାମାଆମାନେ ଖୁସିରେ ରହି ପାରିବେ ତ ?”

      ମନୋଜ୍ ଓ ମାମୁନୀ ଦୁହେଁ ହାତ ଧରାଧରି ହୋଇ ଘରୁ ଗୋଡକାଢି ଯାଉଥିବାବେଳେ ପଛରୁ ପଟ୍ଟନାୟକ ବାବୁ, ବନ୍ଧୁବାନ୍ଧବ ଓ ପରିବାରବର୍ଗ ଏକ୍ ଲୟରେ ତଥା ଅଶ୍ରୁଳ ନୟନରେ ସେମିତି ଚାହିଁରହିଥିଲେ ।


Rate this content
Log in

More oriya story from Aminilu Ray

Similar oriya story from Romance