Bijayalaxmi Das

Others

2  

Bijayalaxmi Das

Others

ଭ୍ରମଣ କାହାଣୀ: ଭାଗ-- ୨

ଭ୍ରମଣ କାହାଣୀ: ଭାଗ-- ୨

6 mins
136



ଉତ୍ତର ଭାରତ ଭ୍ରମଣ : ଭାଗ - ୨


ପୂର୍ବାଭାଷ...


ଦିନ ୪.୧୦ରେ ଆମେ ଦିଲ୍ଲୀରେ ପହଞ୍ଚିଲୁ ଓ ଟାକ୍ସି ନେଇ ବୁକିଂ ହୋଇଥିବା ‌ହୋଟେଲରେ ପହଞ୍ଚିଲୁ। ଏଠାରେ ରାତିରେ ରେଷ୍ଟ୍ ନେଇ ସକାଳୁ ଆଗ୍ରା ଯିବାର ଥିଲା।


ତା'ପରେ...


ସକାଳ ୯ଟାରେ ଟାକ୍ସି ଆସିଗଲା। ଆମେ ପ୍ରସ୍ତୁତ ହୋଇ ଯାଇଥିଲୁ ଯିବାପାଇଁ। ବାଟ ସାରା ଡ୍ରାଇଭର ଆମକୁ ମଜା କଥା କହି ହସାଉଥିଲେ। ସେ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ। ଦିଲ୍ଲୀରୁ ଆଗ୍ରା ହେଉଛି ୨୨୧ କି:ମି। ଟାକ୍ସିରେ ପ୍ରାୟ ୪ଘଣ୍ଟା ଲାଗିଥାଏ ପହଁଚିଯିବାକୁ। ତାଜମହଲ ହେଉଛି ଆଗ୍ରାର ମୂଖ୍ୟ ଆକର୍ଷଣ। ଏହାଛଡା ଫତେହପୁର ସିକ୍ରି , ଜମା ମସଜିଦ , ଆକବରଙ୍କ ଟମ୍ବ ଓ ଆଗ୍ରା ଫୋର୍ଟ ହେଉଛି ଏଠାର ଅନ୍ୟତମ ଆକର୍ଷଣ ସ୍ଥଳୀ।


ଫତେହପୁର ସିକ୍ରି : (city of victory)

ପ୍ରଥମେ 'ଫତେହପୁର ସିକ୍ରି' ଦେଖିବାକୁ ଗଲୁ ଆମେ। ଏହା ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାର ଏକ ଛୋଟ ସହର ଓ ଆଗ୍ରାର ପଶ୍ଚିମ ଭାଗରେ ଅବସ୍ଥିତ। ୧୫୭୧ରେ ଆକବର ଏହାକୁ ମୋଗଲ ସାମ୍ରାଜ୍ୟର ରାଜଧାନୀ ବୋଲି ଘୋଷଣା କରିଥିଲେ। ଏହା ୧୫୮୫ ମସିହା ପର୍ଯ୍ୟନ୍ତ ରାଜଧାନୀ ହୋଇ ରହିଥିଲା। ଜଳାଭାବ ଯୋଗୁଁ ରାଜଧାନୀ ଆଗ୍ରାକୁ ସ୍ଥାନାନ୍ତରିତ କରାଯାଇଥିଲା। ପୂର୍ବରୁ 'ଫତେବାଦ' ନାମରେ ଏହା ଜଣାଥିଲା। ଏହା ଏକ ପାର୍ସୀ ଶବ୍ଦ। 'ଫତେ' ମାନେ ବିଜୟ। ସନ୍ଥ 'ସଲିମ୍ ଚିସ୍ତି'ଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଆକବର ଏହି 'ଫତେହପୁର ଦୁର୍ଗ' ନିର୍ମାଣ କରିଥିଲେ। 'ୱାର୍ଲଡ ହେରିଟେଜ୍' ସାଇଟ୍ ରେ ଏହା ସ୍ଥାନ ପାଇସାରିଛି। 'ଆବୁଲ୍ ଫଜଲ' ଅତି ସୁନ୍ଦର ଭାବରେ 'ଆକବର ନାମା' ପୁସ୍ତକଟିରେ ଫତେହପୁର ସିକ୍ରି ବିଷୟରେ ବର୍ଣ୍ଣନା କରିଛନ୍ତି।

