Bijayalaxmi Das

Others

4.5  

Bijayalaxmi Das

Others

ଭ୍ରମଣ କାହାଣୀ: ଭାଗ--୩

ଭ୍ରମଣ କାହାଣୀ: ଭାଗ--୩

6 mins
219



ପୂର୍ବାଭାଷ...


ଦିନ ୧.୧୫ରେ ଅମ୍ରିତସରରେ ପହଞ୍ଚି ଆମେ ଟାକ୍ସି ନେଇ ହୋଟେଲ୍ ରେ ପହଞ୍ଚିଲୁ।


ତା'ପରେ...


ଅମ୍ରିତସର :

ଭାରତର ପଞ୍ଜାବ ରାଜ୍ୟର ଅମ୍ରିତସର ଏକ ପ୍ରସିଦ୍ଧ ଓ ପବିତ୍ର ସହର ଭାବେ ଜଣାଶୁଣା। ଶିଖ୍ ମାନଙ୍କର ସବୁଠାରୁ ବଡ଼ ଗୁରୁଦ୍ୱାର 'ସ୍ୱର୍ଣ୍ଣମନ୍ଦିର' ଏଠାରେ ଅବସ୍ଥିତ। ପୁନଶ୍ଚ 'ଜାଲିଆନୱାଲାବାଗ' ଓ 'ବାଘା' ବା 'ଅଟାରି' ବର୍ଡର ଭଳି ମହତ୍ତ୍ଵପୂର୍ଣ୍ଣ ସ୍ଥାନ ଦେଖିବାକୁ ଶହ ଶହ ପର୍ଯ୍ୟଟକ ବିଶ୍ୱର କୋଣ ଅନୁକୋଣରୁ ମଧ୍ୟ ଆସିଥାନ୍ତି।


ଅଟାରି ବର୍ଡର :

ଆମେ ମଧ୍ୟାହ୍ନ ଭୋଜନ ସାରିଦେଇ ସଙ୍ଗେ ସଙ୍ଗେ 'ଅଟାରି ବର୍ଡର' ଗଲୁ। ଏହା ଭାରତ ଓ ପାକିସ୍ତାନର ସୀମା ଅଟେ। 'ଅଟାରି' ଅମ୍ରିତସରର ଏକ ଛୋଟ ଗାଁ। ଏହା ଅମ୍ରିତସର ଠାରୁ ୨୫ କି:ମି ଦୂରତାରେ ଅବସ୍ଥିତ। ଏଠାରେ ଭାରତ ଓ ପାକିସ୍ତାନ ଉଭୟ ଦେଶ ମଧ୍ୟରେ 'ରି-ଟ୍ରିଟ୍' ସେରମନି କରାଯାଏ , ଯାହାକୁ ଦେଖିବାକୁ ଦୁଇ ଦେଶରୁ ଅସଂଖ୍ୟ ପର୍ଯ୍ୟଟକ ଆସିଥାନ୍ତି। ୧୯୫୯ ମସିହାରୁ ଦୁଇ ଦେଶର ସୈନିକ ମାନେ, ଯଥା : ଭାରତର ସୀମାସୁରକ୍ଷା ବଳର ସୈନିକ ଓ ପାକିସ୍ତାନର ରେଞ୍ଜରସ୍ ମିଳିତ ଭାବେ ଏହି ସେରମନିକୁ ପାଳନ କରିଆସୁଛନ୍ତି। ସୂର୍ଯ୍ୟାସ୍ତ ହେବା ପୂର୍ବରୁ ଏହି ସେରମନିକୁ କରାଯାଏ। ଏହା ଦେଖିବାକୁ ହେଲେ ଦିନ ୩ଟା ସୁଧା ପହଁଚିବାକୁ ହୁଏ। ତେଣୁ ଆମେ ଶୀଘ୍ର ବାହାରି ପଡ଼ିଥିଲୁ। କାର୍ ପାର୍କିଂ କରି ସେଠାରୁ ଆହୁରି କିଛି ବାଟ ଚାଲିବାକୁ ପଡ଼ିଲା। ପ୍ରବଳ ଭିଡ଼ ହୋଇଥାଏ। ସ୍ତ୍ରୀ ଲୋକ ଓ ପୁରୁଷ ଲୋକଙ୍କର ଅଲଗା ଅଲଗା ଲାଇନ୍ ‌ହୋଇଥିବା ସତ୍ତ୍ୱେ ଭୀଷଣ ଭାବରେ ଠେଲାପେଲା ହୋଇ ଆମେ ଭିତରକୁ ପ୍ରବେଶ କଲୁ। ଟିକେଟ କରିବାର ପ୍ରୟୋଜନ ନାହିଁ। ମୋବାଇଲ ଫୋନ୍ ଛଡ଼ା ଆଉ କିଛି ନେବାକୁ ଅନୁମତି ନାହିଁ। କିନ୍ତୁ ଜାମର ଲାଗିଥିବା ଯୋଗୁଁ ଫୋନ୍ କାମ କରେନାହିଁ। କେବଳ ଫଟୋ ଉଠାଇବାକୁ ଅନୁମତି ଦିଆଯାଏ। ଖରାଦିନେ ଅପରାହ୍ନ ୫.୧୫ରେ ଏବଂ ଶୀତଦିନରେ ୪.୧୫ରେ ଏହା ଆରମ୍ଭ କରାଯାଏ। ପ୍ରାୟ ୪୫ମିନିଟ୍ ଧରି ଏହି କାର୍ଯ୍ୟକ୍ରମ କରାଯାଏ। ଏହାକୁ 'ଲୋୟରିଂ ଦ ଫ୍ଲାଗସ୍ ସେରମନି' କୁହାଯାଏ।


