ABhimanyu Panda

Romance Tragedy

5.0  

ABhimanyu Panda

Romance Tragedy

କିଏ ପ୍ରେମିକ

କିଏ ପ୍ରେମିକ

8 mins
263


ସତରେ ଏ ଦୁନିଆରେ ସମ୍ପର୍କର ପରିଭାଷା ସମସ୍ତଙ୍କ ଲାଗି ଭିନ୍ନ ଭିନ୍ନ । ଏଇ ଯେମିତି ମୋ ସାଙ୍ଗ ରାଜୀବ (ରାଜୁ) ପାଇଁ ପ୍ରାୟ ଦୁଇମାସ ତଳେ ଗୋଟେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାରିଜଣ ପ୍ରାଣ ହରାଇଥିଲେ ଘଟଣା ସ୍ଥଳରେ । ଅଞ୍ଚଳବାସୀଙ୍କ ମନରୁ ସେ ଦୁର୍ଘଟଣାର ଭୟାବହତା ଲିଭି ଆସିଲାଣି । ସମ୍ପୃକ୍ତ ପରିବାର ବର୍ଗ ମଧ୍ୟ ନିୟତିର ଏ ନିଷ୍ଠୁର ସତ୍ୟକୁ ଗ୍ରହଣ କରି ଜୀବନ ଯାତ୍ରାରେ ଆଗକୁ ବଢ଼ିଗଲେଣି । କିନ୍ତୁ ମୋର ଅତି ପ୍ରିୟ ବନ୍ଧୁ ରାଜୀବ ସେଇ ଦୁର୍ଘଟଣା ପରେ ପରେ ମୃତ ପ୍ରାୟ । ପ୍ରାଣ ହରାଇଥିବା ଚାରିଜଣଙ୍କ ଭିତରେ ରଶ୍ମି ବୋଲି ଝିଅଟେ ଥିଲା ସାଙ୍ଗମାନଙ୍କ ସହ ପିକନିକ କରିବାକୁ ଯାଉଥିଲା । ସେଇ ରଶ୍ମିର ପ୍ରେମିକ ମୋ ବନ୍ଧୁ ରାଜୀବ ଯାହାକୁ ସେ ନିଜ ଜୀବନଠୁ ବି ବେଶି ପ୍ରେମ କରୁଥିଲା । ରଶ୍ମି ମଧ୍ୟ ଅନୁରୂପ ରାଜୀବକୁ ନିଜଠୁ ବେଶି ଭଲ ପାଉଥିଲା । ସମୟର ଇଚ୍ଛା ଆଉ କିଛି ଥିଲା । ଜଣେ ଏ ପାର୍ଥିବ ସଂସାରରୁ ବିଦାୟ ନେଇଥିଲା ତ ଆଉ ଜଣେ ଥାଇ କି ବି ନଥିଲା ପରି । ସାଙ୍ଗ ମୋର ପାଗଳ ପରି ଆଚରଣ କରୁଛି କାହା ସହ ବିଶେଷ କଥାବାର୍ତ୍ତା ବି ନାହିଁ ।ଏକା ଏକା ବୁଲୁଛି ଚାରିଆଡ଼େ । ନିଜେ ନିଜେ କଥା ହେଉଛି, ଲାଗୁଛି ଯେମିତି ରଶ୍ମି ତା ପାଖରେ ଅଛି । ପ୍ରତିଦିନ ସେ ଦୁର୍ଘଟଣା ସ୍ଥଳକୁ ଯିବା ଏକ ପ୍ରକାର ତାର ଜୀବନ ଚର୍ଯ୍ୟାରେ ସାମିଲ ହେଇ ଗଲାଣି । ଘଟଣା ଘଟିବା ପରେ ସାଙ୍ଗସାଥୀ, ପରିବାର ଲୋକ ଯେତେ ଯିଏ ବୁଝେଇଲେ ବି ରାଜୁ ଉପରେ ସେ ପ୍ରଭାବ ଶୁନ୍ୟ ।