 

ବୁଲନ୍ଦ ଦରୱାଜା :

'ଫତେହପୁର ସିକ୍ରି' ସକାଳ ୬ଟାରୁ ରାତି ୭ଟା ପର୍ଯ୍ୟନ୍ତ ଖୋଲାରୁହେ। ଟିକେଟ କାଉଣ୍ଟରରେ ଟିକେଟ କାଟି 'ବୁଲନ୍ଦ ଦରୱାଜା' ଦେଇ ଆମେ ପ୍ରବେଶ କଲୁ। ଏହି ୫୪ମି: ଉଚ୍ଚତା ବିଶିଷ୍ଟ 'ବୁଲନ୍ଦ ଦରୱାଜା' ଲାଲ୍ ସ୍ୟାଣ୍ଡ ଷ୍ଟୋନରେ ନିର୍ମିତ। ଶଂଖ ମଲମଲ ଓ ଗ୍ରାନାଇଟ୍ ପଥରର କାମର ଖୋଦେଇ ବି ଏଥିରେ କରାଯାଇଛି। ଏହାକୁ ସମ୍ରାଟ ଆକବର ୧୬୦୧ ମସିହାରେ ଗୁଜରାଟ ଉପରେ ବିଜୟ ପ୍ରାପ୍ତିର ସ୍ମାରକୀ ରୂପେ ନିର୍ମାଣ କରାଇଥିଲେ। ଏହା 'ଜମା ମସଜିଦ'କୁ ଯିବାର ପ୍ରବେଶ ପଥ ଅଟେ। 'ଜମା ମସଜିଦ' ଦେଖିବାକୁ ଅତି ସୁନ୍ଦର କାରୁକାର୍ଯ୍ୟରେ ପରିପୂର୍ଣ୍ଣ। ତା'ପରେ 'ସଲିମ୍ ଚିସ୍ତି' ଟମ୍ୱ। ଲାଲ୍ ସ୍ୟାଣ୍ଡଷ୍ଟୋନ୍ ଓ ମାର୍ବଲ ପଥରର ଏହି ଟମ୍ବ୍ ର ଚାରିପଟେ ଜାଲିମୟ କାନ୍ଥ ଥିଲା। ସେହି ଜାଲିରେ ସୂତା ବାନ୍ଧି ମାନସିକ ରଖିଲେ ମନୋବାଞ୍ଚ୍ଛା ପୂରଣ ହୁଏ ବୋଲି କୁହାଯାଏ। ମୁଁ ବି କିଛି ମାନସିକ କରି ସୂତା ବାନ୍ଧିଲି। ଚାଦର ସବୁ ବିକ୍ରି ହେଉଥିଲା , ଆମେ ଚାଦର କିଣି ଟମ୍ବ୍ ଉପରେ ଘୋଡ଼ାଇ ପ୍ରାର୍ଥନା କରି ବାହାରକୁ ଆସିଲୁ। 


ଦିୱାନ-ଇ-ଆମ :

ତା'ପରେ ଆମେ 'ଦିୱାନ-ଇ-ଆମ୍' ନିକଟକୁ ଆସିଲୁ। ସମ୍ରାଟ ଶାହାଜାହାନ ଏହାକୁ ୧୬୩୧ରୁ ୧୬୪୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ନିର୍ମାଣ କରିଥିଲେ। ଏହି ବିରାଟ ହଲ୍ ଟିକୁ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ ଓ ନ୍ୟାୟ ଦେବା ପାଇଁ ନିର୍ମାଣ କରାଯାଇଥିଲା। 'ଦିୱାନ୍-ଇ-ଆମ୍' ଲାଲ୍ ପଥରରେ ନିର୍ମିତ ହୋଇଥିଲା। ପରେ ଏହାକୁ ଧଳା 'ଶେଲ୍ ପେଷ୍ଟ' ରେ ଆବରଣ କରାଯାଇଥିଲା ଯାହାକି ଏବେ ଧଳା ଶଙ୍ଖ ମଲମଲ ପଥର ଭଳି ଚକଚକ୍ କରୁଛି। ଏହି ବିରାଟ ହଲ୍ ଟି ସମତଳ ଛାତ ବିଶିଷ୍ଟ‌ ଅଟେ। ଲାଲ୍ ପଥରର ଦୁଇଟି ବକ୍ର ପ୍ରବେଶ ଦ୍ଵାର ଉତ୍ତର ଓ ଦକ୍ଷିଣ ଦିଗକୁ ରହିଛି।