ରି-ଟ୍ରିଟ୍ ସେରମନି : 

ଏହି ସେରମନି କରିବାର ମୂଳ ଉଦ୍ଦେଶ୍ୟ ହେଉଛି ରୀତି ଅନୁଯାୟୀ ସୀମାକୁ ରାତି ପାଇଁ ବନ୍ଦ କରିବା ଓ ଜାତୀୟ ପତାକାକୁ ତଳକୁ ଓହ୍ଲାଇ ଦେବା। ଷ୍ଟାଡିୟମରେ ପହଞ୍ଚିଲା ପରେ ମୋ ଭିତରେ ବହୁତ ଶକ୍ତି ଜାଗ୍ରତ ହେବାର ଅନୁଭବ କରିପାରୁଥିଲି ମୁଁ। ଭିଡ଼ ଥିବାରୁ ସମସ୍ତଙ୍କ ଠାରୁ ଅଲଗା ହୋଇଗଲି , କିନ୍ତୁ ବହୁତ ମଜା ଲାଗୁଥାଏ। ଆମ ଦେଶର ସୀମାରେଖା ଠାରେ ପହଁଚି ଥିବାରୁ ବହୁତ ଖୁସି ଅନୁଭବ କରୁଥିଲି ମୁଁ। ପ୍ୟାରେଡ ହେବ ବୋଲି ଉତ୍କଣ୍ଠାର ସହ ଅପେକ୍ଷା କରିଥିଲୁ। ହଠାତ୍ ବାଜାଶବ୍ଦ ଶୁଭିଲା। ଆମେ ଦର୍ଶକମାନେ ଉତ୍ସୁକତାର ସହ ଆଗକୁ ଅନାଇଲୁ। ପ୍ୟାରେଡ ଆରମ୍ଭ ହେଲା , ଦୁଇ ଦେଶର ସୈନିକ ମାନେ ବହୁତ ଜୋରରେ ଚିଲ୍ଲେଇ , ଶବ୍ଦକରି ଡ୍ରିଲ୍ କରୁଥାନ୍ତି ଯେପରିକି ଯୁଦ୍ଧାଭ୍ୟାସ କରୁଛନ୍ତି !!! ତା' ସଙ୍ଗେ ପୁଣି ଗୋଡ଼କୁ ଯେତେ ସମ୍ଭବ ଉଚ୍ଚକୁ ଟେକି ହେଇପାରିବ , ସେତିକି ଉଚ୍ଚକୁ ଟେକୁଥାନ୍ତି। ଦେଶାତ୍ମବୋଧକ ଗୀତସବୁ ବାଜୁଥାଏ , ସେଇ ତାଳେ ତାଳେ ନାଚ ଆଦି ହେଉଥାଏ। ହିନ୍ଦୀ ସିନେମାର ଦେଶାତ୍ମବୋଧକ ଗୀତ ସବୁ ବି ବାଜୁଥାଏ। ସେମାନଙ୍କ ସାଙ୍ଗରେ ଦର୍ଶକମାନେ ମଧ୍ୟ ବିଭୋର ହୋଇ ନାଚୁଥାନ୍ତି। ଶେଷରେ ଦୁଇଦେଶର ଜାତୀୟ ପତାକା ଏକସଙ୍ଗେ ତଳକୁ ଖସାଇ ଦେଲାପରେ ସେରମନି ଶେଷ ହେଲା।ସେତେବେଳେ ମୁଁ ମୋ ପରିବାର ଲୋକଙ୍କୁ ଖୋଜିଲି। ଦେଖିଲି , ସେମାନେ ବିପରୀତ ଦିଗରୁ ହାତ ହଲାଉଛନ୍ତି। ଆମେସବୁ ମିଶି ସୀମା ନିକଟରେ କିଛି ଫଟୋ ଉଠାଇ ଫେରିଲୁ ଓ ହୋଟେଲ୍ ରେ ଆସି ଖାଇ ବିଶ୍ରାମ ନେଲୁ।


