Lopamudra Mishra

Romance Inspirational

3  

Lopamudra Mishra

Romance Inspirational

ଜଣେ ପ୍ରତାରିତାର ପ୍ରେମ

ଜଣେ ପ୍ରତାରିତାର ପ୍ରେମ

10 mins
608



 ଅଭିମନ୍ୟୁଙ୍କର ଏସ୍.ବି.ଆଇ କଟକ ବ୍ରାଞ୍ଚରୁ ବାଲେଶ୍ୱରକୁ ବଦଳି l ନୂଆ ଜାଗା l କାହାରି ଚିନ୍ହା ମୁଁହ ଟେ ଦେଖିବାକୁ ପାଉନାହାଁନ୍ତି l ନୂଆ ଘରେ ସବୁ ଜିନିଷ ଠିକ ଠାକ ସଜଡା ହୋଇରଖାସରିଲାଣି l ଆଉ କିଛି ଦରକାରୀ ସାମଗ୍ରୀ କିଣା ହୋଇ ଆସିବାରେ ଅଛି l ପତ୍ନୀଙ୍କର ଏକା ଜିଦ "ମୋ ସହ ମାର୍କେଟ ଚାଲ" l କଟକ ହେଇଥିଲେ ଅନୁରାଧା ଙ୍କୁ ଆଉ ସ୍ୱାମୀଙ୍କର ଆବଶ୍ୟକତା ପଡ଼ିନଥାନ୍ତା l ସେଠି ତାଙ୍କର ଅନେକ ସଖି ସହେଲି ଥିଲେ ସପିଙ୍ଗରେ ସାଥ ଦେବା ପାଇଁ lଏଠି କିନ୍ତୁ ସେ ସମ୍ପୂର୍ଣ ଏକାକୀ l ବାଧ୍ୟ ହୋଇ ଅଭିମନ୍ୟୁ ତାଙ୍କ ସହ ମାର୍କେଟ ବାହାରିଲେ l


 ଅନୁରାଧା ସପିଙ୍ଗ ପାଇଁ ଗୋଟେ ମଲ ଭିତରକୁ ଗଲେ l ଅଭିମନ୍ୟୁ 'ପଛେ ପଛେ ଆସୁଛି' କହିରହିଗଲେ ବାହାରେ l


  ମଲ ସାମ୍ନାରେ ଠିଆ ହୋଇ କାହାକୁ ପ୍ରତୀକ୍ଷା କରିଥିବା ଭଦ୍ରମହିଳାଙ୍କୁ ଦେଖି ଚମକି ପଡିଲେ ଅଭିମନ୍ୟୁ l ସେ ଏଠି କାହାକୁ ମଧ୍ୟ ଜାଣନ୍ତିନି l ଆଜି ପତ୍ନୀଙ୍କ ଅନୁରୋଧକୁ ଉପେକ୍ଷା ନକରି ସସ୍ତ୍ରୀକ ଆସିଛନ୍ତି ସହରର ଏହି ସର୍ବବୃହତ ସପିଙ୍ଗ ମଲଟିକୁ l ଅନୁରାଧା ଆଉ ଦେଖାଯାଉନାହାଁନ୍ତି l ବୋଧେ ମଲ ଭିତରକୁ ଚାଲିଗଲେଣି l


 ଆରେ ମାନସୀ ତୁମେ !

ଭଦ୍ରମହିଳା ଜଣଙ୍କ ଅପରିଚିତ ଭଳି ଅଭିନୟ କରୁଥିଲା ବେଳେ ଅଭିମନ୍ୟୁ ପୁନଶ୍ଚ କହିଲେ -

ଜାଣେ, ମୋ'ଭୁଲ ଅକ୍ଷମଣୀୟ l ମୋତେ ପ୍ରାୟଶ୍ଚିତର ମୌକା ଟେ ବି ଦେଲନି l ବାରମ୍ବାର ଫୋନ କରିଥିଲି ସେତେବେଳେ, ଅଥଚ ତୁମ ଫୋନ ସୁଇଚ ଅଫ l ତୁମ ଅଫିସ ଯାଇ ଜାଣିଲି, ତୁମେ ରିଜାଇନ ଦେଇସାରିଛ l ଘରେ ତାଲା l  

  

  ଭଦ୍ରମହିଳା ଜଣକ ମୁହଁ ବୁଲେଇ କାହାକୁ ହାତଠାରି ଡାକିବାକୁ ପ୍ରୟାସ କରୁଥିଲେ l


 ଅଭିମନ୍ୟୁ ସେ ଆଡକୁ ନଜର ପକାନ୍ତେ ଛୋଟ ଝିଅଟିଏ ଡେଇଁ ଡେଇଁ ତାଙ୍କ ଆଡକୁ ଆସୁଥିବାର ଦେଖିଲେ lକୁନି ଝିଅଟି ଆସି ମାନସୀଙ୍କ ଗଳାରେ ଓହଳି ପଡିଲା l


