କ’ଣ କଲା ସେ ...
କ’ଣ କଲା ସେ ...
ଅନାମ ଉପରେ ହେଉଥିଲା ଭିଷଣ ଗାଳି । ବ୍ରଜବାବୁ ରାଗରେ କ୍ରୋଧାନ୍ୱିତ ହୋଇ ଦାନ୍ତ କଡମଡ କରି କହୁଥିଲେ – “ଦେଖୁନ, ଆସି ଭେଣ୍ଡିଆଟା ହେଲାଣି, ଅଥଚ କାମଧନ୍ଦା କରିବାର ନାଁ ଧରୁନି କେମିତି ? ଖାଲିଟାରେ ବସି ବସି ବାପ ଅନ୍ନ ଧ୍ୱଂସ କରୁଛି । ନିହାତି ନିର୍ଲଜଟା । ଯେତେ କହିଲେ ବୋଇଲେ କୋଉଠି ପୁରଉଛି କେଜାଣି “? ତାଙ୍କ ପାଟିରୁ କଥା ସରିଛି କି ନାହିଁ, ବୀଣା ଦେବୀ ସଙ୍ଗେ ସଙ୍ଗେ ରକ୍ତ ଚାଉଳ ଚୋବାଇ, ରାଗରେ ଝାଡୁଟାକୁ ଟିକେ ସାମାନ୍ୟ ଦୂରକୁ ଫିଙ୍ଗି କହିଲେ- “ତମେ ଠିକ୍ କହିଛ । ଆଉ କେଇଟା ଦିନେ ହାତକୁ ଦି’ହାତ ହେବ, ଘର ସଂସାର କରିବ, ହେଲେ ସେକଥା କ’ଣ ତା’ର ଚିନ୍ତା ଅଛି ? ଖାଲି ଗେମ୍ଫା ମାରି ଛକରେ ଟହଲ ମାରୁଛି । ତାକୁ କହି କହି ମୁଁ ଥକ୍କି ପଡିଲିଣି । ନିହାତି କୁଳାଙ୍ଗାରଟା ଜନ୍ମ ହେଲା ମୋ ପେଟରୁ” । ସେ ବିରକ୍ତ ହୋଇ ବିଷର୍ଣ୍ଣ ବଦନରେ ରୋଷେଇ ଘରକୁ ଚାଲିଯିବା ପରେ ସାନ ଭଉଣୀ ରୀମା ଏଥିରୁ ବାଦ୍ ନପଡି ସଙ୍ଗେ ସଙ୍ଗେ ମୁହଁଟାକୁ ଲେଫଡାଇ ସମାଲୋଚନାପୂର୍ଣ୍ଣ ଭଙ୍ଗୀରେ କହିଲା – “ଇଏ କାଳେ ମୋତେ ବାହା ତୋଳା କରାଇ ଶାଶୁଘରକୁ ପଠାଇବ । ଟଙ୍କାଟାର ରୋଜଗାର କରିବା କ୍ଷମତା ନାହିଁ, ଫୁଟାଣି କାହିଁରେ କ’ଣ ? ୟା’ରି ସାଙ୍ଗର ପିଲାମାନେ ପଞ୍ଜାବ, ସୁରାଟ, ମୁମ୍ବାଇ ଯାଇ ଘରକୁ ହଜାର ହଜାର ଟଙ୍କା ପଠାଉଛନ୍ତି । ହେଲେ ଇଏ କୋଉ କୁଳର ନୁହେଁ ଲୋ ବୋଉ” । ବାରଣ୍ଡାରେ ଖୁଂଟଟା ପରି ସେ ଠିଆ ହୋଇ ଚୁପ୍ଚାପ୍ ସବୁ ଶୁଣୁଥିଲା । ନିଜକୁ ଖରାପ ଲାଗୁଥିଲେ ବି କିଛି କହିପାରୁ ନଥିଲା କାହାକୁ । ରୀତିମତ ଏଇ କଥା ଶୁଣି ଶୁଣି ତା’ର ଏସବୁ ଦେହସୁହା ହୋଇଯାଇଥିଲା ଯେମିତି ।
