ଜଣେ ଶହୀଦର ପ୍ରେମିକା
ଜଣେ ଶହୀଦର ପ୍ରେମିକା
ଗୀତିଛନ୍ଦା ଚିଠି ଲେଖିଥିଲା-ଗତ ପନ୍ଦର ଦିନ ଧରି ତୁମେ ଚିଠି ଲେଖି ନାହଁ କି ଏସଏମଏସ କରି ନାହଁ, ଫୋନ ତ ଦୂରର କଥା।ତୁମ ମୋବାଇଲ ନମ୍ବର ଡାଏଲ କଲେ ସୁଇଚ ଅଫ ଥିବାର ବାର୍ତ୍ତା ମିଳୁଛି।କାହିଁକି ଏତେ ନୀରବ ତୁମେ?ଏଇ ଏଇ ସରିଛି ଆଷାଢ଼।ଆମ ଗାଁ ପୋଖରୀରେ ଏଥର ଢେର କଇଁ ଫୁଟିଛି।ସଂଜରେ ଯେବେ ଆକାଶରେ ଜହ୍ନ ଦେଖୁଚି, ତୁମ କଥା ଢେର ମନେ ପଡ଼ୁଚି।ଉତ୍ତାଳ ହୋଇ ଉଠୁଛି ମନ।ତୁମେ କେବେ ଆସୁଛ?
କମ୍ବିଂ ଅପରେସନରୁ କ୍ୟାମ୍ପକୁ ଫେରି ଯେବେ ଏଇ ଚିଠି ପଢିଲା ମନୋହର,ତା ଆଖିରେ ନାଚି ଉଠିଲା ହଜାରେ ମାଇଲ ଦୂର ଏକ ଅନାମଧେୟ ଗାଁରେ ସଂଜ ବୁଡ଼ା ବେଳର ଦୃଶ୍ୟ-ଆକାଶରେ ଜହ୍ନ ଦେଖି ଆନମନା ହୋଇ ଉଠୁଚି ଜଣେ ଯୁବତୀ ଓ ଛଳ ଛଳ ହୋଇ ଉଠିଛି ତାର ବେନି ଆଖି।ଏଇ ଆଷାଢ଼ରେ ହିଁ ସେଇ ଯୁବତୀ ଜଣକ ହେବାର ଥିଲା ତାର ବାଗଦତ୍ତା।ଅଥଚ ନକ୍ସଲ ବିରୋଧୀ ଅପରେସନରେ ସାମିଲ ଥିବା ମନୋହରକୁ ଛୁଟି ମିଳିଲା ନାହିଁ।ବାହାଘର ଛଅ ମାସ ପାଇଁ ସ୍ଥଗିତ ରହିଲା।
ଜଣେ ଯବାନ ପାଇଁ ଜୀବନ ଠାରୁ ମାତୃଭୂମି ସବୁକାଳେ ମହାନ, ଗୀତିଛନ୍ଦା।ଦାନ୍ତେୱାଡାର ଦୁର୍ଗମ ଅରଣ୍ୟରେ ରାତିରେ ଜହ୍ନ ଏତେ ବେଶୀ ଦିଶେ ନାହିଁ।ତେବେ ବି ମୋର ତୁମ କଥା ଭାରି ମନେପଡ଼େ।ମନେପଡ଼େ କଇଁ ଫୁଲମୟ ତୁମ ଗାଁ ପୋଖରୀ।ମାସର କୃଷ୍ଣ ପକ୍ଷରେ ତ ଜହ୍ନ ଆସେନା, ଗୀତିଛନ୍ଦା।ହେଲେ ଜହ୍ନର ଅବର୍ତ୍ତମାନରେ କଇଁ କଣ ଝାଉଁଳି ପଡ଼େ?ବରଂ ଏଇ ପନ୍ଦର ଦିନ କାଳ ପାଖୁଡ଼ା ମେଲି ପ୍ରତୀକ୍ଷା କରୁଥାଏ କଇଁ....କେବେ ଆସିବ କୃଷ୍ଣ ପକ୍ଷ।ଖୁବ ଶୀଘ୍ର ଆମର ଏଇ ଅପରେସନ ସଫଳ ହେବ ଓ ତା ପରେ ମୁଁ ଫେରିବି ଗାଁକୁ।ସେବେ ମାସର କୃଷ୍ଣ ପକ୍ଷ ଥିବ କି ଶୁକ୍ଳପକ୍ଷ ଥିବ ଜାଣେନା।ତୁମ ଗାଁ ପୋଖରୀରେ କିନ୍ତୁ କଇଁ ଫୁଟୁଥିବ।ଆଉ ତୁମେ ବି ଅଭିସାରିକା ସାଜି ମୋ ପାଇଁ ଅପେକ୍ଷା କରୁଥିବ, ଗୀତିଛନ୍ଦା।
ଗୀତିଛନ୍ଦା ପାଇଁ ଉଦ୍ଦିଷ୍ଟ ଏଇ ଚିଠିଟିକୁ ପୋଷ୍ଟ କରିବା ପରଦିନ ହିଁ ପୁଣି ଅପରେସନରେ ଯିବାକୁ ହେଲା ମନୋହରକୁ।