ଅଭିମନ୍ୟୁ ଝିଅଟିକୁ ନିରିଖେଇ ଦେଖିଲେ l କାହାର ଚେହେରା ସହିତ ଝିଅଟିର ଅସମ୍ଭବ ସାମଞ୍ଜସ୍ୟ l ଭଦ୍ରମହିଳାଙ୍କ ଉପେକ୍ଷାକୁ ଖାତିର ନକରି ଅଭିମନ୍ୟୁ ପୁଣି କହିଲେ, " ମାନୁ (ମାନସୀଙ୍କୁ ସେ ଏହି ନାଁରେ ଡାକୁଥିଲେ ) ! ମତେ ବିଶ୍ୱାସ କର l ତୁମ ପରି ମୁଁ ବି ଉମାକାନ୍ତର ସତ୍ୟତା ଜାଣିନଥିଲି l ଆଉ ଶିଖାକୁ ତାଘରେ ଯେବେ ଦେଖିଥିଲି ସେ ମତେ ତା'ର ଭଉଣୀ କହି ପରିଚୟ କରାଇଦେଇଥିଲା l ଉମାକାନ୍ତର ସତଟା ମୁଁ ଯେଉଁଦିନ ଜାଣିଲି ସେହିଦିନ ସେ ମତେ ରାଣ ଦେଇମନା କରିଥିଲା ତୁମକୁ ନକହିବା ପାଇଁ l ସେ ତୁମ ରାସ୍ତାରୁ ଚାଲିଯିବାର ପ୍ରତିଶୃତି ମତେ ଦେଇଥିଲା l ମୁଁ ମାନୁଛି ସେହିଦିନ ମୋର ତୁମକୁ ସବୁ ସତ କଥା କହିଦେବା ଉଚିତ ଥିଲା l କିନ୍ତୁ ତାର ପ୍ରତିଶୃତିକୁ ବିଶ୍ୱାସକରି ଚୁପରହିଗଲି l ବଡ ଭୁଲ ଟାଏ ହେଇଗଲା ମୋର l ମୁଁ ମୋ ଭୁଲ ପାଇଁ ଖୁବ ଅନୁତପ୍ତ ମାନୁ l ମୋ ଭୁଲର କଣ କ୍ଷମା ନାହିଁ ? ଟିକେ ତ ମୋ ଆଡେ ଦେଖ l ଆମର ଏତେ ଦିନର ବନ୍ଧୁତାକୁ ତୁମେ କେଇ ସେକେଣ୍ଡରେ ଭାଙ୍ଗି ମୁହଁ ମୋଡି ଚାଲିଗଲ l ତୁମେ କଣ ଭାବୁଛ ମୋତେ ବିଲକୁଲ ବି କଷ୍ଟ ହେଇନଥିବ?ସେହିଦିନୁ ଜଳି ଜଳି ବଞ୍ଚିଛି ଗୋଟେ ବିରାଟ ଅପରାଧବୋଧକୁ ଛାତିରେ ଚାପିଧରି l ଭୀଷଣ ଯନ୍ତ୍ରଣା ହୁଏ ମାନୁ l ଭୀଷଣ.. " l କହୁ କହୁ ଅଭିମନ୍ୟୁ କାନ୍ଦ କାନ୍ଦ ହୋଇଗଲେ l

 ସେହିକୁନି ଝିଅଟିକୁ ନିଜ ପାଖକୁ ଜଡେଇ ଆଣି ଦୁଇବାହୁର ବେଷ୍ଟନୀରେ ଜାକି ଧରି, ଏଥର ମାନସୀ ପାଟି ଖୋଲିଲେ, " ଅଭି (ଅଭିମନ୍ୟୁଙ୍କ ଡାକ ନାମ )! ଥାଉ ତୁମେ ଏଠି ଏଭଳି ଭାବପ୍ରବଣ ହୁଅନି l ଅସହଜ ଲାଗୁଛି ମତେ l ମୁଁ କିଏ କ୍ଷମା ଦେବାକୁ? ଯାହା ତ ହେବାର ଥିଲା ହେଲା l ମୋ ଭାଗ୍ୟରେ ଯାହା ଲେଖା ଥିଲା ତାକୁ କିଏ ବଦଳେଇଥାନ୍ତା? ନାଁ ତୁମେ ନାଁ ମୁଁ? ହଉ ଛାଡ l ତୁମେ ଏଠି କେମିତି? "


 ଅଭିମନ୍ୟୁ ଏବେ ଟିକେ ହାଲକା ଅନୁଭବ କରି ନିଜର ବଦଳି ଆଉ ସ୍ତ୍ରୀଙ୍କ ସପିଙ୍ଗ ବିଷୟରେ ସବିଶେଷ କହିଲେ lକୁନି ଝିଅଟିର ମୁଣ୍ଡକୁ ଟିକେ ଆଉଁସି ଦେଇ ପଚାରିଲେ, "ମାନୁ ଝିଅ ବହୁତ କ୍ୟୁଟ ହେଇଛି l ତୁମ ପରି ତ ଲାଗୁନି? ପାପାଙ୍କ ଭଳି ହେଇଛି ବୋଧେ? "

ମାନସୀ ହସି ହସି କହିଲେ, "ହଁ ପାପାଙ୍କ ଅବିକଳ ନକଲ l"

ପୁଣି ଝିଅକୁ ଉଦେଶ୍ୟ କରି ଅଭି ପଚାରିଲେ, "ମାମା ତୁମ ନାଁ କଣ? ପାପାଙ୍କ ନାଁ କଣ? "

ଝିଅ ଟି ତା ଗୁଲୁଗୁଲିଆ ସ୍ୱରରେ କହିଲା, " ଅଙ୍କଲ ମୋ ନାଁ ଅଭିପ୍ସା ମହାନ୍ତି l ମୋ ପାପାଙ୍କ ନାଁ ଉମାକାନ୍ତ ମହାନ୍ତି "l


ଝିଅର ମୁହଁରୁ ଉମାକାନ୍ତଙ୍କ ନାଁ ଶୁଣି ଚମକି ପଡିଲେ ଅଭିମନ୍ୟୁ l ବିସ୍ମିତ ହୋଇ କହିଲେ, "ହେଲେ ମାନୁ !ଉମା ତ..? "

ଅଭିଙ୍କ ପାଟିରୁ କଥା ଛଡେଇ ନେଇ ମାନସୀ ଚଟାପଟ କହିପକେଇଲେ-

ସେ ଅନେକ କଥା ଅଭି l ତୁମେ ତ ଏବେ ମୋ ସହରକୁ ଆସିଗଲାଣି l ମୋ ଘର ଆଡେ ଆସ, ସବୁ କହିବି l ଏହି ଜାନୁଗଞ୍ଜରେ ମୁଁରହୁଛି "