ଗାଁ’ରେ ଅନାମର ବେଶୀ ଫୁଟାଣି । ସେ କାହାକୁ ଖାତିର୍ କରେନି । ଗୁରୁ ଗୁରୁଜନଙ୍କ କଥାକୁ ହେୟଜ୍ଞାନ କରେ । ନିଜେ ଭୂଲ୍ କରିଥିଲେ ବି ମାନିବାକୁ ନାରାଜ୍ । ଗାଁ ଲୋକେ କ’ଣ, ଘର ଲୋକଙ୍କ କଥାକୁ ବି ଆଡେଇ ଦିଏ, ଶୁଣେନି । ପ୍ରତିଦିନ ସକାଳୁ ଉଠି ଗାଧୋଇପଡି, ପେଟେ ପଖାଳ ଠୁଙ୍କି ଦେଇ, ଚଇନି ଚିକ୍କଣ ହୋଇ, ଛକକୁ ବାହାରି ଯାଏ କେତେ ଜଣ ବାଳୁଙ୍ଗା ଟୋକାଙ୍କ ସହ ମିଶି ଖଟି କରିବାକୁ ।
ଶୀତ ଦିନ । ସଂଧ୍ୟା ସମୟ । ଅନାମ ବ୍ୟତୀତ ପରିବାରର ସମସ୍ତେ ଚୁଲି ପାଖରେ ବସି ନିଆଁ ପୋଇଁବା ସାଙ୍ଗକୁ ଚା’ ପିଉଥାନ୍ତି । । କିଛି ସମୟ ପରେ ବୀଣା ଦେବୀ ନିରସ ମନରେ ତାଙ୍କ ସ୍ୱାମୀଙ୍କୁ ଲକ୍ଷ୍ୟକରି କହିଲେ –
-ବୁଝିଲ, ତାକୁ ଆଉ ପାରି ହେବନି । ମୁଁ ଭାବୁଛି ହାତକୁ ଦି’ହାତ କରିଦେଲେ କାଳେ ସେ ସୁଧୁରି ଯିବ ? ନା’ କ’ଣ କହୁଛ ?
-ହଁ, ମୁଁ ବି ଠିକ୍ ସେଇଆ ଭାବୁଥିଲି । ହେଲେ ସେ ଏଥିରେ ରାଜି ହେବ ତ ?
-ସେକଥା ମୁଁ ବୁଝିବି । ତମେ ଆଗେ ପ୍ରସ୍ତାବ ଦେଖ ।
ତାଙ୍କ ଗାଁ ଠାରୁ କିଛି ଦୂରରେ ଅବସ୍ଥିତ ଆନନ୍ଦପୁର ଗ୍ରାମର ଶ୍ୟାମବନ୍ଧୁ ସାହୁଙ୍କ ସାନ ଝିଅ ଅନୀତା ସହିତ ଅନାମର ବିବାହ ବୈଦିକ ରୀତିରେ ସଂପନ୍ନ ହୁଏ । ମାଟ୍ରିକ୍ ପାସ୍ କରିଛି ସେ ଏଇ ତିନି ବର୍ଷ ହେବ । ଦେଖିବାକୁ ଗୋରୀ, ତନୁପାତେଳୀ ଆଉ ସୁନ୍ଦରୀ । ଚାଲିଚଳନ, ଆଚାର ବ୍ୟବହାର, ଅତିଥୀ ଚର୍ଚ୍ଚା, ପରୋପକାର ଇତ୍ୟାଦି କେଉଁଥିରେ ତାକୁ କେହି ବାରିବେନି । ବଡିଭୋ’ରୁ ସେ ନିତ୍ୟକର୍ମ ଶେଷ କରି ସାଧବ ବୋହୂଟିଏ ପରି ଲାଲ୍ ଟୁକୁଟୁକୁ ବେଶରେ, ଡ୍ରେସିଂ ମିରର୍ ସାମ୍ନାରେ ସିନ୍ଦୂର ପିନ୍ଧୁଥିବା ସମୟରେ ଆଈଶାଶୁ ଅତି ଶ୍ରଦ୍ଧାରେ ତା’ ପାଖରେ ବସି କହିଲେ –
-ମା’ରେ, ମୋ କଥା ଟିକେ ଶୁଣିବୁ ?
