STORYMIRROR

Bijayalaxmi Das

Others

4  

Bijayalaxmi Das

Others

କଳି...

କଳି...

2 mins
244


ଫୋନ୍ କରିଥିଲା ମୋ ସାଙ୍ଗ ହେମା। 

-- ଦିପାବଳୀର ଶୁଭେଚ୍ଛା ଜଣାଉଛି। ଆଉ ସମସ୍ତେ ଭଲ ଅଛ ତ?

--- ହଁ , ଭଲ ଅଛୁ। ହେଲେ ଘର ଭିତରେ ରହି ରହି ବନ୍ଦୀ ଜୀବନ। ଆଉ କ'ଣ ଭଲ ଲାଗୁଛି। କେବେ ଏ କରୋନା ଦାଉରୁ ମୁକ୍ତି ମିଳିବ କେଜାଣି ? ହ‌ଉ ଛାଡ଼ , ତମେ ସବୁ ଭଲ ଅଛ କି ନାହିଁ କହିଲୁ?

-- ହଁ, ଏବେ ତ ଭଲ ଅଛୁ। କିନ୍ତୁ ଗୋଟେ ବଡ ଦୁର୍ଘଟଣାରୁ ବର୍ତ୍ତିଗଲୁ ଆମେ।

-- ଆରେ ଏମିତି କ'ଣ କହୁଚୁ ? 

କହିଲା-- ତୁ ତ ଜାଣିଛୁ ମୋତେ କଳିହୁଡି କହି ରଞ୍ଜନ କିପରି ଚିଡାନ୍ତି। ସେଇ କଳି ପାଇଁ ଆଜି ଆମେ ବଞ୍ଚିଗଲୁ। 

ମୋର ମନେ ପଡ଼ିଗଲା ସେମାନେ ଆମ ଘରପାଖରେ ରହୁଥିଲେ। ପ୍ରତିଦିନ କଳିଝଗଡା। ଭଲ ରାନ୍ଧି ଆସେନି ତାକୁ। ରଞ୍ଜନ ଯଦି ଖୁଣିଦେଲେ ତେବେ କଥା ସରିଲା।ରାଗିକି ରଞ୍ଜନଙ୍କ ମା'ଙ୍କ ଆଡ଼େ କଥା ପଳାଏ। ଏମିତି... ତମ ମା'ଙ୍କ ହାତରେ କ'ଣ ରୋଷେଇ ଭଲ ହୁଏକି। ମୁଁ ଆଉ କାଲିଠୁ ରୋଷେଇ କରିବିନି କହି ୨-୩ଦିନ ଯାଏଁ ରୋଷେଇ ବନ୍ଦ। ବିଚରା ରଞ୍ଜନ କରିବ କ'ଣ ? କେ‍ଉଁଦିନ କ୍ୟାଣ୍ଟିନରେ ତ ଆଉ କେଉଁଦିନ ହୋଟେଲରେ। କିନ୍ତୁ ଶାଶୁ ଗାଁ'ରୁ ଆସିଲେ ତାଙ୍କ ସେବା ଯତ୍ନରେ କେବେ ହେଳା କରେନି।ହୃଦୟ ଲହୁଣୀ ଭଳି କୋମଳ। ପୁଣି ୨-୩ ଦିନ ପରେ ଭଲ ଖାଇବା ସବୁ ବନାଇ ରଞ୍ଜନକୁ ପରଶିଦିଏ। ବେଳେ ବେଳେ ଶାଢ଼ୀ, ଗହଣାକୁ ନେଇ ମାଡ଼ ଗୋଳ। ରଞ୍ଜନ କହିବା ପୂର୍ବରୁ ତା'ପାଟିକୁ ଚୁପ୍ କରାଇଦିଏ। ବେଳେ ବେଳେ ଉପରେ ପଡ଼ି କଳି କରେ। ପୁଣି ନିଜ ଭୁଲ ବୁଝି କାମରେ ଲାଗିଥାଏ। ତା' ପାଟିରେ ମୋ ଭାବନା ବନ୍ଦ ହୋଇଗଲା।

କହିଲା-- ସେଇ ଯେଉଁ ବିସ୍ଫୋରଣ ହେଲା ଜାଣିଥିବୁ ତ। ମୁଁ ୟାଙ୍କ ସାଙ୍ଗରେ ମାର୍କେଟ ଯାଇଥିଲି ଶାଢ଼ୀ