 ନିଜ ଫୋନ ନମ୍ବର ଓ ଘର ଠିକଣା ଦେଇ ମାନସୀ ଝିଅକୁ ଧରି ଚାଲିଗଲେ l ମାନସୀର ଯିବା ରାସ୍ତାକୁ ଏକଲୟରେ ଚାହିଁରହି ଅଭିମନ୍ୟୁ କଣ ସବୁ ଭାବୁଥିଲେ, ପଛରୁ ଅନୁରାଧା ଆସି କହିଲେ, "ଆରେ ପଛେ ପଛେ ଆସୁଛି କହି ଏଇଠିରହିଗଲ !ଜଲଦି କାର୍ଡ ଟା ଦିଅ ମୁଁ ବିଲ ପେମେଣ୍ଟ କରିବି l ମୋର ସପିଙ୍ଗ ସରିଲାଣି l"


 ଅଭିମନ୍ୟୁ ଯନ୍ତ୍ରବତ କାର୍ଡ ଟି ପକେଟରୁ ବାହାରକରି ଦେଇଦେଲେ l ଘର ଫେରନ୍ତା ରାସ୍ତାରେ ଅସମ୍ଭଵ ଅନ୍ୟମନସ୍କ ଅଭି l ଘରକୁ ଫେରି ପଛ କଥା ବସି ଭାବୁଥାନ୍ତି l ଗୋଟି ଗୋଟି କରି ସମସ୍ତ ଦୃଶ୍ୟ ତାଙ୍କ ଆଖି ସାମ୍ନାରେ ଭାସି ଉଠିଲା l

  

   ମାନସୀ ଆଉ ଅଭି କଲେଜ ଟାଇମରୁ ପରସ୍ପରକୁ ଜାଣନ୍ତି l ଗୋଟିଏ ଡିପାର୍ଟମେଣ୍ଟରେ, ଗୋଟିଏ ବ୍ୟାଚର ସ୍ଟୁଡେଣ୍ଟ l ଚାକିରୀ ବି କଲେ ଗୋଟିଏ ସହରରେ, କଟକରେ l ମାନସୀ ଫୁଡ ଏଣ୍ଡ ସପ୍ଲାଇ ଅଫିସରେ ଆସିଷ୍ଟାଣ୍ଟ ସପ୍ଲାଇ ଅଫିସର ତ ଅଭି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, କଟକ ବ୍ରାଞ୍ଚର ପ୍ରୋବେସନାରୀ ଅଫିସର l ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଦେଖା ହୁଏ ଉଭୟଙ୍କର ଅଫିସ ଫେରନ୍ତା ରାସ୍ତାରେ l ପ୍ରତିରବିବାର ଆଉ ଅନ୍ୟ ଛୁଟି ଦିନ ମାନଙ୍କରେ ମାନୁ ଓ ଅଭି ଏକାଠି ହୁଅନ୍ତି ଅଭିର ଫ୍ଲାଟରେ କିମ୍ବା ମାନୁର ଭଡ଼ା ଘରେ l ରୋଷେଇ, ଖିଆ ପିଆ ଓ କଲେଜ ଟାଇମର ଅନେକ ଆଲୋଚନା ହୁଏ ସେହିଦିନ ମାନଙ୍କରେ l ମାନୁ, ଅଭିଙ୍କ ପରି ବନ୍ଧୁ ପାଇ ଘର ଠୁ ଦୂର ଆଉ ଗୋଟିଏ ଘର ପାଇଯାଇଥିଲା l ଅଭି ବି ମାନୁଙ୍କର ସାହଚର୍ଯ୍ୟ ଭିତରେରେ ନିଜ ଭଉଣୀ ଆଭାକୁ ଆବିଷ୍କାର କରିସାରିଥିଲେ l


  ଗୋଟେରବିବାର ଅଭି ମାନୁର ଘରେ ପହଁଚିଲା ଆଉ ଜଣେ ସମବୟସ୍କ ଯୁବକଙ୍କ ସହ l ମାନସୀ ଲୋକଟିକୁ ନିଜ ଘରେ ଦେଖି ଆଚମ୍ବିତ ହେଲେ l ଅଭିମନ୍ୟୁ ପରିଚୟ କରାଇଦେଇ କହିଲେ, " ଉମାକାନ୍ତ ବାବୁ, ଇଏ ମୋ ସାଙ୍ଗ ମାନୁ, ମାନେ ମାନସୀ ଦାସ l ଜାଣିଥିବେ ନିଶ୍ଚୟ l ଆପଣଙ୍କ ଅଫିସରେ ଆସିଷ୍ଟାଣ୍ଟ ସପ୍ଲାଇ ଅଫିସର l ଏହି ହେଉଛି ମୋରବିବାରିଆ ମଙ୍ଗଳାବାଗରେସ୍ଟୁରାଣ୍ଟ l" ଏତକ କହି ଅଭି ହସି ଉଠିଲେ l ପୁଣି ମାନସୀକୁ ଲକ୍ଷ କରି କହିଲେ, "ଆରେ ହାଁ ଟା କରି ଅନେଇଛ କଣ?ତୁମ ନୂଆ ସପ୍ଲାଇ ଇନ୍ସପେକ୍ଟରକୁ ଚିହିଁପାରୁନ ନାଁ କଣ? "