*** *** *** ***
fy">ଆକାଶରେ ଜହ୍ନ ନ ଥିଲା।ହୁଏତ କୃଷ୍ଣ ପକ୍ଷ ଆରମ୍ଭ ହୋଇ ଯାଇଥିଲା କିମ୍ବା ମେଘ ଭର୍ତ୍ତି ଥିଲା ଆକାଶ। ମନୋହରର ଖବର ନଥିଲା-ନା ଚିଠି, ନା ଫୋନ।ପୋଖରୀରେ କଇଁ ଫୁଲ ଫୁଟିଥିଲା କିମ୍ବା ଝାଉଁଳି ପଡ଼ି ଥିଲା, ସେ ଖବର ଗୀତିଛନ୍ଦା ପାଖରେ ନ ଥିଲା। ଦାନ୍ତେୱାଡାରେ ନକ୍ସଲମାନଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଶହୀଦ ହୋଇ ଯାଇଛନ୍ତି କେତେଜଣ ଯବାନ ଓ ସେଇ ଶହୀଦ ଯବାନମାନଙ୍କ ଭିତରୁ ଜଣଙ୍କର ନାଁ ହେଉଛି ମନୋହର।ଏଇ ଖବର ଶୁଣିବା ପରଠୁ ଗୀତିଛନ୍ଦାର ଆଖିରୁ ଲୁହ ଶୁଖୁ ନଥିଲା।ଆଷାଢ଼ରେ ମନୋହର ସହ ତାର ବାହାଘର ହୋଇଥିଲେ ଜଣେ ଶହୀଦର ପତ୍ନୀ ହିସାବରେ ସେ ହୁଏତ ଏବେ ଗୌରବାନ୍ୱିତ ମନେ କରୁଥାନ୍ତା ନିଜକୁ।ଚାରିଆଡ଼ୁ ଅନୁକମ୍ପା ଓ ସହାନୁଭୂତିର ହାତ ଲମ୍ବି ଆସୁଥାନ୍ତା।ଅଥଚ ଶହୀଦର ପ୍ରେମିକା ଭାଗ୍ୟରେ ଏତେ ସବୁ ଗୌରବ ନ ଥିଲା।ଏବେ କଣ ପ୍ରକାଶ୍ୟରେ ଗର୍ଵବୋଧ କରି କହି ପାରିବ ଗୀତିଛନ୍ଦା-"ମୁଁ ଶହୀଦ ମନୋହରର ପ୍ରେମିକା..... ଭାବୀ ବାଗଦତ୍ତା।"ଶହୀଦ ମନୋହରର ପ୍ରେମିକା ହୋଇ ବଂଚିବାରେ ହୁଏତ ନିଜକୁ ବିଜ୍ଞାପିତ କରିବା କିମ୍ଵା ଅଯାଚିତ ଅନୁକମ୍ପା ଲାଭ କରିବାର ସୁଯୋଗ ନ ଥିଲା,ହେଲେ ପ୍ରେମିକର ମହାନ ତ୍ୟାଗକୁ ନେଇ ଥିଲା ନିରୁତା ଗୌରବ।ଏଇ ଗୌରବରୁ କେହି ବଂଚିତ କରି ପାରି ନ ଥିଲା ଗୀତିଛନ୍ଦାକୁ।
ଏତିକିବେଳେ ହିଁ ମନୋହରର ଚିଠି ମିଳିଲା ଯେଉଁଟା ସେ ଶହୀଦ ହେବାର ଦିନକ ଆଗରୁ ଲେଖିଥିଲା।ତର ତର ହୋଇ ପୋଖରୀ ତଟକୁ ଧାଇଁ ଗଲା ଗୀତିଛନ୍ଦା-ନାଇଁ, ଗୋଟିଏ ବି କଇଁ ଫୁଲ ମଉଳି ଯାଇ ନାହିଁ।ଶୁଭ୍ର ସତେଜ ଦିଶୁଚି ପ୍ରତିଟି ଫୁଲର ପାଖୁଡ଼ା।
ସେଦିନ ରାତିରେ ଜହ୍ନ ଥିଲା ଆକାଶରେ ଓ ଜହ୍ନରେ ହିଁ ମନୋହରର ମୁହଁ ଦିଶୁଥିଲା।
ନାଁ ଅଜଣା ଏକ ପକ୍ଷୀର ଗୀତ ଭାସି ଆସୁଥିଲା ଦୂରରୁ।ଗୀତିଛନ୍ଦାର ମନେହେଲା-ଯୁଦ୍ଧର ବିଗୁଲ ବଜେଇ ଆସୁଚି ମନୋହର।କୃଷ୍ଣ ପକ୍ଷ ହେଉ କି ଶୁକ୍ଳପକ୍ଷ-ସବୁଦିନେ ଆକାଶରେ ଥାଏ ଜହ୍ନ,ଯେମିତି ଗୀତିଛନ୍ଦାର ହୃଦୟରେ ରହିଛି ମନୋହର।
"ମୋତେ ତୁମ ପାଖକୁ ନେଇଯାଅ, ମନୋହର......"ସ୍ୱଗତୋକ୍ତି କରି ଉଠିଲା ଗୀତିଛନ୍ଦା ନିଜ ଅଜାଣତରେ।