କାଚକାନ୍ଥର ଆରପାଖ
କାଚକାନ୍ଥର ଆରପାଖ
ପାର୍କରେ ତିନିଦିନ ହେଲାଣି ଅପେକ୍ଷା କରି କରି ପ୍ରୀତି ଆସୁନଥିଲା. ଆଣିଥିବା ଫୁଲ ତୋଡ଼ା ବସିଥିବା ଭିକାରୀକୁ ଦେଇ ଫେରିଯାଉଥିଲା ପୁପୁନ ମାନେ ପୁଲକ ମହାପାତ୍ର. ଆଜି ପର୍ଯ୍ୟନ୍ତ ପ୍ରୀତିକୁ ସେ ଯେତିକି ଜାଣେ ଖୁବ ନମ୍ର, ଶାନ୍ତ ତା ଚରିତ୍ର, ଖୁବ କମନୀୟ ଓ ନମନୀୟ ତା ଚେହେରା, ସଂସ୍କୃତି ସମ୍ପର୍ଣ୍ଣ ପାରିବାରିକ ଚିନ୍ତାଧାରା, ରୁଚିଶୀଳ ଭଦ୍ରା ପ୍ରୀତି ସହିତ ଯୋଉଦିନ ଗୋଟେ ମିଟିଙ୍ଗରେ ଦେଖା ହୋଇଥିଲା ପାଗଳ ହୋଇଯାଇଥିଲା ପୁଲକ . କିପରି ପ୍ରେମ ନିବେଦନ କରିବ ଗୋଟେ ବଡ଼ କମ୍ପାନୀର ସି ଇ ଓ ଙ୍କୁ ଭାବି ସେ ବିଚଳିତ ହୋଇ ପଡୁଥିଲା ବେଳେ ଅଜା ହିଁ ସାହାରା ହେଲେ.ଫୋନ ନମ୍ବର ପାଇବାକୁ ଅସୁବିଧା ହୋଇନଥିଲା. ଜେଜେ ଜଣେ ବୟସ୍କ ବ୍ୟକ୍ତି ହୋଇଥିବାରୁ ତାଙ୍କ ପରିଚୟ ପାଇବା ପରେ ଜେଜେ ଗୋଟେ ବଡ଼ କମ୍ପାନୀ ଚଳାଉଥିଲେ ଶୁଣି ପ୍ରୀତି ତାଙ୍କଠୁ ପ୍ରଥମେ ପ୍ରଥମେ ପରାମର୍ଶ ଲୋଡୁ ଥିବା ବେଳେ ଜେଜେ ତାଙ୍କ ନାତିର ଭୁରି ଭୁରି ପ୍ରଶଂସା କରୁଥିଲେ. ନାତି ପୁଲକ ମଧ୍ୟ ଗୋଟେ କମ୍ପାନିର ସି ଇ ଓ ଯୋଉଟା ଅଜାଙ୍କର ଥିଲା ଜାଣି ସୋନାଲି କେବଳ ଏତିକି କହିଥିଲା ମୁଁ ତାଙ୍କୁ ଜାଣିଥାଇ ପାରେ. ସେଇ ଟିକକ କଥାକୁ ସୂତ୍ର କରି ଅଜା ନାତିକୁ ନେଇ ପାର୍କରେ ପ୍ରୀତି ସହ ପରିଚୟ କରାଇଦେଇଥିଲେ. ଉପରକୁ ଅଜାଙ୍କ କଥାରେ ଆସିଛି କହୁଥିବା ପୁପୁନ କିନ୍ତୁ ଭିତରେ ଭିତରେ ଅଜାଙ୍କୁ ଧନ୍ୟବାଦ ଦେଉଥିଲା. କ୍ରମେ ଅଜା ରହିଗଲେ ଆଢ଼ୁଆଳରେ, ବୟସର ଦୋଷ ରୋଗର ସାହାରା ହୋଇ କିନ୍ତୁ ପୁଲକ ଓ ପ୍ରୀତି ପରସ୍ପରକୁ ସେହି ପାର୍କରେ ନିହାତି ଦେଖା କରୁଥିଲେ.ଆଉ ରାତିରେ ଅଜାଙ୍କ ସହ ଦୁଇପଦ ଗପ କରିବାକୁ ଭୁଲି ନଥିଲା. ଛୋଟ ପିଲାଙ୍କୁ ମାଆମାନେ ଗୀତ ଗାଇ ଶୁଆଇ ଦେଲାପରି ପ୍ରୀତିର କଣ୍ଠଶ୍ୱର ଥିଲା ସଂଗୀତର ଭାଷା ପରି କୋଇଲିର କୁହୁ ସରି ତ ଏଣିକି ଅଜା ନିଜ ଝିଅ ଘରେ ପ୍ରୀତିର ଆଗମନକୁ ଅପେକ୍ଷା କରି ରହିଥାଆନ୍ତି. ସତରେ ଏ ବୟସରେ ନାତି ବାହାଘରଠୁ ବଳି ବଡ଼ କଥା ଆଉ କଣ ଥାଇପାରେ ଦୀନବନ୍ଧୁଙ୍କ ପାଇଁ !