ଦିନେ ମୁଁ ମୋ ପ୍ରିୟ ସାଙ୍ଗ ରାଜୁକୁ ଖୋଜିଖୋଜି ପହଞ୍ଚିଲି ସେଇ ଦୁର୍ଘଟଣା ସ୍ଥଳରେ । ଦୂରରୁ ଲକ୍ଷ୍ୟ କଲି ବନ୍ଧୁ ମୋର କାହା ସହ କଥା ହେଉଛି କେହି ତ ନଥିଲେ ! ସେଇ ରଶ୍ମି କଥା ଭାବୁଥିବ ଏଇଆ ଭାବି ମୁଁ ଚୁପଚାପ ବସିଗଲି ରାଜୁ ପାଖରେ ମୋର ଉପସ୍ଥିତି ଯେମିତି ତାକୁ ଯନ୍ତ୍ରଣା ଦାୟକ ଲାଗୁଥିଲା, ମତେ ଦେଖିବା ମାତ୍ରେ ସେ ଯିବାକୁ ବାହାରିବା ଦେଖି ମୁଁ କହିଲି ଆରେ କେତେଦିନ ହବ ତତେ ଦେଖିନି ଟିକେ ଦେଖିବାକୁ ଆସିଛି ତତେ ତୋ ରଶ୍ମିକୁ ମୁଁ ନେଇନି କି ତାର ଭାବନାକୁ ତୋ ଭିତରୁ ନବାକୁ ବି ଆସିନି । ରାଜୁ କିଛି ସମୟ ଭାବିଲା ପରେ ପୂର୍ବବତ୍ ସ୍ଥାଣୁ ହେଇଗଲା ସେଇ ଜାଗାରେ । ୟା'ଭିତରେ ପ୍ରାୟ ଅଧଘଣ୍ଟା ବିତି ଗଲାଣି । କଳା ଚିକ୍କଣ ସର୍ପିଳ ରାଜ ରାସ୍ତାରେ କେତେ ଯେ ଗାଡ଼ି ମୋଟର ଗୁରୁ ଗମ୍ଭୀର ଗର୍ଜ୍ଜନ କରି ଚାଲିଗଲେଣି ଆଉ ଚାଲିଯାଉଛନ୍ତି । ହେଲେ ଆମ ଦୁଇ ଜଣଙ୍କର ନୀରବତାର ଅନ୍ତଃ ନାହିଁ ! ମୁଁ ବି ସ୍ଥିର କରିପାରୁନି ଯାହା କହିବାକୁ ଆସିଥିଲି କେମିତି କହିବି ଆଉ କଉଠୁ ଆରମ୍ଭ କରିବି ? ବନ୍ଧୁର ଦୁଃଖ ଦେଖିଲା ପରେ ମୋର ବି ରଶ୍ମି କଥା ମନେ ପଡ଼ିଯାଉଛି । ରଶ୍ମିର ହସ ହସ ମୁହଁ ମୋ ଆଖିଆଗରେ ନାଚିଯାଉଥିଲା । ଦୁଃଖ ଶବ୍ଦର ଅର୍ଥ ତାର ଭାବଭଙ୍ଗୀ କୁ କେବେ ବି ସ୍ପର୍ଶ କରିପାରୁ ନଥିଲା । କେଡ଼େ ସୁନ୍ଦର ପିଲାଟି ନଥିଲା ସତେ ! ଝିଅଟେ ନୁହେଁ ଲକ୍ଷ୍ମୀ ପ୍ରତିମା ଥିଲା ରଶ୍ମି । ଏମିତି ରଶ୍ମି କଥା ଭାବୁଭାବୁ ରାଜୁ କହିଲା ।

ଜାଣିଛୁ ଦୁର୍ଘଟଣା ପରେ ମୋ ରଶ୍ମି ବଞ୍ଚିଥିଲା । ତା ଶରୀରରେ ଜୀବନ ଥିଲା ସେ ମତେ ହିଁ ଖୋଜୁଥିଲା । ତା ମୁହଁରେ ଖାଲି ମୋରି ନାଁ ଥିଲା । ରାଜା ରାଜା କହୁଥିଲା ଖାଲି । ଦେଖଣାହାରୀ ମାନେ ମୋ ରଶ୍ମିକୁ ଡାକ୍ତରଖାନା ପହଞ୍ଚାଇବା ପରିବର୍ତ୍ତେ ଫୋଟୋ ଉଠାଇବାରେ ବ୍ୟସ୍ତଥିଲେ । ଯଦି କେହିଟିକେ ତତ୍ପରତା ଦେଖାଇଥାନ୍ତେ ମୋ ରଶ୍ମି ଆଜି ମୋ ପାଖରେ ଥା'ନ୍ତା ।

ମୋ ସାଙ୍ଗର ଏଇ କେଇ ପଦ କଥାରେ ମୁଁ ରଶ୍ମିର ଭାବନାରୁ ଫେରି ମନରେ ସାମାନ୍ୟ ଆଶ୍ୱସ୍ତି ହେଲି । କାରଣ ମୋ ବନ୍ଧୁ ଏକଥାତ ସ୍ଵୀକାର କରୁଛି କି ରଶ୍ମି ଆଉ ଏ ଦୁନିଆରେ ନାହିଁ ।