ଦିୱାନ-ଇ-ଖାସ୍ :

ଏହାପରେ 'ଦିୱାନ୍-ଇ-ଖାସ୍' ନିକଟରେ ଆସି ପହଁଚିଲୁ। ଏହା ‌ରାଜା ମହାରାଜା ଓ ଦରବାରରେ କିଛି ପ୍ରତିପତ୍ତି ଥିବା ଲୋକମାନେ ଏକତ୍ରିତ ହୋଇ ଆଲୋଚନା କରିବାର ହଲ୍ ଥିଲା। ଏହାର ମଧ୍ୟସ୍ଥଳରେ କାରୁକାର୍ଯ୍ୟରେ ପରିପୂର୍ଣ୍ଣ ଏକ ବିରାଟ ସ୍ତମ୍ଭ ଅଛି। ଏହାକୁ ଦେଖିଲେ କାରିଗର ମାନଙ୍କର କୁଶଳୀ କାରିଗରୀର ପ୍ରମାଣ ମିଳେ।


ଯୋଧାବାଈ ପ୍ୟାଲେସ୍ : 

ଏହା ହିନ୍ଦୁ ଓ ମୋଗଲ ମାନଙ୍କ ସମ୍ମିଶ୍ରଣର ଏକ ମହଲ। କାରଣ ଯୋଧାବାଈ ଥିଲେ ଜଣେ ହିନ୍ଦୁ ରାଜକୁମାରୀ ଯିଏକି ନିଜ ରାଜ୍ୟର ମଙ୍ଗଳ ପାଇଁ ସମ୍ରାଟ ଆକବରଙ୍କୁ ବିବାହ କରିଥିଲେ। ସବୁ ମହଲା ତୁଳନାରେ ଏହା ସବୁଠୁ ବଡ଼ ଥିଲା। ରାଣୀ ଯୋଧାବାଈଙ୍କ ପାଇଁ ସମ୍ରାଟ ଆକବର ଏହି ମହଲକୁ ତିଆରି କରାଇଥିଲେ। ୩୨୦ଫୁଟ ଲମ୍ବ , ୨୧୫ ଫୁଟ ଉଚ୍ଚ ବିଶିଷ୍ଟ ଏହି ମହଲଟି ଗୁଜରାଟ , ମାଣ୍ଡୁ ଓ ଗ୍ୱାଲିୟର ବାସ୍ତୁକଳାରେ ପରିପୂର୍ଣ୍ଣ। ଉପର ଛାତ ନୀଳ ଟାଇଲ୍ ଥିବା ଏହି ଭବନରେ ହିନ୍ଦୁ ସ୍ଥାପତ୍ୟ ଓ କଳା ଏବଂ ଗୁଜୁରାଟୀ କାରିଗରୀ ଦେଖିବାକୁ ମିଳେ। ସମୟ ଅଭାବରୁ ବେଶୀ ସମୟ ନ ରହି ଆମେ 'ପଞ୍ଚ ମହଲ' ଆଡକୁ ଆସିଲୁ।


ପଞ୍ଚ ମହଲ : 