ସ୍ୱର୍ଣ୍ଣ ମନ୍ଦିର :

ସକାଳୁ ନିତ୍ୟକର୍ମ ସାରି ୮ଟା ସୁଧା ଆମେ ବାହାରିଲୁ 'ସ୍ୱର୍ଣ୍ଣ ମନ୍ଦିର' ଅଭିମୂଖେ। ଏହି ମନ୍ଦିର ଶିଖ୍ ମାନଙ୍କର ସବୁଠାରୁ ପୁରୁଣା ମନ୍ଦିରମାନଙ୍କ ମଧ୍ୟରେ ଅନ୍ୟତମ। ଶିଖ୍ ମାନଙ୍କର ଏହା ଏକ ପବିତ୍ର ଧର୍ମସ୍ଥଳ ଓ ତୀର୍ଥସ୍ଥଳ ଅଟେ। ଏହି ମନ୍ଦିର 'ଦରବାର ସାହିବ' ବା 'ଶ୍ରୀ ହରମନ୍ଦିର ସାହିବ' ନାମରେ ବି ଜଣାଶୁଣା।ଏହି ଦୁଇମହଲା ବିଶିଷ୍ଟ ମନ୍ଦିରଟି ୬୭ ଫୁଟ୍ କ୍ଷେତ୍ରଫଳର ମାର୍ବଲ ପଥରରେ ତିଆରି। ମନ୍ଦିର ବାହାର ଚାରିପଟ ସୁନାର ପତଳା ଚାଦରରେ ଆଛାଦନ କରାଯାଇଛି। ପ୍ରଥମେ ଏହି ମନ୍ଦିରକୁ ଶିଖ୍ ମାନଙ୍କର ପଞ୍ଚମ ଗୁରୁ ଅର୍ଜନ ଦେବ ୧୬୦୪ରେ କରିଥିଲେ ଓ 'ଆଦି ଗ୍ରନ୍ଥ' ପୁସ୍ତକଟିକୁ ସ୍ଥାପନ କରିଥିଲେ।ଏହି ପୁସ୍ତକଟି ଶିଖ୍ ମାନଙ୍କର 'ଗୁରୁ ଗ୍ରନ୍ଥ ସାହିବ' ପବିତ୍ର ଗ୍ରନ୍ଥ ରୂପେ ପରିଚିତ। ମନ୍ଦିର ଏକ ସରୋବର ମଧ୍ୟରେ ଅବସ୍ଥିତ ଯାହାକି 'ଅମୃତ ସରୋବର'(ପୁଲ୍ ଅଫ୍ ନେକଟାର) ଭାବେ ଜଣା। ଏହି ସରୋବରକୁ ଶିଖ୍ ମାନଙ୍କର ଚତୁର୍ଥ ଗୁରୁ ରାମଦାସ ୧୫୭୭ ମସିହାରେ ନିର୍ମାଣ କରିଥିଲେ। ପୂରା ମନ୍ଦିରରେ ପ୍ରାୟ ୭୫୦କେ:ଜିରୁ ଅଧିକ ସୁନା ଲାଗିଛି ବୋଲି କୁହାଯାଏ।


ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ଆମେ ଚପଲ ବାହାରେ ରଖି ମୁଣ୍ଡରେ ରୁମାଲ ଗୁଡ଼ାଇ ଦେଲୁ। ଏହା ମନ୍ଦିରର ନିୟମ ଅଟେ। ରୁମାଲ ନ ଥିଲେ ମନ୍ଦିର ପାଖ ଦୋକାନରୁ ସ୍କାର୍ଫ ନେଇ ମୁଣ୍ଡରେ ଗୁଡ଼ାଇ ଯିବାକୁ ପଡ଼େ। ଭିତରେ ବହୁତ ଗହଳି ଥିଲା। କିନ୍ତୁ ମନ୍ଦିର ଭିତରେ ପାଦ ଥୋଇବା ମାତ୍ରେ ଅଦ୍ଭୁତ ପ୍ରକାରର ପବିତ୍ରତା ଓ ଶାନ୍ତି ଅନୁଭବ କଲୁ। 'ଅମୃତ ସରୋବର' ରେ ମନ୍ଦିରର ପ୍ରତିବିମ୍ବ ଦେଖି ଏତେ ମୁଗ୍ଧ ହୋଇ ଗଲୁ ଯେ , ତାହା ଭାଷାରେ ବର୍ଣ୍ଣନା କରିହେବ ନାହିଁ। ଭିତରେ ଏକ ଲେକ୍ ଅଛି ଯେଉଁଥିରେ କି ବିଭିନ୍ନ ପ୍ରକାରର ସୁନ୍ଦର ସୁନ୍ଦର ମାଛ ଅଛନ୍ତି। ପାଣିରେ ଗୋଡ଼ , ହାତ ଧୋଇ ମନ୍ଦିର ଭିତରକୁ ଗଲୁ। ପ୍ରଥମେ ଲାଇନ୍ ଥିଲା , କିନ୍ତୁ ପୂରା ଆଗକୁ ବଢିବା ପରେ ଗହଳି ଏତେ ହୋଇଗଲା ଯେ ଠେଲାପେଲା ହୋଇ ଭିତରକୁ ଗଲୁ। ସେଠାରେ ମନ୍ଦିର କର୍ମଚାରୀ ମାନେ ଭକ୍ତ ମାନଙ୍କ ଉପରେ ପାଣି ଛିଞ୍ଚୁଥିଲେ। ମନ୍ଦିରରେ ଠାକୁର ଦର୍ଶନ ପରେ ଆମେ 'ଅକାଲ୍ ତଖ୍ତ' ଦେଖିବାକୁ ଗଲୁ। ଏହା ମନ୍ଦିର ପରିସରରେ ଅଛି। ଏଠାରେ ଶିଖ୍ ସମ୍ପ୍ରଦାୟର ଲୋକଙ୍କୁ ନ୍ୟାୟ ଓ ଅଧିକାର ଦିଆଯାଏ , ଯାହାକି ସେମାନଙ୍କର 'ଉଚ୍ଚତମ ଗଦ୍ଦି' ନାମରେ ନାମିତ।