ସେ ପିକନିକରୁ ଫେରିଲା ପରେ ତା ବାପା ଆମ ବାହାଘର କଥା ସ୍ଥିର କରିବାକୁ ଆମ ଘରକୁ ଆସିଥାନ୍ତେ । ତୁ ତ ଆମ ସମ୍ପର୍କ ବିଷୟରେ ସବୁ ଜାଣୁ ଆରମ୍ଭରୁ ଏବେ ଯାଏ । ରଶ୍ମି ପରି ଝିଅ କେବେ କାହାର କ୍ଷତି କରିଛି ? କାହା ମନରେ କେବେ ଦୁଃଖ ଦେଇଛି ତୁ କେବେ ତାର ଅସଭ୍ୟ ଆଚରଣ ଦେଖିଛୁ ? ଭଗବାନ କ’ଣ ପାଇଁ ଏତେ ନିଷ୍ଠୁର ହେଲେ ? ଘର ଲୋକତ ଏବେ ସ୍ଥିର କରିଥାନ୍ତେ ଆମ ବାହାଘର ଆମେ ତ ପାଞ୍ଚବର୍ଷ ପୂର୍ବରୁ ଉଭୟେ ଉଭୟଙ୍କୁ ବାହା ହେଇ ସାରିଥିଲୁ । ମୋ ଜୀବନରେ ଯାହାବି ସକାରାତ୍ମକ ପରିବର୍ତ୍ତନ ଆସିଛି କେବଳ ରଶ୍ମିର ଚେଷ୍ଟାରେ । ରାଜୁର କୋହ ଭରା କଣ୍ଠରୁ ଶବ୍ଦ ଅସ୍ପଷ୍ଟ ହେଉଥିଲେ ବି ମୁଁ ବୁଝୁଥିଲି ତା'ର ଭାବନାକୁ । ରାଜୁର କଥାରେ ମୁଁ ନିଜେ ମଧ୍ୟ ମୋ ଭାବନା ସହିତ ଯୁଦ୍ଧ ଚାଲୁରଖିଥାଏ । ରଶ୍ମି ମୋ ଜୀବନ ମୁଁ ତା' ବିନା ବଞ୍ଚିପାରିବି ନି । ରାଜୁର ଏଇ ଗୋଟିଏ କଥା ମତେ ବେଶୀ ବିଚଳିତ କରିଦେଲା । ତଥାପି ମୁଁ ନିରବ । ତୁ ଏଠିକି କ’ଣ ମୋ ଦୁଃଖକୁ ଉପଭୋଗ କରିବାକୁ ଆସିଛୁ । ଏମିତି ଚୁପଚାପ ବସିଛୁ, କିଛି କହୁନୁ ଯେ ରଶ୍ମି କହେ ତୁବି ମତେ ବୁଝିପାରୁ ତା ପରିବର୍ତ୍ତେ । ମୁଁ ଏବେ ବି ନିରୁତ୍ତର । କଣ କହିବି ?

ମୋ ରଶ୍ମି ମିଛ କହୁଥିଲା ମତେ ଅଧା ବାଟରେ ଛାଡ଼ି ଚାଲିଗଲା, କେବଳ ତାକୁ ଝୁରିବା ପାଇଁ । ମୁଁ ମନାକଲା ସତ୍ୱେ ମତେ ବାଧ୍ୟ କରି ମୋ ହାତରୁ ସିନ୍ଦୁର ପିନ୍ଧିଥିଲା ତା ମଥାରେ । ପ୍ରତିଶୃତି ଦେଇଥିଲା ସାରା ଜୀବନ ମୋ ସାଥିରେ ରହିବ ବୋଲି । କେତେ ବଡ଼ ଛଳନା ! ତୁ ବି ସେଇଆ କଣ ଆଉ କେତେ ବୁଝିଛୁ ମତେ । ମୋର କାହାରି ଆବଶ୍ୟକତା ନାହିଁ ।

