ଜିଇଁବାର ଶୈଳୀ : ଜୀବନ
ଜିଇଁବାର ଶୈଳୀ : ଜୀବନ
ରଶ୍ମି ଚାଲିଚାଲି ଦୋକାନରୁ ଆସୁଥିଲା। ଅଫିସ୍ ରୁ ତନ୍ମୟଙ୍କ ଫେରିବା ସମୟ। ଘରେ ସେଇ ସମୟରେ ନଥିଲେ ମୁହଁରେ କଳା ବାଦଲର ଆସ୍ତରଣ ଘେରିଯାଏ ତନ୍ମୟଙ୍କର। ଚାଲିରେ ଗତି ଟିକେ ବଢ଼ାଇଲା। ହଠାତ୍ ବର୍ଷା ଝିପଝିପ୍ ହେବାରୁ ଗଛମୂଳରେ ଠିଆ ହୋଇଗଲା। ତା' ପୁରୁଣା ବନ୍ଧୁଙ୍କ ସାଙ୍ଗେ ହଠାତ୍ ଦେଖା ହୋଇଗଲା। ବର୍ଷାରେ ଭିଜିବାକୁ ମନ ଚାହିଁଲା। ଘରକଥା ଭୁଲିଗଲା କିଛି କ୍ଷଣ ପାଇଁ। ଆଉ ଗଛ ତଳେ ଠିଆ ହେଲାନି ସେ। ଆକାଶକୁ ଅନାଇ ଆଖି ବୁଜି ତା'ସାଙ୍ଗରେ ମିଶି ମନଭରି ଓଦା ହେଲା। ବାହା ନହେବା ଆଗରୁ ତା' ସାଙ୍ଗରେ ମିଶି ବର୍ଷାରେ କେତେ ଓଦା ନ ହୋଇଛି। ସ୍ମୃତି ସବୁ ଭାସି ଆସିଲା। ସେ କହିଲା ରଶ୍ମିକୁ-- ବେଳ ହେଲାଣି ଘରକୁ ଯା। ତନ୍ମୟ ଆସିବେଣି। ରଶ୍ମି ଅନାଇଲା ନିଜକୁ। ଓଦାରେ ଜୁଡୁବୁଡୁ ଦେହ। ପ୍ରକୃତିସ୍ଥ ହୋଇ ଘରକୁ ଫେରିଲା।
ଘର କବାଟ ଦରଆଉଜା ହୋଇଛି। ନିଶ୍ଚୟ ତନ୍ମୟ ଅଫିସ୍ ରୁ ଫେରିଲେଣି। କବାଟ ଠେଲି ପଶିଲା ବେଳକୁ ତା' ଓଠରେ ଚେନାଏ ହସ ଓ ଓଦା ଶାଢ଼ୀଟାକୁ ଦେଖି ତନ୍ମୟ ପ୍ରଶ୍ନିଳ ଆଖିରେ ଅନାଇଲେ। ବିନା ଉତ୍ତରରେ ରଶ୍ମି ଲୁଗା ବଦଳାଇ ଚା' ବସାଇବାକୁ ଚାଲିଗଲା। ଚା' ବସାଇ ବର୍ଷାକୁ ମନେ ପକାଇ ଖୁସିରେ ଗୀତ ଗୁଣୁଗୁଣୁ ହୋଇ ଗାଉଥିଲା। ମୋବାଇଲ୍ ରେ ବର୍ଷାକୁ ନେଇ ଗୀତସବୁ ଖୋଜିଲା। ରଶ୍ମିର ଏମିତି ପରିବର୍ତ୍ତନ ଦେଖି ତନ୍ମୟ ଆଶ୍ଚର୍ଯ୍ୟ ହେଲେ। ତାଙ୍କୁ ଟିକେ ନ ଅନାଇ ଖୁସିରେ କରି ତା' କାମ କରି ଚାଲିଛି ! କିଛି ନକହି ଶୋଇ ପଡିଲେ ସେ।