ପାଞ୍ଚ ମହଲା ବିଶିଷ୍ଟ ଏହି ମହଲଟି ସମ୍ରାଟ ଆକବର ନିଜର ତିନି ରାଣୀ ଓ ମହଲର ଅନ୍ୟ ରାଜକୀୟ ମହିଳାମାନଙ୍କ ଆମୋଦ ପ୍ରମୋଦ ‌ଓ ଅବସର ସମୟ କଟାଇବା ପାଇଁ କରାଇଥିଲେ। ଏହାର କାରିଗରୀ କ‌ୌଶଳ ଅତ୍ୟନ୍ତ ଚମତ୍କାର ଅଟେ। ସବା ତଳ ମହଲାରେ ୮୪ଟି ସ୍ତମ୍ଭ , ପ୍ରଥମ ମହଲାରେ ୫୬ଟି ସ୍ତମ୍ଭ , ଦ୍ୱିତୀୟ ମହଲାରେ ୨୦ଟି ସ୍ତମ୍ଭ , ତୃତୀୟ ମହଲାରେ ୧୨ଟି ସ୍ତମ୍ଭ , ସବା ଉପରେ ୪ଟି ସ୍ତମ୍ଭ ଥାଇ ଉପରେ ଛତ୍ରିଟିଏ ଥିଲା। ଏହିପରି ଏହି ମହଲଟି ତଳୁ ଉପର ଯାଏଁ ସ୍ତମ୍ଭ କମି କମି ଆସିଥିବାରୁ ଦେଖିବାକୁ ଅସାଧାରଣ ଲାଗିଲା। ବୁଲାବୁଲି ସାରି ଆମେ ବାହାରକୁ ଆସିଲୁ। ଏଠାରେ 'ପେଠା' ନାମକ ଏକ ସ୍ୱାଦିଷ୍ଟ ମିଠା ମିଳେ ଯାହାକି ପାଣିକଖାରୁରୁ ତିଆରି। ଆମେ ଖାଇଲୁ , ଭଲ ଲାଗିଲା। ଏଠାର ଲୋକମାନେ ଉର୍ଦ୍ଦୁ ଓ ହିନ୍ଦୀ ଭାଷାରେ କଥାବାର୍ତ୍ତା କରନ୍ତି। ସଂଧ୍ୟା ହୋଇଯାଇଥିଲା , ତେଣୁ ଆଗ୍ରାରେ ଆଗରୁ ବୁକିଂ ହୋଇଥିବା ହୋଟେଲ୍ କୁ ଆମେ ଟାକ୍ଚିରେ ଚାଲିଆସିଲୁ। ବାଟରେ ଆଗ୍ରାରେ ଷ୍ଟ୍ରିଟ୍ ଫୁଡ୍ ଖାଇବାର ଲାଳସା ଯୋଗୁଁ ଗାଡ଼ି ଅଟକାଇ ମୋଗଲାଇ ପରାଠା ଓ ଜଲେବି ଖାଇଲୁ। 'ବେଡାଇ' ବି ଏଠାର ଏକ ପ୍ରକାରର ସ୍ୱାଦିଷ୍ଟ ଜଳଖିଆ ଅଟେ। ଅଳ୍ପକିଛି ରାତ୍ରି ଭୋଜନ ପରେ ଆମେ ଆସି ହୋଟେଲ୍ ରେ ବିଶ୍ରାମ ନେଲୁ।


ତାଜମହଲ : (୧୭ହେକ୍ଟର କ୍ଷେତ୍ରଫଳ)

ସକାଳୁ ଜଲଦି ଜଲଦି ନିତ୍ୟକର୍ମ ସାରିଦେଇ ୯ଟା ସୁଧା ତାଜମହଲ ଦେଖିବାକୁ ବାହାରିଲୁ। ଆଗ୍ରା ସହରର ଯମୁନା ନଦୀର ଦକ୍ଷିଣ କୂଳରେ 'ତାଜମହଲ' ଅବସ୍ଥିତ। ନିକଟରେ ପହଞ୍ଚି ଏହାର ସ‌ୌନ୍ଦର୍ଯ୍ୟ ଦେଖି ବିମୋହିତ ହୋଇଗଲୁ।ଏହା ଶାଶ୍ଵତ ଭଲପାଇବାର ଜ୍ୱଳନ୍ତ ଉଦାହରଣ। ପୃଥିବୀର ସପ୍ତମ ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ଏହା ଅନ୍ୟତମ। ୱାର୍ଲଡ ହେରିଟେଜ୍ ସାଇଟ୍ ରେ ବି ଏହା ସ୍ଥାନ ପାଇସାରିଛି। ୭୩ମି: ଉଚ୍ଚତା ବିଶିଷ୍ଟ ଧଳା ଶଙ୍ଖ ମଲମଲ ପଥରର ଏହି ମହଲଟି ଏକ ସମାଧିପୀଠ ଅଟେ। ସମ୍ରାଟ ଶାହାଜାହାନ ତାଙ୍କ ପ୍ରିୟ ପତ୍ନୀ 'ମମତାଜ ମ‌ହଲ'ଙ୍କ ସ୍ମୃତି ଉଦ୍ଦେଶ୍ୟରେ ୧୬୩୨ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଇଥିଲେ। ଏହାକୁ ନିର୍ମାଣ କରିବା ପାଇଁ ୨୦ବର୍ଷ ଲାଗିଯାଇଥିଲା। ଏହା ମୋଗଲ , ପାର୍ସୀ ଓ ତୁର୍କୀ ବାସ୍ତୁକଳାର ସମ୍ମିଶ୍ରଣରେ ନିର୍ମିତ। ଏହାର ପରିସରକୁ ସବୁଜ ଘାସ ଓ ଗଛରେ ସଜାଯାଇ ଅତ୍ୟନ୍ତ ସୁନ୍ଦର କରାଯାଇଛି। ତାଜମହଲ ସାମ୍ନାରେ ଜଳର ଉତ୍ସ ସବୁ କରାଯାଇଛି , ଯାହାଫଳରେ ଏହା ଅଧିକ ଆକର୍ଷଣୀୟ ହୋଇପାରିଛି। ପୂର୍ଣ୍ଣମୀ ରାତିରେ ଏହାର ଛାଇ ଯମୁନା ନଦୀରେ ପଡ଼ି ଅତି ସୁନ୍ଦର ଦେଖାଯାଏ। ତାଜମହଲରେ ହୋଇଥିବା ସୂକ୍ଷ୍ମ କାରୁକାର୍ଯ୍ୟ ଓ ଶିଳ୍ପ ଚାତୁରୀ , ଏହାକୁ ଭାରତର ଅମର ଭବନର ମାନ୍ୟତା ଦେଇଛି। ଏହାର ସ୍ଥପତି ଉସ୍ତାଦ ଅହମଦ ଲାହ‌ୌରିଙ୍କ ଦ୍ୱାରା ହୋଇଥିଲା। 