ରାଜୁ କଥା ସମ୍ପୂର୍ଣ୍ଣ ହେବା ଆଗରୁ ମୁଁ କହିଲି ତୁ ଯାହାବି କହୁଛୁ ସବୁ ସତ । କିନ୍ତୁ ମୋର ଗୋଟେ ସନ୍ଦେହ ଅଛି ତୁ ସତରେ ରଶ୍ମିକୁ ତୋ ଜୀବନଠୁ ବେଶୀ ଭଲ ପାଉଥିଲୁ ? ପଚାରିଲି ଏଇଥିପାଇଁ ମରିବାର ଥିଲେ ରାଜୁ ଦୁଇ ମାସ ହେବ ମରିସାରନ୍ତାଣୀ, ପୁରୁଷ ସତୀ ହେଇ ଉଦାହରଣ ପାଲଟି ଯାଇଥାନ୍ତା । ଏଯାଏଁ ବଞ୍ଚିଛି ! ଦୁଃଖୀ ନିଶ୍ଚିନ୍ତ ଅଛି ।

ମୋର ଏଇ ଗୋଟିଏ ପ୍ରଶ୍ନରେ ରାଜୁ ଆଉ ନିଜକୁ ସମ୍ଭାଳି ପାରିଲାନି ଗତ ଦୁଇ ମାସ ହେବ ଶ୍ରାବଣ ତ ତା ଆଖିକୁ ନିଜ ଅକ୍ତିଆରକୁ ନେଇ ସାରିଛି ଯାହା ଉଗ୍ରରୂପ ଧରି ବର୍ଷି ଚାଲିଲା ରାଜୁର ଆଖିରୁ ଭାବର ସ୍ରୋତଟା ସବୁ ସ୍ରୋତ ଠାରୁ ପ୍ରଖର ଯେଉଁଠି ଶ୍ରାବଣ ବି ହାର ମାନିଯାଏ । ଏଠି ରାଜୁର ଭାବପ୍ରବଣତା ମତେ ବି କିଛି କିଛି ବିଚଳିତ କରୁଥାଏ ।

ଦେଖ ଭାଇ ତୁ କାନ୍ଦିବା ବନ୍ଦ କରି ମୋ ପ୍ରଶ୍ନର ଉତ୍ତର ଦେ ତୋର ଭାବପ୍ରବଣତା ଏବେ ଲୋକମାନଙ୍କ ମନରେ ସମ୍ବେଦନା ସୃଷ୍ଟି କରୁନି । ମୁଁ ମାନୁଛି ରଶ୍ମି ରୂପରେ ନୁହେଁ ଗୁଣରେ ମଧ୍ୟ ବେସ ଭଲ ଝିଅଟିଏ ଥିଲା । ହେଲେ ତୋ ପ୍ରେମଟା ଏମିତି କଣ ଅଲଗା ଥିଲା ଯେ ଅନ୍ୟ ପ୍ରେମୀ ଯୁଗଳଙ୍କ ତୁଳନାରେ ?

ତୁ କଣ କହିବାକୁ ଚାହୁଁଛୁ ? ତୋ'ର ତ ଅନେକ ପ୍ରେମିକା ,ତୁ ସିନା ହୃଦୟରୁ କାହାକୁ ଭଲ ପାଇଥିଲେ ପ୍ରେମର ମାନେ ବୁଝିଥାନ୍ତୁ । ରାଜୁ ସାମାନ୍ୟ ରାଗିଯାଇ ମତେ ପଚାରିଲା ,। ତାର ରାଗ ମତେ ଖୁସି ଦେଉଥିଲା କାରଣ ମୋ ସାଙ୍ଗର ଭାବନା ମରିନି ଏ ଯାଏଁ ।

ତୁ ଠିକ କହୁଛୁ ରାଜୁ । ଆଜି କାଲିର ପ୍ରେମ ବିଷୟରେ ମୋର ସେତେଟା ଧାରଣା ନାହିଁ । ନା ମୁଁ କାହାକୁ ବୁଝିବାକୁ ଚେଷ୍ଟା କରେ ନା ନିଜକୁ କାହା ପାଖରେ ଏତେ ସରଳ ରଖେ କି କେହି ଯେମିତି ସହଜରେ ବୁଝିବ ମତେ । ତେଣୁ ମୁଁ କାହାପାଇଁ ଦୁଃଖୀ ନୁହେଁ କି କେହି ମୋ ପାଇଁ ବି ଦୁଃଖୀ ନୁହନ୍ତି । ଏବେ ପ୍ରେମ କିନ୍ତୁ ବିଭିନ୍ନ ପ୍ରକାରର ହେଇ ଗଲାଣି । ଉତ୍ସୁକ ବଶତଃ ରାଜୁ ପଚାରିଲା କେମିତି ?