-ହଁ ଜେଜେମା’ କୁହ ।
-ଆମ ଅନାମ ବିଷୟରେ କହିବି । ବାଣୀ ତ ତୋ ଆଗରେ ସେ ଅକାଳକୁଷ୍ମାଣ୍ଡ କଥା ପୂର୍ବରୁ ସବୁ ବଖାଣିଥିବ । ହେଲେ ମୁଁ ଚାହେଁ ତୁ ତାକୁ ଟିକେ ବାଟକୁ ଆଣିବୁ । ସେ ପିଲାଟିଦିନୁ ଆମରିମାନଙ୍କ ଗେହ୍ଲା ଆଉ ଏଇ ଗାଁ’ର କେତେଟା ବେକାର ଟୋକାଙ୍କ ସହ ମିଶି ଅମଣିଷ ପାଲଟି ଯାଇଛି । ତଥାପି ତା’ର ଗୋଟେ ଭଲ ଗୁଣ, ସେ କେଉଁ ଝିଅ ବୋହୂଙ୍କୁ ଆଖି ଟେକି ଚାହେଁନି ।
-ସବୁ ଜାଣିଛି । ବୋଉ ମୋତେ ତାଙ୍କ ବିଷୟରେ ସବୁ କଥା କହିଛନ୍ତି ।
-ମୁଁ ତୋତେ ଆଶୀର୍ବାଦ କରୁଛି, ତୁ ହିଁ ପାରିବୁ । ଆଜି ରାତିରେ ତାକୁ କଅଁଳ କଥା କହି ସବୁ ବୁଝେଇ ଦେବୁ ।
ଜହ୍ନର ଶୀତଳ ଆଲୋକ ଚାରିଆଡେ ବିଛାଡି ହୋଇ ପଡିଲାଣି । ଆଜି ବାସର ରାତି । ଦୁଇଟି ଅଚିହ୍ନା ଦେହର ମିଳନ ତଥା ଅଭୂଲା ସ୍ମୃତି । ଯୌାବନର ମାଦକତା ମଧ୍ୟରେ ଦୁହେଁ ଦୁହିଁଙ୍କୁ ହଜାଇ ଦେବା ସହ ଜୀବନର ଚଲାପଥକୁ ସଠିକ୍ ରାସ୍ତାରେ ଆଗେଇ ନେବା ପାଇଁ ଦୃଢ ସଂକଳ୍ପର ମଧୁରାତି । ମନ ଭିତରେ ଅନେକ ସ୍ୱପ୍ନକୁ ଜାବୁଡି ଧରି କେତେବେଳୁ ତା ପ୍ରିୟତମର ପ୍ରତୀକ୍ଷାରେ ବସିଥାଏ ଅନୀତା । ଘରେ ସମସ୍ତେ ବ୍ୟସ୍ତ ହୋଇ ପଡିଲେଣି । ଲୁହ ଓ କୋହକୁ ହୃଦୟ ଭିତରେ ଚାପି ରଖି ସେ ମନେ ମନେ କେତେ କ’ଣ ସବୁ ଭାବିଚାଲିଥିବା ସମୟରେ ହଠାତ୍ ଅନାମ ଢଳି ଢଳି ଆସି ଭିତର ପଟୁ କବାଟ ବନ୍ଦ କରି ଅନୀତାକୁ ଟିକେ ସାମାନ୍ୟ ଚାହାଣୀରେ ଚାହିଁ ସ୍ମିତ ହସି କହିଲା-
-କାହିଁକି କାନ୍ଦୁଛ ? କ’ଣ ହେଇଛି ? ଶୋଇପଡ ।
-ମୋ ଆଖିକୁ ନିଦ ଆସୁନି ।
-ମାନେ ?
