Bijayalaxmi Das

Others

4.5  

Bijayalaxmi Das

Others

ଭ୍ରମଣ କାହାଣୀ (ଭାଗ--୪)

ଭ୍ରମଣ କାହାଣୀ (ଭାଗ--୪)

5 mins
270


ପୂର୍ବାଭାଷ...


ଆମକୁ ଏତେ ଜୋରରେ ନିଦ ହୋଇଗଲା ଯେ, ସକାଳୁ ଉଠିଲା ବେଳକୁ ଟ୍ରେନ୍ ଆସି ଜାମ୍ମୁରେ ପହଞ୍ଚିଲାଣି !ଟାକ୍ସିରେ ପୁଣି ଜାମ୍ମୁରୁ 'କାତ୍ରା' ଯିବାର ଥିଲା।


ତା'ପରେ...


'କାତ୍ରା' ଜାମ୍ମୁ କାଶ୍ମୀରର ଏକ ଛୋଟ ସହର। ଆଗରୁ ଟାକ୍ସି ଅପେକ୍ଷା କରିଥିଲା, ଆମେ ବର୍ତ୍ତମାନ ଟାକ୍ସିରେ ଚାଲିଲୁ କାତ୍ରା ଅଭିମୁଖେ। ଏଠାରୁ ପ୍ରାୟ ଗୋଟେ ଘଣ୍ଟା ଲାଗିଥାଏ କାତ୍ରା ପହଞ୍ଚିବାକୁ। ଆମକୁ ଯାତ୍ରା କରିବାର ଥିଲା, ତେଣୁ ବାଟରେ ଏକ ହୋଟେଲ ପାଖରେ ଓହ୍ଲାଇ ସେଠି ନିତ୍ୟକର୍ମ ସାରି ଜଳଖିଆ ଖାଇ ପୁଣି ଯାତ୍ରା କଲୁ।


କାତ୍ରାରେ ପହଞ୍ଚିଲା ବେଳକୁ ଦିନ ୯ଟା ବାଜିଲାଣି। ଆଗରୁ ବୁକିଂ ହୋଇଥିବା ହୋଟେଲ୍ ରେ ପହଞ୍ଚି ଆମେ ଗାଧୋଇ ପଡ଼ି ଫ୍ରେସ୍ ହୋଇଗଲୁ। ଚା' ପିଇସାରି କାତ୍ରାରୁ କିପରି 'ବୈଷ୍ଣୋ ଦେବୀ' ଯିବୁ ସେ ବିଷୟରେ ହୋଟେଲ୍ ର

ମ୍ୟାନେଜରଙ୍କ ସହିତ ଆଲୋଚନା କଲୁ। ଅପରାହ୍ନ ୩ଟାରେ 'ବୈଷ୍ଣୋ ଦେବୀ' ଯିବାକୁ ସ୍ଥିର ହେଲା।


ଖାଇସାରି ଆମେ କାତ୍ରା ଯିବାପାଇଁ ବାହାରିଲା ବେଳକୁ ଦୁଲଦୁଲ୍ କରି ବର୍ଷା କଚାଡିଲା। ମୁହଁଟିମାନ ଶୁଖାଇ ବସିଲୁ। ମୁଁ ଆଗରୁ ପାହାଡ଼ ଚଢିବି ବୋଲି କେତେ ଚାଲିବା ଅଭ୍ୟାସ କରିଥିଲି...ସବୁ ଆଶା ମୋର କ'ଣ ରହିଯିବ... ଏହା ଭାବି ଭାବି ମନ ଦୁଃଖ ହୋଇଗଲା। ହଠାତ୍ ମିଷ୍ଟର କହିଲେ ଯେ ବର୍ଷା ଟିକେ କମିଲାଣି , ଚାଲ ଯିବା। ସାଙ୍ଗେ ସାଙ୍ଗେ ଆମେ ଖୁସି ହୋଇ ବାହାରିପଡ଼ିଲୁ।