ଦେଖ ଭାଇ ଏ ଖାଲି ମୋର ମତ । କିନ୍ତୁ ପ୍ରେମ ଶବ୍ଦଟା ଏତେ ଗଭୀର ଯେ ବ୍ରହ୍ମା , ମହେଶ ଆଉ ସ୍ୱୟଂ ବିଷ୍ଣୁ ମଧ୍ୟ ତାର ଗଭୀରତା ମାପିବାରେ ଅସଫଳ ହେଇଛନ୍ତି । ଆଜି କାଲିର ପ୍ରେମରେ ପ୍ରଥମେ (ଗୋବର ଛତୁ ପ୍ରେମ ) ପ୍ରଜାତିର ପ୍ରେମି ଯୁଗଳ ଆସନ୍ତି । ଏପରି ଯୋଡ଼ି ଏବେ ଚାରି ଆଡ଼େ ସହଜ ସୁଲ୍ଲଭ ସିନେମା ହଲ, ପାର୍କ, ତୋଟା ସବୁଆଡ଼େ । ଏମାନଙ୍କ ପାଖରେ ଗୋଟେ ନିଆରା ଗୁଣ ଥାଏ, ଯଦି ରାତି ଅଧରେ ଏମାନଙ୍କର ପ୍ରେମ ବିଚ୍ଛେଦ ହୁଏ ସକାଳ ସୁଧା ଉଭୟ ପକ୍ଷ ନିଜପାଇଁ ନୂଆ ଯୋଡ଼ି ଦାରର ବ୍ୟବସ୍ଥା ଅତି ସହଜରେ କରିଦିଅନ୍ତି । ଏଇମାନଙ୍କ ଯୋଗୁଁ ଏବେ ପ୍ରତିଦିନ ମହିଷାସୁର ବଧ ହେଉଛି ଆଉ ହଜାର ହଜାର ଦ୍ରୌପଦୀଙ୍କର ବସ୍ତ୍ରହରଣରେ କେବଳ ଏଇମାନଙ୍କର ହାତ । ଯେମିତି ଗୋବର ବିନା ଛତୁ ବଞ୍ଚିବା ଅସମ୍ଭବ ସେମିତି ଗୋବର ବି ଛତୁକୁ ହରାଇ ନିଜକୁ ମୁକୁଟ ବିହୀନ ଆଉ ଶ୍ରୀହୀନ ମନେକରେ । ଏଠି କେବଳ କାମ ବାସନା ହିଁ ମୂଳ । ପୂର୍ବେ ଏମାନଙ୍କ ଲାଗି କିଛି ବୟସର ସୀମା ଥିଲା ଏବେ କିନ୍ତୁ ସବୁ ବୟସର ପ୍ରେମୀ ଏଭଳି ପ୍ରେମରେ ଦେଖାଯାଉଛନ୍ତି । ପ୍ରେମ ଶବ୍ଦଟାକୁ ଏମାନେ ପୁରା କଳଙ୍କିତ କରିଦେଲେ ।

ତା'ପରେ (ଚାନ୍ଦକଇଁ ) ପ୍ରଜାତିର ପ୍ରେମିକ । ଏ ପ୍ରକାରର ପ୍ରେମୀ ଏବେ ଲୁପ୍ତ ପ୍ରାୟ । ଏମାନଙ୍କ ଲକ୍ଷ୍ୟ ଧାର୍ଯ୍ୟ । ଜଣେ ଆଉ ଜଣଙ୍କର ସାନିଧ୍ୟର ଲକ୍ଷ୍ୟ । ଏଭଳି ପ୍ରେମରେ କାମନା ଅଛି କିନ୍ତୁ ତାହା ମୁଖ୍ୟ ନୁହେଁ । ଯେମିତି କେଦାରଗୌରୀ, ଲେଲା ମଜନୁ, ହୀରରାଞ୍ଝା ଆହୁରି ଅନେକ । ଏମାନେ ଗଳ୍ପ, ପ୍ରବନ୍ଧ ଉପାଖ୍ୟାନ ଆଦିରେ ଅମର । ତୁ ଏ ଦୁଇଟି ଶ୍ରେଣୀ ଅନ୍ତର୍ଭୁକ୍ତ ପ୍ରେମିକ । ତୋ'ପାଖରେ ଆଉ କି ପ୍ରକାର ସବୁ ଅଛି ? ରାଜୁ ପୁଣି ପଚାରିଲା ।

