Satyabati Swain

Fantasy Thriller

3  

Satyabati Swain

Fantasy Thriller

କଞ୍ଚା ଡାହାଣୀ

କଞ୍ଚା ଡାହାଣୀ

4 mins
588


 ରିଶି ଦେଖିବାକୁ ରାଜା ଛୁଆ ପରି।ତକ୍ ତକ୍ ଗୋରା;

 ଗାବୁଲା ଗାବୁଲା ଗାଲ;ମାଟିଆ ଆଖି,ମୁଣ୍ଡରେ କଳା ମିଚି ମିଚି କେଶ ପୁଳାଏ।ବସେଇ ଦେଲେ ଶୋ କେସ୍ ର୍ କଣ୍ଢେଇ ପରି ଦିଶେ।ଯେ କେହି ରିଶିକୁ ଦେଖନ୍ତି;ଘଣ୍ଟାଏ

ତା ସଂଗେ ଲାଗନ୍ତି;ଖେଳନ୍ତି। ତା ଗୁଲୁରୁ ଗୁଲୁରୁ କଥା, ତୋଫା ଜହ୍ନ ପରି ହସ ସମସ୍ତଙ୍କୁ ଯାଦୁ କରିଦିଏ। ନକଲିଆ ଅଜା ଆଈ ମାନେ କୁହନ୍ତି "ହଇ ଲୋ ନିଶି କଣ ଖାଇ,କେଉଁ ମନ୍ତ୍ର ଫୁଙ୍କି ଏମିତି ସରଗର ଚାନ୍ଦଟିଏ ଜନ୍ମ କରିଛୁ!!"ଯାହା କହ ନିଶି ଘୁଷୁରି ପେଟରୁ ମାଣିକ ଜନ୍ମିଛି।ତୋର ନହକା ବେତ ଦେହ,ଶ୍ୟାମଳ ରଙ୍ଗ।ହେଲେ ଦେଖିଲୁ ବିଧାତା ତୋ କୋଳରେ କେମିତି ଦାଉ ଦାଉ ଜଳୁଥିବା ହୀରା ମୁଣ୍ଡାଟିଏ ଦେଇଛନ୍ତି।ତୋ କପାଳ ଲୋ ନିଶି"।


ମୋ ମା ସେମାନେ ଗଲା ପରେ ଥୁ ଥୁ ଥୁ କରି ତିନି ମେନ୍ଦା ଛିପ ପକାଇ ଦିଏ ରିଶି ଉପରେ।କୁହେ କି ଅଲକ୍ଷଣୀ ଗୁଡା।ମୋ ନାତି ଉପରେ ୟାଙ୍କ ଆଖି।ଫୁଟି ଯାଉ ନାହିଁ।ପର ପିଲାକୁ ଦେଖି ଏମିତି ଆଖି ପକାଉଛନ୍ତି।ସେଥି ପାଇଁ ରିଶି ମଥାରେ ଗୋଟେ ବଡ଼ କଳା ଠୋପା ଲଗାଇ ଦେଇଥାଏ।ବ୍ରାହ୍ମଣ ଘର ନନାଙ୍କ ଠାରୁ ପୁଳେ ଡ଼େଉଁରିଆ ମନ୍ତୁରି ଆଣି ବାନ୍ଧିଥାଏ ରିଶି ହାତରେ।ବେକରେ ଗୋଟେ ତାବିଜ। ମା ମୋର ରିଶିକୁ ଜଗିଥିବ ଗୋଡେ ଗୋଡେ।ବାହାରକୁ ଛାଡି ଦେବନି ଜମା।ଯଦି ରାତିରେ ଟିକେ କେଉଁ କାରଣରୁ କାନ୍ଦିଲା ରିଶି;ଗଲା ତ ବର୍ଷା ହେବ ମୋ ଉପରେ କେତେ କଣ।ମା ହେଲାଣି,ମାର ଦାୟିତ୍ୱ କଣ ଜାଣୁନି।ଏଣେ ତେଣେ ଛୁଆଟାକୁ ନେଇ ପୁରାଉଛି।ଦେଖୁଛୁ ତ କି ଡ଼ାହାଣା ଆଖି ଏ ଲୋକ ଗୁଡାଙ୍କର।ତୁଚ୍ଛାଟାରେ ମୋ ଛୁଆଟିକୁ ଆଖି ଦେଉଛନ୍ତି;ସେଥିରେ ପୁଣି ସଜବାଜ କରି ଖୁଡି, ମାଈ ଘର ହେଉଛି।ଦେଖିଲୁ ପିଲାଟା ମୋର କି ଖିନିମିନି ହୋଇ କାନ୍ଦୁଛି।କାହିଁକି ଏମିତି ହେଉଛୁ ଲୋ ନିଶି!!ପିଲାଳିଆମୀ ଜମା ଯାଉନି।ସମ୍ଭାଳେ ଏଥର।"