ଭଲପାଇବାର ନୂତନ ସଂସ୍କରଣ ଯୁବ ପିଢ଼ି ପାଇଁ ପ୍ରେମ ନାମରେ କେବେ ବଦଳି ବାହାଘର ମଧ୍ୟ ପକ୍କା ହୋଇଗଲା ନା ପୁଲକ ନା ପ୍ରୀତି ଧରି ରଖି ପାରିନଥିଲେ ସମୟ କି ପରିସ୍ଥିତିକୁ. ସେହି ପାର୍କର ପରିବେଶକୁ କେବେ ଭୁଲି ନଥିଲେ. ଦିନେ ସେଠିକୁ ନ ଆସିଲେ ମନ ବୁଝୁନଥିଲା ପୁପୁନର.ଡେରି ହେଲେ ଅଜା କହୁଥିଲେ ଆଜି ପାର୍କକୁ ଯିବୁନି କି ମୋ ପ୍ରେମିକାକୁ ଦେଖା କରିବାକୁ କହି ଫୁଲତୋଡ଼ା ବଢ଼ାଇଦେଉଥିଲେ. ଆଦି କହୁଥିଲା ପ୍ରୀତି କେବଳ ମୋର ତା ଉପର ନଜର ଲଗେଇବାକୁ ତମେ ଦୁଃଶାହସ କରନା କହିଦେଉଛି ଅଜା.ଆରେ ପ୍ରୀତିକୁ ପଚାରିବୁ ଯାଆ ସେ ତୋ ଆଗରୁ ମତେ ଭଲ ପାଇଛି ନା ନାହିଁ? ସେ ହିଁ ମୋର ପ୍ରଥମ ପ୍ରେମିକା କହନ୍ତି ହସି ହସି ଦୀନବନ୍ଧୁ ବାବୁ ତ ଏବେ ମାଆ ନିଶା ଓ ପାପା ଦେବେନ୍ଦ୍ର ମଧ୍ୟ ସାମିଲ ହୁଅନ୍ତି ଅଜା ନାତିଙ୍କ କଥାରେ. ସେ କଥାରୁ ଝରୁଥାଏ ସଂଗୀତର ଭାଷା, ପୁରା ମହୁ.ତଥାପି ପୁପୁନ କହୁଥାଏ ଆଈ ହିଁ ତମର ପ୍ରଥମ ପ୍ରେମିକା.ଆରେ ତା କଥା ଛାଡ଼. ସେ ଏ ପ୍ରେମ ଫେମ କଥା କଣ ବୁଝେ. ପୁଲକ ହସି ହସି କହେ ହଉ ହଉ ପଚାରିବି ପ୍ରୀତିକୁ ତାର ବୁଢା ଦରକାର ନା ମୋ ପରି ଟୋକା କହି ହସି ହସି ଫୁଲତୋଡ଼ା ନେଇ ତିନିଦିନ ହେଲାଣି ସେ ପାର୍କକୁ ଆସୁଛି କିନ୍ତୁ ପ୍ରୀତିର ଦେଖା ନାହିଁ. ମନଦୁଃଖରେ ଟିକିଏ ଦୂରରେ ବସିଥିବା ଭିକାରୀ ଆଗରେ ଫୁଲତୋଡ଼ା ଫିଙ୍ଗି ଚାଲିଯାଏ ପୁଲକ . ଭାବେ ବାହାଘର ପକ୍କା ହେବା ପରେ ପ୍ରୀତି ଏମିତି ତା ପାଖରୁ ଆକର୍ଷଣ କମେଇଦେବାର ମାନେ କଣ ହୋଇପାରେ?ହୁଏତ ପ୍ରୀତି ଭଳି ଝିଅକୁ ଭଲପାଇ ସେ ଭୁଲ କରିବସିଛି.ଅଜା କହୁଥିଲେ ବୋକାଟା କିରେ, ଅଭିମାନ କରିଛି. ମାନ ଭାଙ୍ଗିବାକୁ ଚାଁହୁଛି ରାଧା. ବୁଝିପାରୁନୁ ଏତିକି?