ମୋ ହିସାବରେ ତୃତୀୟରେ (ଖଡ଼ି ସିଲଟ)ପ୍ରେମ । ଏ ପ୍ରକାରର ପ୍ରେମଟା ସମସ୍ତଙ୍କୁ ବୁଝାପଡେନି । ଏଭଳି ପ୍ରେମିକ ସୀମିତ ଆଉ ନିଜକୁ ସମାଜ ଠାରୁ ଲୁଚେଇ ରଖନ୍ତି । ଏଇମାନେ ହିଁ ପ୍ରେମ ଶବ୍ଦକୁ ପ୍ରକୃତରେ ସାର୍ଥକ କରିଛନ୍ତି । ଆଜିର ଅତିଆଧୁନିକ ସମାଜ ଏ ପ୍ରକାରର ପ୍ରେମର ଅର୍ଥକୁ କଦର୍ଥ କରିସାରିଲେଣି । ଏ ପ୍ରକାର ପ୍ରେମରେ ମିଳନ,ବିଚ୍ଛେଦ,ତ୍ୟାଗ, ଜୀବନ ସବୁ ଅଛି, ହେଲେ ଏମାନଙ୍କୁ ମରଣ ସ୍ପର୍ଶ କରେନି । କାରଣ ଏହି ଶ୍ରେଣୀର ପ୍ରେମୀ ମାନେ ପୂର୍ଣ୍ଣ କାମନା ଆଉ ବାସନା ରହିତ । ଏ ପ୍ରକାରର ପ୍ରେମ କେବେ ମରେନି । ଏ ପ୍ରକାରର ପ୍ରେମକୁ ନିଜ ଭିତରେ ବଞ୍ଚୁଥିବା ପ୍ରେମୀମାନେ ଅମର ହେଇଯାନ୍ତି । ଏ ପ୍ରେମ ଆତ୍ମିକ । ଏହି ଶ୍ରେଣୀର ପ୍ରେମରେ ମୁଁ ରାଧାକୃଷ୍ଣ ଆଉ ଗୋପୀ ମାନଙ୍କ ପ୍ରେମକୁ ରଖିଛି । ଏମାନେ କେହି କାହାଠୁ ଅଲଗା ନୁହଁନ୍ତି । ଜଣଙ୍କ ବିନା ଅନ୍ୟ ଜଣଙ୍କର ଉପସ୍ଥିତି ବି ଅସମ୍ଭବ ଏଠି ଅକ୍ଷର ରୂପୀ ଗୋପୀମାନଙ୍କର ସାଧାନ ସ୍ୱରୂପ ହେଉଛନ୍ତି ରାଧାକୃଷ୍ଣ । ଏଠି କୃଷ୍ଣ ସମସ୍ତଙ୍କର । ସମସ୍ତେ କୃଷ୍ଣକୁ ପ୍ରେମ କରନ୍ତି କୃଷ୍ଣ ବି କାହାକୁ ନିରାଶ ନ କରି ସମସ୍ତଙ୍କ ପାଇଁ ଏକ ଏକ । ରାଧା କିନ୍ତୁ ସ୍ୱତନ୍ତ୍ର କେବଳ କୃଷ୍ଣପାଇଁ । ଯେଉଁମାନେ ପ୍ରକୃତ ପ୍ରେମୀ ସେମାନେ ଉଭୟଙ୍କୁ ଅଭିନ୍ନ ଦେଖନ୍ତି । ନିଜକୁ ସେମାନଙ୍କ ଭିତରେ ଦେଖନ୍ତି । ଖଡ଼ି ସିଲଟର ବ୍ୟବହାର ଆଉ ଅକ୍ଷରରୁ ସୃଷ୍ଟ ଶବ୍ଦ ଯେମିତି ଅସୀମ ଏମାନଙ୍କର ପ୍ରେମରେ ମଧ୍ୟ କୌଣସି ସୀମା ନଥାଏ । ଏଭଳି ପ୍ରେମିକ ପୁରା ଲଜ୍ଜା ରହିତ । ଅନ୍ୟର ଟୀକା ଟିପ୍ପଣୀ ପ୍ରତି ଏମାନେ ପ୍ରତିକ୍ରିୟା ଶୁନ୍ୟ । ଏଠି ପ୍ରତ୍ୟେକଙ୍କର ଶୈଳୀ ନିଆରା ଭାବ ବି ଅଲଗା । କିନ୍ତୁ ଲକ୍ଷ୍ୟ ଗୋଟିଏ ରାଧାକୃଷ୍ଣ ରୂପୀ ଖଡ଼ି ସିଲଟରେ ନିଜକୁ ଆବିଷ୍କାର କରିବା । ତୁ ମୋ ମୁଣ୍ଡ ଖରାପ କରିସାରିଲୁଣି ଆଉ କ’ଣ ଅଛି କହ ? ରାଜୁ ପୁଣି ପଚାରିଲା ?