ବାସ୍!ସେଦିନ ରାତିରେ ଆଉ କାହାକୁ ଶୁଆଇ ଦେବନି ମା।ସେ ରମା ମା ଆସିଥିଲା।କଞ୍ଚା ଡାହାଣୀ ଟା।ଦେଖିଛି ମୋ ନାତିକୁ।ମଲା କି କୁଦୃଷ୍ଟି ପାଇଛନ୍ତି।ପର ଛୁଆ ଦେଖିଲେ ଆଖି ଗଳି ଯାଉଛି।ସେ ବଟ ସ୍ତ୍ରୀ ଟା ବି ଆସିଥିଲା।ସେଇଟା କେଉଁ କମ୍ କି ଷୋଳ କଳା ଡାହାଣୀ ଟି।କଞ୍ଚା ଖାଇଯିବ। ତଣ୍ଟି ପଡେ ରକ୍ତ ଶୋଷିବ।ଯେତେ କହିଲି ବାହାର ଲୋକେ କିଏ ଆସିଲେ ଛୁଆଟାକୁ ଘର ଭିତରକୁ ନେଇ ଯିବ, ହେଲା ନାହିଁ।ଏବେ ଭୋଗ...।


ଚଉରା ମୁଣ୍ଡରୁ ମାଟି ଆସି ରିଶି ମୁଣ୍ଡରେ ଲଗାହେବ।ସଜନା ପତରରେ ସାତ ଥର ଝଡା ହେବ।ସେ ପତର ନେଇ ବାହାରେ ଫିଙ୍ଗା ହେବ।ନାକରେ ଡହଣା ପତ୍ର ଆସି ଶୁଂଘା ହେବ।ଯଦି କାନ୍ଦ ବନ୍ଦ ନ ହେଲା ବ୍ରାହ୍ମଣ ଘର ନନାଙ୍କୁ ରାତି ଅଧରେ ଡାକି ଆଣି ଝଡା ଫୁଙ୍କା ହେବ।ନନା ବି ତଳେ ଗୋଲ ଗୋଲ ହାତ ମାରି,ଆଖି ବୁଜି କଣ ଗୁଣୁ ଗୁଣୁ ହେବେ, ମୁଣ୍ଡରୁ ଗୋଡ଼ ଯାଏ ହାତ ମାରି ତିନି ଥର ଫୁଙ୍କିବେ।କହିବେ କଞ୍ଚା ଡାହାଣୀଟି ଗ୍ରାସି ଥିଲା।ଝଡା ଫୁଙ୍କା ନ୍ କରି ଥିଲେ ବହୁତ ଅନିଷ୍ଠ କରି ଥାନ୍ତା।ଦାଢ଼ି ଭର୍ତ୍ତୀ ନିଶୁଆ ଭୟଙ୍କର ଦେଖା ଯାଉଥିବା ନନା ଙ୍କୁ ଦେଖି ରିଶି ଭୟରେ ଶୋଇ ପଡେ ଥିରି କିନା ମୋ ଛାତିରେ ମୁଁହଁ ଗୁଞ୍ଜି।


ମା ଗଡ଼ ଜିତିବା ପରି କହିବ ଦେଖିଲ "ମୁଁ କଣ କହୁଥିଲି କଞ୍ଚା ଡାହାଣୀ ଗୁଡା ମୋ ସୁନ୍ଦରିଆ ନାତିକୁ ଦେଖି କେମିତି ଗ୍ରାସି ଥିଲେ।ନନା ଝାଡ଼ି ଦେଉ ଦେଉ ଚୁଟ୍ କିନା ଶୋଇ ପଡିଲା!!"