-କ’ଣ କିଛି ବୁଝି ପାରୁନ ? ପୁଣି ଆଜି ପରା ଦିନରେ ତମେ ମଦ ପିଇଛ ?
-ମୋ ପାଇଁ ସବୁ ସମାନ । ଆଜି କ’ଣ, କାଲି କ’ଣ ? ଓକେ, ଆଇ ଆମ୍ ସରି । ପ୍ଲିଜ୍ ଏଥର ଶୋଇପଡ ।
-ନା । ତମେ ମୋ ମୁଣ୍ଡ ଛୁଇଁ କୁହ, ଆଉ କେବେହେଲେ ମଦ ପିଇବନି । ସତ କହୁଛି ସେମିତି ହେଲେ ମୁଁ ଆମ ଘରକୁ ଚାଲିଯିବି । ତମେ ଆଉ ମୋତେ ଦେଖିବାକୁ ପାଇବନି ।
ତା’ର ଏଇ କେଇପଦ କଥାରେ ହଠାତ୍ ଅନାମର ନିଶାଟା ଧିରେ ଧିରେ ଖସିବାକୁ ଲାଗିଲା । ସେ ବିକଳରେ ଛୋଟ ପିଲାଟି ପରି ଲୁହ ଛଳଛଳ ଆଖିରେ ଅନୀତାକୁ କିଛି ସମୟ ଚାହିଁ, ମନକୁ ମନ କ’ଣ ସବୁ ଭାବି, ହଠାତ୍ ତାକୁ ଛାତି ଉପରକୁ ଭିଡିଆଣି, ତା ଗୋଲାପି ଓଠରେ ପ୍ରେମର ଚୁମାଟିଏ ଆଙ୍କିଦେଇ ନମ୍ରଭାବେ କହିଲା- “ଏହାକୁ ମୁଁ ଛାଡିପାରିବି । ହେଲେ ତୁମକୁ ଛାଡି ମୁଁ ବଂଚି ପାରିବିନି । ତମେ ହେଉଛ ଆମ ଘରର ଲକ୍ଷ୍ମୀ । ଆମ ପରିବାର ପାଇଁ ଇଜ୍ଜତ । ଯେତେ ଝଡଝଞ୍ଜା ଆସିଲେ ପଛେ ତମେ ଆମକୁ ଛାଡି କେବେ ଆଉ ଚାଲିଯିବା କଥା ତୁଣ୍ଡରେ ଧରିବନି, ବୁଝିଲ ?” ସେଦିନ ପ୍ରଥମ ଦେଖାରେ, ତା’ର ଏଇ କେଇପଦ ହୃଦୟସ୍ପର୍ଶୀ କଥାରେ ସେ ଆଶ୍ଚର୍ଯ୍ୟ ହେବା ସଙ୍ଗେ ସଙ୍ଗେ ଖୁସିରେ ଏହାକୁ ଜୀବନର ପ୍ରଥମ ଉପହାର ସ୍ୱରୂପ ଭାବି ମନେ ମନେ ଆତ୍ମସନ୍ତୋଷ ପାଇବା ସହ ତା’ର ବୁଦ୍ଧିକୁ ତାରିଫ୍ କରିଥିଲା ।
ପ୍ରତ୍ୟୁଷରୁ ଅନୀତା ସ୍ନାନ ସାରି ସମସ୍ତଙ୍କୁ ଚା’ ପରସିବା ପରେ ଖୁସିରେ ଗୋଟେ କପ୍ ଚା’ ନେଇ ଅନାମକୁ ବେଡ୍ ଉପରେ ହାତକୁ ବଢାଇ ଦେଉଥିଲାବେଳେ, ସେ ପ୍ରେମର ସରାଗରେ ତାକୁ ତା’ ଛାତି ଉପରକୁ ଭିଡିଆଣି କହିଲା- ସତରେ କ’ଣ ରାତି ପାହିଲାଣି ? ଉତରରେ ଅନୀତା ଟିକେ ଲାଜେଇଯାଇ କହିଲା- ଛାଡ ନା... । ତମେ ଭାରି ଦୁଷ୍ଟ ।