ଜାମ୍ମୁ କାଶ୍ମୀରର କାତ୍ରା ସହରର 'ତ୍ରିକୂଟା' ପାହାଡ଼ ଉପରେ ମା' ବୈଷ୍ଣୋ ଦେବୀଙ୍କ ମନ୍ଦିର ଅବସ୍ଥିତ। ଏହି ମନ୍ଦିର ହିନ୍ଦୁ ମାନଙ୍କର ଶକ୍ତିଙ୍କୁ ସମର୍ପିତ ଏକ ପବିତ୍ରତମ ମନ୍ଦିର ଅଟେ। ମା' ବୈଷ୍ଣୋ ଦେବୀଙ୍କୁ 'ମାତା ରାନୀ', 'ମାତା ବୈଷ୍ଣବୀ', ମା' 'ଅମ୍ବେ', ତ୍ରିକୂଟା ନାମରେ ବି ସମସ୍ତେ ଜାଣନ୍ତି।


ଆମେ ପାହାଡ଼ର ପାଦଦେଶରେ (ବନଗଙ୍ଗା) ଯାଇ ପହଞ୍ଚିଲୁ । ମନ୍ଦିରଟି ସମୁଦ୍ର ପତ୍ତନଠାରୁ ୫୨୦୦ ଫୁଟ ଉଚ୍ଚରେ ଅବସ୍ଥିତ ‌ଓ ପ୍ରାୟ ୧୩ କି:ମିର ରାସ୍ତା ଚାଲିବାକୁ ପଡିଥାଏ। ଯାତ୍ରା ଆରମ୍ଭ କରିବା ପୂର୍ବରୁ ରେଜିଷ୍ଟ୍ରେସନ କରିବା ଜରୁରୀ ଅଟେ। ଏହାକୁ ଆଧାର କରି ମାତାଙ୍କୁ ଦର୍ଶନ କରାଯାଏ। ରେଜିଷ୍ଟ୍ରେସନ କରିବା ପରେ ଆମେ ରେନକୋଟ୍ କିଣିଲୁ , କାରଣ ଝିପଝିପ୍ ବର୍ଷା ହେଉଥିଲା। ଏହା ଜରିରେ ତିଆରି ଓ ବହୁତ କମ୍ ‌ପଇସାରେ ମିଳେ। ପାହାଡ଼ ଉପରକୁ ଯିବାପାଇଁ ଘୋଡା , ଖଚର ,ପିଠୁ (ପିଠିରେ ଲଦିକି ନେବା) , ପାଲିଙ୍କି ସବାରୀ ଇତ୍ୟାଦିର ସୁବିଧା ମଧ୍ୟ ଅଛି। ଆମେ କିନ୍ତୁ ନିଜେ ଚଢ଼ିକରି ଯିବାର ମଜା ନେବାକୁ ଚାହିଁଲୁ। ମୁଣ୍ଡରେ ମାତା ରାନୀଙ୍କ ଲାଲ୍ ଚୁନରୀ ବାନ୍ଧି ହାତରେ ଖଣ୍ଡେ ଖଣ୍ଡେ ଠେଙ୍ଗା ଧରି ପାହାଡ଼ ଚଢିବା ଆରମ୍ଭ କଲୁ। ଯିବା ପୂର୍ବରୁ 'ଜୟ ମାତା ଦୀ' ବଡ଼ ଜୋରରେ ପାଟିକରି କହିଲୁ। ସାଦା ଚପଲ କିମ୍ବା ପାହାଡ଼ ଚଢିବା ପାଇଁ ସ୍ୱତନ୍ତ୍ର ବୁଟ୍ ପିନ୍ଧିକି ଯିବା ଉଚିତ୍।