ପ୍ରତିଦିନ 'ଲଙ୍ଗର'ରେ ଲୋକଙ୍କୁ ଖାଦ୍ୟ ମାଗଣାରେ ବିତରଣ କରାଯାଇଥାଏ। କୁହାଯାଏ ପ୍ରତିଦିନ ପ୍ରାୟ ୪୦,୦୦୦ ଲୋକଙ୍କୁ ଲଙ୍ଗରରେ ଖାଦ୍ୟ ବିତରଣ କରାଯାଇଥାଏ। ପ୍ରବଳ ଗରମ ହେଉଥିବାରୁ ଲେମ୍ବୁ ପାଣି ପିଇବାକୁ ଦେଉଥିଲେ ମନ୍ଦିରରେ। ଲେମ୍ବୁପାଣି ପିଇ ଆମକୁ ବହୁତ ଶାନ୍ତି ଲାଗିଲା। 'ଲଙ୍ଗର'ରେ ପ୍ରବଳ ଗହଳି ଥିଲା। ତେଣୁ 'କଡାଇ ପ୍ରସାଦ' ଭୋଗ ଖାଇ ଚାଲି ଆସିଲୁ। ଏହା ଅଟା, ଗୁଆ ଘିଅ ଓ ଚିନିରେ ପ୍ରସ୍ତୁତ ଏକ ପ୍ରକାରର ସ୍ୱାଦିଷ୍ଟ ହାଲୱା। 'ଲଙ୍ଗର'ରେ ସମ୍ପୂର୍ଣ୍ଣ ଶାକାହାରୀ ଭୋଜନ ଦିଆଯାଏ , ଯଥା : ଭାତ , ଡାଲି , ରୁଟି , ସାଧା ତରକାରୀ ଓ କ୍ଷିରୀ।


ମନ୍ଦିରର ଚାରିପଟେ ଦ୍ଵାର ରହିଛି। ବିଶ୍ବର ସବୁ ଧର୍ମ , ଜାତିର ଲୋକ ଚାରିପଟ ଯାକ ଦ୍ୱାରରେ ପ୍ରବେଶ କରିପାରିବେ। ଏହା ଶିଖ୍ ମାନଙ୍କର ଭାତୃଭାବନା ଓ ଏକତାର ପ୍ରତୀକକୁ ଦର୍ଶାଇଥାଏ।


ଗୋଟେ ହୋଟେଲ୍ ରେ ମଧ୍ୟାହ୍ନଭୋଜନ କଲୁ। ସେଠାରେ ମକା ରୁଟି, ସୋରିଷ ଶାଗ , ଡାଲ୍ ତଡକା ଓ ତା'ସାଙ୍ଗରେ ଦହି ଖାଇଲୁ। ଏହା ଶିଖ୍ ମାନଙ୍କର ପ୍ରିୟ ଖାଦ୍ୟ ଅଟେ। ତା'ପରେ ଆମେ 'ଜାଲିଆନୱାଲାବାଗ' ବୁଲିବା ପାଇଁ ଗଲୁ।


ଜାଲିଆନାୱାଲାବାଗ :

'ଜାଲିଆନୱାଲାବାଗ' ଭିତରକୁ ପ୍ରବେଶ କରିବାକୁ ଟିକେଟ କରିବା ପ୍ରୟୋଜନ ନାହିଁ। ଏହା ୬-୭ ଏକର ବିଶିଷ୍ଟ ଏକ ଉଦ୍ୟାନ ଅଟେ। ସବୁଜ ଗଛପତ୍ର ଲଗାହୋଇ ଉଦ୍ୟାନଟି ଅତି ସୁନ୍ଦର ଲାଗୁଥିଲା। ପରିବେଶ ଶାନ୍ତ ଓ ମନୋରମ ଥିଲା। ଐତିହାସିକ ଦୃଷ୍ଟିକୋଣରୁ ଏହି ସ୍ଥାନଟି ପ୍ରସିଦ୍ଧ ଓ ମହତ୍ତ୍ଵପୂର୍ଣ୍ଣ ଅଟେ। ପୂର୍ବରୁ ଏହା ଉଦ୍ୟାନ ନ ଥିଲା। ଏହା ଏକ ଖାଲି ପଡିଆ ଥିଲା ଯାହାର ଚାରିପଟେ ଥିଲା ପଥରର ଉଚ୍ଚ ପାଚେରୀ। ପ୍ରବେଶ ପାଇଁ ଗୋଟିଏ ମାତ୍ର ଅଣଓସାରିଆ ସଂକୀର୍ଣ୍ଣ ରାସ୍ତା।


ଆମେ ପ୍ରଥମେ 'ଶହୀଦ କୂଅ' ଦେଖିଲୁ। ଏହାର ଚାରିପଟ ଯାକ ଲୁହାର ଗ୍ରୀଲ୍ ରେ ଘେରାଉ କରାଯାଇଛି। ଏହି କୂଅ ମଧ୍ୟରେ ଭରିରହିଥିଲା ଶହଶହ ଶିଖ୍ ଦେଶପ୍ରେମୀଙ୍କର ଆର୍ତ୍ତନାଦ।


କ'ଣ ପାଇଁ 'ଶହୀଦ କୂଅ'?