ଦିନକୁ ଦିନ ତା’ର ଭଲ ପାଇବା ବଢିଯାଇଥିଲା ଅନୀତା ପ୍ରତି । ତାକୁ ଛାଡି କୁଆଡେ ସେ ଯାଉନଥିଲା । ସାଙ୍ଗମାନେ ଫୋନ୍ କଲେ ରିସିଭ୍ କରୁନଥିଲା । କାମରେ ବ୍ୟସ୍ତ ଅଛି କହି ସେମାନଙ୍କ ସହ ମିଳାମିଶା ଓ କଥାବାର୍ତା ବନ୍ଦ କରିଦେଇଥିଲା ଧିରେ ଧିରେ । ଅନାମର ସ୍ୱଭାବ ସମୟକ୍ରମେ ପରିବର୍ତନ ହେଉଥିବାର ଜାଣି, ପରିବାରର ସମସ୍ତେ ନିଜକୁ ଖୁସି ଅନୁଭବ କରୁଥିବା ସହ ବୋହୂର ବୁଦ୍ଧିକୁ ଭୂରି ଭୂରି ପ୍ରଶଂସା କରୁଥିଲେ । ଅନୀତା ସଦାବେଳେ ତୀକ୍ଷ୍ଣ ଦୃଷ୍ଟି ରଖିଥିଲା ଅନାମ ଉପରେ । କୁଆଡେ ଗଲେ କ’ଣ କଲେ ସଦାବେଳେ ପଚାରି ବୁଝୁଥିଲା ସେ । ବାହାରେ ଅଧିକ ସମୟ ନ ରହିବା ତଥା ଖରାପ ସାଙ୍ଗମାନଙ୍କ ସହ ମିଳାମିଶା ନ କରିବାକୁ ସେ କାନେ କାନେ ବୁଝାଉଥିଲା ତାଙ୍କୁ ।
ରାତିରେ ଦୁହେଁ ଶୋଇବାକୁ ଯାଉଥିଲାବେଳେ ସେ ପ୍ରେମର ଚାହାଣୀରେ ଅନାମ କୋଳରେ ମଥା ରଖି ବୁଝେଇ କହିଲା-
-ଶୁଣ । ତମେ ତ ଦେଖୁଛ ବାପାଙ୍କ ଦେହପା’ ଆଉ ଭଲ ରହୁନି । ଏମିତି ବି ଏ ବୟସରେ ସେ କ’ଣ ଆଉ କାମଧନ୍ଦା କରିପାରିବେ ? ତା ଛଡା କାମ ନକଲେ ଆମେ ଖାଇବା କ’ଣ ? ବଂଚିବା କେମିତି ? ପୁଣି ଆଗକୁ ଆମର ଲମ୍ବା ଭବିଷ୍ୟତ ପଡିଛି । ବୁଝିପାରୁଛ ତ ?
-ତା ହେଲେ କ’ଣ କରିବି କୁହ ?
-ତମେ କାଲିଠାରୁ ବିଲବାଡି କଥା ବୁଝିବ । ବାପା ଆଉ କୁଆଡେ ଯିବେନି । ତୁମ ପରିଶ୍ରମରେ ବିଲରେ ସୁନା ଫଳିଲେ ପ୍ରଥମେ ବେଶୀ ଖୁସି ହେବି ମୁଁ । ଆମ ପେଟ କେବେ ବି ଉପାସ ରହିବନି । କ’ଣ କହୁଛ ?