ଆମେ ମଜା ନେଇ ନେଇ ପାହାଡ଼ ଚଢୁଥାଉ। ଆହୁରି ଅନେକ ଲୋକ ବି ଆମ ସାଙ୍ଗରେ ଚଢୁଥାନ୍ତି। ବାଟରେ ଦୋକାନ ବଜାର ଅଛି। ଚିପ୍ସ କିଛି କିଣି ପାଟିରେ ପକାଇ ପକାଇ ଚାଲୁଥାଉ। ଯେତେବେଳେ ଗୋଡ଼ କାଟୁଥାଏ ଦୋକାନ ନିକଟରେ ଥିବା ବେଞ୍ଚ କିମ୍ବା ଷ୍ଟୁଲ୍ ରେ ବସି ଯାଉଥିଲୁ। ଟିକେ ସମୟ ବସି ପୁଣି ଚଢୁଥିଲୁ। ମଝିରେ ମଝିରେ ଜୋରରେ ବର୍ଷା ହେଉଥିଲା , ଫଳରେ ଆମେ ବାଧ୍ୟ ହୋଇ ଦୋକାନ ଭିତରେ ବସିଯାଉଥିଲୁ। ଆମେ ଶୁଣିଥିଲୁ ଯେ 'ଅର୍ଦ୍ଧ କୁଁୱାରୀ' ଠାରେ ବ୍ୟାଟେରୀ ଗାଡ଼ି ମିଳେ। କିନ୍ତୁ ଡେରି ହେଲେ ଆଉ ବ୍ୟାଟେରୀ ଗାଡି ମିଳେନି। ସେଇ ଆଶାରେ ଆମେ ଜୋରରେ ଚାଲୁଥିଲୁ। ଧୀରେ ଧୀରେ ଅନ୍ଧାର ହୋଇ ଆସୁଥିଲା , ଲାଇନ୍ ବାଟ ସାରା ଥିବାରୁ କିଛି ଅସୁବିଧା ଲାଗୁନଥିଲା। ବାଟରେ ଦଳେ କଲେଜ ପଢୁଆ ଝିଅ ମିଳିଗଲେ। ତାଙ୍କ ସହିତ ମୁଁ ମିଶି କରି ଆଗକୁ ଆଗକୁ ମାଡି ଚାଲିଲି। ଆମେ ସବୁ ଏକାଠି 'ଜୟ ମାତାଦୀ' ଚିଲ୍ଲେଇ କରି କହୁଥିଲୁ , ତେଣୁ ଚାଲିବାର କଷ୍ଟ ଲାଘବ ହେଇ ଯାଉଥିଲା। ହଠାତ୍ ମଝିରେ ଲାଇନ୍ କଟିଗଲା। ପିଲାମାନେ ମୋବାଇଲ୍ ଲାଇଟ୍ ପକାଇ ପକାଇ ଚାଲୁଥାନ୍ତି। ମୁଁ ବି ସେମାନଙ୍କ ସାଙ୍ଗରେ ମିଶି ଆଗକୁ ଚାଲିଵାରେ ଲାଗିଥାଏ।ମିଷ୍ଟର ଓ ପିଲାମାନେ ପଛରେ ଆସୁଥାନ୍ତି। ସେମାନେ ମୋତେ ପାଖରେ ନ ଦେଖି ବ୍ୟସ୍ତ ହୋଇ ଡ଼ାକ ଛାଡ଼ିଲେ। ମୋତେ ଡାକ ଶୁଭିବାରୁ ଗୋଟେ ସ୍ଥାନରେ ଅଟକି ଗଲି। ଲାଇଟ୍ ନଥିବାରୁ ସେମାନେ ମୋ ପାଇଁ ବହୁତ ବ୍ୟସ୍ତ ହୋଇ ଯାଇଥିଲେ। ତା'ପରେ ଆମେ ସମସ୍ତେ ଏକାଠି ମିଶି ପୁଣି ଚାଲିଲୁ। ଆମେ 'ଅର୍ଦ୍ଧ କୁଁୱାରୀ' ଠାରେ ପହଞ୍ଚିବାକୁ ରାତି ୮ଟା ହୋଇଗଲା।

 

ବ୍ୟାଟେରୀ ଗାଡି ଆଉ ନଥିଲା। ଏହା ସଂଧ୍ୟା ୭ଟା ସୁଧା ପହଞ୍ଚିଲେ ମିଳିଥାଏ। ବର୍ଷା ଯୋଗୁଁ ଆମର ଡେରି ହୋଇ ଯାଇଥିଲା। ତେଣୁ ଘୋଡାରେ ବସି ଯିବା ପାଇଁ ସ୍ଥିର କଲୁ। ଘୋଡାରେ ବସିବା ପାଇଁ ଭୀଷଣ ଡର ଲାଗୁଥିଲା। ଆଗକୁ ଆଉ ଚାଲିବାକୁ ବି ସାହସ ପାଉନଥିଲା। ବାଧ୍ୟ ହୋଇ ଘୋଡାରେ ବସି ଯାତ୍ରା ଆରମ୍ଭ କଲୁ।