- ହଁ ଚିହିଁ ତ ପାରୁଛି କିନ୍ତୁ ତୁମ ସହ ଦେଖିବି ଆଶା କରୁନଥିଲି l ମାନସୀ କହିଲେ l

ଅଭି ପୁଣି କହିଲେ, "ଉମାକାନ୍ତ ଏବେ ମୋ ନୂଆ ପଡୋଶୀ l ଏବେ ତାଙ୍କ ସହ ବନ୍ଧୁତ୍ୱ ଟା ବେସ ଜମିଯାଇଛି l ଆଜି କହୁଥିଲେ କୋଉ ଗୋଟେ ଭଲରେସ୍ଟୁରାଣ୍ଟକୁ ଯିବା ପାଇଁ l ମୁଁ କହିଲି ଚାଲ ମୋ ବ୍ୟକ୍ତିଗତରେସ୍ଟୁରାଣ୍ଟକୁ l ଏଠିକୁ ନେଇଆସିଲି l ତୁମେ ଦୁହେଁ ତ ଆଗରୁ ପରସ୍ପରକୁ ଜାଣିଛ l ଖାଲି ଯାହା ପରିଚୟ ହୋଇନଥିଲା l" ପୁଣି ଅଭି ହସି ଉଠିଲେ ଆଉ ତାଙ୍କ ସହ ତାଳ ଦେଇ ମାନସୀ ଓ ଉମାକାନ୍ତ ମଧ୍ୟ l


  ଅଭିମନ୍ୟୁ, ମାନସୀ ଓ ଉମାକାନ୍ତ ତିନିଜଣ ଯାକ କ୍ରମେ ବନ୍ଧୁତ୍ୱ ସୂତ୍ରରେ ନିବିଡ ଭାବେ ବାନ୍ଧି ହେଇଯାଉଥିବା ବେଳେ ମଧୁର ଏକ ବିସ୍ଫୋରଣ ଘଟିଲା ଉମାକାନ୍ତ ଓ ମାନସୀଙ୍କ ମନ ଭିତରେ l ମାନସୀଙ୍କ ଶାନ୍ତ ସ୍ନିଗ୍ଧ ରୂପରେ ଉମାକାନ୍ତ ବିମୋହିତ ହୋଇପଡିଲା ବେଳେ ଉମାକାନ୍ତଙ୍କର ଆକର୍ଷକ ବ୍ୟକ୍ତିତ୍ୱ ଆଗରେ ମାନସୀ ଢଳି ପଡିଲେ l ପରସ୍ପରଙ୍କର ପରସ୍ପର ପ୍ରତି ଏପରି ଆକର୍ଷଣରେ ଅଙ୍କୁରୋଦଗମ କଲା ପ୍ରେମର କ୍ଷୁଦ୍ର ଏକ ବୀଜ l ବୀଜ ଟି ଧୀରେ ଧୀରେ ସୁନ୍ଦର ଚାରାରେ ରୂପାନ୍ତରିତ ହୋଇ ବଢିଚାଲିଲା ଅନୁକୂଳ ବାତାବରଣ ପାଇ l


  ଏବେ ମାନସୀ ଓ ଉମାକାନ୍ତ ଙ୍କୁ ଅଫିସ ବାହାରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲା l କେବେ ଯୋବ୍ରା ପାର୍କ ତ କେବେ ସଙ୍ଗମ ସିନେପ୍ଲେକ୍ସ,ସପିଙ୍ଗ ମଲ,ମହାନଦୀ ବ୍ୟାରେଜ ଓ ପୁଣି କେବେ କେବେ କୋଉରେସ୍ଟୁରାଣ୍ଟରେ l ମାତ୍ର ଅନ୍ୟଦିନ ମାନଙ୍କ ଭଳିରବିବାରିଆ ଖାଇବା ଟା ସେହି ତିନି ବନ୍ଧୁ ଅଭି, ମାନୁ ଓ ଉମା ଏକାଠି ଅଭିର ଫ୍ଲାଟରେ ହିଁ ଖାଉଥିଲେ l ଗପର ଆସର ବି ଜମୁଥିଲା l ମାନୁ ଓ ଉମାକାନ୍ତଙ୍କ ସମ୍ପର୍କ ଟା ଆଉ ଅଭି ଙ୍କୁ ଅଛପା ନଥିଲା l ସେ ଏମାନଙ୍କ ଭଲ ପାଇବାକୁ ଖୁବ ସମ୍ମାନ ବି ଦେଉଥିଲେ l ସେମାନଙ୍କ ସମ୍ପର୍କକୁ ଆହୁରି ବେଶୀ ଦୃଢ କରିବାରେ ଅଭି ମଧ୍ୟ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିଲେ l


  ଉମାକାନ୍ତ ମାନସୀ ଙ୍କୁ କହନ୍ତି, "ଜାଣିଛ ମାନସୀ!ତୁମେ ମୋ ଜୀବନର ଶେଷ ବିନ୍ଦୁ l ମୋ ଜୀବନ ଶେଷ ହୋଇଯିବା ପୂର୍ବରୁ ମୁଁ ତୁମ ସହ ମିଳିତ ହେବାକୁ ଚାହିଁବି l"

ଉତ୍ତର ଦେବାକୁ ଯାଇ ମାନସୀ କହନ୍ତି,"ଉମାକାନ୍ତ !ତୁମେ ତ ମୋ ଜୀବନର ସେହି ଜ୍ୟୋତି, ଯାହାକୁ ପାଇଲେ ହିଁ ମୋ ଜୀବନରେ ସାର୍ଥକତା ଆସିବ "l ନିଜ ନିଜ ପ୍ରେମକୁ ପରିପ୍ରକାଶ କରି ଦୁହେଁ ଦୁହିଁଙ୍କ ଆଖିରେ ଏଭଳି ବୁଡ଼ିଯାଆନ୍ତି ଯେମିତି ଏ ସମ୍ପର୍କ ଜନ୍ମଜନ୍ମାନ୍ତରର ସମ୍ପର୍କ l ମାନସୀ ଉମାକାନ୍ତ ଙ୍କୁ ପାଇ ଅନନ୍ତ ସ୍ବର୍ଗୀୟ ଅନୁଭବରେ ନିଜକୁ ଭିଜାଇ ଦିଅନ୍ତି l ଖୁବ ଶୀଘ୍ର ଉମାକାନ୍ତଙ୍କ ସହ ବାନ୍ଧି ହୋଇଯିବାର ଦୁର୍ବାର ଇଚ୍ଛାପ୍ରକଟ କରନ୍ତି l ପରିବାରର ସହମତି ପାଇଗଲେ ଆଉ କେହି ସେ ଦୁଇ ଜନ୍ମଜନ୍ମାନ୍ତରର ପ୍ରେମୀ ଙ୍କୁ ଏକାଠି ହେବାରୁ ବଞ୍ଚିତ କରିପାରିବେ ନାହିଁ l