ମୁଁ ଯେବେ ମୋ ପୁଅ ରିଶି କୁ ନେଇ ଘରକୁ ଯାଏ; ପ୍ରତି ଥର ଏମିତି ହୁଏ।ମା ପୁଅ ଦିହେଁ ବନ୍ଦୀ ହୋଇ ରହୁ।ଵିଶେଷ କରି ଦୁଇ ତିନି ବର୍ଷ ଯାଏ ଏମିତି ହେଉଥିଲା।।ଅହରହ କବାଟ ବନ୍ଦ।ସମସ୍ତଙ୍କ ମନରେ ଗୋଟେ ଅହେତୁକ ଭୟ।


ବେଶୀ " ଚନି"କୁ ଡର।ସେ କୁଆଡେ କଞ୍ଚା ଡାହାଣୀ ଟାଏ।ଗୋଟା ଗୋଟା ଛୁଆ ତଣ୍ଟି ମୋଡି ଖାଇଛି।ଆମ ଗାଁର ଅଧିକାଂଶ ଛୁଆ ରକ୍ତ ବାନ୍ତି କରି ମଲେ ଚନି ମାରିଛି ବୋଲି କୁହନ୍ତି।ସେ ନିଜେ ତାର ଦି ଟା ପିଲାଙ୍କୁ କୁଆଡେ ମାରି ଖାଇଛି।ରାତି ହେଲେ ସେ ଦଣ୍ଡାକୁ ଘୁଅ ଖାଇବାକୁ ଯାଏ।ସେତେବେଳେ ସେ ଉପରକୁ ଗୋଡ଼ କରି ହାତ ଭରା ଦେଇ ଲଙ୍ଗଳା ହୋଇ ଘୁଅ ଚାଟି ଚାଟି ଯାଏ।ଏହି ସମୟରେ ତା ହାବୁଡ଼େ ଯିଏ ପଡେ ତାକୁ ଖାଇବା ଥୟ।କେବଳ ଛୁଆ ନୁହେଁ ନୂଆ ହୋଇ ଆସିଥିବା ବୋହୁ ମାନଙ୍କୁ ବି ଲାଗେ।ସେମାନେ ଖାଲି ଗପନ୍ତି।ଡାହାଣୀ ଝଡେଇବା ଵାଲା ଆସନ୍ତି,ନୂଆ ବୋହୁଟିକୁ ବେତରେ ବାଡାନ୍ତି।ଦାନ୍ତରେ ପାଣି ଗରା ଧରି ସେ ଦଉଡ଼ି ଦଉଡ଼ି ବାଡ଼ି ଆଡକୁ ଯାଏ।ବାଡ଼ି ପଟେ ଵେହୋସ ହୋଇ ପଡେ।କାଟୁ ପାଣି ତା ମୁହଁରେ ଛଟା ଯାଏ।ତାପରେ ଡାହାଣୀ ଛାଡିଯାଏ।ଛୋଟ ବେଳେ ମୁଁ ଏ ସବୁ କେତେ ଥର ଦେଖିଛି।ମୋ ମନ କିନ୍ତୁ ମାନେନି।ବିଶ୍ୱାସ କରେନି ଏ ଅନ୍ଧ ବିଶ୍ୱାସ ଗୁଡା।କିନ୍ତୁ କାହିଁକି ଏପରି ହେଉଛି ତା ବି ବୁଝି ପାରେନି।