ଅର୍ଦ୍ଧ କୁଁୱାରୀ : 

ଏହି ସ୍ଥାନଟିର ନାମ 'ଅର୍ଦ୍ଧ କୁଁୱାରୀ', କାରଣ ମାତା ବୈଷ୍ଣବୀ ଏଠାରେ ୯ ମାସ କାଳ ତପସ୍ୟା କରିଥିଲେ। ଏହା ଯାତ୍ରା କରିବାର ଅଧା ବାଟରେ ପଡେ। କିମ୍ବଦନ୍ତୀ ଅନୁସାରେ ମା' ବୈଷ୍ଣୋ ଦେବୀ କନ୍ୟା ରୂପରେ ଏହି ପାହାଡ଼ ଉପରେ ବୁଲୁଥିଲା ବେଳେ ଭୈରବ ନାଥ ତାଙ୍କୁ ଧରିବାପାଇଁ ଉଦ୍ୟତ ହେବାରୁ ମାତା ସେଠାରୁ ଅଦୃଶ୍ୟ ହୋଇ ଆସି ଏକ ଗୁମ୍ଫା ଭିତରେ ୯ ମାସ କାଳ ତପସ୍ୟା କରିଥିଲେ। କୁହାଯାଏ କି ହନୁମାନ ଗୁମ୍ଫା ବାହାରେ ମାତାଙ୍କୁ ସୁରକ୍ଷା ଦେବା ନିମନ୍ତେ ପହରା ଦେଉଥିଲେ। କିନ୍ତୁ ଭୈରବନାଥ ଏଠାରେ ପହଞ୍ଚି ଯାଇଥିଲା। ହନୁମାନଙ୍କ ସାଙ୍ଗରେ ଯୁଦ୍ଧ ହେବା ମଧ୍ୟରେ ମାତା ସେଠାରୁ ବାହାରି ଚାଲିଗଲେ। ତା'ପରଠାରୁ ଏହି ଗୁମ୍ଫା 'ଅର୍ଦ୍ଧ କୁଁୱାରୀ' ନାମରେ ଜଣାଶୁଣା।


