କଲମରୁ କଲମ ପର୍ଯ୍ୟନ୍ତ
କଲମରୁ କଲମ ପର୍ଯ୍ୟନ୍ତ


ଶ୍ରବଣାର ବିଭାଘର ଆଉ ଦୁଇଦିନ ବାକିଥାଏ। ଶାଶୁଘରକୁ ଯିବାର ସବୁ ଜିନିଷ ଭଲଭାବରେ ପ୍ୟାକିଂ ହୋଇ ସାରିଥାଏ। ନିଜର ବ୍ୟବହାର୍ଯ୍ୟ ସମସ୍ତ ଜିନିଷ ନିଜର ସୁଟକେଶ୍ ରେ ସଜାଡି ରଖୁଥାଏ ଶ୍ରବଣା। ହଠାତ୍ ବ୍ୟସ୍ତ ହୋଇ ପଡିଲା କ'ଣ ଗୋଟେ ଜିନିଷ ନପାଇ। ଆଲମିରାର ସମସ୍ତ ଡ୍ରୟାର କୁ ବାହାରକୁ ଆଣି ତାଭିତରେ ଥିବା ପ୍ରତ୍ୟେକ ଜିନିଷକୁ ତନ୍ନତନ୍ନ କରି ଦେଖିବାକୁ ଲାଗିଲା ସେ। କିଛିକ୍ଷଣ ପରେ ଇପସିତ ପଦାର୍ଥଟି ପାଇଗଲା ପରି ମନେହେଲା ତାକୁ। ମୁଖମଣ୍ଡଳରୁ ଖୁସିର ଆଭା ଝଲସୁ ଥିଲା।
ଫାଉଣ୍ଟେନ ପେନଟି ଶ୍ରବଣାର ଖୁବ୍ ପ୍ରିୟ ଥିଲା। ସେ ସମୟରେ ଫାଉଣ୍ଟେନ ପେନ୍ ର ଏକ ସ୍ବତନ୍ତ୍ର ମର୍ଯ୍ୟାଦା ଥିଲା। କାଁ ଭାଁ କିଏ କେମିତି ଏଇ ପେନ ରଖୁଥିଲେ ଦାମୀ ହୋଇଥିବା କାରଣରୁ।
ଶ୍ରବଣା କିନ୍ତୁ ପେନ୍ ଟି ପାଇଥିଲା ପୁରସ୍କାର ବାବଦରେ। ପାଠପଢା ସହିତ ଡିବେଟ୍, ସାଧାରଣଜ୍ଞାନ ଓ ବକ୍ତୃତା ପ୍ରତିଯୋଗିତାରେ ନିଜର ଉଚ୍ଚକୋଟୀର ପ୍ରଦର୍ଶନ ଯୋଗୁଁ ଅନେକ କିଛି ଉପାଦେୟ ପୁସ୍ତକ ସହିତ ଏଇ ଫାଉଣ୍ଟେନ ପେନ୍ ଟି ପାଇଥିଲା ଶ୍ରବଣା ଗ୍ରାଜୁଏସନ୍ କରିବା ସମୟରେ। ଏଇ ପେନ୍ ଟି ତାପାଇଁ ଅଧିକରୁ ଅଧିକ କୃତିତ୍ବ ସାଉଁଟି ଥିଲା। ଏଇ ପେନ୍ ରେ ଲେଖି ସେ ଗାଜୁଏସନ୍ ରେ ତା କଲେଜରେ ଟପର ହୋଇଥିଲା। ଅବଶ୍ୟ କଠିନ ପରିଶ୍ରମ ଶ୍ରବଣାକୁ ହିଁ କରିବାକୁ ପଡିଥିଲା।
ଏଇ ପେନ୍ ଟି ଧରି ଯେତେବେଳେ ସେ ବସିଯାଏ,ଅନେକ କିଛି ସମାଜୋପଯୋଗୀ ଭାବନା ତା ମନରେ ଉଙ୍କିମାରେ ଆଉ ସେଇ ଭାବନା ମାନଙ୍କୁ ସେ ଶବ୍ଦରେ ରୂପ ଦେଇ ଥାଏ। ଏକ ସଫଳ ଲେଖିକା ଭାବେ ପ୍ରସିଦ୍ଧି ପାଇବାରେ ଏଇ ଫାଉଣ୍ଟେନ ପେନ ର ବହୁତ ବଡ ଅବଦାନ ରହିଥିଲା।