ଏବେ ମୁଁ ଛୋଟରୁ ବଡ଼ ହୋଇଛି।ପାଠଶାଠ ପଡିଛି।ଚାକିରି କରିଛି। ସବୁ ପିଲାଦିନ କଥା ଭୁଲି ବି ଯାଇଛି।କିନ୍ତୁ ଏଇ "କଞ୍ଚା ଡାହାଣୀ "କଥାଟା ମୋ ମନରୁ ଲିଭିନି।ପୁଣି ମୋ ପୁଅ ରିଶି କୁ ନେଇ ଆମ ଗାଁ କୁ ଗଲେ ମୋ ମା ବେଶୀ ଡ଼ରାଏ ଚନି କଥା କହି।ସେ ଏବେ ବୁଢ଼ୀ ହୋଇଗଲାଣି।କିନ୍ତୁ ତା ଡାହାଣୀ ନଜର କି ପ୍ରକୃତି ଯାଇନି କୁଆଡେ।ସବୁଠାରୁ ବଡ଼ କଥା ସେ ଗାଁ ମଝିରୁ ଉଠି ଆସି ଆମ ବାରି ପଛକୁ ଥିବା ତାଙ୍କ ବିଲରେ କୋଠା କରି ରହୁଛନ୍ତି।ସେଥିପାଇଁ ମୋ ମା ର ବେଶୀ ଭୟ।ରିଶିଟି ସତରେ ସେତିକି ସୁନ୍ଦର ହୋଇଛି।ଏଣୁ ଘରକୁ ଆସିବା କ୍ଷଣି ଆମ ଘର କବାଟ ବନ୍ଦ।ରିଶି ଠୁକୁ ଠୁକୁ ହୋଇ ଚାଳିଲାଣି।ମା ର ଏ ପାଇଁ ଭାରି ଭୟ।କାଳେ ଦାଣ୍ଡକୁ ଚାଲିଯିବ।


ସେଇ ଚନି ଭୟରେ ମା ମୋତେ ରିଶି ହେବା ଦିନୁ ଗାଁ କୁ ଯିବାକୁ ବାରଣ କରେ।ମୋତେ ରାଗ ଲାଗେ।ଟିକେ ଘରକୁ ଯାଆନ୍ତି।ଚାକିରି,ପିଲା ଓ ଶାଶୁଘର ଦାୟିତ୍ୱ ସମ୍ଭାଳି ସମ୍ଭାଳି ଅତିଷ୍ଠ ହୋଇ ପଡିଲେ ମନ କୁହେ ଟିକେ ଘରକୁ ଯାଆନ୍ତି।ମା ରିଶି କଥା ବୁଝାନ୍ତା।ନିମି ମୋ ସାଂ ଭଉଣୀ ରିଶିକୁ ଖୁଆଇ ପିଆଇ ଦିଅନ୍ତା।ମୁଁ ଟିକେ ନିଃଶ୍ବାସ ମାରନ୍ତି।କିନ୍ତୁ ନା କଞ୍ଚା ଡାହାଣୀ ଟା ଅଛି;ତୁ ଆସିବୁ!!!


ଏ ତ ଗୋଟିଏ ଯୁଗର କଥା।ଏବେ ରିଶି ବଡ଼ ହୋଇଗଲାଣି। ମୁଁ ବି ଦଶ କି ପନ୍ଦର ବର୍ଷ ହେବ ଗାଁ କୁ ଯାଇନି।ମୋର ବଦଳି ହୋଇଗଲା କୋରାପୁଟ ଦମନ ଯୋଡିକୁ ଯେବେ ଠାରୁ ଇଞ୍ଜିନିୟର ଭାବେ।ଏ ବର୍ଷ ରଜ ଛୁଟିରେ ମୁଁ ଗାଁ କୁ ଯାଇଥିଲି।ସମସ୍ତଙ୍କ କଥା ପଚାରିବା ଭିତରେ ଚନି କଥା ପଚାରିଲି।ମା କହିଲା ତୁ ବାହା ହେଲା ବେଳକୁ ଚନିକୁ ଚାଳିଶି ସେପଟ ବୟସ ହୋଇଥିଲା।ତୋତେ ଚାଳିଶି ବର୍ଷ ଟପିଲାଣି।ସେ କଣ ଆଉ ବଞ୍ଚିଥାନ୍ତା।ବିଚାରୀ!!


କାଇଁକି କ'ଣ ହେଲା କି ତା'ର???