ଆମେ 'ଅର୍ଦ୍ଧ କୁଁୱାରୀ' ଠାରୁ ଘୋଡାରେ ବସି ଉପରକୁ ଗଲୁ। ଚାଲିବା ଅପେକ୍ଷା ଏହା ଆହୁରି କଷ୍ଟକର ଥିଲା। କିନ୍ତୁ ଶୀଘ୍ର ପହଁଞ୍ଚିବା ପାଇଁ ଆମ ପାଖରେ ଏହା ହିଁ ଏକମାତ୍ର ବିକଳ୍ପ ଥିଲା। ବାଟରେ ଓହ୍ଲାଇ ଏକ ହୋଟେଲରେ ଖାଇନେଲୁ। ଉପରେ ମା' ବୈଷ୍ଣୋ ଦେବୀଙ୍କ ଗୁମ୍ଫା ନିକଟରେ ପହଞ୍ଚିଲା ବେଳକୁ ରାତି ୧୨ଟା ହୋଇଥିଲା। ମା' ଙ୍କର ଏହି ସ୍ଥାନକୁ 'ଭବନ' ବୋଲି କୁହାଯାଏ। ପ୍ରଥମେ ଗୋଡ଼ , ହାତ , ମୁହଁ ଭଲଭାବେ ଧୋଇ ହୋଇଗଲୁ। ଯାତ୍ରା ଜନିତ କ୍ଲାନ୍ତି କିଛି ପରିମାଣରେ ଦୂର ହୋଇଗଲା। ତା'ପରେ ମା 'ଙ୍କ ପୂଜାର୍ଚ୍ଚନା ପାଇଁ ଓଢ଼ଣୀ ,କାଚ , ସିନ୍ଦୂର ,କ‌ଏନ୍ ( ସୂନା ଓ ରୂପା ଉଭୟ ଧାତୁ ନିର୍ମିତ ମିଳେ) ସବୁ କିଣି ମା'ଙ୍କ ଦର୍ଶନ ପାଇଁ ଗୁମ୍ଫା ଭିତରକୁ ଗଲୁ। ଏହା ଭିତରେ ମା'କାଳୀ , ମା' ମହାଲକ୍ଷ୍ମୀ, ମା' ସରସ୍ୱତୀ ପିଣ୍ଡି (ଶିଳା) ରୂପରେ ପୂଜା ପାଉଛନ୍ତି। ଏହି ତିନି ପିଣ୍ଡିର ସମ୍ମିଳିତ ରୂପ ଅଟନ୍ତି ମାତା 'ବୈଷ୍ଣୋ ଦେବୀ'। ମାତା ବୈଷ୍ଣୋ ଦେବୀ ମହାକାଳୀଙ୍କ ରୂପ ଧାରଣ କରି ଏହି ସ୍ଥାନରେ ଭୈରବନାଥକୁ ବଧ କରିଥିଲେ। ବହୁତ ଦିନରୁ ମନ ଭିତରେ ମାତାଙ୍କ ଦର୍ଶନ ପାଇଁ ଅଭିଳାଷ ଥିଲା। ଆଜି ଏହା ପୂରଣ ହୋଇଥିବାରୁ ଭକ୍ତିରେ ଗଦଗଦ୍ ହୋଇ ମୋ ଆଖି ଲୁହ ଛଳଛଳ ହୋଇଗଲା। କୁହାଯାଏ ମା'ଙ୍କ ପାଖରୁ କେହି ଖାଲି ହାତରେ ଫେରନ୍ତି ନାହିଁ। ରାତି ଅଧିକ ହୋଇ ଯାଇଥିବାରୁ ଦର୍ଶନ ଶୀଘ୍ର ହୋଇଗଲା।


ଏବେ ଫେରିବାର ବେଳ। ଆମେ ତଳେ କିପରି ଶୀଘ୍ର ପହଞ୍ଚିବୁ ସେଇ ଚିନ୍ତା ଥିଲା। ସମୟ ରାତି ୨ଟା ହୋଇଥାଏ। ପୁଣି ସେଇ ଘୋଡାରେ ବସି ଫେରିଵାକୁ ସ୍ଥିର କଲୁ। ଘୋଡା ରଖୁଆଳ ପିଲାମାନେ 'ଭୈରୋନାଥ' ଯିବାକୁ ମତ ଦେଲେ। ପୁଣି ଆହୁରି ୨.୫କି:ମି ଯିବାକୁ ପଡ଼ିବ ଶୁଣି ମନ ମରିଗଲା। ମିଷ୍ଟର୍ କିନ୍ତୁ ଛାଡ଼ିଲେ ନାହିଁ , ନାଇଁ...ନାଇଁ ଆସିଛ ଯେତେବେଳେ ବୁଲିକି ଯାଅ ବୋଲି କହିଲେ। କ'ଣ କରିବୁ , ବାଧ୍ୟ ହୋଇ ପୁଣି ଘୋଡ଼ାରେ ବସି ଉପରକୁ ଗଲୁ ମନ୍ଦିର ଦର୍ଶନ ନିମନ୍ତେ। ଛୋଟ ମନ୍ଦିରଟିଏ ଭୈରବ ନାଥ।


ଭୈରୋ ନାଥ ମନ୍ଦିର ବା ଭୈରୋ ଘାଟି :