ତାଜମହଲର ଚାରିପଟେ ଏକ ଲୋହିତ ଶିଳାର ପାଚେରୀ ରହିଛି। ଏହି ପାଚେରୀର ଚାରି କୋଣରେ ଚାରିଟି ଟରେଟ ବା ଚୂଡା ଓ ତିନି ପାଖରେ ତିନିଟି ଉଚ୍ଚ ତୋରଣ ବିଦ୍ୟମାନ। ସବୁଠାରୁ ଉଚ୍ଚ ତୋରଣଟି ତାଜମହଲକୁ ପ୍ରବେଶ କରିବାର ପ୍ରଧାନମାର୍ଗ ଅଟେ। ଚାରିଟି ଯାକ ଟରେଟ ଟିକେ ଅଣାଇ ହୋଇ କରାଯାଇଛି ଯାହାଫଳରେ କି ଭୂକମ୍ପ ପ୍ରଭାବରେ ତାଜମହଲର କିଛି ବି କ୍ଷତି ହେବନାହିଁ। ତୋରଣର ଉପରଭାଗରେ ମନୋହର ସ୍ତମ୍ଭଗୃହ ଓ ତା' ଉପରେ ୨୬ଟି ସୁନାକଳସ ଗୋଟିଏ ଧାଡ଼ିରେ ସଜା ହୋଇ ରହିଛି। ଏହା ଉପରେ ଫୁଲ , ଫଳ ଚିତ୍ର ସବୁ ଖଚିତ ହୋଇ ତା' ଉପରେ ହୀରା , ନୀଳା , ମାଣିକ୍ୟ ଆଦି ବହୁ ମୂଲ୍ୟବାନ ରତ୍ନସବୁ ଖଞ୍ଜାଯାଇଛି। ତେଣୁ ଅତ୍ୟନ୍ତ ସୁନ୍ଦର ଓ ଜୀବନ୍ତ ଏହା ଦେଖାଯାଉଛି। ମମତାଜ ମହଲ ଓ ଶାହାଜାହାନଙ୍କର ମିଥ୍ୟା କବର ମୂଖ୍ୟ ପ୍ରବେଶ ଦ୍ଵାରରେ ଅଛି। ଏହା ସୂକ୍ଷ୍ମ ଚିତ୍ରିତ ମାର୍ବଲ ସ୍କ୍ରିନ ଦ୍ଵାରା ଆବଦ୍ଧ ହୋଇଛି। ପ୍ରକୃତ କବର ସମାଧିତଳେ ଉଦ୍ୟାନ ସ୍ତରରେ ଅଛି। 


