କୋଇଲି
କୋଇଲି
ସମୁଦ୍ର ଉପକୂଳ ଅଞ୍ଚଳରେ ବାସ କରୁଥିବା ଛୋଟ ପରିବାରର ଝିଅ କୋଇଲି । ଶୁଖୁଆ ଚାଷରେ ଗୁଜୁରାଣ ମେଣ୍ଟାଇ ପରିବାରକୁ ସୁରୁଖୁରୁରେ ଚଳାଉଥିଲେ ସେମାନେ । ସକାଳ ହେଲେ ବାପା ମାଆଙ୍କ ପରି କୋଇଲି ମଧ୍ୟ ମାଛ କାମରେ ଲାଗିଥାଏ । ଗୁଣରେ, କଥାରେ, ଆଚାର ବିଚାର ଚାଲିଚଳଣି ସବୁଥିରେ ସେ ଥିଲା ସକ୍ଷମ । କେବଳ ଯାହା କୋଇଲିର ରଙ୍ଗ ପରି ଦେହର ରଂଗ କଳା ମିସ ମିସ ଥାଏ ବୋଲି ନାଆଁ ପାଇଲା ସେମିତି ଆଉ ବୟସ ବଢିବା ପରେ ମଧ୍ୟ କଳା ଗୋରାର ଭେଦରେ ପେଶି ହୋଇ ସମସ୍ତଙ୍କ ନଜରରେ ନାପସନ୍ଦ ହୋଇ ପଡିରହିଲା ବାପାଙ୍କ ଘରେ ।
ଆଖ ପାଖ ସାଙ୍ଗ ସାଥି ସଭିଏଁ ହାତକୁ ଦି' ହାତ ହୋଇଯାଇଥାନ୍ତି । କିନ୍ତୁ କୋଇଲିର ବାହାଘର କୌଣସି ଠାରେ ମଧ୍ୟ ମଙ୍ଗୁ ନଥାଏ ବୋଲି କେତେ କେତେ ଟାହି ଟାପରା ଶୁଣି ମୁଣ୍ଡ ପୋତି ସହିବାକୁ ପଡୁଥାଏ । ହେଲେ କୋଇଲି ଭାରି ଦୃଢ ଝିଅ । ସେ କାହା କଥାକୁ ଖାତିର ନକରି ବେଶ ଖୁସିରେ ଜୀବନକୁ ଠାକୁରଙ୍କ ପାଦ ତଳେ ସମର୍ପି ବଂଚିରହିଥାଏ ।
ସବୁଦିନ ନହେଲେ ମଧ୍ୟ ମଝି ମଝିରେ ଶୁଖୁଆ ସାହି ବୁଲିବାକୁ କେତେ ଜଣ ଆସନ୍ତି । ସେଦିନ ମଧ୍ୟ କିଛି ଜଣ ବାବୁ ବୁଲିବାକୁ ଆସିଲେ । କୋଇଲି ଏକା ଥାଏ ଘରେ । ବାବୁ ମାନେ ଆସିବା ପରେ ସେ ଅନ୍ୟ ମାନଙ୍କୁ ବୁଲେଇ ଦେବା ପରି ସେମାନଙ୍କୁ ମଧ୍ୟ ସବୁ ଶୁଖୁଆ ଚାଷ ଦେଖାଇ ବୁଲେଇ ଆଣେ । ବୁଲାବୁଲି ସାରି ସେମାନେ ମଧ୍ୟ ଖୁବ୍ ଖୁସି ମନରେ ଫେରିଯାନ୍ତି ।
କିଛି ଦିନ ବିତିଯାଏ । ଦିନେ ସଞ୍ଜ ବେଳକୁ କୋଇଲି ଘରକୁ କିଛି ଜଣ ଆସି ପହଞ୍ଚିଯାନ୍ତି । କୋଇଲି ଠିକ୍ ଚିହ୍ନି ପାରେ ଯେ ସେମାନଙ୍କ ଭିତରୁ ଜଣେ ହେଉଛନ୍ତି ବୁଲିବାକୁ ଆସିଥିବା ବାବୁ । ସେ ମାଆକୁ କହେ ସବୁ । ମାଆ ଝିଅ ଏଇ ଭିତରର ରହସ୍ୟ ଭେଦ କରିପାରୁନଥାନ୍ତି । ସେମାନେ କିନ୍ତୁ ଘରେ ବସି ରହି ଅପେକ୍ଷା କରିଥାନ୍ତି କୋଇଲିର ବାପାଙ୍କ ଫେରିବା ପଥକୁ ।
ସମୟ ବିତେ । କାମ ସବୁ ସାରି କୋଇଲିର ବାପା ସବୁଦିନ ପରି ଫେରିବା ବେଳକୁ ଘରେ ଅତିଥି । ପୁଣି ସେମାନେ ଅଚିହ୍ନା । ତଥାପି ଅନାଦାରରେ କିଛି ହେଲେ ଅବହେଳା ନକରି ତାଙ୍କ ପାଖେ ବସି କଥା ହୁଅନ୍ତି । କିଛି ସମୟ ପରେ ସେଦିନ ଆସିଥିବା ସହରୀ ବାବୁ ତାଙ୍କ ଆସିବାର ଉଦ୍ଦେଶ୍ୟ ଖୋଲି କହିଲେ । ସେ ଲାଜ ଲାଜ ନୟନରେ କୋଇଲିର ହାତ ମାଗିଲେ ।
ଆଶ୍ଚର୍ଯ୍ୟର ବାତାବରଣରେ କୋଇଲି ସହ ବାପା ମାଆ ଘେରିଗଲେ । ହେଲେ ସହରୀ ବାବୁ ଜଣକ ସେମାନଙ୍କୁ ତାଙ୍କ ଅଭିଳାଷ କହିଦଇ ସମୟ ମଧ୍ୟ ଦେଲେ ଆରାମରେ କଥାଟିକୁ ବିଚାର କରିବାକୁ ।
ପାଖା ପାଖି ସାତ ଆଠ ମାସ ବିତିଗଲା । ଖୁସିରେ ସେମାନେ ମଧ୍ୟ ସହରୀ ବାବୁଙ୍କ ପ୍ରସ୍ତାବରେ ହଁ କହି ଧୁମ ଧାମରେ ବିବାହ କରାଇଲେ । ଅପେକ୍ଷାର ଦୀର୍ଘ ଥିଲା ହେଲେ କୋଇଲି ଜୀବନରେ ସଭିଙ୍କଠୁ ଅଧିକ ସୁନ୍ଦର, ସୁଯୋଗ୍ୟ ବରପାତ୍ତ ପାଇ ସୁଖରେ ରହିଲା ।