ସକାଳୁ ଉଠିଲା ବେଳକୁ ଘରର ବାତାବରଣ ପୂରା ସୁଗନ୍ଧିତ । ଅନାଇଲେ ଚାରିଆଡ଼େ। ଡାଇନିଂ ହଲ୍ କୁ ଆସି ଦେଖିଲେ , ରଶ୍ମି ହାତରେ ଟ୍ରେ ନେଇ ଆସୁଛି ତାଙ୍କ ଆଡ଼କୁ। ଟ୍ରେରେ ଅଛି ଦୁଇଟି ଚା' କପ୍। ଡାଇନିଂ ଟେବୁଲ୍ ଉପରେ ଟ୍ରେ ଟିକୁ ଥୋଇଦେଇ ହସହସ ମୁହଁରେ ଦାନ୍ତ ବ୍ରସ୍ କରିବାକୁ କହିଲା। ହଲ୍ ର ପରଦା ସବୁ ଆଡେଇ ଦେଇ ସୂର୍ଯ୍ୟଙ୍କର ରକ୍ତିମ ଆଭାକୁ ଅନାଇ ଗୁଣୁଗୁଣୁ ହୋଇ ଗୀତ ଗାଇ ଚା' ପିଉଥାଏ। ତନ୍ମୟ ବ୍ରସ୍ କରି ଚା' ପିଉ ପିଉ ଅନାଇ ରହିଥାନ୍ତି ରଶ୍ମିକୁ। ଚୁଟି ସାଇଜ୍ ରେ କୁଣ୍ଡାଇ କ୍ଲିପ୍ ଦିଆହୋଇଛି, କିଛି ସାମ୍ନାରେ ଆସି ପଡ଼ିଛି ଯାହା ତାକୁ ଆହୁରି ସୁନ୍ଦର କରିଦେଇଛି। ମଥାରେ ବିନ୍ଦି ଠିକ୍ ଜାଗାରେ, ସିନ୍ଥିରେ ସିନ୍ଦୂର ସରୁ କରି ଲଗାଇଛି , ତା' ସାଙ୍ଗକୁ ପିଙ୍କ୍ ରଙ୍ଗର ଡ୍ରେସ୍। ଆଜି ବହୁତ ସୁନ୍ଦର ଲାଗୁଛି ସେ। କାଇଁ ଆଗରୁ ତ କେବେ ଏମିତି ରଶ୍ମିକୁ ଦେଖିନାହାନ୍ତି। ସେମିତି ଆଲୁରୁବାଲୁରୁ ହୋଇ ଖାଲି କାମ କରୁଥିବ। କାଲି ସନ୍ଧ୍ୟାବେଳେ ବାହାରୁ ଆସିବା ପରେ ବି ବହୁତ ଖୁସି ଥିଲା। ହଠାତ୍ ଏମିତିଆ ପରିବର୍ତ୍ତନ... କିଛି ଅଜବ ଲାଗୁଥିଲା ତାଙ୍କୁ। ଏମିତି ରଶ୍ମିକୁ ସେ ବିବାହ ପୂର୍ବରୁ ଦେଖିଥିଲେ। ଆଜି ସେ ଯେପରି ନୂଆ କରି ଦେଖୁଛନ୍ତି । ପଚାରିଲେ--
-- କୁଆଡେ ଯିବାକୁ ଅଛି ନା କ'ଣ ? ସକାଳୁ ପୂରା ଫିଟ୍ ! -
-- ନା..., ତନ୍ମୟ ! ମୋତେ କେହି ଜଣେ ଚେତାଇ ଦେଇଛି ଏମିତି ଜୀବନ ଜିଇଁବାକୁ।
-- କିଏ ସେହି ଭାଗ୍ୟବାନ ଜାଣିପାରେ କି ?