ଆମକୁ ଆଗ୍ରା ଫୋର୍ଟ ବୁଲିବାର ଥିଲା। ତେଣୁ କିଛି ଫଟୋ ଉଠାଇ ଆମେ ସେଠାକୁ ଯିବା ପାଇଁ ବାହାରିଲୁ।


ଆଗ୍ରା ଫୋର୍ଟ : 

ଟାଙ୍ଗାରେ (ଘୋଡ଼ା ଚାଳିତ ଗାଡି) ବସି ଆମେ ଆଗ୍ରା ଫୋର୍ଟ ଆସିଲୁ। ତାଜମହଲ ଠାରୁ ମାତ୍ର ୨.୫କି:ମି ଦୂରରେ ଯମୁନା ନଦୀ କୂଳରେ ଆଗ୍ରା ଫୋର୍ଟ ଅବସ୍ଥିତ। ଏହି ଫୋର୍ଟ ଟି ମୋଗଲ ସମ୍ରାଟ ମାନଙ୍କ ମୂଖ୍ୟ ରହିବାସ୍ଥଳ ଥିଲା। ସମ୍ରାଟ୍ ଆକବର ୧୫୬୫ ଖ୍ରୀଷ୍ଟାବ୍ଦରେ ଏହାର ନିର୍ମାଣ ଆରମ୍ଭ କରିଥିଲେ। ୮ବର୍ଷ ଲାଗିଯାଇଥିଲା ଏହାର ନିର୍ମାଣ ଶେଷ ହେବାପାଇଁ। ସମ୍ରାଟ ଶାହାଜାହାନ ଏହାର ନିର୍ମାଣ ଶେଷ କରିଥିଲେ। ପ୍ରଥମେ 'ଲାଲ୍ ସ୍ୟାଣ୍ଡ ଷ୍ଟୋନ୍'ରେ ଏହା ନିର୍ମିତ ହୋଇଥିଲା। ପରେ ଶାହାଜାହାନ ଏଥିରେ ଧଳା ମାର୍ବଲ ପଥର ସଂଯୋଗ କରି ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ।ଏହା 'ୱାର୍ଲଡ ହେରିଟେଜ୍'ରେ ସ୍ଥାନ ପାଇସାରିଛି। ଏହା ଭିତରେ ଜାହାଙ୍ଗୀର ମହଲ , ଖାସ୍ ମହଲ , ଶୀଶ୍ ମହଲ , ଦିୱାନ୍-ଇ-ଆମ୍ , ଦିୱାନ୍-ଇ-ଖାସ୍ , ମୋତି ମସଜିଦ ଇତ୍ୟାଦି ମହଲଗୁଡିକ ଦେଖିବାକୁ ପାଇଲୁ।


ଜାହାଙ୍ଗୀର ମହଲ: 

ଏହି ମହଲଟି ୧୫୬୫-୧୫୭୦ ମସିହା ମଧ୍ୟରେ ଆକବରଙ୍କ ଦ୍ୱାରା ନିର୍ମାଣ ହୋଇଥିଲା। ମୂଖ୍ୟତଃ ଆକବର ଏହାକୁ ତାଙ୍କର ରାଜପୁତ୍ ପତ୍ନୀମାନଙ୍କ ପାଇଁ ନିର୍ମାଣ କରାଇଥିଲେ।


ଖାସ୍ ମହଲ:

ସମ୍ରାଟ ଶାହାଜାହାନ ୧୬୩୧-୧୬୪୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହି ମହଲ ତାଙ୍କ ଦୁଇ ଝିଅଙ୍କ ପାଇଁ ନିର୍ମାଣ କରାଇଥିଲେ। ଏହି ଧଳା ଶଙ୍ଖ ମଲମଲ ପଥରର ମହଲଟି ସୁନାର କାମ , ଭିତ୍ତିଚିତ୍ର ଓ ବିଭିନ୍ନ ପ୍ରକାର ଫୁଲର ଡିଜାଇନ୍ ରେ ସୁଶୋଭିତ ହୋଇ ଅତ୍ୟନ୍ତ ସୁନ୍ଦର ଦେଖାଯାଉଛି।


ଶୀଶ୍ ମହଲ : 