ବିବାହ ସୁରୁଖୁରୁରେ ଶେଷହେବାପରେ ବନ୍ଧୁ ପରିଜନଙ୍କ ଠାରୁ ବିଦାୟନେବାର ସମୟ ଉପନୀତ ହେଲା। କ୍ରନ୍ଦନର ରୋଳ ଭିତରେ କାର ଟି ନବବଧୂଟିକୁ ନେଇ ଗନ୍ତବ୍ୟସ୍ଥଳ ଦିଗକୁ ଆଗେଇବାକୁ ଲାଗିଲା।
ଶ୍ରବଣାର ମନରେ ଚାଲିଥିଲା ଏକ ଫେଣ୍ଟାଫେଣ୍ଟି ଭାବ। ପରିବାରକୁ ଛାଡିଆସିବାର ଦୁଃଖ ସହିତ ବୈବାହିକ ଜୀବନର ଅୟମାରମ୍ଭର ଏକ ପୁଲକ ବି ଥିଲା। ପତି ମଲ୍ହାର ଙ୍କ ହାତର ବେଷ୍ଟନୀ ତାକୁ ରୋମାଞ୍ଚିତ କରି ଦେଉଥିଲା। ଜୀବନର ନୂତନ ଅଧ୍ୟାୟର ଆରମ୍ଭ କରିବାର ଅସଂଖ୍ୟ ସ୍ବପ୍ନ ବୁଣି ଚାଲୁଥିଲା ସେ।
ପ୍ରାୟ ଚାରି ଘଣ୍ଟା ପରେ ଗାଡି ସ୍ବାମୀ ମଲ୍ହାର ଙ୍କ ତ୍ରିତଳ ବିଶିଷ୍ଟ ଭବ୍ୟ ପ୍ରାସାଦ ସମ୍ମୁଖରେ ପହଞ୍ଚିଗଲା। ଶଂଖ,ହୁଳହୁଳିର ନିନାଦରେ ସେହି ଆଖପାଖ ଅଞ୍ଚଳ ଦୁଲୁକି ଗଲା। ତାରି ଭିତରେ ନୂଆବୋହୁଟିକୁ ଘରଭିତରକୁ ସ୍ବାଗତ କରାଗଲା।
ଚତୁର୍ଥୀ ରାତି ପ୍ରତ୍ୟେକ ବିବାହିତ ଦମ୍ପତିଙ୍କ ପାଇଁ ପ୍ରତିକ୍ଷିତ ଏକ ମୁହୁର୍ତ୍ତ। କେବଳ ଦୈହିକ ପିପାସା ମେଣ୍ଟାଇବାର ଇଛା କମ ସଂଖ୍ୟକ ଦମ୍ପତିଙ୍କ ପାଖରେ ଦେଖାଯାଏ। ବିବାହର ପ୍ରକୃତ ମୂଲ୍ୟବୋଧର ପୁସ୍ତକର ପୃଷ୍ଠା ଲେଉଟାଇ କଥୋପକଥନ ଜରିଆରେ ପରଷ୍ପରର ପସନ୍ଦ ନାପସନ୍ଦ ବୁଝି ଦୁହେଁ ଦୁଇଜଣଙ୍କୁ ଭଲପାଇବାର ମଞ୍ଜିକୁ ସୁନ୍ଦରଭାବେ ରୋପଣ କରିବାର ମୁହୁର୍ତ୍ତ ଥାଏ ଚଉଠିରାତି। ସେଇ ରାତିରେ ଜଳୁଥିବା ଦୀପଟି ଦୁଇଟି ମନ,ଦୁଇଟି ଆତ୍ମା ଓ ଦୁଇଟି ଶରୀର ପର୍ଯ୍ୟାୟ କ୍ରମେ ଏକ ହେବାର ମୁକସାକ୍ଷୀ ହୋଇ ରହିଥାଏ।