ମାତା ବୈଷ୍ଣୋ ଦେବୀ ଭୈରବ ନାଥକୁ ଯେତେବେଳେ ବଧ କଲେ , ତା'ର ଶରୀର 'ଭବନ'ରେ ରହିଗଲା , କିନ୍ତୁ ମୁଣ୍ଡ ଅଲଗା ହୋଇ ଉପରେ ପଡ଼ିଥିଲା। ଯେଉଁ ସ୍ଥାନରେ ପଡ଼ିଲା ସେ ସ୍ଥାନକୁ 'ଭୈରୋ ଘାଟି' ବୋଲି କୁହାଗଲା। ସେ ଭୂଲ୍ ମାଗିଥିବାରୁ ଉପରେ ଏକ ମନ୍ଦିରରେ ପୂଜା ପାଇବ ବୋଲି ମାତା ତାକୁ ଆଶୀର୍ବାଦ ଦେଇଥିଲେ।


ଘୋଡାରେ ବସି ଫେରିଲା ବେଳକୁ ଆମକୁ ପ୍ରଚୁର ନିଦ ଲାଗୁଥାଏ। ଅଳ୍ପ ଅଳ୍ପ ଆଲୁଅ ଓ ଅନ୍ଧାର ମିଶାମିଶି ଥିଲା ବାଟ ସରା। ଘୋଡା ଟପଟପ୍ ହୋଇ ଚାଲୁଥିବାରୁ ଆମକୁ ପଡ଼ିଯିବା ଭଳି ଲାଗୁଥିଲା। ଡରରେ ମୁଁ ଘୋଡାକୁ ଜାବୁଡ଼ି କରି ଧରିଥାଏ। ଗୋଡ଼ ଭାରି ଦରଜ ଲାଗୁଥାଏ। ମୋ ମନ ଖାଲି ମୋ ପିଲାମାନଙ୍କ ଲାଗି ଆଉଟୁ ପାଉଟୁ ହେଉଥାଏ। ମଝିରେ ଟିକେ ସମୟ ପାଇଁ ଉଚ୍ଚ ଜାଗା ଦେଖି ଓହ୍ଲାଇଲୁ। ଛୋଟ ଚା' ଦୋକାନଟେ ଫିଟାଥିଲା। ସମସ୍ତେ ଚା' ଗୋଟେ କପ୍ ଲେଖାଏଁ ପିଇଲୁ। କିଛି କ୍ଷଣ ପରେ ପୁଣି ଘୋଡାରେ ବସି ଫେରିଲୁ। ସକାଳ ୬ଟାରେ ଆସି ତଳେ ପହଞ୍ଚିଗଲୁ। ମୁଣ୍ଡ ଖାଲି ଘିରଘିର୍ ହୋଇ ବୁଲାଉ ଥାଏ। ତଳେ ଅଟୋ କରି ହୋଟେଲ୍ କୁ ଫେରିଲୁ। ହୋଟେଲ୍ ରେ ପହଞ୍ଚି ପ୍ରଥମେ ଗିଜର୍ ଅନ୍ କରିଦେଇ ସମସ୍ତେ ଗରମପାଣିରେ ଗୋଡ଼ ଧୋଇ ‌ହୋଇଗଲୁ। ଗୋଡ଼ ଓ ଆଣ୍ଠୁରେ ଭୋଲିନି ଅଏଣ୍ଟମେଣ୍ଟ ମାରି ସିଧା ଗଡ଼ିପଡ଼ିଲୁ ବେଡ୍ ରେ। ଏମିତି ୩-୪ ଘଣ୍ଟା ଶୋଇ ପଡ଼ିଲୁ। 


ନିଦରୁ ଉଠି ସମସ୍ତେ ଫ୍ରେସ୍ ହୋଇ ଖାଇସାରି ପୁଣି ଜାମ୍ମୁ ଫେରିଆସିଲୁ। ଯାତ୍ରା ଜନିତ କ୍ଲାନ୍ତି ଦୂର କରିବା ପାଇଁ ଏଠାରେ ପୂରା ଗୋଟେଦିନ ରେଷ୍ଟ୍ ନେବାର ଯୋଜନା ଥିଲା। ହୋଟେଲ୍ ରୁମ୍ ରେ କେବଳ ଖାଇପିଇ ଶୋଇଲୁ। କାରଣ , ତା' ପରଦିନ ସକାଳୁ ଜାମ୍ମୁରୁ ଶ୍ରୀନଗର ଯିବାକୁ ଥିଲା। 


କ୍ରମଶଃ...



Rate this content
Log in