 ବିନ୍ଦୁ ଓ ଜ୍ୟୋତି ପରସ୍ପରକୁ ପାଇବା ଆଗରୁ ଆଉ ଏକ ଭୟଙ୍କର ବିସ୍ଫୋରଣ ହୁଏ ମାନସୀଙ୍କ ନିରୀହ ନିଷ୍ପାପ ମନ ଭିତରେ l ଉମାକାନ୍ତ ଅଜଣା ରୋଗରେ ପୀଡିତ ହୋଇ ଚିକିତ୍ସା ପାଇଁ ଓଡିଶା ବାହାରକୁ ଚାଲିଯାନ୍ତି l ମାନସୀ ବହୁ ଜିଦ କରି ମଧ୍ୟ ଉମାକାନ୍ତଙ୍କ ସହ ଯାଇପାରନ୍ତିନାହିଁ l ଉମାକାନ୍ତ ଫେରିଆସିଲେ ମାନସୀ ଙ୍କୁ ନିଜର କରିବାର ନିର୍ଭୟ ପ୍ରତିଶୃତି ଦେଇ ଯାଇଥାନ୍ତି l


  ଏହାର କିଛିଦିନ ଉତ୍ତାରେ ମାନସୀ କାହାକୁ କିଛି ନଜଣାଇ ସହର ଛାଡ଼ି ଉଭାନ ହେଇଯାନ୍ତି l ଅଭିମନ୍ୟୁ ଖୁବ ଏକାକୀ ସେତେବେଳେ l ଭଉଣୀ ଭଉଣୀ ଲାଗୁଥିବା ସେହି ଅତି ପ୍ରିୟ ମାନୁ ତାଙ୍କର ତାଙ୍କ ହାତ ପାହାନ୍ତାରୁ ଅପହଞ୍ଚ l ଅନେକ ଖୋଜିଲେ l କିଛି ବି ଖବର ନାହିଁ l ଦୁଃଖରେ ଭାଙ୍ଗିପଡିଲେ l ନିଜକୁ ଦୋଷ ଦେଇଚାଲିଲେ l ଅନୁତାପର ଅନଳ ହୁତ ହୁତ ହୋଇ ଅହରହ ତାଙ୍କ ଛାତିରେ ଜଳୁଥିବାର ଅନୁଭବ କଲେ l କାହିଁକି ଗୋପନରଖିଲେ ଏତେ ବଡ ମିଥ୍ୟା ଟେ,ଜଣେ ସରଳ, ନିଷ୍କପଟ ଝିଅ ଠାରୁ?ମାନୁ ଯୋଉଠି ବି ଥିଲେ ତାଙ୍କୁ କଣ କେବେ କ୍ଷମା ଦେଇପାରିବ? 

  

  ଅଭିମନ୍ୟୁ ଅତୀତକୁ ରୋମନ୍ଥନ କରୁ କରୁ ଅନେକ ରାତି ହୋଇଗଲା l ତାଙ୍କୁ ଚକିତ କରି ପୁଣି ସୃଷ୍ଟି ହୋଇଛି ଏକୁନି ଝିଅ ଅଭିପ୍ସା, ଉମାକାନ୍ତର ଝିଅ l ତାହେଲେ କଣ ସେହି ଭୟଙ୍କର ରୋଗ ଏବେ ମଧ୍ୟ ମାନୁ ଓ ତାଙ୍କକୁନି ଝିଅ ଅଭିପ୍ସାଙ୍କ ଅସ୍ତିତ୍ୱକୁ କ୍ଷତାକ୍ତ କରୁଥିବ? ନାଁ ଏମିତି ହେଇପାରେନା l ମୁଣ୍ଡ ଭିତର ଟା ତାଙ୍କର ଗୋଳମାଳ ହେଇଯାଉଛି l ଓଃ କି ଯନ୍ତ୍ରଣା !ଅଭି ରାତି ସାରା ବିଛଣାରେ ଛଟପଟ ହୋଇ ପରଦିନ ସକାଳୁ ହିଁ ମାନୁକୁ ଦେଖା କରିବାକୁ ଯିବା ପାଇଁ ନିଷ୍ପତି ନେଲେ l


  ସେଦିନରବିବାର l ଅଫିସ ଛୁଟି l ମାନୁ ବି ନିଶ୍ଚୟ ଘରେ ଥିବେ l ମାନୁ ଦେଇଥିବା ଠିକଣାରେ ଅଭି ଯାଇ ପହଞ୍ଚିଗଲେ l କଲିଙ୍ଗ ବେଲର ଡାକରେ ମାନସୀ ଆସି କବାଟ ଖୋଲିଲେ l "ଆରେ ଅଭି ତୁମେ !ଏତେ ସକାଳୁ? ଆସ ଆସ ଭିତରକୁ ଆସ "l ମାନସୀ ଅଭିଙ୍କୁ ପାଛୋଟି ନେଲେ l