-- ସମୟ ଆସିଲେ ଜାଣିଯିବ।
୪-୫ ଦିନ ଧରି ତନ୍ମୟ ନିରୀକ୍ଷଣ କରୁଥିଲେ ରଶ୍ମିକୁ। ଖୁସିର ସହିତ ଘରର ସବୁ କାମ କରିବା ସହ ନିଜେ ବି ଫିଟ୍ ରହୁଥିଲା। ଦିନକୁ ଦିନ କୌତୁହଳ ବୃଦ୍ଧି ପାଉଥିଲା ମନରେ ତାଙ୍କର। ଆଜି ଶୀଘ୍ର ଫେରିବେ ଅଫିସ୍ ରୁ ଭାବି ଚାଲିଗଲେ ସେ।
ଅଫିସ୍ ରୁ ଫେରି ଘର ଭିତରକୁ ଚାବି ଖୋଲି ଭିତରକୁ ପଶିଲା ବେଳକୁ ରଶ୍ମି ଘରେ ନଥିଲା। ସୋଫାରେ କିଛି କ୍ଷଣ ବସିପଡିଲେ। ଫୋନ୍ କଲେ ରଶ୍ମିକୁ। ଫୋନ୍ ରେ ରଶ୍ମି କହିଲା--
-- ଛାତ ଉପରେ ଅଛି। ଫ୍ରେସ୍ ହୋଇ ଉପରକୁ ଆସ।
ତନ୍ମୟ ଫ୍ରେସ୍ ହୋଇ ଉପରକୁ ଗଲେ। ଦେଖିଲେ ରଶ୍ମି ମୋବାଇଲରେ ଗୀତ ଲଗାଇ ଶୁଣୁଛି ଅସ୍ତ ହୋଇଯାଉଥିବା ସୂର୍ଯ୍ୟଙ୍କୁ ଅନାଇ। ଓଠରେ ହସ ଚେନାଏ ଖେଳି ରହିଛି।
ପାଖରେ ଏକ ଟ୍ରେ ରେ ଛୋଟ ଥର୍ମୋଫ୍ଲାସ୍କ , ଦୁଇଟା କପ୍ ଥୁଆ ହୋଇଛି। ଏମିତି ରଶ୍ମିକୁ ସେ ତ ଖୋଜୁଥିଲେ ! ତାଙ୍କ ଆସିବାର ଦେଖି ଚା' ଢ଼ାଳିଲା କପ୍ ରେ। ତନ୍ମୟ ଏକ ବିସ୍ମୟ ଚାହାଣିରେ ଅନାଇ ରଶ୍ମିର ହାତକୁ ଧରି ପଚାରିଲେ--
-- କଥା କ'ଣ , ହଠାତ୍ ଏତେ ସୁନ୍ଦର ପରିବର୍ତ୍ତନ ?
-- ସେଦିନ ମୁଁ ଦୋକାନ ଯାଇଥିଲି ନା... ମୋ ସାଙ୍ଗ ଆଭା ସାଙ୍ଗରେ ଦେଖାହେଲା। ସେ କହିଲା-- କେତେ ସୁନ୍ଦର ଥିଲୁ ତୁ। ଏବେ କ'ଣ ଏମିତି ଦେଖାଯାଉଛୁ ?? ମୁଁ କହିଲି ,"ବହୁତ କାମ। ହାଲିଆ ଲାଗୁଚି। ନିଜକୁ ଅନାଇ ହେଉନି।" ଏତିକି ଶୁଣି ସେ ଖାଲି ହସିଲା। କହିଲା-- ବାହାଘରର ୬ମାସରେ ହାଲିଆ ହୋଇ ଗଲୁଣି। ସାରା ଜୀବନ ପଡ଼ିଛି। ଏବେ ଠାରୁ ଜୀବନ ପ୍ରତି ଏତେ ବୀତସ୍ପୃହ !!! ପୁଣି ତନ୍ମୟ ଓ ତୁ ମାତ୍ର ଦୁଇ ଜଣ ବୋଲି ମଣିଷ। ମୋତେ ଦେଖ। ଘରେ ଶାଶୁ , ଶଶୁର , ଛୋଟ ପୁଅଟେ। ମିହିରଙ୍କ ଅଫିସ୍ ସରୁ ସରୁ ରାତି ଦଶ୍। ନିଜକୁ ସଜେଇ ଘର କାମ ଠିକ୍ ରେ ମ୍ୟାନେଜ୍ କଲେ ମନ ଖୁସି ରହିବା ସହ ପରିବାର ସଦସ୍ୟଙ୍କୁ ବି ଖୁସିରେ ରଖିପାରିବୁ। ମୁଁ ତାକୁ ଅନେଇ ରହିଥିଲି। ସତରେ ତ, ସେ ବହୁତ ସୁନ୍ଦର ଆଉ ଖୁସି ଅଛି ଠିକ୍ ଆଗଭଳି।