ତୋ ଆଡୁ ତୁ ଫୋନ କର. ହୃଦୟ ଖୋଲ. ଜାଣିବୁ ରାଧାରାଣୀଙ୍କ ମାନଭଞ୍ଜନ ପାଇଁ କୃଷ୍ଣଙ୍କୁ କେତେ କଷ୍ଟ କରିବାକୁ ପଡିଥିଲା.ଶାନ୍ତିରେ ଶୋଇଗଲା ପୁଲକ ସେଦିନ . ନୂଆ କୌଶଳ ସେ ନିଜେ ଆପଣେଇବ. କାଲି ତ ସବୁ ସି ଇ ଓ ମାନଙ୍କର ରାଜ୍ୟର ସର୍ବୋଚଙ୍କ ସହ ମିଟିଙ୍ଗ ଅଛିନା . ସେଇଠି ପ୍ରୀତିକୁ ଭେଟିଲେ କିଛି କହିବନି ତାକୁ. ସେ ଜାଣୁ ଓ ବୁଝୁ ନାରୀ ପରି ପୁରୁଷର ମଧ୍ୟ ମାନ ଅଭିମାନ ଅଛି. ସେ ବି ଚାହେଁ ତା ପ୍ରେୟସୀ ତା ମାନଭଞ୍ଜନ କରୁ ।
ମିଟିଙ୍ଗରେ ପ୍ରୀତି ନଥିଲା. ସବୁଥର ଅପେକ୍ଷା ମିଟିଙ୍ଗ ଗୁରୁ ଗମ୍ଭୀର ଲାଗୁଥିଲା ଅଧିକ. ପ୍ରୀତି ପ୍ରେମ ଚକରରେ ପଡି ସେ ଭୁଲିଯାଇଥିଲା କର୍ମ ଓ କର୍ତ୍ତବ୍ୟକୁ ବୋଧହୁଏ ଭାବି ନିଜକୁ ନିଜେ ଧିକ୍କାର କରୁଥିଲା. ସମସ୍ତେ ତାକୁ କାହିଁକି ଦମ୍ଭ ଧରନ୍ତୁ, ସାହାସ ରଖନ୍ତୁ, ଜୀବନରେ ଏମିତି ଅନେକ କଥା ସାମ୍ନା କରିବାକୁ ପଡେ ବୋଲି କହୁଥିଲେ ସେ ବୁଝି ପାରୁନଥିଲା. ମିଟିଙ୍ଗ ଆରମ୍ଭ ହେଲାପରେ ଦୁଇ ମିନିଟ ନୀରବ ପ୍ରାର୍ଥନା ପାଇଁ କୁହାଗଲା ତ ସେ ଚମକି ପଡିଲା. କାହାର କଣ ହେଲା ଭାବୁ ଭାବୁ ପ୍ରୀତି ସାମାନ୍ତରାଏଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପାଇଁ ଗଭୀର ଶୋକ, ଶ୍ରଦ୍ଧାଞ୍ଜଳି ଓ ନୀରବ ପ୍ରାର୍ଥନା ଭଳି ଶବ୍ଦ ଗୁଡିକ ଭିତରେ ପୁଲକ ମହାପାତ୍ର ଏକ ମୁହାଁ ଦୌଡୁଥିଲା ଅଣନିଶ୍ଵାସୀ ହୋଇ. କିଏ କହୁଥିଲା ସେ ଭାରସାମ୍ୟ ହରାଇ ବୋଧହୁଏ ପାଗଳ ହୋଇଗଲା. ଦୌଡୁ ଦୌଡୁ ଅଜାଙ୍କ ଦେହରେ ଧକ୍କା ଖାଇ ପ୍ରକୃସ୍ଥିତ ହେଲାବେଳକୁ ପୁଲକ କହୁଥିଲା ମତେ ଭଲ ପାଇ ତାର ଭୁଲ ହୋଇଗଲା ଜେଜେ. ଲୁହ କୋହକୁ ଚାପି ଅଜା ନାତିକୁ କି ସାନ୍ତ୍ୱନା ଦେବେ ବୁଝିବାକୁ ତାଙ୍କ ପାଖରେ ଭାଷା ନଥିଲା ।