 ମାନସୀଙ୍କ ଛୋଟିଆ ଘରର ସାଜ୍ଜ ସଜ୍ଜା ଖୁବ ରୂଚିପୂର୍ଣ୍ଣ l ସୋଫା ଉପରେ ବସି ଅଭି ଚାରିଆଡ଼କୁ ନଜର ବୁଲେଇ ଆଣିଲେ l ଏ କଣ? ଘରର ପୂର୍ବ ପଟ କାନ୍ଥରେ ଉମାକାନ୍ତ ଓ ଶିଖାର ଫୋଟୋ l ସେଥିରେ ପୁଣି ଫୁଲମାଳ ଲଗାଯାଇଛି l ସୋଫା ଉପରୁ ଉଠି କାନ୍ଥ ପାଖରେ ଯାଇ ଅଭି ଠିଆ ହେଲେ l ନିରୀକ୍ଷଣ କରି ଫୋଟୋ ଦୁଇଟିକୁ ଚାହିଁଛନ୍ତି ଫୋଟୋ ଦୁଇଟିରେ ମାନୁଙ୍କ ପ୍ରତିଛବି ପ୍ରତିଫଳିତ ହେଲା l ପଛକୁ ବୁଲି ଦେଖିଲେ ମାନୁ ଚା' କପ ଧରି ଠିଆ ହୋଇଛନ୍ତି lଆଖିରେ ଅଶ୍ରୁ l


  "ମାନୁ !ମତେ କିଛି ବି ଟିକେ ନଜଣେଇ ଏକାକୀ ଚାଲିଆସିଲ ନା ଏକା ଏକା ଦୁଃଖର ପାହାଡକୁ ନିଜ ମୁଣ୍ଡରେ ମୁଣ୍ଡେଇ ନେବା ପାଇଁ? ଅଭିପ୍ସା କଣ ଜାଣେ ଏ ଶିଖାଙ୍କ ପରିଚୟ? କାହିଁକି ଏଠି ବି ତାଙ୍କର ଫୋଟୋ?କୁହ ମାନୁl" ଅଭି ମଧ୍ୟ କାନ୍ଦ କାନ୍ଦ l


 ମାନୁ ପ୍ରକୃତିସ୍ଥ ହୋଇ ସେହି ବେଦନାଭରା ଦୁଃଖ କାହାଣୀ କହିଲେ, "ଅଭି ସେହି ଯେଉଁ ଦିନ ତୁମେ ମୋତେ ଫୋନରେ କହିଲ ଉମାକାନ୍ତ ଆଉ ଭଲହୋଇ ଫେରି ନପାରନ୍ତି , ସେ AIDSରେ ଆକ୍ରାନ୍ତ ଆଉ ଜୀବନର ଶେଷ ସମୟ ଦିଲ୍ଲୀର ଏକ ନାମୀ ହସ୍ପିଟାଲର କାଟୁଛନ୍ତି ଏବଂ ତୁମେ ଆଗରୁ ଏ କଥା ଜାଣିଥିଲ, ମୁଁ ସେଦିନ ତୁମ ଉପରେ ଖୁବ ରାଗିଯାଇଥିଲି l କିନ୍ତୁ ମୋର ଉମାକାନ୍ତଙ୍କ ଉପରେ ସମ୍ପୂର୍ଣ ଭରସା ଥିଲା l ଏ ରୋଗ ତାଙ୍କ ଦେହକୁ ତାଙ୍କ ଅଜାଣତରେ କିପରି ଅସିଥାଇପାରେ ଓ ମୁଁ ମୋ ଜୀବନ ଜ୍ୟୋତି ନିକଟକୁ ନିଶ୍ଚୟ ଯିଵି ବୋଲି ସ୍ଥିର କରିନେଇଥିଲି l ମୋ ସ୍ୱପ୍ନର କାଚଘରକୁ ଏପରି ଭାଙ୍ଗି ଟୁକୁଡା ଟୁକୁଡା ହେବାକୁ ଦେବିନି ମୁଁ l ଉମାକାନ୍ତ ଠିକ ନହେଲେ ମୁଁ ବି ଆଉ ଫେରିବିନି l ସବୁକିଛି ଠିକ ହେଇଯିବ l ଏମିତି ଭାବୁ ଭାବୁ ସେହି କିଛି ଘଣ୍ଟା ଭିତରେ ମତେ ଆଉ ଗୋଟେ ଫୋନ କଲ ଆସିଲା l ସେପଟୁ ନାରୀ କଣ୍ଠରୁ କରୁଣ କ୍ରନ୍ଦନର ରୋଳ l ପୁଣି କ୍ରନ୍ଦନ ଥମିଆସି ଧୀର ଗଳାରେ ମୋ ନାମର ଉଚ୍ଚାରଣ:

-ମାନସୀ ଦେବୀ ନାଁ?ମୁଁ ଶିଖା l ଉମାକାନ୍ତଙ୍କ ଜୀବନ ଶିଖା l ତୁମେ ଯେପରି ତାଙ୍କ ଜୀବନର ଶେଷ ବିନ୍ଦୁ ସାଜି ତାଙ୍କ ସହ ମିଳିତ ହେବାର ଆକାଂକ୍ଷାରେ ଅପେକ୍ଷିତା ମୁଁ ବି ଦିନେ ସେହିପରି ତାଙ୍କର ଜୀବନ ଶିଖା ସାଜି ଅହରହ ତାଙ୍କ ଜୀବନକୁ ପ୍ରଜ୍ଜ୍ୱଳିତ କରିବାକୁ ପ୍ରତିବନ୍ଧିତା ହୋଇଥିଲି l ଆମ ଦୁହିଁଙ୍କର ସ୍ୱପ୍ନ ଅପୂରଣୀୟରହିଯିବ ମାନସୀ ଦେବୀ l ଉମାକାନ୍ତ ଆମ ଦୁହିଁଙ୍କୁ ଠକି ଚାଲିଯାଉଛନ୍ତି l ସେ ଜଣେ ଧୂର୍ତ୍ତ ଖେଳୁଆଡ଼ l ତାଙ୍କର ଦୁଇଟି ରୂପ l ଉମାକାନ୍ତ ତ ତୁମକୁ ତାଙ୍କର ଅଙ୍ଗାରମୟ ଅନ୍ତର ଟାକୁ ଖୋଲି ଦେଖେଇନାହାଁନ୍ତି l ମୁଁ କିନ୍ତୁ ଦେଖିଛି ସେହିଟା l ତାଙ୍କ ଲୋଭନୀୟ ଚେହେରା ଓ ବଳିଷ୍ଠ ବ୍ୟକ୍ତିତ୍ୱରେ ଆକର୍ଷିତ ହୋଇ ଉମାକାନ୍ତଙ୍କ ପ୍ରେମ ଅନଳରେ ଝାସ ଦେଇଦେଲି l ତାପରେ ମହାକାଳ ଫଳର ବାହାର ଖୋଳପାଟା ଫାଟି ଛାରଖାର ହୋଇଗଲା l ଉମାକାନ୍ତଙ୍କ କଳଙ୍କିତ ଅନ୍ତର୍ଦେଶର ପରିଚୟ ପାଇଲି ମୁଁ l ଛି କି ନାରଖାର.. ମତେ ସେ କ୍ଷତାକ୍ତ କରି ଛାଡ଼ି ଚାଲିଗଲେ ମାନସୀ ଦେବୀ l