ଚତୁର୍ଥଟି (ବଟ ପଥିକ) ପ୍ରେମ । ଏ ପ୍ରକାର ପ୍ରେମରେ ଜଣଙ୍କର ଅନ୍ୟ ଜଣଙ୍କ ପ୍ରତି କେବଳ ତ୍ୟାଗ, ସହନଶୀଳତା, ଆଉ କ୍ଷମା କରିବାର ଭାବ ଥାଏ । ଯେମିତି ଜଣେ ପଥିକ ନିଜର ପଥକ୍ଲାନ୍ତି ଦୂର କରିବାପାଇଁ ବୃକ୍ଷ ଛାୟାର ଆଶ୍ରୟ ନିଏ । ପଥିକଟି ନା ସେ ଗଛ ଲଗାଇଥିଲା ନା କେବେ ସେ ଗଛ ମୂଳରେ ପାଣିଦେଇଥିଲା । ପଥିକଟି ଗଛର ଶୀତଳ ଛାୟାରେ ଆନନ୍ଦିତ ହେଇ ସେଇ ଗଛଟିକୁ ଭଲପାଇଲା । ଠିକ ସେମିତି ଆମ ମା' ବାପାଙ୍କ ଭଲପାଇବା । ସେମାନେ ବୃକ୍ଷ ସଦୃଶ ନିଜର ସ୍ୱାର୍ଥ ସାଧନ ଲାଗି ଆମେ ତାଙ୍କୁ ଭଲ ପାଉ । ସେମାନଙ୍କର ପ୍ରେମ ସ୍ୱାର୍ଥ ରହିତ । ସେମାନଙ୍କର ସ୍ନେହ ମମତାର ପ୍ରତିବଦଳରେ ଆମ ପ୍ରେମ ଅଣୁଟିଏ ବି ନୁହେଁ । ସବୁ ଜାଣି ମଧ୍ୟ ସେମାନେ ନିଃସ୍ୱାର୍ଥପର ଭାବେ ଆମକୁ ଭଲ ପାଇଥାନ୍ତି । ଆମେ କେବଳ ସ୍ୱାର୍ଥ ପାଇଁ ଭକ୍ତି ଆଉ ପ୍ରେମର ପ୍ରତିକ୍ରିୟାତ୍ମକ ଭାବନା ବ୍ୟକ୍ତ କରୁ ସେମାନଙ୍କ ପ୍ରତି । ସେ ପୁଣି କିଛି ନିର୍ଦିଷ୍ଟ କାରଣ ଆଉ ନିର୍ଦିଷ୍ଟ ସମୟରେ । ଯେମିତି ଗୋପ ଆଉ ଗୋପୀମାନଙ୍କୁ ଛାଡ଼ିଲା ପରେ ସେମାନେ କୃଷ୍ଣଙ୍କୁ ଗାଳି ଦେଇ ନଥିଲେ, ସେମାନେ କୃଷ୍ଣର ଅମଙ୍ଗଳ ଭାବିନଥିଲେ । ସେ ତ କୃଷ୍ଣର ଆତ୍ମିକ ପ୍ରେମକୁ ଝୁରିହେଉଥିଲେ । ଯେଉଁ ପ୍ରେମକୁ ସେମାନେ ପରବର୍ତ୍ତୀ ସମୟରେ ବି ସାକାର କରୁଥିବାର ପ୍ରମାଣ ଅଛି । ଭାଇ ଭଉଣୀ, ବାପା ମା’ ଦୁନିଆର ସବୁ ପ୍ରକାରର ପ୍ରେମ ଏଇଠି ସୃଷ୍ଟି । ଏ ପ୍ରକାରର ପ୍ରେମୀ ମାନେ ଅନ୍ୟ ଜଣଙ୍କର ପ୍ରେମ ଆଶା କରି ପ୍ରେମ କରିନଥାନ୍ତି । ଏମାନେ ଏ କଥା ବି ଭାବନ୍ତିନି କି ଅନ୍ୟ ଜଣେ ବି ସମାନ ଭାବେ ଭଲପାଉଛି ତାଙ୍କୁ । ଏ ହେଉଛି ପ୍ରକୃତି ପ୍ରେମ । ଆମେ ତାକୁ ଯେମିତିକା ବ୍ୟବହାର ଦେଲେ ବି ପ୍ରତିବଦଳରେ ସେ କେବଳ ପ୍ରେମ ହିଁ ଦିଏ । ପ୍ରେମ ଛଡ଼ା ତା ପାଖରେ ଆଉ କିଛି ନାହିଁ । ସବୁ ପ୍ରକାରର ପ୍ରେମ ଏଇ ପ୍ରକୃତିରୁ ଆରମ୍ଭ ଆଉ ଏଇ ପ୍ରକୃତିରେ ଶେଷ । ଆମେ ଏ ପ୍ରକୃତି ଭିତରେ ନା ନାଇଁ ?