-ଠିକ୍ ଅଛି । ତମେ ନିଶ୍ଚିନ୍ତ ରୁହ । ମୁଁ କାଲିଠାରୁ ସବୁ କଥା ବୁଝିବି । ଏଥର ତମେ ଖୁସି ତ ? ରାତି ଅନେକ ହେଲାଣି, ଶୋଇବା ଆସ ।
ସକାଳ ନ ହେଉଣୁ ଅନାମ ମୂଲିଆମାନଙ୍କ ସହ ମିଶି ବିଲରେ କାମ କରୁଥିବାର ବ୍ରଜବାବୁ ଟିକେ ଦୂରରୁ ଦେଖି, ଯଲ୍ଦି ଯଲ୍ଦି ଘରକୁ ଫେରିଆସି, ତାଙ୍କର ସୁନାନାକୀ ବୋହୂକୁ ପାଖକୁ ଡାକି ଖୁସିରେ ଗଦ୍ଗଦ୍ ହୋଇ କହିଲେ-
-ଗୋଟେ କଥା ଜାଣିଛୁ ମା’, ଆମ ଅନାମ ମୂଲିଆମାନଙ୍କ ସହ ବିଲରେ କାମ କରୁଥିବାର ମୁଁ ନିଜ ଆଖିରେ ପରା ଦେଖି ଆସିଲି । ମୁଁ ଆଜି ବହୁତ ଖୁସି । ଖୁସିରେ ମୋ ପାଦ ତଳେ ଲାଗୁନି ।
ଅନୀତା ସବୁ ଶୁଣି ଖୁସିରେ ଝରିପଡୁଥିବା ଲୁହକୁ ପଣତକାନିରେ ପୋଛି ସ୍ମିତ ହସି କହିଲା- ବାପା, ତମେ ଆଉ ବିଲକୁ ଯିବନି । ଆଜିଠାରୁ ବିଲବାଡି କଥା ସେ ସବୁ ବୁଝିବେ । ତମେ ଏଥର ବିଶ୍ରମ ନେବ । ଆସନ୍ତା ବର୍ଷ ଆମେ ରୀମାର ବାହାଘର ବଡ ଧୁମ୍ଧାମ୍ରେ କରିବା । ଧୋଇହୋଇ ବସ, ମୁଁ ଚା’ ଜଳଖିଆ ଆଣୁଛି ।
ଅନୀତାର ବୁଦ୍ଧି ଓ ଅନାମର ଅକ୍ଳାନ୍ତ ପରିଶ୍ରମ ବଳରେ କ୍ଷେତରେ ସୁନା ଫଳିଲା । ନିଜେ ଖୁସି ହେବା ସହ ପରିଶ୍ରମର ଅତୁଳନୀୟ ମୂଲ୍ୟ ହୃଦୟଙ୍ଗମ କଲା ସେ । ପ୍ରତ୍ୟେକ ସଫଳ ପୁରୁଷ ପଛରେ ହିଁ ନାରୀର ହାତ ଥାଏ, ଏହାକୁ ବୁଝିବାକୁ ତାକୁ ବେଶୀ ସମୟ ଲାଗିଲାନି । ସେବର୍ଷ ପ୍ରଚୁର ଧାନ ଅମଳ ସାଙ୍ଗକୁ ବାଡିରେ ଲଗାଯାଇଥିବା ପନିପରିବାରୁ ହଜାର ହଜାର ଟଙ୍କା ରୋଜଗାର ହେଲା । ରୀମାର ବିବାହରେ ଯୋଗଦେବାକୁ ଆସିଥିବା ଗାଁ ଲୋକେ, ସାହିପଡିଶା, ସାଙ୍ଗସାଥୀ, ବନ୍ଧୁବାନ୍ଧବ ସମସ୍ତେ ତା’ର ଏହି ଅଦ୍ଭୁତ ପରିବର୍ତନକୁ ଦେଖି ଖୁସିରେ ପରଷ୍ପର କୁହାକୁହି ହେଉଥିଲେ- କ’ଣ କଲା ସେ