  ମାନସୀ ଟିକେ ଅଟକି ଯାଇ ପୁଣି କହିଲେ, "ଅଭି ସେହି ନାରୀ ଜଣଙ୍କ ମତେ କାନ୍ଦି କାନ୍ଦି କହିଲେ ସେ ଉମାକାନ୍ତଙ୍କ ପ୍ରଥମ ପତ୍ନୀ ଯାହାଙ୍କୁ ସେ ବାଲେଶ୍ୱରର ନୂଆବଜାରରେ ଗୋଟେ ଭଡ଼ା ଘରେ ପରିତ୍ୟକ୍ତ ବର୍ଜ୍ୟବସ୍ତୁ ପରି ଛାଡିଆସିଛନ୍ତି l ସାଙ୍ଗରେ ଉପହାର ସ୍ୱରୂପ ଦେଇଆସିଛନ୍ତି HIV ଓ ଗର୍ଭରେ ଏକ କ୍ଷୁଦ୍ର ଜୀବନର ସତ୍ତା l ବିଚାରୀ ଏଡସ ରୋଗୀ ବୋଲି କେହି ତା ପାଖ ମାଡୁନଥାନ୍ତି l ସମାଜରୁ ବାଛନ୍ଦ ହୋଇ ଗର୍ଭବତୀ ରୋଗୀଣା ନାରୀ ଟି ବିନା ଦୋଷରେ ଶାସ୍ତି ଭୋଗୁଛି l କେହି ନାହିଁ ପାଖରେ l ସାହି ପଡିଶାକୁ ସାହାଯ୍ୟ ମାଗିବା ପାଇଁ ଗଲେ କବାଟ ବନ୍ଦ କରିଦେଉଛନ୍ତି l ସେହି ସବୁ ଲୋକଙ୍କୁ କିଏ ବୁଝେଇବ ଏଡସ ରୋଗୀ ସହ ବସା ଉଠା କଲେ ରୋଗ ଟା ବ୍ୟାପି ଯାଏନାହିଁ? ଆଗରୁ ଘରଦ୍ୱାର ଛାଡ଼ି ଆସିଥିବା ପ୍ରେମ ପାଗଳୀ ଝିଅ ଟି ମୃତ୍ୟୁକୁ ଅପେକ୍ଷା କରି ପଡିରହିଥାଏ l ଗର୍ଭରେ ପୁଣି ଉମାକାନ୍ତଙ୍କ ପ୍ରେମର ସନ୍ତକ l ମୋତେ ଖୁବ ବିକଳ ହୋଇ ଡାକିଲେ l ମୁଁ ବି ନିଜକୁ ଅଟକାଇ ପାରିଲିନି l କି ଗୋଟେ ଦୁର୍ବଳତା ମତେ ଟାଣିଆଣିଲା ଏଠିକୁ l ସଭିଙ୍କ ଅଗୋଚରେ ସବୁକିଛି ପଛରେ ଛାଡ଼ି ଚାଲିଆସିଲି l ଶିଖାଙ୍କ ଶେଷ ସମୟର ସାକ୍ଷୀ ମୁଁ l ମୋରି ହାତରେ ଉମାକାନ୍ତଙ୍କ କ୍ଷୁଦ୍ର ସତ୍ତାଟିକୁ ଟେକିଦେଇ ସେ ଶେଷ ନିଶ୍ୱାସ ତ୍ୟାଗ କଲେ lକୁନି ଜୀବନ ଟି ବି ସ୍ୱଭାଗ୍ୟବଶତଃ ଏଚ ଆଈ ଭି ନେଗେଟିଭ l ସେହି ଭୟଙ୍କର ରୋଗ ଠୁ ଦୂରରେ l " 

 ଏତକ କହି ସାରି ଏକ ଦୀର୍ଘ ନିଶ୍ୱାସ ମାରିଲେ ମାନସୀ l


"ମାନୁ ଏ ଅଭିପ୍ସା କଣ ସେହି.."ଅଭି କହୁ କହୁ ଅଟକି ଗଲେ l


"ହଁ ଅଭି l ଏହି ମୋ ଉମାକାନ୍ତଙ୍କ ଶେଷ ସନ୍ତକ l ଏହି ମୋ ଜୀବନର ଜ୍ୟୋତି l ମୁଁ ତାକୁ ସଭିଙ୍କ ଠୁ ଲୁଚେଇରଖିଛି l ଉମାକାନ୍ତ ଓ ଶିଖାର ପରିବାରକୁ ସାମାନ୍ୟତମ ସୁରାଗ ବି ପାଇବାକୁ ଦେଇନାହିଁ l ଅଭିପ୍ସା ଏକାନ୍ତ ଭାବେ ମୋର l ୟା ଉପରେ ଆଉ କାହାର ଅଧିକାର ନାହିଁ l କାହାର ବି ନାହିଁ " କହୁ କହୁ ଅତିମାତ୍ରାରେ ଭାବ ବିହ୍ୱଳ ହୋଇପଡିଲେ ମାନସୀ l