ମୋ କଥା ଶୁଣିବା ପରେ ରାଜୁ ମୁହଁରେ ଅଳ୍ପ ଅଳ୍ପ ହସ । ବର୍ଷା ପରେ ବାଦଲ ଆଢୁଆଳରେ ସୂର୍ଯ୍ୟଙ୍କ ଚମକ ପରି ରାଜୁର ଆଖିରେ ମୁଁ ଅଶାର କିରଣ ଦେଖିପାରୁଥିଲି । ଆଛା ଏ ସବୁ ଭିତରେ ତୁ କି ପ୍ରକାରର ପ୍ରେମିକ ? ରାଜୁ ହସି ହସି ପଚାରିଲା ? ମୁଁ ବି ହସି ହସି ଉତ୍ତର ଦେଲି । ଭାଇରେ ମୋ ପ୍ରକାର ତ ମୁଁ କହିପାରିବି ନି । କିନ୍ତୁ ଝିଅମାନଙ୍କୁ ଯେଉଁ କଥା କହିବାକୁ ସମସ୍ତେ ଡରନ୍ତି ମୁଁ ସେ କଥା ନିର୍ଦ୍ୱନ୍ଦରେ ସେମାନଙ୍କୁ କହେ ସ୍ଥାନ, କାଳ ପାତ୍ର ବିଶେଷରେ । ସେଥିପାଇଁ ମୁଁ ମୋ ପୂର୍ବ ପ୍ରେମିକା ମାନଙ୍କୁ ସେମାନଙ୍କ ଠିକଣା ପଚାରେ ସେମାନେ କିନ୍ତୁ ମତେ ଭୁଲନ୍ତିନି । ମୋ ଜାଗାଟି ଏଥର ତୁ ସ୍ଥିର କରେ ।

ମନରେ ଭାବିଥିଲି ତୋ ବାହାଘରରେ ନାଗିନ ଡ୍ୟାନ୍ସ କରିବି ବୋଲି ରଶ୍ମିତ ଗଲା, ତୁ ବାହା ନହେଇ ଭୁତ ହବୁ ମୋ ଆଶା ବି ଆଶାରେ ରହିଯିବ । ଦରବୁଢ଼ା ହେଲୁଣି ତତେ ଆଉ କିଏ ଝିଅ ଦବ ଯେ ତୁ ବାହା ହବୁ । ଏତିକି କହି ମୁଁ ରାଜୁକୁ ସେଇଠି ଛାଡ଼ି ଘରକୁ ଆସିଲି ।

ତା'ପରଦିନ ସକାଳେ ରାଜୁ ପୁରା ରଂଗଢଙ୍ଗରେ ମୋ ପାଖରେ ହାଜର । ସେଇ ପୁରୁଣା ରାଜୁ । ରଶ୍ମିର ପ୍ରେମିକ ଠୁ ଆହୁରି ପୁରୁଣା । ରାଜୁ ମତେ କହିଲା - ମୁଁ ଭାବୁଛି ନାଗିନ ଡ୍ୟାନ୍ସର ତୋ ଆଶାକୁ ମୁଁ ପୂରଣ କରିବି, ମାମୁଁ ଯେଉଁ ପ୍ରସ୍ତାବ କଥା ବାପାଙ୍କୁ କହୁଥିଲେ ତୁ ବାପାଙ୍କୁ କହ ଯାଇ ଦେଖି ଆସନ୍ତୁ । ରାଜୁର କଥା ନସରୁଣୁ ମୁଁ ତା ଘରକୁ ଦୌଡ଼ିଲି, ଯେମିତି ଆଜି ମତେ ଅଲମ୍ପିକରେ ହୀରାର ପଦକ ମିଳିଯାଇଛି ।


Rate this content
Log in

Similar oriya story from Romance