୧୩ ଏପ୍ରିଲ ୧୯୧୯ ମସିହା। ହଜାର ହଜାର ଶିଖ୍ ଦେଶଭକ୍ତ ସେମାନଙ୍କର ପର୍ବ ବୈଶାଖୀ ପାଳନ କରିବା ପାଇଁ 'ଜାଲିଆନୱାଲାବାଗ' ରେ ଏକତ୍ରିତ ହୋଇଥିଲେ। ଶାନ୍ତିପୂର୍ଣ୍ଣ ଭାବେ ସେମାନେ ସ୍ୱାଧୀନତା ସଂଗ୍ରାମୀ ସତ୍ୟପାଲ ଓ ଡକ୍ଟର ସୈଫୁଦ୍ଦିନ କିଚଲ୍ୟୁଙ୍କ ଗିରଫଦାରିର ପ୍ରତିବାଦ କରୁଥିଲେ। ସେ ସମୟରେ ପଞ୍ଜାବର ଗଭର୍ଣ୍ଣର ଥିଲେ ଜେନେରାଲ ରେଜିନାଲ୍ଡ ଡାୟର। ଏପରି ଲୋକମାନେ ଏକତ୍ରିତ ହୋଇ ଆଲୋଚନା କରୁଥିବାର ଶୁଣି ସେ ଘଟଣା ସ୍ଥଳରେ ପହଞ୍ଚି ମୂଖ୍ୟ ପ୍ରବେଶ ପଥକୁ ବନ୍ଦ କରିଦେଇଥିଲେ ଓ ଗୁଳିଚାଳନା ପାଇଁ ଅର୍ଡର ଦେଇଥିଲେ। ଆଖିବୁଜା ଗୁଳିବର୍ଷା ଚାଲିଲା। ଆସନ୍ନ ମୃତ୍ୟୁ ମୁଖରୁ ବଞ୍ଚିବା ପାଇଁ ସେଠାରେ ଥିବା ଏକ କୂଅକୁ ଡେଇଁ ପଡ଼ିଥିଲେ ଅନେକ ଶିଖ୍ ଦେଶଭକ୍ତ। ଏହି କୂଅକୁ 'ଶହୀଦ କୂଅ' ବୋଲି ଚିହ୍ନିତ କରାଯାଇଛି। ବାହାରକୁ କେହି ବାହାରିକି ଯିବାପାଇଁ ବାଟ ବି ନଥିଲା। କେହି କେହି ପାଚେରୀ ଚଢ଼ିବାକୁ ଉଦ୍ୟମ କରିବା ସମୟରେ ଗୁଳିମାଡ଼ଖାଇ ଖସିପଡିଥିଲେ। ଆଜିଯାଏଁ ବି ପାଚେରୀରେ ଗୁଳିମାଡ଼ ଦାଗସବୁ ଅଛି , ଯାହାକୁ ଦେଖି ସେମାନଙ୍କର ଯନ୍ତ୍ରଣା ଓ କଷ୍ଟଦାୟକ ମରଣକୁ ଅନୁଭବ କରିପାରୁଥିଲୁ ଆମେ। ୩୬ଟି ଗୁଳି ଦାଗ କାନ୍ଥରେ ଏବେ ବି ରହିଛି। ଆଖିରୁ ଲୁହଧାର ବୋହି ଆସିଲା ମୋର। ଗଭୀର ଭାବରେ ଦୁଃଖ ପ୍ରକାଶ କରିବା ସହ ମୁଁ ମୋ ଦେଶର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପାଇଁ ଅପାର ଗର୍ବ ଅନୁଭବ କଲି।

 