ଦୋକାନରୁ ଫେରିବା ବେଳକୁ ବର୍ଷା ହେଉଥିଲା। ମନଭରି ଓଦା ହୋଇ ଘରକୁ ଫେରିଲି। ମୋ ଅନ୍ତରର ଡାକ ଶୁଣିପାରିଲି। ସବୁ ବିଷାଦର ଅନ୍ତ ହୋଇଗଲା ବର୍ଷା ଜଳରେ। ମୋ ନିଜ ପ୍ରେମରେ ମୁଁ ପଡ଼ି ଯାଇଛି ତନ୍ମୟ ! ଆଉ ତା'ପରେ ମୋ ଭିତରେ ଏ ପରିବର୍ତ୍ତନ। ନିଜକୁ ଦେଖିଲା ପରେ ସବୁ କାମ ସେମିତି ଠିକ୍ ଚାଲିଛି। ବରଂ ଆଗ ଅପେକ୍ଷା ମୁଁ ଏବେ ବେଶ୍ ଫୁର୍ତ୍ତି ଅନୁଭବ କରୁଛି। ମୁଁ ଅନୁଭବ କରୁଛି ତମ ଭଲପାଇବା ମୋ ପ୍ରତି ଆଗ ଅପେକ୍ଷା ବଢ଼ିଯାଇଛି।
ସେଇ ସମୟକୁ ଠିକ୍ ଭାବରେ ଉପଯୋଗ କରାଯାଏ କିପରି ଏବେ ଜାଣି ପାରିଲି। ଜିଇଁବାର ଶୈଳୀ ଜାଣି ନପାରିଲେ ଜୀବନ ବୋଝ ମନେହୁଏ।
ତନ୍ମୟ ଖୁସି ହୋଇ ଅନାଇ ରହିଥିଲେ ଗୋଟେ ପରିବର୍ତ୍ତିତ ରଶ୍ମିକୁ ଯାହାକୁ ସେ ହଜାଇ ଦେଇଥିଲେ। ରଶ୍ମିକୁ କହିଲେ-- କାଲିଠୁ ଦୁଇ ଦିନ ଛୁଟି ଅଫିସ୍। ପୁରୀ ବୁଲି ଆସିବା। ସମୁଦ୍ରକୂଳରେ କିଛି ସମୟ ବିତାଇ ଗାଁରେ ବାପା, ବୋଉଙ୍କ ପାଖରେ ଗୋଟେ ଦିନ ରହି ଫେରିଆସିବା।
-- ଆରେ ବାଃ ! ଭଲ ପ୍ରସ୍ତାବଟିଏ ଦେଲ। ବୋଉ ଫୋନ୍ କରି କହୁଛନ୍ତି ଗାଁକୁ ଆସିବାକୁ। ତମେ ତ ଧ୍ୟାନ ଦେଉନ। କାଲିପାଇଁ ଜିନିଷ ପ୍ୟାକିଂ କରିବା ଚାଲ।
ହାତରେ ହାତ ଛନ୍ଦି ଦୁଇ ଜଣ ତଳକୁ ହସିହସି ଓହ୍ଲାଇ କରି ଆସୁଥିଲେ। ତନ୍ମୟ ଗାଁକୁ ଫୋନ୍ କରି ଜଣାଇଲେ-- ବୋଉ , କାଲି ଆମେ ଗାଁକୁ ଆସୁଛୁ। ବୋଉ ହସିଲା ସ୍ୱରରେ କହିଲେ, ହଁ ରେ ପୁଅ ! ତମେମାନେ ଆସିଲେ ଏ ଘର ପୂରନ୍ତା ଲାଗିବ। ବାହାରେ କେଉଁଠି ଖାଇବନି। ମୁଁ ରୋଷେଇ କରି ରଖିଥିବି। ଆସିଲେ, ସମସ୍ତେ ମିଶିକି ଖାଇବା।