ଅଭି ଆଚମ୍ବିତ l କିଭଳି ଉପାଦାନରେ ଗଢ଼ା ଏ ନିରୀହ ଝିଅ ଟି?ଯୋଉ ଲୋକ ଛଳନା କରି ତାର ସର୍ବସ୍ୱ ନଷ୍ଟ କରିବାକୁ ବସିଥିଲା ତାହାରି ସତ୍ତାକୁ ବଞ୍ଚେଇରଖିବା ପାଇଁ ନିଜର ସମସ୍ତ ସ୍ୱାର୍ଥକୁ ଝିଅଟା ଜଳାଞ୍ଜଳି ଦେଇଦେଲା l ସେହି ନିହାତି ପର ଲୋକଟିର ପ୍ରେମକୁ ନିଜ ଭିତରେ ଜୀବିତରଖିବା ପାଇଁ ବାକି ସମସ୍ତ ନିଜର ଲୋକଙ୍କୁ ପର କରିଦେଇପାରିଲା? "ମାନୁ ତୁମେ ମହାନ l ମହାନ ତୁମ ମଣିଷପଣିଆ l ନିଷ୍କଳଙ୍କ ନିର୍ମଳ ତୁମ ପ୍ରେମ l ତୁମ ପରି ନିସ୍ଵାର୍ଥପର ନାରୀ କଣ ସତରେ ଆଉ କେହି ଥିବେ? ନାଇଁ.. ଥିବା ଅସମ୍ଭବ l"ଅଭିମନ୍ୟୁଙ୍କ ଭଙ୍ଗା ଭଙ୍ଗା ଥରିଲା ସ୍ୱର l


"ଆରେ ଅଭି !ଥାଉ ଥାଉ l ଆଉ ବେଶୀ ପ୍ରଶଂସା କରନି ମୋର l ତୁମେ ତ ଆସିଗଲ ନାଁ ଏଠିକୁ ତୁମ ମାନୁକୁ ଖୋଜି ଖୋଜି l ଆଉ ମୋର ଦୁଃଖ କଣ?ହଉ ଏବେ ଚାଲ ଏଠୁ l ଆଜି ରବିବାର ବୋଲି ଭୁଲିଗଲ ବୋଧେ? ଚାଲ କିଚେନକୁ l ମିଶିକି ରୋଷେଇ କରିବା l ଆସନ୍ତା ରବିବାର କିନ୍ତୁ ତୁମ ଘରେ l ଭାଉଜଙ୍କ ହାତରନ୍ଧା ସ୍ପେସିଆଲ ମିଲ l ବୁଝିଲ? "


  ଦୁହେଁ ହସି ହସି କିଚେନ ଭିତରକୁ ଚାଲିଗଲେ l ଆଜି ମାନସୀ ସେହି ପୁରୁଣା ମାନୁ ପାଲଟି ଯାଇଛନ୍ତି l ମନ ଭିତରେ ଜମାଟ ବାନ୍ଧିଥିବା ମେଞ୍ଚା ମେଞ୍ଚା ଅଭିମାନ ବି ତରଳି ଧୋଇହୋଇଯାଇଛି l ହୃଦୟରୁ ଦୁଃଖର ଭାର କମି ଯାଇଛି l ସେ ଆଉ ଏବେ ଏକା ନୁହଁନ୍ତି l ତାଙ୍କ ପ୍ରିୟ ଅଭି ପୁଣି ତାଙ୍କ ଜୀବନରେ ନୂଆରଙ୍ଗ ନେଇ ଆସିଛନ୍ତି l


 ଅଭିପ୍ସା ମଧ୍ୟ ଆଜି ଏତେ ଦିନ ପରେ ମାମାଙ୍କର ମନ ଖୋଲା ହସ ଦେଖି ଖୁବ ଖୁସି ହୋଇ ଅଭି ଙ୍କୁ ପଚାରିଲା , "ଅଙ୍କଲ ଆପଣ କଣ ମୋ ମାମାଙ୍କ ବେଷ୍ଟ ଫ୍ରେଣ୍ଡ? "

ଅଭିଙ୍କ ସ୍ନେହଁ ବୋଳା ସ୍ପର୍ଶ ଓ ହାଲକା ହାଲକା ଉତ୍ତର, "ହଁରେ ମାମା...ବେଷ୍ଟ ଫ୍ରେଣ୍ଡ "l


  ଅନେକ ଦିନ ପରେ ଆଜି ପୁଣି ସେହି ପୁରୁଣାରବିବାର, ପୁରୁଣା ସାଙ୍ଗ କିନ୍ତୁ ନୂଆ ସ୍ଥାନ ଓ ନୂଆ ଉତ୍ସାହ l ଆଜି ପୁଣି ଅଭି ଅଛନ୍ତି, ମାନୁ ଅଛନ୍ତି ନାହିଁ କେବଳ କିଛି ଛଳନା, କପଟ କି ପ୍ରତାରଣା l କିନ୍ତୁ ପ୍ରତାରିତା ଟିର ହୃଦୟରେ ଆଜି ମଧ୍ୟ ସେହି ପୁରୁଣା ପ୍ରେମର ସ୍ରୋତ ପୂର୍ବପରି ତା ପ୍ରତାରକ ପ୍ରେମିକ ପାଇଁ ଅନବରତ ବୋହିଚାଲିଛି l





Rate this content
Log in

Similar oriya story from Romance