ଏହି ମହଲକୁ ସମ୍ରାଟ ଶାହାଜାହାନଙ୍କ ଦ୍ୱାରା ୧୬୩୧ରେ ନିର୍ମାଣ କରାଯାଇଥିଲା। ମହଲ ଭିତରେ ଜଳ ଟ୍ୟାଙ୍କ୍ , ଜଳ ଉତ୍ସସବୁ କରାଯାଇଛି ଯେଉଁଥିପାଇଁ କି ଗ୍ରୀଷ୍ମ ଋତୁରେ ଏହା ଭିତରେ ଥଣ୍ଡା ଅନୁଭୂତ ହୁଏ। ଛାତ ଓ କାନ୍ଥ ଗୁଡ଼ିକରେ ଛୋଟ ଛୋଟ ଦର୍ପଣ ସବୁ ଖଞ୍ଜାଯାଇଥିବାରୁ ଏହା ଖୁବ ସୁନ୍ଦର ଦେଖାଯାଉଛି।


ଦିୱାନ୍-ଇ-ଆମ୍ : 

ଜନସାଧାରଣଙ୍କର ଅଭିଯୋଗକୁ ଓ ସେମାନଙ୍କ ସୁବିଧା ଅସୁବିଧା ସବୁକୁ ସମ୍ରାଟମାନେ ଶୁଣିବା ପାଇଁ ଓ ନ୍ୟାୟ ଦେବା ପାଇଁ ଏହି ହଲ୍ ର ନିର୍ମାଣ କରାଯାଇଥିଲା।


ଦିୱାନ୍-ଇ-ଖାସ୍: 

ଏହି ହଲ୍ ଟିକୁ ସମ୍ରାଟ, ରାଜା ମ‌‌ହାରାଜା ଓ ଦରବାରର ପ୍ରତିପତ୍ତି ଥିବା ଲୋକମାନେ ଏକତ୍ରିତ ହୋଇ ଆଲୋଚନା କରିବାପାଇଁ ତିଆରି କରାଯାଇଥିଲା।


ମୋତି ମସଜିଦ: 

ସମ୍ରାଟ ଶାହାଜାହାନ ଏହାକୁ ୧୬୪୧ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଇଥିଲେ। ମୋତି ଭଳି ଚକଚକ୍ କରୁଥିବାରୁ ଏହାର ନାମ 'ମୋତି ମସଜିଦ୍' ଦିଆଯାଇଥିଲା। ଏହା ଦରବାରର ରାଜକୀୟ ସଦସ୍ୟ ମାନଙ୍କ ପାଇଁ ତିଆରି କରାଯାଇଥିଲା।


ସଂଧ୍ୟା ୬ଟା ହୋଇ ଯାଇଥିଲା। ଆମକୁ ଦିଲ୍ଲୀ ଫେରିବାର ଥିଲା। ତେଣୁ ଆମେ ସଂଧ୍ୟାବେଳେ କିଛି ସ୍ନାକସ୍ ଓ ଚା' ପିଇ ଟାକ୍ସିରେ ଦିଲ୍ଲୀ ଫେରିଲୁ। ରାତି ୧୦.୩୦ ରେ ଆସି ଆମେ ହୋଟେଲରେ ପହଞ୍ଚିଲୁ। ଆଗରୁ ଆମେ ଫୋନ୍ ରେ

ହୋଟେଲକୁ ଜଣାଇଦେଇଥିଲୁ। ତେଣୁ ରାତ୍ରି ଭୋଜନ ସାରି ସମସ୍ତେ ବିଶ୍ରାମ ନେଲୁ।


ପୂର୍ବରୁ ଆମେ ଦିଲ୍ଲୀ ବୁଲିଥିଲୁ। ତେଣୁ ଆମେ ଏଥରକ ଅମ୍ରିତସର ବୁଲିବାକୁ ସ୍ଥିର କରିଥିଲୁ। ଦିଲ୍ଲୀରୁ ଅମ୍ରିତସର ଯିବାପାଇଁ ଦିନ ୧୨.୦୫ରେ ଫ୍ଲାଇଟ୍ ଥିଲା। ସକାଳୁ ଉଠି ନିତ୍ୟକର୍ମ ସାରି ଜଳଖିଆ ଖାଇ ଦିନ ୧୦ଟା ସୁଧା ଆମେ ବାହାରିଗଲୁ। ଦିନ ୧.୧୫ରେ ଅମ୍ରିତସରରେ ପହଁଚି ଆମେ ଟାକ୍ସି ନେଇ ହୋଟେଲ୍ ରେ ପହଞ୍ଚିଲୁ।



Rate this content
Log in