କଞ୍ଚା ଡାହାଣୀ ବୋଲି ପୁଅ ବୋହୁ ତା ପାଖେ ରହିଲେ ନାହିଁ।ସ୍ୱାମୀ ସ୍ତ୍ରୀ ଦୁହେଁ ରହୁଥିଲେ।ହଠାତ୍ ତା ସ୍ୱାମୀ ବଣୁଧର ହୃଦ୍ଘାତରେ ଖାଇ ପିଇ ଶୋଇଛି ଯେ ଆଉ ଉଠିଲା ନାହିଁ।ଯିଏ ଯାହା କହନ୍ତୁ ପଛେ ଚନିକୁ ରାଣୀ ପରି ରଖିଥିଲା ବେଣୁ।ତାପର ଠାରୁ ଚନି ଦୁଃଖ କହିଲେ ନ ସରେ।ରାନ୍ଧିଲେ ଖାଇଲା,ନହେଲେ ନାହିଁ।ଆମକୁ କେବେ କେବେ ଡାକ ଛାଡେ କଣ ରାନ୍ଧିଛ ଦି ଟା ଦିଅ।ଭୋକରେ ମରିଯିବି।ସମସ୍ତେ ଡାହାଣୀ କୁହନ୍ତି ବୋଲି ସେ କାହା ଘର ଦୁଆର ମୁହଁକୁ ଯାଏ ନାହିଁ।ୟାକୁ ତାକୁ ନାଁ ଧରି ଡାକେ।ଲୋକେ ଦୟା କରି ଯିଏ ଯାହା ଦିଅନ୍ତି ଖାଏ।ଏମିତି କିଛି ଦିନ ପରେ କତରା ଲଗା ହୋଇଗଲା।ଆଉ ଉଠିଲା ନାହିଁ।ପୁଅ ବୋହୁ ଶୁଣିଲେ କିନ୍ତୁ ଆସିଲେ ନାହିଁ।କହିଲେ ଶେଷକୁ ତା ପାଖେ ଯିଏ ରହିବ ସେ କାଳେ ଡାହାଣୀ କଳା ତାକୁ ହିଁ ଦେଇଦେବ।ଏଇ ଭୟରେ ତା ଦୁଆର କେହି ମାଡିଲେ ନାହିଁ।ପଡି ପଡି ଶୁଖି ଶୁଖି ଶେଷରେ ତା ଜୀବନ ଗଲା।


ମା ଚୁପ୍ କି କହିଲା "ଆମ ଘରେ କେହି ଜାଣନ୍ତି ନାହିଁ ନିଶି,ମୋରି ହାତରୁ ପାଣି ପିଇ ସେ ମଲା।ହୁଏ ପଛେ ମୁଁ ଡାହାଣୀ ଆଖି ଆଗରେ କେମିତି କଲ୍ ବଲ ହୋଇ ଛାଡ଼ିଥାନ୍ତି ଗୋଟେ ନିଃସହାୟ ମଣିଷକୁ ମରିବାକୁ!!କେବେ ଶାଗୁ,କେବେ ହରଲିକିସ୍ ବିସ୍କୁଟ ପାଣି ତାକୁ ଦିନ ରାତି ଦିଏ।ଭାରି କଷ୍ଟରେ ମରିଛି କଞ୍ଚା ଡାହାଣୀ ଟା ଲୋ ନିଶି।


ଦୀର୍ଘଶ୍ଵାସଟିଏ ବାହାରି ଆସିଲା ମୋ ଭିତରୁ ଚନି କଥା ଶୁଣି।ମା କୁ କୁଣ୍ଢାଇ ପକାଇ କହିଲି ତୁ ଖୁବ୍ ପୁଣ୍ୟ କରିଛୁ ମା।ଏ ଡାହାଣୀ ଫାଆଣି କିଛି ନାହାନ୍ତି।ସବୁ ମନର ଭ୍ରମ।ଅନ୍ଧ ବିଶ୍ୱାସ।ତୁ ମୋ ସବୁଠାରୁ ଭଲ ମା।


ମା ଝିଅ ଦୁହେଁ କୁଣ୍ଢା କୁଣ୍ଢି ହୋଇ କଞ୍ଚା ଡାହାଣୀ ପାଇଁ ବାଢ଼ୁଥିଲୁ ଅନ୍ତର ତଳର ଗଭୀର ଶ୍ରଦ୍ଧାଞ୍ଜଳି।


Rate this content
Log in

Similar oriya story from Fantasy