ଏହି ନାରକୀୟ ଘଟଣା ସ୍ଥଳରେ ଯେଉଁମାନେ ତାଙ୍କ ନିଜ ଜୀବନକୁ ତ୍ୟାଗ କରିଛନ୍ତି , ସେମାନଙ୍କ ଉଦ୍ଦେଶ୍ୟରେ 'ଅମର ଜ୍ୟୋତି' ଅହରହ ଜଳୁଅଛି।


ଏଠାରେ ଏକ ମ୍ୟୁଜିୟମ ଅଛି ଯେଉଁଥିରେ ବହୁ ମାନ୍ୟଗଣ୍ୟ ରାଜନେତାଙ୍କ ପେଣ୍ଟିଂ, ଜାଲିଆନୱାଲାବାଗର ଏକ ପେଣ୍ଟିଂ ଯେଉଁଥିରେ ଏଠାରେ ପ୍ରାଣତ୍ୟାଗ କରିଥିବା ଲୋକଙ୍କର ଛବି ରହିଛି। ଶହୀଦ ଉଦ୍ଦାମ ସିଂଙ୍କ ଚିତ୍ର ଓ ତାଙ୍କର ଅସ୍ଥି ଓ ପାଉଁଶ ଏହି ମ୍ୟୁଜିୟମରେ ରଖାଯାଇଛି। ବୁଲାବୁଲି ପ୍ରାୟ ଶେଷ ହୋଇଗଲା। ତେଣୁ ଆମେ ହୋଟେଲ୍ କୁ ଫେରି ଆସିଲୁ।


ହୋଟେଲ୍ ରେ ଆସି ପହଞ୍ଚିଲା ବେଳକୁ ରାତି ୯ଟା ହେଲାଣି । ଏଠାରୁ ଆମକୁ ଟ୍ରେନରେ ଜାମ୍ମୁ ଯିବାର ଥିଲା। ଟ୍ରେନ୍ ଥିଲା ରାତି ୧.୧୦ରେ , ଯାହାକି ଆମକୁ କଷ୍ଟ ଦାୟକ ଥିଲା। କିନ୍ତୁ ବୁଲିବାକୁ ଆସିଛୁ ଯେତେବେଳେ କଷ୍ଟକୁ ଅଣଦେଖା କରିବା ତ ଦରକାର !!! ରାତ୍ରି ଭୋଜନ ସାରି ଶୋଇପଡ଼ିଲୁ , କିନ୍ତୁ ନିଦ ଜମା ହେଉନଥାଏ। ମୋତେ ଓ ପିଲାଙ୍କୁ ଛାଇନିଦ ଟିକେ ମାଡି ଆସିଲା ବେଳକୁ ମିଷ୍ଟର କହିଲେ , "ଚାଲ ସବୁ ଷ୍ଟେସନ , ଟାକ୍ସି ଆସିଲାଣି।" ଘଣ୍ଟାରେ ରାତି ୧୨ଟା ବାଜିଥିଲା ସେତେବେଳେ। ଅତି କଷ୍ଟରେ ବାହାରିଲୁ। ଷ୍ଟେସନରେ ପହଁଚି ଟ୍ରେନ୍ ଆସିବାକୁ ଅପେକ୍ଷା କଲୁ। ରାତି ୧.୦୫ରେ ଟ୍ରେନ୍ ଆସି ଲାଗିଗଲା। ଧଡଧାଡ୍ ହୋଇ ଚଢ଼ି ଆଗ ସିଟ୍ ରେ ଯାଇ ଶୋଇପଡ଼ିଲୁ। ସକାଳ ୬.୩୦ରେ ଟ୍ରେନ୍ ଜାମ୍ମୁରେ ଯାଇ ପହଞ୍ଚିବାର ଥିଲା। ଆମକୁ ଏତେ ଜୋରରେ ନିଦ ହୋଇଗଲା ଯେ , ସକାଳୁ ଉଠିଲା ବେଳକୁ ଟ୍ରେନ୍ ଆସି ଜାମ୍ମୁରେ ପହଞ୍ଚିଲାଣି !!! ଟାକ୍ସିରେ ପୁଣି ଜାମ୍ମୁରୁ 'କାତ୍ରା' ଯିବାର ଥିଲା।



Rate this content
Log in