କିଣିବାକୁ। କିଣିସାରି ଫେରୁଛୁ। ପେଟ୍ରୋଲ ପମ୍ପ୍ ଠି ଅଟକି ଗାଡ଼ିରେ ତେଲ ପକାଇ ଘରକୁ ଫେରିବା ବୋଲି କହିଲେ। ମୋ ମନ ଖୁସି ଥିଲା। ମନ ପସନ୍ଦର ଶାଢ଼ୀ ପାଇଯାଇଥିଲି ନା, ସେଥିପାଇଁ। ଗାଡ଼ିରୁ ଓହ୍ଲାଇ ତେଲ ପକାଇବାକୁ ଯାଉଛୁ , ଫୋନ୍ ଆସିଲା ମୋ ବୋଉର। ବାପା ,ବୋଉକୁ ଧରି ଦୁଆରମୁହଁରେ ଠିଆ ହୋଇଛନ୍ତି। ମୁଁ କହିଲି-- ଚାଲ ପଳାଇବା। କାଲି ସକାଳେ ଅଫିସ୍ ଗଲାବେଳକୁ ତେଲ ପକାଇଦେବ। ସେ କହିଲେ -- ଓହ୍ଲାଇ ସାରିଲେଣି। କେତେ ସମୟ ଲାଗିବ ଯେ। ତେଲ ପକାଇ ଯିବା। ମୋ ବ୍ରହ୍ମ ଜଳିଗଲା। ପାଟି କରି କମ୍ପାଇଲି। ତୁ ତ ଜାଣିଛୁ ମୋ କଥା। ରାଗିଗଲେ ମୋର ହିତାହିତ ଜ୍ଞାନ ରହେନି। କହିଲି-- ମୋ ବାପା, ବୋଉ ସେଠି ଠିଆ ହୋଇଥିବେ। ଆଉ ତମେ ଏଠି ତେଲ ପକାଇ ଆରାମରେ ଘରକୁ ଯିବ। ବୁଢ଼ା ବୁଢ଼ୀ ହେଲେଣି ଗୋଡ଼ କାଟିବ। ଆଜି ତମ ବାପା,ମା ଆସିଥିଲେ ଏମିତି କ'ଣ କରିଥାନ୍ତ ? ତମେ ତେଲ ପକାଉ ଥା। ମୁଁ ଚାଲି ଚାଲି ଯାଉଛି। ଏଇଠି ପରା ୮ନମ୍ବର କଲୋନୀଟା। ମୋତେ କ'ଣ ବଳାଇବ। ତା'ପରେ ରାଗିକି ବାହାରକୁ ଚାଲିଆସିଲି। ମୋ ରାଗ ଦେଖି ଆଉ ରଞ୍ଜନ କ'ଣ ତେଲ ପକାଇବେ।ଗାଡ଼ି ଆଣି ମୋ ପାଖରେ ହାଜର। କହି କହି ଫେଁ ଫେଁ କରି ହସିଲା। ଆମେ ଘର ଦୁଆର ମୁହଁରେ ପାଇଛୁ କି ନାହିଁ ଏ ବିସ୍ଫୋରଣ ଘଟିଲା। ମୋତେ ସବୁ ବେଳେ ତୁ କହୁ-- ତାଙ୍କ ସାଙ୍ଗରେ ଅଯଥାରେ କାହିଁକି କଳି ଲଗାଉଛୁ। ଦେଖ୍ , ଏଇ କଳି ଯୋଗୁଁ ଆମେ ଆଜି ଠିକଠାକ୍ ଅଛୁ। ସେଦିନ ତେଲ ପକାଇ ଥିଲେ କେତେ ବେଳ ହୋଇଥାନ୍ତା କିଏ ଜାଣେ !!

ମୁଁ ଭାବୁଥିଲି-- ସତରେ ସେଦିନ ଯଦି ସେ କହିନଥାନ୍ତା, କ'ଣଗୋଟେ ଅଘଟଣ ହୋଇ ନଥାନ୍ତା ବୋଲି କିଏ କହିପାରିବ !!

କିଛି କଳି ବି ଭଲ ପାଇଁ ହୁଏ ବୋଲି ଭାବି ମନେ ମନେ ହସୁଥିଲି ମୁଁ।



Rate this content
Log in