ସୁସଜ୍ଜିତ କୋଠରୀଟି ରଜନୀଗନ୍ଧା ଫୁଲର ସୌରଭରେ ମହକୁଥାଏ। ହାଲକା ନୀଳ ରଙ୍ଗର ଆଲୁଅ ପୁରା କୋଠରୀଟିକୁ ଆଲୋକିତ କରି ରଖିଥାଏ। ଅତରର ମହମହ ବାସ୍ନା ସଙ୍ଗମର ବାର୍ତ୍ତା ବହନ କରୁଥାଏ। କୋଠରୀ ରେ ଜଗଜିତ୍ ସିଂ ଙ୍କର ଗଜଲ ଗୁଡିକ ଧୀମା ସ୍ବରରେ ବାଜି ଚାଲିଥାଏ। ଏସବୁ ଭିତରେ ଲାଲ ପାଟ ପରିଧାନ କରି ପଲଙ୍କର ଗୋଟିଏ କଡକୁ ବସିରହିଥିବା ଶ୍ରବଣା ନିଜର ଇପସିତ ପୁରୁଷର ଆଗମନକୁ ଅପେକ୍ଷା କରି ରହିଥାଏ।
ଶ୍ରବଣାର ଅପେକ୍ଷାର ଅବସାନ ଘଟାଇ କୋଠରୀରେ ପ୍ରବେଶ କଲେ ମଲ୍ହାର। ଦରଜା ବନ୍ଦ କରିବାକ୍ଷଣି ଶ୍ରବଣାର ହୃତସ୍ପନ୍ଦନ ଧୀରେ ଧୀରେ ବଢିବାକୁ ଲାଗିଲା। ଶ୍ରବଣା ପାଖକୁ ଆସି ତାକୁ ନିଜର ନିବିଡ ଆଶ୍ଲେଷରେ ଜଡାଇ ଧରିଲେ ମଲ୍ହାର। ତୃଷିତା ଧରଣୀ ବର୍ଷାବିନ୍ଦୁର ସ୍ପର୍ଶରେ ରୋମାଞ୍ଚିତ ହେବାର ଏକାପରି ଅନୁଭୂତି ମିଳୁଥିଲା ଶ୍ରବଣାକୁ। ମଲ୍ହାରଙ୍କ ବାହୁ ମଧ୍ୟରେ ବନ୍ଦୀ ହୋଇ ସବୁଦିନ ପାଇଁ ରହିଯିବାକୁ ଚାହୁଁଥିଲା ସେ। ଧୀରେ କରି ମଲ୍ହାରଙ୍କ ଓଠ ଚୁମିଦେଲା ଶ୍ରବଣାର କପାଳ ଓ ଗଣ୍ଡଦେଶ। ଲଜ୍ଜାବନତ ମୁଖରେ ଶ୍ରବଣା ନିଜକୁ କାମଦେବଙ୍କ ବାଣର ପ୍ରହାରରେ ଧୀରେ ଧୀରେ ଆଘାତ ପ୍ରାପ୍ତ ହେବାପାଇଁ ପ୍ରସ୍ତୁତ କରୁଥିଲା।
ମଲ୍ହାର ଶ୍ରବଣାର ଦୁଇହାତ ଧରି ତାକୁ ବାଲକୋନୀ ଦିଗକୁ ନେଇଗଲେ। ସେଠାରୁ ଆକାଶର ଚନ୍ଦ୍ରମା ପରିଷ୍କାର ଦେଖାଯାଉଥାଏ। ବାମ ହାତରେ ଶ୍ରବଣାର ଦୁଇଆଖିକୁ ବନ୍ଦ କରି ଡାହାଣ ହାତଟିରେ ଶ୍ରବଣାର ହାତକୁ ଏକ ଉପହାର ବଢାଇ ଦେଇ ତା ଆଖିରୁ ହାତ ଉଠାଇ ଆଣିଲେ। ଏଥର ମିଳନ ରଜନୀର ଉପହାର ଟିକୁ ଖୋଲି ଦେଖିବାକୁ ଶ୍ରବଣାକୁ କହିଲେ ସେ।
ସୁନ୍ଦର ଭାବେ ପ୍ୟାକ କରାଯାଇଥିବା ଉପହାରଟିକୁ ଖୋଲିବା ସଙ୍ଗେ ସଙ୍ଗେ ଶ୍ରବଣାର ଆଖି ସଜଳ ହୋଇଗଲା। ଏକ ଫାଉଣ୍ଟେନ ପେନ ଶ୍ରବଣା ହାତର ସ୍ପର୍ଶର ଅପେକ୍ଷାରେ ଥିଲା।